Arabinda Rath

Comedy Inspirational

4.3  

Arabinda Rath

Comedy Inspirational

ସହରୀ ଝିଅର ମୋହଭଙ୍ଗ

ସହରୀ ଝିଅର ମୋହଭଙ୍ଗ

8 mins
306



               

   ମୋ ସାଙ୍ଗମାନେ ବାହାଘରକୁ ଆସି ପାରି ନଥିଲେ। ସେମାନଙ୍କ ସହ ତୁମର ଦେଖା ମଧ୍ଯ ହୋଇନି, ଏ ଅବସରରେ ସେମାନଙ୍କ ସହ ଦେଖା ବି ହୋଇଯିବ ଓ ଗୋଟେ ଭଲ ବନ୍ଧୁମିଳନ ବିି ହୋଇଯିବ। କାରଣ ପୁଣି କେବେ ଓଡିଶା ଆସିବା ହେବ ଜଣା ନାହିଁ। 

   ସାର୍ଥକର କଥା ଶୁଣି ଜିନା ଦୀର୍ଘନିଶ୍ବାସ ପକାଇ କହିଲା- - ଓଃ, ତାମାନେ ତୁମ ସାଙ୍ଗମାନେ ଏତେ ସ୍ପେଶାଲ ଯେ ଆମ ପ୍ଯାରିସ୍ ଟୁର କ୍ଯାନସେଲ୍ କରି ସେମାନଙ୍କ ପାଖକୁ ଯିବାକୁ ମନସ୍ଥ କଲ। ଓକେ, ମୋର ପ୍ରୋବ୍ଲେମ୍ ନାହିଁ। ମାତ୍ର ତୁମକୁ ମୋ ପାଇଁ ଗୋଟେ ଭଲ ଡାଏମଣ୍ଡ ଲକେଟ୍ କିଣିବାକୁ ହେବ। ତାକୁ ପିନ୍ଧି ମୁଁ ତୁମ ସୋ କଲଡ୍ ବନ୍ଧୁମିଳନକୁ ଯିବି। ସାର୍ଥକ ହସିହସି ସମ୍ମତି ଜଣାଇଲା।

   ସାର୍ଥକ ଓ ଜିନା ବିଦେଶରେ ରୁହନ୍ତି। ଏକ ବଡ ସଫ୍ଟଓ୍ବୟାର କମ୍ପାନୀର ମୁଖ୍ଯ ଭାବରେ ସାର୍ଥକ କାର୍ଯ୍ଯରତ ଓ ଅଚଳାଚଳ ସମ୍ପତ୍ତିର ମାଲିକ। ଇଞ୍ଜିନିୟରିଂ ସାରିବା ପରେ ନିଜର ଧିମତ୍ତା ଓ ଦକ୍ଷତା ବଳରେ ଖୁବ୍ କମ୍ ସମୟ ଭିତରେ ସେ ସଫଳତାର ଶିଖର ଛୁଇଁବାରେ ସଫଳ ହୋଇଥିଲା । ଅଫିସ ର କାର୍ଯ୍ଯବ୍ଯସ୍ତତା ଭିତରେ ବୁଡି ରହିବା ହେତୁ ସେ ସାଙ୍ଗସାଥୀ ମାନଙ୍କ ସହିତ ଯୋଗାଯୋଗ ରକ୍ଷା କରିପାରୁ ନଥିଲା। ସେହି ଗୋଟିଏ ସହରରେ ସ୍କୁଲ,କଲେଜ୍ ଓ ଇଞ୍ଜିନିୟରିଂ ପାଠ୍ଯକ୍ରମ ସମାପ୍ତ କରିଥିବାରୁ ସାଙ୍ଗସାଥୀଙ୍କ ସଂଖ୍ଯା ଢେର୍ ଅଧିକ ଥିଲା। ସେମାନଙ୍କ ଭିତରୁ କିଛି ସାଙ୍ଗ ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠିତ ଥିଲେ ଓ କିଛି ସାଙ୍ଗ ଜୀବନଯୁଦ୍ଧରେ ବିଫଳ ହୋଇ ସାଧାରଣ ଜୀବନ ବଞ୍ଚୁଥିଲେ। ଚାକିରି କରିବା ପରେ ସାର୍ଥକର ବିଭାଘର ହୋଇଗଲା ଓ ଖୁବ୍ କମ୍ ଦିନ ମଧ୍ଯରେ ତାକୁ ବିଦେଶ ଫେରିଯିବାକୁ ହେଲା । ତେଣୁ ବାହାଘର ବିଷୟରେ ସମସ୍ତଙ୍କୁ ଖବର ଦେବା ସମ୍ଭବପର ହେଲାନି। ସେଥିପାଇଁ କିଛି ଘନିଷ୍ଠବନ୍ଧୁ ଅଭିମାନ କରି ଅନେକଦିନ ପର୍ଯ୍ଯନ୍ତ କଥାବାର୍ତ୍ତା ବନ୍ଦ କରି ଦେଇଥିଲେ।

   ବେଶ୍ କିଛିବର୍ଷ ବିଦେଶରେ ରହିବାପରେ ଜିନାର ଚାଲିଚଳନ ଓ କଥାବାର୍ତ୍ତାରେ ଢେର ପରିବର୍ତ୍ତନ ଆସିଯାଇଥିଲା। କମ୍ପାନୀମୁଖ୍ଯଙ୍କ ଅର୍ଦ୍ଧାଙ୍ଗୀନି ବୋଲି ମନରେ ଗର୍ବର ପରିମାଣ ମଧ୍ଯ ବଢି ଯାଇଥିଲା। ବିଦେଶ ଯିବାପରେ ସେ ନିଜର ସାଙ୍ଗସାଥୀଙ୍କ ଅସ୍ତିତ୍ବ ବିଷୟରେ ଅଜ୍ଞ ଥିଲା ଓ ସେମାନଙ୍କ ସହିତ କୌଣସି ସମ୍ପର୍କ ରଖିବାକୁ ଚାହୁଁ ନଥିଲା। କିନ୍ତୁ ସାର୍ଥକର ଗୁଣ ଠିକ୍ ଓଲଟା ଥିଲା ଓ ତାହା ଜିନା କୁ ବେଶି ବାଧୁଥିଲା। କଥାକଥାରେ ହାଇ ସୋସାଇଟିର ଡିଣ୍ଡିମ ପିଟୁଥିବା ଜିନା ପାଇଁ ସାର୍ଥକର ସାଧାସିଧା ଜୀବନଶୈଳୀ ଅସହ୍ଯ ଥିଲା। ଏହି କାରଣରୁ ବିଦେଶରେ ଥିବା ଭାରତୀୟଙ୍କ ତୁଳନାରେ ସେ ବିଦେଶୀ ଲୋକଙ୍କୁ ବେଶି ପ୍ରାଧାନ୍ଯ ଦେଉଥିଲା।

   ସେଦିନ ଜିନା ନିଜକୁ ଏକ ଅତ୍ଯାଧୁନିକା ବିଦେଶିନୀ ଭାବରେ ସଜାଇ ବନ୍ଧୁମିଳନକୁ ବାହାରିଲା। ସ୍ବଳ୍ପ କପଡା ସାଙ୍ଗକୁ ହୀରା ଓ ସୁନାର ଅଳଙ୍କାର ନିହାତି ବେଖାପ ଲାଗୁଥିଲେ ବି ସାର୍ଥକ ନୀରବ ରହିବାକୁ ଶ୍ରେୟସ୍କର ମନେ କଲା। ନଚେତ୍ ବନ୍ଧୁମିଳନକୁ ଯିବା ଦୂରେ ଥାଉ,ଘମାଘୋଟ ଯୁଦ୍ଧରେ ଦିନଟା ବିତିଯିବ। ଜିନ୍ସ ଓ ଟି ସାର୍ଟ ପିନ୍ଧି ସାର୍ଥକ ବାହାରିବା ବେଳକୁ ଜିନା ତାକୁ ଆଶ୍ଚର୍ଯ୍ଯ ହୋଇ କହିଲା-- ବୁଝିଲ ସାର୍ଥକ,ତୁମେ ଏତେ ବଡ କମ୍ପାନୀର ଡାଇରେକ୍ଟର ହେଲାପରେ ବି ନିଜ ମଫସଲିଆ ଗୁଣ ଛାଡୁନ। ତୁମ ପାଇଁ ସବୁ ଯାଗାରେ ମୋତେ ହିଁ ଅପଦସ୍ଥ ହେବାକୁ ପଡୁଛି। 

   ପୁରୀ ନିକଟସ୍ଥ ଏକ ସମୁଦ୍ର କୂଳିଆ ସ୍ଥାନରେ ବନ୍ଧୁମିଳନ କାର୍ଯ୍ଯକ୍ରମର ଆୟୋଜନ କରାଯାଇଥିଲା। ସେଠାରେ ପହଞ୍ଚିବା ବେଳକୁ ପ୍ରାୟ ସମସ୍ତେ ଆସି ସାରିଥିଲେ। ଘଞ୍ଚ ଝାଉଁବଣ ଭିତରେ ଟେଣ୍ଟ ଭିଡାଯାଇଥିଲା ଓ ସୁମଧୂର ସଙ୍ଗୀତର ମୂର୍ଚ୍ଛନା ଭାସି ଆସୁଥିଲା। ସମୁଦ୍ରର ନୀଳାଭ ଫେନିଳ ଜଳରାଶି ଓ ବିସ୍ତୀର୍ଣ୍ଣ ବାଲୁକା ବେଳାଭୂମିର ଦର୍ଶନମାତ୍ରେ ହିଁ ସାର୍ଥକ ମନରୁ ସମସ୍ତ ବିରକ୍ତି,ଅବସାଦ ଓ ବ୍ଯଥା ନିମିଷକରେ ନିଶ୍ଚିହ୍ନ ହୋଇଗଲା। ସମୁଦ୍ରକୂଳିଆ ପବନ ଚିରାଚରିତ ଦୁଷ୍ଟାମୀ ରେ ବ୍ଯସ୍ତ ଥିଲା। ଜିନାର ଆଣ୍ଠୁ ଲୁଚୁ ନଥିବା ସ୍ବଳ୍ପବସ୍ତ୍ରକୁ ଉର୍ଦ୍ଧ୍ବଗାମୀ କରିବା ପ୍ରଚେଷ୍ଟାରେ ପବନ ଲାଗି ଯାଇଥିଲା। କୌଣସି ମତେ ଜାକି ଜୁକି ହୋଇ ଜିନା ସାର୍ଥକ ପଛରେ ଟେଣ୍ଟ ଆଡକୁ ଅଗ୍ରସର ହେଲା। 

   ଅତି ଭଦ୍ରତା ସହକାରେ ସାର୍ଥକ ଓ ଜିନା ଟେଣ୍ଟ ଭିତରେ ପ୍ରବେଶ କରିବା କ୍ଷଣି ସାଙ୍ଗମାନେ କରତାଳି ଦେଇ ସେମାନଙ୍କର ସ୍ବାଗତ କଲେ ଓ ଜିନାକୁ ଭାଉଜ ସମ୍ବୋଧନପୂର୍ବକ ଭକ୍ତିପୂତ ପ୍ରଣାମ ମଧ୍ଯ କଲେ। ବନ୍ଧୁପତ୍ନୀ ମାନେ ଜିନାର କିମ୍ଭୁତକିମ୍ଭାକାର ବେଶଭୂଷା ଦେଖି ଆଚମ୍ବିତ ହେଲେ;କିନ୍ତୁ ମନର ଭାବକୁ ଚାପି ରଖି ଜିନା ସହ କରମର୍ଦ୍ଦନ କରି ବସିବାକୁ ଆମନ୍ତ୍ରଣ କଲେ। ବେଶ୍ କିଛି ସମୟ ଧରି ଅତ୍ଯନ୍ତ ଭଦ୍ର ପରିବେଶର ଧୂଆଁରେ ଟେଣ୍ଟ ଭିତର ପୂର୍ଣ୍ଣ ହୋଇଗଲା। ହାଲୁକା ଜଳପାନ କରିବା ପରେ ନାରୀ ମହଲର ବିଶେଷ ଗପସପର ଆସର ଜମିବାକୁ ଲାଗିଲା। ସେ ସ୍ଥାନରେ ପ୍ରବେଶ କରିବା ସମୟରୁ ହିଁ ଜିନା ଉପସ୍ଥିତ ଅତିଥି ମାନଙ୍କର ବେଶ ପୋଷାକ ଆଧାରରେ ଏକ ଷ୍ଟାଟସ୍ ରିପୋର୍ଟ ତିଆରି କରି ସାରିଥିଲା। ସେ ନିଶ୍ଚିତ ଥିଲା ଯେ ନାରୀମହଲରେ ସେ ହିଁ ଥିଲା ସୁନ୍ଦରୀ,ଧନୀ ଓ ଅତି ସମ୍ଭ୍ରାନ୍ତ କିସମର ମହିଳା। ଚିରାଚରିତ ଶୈଳୀରେ ସେ ଆରମ୍ଭ କରି ସାରିଥିଲା ତାଙ୍କ ପ୍ରତିପତ୍ତିର ଅସରନ୍ତି କାହାଣୀ। ଉପସ୍ଥିତ ମହିଳା ମାନେ ପାଟି ଆଁ କରି ଆକଣ୍ଠ ପାନ କରି ଚାଲିଥିଲେ ଜିନାର ଆକାଶଛୁଆଁ ଫୁଟାଣିଆ ଗଳ୍ପ ସବୁକୁ। ସାର୍ଥକ ମଧ୍ଯ ସାଙ୍ଗ ମାନଙ୍କ ସହିତ କିଛି କ୍ଷଣ ଓୌପଚାରିକ କଥାବାର୍ତ୍ତା କରି ସମୁଦ୍ରକୂଳକୁ ବୁଲି ଯିବାକୁ ନିମନ୍ତ୍ରଣ ଦେଲା। 

   ଯିବା ସମୟରେ ସେ ଜିନା କୁ ପଚାରିଲା- - ଜିନା ତୁମ ଯଦି ଏ ସ୍ଥାନରେ କମ୍ଫୋର୍ଟେବଲ୍ ଅନୁଭବ କରୁନ, ଆମ ସାଙ୍ଗରେ ସମୁଦ୍ରକୂଳକୁ ବୁଲି ଆସିପାର।

   ଜିନା ମୁହଁ ଛିଞ୍ଚାଡି କହିଲା- - ଇ ଇ ଇ , ନୋ ଓ୍ବେ, ଏଠି ମୋଟେ ୟେତେ ଭ୍ବଲ ଫ୍ରାଏଣ୍ଡସ୍ ମିଳ୍ବିଗଲେ , ମୁଁ ଖାହିଁଖି ଥୁମ ସାଙ୍ଗଡେ ସି ବିଚ୍ ରେ ଭୁଲିବି। ଆଇ ଆମ୍ ଫୁଲି କମ୍ଫୋର୍ଟେବଲ୍ ହିଅର୍। ୟୁ ମେ ଗୋ ଏଣ୍ଡ ଏନଜୟ। ଥୁମ ଫ୍ରେଣ୍ଡ ମାନଙ୍କ ଓ୍ବାଇଫ୍ ମାନଙ୍କୁ ଖେତେ ଷ୍ଟୋରୀ ଶୁଣାଇଭା ଭାକି ଆଛି। ସେମାନେ ତ ଖେବେ ଫରେନ୍ ଝାଇ ପାରିଓ୍ବେନି , ଆଟ୍ ଲିଷ୍ଟ ଫରେନ୍ ବିଷୟରେ କିଛି ଝାଣି ଖୁସି ହୁଅନ୍ଥୁ। ୟୁ ପ୍ଲିଜ୍ ଗୋ।

   ସାର୍ଥକର କାନରେ ଜଣେ ସାଙ୍ଗ ଫିସଫିସ କରି କହିଲା- - ଆରେ ଶଳା " ସାପ " , ତୋ ମାଇପ ପାଟିରେ ସାପ ପଶିଛି ନା ସେ ଆଜନ୍ମ ଖନି । ଏମିତି ଫୁଃ ଫାଃ କଥା କଣ ହଉଛି କିରେ? 

   ଜିନା କାନରେ ସାପ ଶବ୍ଦଟି ଖୁବ୍ ଜୋରରେ ପ୍ରତିଧ୍ବନିତ ହେଲା। ସେ ଚମକି ପଡି କହିଲା- - ଓଃ ମାଇଁ ଗଡ୍ । ସାପ ?? କେହୁଁଠି ଆଛି ସ୍ନେକ୍। ସୋ ହରିବଲ୍ଲ୍ - ଓଃ ଡିୟର୍ ସାର୍ଥୁ, ଥୁମେ ମୋତେ ଆଗରୁ କହିବାର ଥିଲା ଯେ ଏମିତି ଡେନଜରସ୍ ଜାଗାକୁ ନେଇ ଆସୁଛ ବୋଲି। ୟୁ ନୋ ନା, ମୋର " ଓଫିଡିଓଫୋବିଆ” ଅଛି ଆଇ ମିନ ଟୁ ସେ-ସ୍ନେକ୍ ପାଇଁ ଫୋବିଆ।

   - - ହାଃ ହାଃ ହାଃ ଆରେ ଭାଉଜ, ମାଇଣ୍ଡ କଲକି? ତୁମ ପତିଦେବଙ୍କ ପୁରା ନାମଟି ସାର୍ଥକ ପଣ୍ଡା, ତେଣୁ ଆମେ ସ୍ନେହରେ ତାକୁ "ସାପ" ବୋଲି ଡାକୁ।

   - - ହିଁଃ ହିଁଃ ୟୁ ନଟି ବୟେଜ୍। ମୁଁ ଥ ଫୁରା ଡରି ଝାଇଥିଲି। ଓକେ ଓକେ ଆମ ଲେଡିଝ୍ ମାନଙ୍କୁ ଛାଡି ଥୁମେ ମାନେ ଝାଇ ଏନଜୟ କର। ଫୁଲେଇ ହୋଇ କହିଲା ଜିନା।

   ୟା'ପ ସାପର ମାଇପଟା କି ଭାଷାରେ କଥା ହେଉଛି ବେ। ତା ଜିଭ ଅଛି ନା କଟି ଯାଇଛି, ପାଟି ମେଲେଇ ଦେଖିଲ ଟିକେ। 

   ସାର୍ଥକ ଜିନା ସପକ୍ଷରେ କହିଲା- - ଆରେ ସେମିତି କୁହନି, ସେ ଫରେନ୍ ବେଶୀ ଦିନ ରହି ଯାଇଛି ତ, ତେଣୁ ତା କଥା ସବୁ ସେମିତି ହୋଇ ଯାଇଛି।

- - ତୁ ଶଳାଟା କଣ ଗାଁଆରେ ରହୁଛୁ କି? କାଇଁ ତୋ କଥା ତ ସେମିତି ଶୁଭୁନି। ଆମକୁ ଲାଗୁଛି ତୁ ଟା ପରମ ମାଇପବୋଲିଆ ହୋଇ ଯାଇଛୁ। ହଉ ଚାଲ୍ ବିଚ୍ କୁ ଖେଳ ଟା ସେଇଠି ଜମିବ।

   ସମୁଦ୍ରକୂଳରେ ପହଞ୍ଚିବା କ୍ଷଣି ସାର୍ଥକ ଓ ସାଙ୍ଗ ମାନେ ସତେକି କଲେଜ୍ ଦିନକୁ ଫେରିଗଲେ। ଚାକିରି,ପ୍ରତିଷ୍ଠା,ଧନସମ୍ପତ୍ତି ଓ ପ୍ରତିପତ୍ତିର ପାଚେରୀ ସବୁ, ଗୋଟିକ ପରେ ଗୋଟିଏ ନିଶ୍ଚିହ୍ନ ହୋଇ ଚାଲିଥିଲା ବେଳାଭୂମିର ବିସ୍ତୀର୍ଣ୍ଣ ବାଲୁକାରାଶି ଉପରେ। ସବୁ ସାଙ୍ଗ ମିଶି ସାର୍ଥକକୁ ସମୁଦ୍ରକୁ ଟେକିନେଲେ ଓ ଦଶ ପନ୍ଦରଥର ବୁଡାଇ ଦେଲେ।

- - ଆମକୁ ବାହାଘରକୁ ନ ଡାକିବାର ଦଣ୍ଡ ତୋତେ କେମିତି ଦେବୁ ବୋଲି ଭାବୁଥିଲୁ। ଯାହାହେଉ ଭଲ ସୁଯୋଗ ମିଳିଗଲା।

   ଓଦା ସରସର ହୋଇ ସାର୍ଥକ କୂଳକୁ ଆସିବାପରେ ସାଙ୍ଗ ମାନଙ୍କର ପ୍ଯାଣ୍ଟ ସାର୍ଟ ଟାଣି ଖୋଲିବାରେ ଲାଗିଲା ଓ ସେମାନଙ୍କୁ ସମୁଦ୍ର ଭିତରକୁ ଧକ୍କା ମାରିଚାଲିଲା। କିଛି କ୍ଷଣ ଭିତରେ ସବୁ ସାଙ୍ଗ ଖାଲି ଅଣ୍ଡରଓ୍ବୟାର ପିନ୍ଧି ସମୁଦ୍ର ଭିତରେ ଡିଆଁ ମାରିବାରେ ଲାଗିଲେ। ବିକଟାଳ ଚିତ୍କାର ଓ ନାନା ଶବ୍ଦରେ ଅଞ୍ଚଳଟି ପ୍ରକମ୍ପିତ ହେବାକୁ ଲାଗିଲା। ସାଙ୍ଗମାନେ ପରସ୍ପରକୁ ମନଇଚ୍ଛା ଗାଳିଦେଇ ସମୁଦ୍ର ଭିତରେ ଉଦ୍ଦଣ୍ଡ ନୃତ୍ଯ କରିବାରେ ମସଗୁଲ ହୋଇଗଲେ। ଜଣେ ସାଙ୍ଗ ଝାଉଁବଣରେ ଲୁଚାଇ ରଖିଥିବା ମଦ ବୋତଲର ପେଟି ମୁଣ୍ଡାଇ ଅଣ୍ଟା ହଲେଇ ହଲେଇ ଆସି କହିଲା - - ଆୟେ, ମଦ ନବ ମଦ। ଏକଦମ୍ ମୁଣ୍ଡଜାମ୍ ମାଲ୍ , ଢୋକେ ମାରିଦେଲେ ସ୍ବର୍ଗରେ ଉଡିବ। ଆରେ ହେଃ ସାପ, ତୁ ଏତେ ଦିନ ଧରି ବିଦେଶୀ ମାଲ୍ ରେ ପହଁରିଥିବୁ, ଥରେ ଦେଶି ମାଲ୍ ମାରିଦେଖ୍। 

ମାଛି ପରି ସମସ୍ତେ ତା ଚାରି ପଟରେ ଘେରି ଗଲେ ଓ ଆକଣ୍ଠ ପିଇ ଚାଲିଲେ। ଜଣେ ସାଙ୍ଗ ମୋବାଇଲରେ ଦ୍ବିଅର୍ଥବୋଧକ ଗୀତ ବଜାଇ ସମସ୍ତଙ୍କୁ ନାଚିବା ପାଇଁ ନିମନ୍ତ୍ରଣ ଦେଲା। ସାର୍ଥକ ଓ ତା ସାଙ୍ଗ ମାନେ ଚିତ୍କାର କରି ନାଚିବାରେ ଲାଗିଲେ। କିଛି ସାଙ୍ଗ ବାଲିରେ ବଡ ଗାତ ମାନ ଖୋଳିଦେଲେ - - ସାର୍ଥକ ଓ ଅନ୍ଯ କିଛି ସାଙ୍ଗଙ୍କୁ ମୁଣ୍ଡ ପର୍ଯ୍ଯନ୍ତ ପୋତିଦେଇ ସେମାନଙ୍କ ଚାରିପଟରେ ଝୁଲି ଝୁଲି ନାଚିବାରେ ଲାଗିଲେ। ସାଙ୍ଗମାନଙ୍କ ଉପସ୍ଥିତି, ମଦ ନିଶାର ଉନ୍ନାଦନା ଓ ସମୁଦ୍ରକୂଳର ସ୍ବର୍ଗୀୟ ପରିବେଶ, ସାାର୍ଥକକୁ ଏକ ଭିନ୍ନ ଦୁନିଆରେ ପହଞ୍ଚାଇ ଦେଇଥିଲା। ଏମିତି ଏକ ସମୟ ତା ଜୀବନରେ ବହୁତ ବର୍ଷପରେ ଆସିଥିଲା। ସେ ସମୟର ପ୍ରତ୍ଯକଟି କ୍ଷଣକୁ ସାର୍ଥକ ମନଭରି ଉପଭୋଗ କରିବାକୁ ଚାହୁଁଥିଲା ଓ କରୁଥିଲା ମଧ୍ଯ। ଏମିତି କେତେ ଘଣ୍ଟା ବିତିଗଲା ଜଣା ପଡିଲାନି। ବିଳମ୍ବ ହେବାରୁ ଜିନା ଓ ବନ୍ଧୁପତ୍ନୀମାନେ ସମୁଦ୍ରକୂଳକୁ ଆସି ଯାହା ଦେଖିଲେ ସେମାନଙ୍କ ଆଖିକୁ ବିଶ୍ବାସ ହେଲାନି। 

   ସେତେ ବେଳକୁ ସାର୍ଥକ ତଳେ ମୁହଁ ତଳକୁ କରି ଶୋଇ ରହିଥିଲା ଓ ତା ଉପରେ ବେକ ପର୍ଯ୍ଯନ୍ତ ବାଲି ଢଙ୍କାଯାଇ ଏକ ସାପ ଆକୃତିର ମୂର୍ତ୍ତି ତିଆରି ସରିଥିଲା। ଅନ୍ଯ କିଛି ସାଙ୍ଗ ବାଲି ତଳେ ପୋତି ହୋଇ କୁମ୍ଭୀର,କଇଁଛ ଆଦି ବେଶରେ ସଜେଇ ହୋଇଥିଲେ। ଜଣେ ସାଙ୍ଗକୁ ବାଲିରେ ମୁଣ୍ଡ ପର୍ଯ୍ଯନ୍ତ ପୋତି ତା ପଛରେ ଏକ ଝାଉଁଡାଳ ଖଞ୍ଜି ମୟୁର କରାଯାଇଥିଲା ଓ କିଛି ସାଙ୍ଗ ଅଣ୍ଡରଓ୍ବୟାର ପିନ୍ଧି ଅଣ୍ଟା ହଲେଇ ନାଚିବାରେ ବ୍ଯସ୍ତଥିଲେ। ସେମାନଙ୍କ ସମ୍ମୁଖରେ ଜଣେ ସାଙ୍ଗ, ହାତରେ ଏକ ବାଡି ଧରି ଛିଡାହୋଇ ରଥରେ ଡାହୁକ ଡାକିବାପରି , ନାନା ଅଶ୍ରାବ୍ଯ ଭାଷାରେ ଗାଳିଦେଇ ଡାକି ଚାଲିଥାଏ....ହୋ ଭକତେ.......

   ଜିନା ଓ ବନ୍ଧୁପତ୍ନୀ ମାନଙ୍କ ଡାକରେ କେହି ହଲଚଲ୍ ହେବାର ଦୃଶ୍ଯ ହେଲାନି। ସାର୍ଥକ ଉପରେ ଭୀଷଣ ରାଗିଯାଇ ଜିନା କହିଲା- - ସାର୍ଥକ ତୁମେ ସତରେ ଗୋଟେ ଜଙ୍ଗଲୀ ପଶୁ। ତୁମେ ଏତେ ଚିପ୍ ହୋଇପାର ବୋଲି ମୁଁ ବିଶ୍ବାସ କରି ପାରୁନି। ତୁମକୁ କିଏ ଦେଖିଲେ କହିବ ଯେ ତୁମେ ଫରେନ୍ ରେ ଏତେ ବଡ କମ୍ପାନୀ ର........

   - - ଆବେ ଚୁପ୍, ବେଶି ବକବକ କରନି। ପୁଣି ସେଇ ପୁରୁଣା ରେକର୍ଡ ବଜେଇବୁ ତ ନଙ୍ଘା ମାଡ ବଜେଇବି, ବୋପାକୁ ମଉସା ମାଆକୁ ଆଣ୍ଟି ଡାକି ଦୌଡିବୁ। ମଦନିଶାରେ ଚୁର୍ ଥାଇ କହିଲା ସାର୍ଥକ।

   ଆରେ ହେ ଦେଖବେ- - ସାପ ମାଇପର ଜିଭ କଅଁଳିଲା, ଦେଖୁନ କେମିତି ଖାଣ୍ଟି ଓଡିଆଣି ପରି କଥା ହେଉଛି।

 ଜିନା କୁ ବୁଝାଇବାକୁ ଜଣେ ବନ୍ଧୁପତ୍ନୀ କହିଲେ- - ତୁମେ ଜମାରୁ ମନଦୁଃଖ କରନି ଭଉଣୀ। ଏମାନଙ୍କୁ ପାରି ହେବନି। 

        କିଏ ଜଣେ ଦୀର୍ଘନିଶ୍ବାସ ଛାଡି କହିଲା " ସବୁ ପୁଅ ଏମିତି ନା "?

   କିଏ କହିଲା ବୋଲି ଜିନା ପଛକୁ ବୁଲି ଚାହିଁଲା। ଜଣେ ନାଲି ପାଟଶାଢୀ ପିନ୍ଧା ଗୌରବର୍ଣ୍ଣା ସୁନ୍ଦରୀ ନାରୀ ସେତେବେଳକୁ ହସିବାରେ ଲାଗିଥିଲେ। ତାଙ୍କ ସୀମନ୍ତରେ ଥିଲା ସିନ୍ଦୁର ଓ ବେକରେ ଝୁଲୁଥିଲା ମଙ୍ଗଳସୂତ୍ର। ବେକରେ ପଡିଥିଲା ପତଳା ସୁନାଚେନ୍। କାହିଁକି କେଜାଣି, ତାଙ୍କୁ ଦେଖି ଜିନାର ମନ ଦବିଯିବା ପରି ଲାଗିଲା। ସେ ବେଶ୍ ସରଳ ବେଶଭୂଷାରେ ଥିଲେ ମଧ୍ଯ ତାଙ୍କ ନାରୀତ୍ବର ତେଜ ଚତୁର୍ଦ୍ଦିଗରେ ବିଚ୍ଛୁରିତ ହେବାରେ ଲାଗିଥିଲା।

   ଦୋ ଦୋ ପାଞ୍ଚ ହୋଇ ଜିନା ପଚାରିଲା- ହାପଣ ଖିଏ.....କ୍ଷମା ଖଡିବେ ମ୍ଭୁ ଝାଣି ଫାଡିଲିନି।

   ନାରୀ ଜଣକ ହସିହସି କହିଲେ - - ଓଃ ସରି, ନିଜ ପରିଚୟ ଦେବାକୁ ମୁଁ ଭୁଲି ଯାଇଥିଲି। ମୁଁ ଏଇ ସାଙ୍ଗେସାଙ୍ଗେ ପହଞ୍ଚିଲି। ଇଏ ତ ସକାଳୁ ଆସି ଆରେଞ୍ଜ ମେଣ୍ଟରେ ଲାଗିଛନ୍ତି। ଯାହାହେଲେ, ତାଙ୍କ କଲେଜ ବେଳର ସାଙ୍ଗମାନଙ୍କ ସହ ଗମାତ କରିବାଟା ତାଙ୍କ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାମ ନା ! ନାରୀ ଜଣକ ରଥର ଡାହୁକ ଭୂମିକା ନିର୍ବାହ କରୁଥିବା ଯୁବକଙ୍କ ଆଡକୁ ଇସାରା କରି କହିଲେ- - ହେଇ ଦେଖ ତାଙ୍କୁ, ସେ ମୋ ସ୍ବାମୀ। ଆମ ସାଙ୍ଗେ ପଛେ କଥା ହେଲାବେଳେ ମୁହଁରୁ ହସ ବାହାରୁ ନ ଥିବ,କିନ୍ତୁ ସାଙ୍ଗସାଥୀ ମିଳିଗଲେ ମୁଣ୍ଡରେ କେତେ ସଇତାନି ବୁଦ୍ଧି ପଶି ଉତ୍ପାତ ଆରମ୍ଭ ହେବ ତାର ହିସାବ ନାହିଁ।

   ସେ ନାରୀ ଜଣଙ୍କର ଶାନ୍ତ ସରଳ ହସହସ ମୁହଁ ଓ କଥାବାର୍ତ୍ତା ଜିନାର ବଡପଣିଆ କୁ କୁଠାରଘାତ କରି ଚାଲିଥିଲା। ସେ କାଳବିଳମ୍ବ ନ କରି ନିଜର ବହୁ ପରିକ୍ଷିତ ଅସ୍ତ୍ର ପ୍ରୟୋଗ କଲା- - ମୋଠେ ହେସଭୁ ଝମା ଭ୍ବଲ ଲାଘେନି। ସୋ ଚିପ୍ ନା । ମୋ ହବିଙ୍କୁ ଦେଖିଲେ ହାପଣ ଭାବି ଫାରୁଛନ୍ତି, ଝେ ସେ ହେତେଭଡ ଖମ୍ଫାନୀର ମାଲିଖ ଭୋଲି? 

   ଓଃ ସାର୍ଥକଙ୍କ କଥା କହୁଛ ତ, ଆରେ ମୋ ସ୍ବାମୀ ଓ ସେ ପରା ଘନିଷ୍ଠ ବନ୍ଧୁ। ପିଲାବେଳରୁ ସେମାନେ ସାଙ୍ଗ। ନାରୀ ଜଣକ ସେ ଅସ୍ତ୍ରାଘାତକୁ ପଦଦଳିତ କରିବା ଦେଖି ଜିନା ଚିନ୍ତିତ ହୋଇ ପଡିଲା। ପୁଣି ସେ ଆଉ ଏକ ଅସ୍ତ୍ର ନିକ୍ଷେପ କଲା।- - ହାକଚୁଆଲି ମୋ ହବି, ତାଙ୍କ ସାଙ୍ଗମାନେ ଝେତେ ଘରିବ ହେଲେ ବି ମାଇଣ୍ଡ କରନ୍ତିନି। ସେମାନଙ୍କ ଛାଙ୍ଗରେ ଭଲରେ ମିଶନ୍ତି। 

   ଏଥର ନାରୀ ଜଣଙ୍କର ତୋଫା ଗୋରା ମୁହଁ ଟା ରକ୍ତିମ ଦିଶିଲା। ଜିନା ମନେମନେ କୁରୁଳି ଉଠିଲା, ମାଡ ଟା ଠିକ୍ ଜାଗାରେ ବାଜିଛି। ନଇଁ ପଡିଥିବ ଯେତିକିବେଳେ ବିଧାଏ ମାରିବ ସେତିକି ବେଳେ, ନ୍ଯାୟରେ ସେ ପୁଣି ଛିଗୁଲାଇ ପଚାରିଲା- - ହାପଣଙ୍କର ହବି ଖନ୍ ଖରନ୍ତି? ଧୋଖାନ୍ ଫୋକାନ୍ ଧେଇଛନ୍ତି ନା ଖଲ୍ଟିଭେସନ୍।

   ଏଥର ନାରୀଜଣକ ଭୀଷଣ ଭାବରେ ଆଘାତପ୍ରାପ୍ତ ହେଲେ ଓ ରୁକ୍ଷଗଳାରେ କହିଲେ- ଦେଖ ଭଉଣୀ, କାହାର ଜୀବିକାନିର୍ବାହ ଉପରେ ଟୀପ୍ପଣୀ କରିବାର ଅଧିକାର ତୁମକୁ କିଏ ଦେଲା? କିଏ କଣ କରି ପେଟ ପୋଷୁଛି, ତାହା ସେମାନଙ୍କର ବ୍ଯକ୍ତିଗତ ବ୍ଯାପାର। ତୁମେ ଭଲରେ ଅଛ ବୋଲି, କାହିଁକି ଭାବୁଛ ସାରା ଦୁନିଆର ଲୋକେ ଦୁଃଖରେ ଓ ତୁମ ତଳେ ଅଛନ୍ତି ବୋଲି। ମୁଁ କହିବାକୁ ଚାହୁଁ ନଥିଲି କିନ୍ତୁ ତୁମେ ମୋତେ ବାଧ୍ଯ କରିଦେଲ। ଏବେ ଶୁଣ ମୋ ସ୍ବାମୀ କଣ କରନ୍ତି- - ମୋ ସ୍ବାମୀଙ୍କର ଏ ସହରରେ ଦଶଟା ଫ୍ଯାକ୍ଟ୍ରି ଅଛି, ସହରର ସବୁଠାରୁ ବଡ ବାର ଟା ସପିଙ୍ଗମଲ୍ ଓ ଛଅ ଟା ସିନେମାହଲ୍ ମୋ ସ୍ବାମୀଙ୍କର। ଏହାବାଦ୍ ଆମେରିକାରେ ଦୁଇଟା ବଡ କମ୍ପାନୀ ଅଛି ଓ ସେଥିରେ କେବଳ ଆମ ଓଡିଆ କର୍ମଚାରୀ ମାନେ କାମ କରୁଛନ୍ତି। ମୁଁ ନିଜେ ଏମ ବି ଏ କରିଛି ଓ ସେ ଆମେରିକାନ୍ କମ୍ପାନୀର ସିଇଓ ଅଛି। ଯଦି ମୋ ସ୍ବାମୀଙ୍କ ବିଷୟରେ କିଛି ଅଧିକା ଜାଣିବାକୁ ଚାହିଁବ ବାହାରେ ତାଙ୍କର ପାଞ୍ଚଜଣ ପର୍ସନାଲ୍ ଆସିଷ୍ଟାଣ୍ଟ ବସିଛନ୍ତି, ସେମାନେ ଡିଟେଲ୍ ଡାଟା ଦେଇଦେବେ।

   ନାରୀ ଜଣଙ୍କର ସେତିକି କଥା ଶୁଣିସାରି ହଜମ କରିବା ଜିନା ପକ୍ଷରେ ଅସମ୍ଭବ ଥିଲା। ତା ହାତଗୋଡ ଥରିଗଲା ଓ ତଣ୍ଟି ଶୁଖିଗଲା। ସେ ବାଲି ଉପରେ ଲଥ୍ ହୋଇ ବସିପଡିଲା। ନାରୀ ଜଣକ ତା କାନ୍ଧରେ ହାତ ଥାପୁଡାଇ କହିଲେ-- ମୁଁ ତୁମକୁ ଆଘାତ ଦେଇଥିଲେ ମୋତେ କ୍ଷମା କରିଦେବ। ଯେତେ ଯାହାହେଲେ ବି ଆମେ ଓଡିଆଘରର ଝିଅବୋହୁ, ନିଜ ମର୍ଯ୍ଯଦାକୁ ଆମେ ଜଗିବାନି ତ କିଏ ଜଗିବ? ଏ ଧନସମ୍ପତ୍ତି, ପ୍ରତିଷ୍ଠା, ପ୍ରତିପତ୍ତି ସବୁକିଛି କ୍ଷଣସ୍ଥାୟୀ, ଭଙ୍ଗୁର। ଆଜି ଅଛି କାଲି କୁ ନାହିଁ। କିନ୍ତୁ ଦେଖ ସେମାନଙ୍କୁ, କେତେ ଖୁସି ରେ ସେମାନେ ଡେଉଁଛନ୍ତି। ତାଙ୍କ ବନ୍ଧୁତ୍ବ ହିଁ ସେମାନଙ୍କର ସବୁଠାରୁ ବଡ ସମ୍ପତ୍ତି,ସେଥିରେ ଧନୀଗରିବ, ଉଚ୍ଚନୀଚ୍ଚର ଭେଦଭାବ ନାହିଁ। ଏବେ ଚାଲ ଖାଣ୍ଟି ଓଡିଆଣି ପରି ସମୁଦ୍ରକୁ ଯାଇ ଉତ୍ପାତ ହେବା, ମଜା କରିବା। ତୁମ ଜିଭକୁ ଟିକେ ବିଶ୍ରାମ ଦିଅ, ଏତେ କଷ୍ଟ ଶବ୍ଦର ଉଚ୍ଚାରଣ କରିକରି ବିଚରା ଥକି ଯିବଣି।

   ନାରୀ ଜଣଙ୍କର ସେଇ କେତେପଦ କଥା ଜିନା କୁ ପ୍ରକୃତିସ୍ଥ କରିଦେବାପାଇଁ ଯଥେଷ୍ଟ ଥିଲା। ସେ ଧିର ଗଳାରେ କହିଲା- - ହଁ ଭଉଣୀ ଚାଲ ଯିବା, ଆଜି ସମୁଦ୍ରରେ ଭରପୁର ମସ୍ତି କରିବା। ସେମାନେ ବି ଦେଖିବେ ଯେ ଆମର ମସ୍ତି ତାଙ୍କ ଅପେକ୍ଷା କୌଣସି ଗୁଣରେ କମ୍ ନୁହଁ। ମୋର ବି କଲେଜ୍ ଦିନର ସେ ମଧୁର ସ୍ମୃତି ସବୁ ମନେ ପଡିଯାଉଛି। ଜିନା, ସେ ନାରୀ ଓ ଅନ୍ଯ ବନ୍ଧୁପତ୍ନୀ ମାନେ ହାତ ଧରାଧରି ହୋଇ ସମୁଦ୍ରରେ ପଶି ଖେଳିବାକୁ ଲାଗିଲେ।

   ସମୁଦ୍ରରୁ ଉଠୁଥିବା ଉତ୍ତାଙ୍ଗ ଲହଡି ମାନେ ହସିହସି କହୁଥିଲେ- - ଯାହାହେଉ ଏ ସହରୀ ଫିରିଙ୍ଗି ଝିଅଟା ଗୋଟେ ଥରରେ ସାବାଡ ହୋଇଗଲା।

             


Rate this content
Log in

Similar oriya story from Comedy