ସାବାସ୍ ବିମଳି
ସାବାସ୍ ବିମଳି


ଜଙ୍ଗଲ ପାଖକୁ ଲାଗି ଗାଁ ଟିଏ, ଝରଣପୁର ।ପାଖାପାଖି ତିନିଶହ ପରିବାର ସେଇଠି ବାସ କରନ୍ତି ।ଅଧିକାଂଶ ନିର୍ଭର କରନ୍ତି କୃଷି ଓ ଶ୍ରମ ଉପରେ ।ଅଳ୍ପ କେତେଜଣ ଶିକ୍ଷିତ ଲୋକ ; ଗାଁ ବାହାରେ କେଉଁଠି ସବୁ ଚାକିରୀ କରନ୍ତି ।ଯେଉଁ ଲୋକଙ୍କର ବିଶେଷ ଚାଷ ଜମି ନାହିଁ, ଅନ୍ୟ ଚାଷୀଙ୍କ ଜମିରେ ମଜୁରି ଖଟନ୍ତି, ଭାଗଚାଷ କରନ୍ତି ।କାମ ନ ମିଳିଲେ ବିଡି ଶ୍ରମିକ ଭାବେ ଗୁଜୁରାଣ ମେଣ୍ଟାନ୍ତି । କେନ୍ଦୁପତ୍ର ରେ ବିଡି ତିଆରି ହୁଏ ।ସେଥିପାଇଁ ବସନ୍ତ ଋତୁରେ କିଛିଲୋକ ପାଖ ବଣକୁ ଯାଇ କେନ୍ଦୁପତ୍ର ତୋଳନ୍ତି ।
ଗାଁ ମୁଣ୍ଡରେ ରହନ୍ତି ଅନ୍ୟ କେତୋଟି ପରିବାର ।ପୂର୍ବପୁରୁଷଙ୍କ ଚଳଣି କ୍ରମେ ଗ୍ରାମବାସୀଙ୍କ ସେବାରେ ଖଟିଥା'ନ୍ତି ।ପର୍ବପର୍ବାଣି ହେଉ କି ବିବାହ ବ୍ରତ ବା ଶୋଭାଯାତ୍ରା, ସବୁଥିରେ ସେମାନେ ଲୋଡ଼ା ହୁଅନ୍ତି ।ଢୋଲ ବଜାନ୍ତି ।ତାଙ୍କ ସେବା ପାଇଁ ଗ୍ରାମବାସୀ ମଧ୍ୟ କିଛି ଆର୍ଥିକ ସହାୟତା ଦିଅନ୍ତି ।ସେଇ ସାହିରେ ତିନିଝିଅ, ଦୁଇପୁଅ,, ସ୍ୱାମୀ, ଶାଶୁ ଶ୍ବଶୁର ଙ୍କୁ ନେଇ ବିମଳି ର ପରିବାର ।ମଧ୍ୟମ ବୟସ୍କା ହୃଷ୍ଟପୁଷ୍ଟ ଚେହେରାର ଗାଉଁଲି ସ୍ତ୍ରୀ ଲୋକଟିଏ ।ସ୍ୱାମୀ ତା'ର ଦିନ ମଜୁରିଆ ।ବଡ଼ଝିଅ ଦୁଇଜଣ ବାହା ହୋଇଗଲେଣି ।ତଥାପି ଜଣଙ୍କ ରୋଜଗାରରେ ଏତେଲୋକ ଚଳିବା ସମ୍ଭବ ନୁହେଁ ।ତେଣୁ ବିମଳି ବି ଅନ୍ୟମାନଙ୍କ କ୍ଷେତ ବାଡ଼ିରେ ମଜୁରି ଖଟେ ।ବଳକା ସମୟରେ ବିଡି ତିଆରି କରେ ।ତା'ର ଇଚ୍ଛା ଏ ବର୍ଷ କେନ୍ଦୁପତ୍ର ପାକଳ ହେଲେ ଅଧିକ କିଛି ସଂଗ୍ରହ କରିବ ।ହେଲେ ଏଥର ବସନ୍ତଋତୁ ଆସିବା କ୍ଷଣି ଗାଆଁରେ ଆତଙ୍କ ଖେଳିଯାଇଛି ।ଜଙ୍ଗଲ କଥା ତେଣିକି ଥାଉ, ସନ୍ଧ୍ୟାବେଳେ ବି ଗାଁ ଦାଣ୍ଡରେ ଲୋକମାନେ ଯିବାଆସିବା କରିବାକୁ ପ୍ରମାଦ ଗଣିଲେଣି ।ଗ୍ରାମବାସୀଙ୍କ ଦୈନନ୍ଦିନ କାର୍ଯ୍ୟରେ ବାଧା ଉପୁଜୁଛି ।କଥା କ'ଣକି ପାଖ ଜଙ୍ଗଲରୁ ଗୋଟିଏ ଭାଲୁ ମହୁଲ ଫୁଲ ଖାଇବାକୁ ବେଳେବେଳେ ଗାଆଁ ଭିତରକୁ ଚାଲି ଆସୁଛି ।କୌଣସି କାରଣରୁ ସେ ହିଂସ୍ର ହୋଇଉଠିଛି ।କିଛିଲୋକ ତା' ଆକ୍ରମଣର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଲେଣି ।ଏହାର ପ୍ରତିକାର ଲାଗି ବନବିଭାଗ, ପୁଲିସ ଅଧିକାରୀଙ୍କ ପାଖରେ ବାରମ୍ବାର ଗୁହାରି କରି ଗ୍ରାମବାସୀ ଥକିଗଲେଣି ।ଅବଶ୍ୟ ଗାଁଲୋକ ମିଳିତ ଭାବେ ସେଇ ଭାଲୁ ର ମୁକାବିଲା କରିପାରନ୍ତେ ; କିନ୍ତୁ ସରକାରଙ୍କ ବନ୍ୟଜନ୍ତୁ ସୁରକ୍ଷା ନିୟମ ତାଙ୍କୁ ଦାଉ ସାଧୁଛି ।ସେମାନେ ଦରପାଠୁଆ ହେଲେ ମଧ୍ୟ ଜାଣିଛନ୍ତି, ବୁଝିଛନ୍ତି ସେଇ ଆଇନ ଅମାନ୍ୟର ଭୟାବହତାକୁ ।
ଏଭଳି ପରିସ୍ଥିତିରେ ବିମଳି ଆଉ କ'ଣ କରିବ ?ମୁଣ୍ଡକାନ ଆଉଁସି ଘରେ ବସିରହିଲା ।ସ୍ୱାମୀ ସହ ମିଶି ଦିନ କେତେ ବିଡି ବଳିଲା ;କିନ୍ତୁ କେତେଦିନ ଅବା ବିଡି ବଳିବେ !!ପୁରୁଣା ପତ୍ର ଯେତିକି ଅଛି ମାସ ଗୋଟାକରେ ସରିଯିବ ।ତେଣିକି ଛଅ ପ୍ରାଣୀ କୁଟୁମ୍ବ ବର୍ଷସାରା ଚଳିବେ କେମିତି ?ବିମଳି ଠିକ୍ କଲା, ଭାଲୁ ଭୟରେ ସେ ଆଉ ଘରକୋଣରେ ଲୁଚି ବସିବନି ।କାଲିଠାରୁ ଜଙ୍ଗଲକୁ ଯାଇ କେନ୍ଦୁପତ୍ର ତୋଳିବ ।ତେଣିକି ବିପଦ ଆପଦ କୁ ଠାକୁରେ ଭରସା ।
ପରଦିନ ବିମଳି ତରତରରେ ବାହାରିଗଲା ଜଙ୍ଗଲକୁ ।ସେଠାରେ ପହଞ୍ଚିବା ବେଳକୁ ସୂରୁଜ ଦେବତା କେଇ ହାତ ଉପରକୁ ଉଠିଗଲେଣି ।ପତ୍ର ଆଉ ଜାଳ ଆଶାରେ ଝରଣପୁର ଏବଂ ଅନ୍ୟ ଗାଆଁରୁ ଆସିଥିବା କିଛିଲୋକ ଗୋଟେ ଗୋଟେ ଜାଗାରେ ଆପଣା କାମରେ ଲାଗିଥା'ନ୍ତି ।ବିମଳି ଗୋଚ୍ଛାରୁ କେନ୍ଦୁପତ୍ର ତୋଳିବାରେ ଲାଗିଥାଏ ।ମଝିରେ ମଝିରେ ସେ ଏଣିକି ତେଣିକି ଚାହୁଁଥାଏ ।ଏମିତି ଗଛରୁ ପତ୍ର ସଂଗ୍ରହ କରୁ କରୁ ଅଧିକ ପତ୍ର ଆଶାରେ ସେ କେତେବେଳେ ଜଙ୍ଗଲ ମଝିକୁ ଚାଲିଗଲାଣି, ସେଥିକୁ ତା'ର ନିଘା ନାହିଁ ।
ହଠାତ୍ କିଛି ଦୂରରେ ଥିବା ଗୋଟିଏ ବୁଦାର ଡାଳଗୁଡ଼ିକ ଦୋହଲିବାକୁ ଲାଗିଲା ।ଶୁଭିଲା ଶୁଖିଲାପତ୍ର ର ଖସଖସ ଶବ୍ଦ ।କିଛି ସମୟ ପାଇଁ ଅନ୍ୟମନସ୍କ ହୋଇପଡ଼ିଥିବା ବିମଳି ଏଥର ତରକିଗଲା ।ସାମନାରେ ତା'ର ବିପଦ; ଅନୁମାନ କରି ସେ ଏଥର ସଳଖି ଠିଆହେଲା ।ଆରେ ସତକୁସତ ବୁଦା ଆଢୁଆଳରୁ ଭାଲୁଟା ତାକୁ ମୁହଁଟେକି ଚାହିଁଲାଣି ।ସେ ଏଇନେ କ'ଣ କରିବ ଯେ; ପତ୍ର ତୋଳିବା ନିଶାରେ ଜଙ୍ଗଲ ମଝାମଝିକୁ ତ ଚାଲି ଆସିଛି ।ପାଖରେ ଅନ୍ୟ କେହି ବି ଦେଖାଯାଉନାହାଁନ୍ତି ।ତା'ହେଲେ କ'ଣ ଭାଲୁ ଆକ୍ରମଣରେ ଆଜି ତା'ର ଜୀବନ ଯିବ ? ଘରେ ପିଲାଛୁଆ, ପରିବାର ଲୋକ କେଡ଼େ ହୀନିମାନ ହେବେ ।ଭାବୁଭାବୁ ମୁଣ୍ଡରେ ତା'ର ଝାଳ ଜମିଆସିଲା ।ଭୟରେ ତଣ୍ଟି ଅଠାଅଠା ବି ଲାଗିଲା ।
ସେ ଚିନ୍ତା କଲା, ଭାଲୁକୁ ଡରି କାନ୍ଦିଲେ ତ ଏଇନେ ଜୀବନ ଯିବ ।ପଛକୁ ଘୁଞ୍ଚିଲେ ବି ପ୍ରାଣର ଆଶା ନାହିଁ ।ହେଲେ ତାକୁ ସାମନା କଲେ ହୁଏତ ଅନ୍ୟ କିଛି ଫଳ ହୋଇପାରେ ।ନା, ଏ ବିପଦବେଳେ ସେ ଏମିତି ଡରିଯିବନି ।ତେଣିକି ଯାହା ହେଉପଛେ ସେ ଆଜି ଭାଲୁକୁ ସାମନା କରିବ ।ବିମଳି ମନରେ ସାହସ ସଞ୍ଚିଲା ।ପତ୍ର ସବୁକୁ ଅଣ୍ଟିରୁ କାଢ଼ି ତଳେ ପକାଇଦେଲା ।ଝାଡ଼ିଝୁଡ଼ି ହୋଇ ଲୁଗାକାନିକୁ ଟାଣକରି ଗୁଡ଼ାଇଲା ଅଣ୍ଟାରେ ।ତେଣେ ଭାଲୁ ବିମଳି ଆଡ଼କୁ ମାଡ଼ି ଆସୁଆସୁ କେଇହାତ ଦୂରରେ ଅଟକିଗଲା ।ସାଧାରଣତଃ ଭାଲୁକୁ ଦେଖିଲେ ଲୋକ ଛାନିଆ ହୋଇ ପଳାଇବାକୁ ଚେଷ୍ଟା କରନ୍ତି ;କିନ୍ତୁ ବିମଳି ନିର୍ଭୟରେ ଛିଡ଼ାହୋଇଥିବାଟା ଭାଲୁକୁ ଚିନ୍ତାରେ ପକାଇଦେଲା ।ଏମିତିରେ ଭାଲୁ ପ୍ରାୟ ସମୟରେ ତା'ର ଚାରିଟିଯାକ ଗୋଡ଼ରେ ବୁଲାଚଲା କରେ ।ତେବେ ଦରକାର ବେଳେ ସେ ଆଗ ଦୁଇଗୋଡ଼କୁ ହାତଭଳି ବ୍ୟବହାର କରିଥାଏ ।ଭାଲୁଟା ବିମଳିକୁ ନିରସ୍ତ୍ର ଦେଖି ହଠାତ ଆଗ ଦୁଇଗୋଡ଼କୁ ଟେକି ତା' ଉପରକୁ ଝାମ୍ପି ପଡ଼ିଲା ।ବିମଳି ତ ପ୍ରସ୍ତୁତ ହୋଇ ରହିଥିଲା ଆଗରୁ ।ସେ ଚଟ୍ କରି ଦୁଇ ହାତରେ ଭାଲୁର ଆଗ ଦୁଇଗୋଡ଼କୁ ଧରିନେଇ ପଛ ଗୋଡ଼କୁ ଜୋରରେ ଗୋଇଠାଏ ପକାଇଲା ।ଭାଲୁ ଅଚାନକ ଏମିତି ପ୍ରତିଆକ୍ରମଣ ର ଶିକାର ହେବବୋଲି କଳ୍ପନା କରି ନ ଥିଲା ।ସେ ଭୟଙ୍କର ଗର୍ଜ୍ଜନ କରି ଭିଡ଼ିମୋଡ଼ି ହେଲା ପ୍ରତି ଆକ୍ରମଣ କରିବାକୁ ।ବିମଳି କି ଆଉ ତାକୁ ଛାଡ଼ୁଛି ।ସେମିତି ଦମ୍ଭଧରି ଗୋଇଠା ପରେ ଗୋଇଠା ପକାଇ ପଛକୁ ଠେଲିବାକୁ ଲାଗିଲା ।
ଭାଲୁ ଆଉ ବିମଳି ମଧ୍ୟରେ ଲଢେ଼ଇ ଚାଲିଥାଏ ।ଭାଲୁ ବିମଳି ହାତମୁଠା ରୁ ମୁକୁଳି ପ୍ରତିଆକ୍ରମଣ କରିବାକୁ ବାରମ୍ବାର ଚେଷ୍ଟା କରୁଥାଏ ;କିନ୍ତୁ ବିମଳି ତାକୁ ସେ ସୁଯୋଗ ଦେଉ ନ ଥାଏ ।ସେ ନିଜର ସବୁତକ ବଳ ଆଉ ସାହସକୁ ଏକାଠିକରି ଭାଲୁ କୁ ପଛକୁ ଠେଲି ଚାଲିଥାଏ ତରତରରେ ।ସେମିତି ପଛେଇ ପଛେଇ କେତେଦୂର ନେଲାପରେ ଗୋଟିଏ ବଡ଼ ଖାଲ ଦେଖିଲା ବିମଳି ।ଆଉ ଅଧିକ କିଛି ନ ଭାବି ସେ ଏଥର ଭାଲୁ କୁ ଠେଲିଦେଲା ସେଇ ଖାଲ ଭିତରକୁ ।ଉପରୁ ଦୁଇ ଚାରିଟା ପଥର ତା' ଉପରକୁ ଫୋପାଡ଼ି ସାହାଯ୍ୟ ପାଇଁ ଜୋର୍ ରେ ପାଟିକଲା ।
ତେଣେ ବିମଳି ର ପାଟି ଓ ଭାଲୁ ର ଗର୍ଜ୍ଜନ ଶୁଣି ଦୂରରୁ କିଛିଲୋକ ଘଟଣାସ୍ଥଳକୁ ଧାଇଁଲେ ।କେଇ ମିନିଟ୍ ଭିତରେ ସେ ସ୍ଥାନରେ ଗ୍ରାମବାସୀଙ୍କ ଭିଡ଼ ଜମିଗଲା ।ଉପରୁ ଜାଲ ବିଛାଇ ସେମାନେ ଭାଲୁ କୁ ବାନ୍ଧିପକାଇଲେ ।ଏଥର ପୁଲିସ ଏବଂ ଜଙ୍ଗଲବିଭାଗ କର୍ମଚାରୀଙ୍କୁ ଫୋନ୍ କରାଗଲା ।ଗ୍ରାମବାସୀ ଭାଲୁ ଆତଙ୍କରୁ ରକ୍ଷା ପାଇଲେ ।
ସବୁରି ତୁଣ୍ଡରେ ବିମଳି ର ପ୍ରଶଂସା ।'ଗ୍ରାମୀଣ ନିରକ୍ଷର ମହିଳାଙ୍କ ଅସାଧାରଣ ବୀରତ୍ବ' ଶୀର୍ଷକରେ ଖବରଟି ସମ୍ବାଦପତ୍ରରେ ପ୍ରକାଶ ପାଇଲା ।ବିମଳି ର ଏ ଅପୂର୍ବ ସାହସିକତା ଏବଂ ଉପସ୍ଥିତ ବୁଦ୍ଧିକୁ ପ୍ରଶଂସା କରି ଜିଲ୍ଲାପାଳ ତାକୁ ପୁରସ୍କୃତ କଲେ ।
ତେଣୁ କେବଳ ବିଦ୍ୟା କିମ୍ବା ବଳ ନୁହେଁ, ଗଭୀର ଆତ୍ମବିଶ୍ବାସ ସହିତ ଉପସ୍ଥିତ ବୁଦ୍ଧି ହିଁ ମଣିଷକୁ ପ୍ରତିକୂଳ ପରିସ୍ଥିତିରୁ ରକ୍ଷା କରିଥାଏ ।ଧୈର୍ଯ୍ୟର ସହ କାର୍ଯ୍ୟ କଲେ ଅସମ୍ଭବ ମଧ୍ୟ ସମ୍ଭବ ହୋଇପାରେ ବିମଳି ଏକ ଉତ୍କୃଷ୍ଟ ଦୃଷ୍ଟାନ୍ତ ।