ବଳକା ଟଙ୍କା
ବଳକା ଟଙ୍କା


ବାପୁନର ମାଆ ସେଦିନ ପୁଅକୁ କିଛି ଟଙ୍କା ଦେଇ ବଜାରକୁ ସଉଦା ଆଣିବାକୁ ପଠାଇଲେ ।ମାଆଙ୍କ କଥାମାନି ବାପୁନ ତା'ର ପ୍ରିୟ ସାଇକେଲଟିରେ ବ୍ୟାଗ ଝୁଲାଇ ବାହାରିପଡ଼ିଲା ।ଦୋକାନକୁ ଯିବା ରାସ୍ତାରେ କେତେଜଣ ସାଙ୍ଗଙ୍କ ସହ ଭେଟ ହେଲା ।କଥା ହେବାରୁ ଜାଣିଲା, ସେମାନେ ବି ଯାଉଛନ୍ତି ବଜାରକୁ ।ନୀତିନ ବାହାନା କରି ଆଉ ସୁକାନ୍ତ ତାଙ୍କ ଘରୁ ଲୁଚାଇ ପଇସା ନେଇ ଆସିଛନ୍ତି ।
ସେଇ ଟଙ୍କାରେ ସେମାନେ ଦୋକାନରୁ ଖେଳଣା କିଣିବେ, ଜଳଖିଆ ଖାଇବେ ।ଏ ବିଷୟରେ ଆଉ କାହାକୁ କିଛି ନ ଜଣାଇବା ଲାଗି ଦୁହେଁ ବାପୁନକୁ ସାବଧାନ କରିଦେଲେ ।
ବଜାରରେ ପହଞ୍ଚି ବାପୁନ ମା' ବରାଦ କରିଥିବା ସଉଦା କିଣି ଟଙ୍କା ଦେଲା ଦୋକାନୀକୁ ।ନୀତିନ ଆଉ ସୁକାନ୍ତ ମଧ୍ୟ ସେମାନଙ୍କ ପଇସାରେ ଜିନିଷ କିଣିଲେ ।ଦୋକାନୀ ବଳକା ଟଙ୍କା ଫେରାଇଲା ।ବାପୁନ ବାହାରକୁ ଆସି ଦେଖେ ତ ଦୋକାନୀ ତାକୁ ଭୁଲରେ ଅଧିକ ଟଙ୍କା ଦେଇଦେଇଛି ।ତେଣୁ ସେ ତାକୁ ଫେରାଇବାକୁ ବାହାରିଲା ।
ନୀତିନ ଆଉ ସୁକାନ୍ତ ଦୁହେଁ ତାକୁ ଅଟକାଇ କହିଲେ, "ତୁ ବୋକାଟା କିରେ !ସେ ତ ହିସାବ କରି ତୋତେ ଅଧିକ ଟଙ୍କା ଦେଇଦେଇଛି ।ତୁ କାହିଁକି ଫେରେଇବୁ ? ଚାଲ ଶୀଘ୍ର ଏଠାରୁ ପଳେଇବା ।ବଳକା ଟଙ୍କାରେ ଆଗ ଦୋକାନରେ ଜଳଖିଆ ଖାଇବା ।"
ତାଙ୍କ କଥା ଶୁଣି ବାପୁନ କହିଲା, " ନାଇଁ, ଏଇଟା ଗୋଟେ ଭୁଲ କାମ ।ମା' ଜାଣିଲେ ମୋତେ ଗାଳି କରିବେ, ମୁଁ ସେମିତି କରିବିନି ।"
"ଆରେ କରିବୁନି କ'ଣ ? ଅଲବତ କରିବୁ ।ତୋ ମାଆ ଜାଣିଲେ ସିନା ତୋତେ ଗାଳି କରିବେ ।ତୁ ତାଙ୍କୁ ମୋଟେ ଏ କଥା କହିବୁନି ।" ନୀତିନ ବୁଝେଇଲା ।
"ଦେଖ୍ ସେଇ ପଇସାରେ ତିନିଜଣ ମିଶିକି ଜଳଖିଆ ଖାଇବା ।ତୁ ଯଦି ନ ଖାଇବୁ ତ ଆମକୁ ପଇସା ଦେଇଦେ ।ଆଉ ଯଦି ଆମକଥା ନ ମାନି ଏଠାରୁ ପଳାଇବାକୁ ଚେଷ୍ଟା କରୁ ତା'ହେଲେ ଆ
ମେ ଦୁହେଁ ମିଶିକି ତୋତେ ବାଡ଼େଇବୁ ।" ସୁକାନ୍ତ ଧମକାଇବା ସ୍ୱରରେ କହିଲା ।
ବିଚରା ବାପୁନ ଆଉ କରିବ କ'ଣ ! ଦୁଷ୍ଟବୁଦ୍ଧି ପିଲାଙ୍କ କଥାରେ ପଡ଼ି ଦୋକାନରୁ ଜଳଖିଆ ଖାଇ ଘରକୁ ଫେରିଲା ।ସଉଦା ସବୁର ହିସାବ ଦେଇ ବଳକା ଟଙ୍କା ମାଆକୁ ଫେରାଇଲା ।
ମା' କହିଲେ, "ଏ ସବୁ ତ ଠିକ ଅଛି, ହେଲେ ଏତେବେଳଯାଏ ତୁ କରୁଥିଲୁ କ'ଣ ? ତୋ ହାତରେ ମୁହଁରେ ତେଲ ଲାଗିଛି ! ଛଣା ଜଳଖିଆର ବାସ୍ନା ଆସୁଛି ।ସତ କହ, ତୁ କେଉଁଠାରୁ ଟଙ୍କା ଆଣି କ'ଣ ସବୁ ଖାଇଛୁ ?"
ବାପୁନ କିଛି ନ ଲୁଚାଇ ମାଆଙ୍କ ଆଗରେ ସବୁ ସତ ଖୋଲି କହିଲା ।ପୁଅକଥା ଶୁଣି ମାଆ କହିଲେ, "ସେମିତି ଦୁଷ୍ଟପିଲାଙ୍କ ସାଥୀ ହୋଇ ଯିବା ଜମା ଉଚିତ ନ ଥିଲା ।ଦ୍ଵିତୀୟ ଭୁଲ କଲୁ, ସେମାନଙ୍କୁ ଡରି ତାଙ୍କ କଥାରେ ପଡ଼ି ଦୋକାନୀକୁ ବଳକା ଟଙ୍କା ଫେରାଇଲୁ ନାହିଁ ।ପୁଣି ସେଇ ପଇସାରେ ଦୁଷ୍ଟପିଲାଙ୍କ ସହ ବାହାର ଜଳଖିଆ ଖାଇଲୁ ।ଏମିତି କରିବାଟା ଠିକ ନୁହେଁ ।ସେମାନେ ତୋତେ ଭୟ ଦେଖାଇବାବେଳେ ତୁ ଆଖପାଖରେ ଥିବା ବଡ଼ ଲୋକଙ୍କୁ କି ଦୋକାନୀକୁ ପାଟିକରି ଜଣାଇ ପାରିଥା'ନ୍ତୁ ।
ଆଉ ରହିଲା ଜଳଖିଆ ଖାଇବା କଥା, ତୋ'ରି ଲାଗି ମୁଁ ଘରେ ଅଧିକାଂଶ ଦିନ ପିଠା, ମିଠା, କ୍ଷୀରି ଏ ସବୁ ତିଆରି କରି ଦେଉଛି ।ଆଜି ଯଦିବା ବାହାର ଜଳଖିଆ ଖାଇବାକୁ ଇଚ୍ଛା ହେଲା ତା'ହେଲେ ଏବେ ମୋତେ ଫେରାଇଥିବା ବଳକା ପଇସାରେ କିଣି ଖାଇଲୁନି କାହିଁକି ?"
ମାଆଙ୍କ କଥା ଶୁଣି ବାପୁନ କାନ୍ଦ କାନ୍ଦ ହୋଇଗଲା ।ତା' ମୁଣ୍ଡକୁ ଆଉଁଶି ଦେଇ ମାଆ କହିଲେ, "ଯାହା ହୋଇଗଲାଣି ସେ କଥା ଛାଡ଼ ।ଏଣିକି ଆଗକୁ ଆଉ ଏମିତି ଭୁଲ କେବେବି କରିବୁନି ।ଏବେ ମୋ ପାଖରୁ ଟଙ୍କା ନେଇଯା, ଦୋକାନୀକୁ ଫେରାଇ ଆସିବୁ ।"
ମାଆଙ୍କ କଥାମାନି ବାପୁନ ଏଥର ବାହାରିପଡ଼ିଲା ବଳକା ଟଙ୍କା ଫେରାଇବାକୁ ।