ତୋର ମୋର ବନ୍ଧୁ
ତୋର ମୋର ବନ୍ଧୁ
ଘରଚଟିଆ ଛୁଆ ତିନିଟିଙ୍କର ଆନନ୍ଦ କହିଲେ ନ ସରେ ।ଏତେଦିନ ପରେ ସେମାନେ ମା' ସାଥିରେ ବୁଲି ବାହାର ଦୁନିଆ ଦେଖୁଛନ୍ତି ।ଅବଶ୍ୟ କିଛିଦିନ ହେଲା ମା' ତାଙ୍କୁ ଖଣ୍ଡିଉଡ଼ା ଦେବା ଶିଖାଉଥିଲା ।ହେଲେ ଖୋଲା ଆକାଶ ତଳେ ଆଜିର ଏ ଉଡ଼ିବୁଲିବାର ମଜାଟା ତା' ଠାରୁ ନିଆରା ।
ଗାଁ-ଗଣ୍ଡା, ବିଲ-ବାଡ଼ି, ନଈ-ପୋଖରୀ, ଗଛଲତା ସବୁକିଛି ଦେଖାଇ ମା' ଘରଚଟିଆ ତା' ଛୁଆଙ୍କୁ ଚିହ୍ନାଇ ଦେଉଥାଏ ।କେତେ ପ୍ରକାର କୀଟପତଙ୍ଗ, ଶସ୍ୟଦାନା ଖୁଆଇ ଜଣାଉଥାଏ କେଉଁଟା ତାଙ୍କର ଖାଦ୍ୟ, କେଉଁଟା ନୁହେଁ ।ବାଟସାରା ଛୁଆମାନେ ଦେଖୁଥା'ନ୍ତି ଅନେକ ଜୀବଜନ୍ତୁଙ୍କୁ ।ମା' ଚିହ୍ନାଇ ଦେଉଥାଏ କିଏ ଶତ୍ରୁ, କିଏ ମିତ୍ର ; କାହା ସାଥିରେ ମିଶିବ, କାହାକୁ ଦେଖି ଲୁଚିବ, ଆଉ କାହାର ପାଖ ଆଦୌ ମାଡ଼ିବ ନାହିଁ ।
ଏମିତି ଉଡ଼ି ବୁଲୁବୁଲୁ ଛୁଆ ତିନିଟି ହାଲିଆ ହୋଇପଡ଼ିଲେ ।କୁନି କୁନି ଡେଣା ତାଙ୍କର ଘୋଳି ହୋଇଗଲା ।ଉଡ଼ିବାକୁ ଆଉ ମନ ବଳିଲାନି ।ତେଣୁ ମାଆକୁ ଜଣାଇଲେ ।ମା' ଘରଚଟିଆ କହିଲା-"ହଉ ଚାଲ, ସେଇ ପୋଖରୀ ତୁଠକୁ ।ଗଛ ଛାଇରେ ଘଡ଼ିଏ ବିଶ୍ରାମ ନେବା ।"ମା' ସାଥିରେ ଘରଚଟିଆ ଛୁଆ ତିନୋଟି ସେଇଠି ଓହ୍ଲେଇଲେ ।ପୋଖରୀରୁ ପେଟେ ଲେଖାଏଁ ପାଣି ପିଇ ଘଡ଼ିଏ ଥକା ମେଣ୍ଟାଇଲେ ।ସେତିକିବେଳକୁ ଗୋଟିଏ ଜୀବ ସାଇଁକିନା ଦୌଡ଼ି ତାଙ୍କ ପାଖଦେଇ ଗଛ ଉପରକୁ ଚଢ଼ିଗଲା ।ଦେହରେ ତା'ର କଳା ଧଳା ମିଶା ଗାର ।ତାକୁ ଦେଖି ଘରଚଟିଆ ଛୁଆଗୁଡ଼ାକ ଚମକିପଡ଼ି ମା' ପାଖକୁ ଘୁଞ୍ଚିଆସିଲେ ।ମାଆ ସେମାନଙ୍କୁ ସାନ୍ତ୍ୱନା ଦେଲା-"ଆରେ ଡରିକି ଏମିତି ଛାନିଆ ହୁଅନି, ସିଏ ପରା ମୋର ଗୁଣ୍ଡୁଚି ଭାଇ ;ହିସାବରେ ତୁମର ମାମୁଁ ହେବ ।ମନେ ରଖିଥାଅ, ସେ ତୁମମାନଙ୍କର କିଛି ବି କ୍ଷତି କରିବନି ।"
ମା' ଚଟିଆର କଥା ସରିନି କ'ଣଗୁଡ଼ାଏ ଉପରୁ ଆସି ତାଙ୍କ ଦେହରେ ପଡ଼ିଗଲା ।ମା' ଘରଚଟିଆ ଉପରକୁ ଚାହିଁଲା, ଦେଖିଲା ତାଳଗଛରେ ଝୁଲୁଚି ବସାଟିଏ ।ତା' ଭିତରୁ ବାଇଚଢ଼େଇ ଅସନାଗୁଡ଼ାକ ଫୋପାଡ଼ୁଛି ତଳକୁ ।ଘଟଣାଟା ଦେଖି ମା' ଚଟିଆର ମୁଣ୍ଡ କ'ଣ ହୋଇଗଲା ।ସେ ଚିହିଁକି ଉଠିଲା-"କିଲୋ ବାଇଚଢ଼େଇ, ତୋତେ କ'ଣ ଦେଖାଯାଉନି ?ଏମିତି ଅସନାଗୁଡ଼ା କିଏ କାହା ଉପରେ ପକାଏ ?ଆମେ ମାଆ ଛୁଆ ତୋର କ'ଣ ବିଗାଡ଼ିଥିଲୁ ଲୋ !!"
"ମଲା, ତୋ ସାଙ୍ଗରେ କଳି ଲାଗିବାକୁ କିଏ ବାଇରେ ବଇଚି ! ମୋ ଛୁଆପିଲାଙ୍କ ମଳ, ମୂତରେ ବସାଟା ପୂରିଥିଲା ।ଏଇନେ ମୋତେ ତର ମିଳିଲା; ମୁଁ ସଫା କରୁଥିଲି ।ତୋତେ କିଏ କହିଲା, ଏଇ ଗଛମୂଳରେ ଆସି ବସିବାକୁ ?"ବାଇଚଢ଼େଇ ଗରଗର ହୋଇ ଉତ୍ତର ଦେଲା ।
"ମୁଁ ମାନୁଛି, ତୋ ବସାକୁ ତୁ ସଫାସୁତୁରା କରିବା ଉଚିତ୍ ।ତା' ବୋଲି ବାହାରେ କିଏ ଅଛି କି ନ ଅଛି ଦେଖିବୁନି ।ୟା, ତା' ଉପରକୁ ମଳଗୁଡ଼ାକ ଫୋପାଡ଼ିବୁ ?ଏଇଟା ତୋତେ ଭଲ ଦିଶୁଛି !"ପୋଖରୀ ପାଣିରେ ଛୁଆମାନଙ୍କୁ ଗାଧୋଇ ଦେଉ ଦେଉ କହିଲା ମା' ଘରଚଟିଆ ।
"ଭାରି ଉପଦେଶ ଦଉଚୁଲୋ !ମୋ ବସା ମୁଁ ସଫା କରିବି, ବାହାରେ କିଏ ଗଲା ନ ଗଲା ନଜର ପକେଇବି କିଆଁ ?ମୋତେ ସେଥିରୁ କ'ଣ ମିଳିବ ?"
"ଉଚିତ କଥା ତ କହିଲି, ନ ମାନି କଳି କରିବାକୁ ବାହାରୁଛୁ କାହିଁକି ?ଏଇଟା କିନ୍ତୁ ଠିକ ନୁହେଁ ।"ବାଇଚଢ଼େଇ କଥା ଶୁଣି ମାଆ ଘରଚଟିଆ ଉତ୍ତର ଦେଲା ।
"ରଖ ମ ତୋର ନୀତିବାଣୀ ।ଆଲୋ, ତୁ ପରା ପକ୍ଷୀ ଜନମ ପାଇଚୁ ।ତତେ ଟିକେ ଲାଜ ନାହିଁ, ମଣିଷର ଘରେ ଯାଇ ମୁଣ୍ଡ ଗୁଞ୍ଜୁଚୁ ।ସେଥିରେ ପୁଣି ଏଡ଼େ ବହପ !!ରହିଥା' ଯାଉଛ ତୋ ପାଖକୁ ।ଦେଖିବି ତୋର କେତେ ଟାଣ ।"କହୁକହୁ ବାଇଚଢ଼େଇ ପୋଖରୀ ତୁଠକୁ ଉଡ଼ିଆସିଲା ।ପଛେ ପଛେ ତା'ର ଉଡ଼ି ଆସିଲେ କୁନିକୁନି ଛୁଆ ଦୁଇଟି ।
ମାଆ ଘରଚଟିଆ ଚିନ୍ତା କଲା- ୟା ସହ କଳିକରି ଏମିତି ଅଯଥାରେ ବେଳ ସାରିବ କିଏ ?ବରଂ ଏଇଠୁ ପଳେଇଗଲେ ଗଲା ।ତହୁଁ ସେ ତା'ର ଛୁଆମାନଙ୍କୁ କହିଲା-"ଆଜିର ବୁଲାବୁଲି ଏତିକି ।ଚାଲରେ ପିଲେ ଏଥରକ ଘରକୁ ଯିବା ।"
"ମୁଁ ଗଛ ଉପରେ ଥିଲି ବୋଲି ରାଉରାଉ ହଉଥିଲୁ ।ଏଥର ତଳକୁ ଆସିଲି ତ; ଲାଞ୍ଜ ଜାକି ପଳେଇବୁନି କେମିତି ? କଳିହୁଡ଼ି-ଚୋରଣୀ ।ତୁଟା ମଣିଷର ଧାନ, ମୁଗ ଚୋରେଇ ଖାଉ ।ଧୂଳିରେ ଗାଧୋଉ ।ଏଇନେ ମୋ ଆଗରେ ନିରିମଳି ଦେଖେଇ
ହଉଛ, ନୁହେଁ !!"ବାଇଚଢ଼େଇ ଦେହକୁ ଫୁଲେଇ କଠୋର କଣ୍ଠରେ ଜବାବ ଦେଲା ।
"ଆଲୋ, ମୁଁ କେବଳ ଧାନ, ମୁଗ ନୁହେଁ, ଫସଲରୁ ପୋକଜୋକ ବି ଖାଏ ।ମଣିଷ ମୋତେ ସେତିକି ଭଲପାଏ ବୋଲି ତା' ଘରେ ଥାନ ଦେଇଚି ରହିବାକୁ ।ତୁ କାହୁଁ ବୁଝିବୁ ମଣିଷପଣିଆ କ'ଣ ?ମୁଁ ବୁଝିଛି, ମଣିଷ ପାଖରେ ଥାଇ ଭଲ ଗୁଣ ଶିଖିଛି ।ତୁ କ'ଣ ଜାଣିନୁ, ଏଣେତେଣେ ଅସନା ଜିନିଷ ପକାଇଲେ ପରିବେଶ ଦୂଷିତ ହୁଏ ।ଆଉ ପରିବେଶ ଦୂଷିତ ହେଲେ ମୋର ଏକା କ୍ଷତି ହେବନି ମ, ତୋର ବି ହବ, ବୁଝିଲୁ !!"
" ଜାଣିଛୁ ଯଦି ଜାଣିଥା ।ମୋତେ ସେ ସବୁ ଆଉ ଜଣାନା ।ମୋ ମୁଣ୍ଡକୁ ଏଇନେ ପିତ୍ତ ଚଢ଼ିଚି ।ଦେଖିବୁ, ତୋ ଛୁଆଙ୍କୁ ଖୁମ୍ପିଦେବି !!"
କଳିକରିବାରେ ବାଇଚଢ଼େଇ ପୂରା ମଜ୍ଜି ଯାଇଥିଲା ।ଏଇ ମଉକାରେ ହଠାତ ଏକ ଛଞ୍ଚାଣ ଆସି ପଛପଟୁ ତା'ର ଗୋଟିଏ ଛୁଆକୁ ଝାମ୍ପି ନେଇଗଲା ।
ବାଇଚଢ଼େଇ ଏବେ କରିବ କ'ଣ ? ବିକଳ ହୋଇ ପାଟିକଲା-"କିଏ ଅଛ, ମୋ ଛୁଆକୁ ରକ୍ଷାକର ।"ଆଗପଛ ନ ଭାବି ସେ ଛଞ୍ଚାଣ ପଛେପଛେ ଉଡ଼ିଚାଲିଲା ।
ଆଖି ଆଗରେ ଏ ଅଘଟଣ ଦେଖି ମା' ଘରଚଟିଆକୁ ଭାରି ଦୁଃଖ ଲାଗିଲା ।ମଣିଷ ପାଖରୁ ଶୁଣିଥିବା ଭଲ କଥାଟିଏ ତା'ର ମନେ ପଡ଼ିଲା ।'ବିପଦବେଳେ ଅନ୍ୟକୁ ସାହାଯ୍ୟ କରିବା ଉଚିତ ।' ହଠାତ ଗୋଟିଏ ଉପାୟ ପାଞ୍ଚି ସେ କ'ଣଟାଏ ପୋଖରୀ ହୁଡ଼ାରୁ ଥଣ୍ଟରେ ଗୋଟାଇଲା ।ଏଥର ବାଇଚଢ଼େଇ ଛୁଆ ସହିତ ନିଜ ଛୁଆମାନଙ୍କୁ ଧରି ସେ ଫୁର୍ କିନା ଉଡ଼ିଚାଲିଲା ।ବାଟରେ ସବୁ ଛୁଆଙ୍କୁ ବାଇଚଢ଼େଇ ପାଖରେ ଛାଡ଼ିଦେଇ ଫିସ୍ ଫିସ୍ କରି କିଛି କଥା କହିଲା ।
ତା' ପରେ ଖଣ୍ଡେ ଦୂରରୁ ଛଞ୍ଚାଣକୁ ଶୁଣେଇ ଶୁଣେଇ କହିଲା-"ମଉସା, ଟିକେ ରହିଯାଅ, ଘଣ୍ଟାଏ ହେଲାଣି ଏ ବାଇଚଢ଼େଇ ମୋ ସହିତ ରାଉରାଉ ହେଉଥିଲା ।ତା' ଛୁଆକୁ ଧରିଆଣି ଭାରି ଭଲ କରିଛ ।ଏଇ ଖୁସିରେ ମୁଁ ତୁମକୁ ଏକ ଉପହାର ଦେବାକୁ ଚାହୁଁଚି ।" ଲେଉଟି ଚାହିଁଲା ଛଞ୍ଚାଣ ।ଘରଚଟିଆ କିଛି ଗୋଟେ ଥଣ୍ଟରେ ଧରି ତରତରରେ ତା'ରି ଆଡ଼କୁ ଆସୁଛି ।ସେ ଆକାଶରେ ପହଁରି କିଛି ସମୟ ଅପେକ୍ଷା କଲା ।
ମା' ଘରଚଟିଆ ଛଞ୍ଚାଣ ପାଖରେ ପହଞ୍ଚି କହିଲା-"ମଉସା ନମସ୍କାର ।ହେଇ ଦେଖ, ଏଇଟା ଗୋଟାଏ ଯାଦୁପର ।ମୁଁ ତମ ପାଇଁ ଆଣିଚି ।ଏହାକୁ ଡେଣାରେ ଖୋସି ଧରିଥିବା ଆହାରକୁ ତଳକୁ ପକାଇଦେଲେ, ତାହା ଚାରିଗୁଣ ବଡ଼ ହୋଇଯିବ ।ବର୍ତ୍ତମାନ ତୁମେ ଏହାକୁ ପରୀକ୍ଷା କରି ଦେଖିପାର ।"
"ଆରେ ଭାରି ଭଲକଥାତ ।ତା' ହେଲେ ଆଉ ଡେରି କରୁଛୁ କାହିଁକି ?"
ମାଆ ଘରଚଟିଆ ପରଟିକୁ ନେଇ ଛଞ୍ଚାଣ ଡେଣାରେ ଖୋସିଦେଲା ।ଏଥର ଛଞ୍ଚାଣର ମନ ଭାରି ଖୁସି ।ସେ ବାଇଚଢ଼େଇ ଛୁଆଟିକୁ ଯେମିତି ତଳକୁ ଛାଡ଼ି ଦେଇଛି, ଘରଚଟିଆ ଚଟକିନା ଯାଇ ଧରିନେଲା ତା' ଡେଣାରେ ।
ତେଣେ ବାଇଚଢ଼େଇ ପାଖରୁ ସୂଚନା ପାଇ ଦଳେ କାଉ ଠିକ ସେତିକିବେଳକୁ ଛଞ୍ଚାଣଆଡ଼କୁ ମାଡ଼ି ଆସିଲେ ।କଥା କ'ଣକି ଘରଚଟିଆ ଯାଦୁପର ନାଁରେ ଯେଉଁଟା ଛଞ୍ଚାଣ ଡେଣାରେ ଖୋସିଥିଲା ସେଇଟା ଥିଲା ଗୋଟିଏ କାଉର ପର ।'ଦୁଇଦିନ ତଳେ ନିଖୋଜ ହୋଇଥିବା କାଉଛୁଆକୁ ତା' ହେଲେ ଏଇ ଛଞ୍ଚାଣ ମାରି ଖାଇଛି' ମନେକରି କାଉଦଳ ତାକୁ ଆକ୍ରମଣ କରିବାକୁ ଗୋଡ଼ାଇଲେ ।
ଏଥର ଲାଜ, ଅପମାନ ଭରା କଣ୍ଠରେ ବାଇଚଢ଼େଇ ମା' ଘରଚଟିଆକୁ କହିଲା-"ଆଜି ତୋରି ଯୋଗୁଁ ମୋ ଛୁଆର ଜୀବନ ରହିଲା ସିନା ।ମୁଁ ଅଯଥାରେ ତୋତେ କେତେ ଟାଣକଥା କହୁଥିଲି ଲୋ ।ତୁ ସେ ସବୁକୁ ଜମା ମନରେ ଧରିବୁନି ।କାନମୋଡ଼ି ରାଣଖାଇ କହୁଛି, ଏଣିକି ଅସନା ଜିନିଷ ଆଉ କେବେ କାହା ଉପରକୁ ଫୋପାଡ଼ିବିନି ।"
"ହଉ ହେଲା, ମୁଁ ତୋ ଗାଳିକୁ କେତେବେଳୁ ଭୁଲି ଗଲିଣି ।ସେ ସବୁକୁ ମନରେ ରଖି ଲାଭ କ'ଣ ? ଏଣିକି ଆମେ କଳିଗୋଳ ନ କରି ପରସ୍ପର ବନ୍ଧୁ ଭଳି ଚଳିବା ।ତା' ହେଲେ ଆମ ପିଲାମାନଙ୍କ ଉପରେ ଏହାର ଭଲ ପ୍ରଭାବ ପଡ଼ିବ ।"
"ହଁ ଲୋ, ଏକବାରକେ ଠିକ କହିଛୁ ଆଜିଠୁ ତୋର ମୋର ବନ୍ଧୁ ହେଲେ ।ଏଥର ଚାଲ, ମା' ଛୁଆ ଚାରିହେଁ ଆମ ବସାଆଡ଼େ ଟିକେ ବୁଲି ଆସିବ ।"
ମାଆ ଘରଚଟିଆ ଛୁଆଙ୍କ ସହ ଏଥର ବାଇଚଢ଼େଇର ବସା ଅଭିମୁଖେ ଉଡ଼ିଚାଲିଲା ।