STORYMIRROR

ବି. ନିରୁପମା

Action Inspirational Others

3  

ବି. ନିରୁପମା

Action Inspirational Others

ଶକୁନ୍ତଳାର ପ୍ରେମ କବିତା

ଶକୁନ୍ତଳାର ପ୍ରେମ କବିତା

2 mins
175


ନିକଟରେ ଅନିନ୍ଦିତାଙ୍କ ମେସେଞ୍ଜରକୁ ଶକୁନ୍ତଳା ନାମ୍ନୀ ଝିଅଟିଏ ମେସେଜ କଲା ।


"ନମସ୍କାର ମ୍ୟାମ, ମୋର ଏକ କବିତାକୁ ସଜାଡ଼ିବାକୁ ଆପଣଙ୍କ ସାହାଯ୍ୟ ଚାହୁଁଛି, କରିଦେବେ ?"


ଗଣମାଧ୍ୟମ କିମ୍ବା ପତ୍ରପତ୍ରିକା ପଢ଼ି ସେ ଜାଣିପାରିଥିଲା ବୋଧହୁଏ ଅନିନ୍ଦିତା ଭୂତିଆ ଲେଖାଲେଖି କରନ୍ତି ବୋଲି ।କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଅନିନ୍ଦିତା ବିଳମ୍ବରେ ସୂଚନା ପଢ଼ି ପ୍ରତ୍ୟୁତ୍ତର ଲେଖିଲେ, "ହଉ, କବିତା ପଠାଅ ।"


ଅଳ୍ପ ସମୟ ପରେ 'ପ୍ରେମ' ଶୀର୍ଷକ ଏକ କବିତା ପଠେଇଲା ଝିଅଟି ।


ପ୍ରେମ ଏକ ସର୍ବଶ୍ରେଷ୍ଠ ବେକାର ଶବ୍ଦଟିଏ ତା'ର ଅୟମାରମ୍ଭ ଥିଲା ଏମିତି, ଅନେକ ହତାଶା, ଘୃଣା ଆଉ କ୍ଷୋଭକୁ ଉଦ୍ଗାରି ପକାଇଥିଲା ସେ ଶବ୍ଦ ମାଧ୍ୟମରେ ।


ଅନିନ୍ଦିତା ଲେଖାଟିକୁ ପଢ଼ି ତା' ବ୍ୟଥାକୁ କିଞ୍ଚିତ ହୃଦୟଙ୍ଗମ କଲେ ।ମତ ବିନିମୟରେ ପ୍ରେମ ଶବ୍ଦଟିର ସକରାତ୍ମକ ଅର୍ଥ ବ୍ୟାଖ୍ୟା ସହ କବିତାରେ ତା'ର ପ୍ରୟୋଗ ପ୍ରତି ଦୃଷ୍ଟି ଆକର୍ଷଣ କଲେ ।


ଝିଅଟି କହିଲା, "ମ୍ୟାମ, ତା' ହେଲେ ମୋ କବିତା ଭଲ ହୋଇନି !


ଅନିନ୍ଦିତା ତାକୁ ପ୍ରେରଣା ଦେଇ କହିଲେ, "ଲେଖିବା ଜାରି ରଖ, ତୁମେ ନିଶ୍ଚୟ ଆହୁରି ଭଲ ଭଲ କବିତା ରଚନା କରିପାରିବ ।"


"ଏ କବିତାଟିକୁ ଟିକେ ସଜାଡ଼ି ଦିଅନ୍ତୁ ମ୍ୟାମ, ମୁଁ ଜାଣିପାରିବି କୋଉଠି କୋଉଠି ଭୁଲ ଅଛି ଆଉ ଆଗକୁ କେମିତି ଲେଖିବି ।"


କିଛି ସମୟ ପରେ ଅନିନ୍ଦିତା ସେଇ ଲେଖାଟିକୁ ସଂଶୋଧନ କରି ପଠାଇଲେ ।ଝିଅଟି ପଢ଼ିସାରି ଧନ୍ୟବାଦ ଜଣାଇଲା ।


ପରେ ପରେ ଅନିନ୍ଦିତା ପ୍ରେମର ପ୍ରକୃତ ସ୍ୱରୂପ ବିଷୟରେ ବର୍ଣ୍ଣନା କରାଯାଇଥିବା ଏକ କବିତା ଶକୁନ୍ତଳା ପାଖକୁ ପଠାଇଲେ ।


ତା'ର ସାର ମର୍ମ ଥିଲା ଏପରି


ପ୍ରେମ ସତ୍ୟ ଶିବ ସୁନ୍ଦରତା'ର ପ୍ରତୀକ ।ପ୍ରେମର ମହତ୍ତ୍ଵ ଅସୀମ, ପ୍ରେମ ବିନା ଏ ଜଗତର ସ୍ଥିତି ନାହିଁ ।ସେ ଦୁଇଟି ଆତ୍ମାର ମିଳନ, ଆଉ ବିରହ ବିଚ୍ଛେଦ ବି ।ପ୍ରେମର ରହିଛି ଅନେକ ସୋପାନ, ସେ ସର୍ବଜୟୀ, ପ୍ରେମବଳେ ଈଶ୍ୱରଙ୍କୁ ପ୍ରାପ୍ତ କରାଯାଇପାରେ ।ଅନ୍ୟ ହୃଦୟକୁ ଜିଣିହୁଏ, ପ୍ରେମହୀନ ଜନ ସଦା ବିଷାଦଗ୍ରସ୍ତ, ପରିତ୍ୟକ୍ତ ଅଟନ୍ତି ।ପ୍ରେମ ଶସ୍ତ୍ରଠାରୁ ଶକ୍ତିଶାଳୀ, ଶାନ୍ତି ଓ ଆନନ୍ଦର ପ୍ରତୀକ ।ତେଣୁ ହେ ମାନବ ଜାଗିଉଠ ।ସକଳ ସଂତାପ ଓ ବିଷାଦ ପରିହାର କରି ପ୍ରେମ ରୂପକ ଏ ଶ୍ରେଷ୍ଠ ଧନର ସଫଳ ବିନିଯୋଗ ସହ ସୃଷ୍ଟିର କଲ୍ୟାଣ ସାଧନରେ ବ୍ରତୀ ହୁଅ ।ଆପଣା ଜନ୍ମକୁ ସାର୍ଥକ କର ।


କବିତାଟି ପଢ଼ି ଝିଅଟି ତା'ର ସାରମର୍ମ କିଛିଟା ବୁଝିଲା ବୋଧହୁଏ ।ଉତ୍ତର ଲେଖିଲା, " ପ୍ରେମ ବିଷୟକୁ ନେଇ ଚମତ୍କାର ଲେଖାଟିଏ ମ୍ୟାମ ।କିଛିଦିନ ପୂର୍ବରୁ ଏ ଶବ୍ଦ ପ୍ରତି ମୋର ଯେଉଁ ଘୃଣା ଆଉ କ୍ଷୋଭ ଜାତ ହୋଇଥିଲା ଏହାକୁ ପାଠ କରି ଦୂର ହୋଇଗଲା ।ଦୁଃଖ ଓ ହତାଶାକୁ ଭୁଲିଯାଇ ଆଗକୁ ନିଶ୍ଚିତ ଭାବେ ପ୍ରେମର ମହତ୍ତ୍ୱକୁ କାମରେ ଲଗାଇବି ।ଅନେକ ଅନେକ ଧନ୍ୟବାଦ ମ୍ୟାମ, ମୋତେ ମାନିସିକ ପୀଡ଼ାରୁ ମୁକ୍ତ କରିବା ସହ କବିତା ଲେଖିବା ଏବଂ ଏକ ନୂତନ ମାର୍ଗର ଦିଗଦର୍ଶନ ଦେଇଥିବାରୁ ।"


ଅନିନ୍ଦିତା ସେଇ ଝିଅଟିକୁ ଶୁଭେଚ୍ଛା ଜଣାଇ ନିଜ ଅସମ୍ପୂର୍ଣ୍ଣ ଲେଖାଟିକୁ ପୂରା କରିବାକୁ ଲେଖନୀ ଧରିଲେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action