ବ୍ରହ୍ମରାକ୍ଷସ ସହ ମୁହାଁମୁହିଁ
ବ୍ରହ୍ମରାକ୍ଷସ ସହ ମୁହାଁମୁହିଁ


ଦଶହରା ଛୁଟିରେ ମାମୁଁଘରକୁ ବୁଲିବାକୁ ଯାଇଥାଏ ତିତିଲି ।ଖୁସିରେ ପୂରି ଉଠୁଥାଏ ମନଟା ।ଯା' ହେଉ, ଏ ଦିନ କେତେଟା ତା'ର ମଉଜରେ କଟିବ ।ପାଠପଢ଼ାର ଚାପ ନାହିଁ ।ମନଇଚ୍ଛା ଖେଳିବ, ବୁଲିବ, ପତ୍ରପତ୍ରିକା ପଢ଼ିବ ।ଦରକାର ହେଲେ ଛୋଟ ମୋଟ କାମରେ ଆଈକୁ ସାହାଯ୍ୟ କରିବ ।
ବଡ଼ମାମୁଁ ଆଉ ମାଇଁ ବାହାରେ ଚାକିରୀ କରନ୍ତି ।ଘରେ ଅଛନ୍ତି କେବଳ ସାନମାମୁଁ ଓ ଆଈ ।ତେଣୁ ମଉଜ କରିବାକୁ ଭରପୁର ସମୟ ।
ନାତୁଣୀ ପାଇଁ ନାନା ପ୍ରକାର ପିଠା, ମିଠା ତିଆରି କରି ଦେଉଥା'ନ୍ତି ଆଈ ।ପେଟଭରି ଖାଉଥାଏ ତିତିଲି । ସଞ୍ଜହେଲେ ମାମୁଁଙ୍କ ସହିତ ବାହାରିଯାଏ ଦଶହରା ମେଢ଼ ଏବଂ ଯାତ୍ରା ଦେଖିବାକୁ ।ଫେରିବାବେଳେ ମନ ପସନ୍ଦର କଣ୍ଢେଇ, ଖେଳଣା ଆଉ ପତ୍ରପତ୍ରିକା ନେଇ ଆସେ ।
ଦଶହରାର ଶେଷ ଦିନ ।ସଞ୍ଜବେଳୁ ମେଘଭରା ଆକାଶ ।ଲାଗିରହିଥାଏ ଝିପିଝିପି ବର୍ଷା ।ଏଣୁ ତିତିଲିକୁ ସାଥିରେ ନ ନେଇ ମାମୁଁ ଏକା ବାହାରକୁ ଚାଲିଗଲେ ।ବର୍ଷା ଥମୁନି, ବେଳକୁବେଳ ବଢ଼ୁଛି ।କେତେବେଳୁ ବିଜୁଳି ଚାଲିଗଲାଣି ।ଶୀଘ୍ର ଖାଇଦେଇକି କବାଟ ଝରକା ବନ୍ଦ କରି ଦେଲେଣି ଆଈ ନାତୁଣୀ ।ଆଖି ବନ୍ଦ କରୁକରୁ ଗାଢ଼ ନିଦରେ ଶୋଇ ଘୁଙ୍ଗୁଡ଼ି ମାରିଲେଣି ଆଈ ।
ତିତିଲି ଆଖିରେ କିନ୍ତୁ ନିଦ ନାହିଁ ।ବର୍ଷା ଯୋଗୁଁ ଶେଷଦିନ ଦଶହରାବୁଲା ହୋଇପାରିଲାନି ।ମନଟା ଛଟପଟ ହେଉଥାଏ ।ବାହାରେ ପ୍ରବଳ ବର୍ଷା ।ତା' ସାଙ୍ଗକୁ ବିଜୁଳି, ଘଡ଼ଘଡ଼ି ଆଉ ବତାସ ।ମଝିରେ ମଝିରେ ଚଦର ତଳୁ ମୁହଁ କାଢ଼ି ଚାହୁଁଥାଏ ।ଚାରିଆଡ଼େ ବହଳ ଅନ୍ଧାର ।ପୁଣି ମୁହଁ ଘୋଡ଼ି, କଡ଼ ଲେଉଟାଇ ଚେଷ୍ଟା କରୁଥାଏ ଶୋଇବାକୁ ।ଏମିତିରେ କେତେବେଳେ ତା' ଆଖିକୁ ନିଦ ଆସିଯାଇଛି ।
ହଠାତ କିଛି ଶବ୍ଦରେ ନିଦ ଭାଙ୍ଗିଗଲା ତିତିଲିର ।ସେ କାନ ଡେରିଲା ।ବାହାରପଟ ଦ୍ୱାର ପାଖରୁ ଆସୁଛି ସେ ଶବ୍ଦ ।ସେଠି କିଏ ଘୂରି ବୁଲୁଛି କି !ଏତେ ରାତିରେ ଇଏ କେଉଁ ପ୍ରକାର ଶବ୍ଦ ହୋଇପାରେ ?
ସେ ତୁରନ୍ତ ଉଠି ବସିଲା ।ଧୀରେଧୀରେ ଯାଇ ଶୋଇବା ଘରର ଝରକା ଖୋଲିଲା ।ବାହାରେ କିଟିକିଟି ଅନ୍ଧାର !ବର୍ଷା ଝରୁଛି ଝରଝର ।ଦଲକାଏ ଥଣ୍ଡା ପବନ ତା' ଦେହରେ ପିଟି ହୋଇଗଲା । ଚଟାପଟ୍ ଝରକାଟା ବନ୍ଦ କରିବାକୁ ଯାଉଛି, ହଠାତ ବିଜୁଳି ଚମକିଲା ।ସେଇ ମୁହୂର୍ତ୍ତକ ଆଲୋକ ଭିତରେ ସେ ଦେଖିପାରିଲା ଏକ ଭୟଙ୍କର ଚେହେରା ଆଗେଇ ଆସୁଛି ତା' ଶୋଇବା ଘରର ଝରକା ଆଡ଼କୁ ।ବିଶାଳ କଳା କିଟିକିଟି ରୂପ ।ରକ୍ତବର୍ଣ୍ଣର ବଡ଼ବଡ଼ ଆଖି ।ନାକତଳେ ଟାଆଁଶା ମୋଟା ନିଶ ।ମୁଣ୍ଡରେ ଠିଆଠିଆ ଚୁଟି ।ସେଥିରୁ ପାଣି ବୋହୁଥାଏ ଥପଥପ ।ମୁହଁରେ ସଦ୍ୟ କଟା ଦାଗ ।ଆଉ ହାତରେ ଧରିଛି ରକ୍ତଭିଜା ଖଣ୍ଡା ।
ଭୟରେ ଲୋମ ଟାଙ୍କୁରି ଉଠିଲା ତିତିଲିର ।ସତେକି ପଥର ହୋଇଯିବ ସେ ।ହାତପାଦ ହଲେଇବାକୁ ଶକ୍ତି ନାହିଁ ।ଚିତ୍କାର କରିବାକୁ ଚେଷ୍ଟା କଲା, ହେଲେ ପାଟିରେ ଯେମିତି ଶବ୍ଦ ନାହିଁ ! ବଡ଼ କଷ୍ଟରେ ପଛକୁ ଘୁଞ୍ଚି ଶେଯ ଉପରେ ଗଡ଼ିପଡ଼ିଲା ସେ ।ଆଖିରେ ନିଦ ନାହିଁ ,ପାଟିରେ ଭାଷା ନାହିଁ, ଦେହ ଥରୁଛି ।ଝାଳ ବୋହୁଛି ଗମଗମ ।ତଥାପି ଚଦର ଘୋଡେ଼ଇ ହୋଇ ଶୋଇବାକୁ ଚେଷ୍ଟା କଲା ତିତିଲି ।
କିଛି ସମୟ ବିତିଗଲା ।ତିତିଲି ନିଜକୁ ଦୃଢ଼ କଲା ।ସେ କ'ଣ ସ୍ୱପ୍ନ ଦେଖୁଛି, ନା ସବୁକିଛି ସତ ! ନା, ନା ସେ ଏମିତି ଶୋଇ ରହିଲେ ଚଳିବନି ।ଉଠି ବସିଲା, ଭାବିଲା ଆଈଙ୍କୁ ଉଠେଇ ସବୁକଥା ଜଣେଇବ ।ହେଲେ ଘରସାରା ଅନ୍ଧାର ।ବିଜୁଳି ନାହିଁ, ପୁଣି ଆଈଙ୍କୁ ବି ଭଲ ଶୁଣାଯାଏନି ।ତେବେ ମାମୁଁଙ୍କ ମୋବାଇଲ୍ କୁ ଫୋନ୍ ଲଗାଇବାକୁ ଚେଷ୍ଟା କଲା ସେ ।ଧେତ୍ ତେରିକି ! ଝଡ଼ ତୋଫାନ ଯୋଗୁଁ ମୋବାଇଲ୍ ନେଟୱାର୍କ୍ ବି କାମ କରୁନି ।
ପୁଣିଥରେ ସେ ଝରକା ପାଖରେ ଯାଇ ଛିଡ଼ା ହେଲା ।ନିଜ ମୋବାଇଲ୍ ର କ୍ୟାମେରା ଚାଲୁ କରି ଝରକା ବାହାରକୁ ଦୃଷ୍ଟି ପକାଇଲା ।ଚାରି ପାଞ୍ଚଟା ଫଟୋ ଉଠେଇ ଝରକା ବନ୍ଦ କରିଦେଲା ସେ ।
ତିତିଲିର ମନରେ ଅନେକ ଜିଜ୍ଞାସା ।ବର୍ଷା, ବତାସ ଭରା ଏ କିଟିମିଟିଆ ଅନ୍ଧାର ରାତିରେ କିଏ ସେହି ବ୍ୟକ୍ତି ?କ'ଣ ତା'ର ଉଦ୍ଦେଶ୍ୟ ?ସେ କ'ଣ ଜାଣେ ଯେ ତିତିଲିର ମାମୁଙ୍କ ଘରେ କେହି ପୁରୁଷ ଲୋକ ନାହାଁନ୍ତି ବୋଲି ! ସେ କ'ଣ ଗୋଟେ ଚୋର-ନା ଡକାୟତ-ନା, ତା'ହେଲେ କ'ଣ ଗୋଟାଏ ବ୍ରହ୍ମରାକ୍ଷସ...!ନାଆଁଟା ମନେ ପଡ଼ୁ ପଡ଼ୁ ଚମକି ଉଠିଲା ସେ ।ତରତରରେ ଆଈଙ୍କ ପାଖକୁ ଯାଇ ତାଙ୍କ କୋଳରେ ମୁଣ୍ଡରଖି ଶୋଇପଡ଼ିଲା ।
ପରଦିନ ସକାଳେ ଡେରିରେ ନିଦ ଭାଙ୍ଗିଲା ତିତିଲିର ।ଉଠୁ ଉଠୁ ଝରକା ବାହାର ପାଖରେ ପହଞ୍ଚିଗଲା ସେ ।ଆରେ ସତେତ, ମାଟି ଉପରେ ପଡ଼ିରହିଛି ଇତସ୍ତତଃ ପଦଚିହ୍ନ ।ତା'ହେଲେ ରାତିରେ ଦେଖିଥିବା ଘଟଣା ସବୁ କ'ଣ ସତ !
ମୋବାଇଲ୍ ର ଫଟୋ ଗ୍ୟାଲେରୀ କୁ ତନ୍ନତନ୍ନ କରି ଖୋଜୁଛି ତିତିଲି ।ଆରେ, ସେ ଗତ ରାତିରେ ଉଠେଇଥିବା ଫଟୋ ସବୁ ଗଲା କୁଆଡ଼େ ? ସବୁ ଗୁଡ଼ାକ କ'ଣ କଳା ଦିଶୁଛି !
ତିତିଲିର ବ୍ୟସ୍ତତା କାରଣ ପଚାରିଲେ ମାମୁଁ ।ତିତିଲି ପୂର୍ବରାତିର ସବୁକଥା ବର୍ଣ୍ଣନା କଲା ।ତା' କଥା ଶୁଣି ମାମୁଁ ହୋ ହୋ ହୋଇ ହସିଲେ ।
ଯେତେବେଳେ ତିତିଲି ସବୁ ଘଟଣା ମାମୁଁଙ୍କଠାରୁ ଶୁଣିଲା ସେ ବି ହସି ଉଠିଲା ।କାରଣ ସେଇ ଭୟଙ୍କର ମଣିଷଟି ଥିଲେ ଖୋଦ ସାନମାମୁଁ ।ମାମୁଁ ଗତରାତ୍ରିର ମଞ୍ଚସ୍ଥ ପୌରାଣିକ ନାଟକରେ ଖଳନାୟକ ଥିଲେ ।ବର୍ଷା ଓ ବତାସ ଯୋଗୁଁ ନାଟକ ଅଧାରୁ ବନ୍ଦ ହୋଇଗଲା ଏବଂ ମାମୁଁଙ୍କୁ ସେଇ ବେଶରେ ଘରକୁ ଫେରିବାକୁ ପଡ଼ିଲା ।
ଯେହେତୁ ମାମୁଁଙ୍କ ପାଖରେ ବାଡ଼ିପାଖ ଦରଜାର ଚାବି ଥିଲା, ତେଣୁ ସେ କାହାକୁ କିଛି ନ ଜଣେଇ ଘର ଭିତରକୁ ଆସି ଚୁପଚାପ ରଙ୍ଗ ଛଡ଼େଇ ଶୋଇପଡ଼ିଥିଲେ ।ତିତିଲି ମୋବାଇଲରେ ଉଠାଇଥିବା ଫଟୋ ସବୁ ଗଲା କୁଆଡ଼େ !ଯେହେତୁ ମୋବାଇଲରେ ଫ୍ଲାସ୍ ଆଲୋକ ନାହିଁ, ତେଣୁ ଅନ୍ଧାର ରାତିରେ ଛବି କଳା ଆସିଛି ।
ଶେଷରେ ସମସ୍ତ ରୋମାଞ୍ଚକ ରହସ୍ୟ ର ପର୍ଦ୍ଦାଫାଶ ଘଟିଲା ।ଅନୁସନ୍ଧିତ୍ସୁ ମନ ଆଉ ଉପସ୍ଥିତ ବୁଦ୍ଧି ପାଇଁ ତିତିଲି ମାମୁଁଙ୍କ ଠୁ ସାବାସି ପାଇଲା ।