Arabinda Rath

Comedy

4.5  

Arabinda Rath

Comedy

ଚାଲାଣ

ଚାଲାଣ

8 mins
478



   ଆଜି ପାଣିପାଗ କେମିତି ବିଗିଡି ଯାଇଛି କେଜାଣି,ସକାଳୁ ବଡବାବୁଙ୍କ ଗର୍ଜନରେ ଥାନା ଭିତରଟା ଖାଲି ଦୁଲଦୁଲ ହୋଇ କମ୍ପୁଛି। ବଡବାବୁଙ୍କ ଚର୍ଚ୍ଚାରେ କେଉଁଠି ଖିଲାପ ରହିଲା କନିଷ୍ଠ କର୍ମଚାରୀଗଣ ବୁଝି ପାରୁ ନଥାନ୍ତି। ବାବୁ ଆସିବା କ୍ଷଣି ଦୋସା,ବରା,ଇଟିଲି,ଘୁଘୁନି ସାଙ୍ଗକୁ ଡଜନେ ରସଗୋଲା ଭୋଗ ଲଗା ସରିଛି। ଧୋବ ଫରଫର କେଟଲିରେ ଖାଣ୍ଟି ଦେଶିଦୁଗ୍ଧରେ ପ୍ରସ୍ତୁତ ଗରମଚାହା ସାଙ୍ଗକୁ ଗିନାଭର୍ତ୍ତି ସର ଓ ଚାମଚ ସଜିଲ କରି ରଖାଯାଇଛି। ଅପର୍ତ୍ତି ଦୋକାନରୁ ମିଠାପତାରେ ମୋଟା ଚୂନ,କାଠିଗୁଆ,ଦେଶି ଖଇର,ଚମନବାହାର,କିମାମ୍,ବାବା ଶହେ ଷାଠିଏ ମାର୍କା ପାନ ବି ଟେବୁଲ ଉପରେ ରୂପା ପାନ ବଟୁଆରେ ସାଇତା ଯାଇଛି। ଏତେ ଆୟୋଜନ ହେବା ପରେ ମଧ୍ଯ ବାବୁଙ୍କ କୋପର କାରଣ ବୁଝା ପଡୁନି। 

   କାହିଁ କେତେକାଳରୁ ସେହି ଥାନାରେ ବୟୋବୃଦ୍ଧ ଅଥଚ ପୁରୁଖା ସିପାହୀ ପୁରନ୍ଦର କାମ କରି ଆସୁଛି ତା'ର ହିସାବ ଆମ ପାଖରେ ନାହିଁ। ଲୋକଟି ଅଳ୍ପ ଲାଞ୍ଚୁଆ ଓ କମ୍ ଟାଉଟର ମଣିଷଟିଏ। କାହାକୁ ନୁଆଁଇ ବିଧାଏ ମାରିବା ପୁରନ୍ଦର ପାଇଁ ନିୟମ ବିରୁଦ୍ଧ କାର୍ଯ୍ଯ। କିନ୍ତୁ ନଇଁ ପଡିଥିବା ଲୋକକୁ ବିଧା ମାରିବାରେ କୌଣସି ପାପ ନାହିଁ ବୋଲି ସେ ବିଶ୍ବାସ କରେ। ଭଗବାନ ତାକୁ ସବୁ ଦେଲେ ଯେ ଜିଭଟି କ୍ଷେତ୍ରରେ ଟିକେ ଓଲଟପାଲଟ କରିଦେଲେ। କଥା କହିଲା ବେଳକୁ ବିଚରାର ପାଟି ଲାଗେ। କାଳେ ଲୋକେ ହସିବେ ବୋଲି ସେ ଶୁଣିବା ଲୋକର କାନ ପାଖରେ ଫୁସଫୁସ କରି ଯାହା କହିବା କଥା କହେ। । ବଡବାବୁର ବିଚିତ୍ରିଆ ରୂପ ଦେଖି ସାନ କର୍ମଚାରୀମାନେ ପ୍ରମାଦ ଗଣିବା ଅବସରରେ ପୁରନ୍ଦରକୁ ଭ୍ରୁଲତା ଟେକି "ଘଟଣା କଣ” ବୋଲି ପ୍ରଶ୍ନ କଲେ। ପୁରନ୍ଦର ନିଜ ଲଣ୍ଡାମୁଣ୍ଡରେ କିଛି ରେଖା ଟଣାଟଣି କରି ସଭିଙ୍କୁ ପାଖକୁ ଡାକି କହିଲା- - ଆଲେ କାଲି ଗେନ୍ଥଲକୁ ଛେସପି ଥାହେବ ଥାକି ଥିଲେ। ଥେଇଥି ବୋଧେ ଭଲଲେ ଥୁନ୍ଦି ଦେଇଥନ୍ତି। ଭଲ ଥେଇଛି,ଥଲାକୁ ଏମିତି ଦଲକାଲ ଥିଲା।

   ପେଟେ ଖାଇପିଇ ପାନ ଚୋବାଇ ପୁଣି ବଡବାବୁ ଗେନ୍ଥଲ ଛୁଆଳସିଂହଙ୍କ ରଡି ଛାଡିଲେ- - ଶ୍ଯଃ,ନିକମ୍ମା ଗୁଡା, ତୁମେ କାମଧାମ କିଛି କରିବନି, ତୁମ ପାଇଁ ମୁଁ ଶୋଧା ଶୁଣିବି। ହଜାରଥର କହିଲିଣି ଆଗକୁ ପ୍ରମୋଶନଟା ଅଛି। ଏ ସମୟରେ କିଛି ଅନୁଲୋମ ବିଲୋମ ହେଲେ କଥା ସରିଲା। ତୁମେ ଗଣ୍ଡମୁର୍ଖ ଦଳ ବୁଝିଲେ ତ ହବ। ସେ ପେଣ୍ଠକଟା ଥାନାବାଲା କାଲି ଗୋଟେ ଗାଡିବାଲାକୁ ତିରିଶି ଲକ୍ଷ ଫାଇନ ଠୁଙ୍କିଛନ୍ତି। ୟା'ପ ମୋ ଥାନାରେ ଫାଇନ ଚାଲାଣ ଶୂନ। ମୋ ଏରିଆରେ ଗାଡି ଚାଲୁନି ନା କଣ? ହେଇଟି,ସବୁ କାନ ଖୋଲି ଶୁଣ, ଆଜି ତୁମେମାନେ କଣ କରିବ ଜାଣିନି - କିନ୍ତୁ ମୋର ଗୋଟେ ମୋଟା ଶିକାର ଦରକାର। ଆଜି ସଞ୍ଜବେଳେ ପୁଣି ସାହେବ୍ ମିଟିଙ୍ଗ ପାଇଁ ଡାକିଛନ୍ତି। ଯଦି ମୋତେ ଗାଳି ଫଜିତ୍ କରନ୍ତି, ତୁମ ମାନଙ୍କ ଚାକିରି କାକୁଡି ପରି ଚୋବେଇଦେବି। ଏହିକ୍ଷଣି ଚାରଦିଗକୁ ଖେଦିଯାଅ,ଏକ ନଳିଆ-ଦୁଇ ନଳିଆ-ପିସ୍ତଲ-ଠେଙ୍ଗାବାଡି- ବର୍ଚ୍ଛା,ତୀର,ଖଣ୍ଡା,ତଲଓ୍ବାର ଯାହା ପାରୁଛ ସାଙ୍ଗରେ ନିଅ। ଗାଡିବାଲାଙ୍କ ବେକ ଘୋଷାଡି ଆଣି ଫାଇନ ଠୁଙ୍କ। କିଏ ପାଟିତୁଣ୍ଡ କଲେ କୁଲଛତ୍ରିଆ ଛେଚାଦିଅ। 

ଯାହାହେବ ମୁଁ ବୁଝିବି। କାହାକୁ ଛାଡନି-- ଜନ୍ଦା ପିମ୍ପୁଡି ବି ଗାଡି ଚଲେଇ ଯିବାର ଦେଖିଲେ ତାଙ୍କୁ ମଧ୍ଯ ଘିଞ୍ଚିଆଣ। କାମ ଏମିତି ହେବା ଦରକାର ଯେମିତି ସବୁ ନିଉଜ ଚ୍ଯାନେଲରେ ଆମ ଥାନାର ନାମ ଆସିବ। କଣ ବୁଝିଲ ଟି ପଣ୍ଡିତଙ୍କ ବାଛୁରିମାନେ।

- - ସଭିଏଁ ସମବେତ କଣ୍ଠରେ କହିଲେ- - ହେ ସାର୍। ଥାନାର ଚଟାଣଟି ପନ୍ଦର କୋଡିଏଟି ଡାହାଣଗୋଡ ଜୋତାର ସମବେତ ଧାଡୁମ ଶବ୍ଦରେ ପ୍ରକମ୍ପିତ ହେଲା।

ଗଣ୍ଡମୁର୍ଖ ଗଣ,ସାଲ୍ଯୁଟ୍ ମାରିଲା ବେଳକୁ ହେ ସାର୍ ନୁହଁ ୟେସ୍ ସାର୍ କୁହନ୍ତି। ତୁମ ମାନଙ୍କୁ କିଏ ଚାକିରି ଦେଲା କେଜାଣି -- ପାଚିଲା ବିଲାତି ବାଇଗଣ ପରି ଆଖି ଯୋଡିକ ଜଳାଇ କହିଲେ ଗେନ୍ଥଲ।

   ପୁରନ୍ଦରକୁ ଗେନ୍ଥଲଙ୍କ ସେବାର୍ଥେ ଛାଡି ବାକି କର୍ମଚାରୀ ମହୁଫେଣାରୁ ମହୁମାଛି ଉଡିଲା ପରି ଚାରିଦିଗକୁ କ୍ଷେପିଗଲେ। ଏତେବଡ ପଟୁଆର ବାହାରିବା ଦେଖି ଥାନା ପାଖ ଚାହା ,ଜଳଖିଆ ଓ ପାନ ଦୋକାନୀଙ୍କ ଆଖି ଉଜ୍ବଳ ଦିଶିଲା। ଆଜି ଢେର୍ ରାତି ଯାଏଁ ବେପାର ହେବା ଟା ଥୟ। କେତେ ମାଛ ପଡିବେ ତା'ର ହିସାବ ନାହିଁ। ହିସାବ କିତାବ ଛିଡିଲା ବେଳକୁ ରାତି ପାହି ସକାଳ ହୋଇଯିବ। ଲୋକେ କେତେ ଭୋକ ଉପାସରେ ରହିବେ। ଜିଭ ଟକଳିଆ ଲୋକେ ରାତି ଅଧରେ ବି କୁଡୁମୁଡୁଆ ବରା ଘୁଘୁନି ଖୋଜିବେ। ପୁଣି ଥାନାକୁ ଆସି ଯଦି ରାତି ଅନିଦ୍ରା ନ ହୋଇଛ ସେଥିରେ କି ଲାଭ। କହିବା ବାହୁଲ୍ଯ, ଥାନା ପାଖର ସମସ୍ତ ଦୋକାନୀ ପୁରୁଣା ଦାଗୀ। ଅପରାଧିକ ଜୀବନରୁ ଅବସର ନେବା ପରେ ଦୋକାନ ଖୋଲି ବସିଛନ୍ତି। ତା ସାଙ୍ଗକୁ ଏତଲା ଲେଖିବା,ଦରଖାସ୍ତ ଲିଖନ ଓ ନାନାଦି କାଗପତ୍ରିଆ କାମ କରିବାରେ ସେମାନଙ୍କୁ ପାରି ହେବନି।

   ପ୍ରଥମେ ସାନ କର୍ମଚାରୀ ମାନେ ଟିକେ ହଇରାଣ ହରକତ ହେଲେ। ତାଙ୍କ ଥାନାରେ ଏପରି ଗାଡିଘିଞ୍ଚା ଘଟଣା ପ୍ରଥମ। ଭୁଲଭଟକା ହେବା ମାମୁଲି କଥା। ପ୍ରଥମେ କେତେଜଣ ଯାଇ ସାଇକେଲ,ଶଗଡଗାଡି,ରିକ୍ସା,ଟ୍ରଲି,ଜଳଖିଆ ଠେଲା ବାଲାଙ୍କୁ ଗୁଡେଇ ତୁଡେଇ ଧରିଲେ। କିଛିଲୋକଙ୍କ ହାତରେ ଫାଇନ ଚାଲାଣ ଧରାଇ ବି ଦେଲେ। ନୂଆ ଚାକିରିରେ ପଶିଥିବା ନଖିଆ ସେଠୀ ଗୋଟେ ଶଗଡବାଲାକୁ ହେଲମେଟ କାହିଁକି ପିନ୍ଧିନୁ କହି ବହେ ବେଜ୍ଜିତ କଲା। ଶଗଡିଆ ବିଚରା କିଛି ବୁଝି ନପାରି ତା ମୁଣ୍ଡରେ ମସିଆ ଝାମ୍ପିଟିଏ ଚଢାଉଥାଏ ଖସାଉଥାଏ। ସେପଟେ ସିଟ୍ ବେଲ୍ଟ କାହିଁକି ବାନ୍ଧିନୁ କହି ଗୃହରକ୍ଷୀ ପ୍ରପଞ୍ଚ ମହାନ୍ତି ଗୋଟେ ରିକ୍ସାବାଲାକୁ ବାଡେଇ ଲହୁଲୁହାଣ କରି ସାରିଲାଣି। କଥା ସେତିିକିରେ ସରିଲାନି, ପରମ ବାମ୍ଫିଆ ହାବିଲଦାର ବିସ୍କୁଟରାମ ପଣ୍ଡା ଜଣେ ସାଇକେଲ ଆରୋହୀ ଚକା ଭିତରେ ବାଉଁଶ ବାଡି ପୁରେଇ ଚାଳକକୁ ତଳେ ଗଡେଇ ପକାଇଲା। ଚାଳକ ବାପୁଡା କାରଣ ପୃଛନ୍ତେ ବିସ୍କୁଟରାମ ତାକୁ ଡ୍ରାଇଭିଙ୍ଗ ଲାଇସେନସ ମାଗିଲା। ସେ ବିଚରା ସାଇକେଲ ହ୍ଯାଣ୍ଡଲରେ ପରିବାପତ୍ର ସାଙ୍ଗକୁ ପାଞ୍ଚ କିଲିଆ ମାଛଟେ ଧରି ମନ ଆନନ୍ଦରେ ସୁସୁରି ମାରି ଯାଉଥିଲା। ଏମନ୍ତ ବ୍ଯାପାର ଦେଖି ତା ହାଲକ ଶୁଖି କଣ୍ଟା ହୋଇଗଲା। ତଥାପି ଥତମତ ହୋଇ ପକେଟ ଦରାଣ୍ଡି ଦୁଇ ଟଙ୍କିଆ ମୁଦ୍ରାଟିଏ ପାଇଲା। 


ସେଇଆକୁ ବିସ୍କୁଟରାମ ହାତକୁ ଲାଞ୍ଚ ଭାବରେ ବଢାଇ ଦେବାରୁ ତା ମୁଣ୍ଡରେ ଏକ ଠେଙ୍ଗା ପାହାର ପଡିଲା। ବିଚରା ରକ୍ତ ସରସର ହୋଇ ଦୌଡି ସେ ଯାଗାରୁ ଚମ୍ପଟ ମାରିଲା। କେଇକ୍ଷଣ ମଧ୍ଯରେ ସେ ସ୍ଥାନର ଅବସ୍ଥା ଶୁଖୁଆହାଟ ପରି ହୋଇଗଲା। କର୍ମଚାରୀଗଣ ଶେଷରେ ଲୋକେ କାହିଁକି ଚପଲ ନ ପିନ୍ଧି ଖାଲି ପାଦରେ ଚାଲୁଛନ୍ତି କହି ଚାଲାଣ କାଟିଲେ। ଯାହାହେଉ ଲୋକଙ୍କ ଭିଡରୁ ଜଣେ ଶିକ୍ଷିତ ଲୋକ ସ୍ବର ଉତ୍ତୋଳନ କଲା। ସେ ବିଚରାଟି ଭିନ୍ନକ୍ଷମ- ତିନି ଚକିଆ ସାଇକେଲରେ ବଡ କଷ୍ଟରେ ହାତ ପେଡାଲ ମାରି ଝାଳନାଳ ହୋଇ ଯାଉଥିଲା। ତାକୁ ଜଣେ ସିପାହୀ ଅଟକାଇ ହେଲମେଟ କଥା ପଚାରନ୍ତେ ସେ ଚିହିଁକି ଉଠି ଗୋଟେ ନିଶ୍ବାସରେ ମୋଟରଯାନ ଆଇନ ବିଷୟରେ ପୁଙ୍ଖାନୁପୁଙ୍ଖ ଜ୍ଞାନ ଉଗାଳି ଦେଲା। 

   ଜ୍ଞାନୋଦୟ ପରେ ସିପାହୀ ମହଲରେ ଭାଳେଣି ପଡିଗଲା। ଆରେ ସତେ ତ! ଆମେ ଗାଡିବାଲାଙ୍କୁ ନ ଧରି ଏ ଅଗାଡିଆ ଲୋକଙ୍କୁ ଧରି କାହିଁକି ଚାଲାଣ କାଟୁଛେ,ପ୍ରଶ୍ନ ନିଜକୁ ପଚାରି ସିପାହୀଗଣ ସାଙ୍କୁଡିଗଲେ। ଚିନି ଚାରିପଟେ ପିମ୍ପୁଡି ମନ୍ଦା ବାନ୍ଧିବା ପରି ସେମାନେ ବୃତ୍ତାକାରେ ଗମ୍ଭୀର ଆଲୋଚନା ପର୍ଯ୍ଯାଲୋଚନାରେ ବ୍ଯାପୃତ ହେଲେ। ଭୁଲ ହୋଇ ଯାଇଛି କହିଲେ, ଲୋକେ ଛେଚି ଛେଚି ଆଳୁରୁ ଆଳୁ ଚିପ୍ସ କରିି ଦେବାର ସମ୍ଭାବନାକୁ ଏଡାଇ ଦିଆ ଯାଇ ନପାରେ। ତେଣୁ ସବୁଠାରୁ ଜ୍ଞାନୀ ସିପାହୀ ଗନ୍ଧେଶ୍ ମିଟିକାସିଂ ମନ୍ଦମନ୍ଦ ହସି କହିଲା- - ଭାଇ ଓ ତାଙ୍କ ଭଉଣୀ ମାନେ। ଡରିବାର କୌଣସି କାରଣ ନାହିଁ। ଏହା ଏକ ମିଛିମିଛିକା ଚଢାଉ ଥିଲା। ଯାହାକୁ ଇଂରାଜୀରେ ମକଡ୍ରିଲ୍ କୁହନ୍ତି। ମାନେ ଘଟଣାଟି ଘଟିବା ପୂର୍ବରୁ ତାକୁ ସମ୍ଭାଳିବା ପାଇଁ ଏକ ଆୟୋଜନ। କାଲି ସକାଳେ ଯଦି ଦୁର୍ଭାଗ୍ଯକୁ ଆପଣ ମାନଙ୍କ ଭିତରୁ କେହି ଗାଡି ମୋଟର କିଣିବେ ତେବେ ଏମିତି ପରିସ୍ଥିତିର ସାମନା କରିବାକୁ ପଡିପାରେ। କେବଳ ଆପଣଙ୍କୁ ସଚେତନ କରିବାକୁ ଏତିକି ବେହେଲ।

   ଲୋକେ ସିପାହୀଙ୍କୁ ଯେତିକି ଶୋଧାବକା କଲେ ତାହା ବର୍ଣ୍ଣନାତୀତ। ସେ ଯାହା ବି ହେଉ, ଏଥର ସିପାହୀ ମାନେ ଅସଲ କାମରେ ମନଦେଲେ। ପ୍ରକୃତ ଗାଡିବାଲାଙ୍କୁ ଧରିବାର ପାଳି ଆସିଗଲା। ପଙ୍କୁଆ ପୋଖରିରେ ଚେଙ୍ଗ ମାଛ ମାରିବା ପରି ସିପାହୀ ମାନେ ନିଜର ହାତ ହତିଆର ଧରି ଜାଗ୍ରତ ଅବସ୍ଥାରେ ରହିଲେ। ପ୍ରଥମେ ଗୋଟିଏ ଧଡଧଡିଆ ଲୁନା ଗାଡି ଫୁଟୁଫଟୁ କରି ଆସିଲା। ତିନିଜଣ ସିପାହୀ ଲୁନା ସହିତ ଚାଳକ ଉପରକୁ ଲମ୍ଫ ପ୍ରଦାନ କରି ମାଟିରେ ଗଡାଇ ଦେଲେ। ଚାଲାଣ କଟିଲା ତିରିଶି ହଜାର। ଚାଳକ ବାପୁଡାର ଧୋତି ଆଗପଟ ଓଦା ଓ ପଛପଟ ହଳଦିଆ ହୋଇଗଲା। ଦ୍ବିତୀୟ ଶିକାର ଗୋଟେ ଛାଲଛାଡି ସ୍କୁଟର,ସବାରୀ ଚାରିଜଣ। ସମସ୍ତେ ଲଣ୍ଡା- କୌଣସି ଶୁଦ୍ଧିକ୍ରିୟାରୁ ଫେରିବା ପରି ଲାଗୁଥିଲେ। ସେମାନଙ୍କୁ ମାଡି ବସିଲେ ଆଠ ଜଣ। ଫାଇନ ଜମାରୁ ପଇଁଚାଳିଶି ହଜାର। ଚାଳକ ବାପୁଡା ପାଟି ମେଲା କରି ଛାତି ଜାବୁଡି ଚଳେ କଚି ହୋଇ ପଡିଲା। ଅନ୍ଯ ତିନିଜଣ ଲାଣ୍ଡୁ ନିଜ ଭିତରେ ଗୁଣୁଗୁଣୁ ହୋଇ କହିଲେ- - ଯାଃ ଶଳା, ଦଶ ଦିନପରେ ପୁଣି ଖିଅର ହେବାକୁ ପଡିବ। ତା ପରେ ଆସି ପହଞ୍ଚିଗଲା ଏକ ଛାତ ଉଡା ଟେମ୍ପୋ। ପଛ ଡାଲାରେ ଦୁଇ ଶହ ସରିକି ମାଉଁସିଆ ଡଉଲଡାଉଲ ଧଳା କୁକୁଡା। ଟେମ୍ପୋର ଚାଲାଣ କଟିଲାନି,କିନ୍ତୁ କୁକୁଡାଙ୍କ ବେକ ସବୁ ସିପାହୀଙ୍କ ଭିତରେ ବଣ୍ଟୁଆର ହୋଇଗଲା। ତେଣିକି ଗୋଟିଏ ପରେ ଗୋଟାଏ ଗାଡି ଆସୁଥାନ୍ତି ଓ ସିପାହୀ ମାନେ ଖାପୁ କରି ମାଡି ବସୁଥାନ୍ତି। ଚାଲାଣ କାଟିଲା ଯାହାକୁ ଯେତେ କିନ୍ତୁ ନଗଦ ଟଙ୍କା କେହି ଦେଲେନି। ସମସ୍ତ ସିପାହୀଙ୍କ ମୁହଁ ବଡ ବିଚିକୁଟିଆ ଦିଶିଲା। ଖରାତରାରେ ବିଚରାଗୁଡା କେତେବେଳୁ ଘଣ୍ଟାଚକଟା ଚଲେଇଛନ୍ତି। ଦେଖିଲା ବେଳକୁ ଖାଲି କେରାଣ୍ଡି ମାଛ ଜାଲରେ ପଡୁଛନ୍ତି। ପନ୍ଦର କିଲିଆ ରୋହି ଭାକୁରଙ୍କ ଦେଖାନାହିଁ। ଲୋକେ ବି ଚାଲାକ ହୋଇ ଗଲେ କି କଣ, ଗାଡି ମାନଙ୍କର ଆସିବା ସଂଖ୍ଯା ଅଚାନକ କମି ହୋଇଗଲା। ଟାଣି ଓଟାରି ବାଇଶି ଲକ୍ଷର ଚାଲାଣ କଟିଲାଣି। ସେମାନଙ୍କୁ ତିରିଶିଲକ୍ଷ ପାର କରିବାକୁ ପଡିବ। ନୋହିଲେ ଗେନ୍ଥଲ ସମସ୍ତଙ୍କ ଚାକିରିରେ କୀଟନାଶକ ବିଞ୍ଚିଦେବ। ସିପାହୀ ମାନେ କଣ ଦେଖିଲେ କେଜାଣି- - ସେମାନଙ୍କ ମୁହଁ ଉଜ୍ବଳ ଦିଶିଲା।

   କଳା ମଚମଚ ପିଚୁରାସ୍ତା ଚିରି ଘଣ୍ଟାକୁ ଶହେ ସ୍ପିଡ୍ ରେ ମାଡି ଆସୁଥିଲା ଏକ ସୌଖୀନ ଦାମୀ ମୋଟର ସାଇକେଲ। ଚାଳକଟି ନହନକଟା ଟୋକା ଖଣ୍ଡିଏ କିନ୍ତୁ ଷ୍ଟାଇଲ କୌଣସି ହିରୋ ଠୁଁ କମ୍ ନଥିଲା। ମୁଣ୍ଡରେ ହେଲମେଟ ନଥିଲା ତେଣୁ ପବନ ପ୍ରଭାବରେ ଚୁଟି ସବୁ ଝିଙ୍କ କାଠି ପରି ଟେଙ୍ଗେଇ ହୋଇ ପଡିଥିଲା। ମାଣବସା ଗୁରବାର ପୂଜା ପାଇଁ ବ୍ଯବହୃତ ସାନ କୁଲା ପରି ଦିଶୁଥିବା କାଳିଆ ଚଷମା ପଛରେ ଗୋଲିଆ ଆଖି ଦୁଇଟି ସାପ ପରି ଘୁରି ଘୁରି ରାସ୍ତା ଓ ଚାରିଦିଗକୁ ଅବଲୋକନ କରିଚାଲିଥିଲା। ଦୈବାତ୍ ଷଣ୍ଢ ବା ଗାଈ ଆଗକୁ ଚାଲିଆସିଲେ ବ୍ରେକର ତଣ୍ଟି ଚିପି ଗାଡି ଛିଡା କରାଇ ଦେବାର ଅଭିପ୍ରାୟ ନେଇ ଚାଳକ ବ୍ରେକ୍ ଉପରେ ହାଲୁକା ପାଦ ରଖି ରକେଟ୍ ପରି କ୍ଷେପି ଆସୁଥିଲା। ରାଜା ବିକ୍ରମାଦିତ୍ଯଙ୍କ ପିଠିରେ ବେତାଳ ଝୁଲିବା ପରି ଚାଳକ ପଛରେ ଝୁଲିଥିଲା ଏକ ଅବଗୁଣ୍ଠନବତୀ ଯୁବତୀ। ହରିଣ ଚାରିପଟେ ଅଜଗର ଗୁଡାଇ ହେବା ପରି ଯୁବତୀର ଟାଆଁସିଆ କୃଷ୍ଣକାୟ ହସ୍ତଯୁଗଳ ମଧ୍ଯେ ଚାଳକର କଦଳୀଗଣ୍ଡିଆ ଶରୀର ଟିି ଆବଦ୍ଧ ହୋଇ ରହିଥିଲା। ଚାଳକର ମଧ୍ଯେମଧ୍ଯେ କଣ ହେଉଥିଲା କେଜାଣି, ସେ ଅତି ମାତ୍ରାରେ କୁତୁକୁତୁ ହୋଇ ଦୁଇ ହାତ ଶୂନ୍ଯକୁ ଟେକି ମୋଟର ସାଇକେଲ ଉପରେ ଛିଡା ହୋଇ ଯାଉଥିଲା । ପୁଣି ଅବଗୁଣ୍ଠନବତୀ ଯୁବତୀଟି ଚାଳକର ହାତ ଧରି ଅନୁନୟ ବିନୟ ହେବାପରେ ସେ ଗାଡି ଉପରେ ମନ ଖୁସିରେ ପୁଣି ବସି ପଡୁଥିଲା। ଖଣ୍ଡେ ଦୂରରୁ ଏସବୁ ବ୍ଯାପାର ଦେଖି ସିପାହୀ ମାନଙ୍କ ଆନନ୍ଦର ସୀମା ରହିଲାନି। ଆହା- କି ସୁନ୍ଦର ଦୃଶ୍ଯ। ଏମାନେ ଆଲବମ୍ ହିରୋ ହିରୋଇନ ହୋଇଥିବେ ପରା। ନୋହିଲେ ଏତେ ଷ୍ଟାଇଲ ଶିଖିଲେ କୁଆଡୁ? 

   ସେତିକି ବେଳକୁ ଘଡଘଡିଆ ନାଦରେ କମ୍ପାଇ ଦେଲା ଜ୍ଞାନୀ ସିପାହୀ ଗନ୍ଧେଶ୍ ମିଟିକାସିଂ। ହେ ଭାଇମାନେ, ଜାଗତିଆର ରୁହ। ଭଲ ଶିକାର ଆସୁଛି। ଦେଖିଲେ ଲାଗୁଛି ନିହାତି ଥିଲାବାଲା ଘର ପିଲା। ଧର ତାକୁ- - ଦଶଲକ୍ଷ ଫାଇନ୍ ଠୁଙ୍କିଦେବା। ଜଲଦି କାମ ସାରି ଘରକୁ ଯିବା। ତେଣିକି କୁକୁଡା ଭାଗ ବଣ୍ଟରା କାମ ବାକି ରହିଲା। ସେ କାମ ନ ସରିଲେ ପୁଣି ଆମ ଭିତରେ ମାଡଗୋଳ ଆରମ୍ଭ ହୋଇଯିବ। 

- - ହେଃ ଧେଡ ଟୋକା – ଛିଡା କର ଗାଡି-- କୁଆଡେ ଧସେଇ ପଶୁଛୁ। ଘିଞ୍ଚିନିଅ ତା ଚାବି। ମାଡିବସ ତାକୁ। ହେଇଟି ପୁଅ, ବେଶି ଚାଲାକି ଦେଖେଇବୁ ଖୋବଣି ମାରି ଥୋମଣି ଫଟେଇଦେବି। କାଢ ତୋ ଲାଇସେନ୍ସ,ଇନସ୍ଯୁରାନ୍ସ,ଫିଟନେସ୍,ଆଙ୍ଗୁଡୁ କାଗଜ,ମାଙ୍ଗଡୁ କାଗଜ ସବୁ କାଢ୍। ଢିମାଢିମା ଆଖି କରି କହିଲା ହାବିଲଦାର ବିସ୍କୁଟରାମ୍।

- - ହୋଃ ଅଙ୍କଲ୍, ତାମ କାନ୍ଧରେ ତାରା ନାହିଁଁ। ତୁମ ସହ କଥା ହେଲେ ମୋ ଇଜ୍ଜତ୍ ଯିବ। ତାରାବାଲାଙ୍କୁ ପଠା ମୋ ସହ କଥା ହେବାକୁ। କହିଲା ନହନହ କରୁଥିବା ମେଞ୍ଚଡ ଚାଳକ। ଏତିକି ଶୁଣି ଅବଗୁଣ୍ଠନବତୀ ଯୁବତୀ ଆନନ୍ଦରେ ଗଦଗଦ ହୋଇ ଚାଳକ କାନ୍ଧରେ ସସ୍ନେହ ଖୁନ୍ଦା ମାରି କହିଲା- - ଓଃ ଡିୟର, ତୁମେ ଆଉ ତୁମ ଷ୍ଟାଇଲ୍। ମେ ମରଜାଓ୍ବାଁ।

ଚାଳକ ଆହୁରିି ଉତ୍ସାହିତ କହି କହିଲା - - ଏ ଓଲ୍ଡମ୍ଯାନ୍। ତୁ ଜାଣିଛୁ ମୁଁ କିଏ? ମୋ ବାପା କିଏ?

- - କାଇଁ ତୁ ଜାଣିନୁ ତୁ କିଏ, ଆଉ ତୋ ବୋପା କିଏ? ତୁ ତ ଆକାଶରୁ ଖସିଲା ପରି ଜଣା ପଡୁଛୁ। ଆଉ ସେ ଟୋକି ଖଣ୍ଡକ ଏତେ କୁଲୁକୁଲୁ ହେବାର କାରଣ କଣ? ସେ କିଏ?ତାକୁ ହରଣଚାଳ କରିଛୁ କିରେ?

   ଚାହୁଁଚାହୁଁ ସିପାହୀ ଓ ଚାଳକ ଭିତରେ ଘମାଘୋଟ ବାକ୍ ଯୁଦ୍ଧ ଆରମ୍ଭ ହୋଇଗଲା। ବେଳକୁ ବେଳ ପରିସ୍ଥିତି ଉଗ୍ର ହେଲା ଓ ବିସ୍କୁଟରାମ ଚାଳକ ମୁଣ୍ଡରେ ଠେଙ୍ଗିଣୀରେ ପାହାରେ ଦେଇ ପଚାରିଲା- - ଏବେ ତାରା ଦିଶିଲା ତ ? ୟା'ପ ତାରା ଦେଖିବ କହୁଛି।

 ଚାଳକ ରାଗରେ ଗରଗର ହୋଇ ମାବାଇଲ କାଢିଲା ବେଳକୁ ବିସ୍କୁଟରାମ ମୋବାଇଲ ଛଡେଇନେଲା। କିଏ ଖବର ଦେଲା କେଜାଣି ଗେନ୍ଥଲ ଛୁଆଳସିଂହ ଓ ପୁରନ୍ଦର ଘଟଣାସ୍ଥଳରେ ପହଞ୍ଚିଗଲେ। ଚୁମ୍ବକରେ ସବୁ ଘଟଣା ବୁଝି ଗେନ୍ଥଲ ଚାଳକକୁ ନିର୍ଘାତ ଚାପୁଡାଏ ମାରିଲେ। ପିଲାଟା ମାଟି କାମୁଡି ତଳେ ପଡିଗଲା। ଗେନ୍ଥଲଙ୍କୁ ଦେଖି ଯୁବତୀଟି ମୋଟର ସାଇକେଲ ପଛରେ ମୁହଁ ଲୁଚାଇ ରହିଲା। ଗାଡିଟିକୁ ତନ୍ନତନ୍ନ କରି ଯାଞ୍ଚ କଲା ପରେ ଚାଲାଣ କଟିଲା କୋଡିଏ ଲକ୍ଷର। ଗେନ୍ଥଲ ଜଣେ ସିପାହୀକୁ ଆଦେଶ ଦେଲେ ଗାଡି ନମ୍ବରରୁ ମାଲିକ କିଏ ପତ୍ତା ଲଗାଇ ତାକୁ ଏହିକ୍ଷଣି ଏ ଯାଗାକୁ ଡାକ। ଏ ଟୋକାକୁ ଦେଖିଲେ ଲାଗୁଛି ବୟସ ଷୋହଳ ସତର ହେବ। ତା ବୋପା ମାଆଙ୍କୁ ବି ଭଲରେ ଫାଇନ ଠୁଙ୍କିବା। ଏତେଦିନ ପରେ ଗୋଟେ ଚାଙ୍ଗା ଶିକାର ମିଳିଛି। ଭଲକି ରୁମ୍ପି ଦେଲେ ମୋ ଭବିଷ୍ଯତ ଉଜ୍ବଳ। ଆମ ଥାନାର କାମ ଦେଖି ସାହେବ ଖୁସିରେ କୁଲୁକୁଲୁ ହୋଇଯିବେ। ତେଣେ ପୁରନ୍ଦର ଗେନ୍ଥଲଙ୍କ କାନ ପାଖେ ଫିସ ଫିସ କରି କହି ଚାଲିଥାଏ- ଥାଲେ,ଏ ଝିଅକୁ ଦେଖିଲା ପଲି ଲାଗୁଥି। କଉଥେ ଦେଖିଥି ମନେ ପଲୁନି। ଥାଲେ- - - ଏ ଥାଲେ- - ଥୁଣୁଥନ୍ତି କି ନାହିଁ ମ।

– ଆରେ ପୁରିଆ,କାହିଁକି କାନ ପାଖରେ ଖନା ମାଛି ପରି ଥିଣିଥିଣି ହେଉଛୁ। ପାଟି ବନ୍ଦ କରି ବସ।

   ଅଚାନକ ସିପାହୀ ମହଲରେ ଛାଇଗଲା ଅସମ୍ଭବ ନୀରବତା। ସମସ୍ତେ ସାବଧାନ ମୁଦ୍ରାରେ ଛିଡା ହୋଇଗଲେ। ଗେନ୍ଥଲ ଚାରିଆଡକୁ ଚାହିଁ ଦେଖିଲା ବେଳକୁ ସ୍ବୟଂ ଏସପି ମହୋଦୟ ସପରିବାରେ ସେହି ସ୍ଥାନରେ ଉପସ୍ଥିତ। ନିଜର ଉପରିସ୍ଥ ଅଫିସର ଓ ତାଙ୍କ ଧର୍ମପତ୍ନୀଙ୍କୁ ଦେଖି ଗେନ୍ଥଲଙ୍କ ପେଟ ଭିତରେ ପ୍ରଜାପତି ଉଡିବା ପରି ମନେହେଲା। ସେ ଭାବିଲେ ବୋଧେ ଏତେ ଟଙ୍କାର ଚାଲାଣ କାଟିଛନ୍ତି ବୋଲି ନିଜେ ଏସପି ସାବାସି ଦେବାକୁ କ୍ଷେପି ଆସିଲେ। କିନ୍ତୁ ଘଟଣାର ମୋଡ ସେତିକି ବେଳେ ବୁଲିଗଲା, ଯେତେବେଳେ ନିଜେ ଏସପିି ଯାଇ ଚାଳକକୁ କୋଳେଇ ନେଲେ ଓ ଗର୍ଜନ କରି କହିଲେ- - କୋଉ ଘୁଷୁରିପିଲା ମୋତେ ଫୋନ କରି ଏ ଯାଗାକୁ ଡକେଇଲା। ତୁମକୁ ଆଉ କେହି ମିଳିଲେନି,ଶେଷକୁ ମୋ ପୁଅକୁ ଧରି ଏତିକି ଯାତ୍ରା କରିବାର ସାହାସ କରି ପାରିଲ। ତାଙ୍କ ଆଖିରେ ଲୁହ ଜକେଇ ଆସୁଥିଲା। 

   କଣ କରିବେ ବୁଦ୍ଧି ବାଟ ନପାଇ ଗେନ୍ଥଲ ନିଜର ସମସ୍ତ ସିପାହୀଙ୍କ ସହିତ ଲମ୍ବତମ୍ବ ହୋଇ ରାସ୍ତା ଉପରେ ଶୋଇଗଲେ। ସେ ନିଶ୍ଚିତ ଥିଲେ ଯେ ଆଜି ଥାନାବାଲାଙ୍କ କାନ୍ଧରୁ ଯେତିକି ତାରା ଖସିବ ଆକାଶରୁ ସେତିକି ଉଲକାପାତ ହେଉ ନଥିବ। କାଲି ସକାଳେ କାହାର ଚାକିରି ଥିବା କାହାର ନଥିବ ସେକଥା ଭାଗ୍ଯଦେବୀଙ୍କୁ ମଧ୍ଯ ଜଣାଥିବ କି ନା ସନ୍ଦେହ। ସେତିକି ବେଳେ ପୁରନ୍ଦର ପୁଣି ଗେନ୍ଥଲଙ୍କ ପାଖକୁ ଲାଗିଆସି ଫିସଫିସ କରି କହିଲା- - ହେଇତି ଥାଲେ,ଦେଖନ୍ତୁ- - ଆପନଙ୍କ ଝିଅକୁ କେମିତି ସାହେବଙ୍କ ସ୍ଥିଲି ଗେଲ କଲୁଥନ୍ତି।

   ଅବଗୁଣ୍ଠନବତୀ ଯୁବତୀର ମୁହଁ ଦେଖିବା ପରେ - - ହେ ଭଗବାନ, ଏ ପୋଡାମୁହିଁ ଶେଷକୁ ଏଇଆ କଲା କହି ଗେନ୍ଥଲ ରାସ୍ତା ଉପରେ ଚାରିିକାତ ମେଲେଇ ପଡିଗଲେ।

   ସେଦିନ ପ୍ରକୃତରେ କିଏ କାହାର କେଉଁ ଉପାୟରେ ଚାଲାଣ କାଟିଲା ସେ ବିଷୟ ଭାବିଲେ ମୋ ମୁଣ୍ଡ ଗୋଳମାଳ ହୋଇ ଯାଉଛି।


Rate this content
Log in

Similar oriya story from Comedy