ବି. ନିରୁପମା

Children Stories Inspirational Others

4.5  

ବି. ନିରୁପମା

Children Stories Inspirational Others

ସାଥୀ ହେବ ତ ଏମିତି

ସାଥୀ ହେବ ତ ଏମିତି

4 mins
361



ସ୍କୁଲରୁ ଫେରି, ଜଳଖିଆ ଖାଇସାରି ଭାଇଭଉଣୀ ଦୁହେଁ ଘର ସାମନା ପଡ଼ିଆରେ ଖେଳୁଥାଆନ୍ତି ।ବଲଟାଏ ଫୋପାଡ଼ି ଧାଁ ଦୌଡ଼ କରୁଥା'ନ୍ତି ରିଶାନ ଆଉ ରିଦ୍ଧିମା ।ଏମିତି ଖେଳୁଖେଳୁ, ରିଶାନ ଜୋରରେ ଫିଙ୍ଗିଦେବାରୁ ବଲଟି ଯାଇ ପଡ଼ିଲା ରାସ୍ତା ସେ ପାଖ ଅଧାଗଢ଼ା ଘର ପାଖରେ ।ରିଦ୍ଧିମା ଦୌଡ଼ିଲା ବଲ ଆଣିବାକୁ ।ବଲ ଗୋଟାଉ ଗୋଟାଉ ଦେଖିଲା ସାମନାରେ ଦୁଇଟି ଛଉଛଉକା କୁନି କୁକୁରଛୁଆ। ଜୁଳୁଜୁଳୁ କରି ଚାହିଁଛନ୍ତି ତା' ଆଡ଼କୁ ।ଭାଇକୁ ପାଖକୁ ଡାକିଲା ରିଦ୍ଧିମା ।

     ଭାଇଭଉଣୀ ଦୁଇଜଣଙ୍କୁ ପାଖରେ ଦେଖି କୁକୁରଛୁଆ ଦୁଇଟି ଡରିଗଲେ କି କଅଣ, କୁଁ କୁଁ ହୋଇ ଦୂରକୁ ଘୁଞ୍ଚିଯାଇ ଗୋଟିଏ କୋଣରେ ଲୁଚିବାକୁ ଚେଷ୍ଟା କଲେ ।କୌତୁକିଆ କୁକୁରଛୁଆ ଦୁଇଟି ପିଲାଦୁହିଁଙ୍କୁ ଭାରି ପସନ୍ଦ ଆସିଲେ ।ରିଶାନ ଗୋଟିଏ ଛୁଆକୁ ଦୁଇହାତରେ ଟେକି ଆଣିଲା ।ରିଦ୍ଧିମା ବି ଅନ୍ୟ ଛୁଆଟିକୁ କୋଳେଇ ନେଇ ତା' ମୁଲାୟମ ଦେହକୁ ଆଉଁସିବାକୁ ଲାଗିଲା ।

   ରିଦ୍ଧିମା କହିଲା,"ଭାଇ, ଚାଲ ଏମାନଙ୍କୁ ଘରକୁ ନେବା ।"

    "ଉହୁଁ ଖାଲି ଘରକୁ ନେବାନି, ଘରେ ରଖି ପୋଷା ମନେଇବା ।"ରିଶାନ ଉତ୍ତର ଦେଲା।

   ପିଲାଙ୍କ ହାତରେ ଦୁଇଟି କୁନି କୁକୁରଛୁଆ ଦେଖି ମାଆ ଆଶ୍ଚର୍ଯ୍ୟ ହେଲେ ।ପଚାରିବାରୁ,କୁକୁରଙ୍କୁ ଘରେ ରଖିବାକୁ ଆଣିଛନ୍ତି ବୋଲି ବଡ଼ ଉତ୍ସାହରେ ଜଣେଇଲେ ସେମାନେ ।

     ପିଲାଙ୍କ ଆଗ୍ରହ ଦେଖି ମାଆ ତାଙ୍କୁ ବୁଝେଇବାକୁ ଚେଷ୍ଟା କଲେ, "କୁକୁର ଏକ ବିଶ୍ୱସ୍ତ ପ୍ରାଣୀ ବୋଲି ଆମେ ତାକୁ ଘରେ ରଖୁ ।ହେଲେ ଏଇ କୁକୁରଛୁଆ ଦୁଇଟି ଅତି ସାନ ଅଛନ୍ତି ।ମାଆକ୍ଷୀର ବ୍ୟତୀତ ଅନ୍ୟକିଛି ଖାଇବା ଶିଖି ନ ଥିବେ ।ତେଣୁ ତାଙ୍କ ମାଆକୁ ଛାଡି ରହିବେ କେମିତି ?ପୁଣି ଛୋଟ ଛୁଆ, ଘର ଅଗଣା ଅସନା କରିବେ ।ଏଠି ସେଠି ମୁହଁ ମାରିବେ ।"

ମାଆ କହୁଥା'ନ୍ତି, "ତମେମାନେ ବାପାଙ୍କ କ୍ରୋଧ ତ ଦେଖିଛ,ଘରେ କୁକୁର ରଖିବ କହିଲେ ସେ ନିଶ୍ଚୟ ବିରକ୍ତ ହେବେ ।"

    ବାପାଙ୍କ ରାଗକଥା ଚିନ୍ତାକରି ,ଅନିଚ୍ଛାସତ୍ତ୍ବେ ପିଲାଦୁହେଁ କୁକୁରଛୁଆଙ୍କୁ ନେଇ ସେଇ ଅଧାଗଢ଼ା ଘରେ ଛାଡ଼ିଦେଇ ଆସିଲେ ।

   କିଛିଦିନ ପରେ ମାଆ ଲକ୍ଷ୍ୟ କଲେ ଯେ ପିଲାମାନେ ତାଙ୍କୁ ଲୁଚିଲୁଚି କୁକୁରଛୁଆଙ୍କ ସହ ଖେଳୁଛନ୍ତି ।ଘରୁ ବିସ୍କୁଟ କେକ ନେଇ ସେମାନଙ୍କୁ ଖୁଆଉଛନ୍ତି ।କୁକୁରଛୁଆଙ୍କ ପ୍ରତି ପିଲାଙ୍କର ଏ ପ୍ରକାର ସ୍ନେହ ମମତା ଦେଖି, ମାଆ ସେମାନଙ୍କ ଖାଇବାପାଇଁ ପ୍ରତିଦିନ ଦୁଇପଟ ରୋଟିର ବ୍ୟବସ୍ଥା କରିଦେଲେ ।ଏଥିସହ ସେମାନଙ୍କ ସଂଗେ ଖେଳିବାବେଳେ ସାବଧାନ ରହିବାକୁ ପିଲାଙ୍କୁ ସତର୍କ କରିଦେଲେ ।

    ତା' ପରଠୁ ରିଶାନ ଆଉ ରିଦ୍ଧିମା ପ୍ରାୟତଃ ସେମାନଙ୍କ ସହ ଖେଳନ୍ତି ।

   ସେମାନେ ଯେତେବେଳେ ସ୍କୁଲ ଯିବାକୁ ବାହାରନ୍ତି, କୁକୁରଛୁଆ ଦୁଇଟି ତାଙ୍କ ପଛେ ପଛେ ସ୍କୁଲବସ୍ ପର୍ଯ୍ୟନ୍ତ ଛାଡ଼ିବାକୁ ଯାଆନ୍ତି।ପୁଣି ଫେରିବା ସମୟରେ ବସ ପାଖକୁ ଦୌଡ଼ି, ସେମାନଙ୍କ ଚାରି ପାଖରେ ଦୁଇଘେରା ବୁଲି ଲାଙ୍ଗୁଡ଼ ହଲାଇ ଘର ପର୍ଯ୍ୟନ୍ତ ପାଛୋଟି ଆଣନ୍ତି ।କେବେ ବି ଘର ଭିତରକୁ ପଶନ୍ତି ନାହିଁ । ପିଲାଏ ଘରୁ ଜଳଖିଆ ଖାଇ ବାହାରକୁ ବାହାରିବା ଯାଏଁ ଗେଟ ପାଖରେ ଜଗି ବସନ୍ତି ।

    ରିଶାନ ଆଉ ରିଦ୍ଧିମା ଖାଇବାକୁ ଦେଲାବେଳେ ସେମାନେ ଉପରକୁ ଡେଇଁ ବିସ୍କୁଟ ଧରିବାକୁ ଭଲ ପାଆନ୍ତି।ତୁ ତୁ କରି ଡାକିଦେଲେ ଲାଙ୍ଗୁଡ଼ ହଲାଇ ପାଖକୁ ଦୌଡ଼ି ଆସି ତାଙ୍କ କୁନି ନରମ ଜିଭରେ ଚାଟି ପକାନ୍ତି ।ଖେଳିବାବେଳେ ବଲ ଦୂରକୁ ଚାଲିଗଲେ ଦୌଡ଼ିଯାଇ, ଗଡ଼େଇ ଗଡ଼େଇ ନେଇ ଆସନ୍ତି ।ରିଶାନର ନିର୍ଦ୍ଦେଶରେ ପଛ ଗୋଡ଼ରେ ଛିଡ଼ାହୋଇ ନାଚ କରନ୍ତି ।ରାତିବେଳେ ସେଇ ଅଧାଗଢ଼ା ଘରେ ଯାଇ ମାଆ କୁକୁର ସହ ଶୁଅନ୍ତି ।ସକାଳ ହେଲେ ପୁଣି ବାହାରକୁ ଆସି ଖେଳାବୁଲା କରନ୍ତି ।

     କିଛିଦିନ ପରେ ରିଶାନ ଆଉ ରିଦ୍ଧିମାଙ୍କ ପଡ଼ିଶା ଘରେ ଗୋଟିଏ ନୂଆ ପରିବାର ଆସି ରହିଲେ ।ସେମାନଙ୍କ ଘରେ ତାଙ୍କ ବୟସର ଦୁଇଟି ଛୋଟପିଲା ।

    ସେଦିନ ଶନିବାର, ସକାଳୁଆ ସ୍କୁଲ ।ସ୍କୁଲସାରି ମଧ୍ୟାହ୍ନରେ ଘରକୁ ଫେରୁଥା'ନ୍ତି ଭାଇଭଉଣୀ।ହଠାତ କୁକୁରଛୁଆ ଦୁଇଟିଙ୍କ ବିକଳ ଚିତ୍କାରରେ ସେମାନେ ଚମକି ପଡ଼ିଲେ ।ଦେଖିବାବେଳକୁ ପଡ଼ୋଶୀ ଘରର ନୂଆମାଉସୀ ଠେଙ୍ଗାଧରି କୁକୁରଙ୍କୁ ଗୋଡ଼ାଉଛନ୍ତି ।ତାଙ୍କ ପିଲାଦୁହେଁ କୁକୁରଛୁଆଙ୍କୁ ଟେକା ଫୋପାଡ଼ି ଆନନ୍ଦରେ ତାଳି ମାରୁଥା'ନ୍ତି।

    ଭାଇଭଉଣୀ ଦୁହେଁ ଏ ଦୃଶ୍ୟ ଦେଖି ସହି ପାରିଲେନି।ତୁରନ୍ତ ପ୍ରତିବାଦ କଲେ ।

     ରିଶାନ କହିଲା,"ତମେମାନେ ଏ କୁକୁରଛୁଆଙ୍କୁ ବାଡ଼ାଉଛ କାହିଁକି ?ଏମାନେ ତୁମର କି କ୍ଷତି କଲେ ?ଏତେ ନିଷ୍ଠୁର ହେଲ କେମିତି ?"

   "ଏମାନେ ହେଉଛନ୍ତି ଆମ ପୋଷା କୁକୁର;ତୁମେମାନେ ତାଙ୍କୁ କାହିଁକି କଷ୍ଟ ଦେଉଛ ?"ରିଦ୍ଧିମା ପଚାରିଲା ।

    ସ୍ତ୍ରୀଲୋକଜଣକ ମୁହଁ ଛିଞ୍ଚାଡ଼ି ଜବାବ ଦେଲେ, "କ'ଣ କହିଲ-ଆମେ ନିର୍ଦ୍ଦୟ, ଆଉ ତମେମାନେ ଭାରି ଦୟାବାନ ମଣିଷଗୁଡ଼ାକ !ବୁଲା କୁକୁରଗୁଡ଼ା ଘରଭିତରକୁ ପଶି ଆସୁଛନ୍ତି, ମୋ ପିଲାଙ୍କ ଉପରକୁ ଚଢ଼ିଯାଉଛନ୍ତି-ଆଉ ପଚାରୁଛ କାହିଁକି  

ବାଡ଼ଉଛି !ବୁଲା କୁକୁରଙ୍କ ପ୍ରତି ଯଦି ଏତେ ଦରଦ ଉଛୁଳି ପଡ଼ୁଛି, ତେବେ ଘରକୁ ନେଇ ବାନ୍ଧି ରଖୁନ !ସତ ସତ କହି ଦଉଛି ,ଆଉ ଥରେ ଯଦି ଏ କୁକୁରଙ୍କୁ ମୋ ଘର ପାଖରେ ଦେଖିଛି, ତେବେ ଛୋଟା ନ କରି ମୁଁ ଛାଡ଼ିବିନି ।"

     ଭାଇଭଉଣୀ ଦୁହେଁ ଭଲକରି ଜାଣନ୍ତି, କୁକୁରଛୁଆ ଦୁଇଟି କେବେ ବି କାହା ଘରେ ପଶି ହଇରାଣ କରି ନ ଥିବେ ।ସେ ପିଲା ଦୁଇଟା ହେଲେ ବଦମାସ ।କୁକୁରଙ୍କୁ ବିନା କାରଣରେ କଷ୍ଟଦେଇ ମଜା ଦେଖୁଛନ୍ତି ।

    ରିଶାନ ଆଉ କିଛି କହିବାକୁ ଯାଉଥିଲା ;ହେଲେ ଦୂରରୁ ବାପା ଆସୁଥିବାର ଦେଖିପାରି, ଦୁହେଁ ଚୁପଚାପ ଘର ଭିତରକୁ ପଶିଗଲେ ।

     ସେଦିନ ମଧ୍ୟାହ୍ନରେ ଭାଇଭଉଣୀଙ୍କୁ ଖାଇବା ରୁଚିଲାନି।କୁକୁରଛୁଆଙ୍କ କଥା ଭାବି ମଉଳି ପଡିଥାଏ ସେମାନଙ୍କ ମୁହଁ ।ଖାଉ ଖାଉ ରିଦ୍ଧିମା ପଚାରି ଦେଲା, "ବାପା, ବୁଲାଜୀବଙ୍କୁ କ'ଣ ବିନା କାରଣରେ କେହିବି ଆଘାତ ଦେଇ ପାରିବେ ?ଆମେମାନେ କିଛି ବି କହି ପାରିବାନି କି କରିପାରିବାନି ?"

   ବାପାଙ୍କ ପାଖରେ ଉତ୍ତର ନ ଥିଲା, ସେ କିଛି ବି କହିଲେନି ।

    ଅପରାହ୍ଣରେ ବାପା ବଜାରରୁ ଫେରିଲେ ।ରିଶାନ ଆଉ ରିଦ୍ଧିମାକୁ ପଡ଼ିଆକୁ ନେଇ କୁକୁରଛୁଆ ଦୁଇଟିକୁ

ପାଖକୁ ଡାକିବାକୁ କହିଲେ ।ସେମାନେ ତୁ ତୁ କରି ଡାକ ଦେବାରୁ

ଛୁଆ ଦୁଇଟି ଲାଙ୍ଗୁଡ଼ ହଲାଇ ଧାଇଁ ଆସିଲେ ।

    ବାପା ପଚାରିଲେ, "ତମେମାନେ ଏଯାଏଁ ଏ ଦୁହିଁଙ୍କର ନାଆଁ ଦେଇନ କେମିତି ?ଏବେ ସେମାନଙ୍କ ପାଇଁ ଭଲ ନାଆଁ ଦୁଇଟା ବାଛ ।"

    ଗୋଟିଏ ଛୁଆକୁ ଦୁଇ ହାତରେ ଟେକିଧରି ରିଦ୍ଧିମା କହିଲା, "ଏ ହେଉଛି ଲେସଲି ।" ରିଶାନ ଅନ୍ୟ ଛୁଆଟିର ନାଆଁ ରଖିଲା ଆଲଫା ।

   ପକେଟରୁ ଦୁଇଟି ଚମଡ଼ା ଫିତା କାଢ଼ି ପିଲାଙ୍କ ହାତକୁ ବଢ଼େଇ ଦେଉଦେଉ ବାପା କହିଲେ, "ନିଅ, ଏଥିରେ ସେମାନଙ୍କ ନାମ ଲେଖି ତାଙ୍କ ବେକରେ ବାନ୍ଧି ଦିଅ ଆଉ ଏ ପ୍ୟାକେଟରୁ ବିସ୍କୁଟ କାଢ଼ି ଖାଇବାକୁ ଦିଅ ।ଏବେଠୁ ସେମାନେ ଆମ ପୋଷାକୁକୁର । ଆଉ କେହିବି ସେମାନଙ୍କୁ ଅକାରଣରେ ଆଘାତ ଦେବେନାହିଁ ।"

     ରିଶାନ ଆଉ ରିଦ୍ଧିମା ଅତି ଆନନ୍ଦରେ ବେକଫିତା ଉପରେ ମାର୍କର ପେନରେ ନାମଲେଖି ସେମାନଙ୍କ ବେକରେ ବାନ୍ଧିଦେଲେ ଓ ବିସ୍କୁଟ ଖାଇବାକୁ ଦେଲେ ।

    ବାପା ସ୍ପଷ୍ଟ କରିଦେଲେ, "ତୁମେଦୁହେଁ କୁକୁରଛୁଆଙ୍କ ସହ ଏଇ ପଡ଼ିଆରେ ଖେଳିବ; ହେଲେ ଖେଳିବାବେଳେ ସେମାନଙ୍କ ନଖ ଓ ଦାନ୍ତ ପ୍ରତି ସାବଧାନ ଥିବ ।ଘରକୁ ଫେରିଲେ ହ୍ୟାଣ୍ଡୱାସରେ ଭଲଭାବରେ ହାତ ଗୋଡ଼ ଧୋଇବ ।

ସେମାନେ ଆମଘରେ ବନ୍ଧାହୋଇ ରହିବେନି, ସେଇ ଅଧାଗଢ଼ା ଘରେ ରହିବେ ।ତୁମେ ଘରୁ ଖାଦ୍ୟ ନେଇ ସେଇଠି ଦେଇ ଆସିବ ।"

     ପିଲାଦୁହିଁଙ୍କ ସହ ଆଲଫା ଓ ଲେସଲିଙ୍କ ନିବିଡ଼ ବନ୍ଧୁତା ଦେଖି କଲୋନିବାସୀ ଚମତ୍କୃତ ହେଲେ ।ଏବେ ସଭିଏଁ ମିଳିମିଶି ନିଜ ଘରର ବଳକା ଖାଦ୍ୟକୁ କୁକୁରଛୁଆ ଦୁଇଟିଙ୍କୁ ଖାଇବାକୁ ଦିଅନ୍ତି ।ପଡ଼ୋଶୀ ଘର ନୂଆ ମାଉସୀ ବା ଏଥିରୁ ବାଦ ପଡ଼ନ୍ତେ କିପରି ।


Rate this content
Log in