ବି. ନିରୁପମା

Romance Action Others

4  

ବି. ନିରୁପମା

Romance Action Others

ଚେନାଏ ଆଲୋକ

ଚେନାଏ ଆଲୋକ

2 mins
308



ସମରେଶ ଓ ସୁଲଗ୍ନା ଭୁବନେଶ୍ୱର ଛାଡ଼ି କଟକରେ ଏକ ଭଡ଼ାଘର ନେଇ ରହିଲେ ।ଉଭୟ ସରକାରୀ କର୍ମଚାରୀ,ସେଇ ଦୁଇ ସହରରେ ।ନିଜ ଦାୟିତ୍ୱକୁ ଉତ୍ତମ ଭାବେ ସମ୍ପର୍ଣ୍ଣ କରିବା ସହ ରହଣୀରେ ଟିକେ ସୁବିଧା ହେବ ବୋଲି ଏ ଘର ବଦଳି ।


ଘରଟି ଛକଜାଗାରେ ହୋଇଥିବାରୁ ବୁଲା ବିକାଳି ଓ ଲୋକଙ୍କ ଯିବାଆସିବା ବରାବର ଲାଗିରହିଥାଏ ।ସୁବିଧାରେ ଫଳ, କୋଳି, ପନିପରିବା ଓ ତଟକା ମାଛ ମିଳିଯାଏ । 


ଘରଟି ମାଟି ସଂଲଗ୍ନ ।ପୂର୍ବ ପାଖ ବଡ଼ ଝରକା ଖୋଲି ଦେଲେ ଘରସାରା ସକାଳର ସୂର୍ଯ୍ୟକିରଣ ବିଛେଇ ହୋଇ ପଡ଼େ ।ତା' ସହ ଦିନର ଉଜ୍ବଳତା ଆଉ ପ୍ରଚୁର ପବନ ।


ନିତ୍ୟକର୍ମ ସାରି ସ୍ଵାମୀ ସ୍ତ୍ରୀ ଉଭୟ ଦୁଇ ବିପରୀତ ଦିଗରେ ନିଜ କର୍ମକ୍ଷେତ୍ରକୁ ଚାଲିଯା'ନ୍ତି ।ଘରକୁ ଫେରି କେବେ ଆବଶ୍ୟକ ଦ୍ରବ୍ୟ ଆଣିବାକୁ ଓ ବୁଲାବୁଲି କରିବାକୁ ବାହାରକୁ ଚାଲିଯା'ନ୍ତି ।ଆଗ୍ରହରେ ଅନେକ କିସମର ଫୁଲ ଏବଂ ଔଷଧୀୟ ଗଛ ନେଇଆସନ୍ତି ।ଘରବାରଣ୍ଡାରେ ଧାଡ଼ି ଧାଡ଼ି ଫୁଲକୁଣ୍ଡ ସହ ତାଜାରେ ସୌଖିନ ଟୋକେଇରେ ଟାଙ୍ଗି ମିଳିମିଶି ସେମାନଙ୍କ ଯତ୍ନ ନିଅନ୍ତି ।ଠିକ ସମୟରେ ସେଇ ଗଛ ସବୁରେ ପାଣି ଦେବା ସଙ୍ଗେ ସଙ୍ଗେ ପ୍ରାକୃତିକ କମ୍ପୋଷ୍ଟ ପ୍ରୟୋଗ କରନ୍ତି ।ପ୍ରଚୁର ସୂର୍ଯ୍ୟକିରଣ ଆଉ ସମରେଶ, ସୁଲଗ୍ନାଙ୍କ ଆଦର ଯତ୍ନ ପାଇ ଅଳ୍ପଦିନ ଭିତରେ ଅନେକ ଗଛରେ ଫୁଲ ଫୁଟିଲା, ସୌଖିନ ଗଛ ବଢ଼ି ସୁନ୍ଦର ଦେଖାଗଲା ।


ସରକାର ଲାଇସେନ୍ସ ପ୍ରାପ୍ତ ଜଣେ ବାଲି ବିକାଳି ପୂର୍ବ ପାଖରେ ବାଲି ,ଚିପସ ଜମା କରି ରଖନ୍ତି । ବର୍ଷା ଦିନ ପୂର୍ବରୁ ପ୍ରଚୁର ବାଲି ଗଛିତ କରି ରଖିବାରୁ ଆଉ ଝରକା ଖୋଲିବା ସମ୍ଭବ ହେଲାନି ।ଘରଭିତରକୁ ଧୂଳି ପଶିଆସି ଘର ସରଞ୍ଜାମ ଓ ଗଛପତ୍ରରେ ଜମା ହୋଇଗଲା ।ତେଣେ ପାହାଡ଼ ଉଚ୍ଚର ବାଲି ଜମା ହୋଇଥିବାରୁ ଘରଭିତରକୁ ସୂର୍ଯ୍ୟକିରଣ ଆଉ ପଡ଼ିଲାନି ।ତେଣୁ ବାଧ୍ୟ ହୋଇ ଝରକା ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପଡ଼ିଲା ।


ଏଣେ ସମସ୍ତ ଆଦର ଯତ୍ନ ସତ୍ତ୍ୱେ ସମରେଶ, ସୁଲଗ୍ନା ଲଗେଇଥିବା ଅଧିକାଂଶ ଗଛ ଠିକରେ ବଢ଼ିଲେନି ।କେତେକ ଝାଉଁଳିବାକୁ ଆରମ୍ଭ କଲେ ।ସୂର୍ଯ୍ୟକିରଣ ବିନା ଘର ତ ଯାହା ଅନ୍ଧାର ହେଲା ହେଲା, କିନ୍ତୁ ସେମାନେ ଏତେ ଆଦର ଆଉ ଶ୍ରମରେ ବଢ଼ାଇଥିବା ଗଛଗୁଡ଼ିକର ଅବସ୍ଥା ଦେଖି ସେମାନଙ୍କୁ ଭାରି ଦୁଃଖ ଲାଗିଲା ।


ଦୁହେଁ ଯାଇ ବାଲି କଣ୍ଟ୍ରାକ୍ଟରଙ୍କୁ ତାଙ୍କ ସମସ୍ୟା ଜଣାଇଲେ । ବର୍ଷାଦିନରେ ସଂଗ୍ରହ କରି ହେଉ ନ ଥିବା ଯୋଗୁଁ ବିକ୍ରି ଲାଗି ଆଗରୁ ଏତେ ପରିମାଣର ବାଲି ସଂଗ୍ରହ କରି ରଖିଛନ୍ତି ଏବଂ ଖୁବ ଶୀଘ୍ର ଏହାକୁ ଖାଲି କରିଦେବାକୁ ସେ ପ୍ରତିଶ୍ରୁତି ଦେଲେ ।ଅବଶ୍ୟ କିଛିଦିନ ବିଳମ୍ବ ହେଲା ।ଗଛିତ ବାଲି ସମ୍ପୂର୍ଣ ବିକ୍ରୟ ହେବାର ସୂଚନା ଯେବେ ମିଳିଲା ସମରେଶ, ସୁଲଗ୍ନା ଯାଇ ପୂର୍ବ ପାଖର ଝରକା ଖୋଲିଦେଲେ ।ଦିନର ଆଲୋକ ସହ ସୁଲୁସୁଲିଆ ପବନ ଘର ଭିତରକୁ ପଶିଆସିଲା ।ତା' ପରଦିନ ସକାଳ ଯେମିତି ନୂଆ ରୂପରେ ଆସିଥିଲା ।ଝରକା ସେ ପାଖରୁ ସୂର୍ଯ୍ୟକିରଣ ବିଛାଡ଼ି ହୋଇ ପଡ଼ିଲା ଘର ଭିତରେ ଓ ବାରଣ୍ଡାରେ ଥିବା ଗଛଲତାରେ ।ସୂର୍ଯ୍ୟାଲୋକ ପାଇ ଖୁବ କମଦିନରେ ଗଛଲତା ସତେଜ ହୋଇ ଉଠିଲେ ।କେତେ ଜାତିର ଫୁଲ ଫୁଟି ଆପଣା ସୌନ୍ଦର୍ଯ୍ୟରେ ମନ ମୋହିବା ସହ ବାସ ଛୁଟାଇଲେ ।ଥିରି ପବନ ଆଉ ଆଲୋକର ସ୍ପର୍ଶରେ ଗଛସବୁ ଖୁସିରେ ଝୁଲିବାକୁ ଲାଗିଲେ ।ସେମାନଙ୍କ ସୌନ୍ଦର୍ଯ୍ୟ ଆଉ ଆନନ୍ଦ ଉପଭୋଗ କରୁ କରୁ ସମରେଶ ଏବଂ ସୁଲଗ୍ନାଙ୍କ ଓଠରେ ହସ ଉକୁଟି ଉଠିଲା ।



Rate this content
Log in

Similar oriya story from Romance