କୁଂଫୁ ମାଷ୍ଟର ଚେତ୍-ଲି
କୁଂଫୁ ମାଷ୍ଟର ଚେତ୍-ଲି


ଚହଳ ପଡ଼ିଯାଇଛି ଗାଆଁରେ । ଗତ କିଛି ବର୍ଷ ଧରି ଆଦୌ ଖୋଜ ଖବର ନ ଥିବା ଚଇତୁ-ଏବେ ଫେରି ଆସିଛି । କଳା ମଚ ମଚ ସୁଟ-ବୁଟ ସହିତ ସମାନ ରଙ୍ଗର ଚଷମା ,ଘଡ଼ି ପରିହିତ ଜଣେ ନବୀନ ଯୁବକ ପଛରେ ସାଇ ପିଲାଙ୍କର ପଲଟଣ ।
ରୋଷେଇବାସ,ବାସନମଜା, ପାଣିକଢ଼ା ଆଦି କାମରେ ଲାଗିଥିବା ମାଆ, ଖୁଡ଼ୀ,ଦେଠେଇ,
ବାଡ଼ିବଗିଚାରେ ଘାସ କାଟୁଥିବା କକେଇ, ବଡ଼ବାପାଙ୍କ ସମେତ ପିଣ୍ଡାରେ ବସି ଦୁଃଖସୁଖରେ ମଜ୍ଜିଯାଇଥିବା ବୁଢ଼ୀ ଆଈମାନେ ନିଜ ନିଜ କାର୍ଯ୍ୟରୁ ଘଡ଼ିଏ ବିରତ ହୋଇ ଝପଟି ଆସି ନିରେଖି ଚାହିଁଲେ । ଗାଆଁ ଦାଣ୍ଡରେ ହଲି ଦୋହଲି ସୁସୁରି ବଜେଇ ଯାଉଥିବା ଜଣେ ଯୁବକ ହଠାତ ଆଣ୍ଠେଇ ପଡ଼ି ଦୁଇ ହାତକୁ ଆଗକୁ ବିସ୍ତାର କରି ପିଲାମାନଙ୍କୁ ଅଦ୍ଭୁତ ହସ୍ତଚାଳନାର ଝଲକ ଦେଖାଇବା ସହ ନାନା କଥା ବଖାଣି ଚାଲିଥାଏ ।
" ଚଇତୁ କିରେ ! ଏତେ ଦିନଯାଏ ତୁ କୋଉଠି ଥିଲୁରେ ବାପା ? ନିଧିଭାଇ ନାତି ନାତି ବୋଲି ତୋତେ କେତେ ଝୁରିଚି ! ଏବେ ତା'ର ଆଶା ପୂରିଲା ।" ଗାଈ ଆଗରେ ପାଳଗଣ୍ଡାଏ ପକାଇ ଦେଉ ଦେଉ ଘର ସାମନାରେ ଯାଉଥିବା ଯୁବକଟିକୁ ପଚାରିଦେଲେ ବଟ ଅଜା ।
" କିଏ ? ଓଃ, ବଟ ଗ୍ରାଣ୍ଡପା' !" ଟିକିଏ ଦୋ' ଦୋ' ପାଞ୍ଚ ହୋଇ ଯୁବକଟି ଉତ୍ତରଦେଲା- " ଆଇ ଆମ ନଟ ଚଇତୁ । ମାଇଁ ନେମ ଇଜ ,ଚେତ୍-ଲି ।ମାଷ୍ଟର ଚେତ୍-ଲି ।"
ବିସ୍ମିତ ବଟଅଜା ଢିମା ଢିମା ଆଖିରେ ତା' ମୁହଁକୁ ଚାହିଁଲେ ।
"ଆରେ,ଏମିତି ହାଁ-ଟା କରି ଚାହିଁଛ କ'ଣ ?ବୁଝିପାରୁନା କି ? ଶୁଣ ଗ୍ରାଣ୍ଡପା'। ମୁଁ ଏ ଗାଆଁ ଛାଡ଼ିବା ପରେ ସିଧା ଚାଇନା ପଳେଇଗଲି ।ସେଇଠି ମହାଗୁରୁ ବ୍ରୁସ୍-ଲିଙ୍କ ଗୁରୁକୁଳରେ ରହି କୁଂଫୁର ମହାନ କଳା ସବୁ ସାଧନ କରିଛି ।" ଆଣ୍ଠେଇ ପଡ଼ି ବାମପାଦ ସାମନାରେ ଡାହାଣପାଦ ଦ୍ୱାରା ଅର୍ଦ୍ଧବୃତ୍ତାକାର ରେଖା ଟାଣୁ ଟାଣୁ ଚଇତୁ ବର୍ଣ୍ଣନା କରୁଥିଲା ।
ପୁନର୍ବାର ହାତ ଘୁରେଇ ଶୂନ୍ୟକୁ ଗୋଇଠା ମାରିବାର ଅଭିନୟ କରି ସେ ଜଣାଇଲା ," କୁଂଫୁ କୌଶଳରେ ଅଦ୍ଭୁତ ପାରଦର୍ଶିତା ଦେଖି ସ୍ୱୟଂ ମହାଗୁରୁ ବ୍ରୁସ -ଲି ପା' ମୋର ନାମକାରଣ କରିଛନ୍ତି ମାଷ୍ଟର ଚେତ୍ -ଲି ।ଜାଣିଛ, ଜ୍ୟାକି ଚାନ ଆଉ ଜେଟ୍-ଲି ବି ମୋ ପାଖରୁ ଫାଇଟିଂ ଶିଖିବାକୁ ଅନୁରୋଧ କରୁଥିଲେ ।ହେଲେ ମାଟି ମାଆର ମମତାକୁ ଭୁଲି ମୁଁ ରହିଯାଇଥା'ନ୍ତି କେମିତି !ଫେରି ଆସିଲି ।ଏଥର ଏଇଠି ରହିବି ।ଗାଆଁ ପିଲାଙ୍କୁ କୁଂଫୁ କୋଚିଂ ଦେବି ।"
ବଟଅଜାଙ୍କ ସମେତ ଉପସ୍ଥିତ ଗାଆଁର ଆଈବୁଢ଼ୀ ,କକେଇ ,ବଡ଼ବାପା, ଖୁଡ଼ୀ, ଦେଠେଇମାନେ ସେ କଥା ଶୁଣି କ'ଣ ବୁଝିଲେ କେଜାଣି ଡବ ଡବ କରି ଇଏ ତା' ମୁହଁକୁ ,ସିଏ ୟା ମୁହଁକୁ ଖାଲି ଚାହୁଁଥା'ନ୍ତି ବାରମ୍ବାର ।
ଅସଲ କଥାଟା ହେଲା, ଗାଆଁଗହଳରେ ଏ ଦରପାଠୁଆ ମଣିଷଗୁଡ଼ାକ ଚଇତୁ ବଖାଣୁଥିବା କୁଂଫୁର ମହାତ୍ମ୍ୟ ବା ବୁଝନ୍ତେ କିପରି ! ଆଜିକାଲିର କିଶୋର କିଶୋରୀ ଆଉ ଯୁବସମାଜ ସିନା ଦେଶ ବିଦେଶର ଖବର ରଖୁଛନ୍ତି ।ଟିଭିରେ ,ଭିଡିଓରେ ସିନେମା ଦେଖୁଛନ୍ତି ; ବ୍ରୁସ୍-ଲି ,ଜେଟ୍-ଲି ,ଜ୍ୟାକି ଚାନ୍ ଙ୍କୁ ପର୍ଦାରେ ଚିହ୍ନୁଛନ୍ତି । ପୁଣି କୁଂଫୁ, କରାଟେର ଅବିଶ୍ୱସନୀୟ କଳା କୌଶଳ ଦେଖି ଚମତ୍କୃତ ହେଉଛନ୍ତି ।ସେଇଥିପାଇଁ ଚଇତୁର କଥା ଶୁଣି ଅନ୍ୟମାନେ ଅବିଶ୍ୱାସରେ ମୁହଁ ବୁଲାଇଦେବା ବେଳକୁ ଗାଆଁ ପିଲାଏ କୁଂଫୁ ଶିଖିବାର ସୁଲଭ୍ୟ ସମ୍ଭାବନାକୁ କଳ୍ପନା କରି ଆନନ୍ଦରେ ଲଗାଇ ଦେଲେ କୋଳାହଳ । କିଛି ସମୟ ଭିତରେ କଥାଟା ଗାଆଁ ସାରା ପ୍ରଘଟ ହୋଇଗଲା ।
ଦୁଇଟା ଦିନ ନ ଯାଉଣୁ ଚଇତୁ ଓରଫ ମାଷ୍ଟର ଚେତ୍-ଲି କେବଳ ପିଲାଙ୍କ ଭିତରେ କାହିଁକି, ଗ୍ରାମ ଯୁବକଙ୍କ ମଧ୍ୟରେ ବି ଆକର୍ଷଣ ଓ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଗଲା ।ପିଲାଏ ସ୍କୁଲ ସାରି ଖେଳିବାକୁ ନ ଯାଇ ଚଇତୁଠାରୁ କୁଂଫୁ ଶିଖିବାକୁ ଧାଡ଼ି ବାନ୍ଧିଲେ ।ଆଉ ଯେତିକି ଶିଖିଲେ ,ସେତକ ସାଙ୍ଗମାନଙ୍କ ମେଳରେ ପ୍ରଦର୍ଶନ କରିବାକୁ ଆଦୌ କୁଣ୍ଠିତ ହେଲେନାହିଁ ।ଅଳ୍ପଦିନ ଭିତରେ କୁଂଫୁ ଓ ମାଷ୍ଟର ଚେତ୍-ଲି ଉଭୟ ପ୍ରସିଦ୍ଧ ହୋଇଗଲେ ।
ମଲ୍ଲୀ ଫୁଟିଲେ ଚଉଦିଗ ମହକାଇଦେବା ପରି ଚଇତୁର ଅଦ୍ଭୁତ କୁଂଫୁ ବିଦ୍ୟା ଗ୍ରାମର ସୀମା ଅତିକ୍ରମ କରି ପଡ଼ୋଶୀ ଗ୍ରାମବାସୀଙ୍କ ଗହଣରେ ମଧ୍ୟ ଆଲୋଚନାର ମୁଖ୍ୟ ବିଷୟ ସାଜିଲା ।କିଏ ଏ କଥା ଶୁଣି ବିଶ୍ୱାସ କରିଗଲା ତ ଆଉ କିଏ ସହଜରେ ଗ୍ରହଣ କରିପାରିଲାନି ।ହେଲେ ଯେଉଁଦିନ ପାଖ ଗାଆଁରେ କେତେଜଣ ଯୁବକ ଚଇତୁର ଦକ୍ଷତାକୁ ତୁଚ୍ଛା ଗୁଲିଗପ କହି ହସି ଉଡ଼େଇଦେଲେ ,ସେଦିନ ଚେତ୍-ଲି ସମର୍ଥକ ଆଦୌ ସମ୍ଭାଳି ପାରିଲେନି ।ବହୁତ ଯୁକ୍ତିତର୍କ ହେଲା ।ଶେଷକୁ ନିଷ୍ପତ୍ତି ହେଲା ଯେ ତାଙ୍କ ଗାଆଁର ଭୀମା ପହିଲିମାନ ଆଉ ଚଇତୁ ମଧ୍ୟରେ ଲଢେ଼ଇହେବ ।ସେଇଥିରୁ ପ୍ରମାଣିତ ହେବ କାହାର କେତେ ଦମ୍ !
କଥାଟା ଗାଆଁର କେତେଜଣ ବୟସ୍କ ଲୋକଙ୍କୁ ଭଲ ଲାଗିଲାନି ବୋଧହୁଏ ।ସେଥିପାଇଁ ପିଲାମାନଙ୍କୁ ଏ ପ୍ରତିଯୋଗିତାରୁ ନିବୃତ୍ତ ରହିବାକୁ ସେମାନେ ପରାମର୍ଶ ଦେଲେ ; କିନ୍ତୁ ଏଥିରେ କେତେଜଣ ଚେତ୍-ଲି ପ୍ରଶଂସକ ବିରକ୍ତ ହୋଇ ମତଦେଲେ ,
" ତୁମେସବୁ ପୁରୁଣା କାଳର ଲୋକ ।ଏ କୁଂଫୁ କଳାର ମହତ୍ତ୍ୱ କ'ଣ ଜାଣିଛ ଯେ ଆମକୁ ଉପଦେଶ ଶୁଣାଉଛ ! ଜମା ଭଳି ଯିବୁନି ତୁମ କଥାରେ । ଫାଇଟିଂ ଅଲବତ ହେବ, ଆଉ ଆମ ଚେତ-ଲି ନିଶ୍ଚୟ ଜିତିବ।"
ଖୁବ ଉତ୍ସାହ ଉଦ୍ଦୀପନାର ସହ ଲଢେଇ ପାଇଁ ପ୍ରସ୍ତୁତି ଜାରି ରହିଲା । ନିର୍ଦ୍ଧାରିତ ଦିନ ଶହ ଶହ ଦର୍ଶକଙ୍କ ଉପସ୍ଥିତିରେ ଲଢ଼େଇ ଆରମ୍ଭ ହେଲା ।ଗାଁ ପଡ଼ିଆରେ ଭୀମା ପହିଲିମାନ ଏବଂ ମାଷ୍ଟର ଚେତ୍-ଲି ।ଭୀମା ହାତ ଗୋଡ଼ ହଲେଇବା ପୂର୍ବରୁ ଚଇତୁ ତା' ଚାରି ପାଖରେ ଦୁଇଘେରା ବୁଲି ଆସି କୁଂଫୁର ଅସାଧାରଣ କଳା ପ୍ରଦର୍ଶନ ଆରମ୍ଭ କରିଦେଲା । ସମର୍ଥକମାନେ 'ଚେତ୍-ଲି', 'ଚେତ୍-ଲି' ବୋଲି ଉଚ୍ଚ କଣ୍ଠରେ ଚିତ୍କାର କରି ତାଙ୍କ ଖେଳାଳିଙ୍କୁ ଉତ୍ସାହିତ କରୁଥା'ନ୍ତି ।ହଠାତ ଚଇତୁର ପଛୁଆ ନାତରେ ଭୀମା ହାମୁଡ଼େଇ ପଡ଼ିଗଲା । ଚେତ୍-ଲି ସମର୍ଥକଙ୍କ କୋଳାହଳ ବହୁଗୁଣିତ ହୋଇଗଲା ।
ମାତ୍ର, କେତୋଟି ମୁହୂର୍ତ୍ତ ମଧ୍ୟରେ ବାଜି ଓଲଟିଗଲା । ଭୀମାର ଏକ ଶକ୍ତିଶାଳୀ ମୁଥ ଚଇତୁର ମୁହଁରେ ବାଜିବାରୁ ସେ ଭାରସାମ୍ୟ ରକ୍ଷାକରି ନ ପାରି ତଳେ ପଡ଼ିଗଲା । ଭୀମା ସୁଯୋଗକୁ ହାତଛଡ଼ା ନ କରି ତା'ର ସଦୁପଯୋଗ କଲା । ଦ୍ଵିଗୁଣ ଉତ୍ସାହରେ ସେ ଆକ୍ରମଣ ଜାରି ରଖିଲା ।ଚଇତୁ ପ୍ରତିଆକ୍ରମଣ କରିବ କ'ଣ , ଆତ୍ମରକ୍ଷା କରୁ କରୁ ତା' ସମୟ ଗଲା । ଶେଷକୁ ସେ ସଂଜ୍ଞାହୀନ ହୋଇ ତଳେ ପଡି ରହିଲା । ଭୀମାକୁ ବିଜୟୀ ଘୋଷଣା କରାଗଲା ।ଚଇତୁର ପ୍ରଶଂସକ ନିରାଶ ହୋଇ ଘରକୁ ଫେରିଲେ ।
ପରଦିନ ସକାଳେ କେତେଜଣ କୁଂଫୁ-ପ୍ରେମୀ ଚଇତୁ ରହୁଥିବା ଘରେ ପହଞ୍ଚିଲେ-ପରାଜୟର କାରଣ ପଚାରି ବୁଝିବାକୁ ; ହେଲେ ଚଇତୁର ଦେଖା ନ ଥିଲା ।ସେମାନେ ଏଣିକି ତେଣିକି ଚାହିଁ ଡାକ ପକାଇଲେ ।ତଥାପି କୌଣସି ଉତ୍ତର ମିଳିଲାନି ।ସେପାଖରୁ ନିଧିଅଜା ବାହାରି ଆସି ଜବାବ ଦେଲେ ,
" କିରେ ,ଏଯାଏଁ କ'ଣ କୁଂଫୁ ଭୂତ ତୁମ ମୁଣ୍ଡରୁ
ଓହ୍ଲେଇନି ! ମୁଁ ତୁମମାନଙ୍କୁ ମୂଳରୁ ପରା କହୁଛି, ଯିଏ ପାଠ ଛାଡ଼ି ଶାଠରେ ମାତିଲା ,ଚଗଲାମି କରି ଶିକ୍ଷକଙ୍କ ବେତମାଡ଼କୁ ଡରି ଘରଛାଡ଼ି ପଳାଇଲା ,ସିଏ କି ପ୍ରକାର ଲଢ଼େଇ ଶିଖେଇବ ! ତୁମେସବୁ ଆମ ଉପଦେଶକୁ ତୁଚ୍ଛ କରି ତା' ବାହାପିଆ କଥାରେ ମାତିଲ , ତାକୁ ନେଇ ମୁଣ୍ଡରେ ଥୋଇଲ ।ଏବେ ତ ସେ ତା'ର ଯୋଉ ପାରିବାପଣ ଦେଖାଇଲା ,ସେଥିରେ ଅନ୍ୟକୁ ମୁହଁ ଦେଖାଇଥା'ନ୍ତା କେମିତି ? ତେଣୁ ରାତିଅଧିଆ ଲୁଚି ସହରକୁ ବାହୁଡ଼ି ଗଲାଣି ।ଏବେ ତୁମେସବୁ ତା'ର ଗୋଡ଼ାଣିଆ ଦଳ ନିଜ ମୁହଁ କେଉଁଠି ଲୁଚାଇବ ସେଇ ବ୍ୟବସ୍ଥା କର ।"
ଚଇତୁର ପ୍ରକୃତ ଦକ୍ଷତା କଳନା ନ କରି ତା' ବାହାପିଆ କଥାରେ ଭଳି ଯାଇଥିବାରୁ ପିଲାଏ ଲଜ୍ଜିତ ହେଲେ ।