ସେଇ ଘରଟିରେ ଜନମ ମୋର
ସେଇ ଘରଟିରେ ଜନମ ମୋର


କେବଳ ଅନୁପମା ନୁହେଁ ତାଙ୍କ ପରିବାରର ସମସ୍ତଙ୍କ ଲାଗି ସେ ସ୍ଥାନର ଖୁବ ଗୁରୁତ୍ୱ ଥିଲା, ଅଛି ରହିଥିବ ମଧ୍ୟ ।ସେଇ ସ୍ଥାନରେ ଛିଡ଼ା ହୋଇଥିବା ଆଜବେଷ୍ଟସ ଘର ଆଗେ ଥିଲା ଚାଳ ଛପର ।ଧଳା ଚକଚକ ମାଟି ଲିପା କାନ୍ଥର ଘର ।ସାହିର ଛକ ସ୍ଥାନରେ ଘରଟି ଥିବାରୁ ତିନି ଦିଗକୁ ମାଟି ରାସ୍ତାଥାଏ ।ପୂର୍ବ, ଉତ୍ତର ଓ ଦକ୍ଷିଣ ଦିଗକୁ ।ପଶ୍ଚିମରେ ରାସ୍ତା ସେପାଖେ ଅନ୍ୟ ଜଣଙ୍କ ବାଡ଼ି ।
ସେଇ ଘରଟିରେ ଜେଜେବାପା ଜେଜେମାଙ୍କ ସହ ଅନୁପମାର ବାପା ମାଆ ରହୁଥିଲେ ।ଆର ଖଞ୍ଜାରେ ବଡ଼ବାପା ଆଉ ତାଙ୍କ ପରିବାରବର୍ଗ ।ଚଳଣି କିନ୍ତୁ ଉଭୟପଟରେ ହେଉଥିଲା ।
ଅନୁପମାର ମାଆ କହନ୍ତି, ସେ ଯେତେବେଳେ ତା' ବାପାଙ୍କ ହାତଧରି ବୋହୂ ହୋଇ ଆସିଲେ ଏଇ ସ୍ଥାନରେ ଥିବା ଘରଭିତରକୁ ତାଙ୍କୁ ପାଛୋଟି ନିଆଯାଇଥିଲା, ବାଜା ହୁଳହୁଳି ସହିତ ।ବାହାଘରର ଦେଢ଼ ବର୍ଷ ପରେ ସେଇ ମାଟି ଘରେ ଅନୁପମାର ଜନ୍ମ ।ଆଶ୍ୱିନ ମାସ ଏକ ଗୁରୁବାର ଅପରାହ୍ଣରେ ।ବାପା ଭୁବନାନନ୍ଦବାବୁ ଜଣେ କର୍ତ୍ତବ୍ୟନିଷ୍ଠ ଶିକ୍ଷକ ।ଘରଠାରୁ ଚାଳିଶ କିଲୋମିଟର ଦୂରରେ ରହୁଥିଲେ ।ଚିଠି ଦିଆଯାଇଥିଲା ଡାକରେ ଝିଅ ଜନ୍ମ ବିଷୟ ଉଲ୍ଲେଖ କରି; କିନ୍ତୁ ତାଙ୍କ ନିକଟରେ ପହଞ୍ଚିବା ଆଗରୁ ଶନିବାର ଦିନ ସେ ଘରକୁ ଫେରିବାରୁ ଶୁଭ ଖବର ପାଇଲେ ।
ତାଙ୍କ ଘରକୁ ଲକ୍ଷ୍ମୀ ବିଜେ କରିଛନ୍ତି,ସେ ବାପା ହୋଇଗଲେ କଥାଟା ଭାବି ଭାବି ରାତି ସାରା ଭୁବନାନନ୍ଦବାବୁଙ୍କୁ ଠିକରେ ନିଦ ହେଲାନାହିଁ ।ସୋମବାର ନିଯୁକ୍ତି କ୍ଷେତ୍ରରେ ପହଞ୍ଚି ଶୁଭ ସୂଚନାଟି ସହଯୋଗୀ ଶିକ୍ଷକଙ୍କୁ ଜଣାଇବା ସହ ଝିଅର ନାମ କଣ ରଖିବେ ବୋଲି ମତ ଲୋଡ଼ିଲେ ।ଗୁଡ଼ାଏ ସରିକି ନାମ ପ୍ରସ୍ତାବ ଆସିବା ଓ କଟିଯିବା ପରେ ଶେଷକୁ ଏଇ ଅନୁପମା ନାଆଁଟି ଅନୁମୋଦିତ ହେଲା ।ବନ୍ଧୁବାନ୍ଧବ ସାଇପଡ଼ିଶାଙ୍କ ଉପସ୍ଥିତିରେ ଝିଅର ଏକୋଇଶା ପାଳନ କରାଗଲା ।ମାମୁଁଘର ଆଈ ନୂଆ ପୋଷାକ ସହ ନାତୁଣୀ ପାଇଁ କୁନି ସୁନାହାରଟିଏ ଗଢ଼ାଇ ନେଇ ଆସିଥିଲେ ।
ମାଆ, ବାପା, ଜେଜେ, ଜେଜେମା ଓ ଅନ୍ୟମାନଙ୍କ ଆଦର ଯତ୍ନ ପାଇ ଅନୁପମା ଧୀରେଧୀରେ ବଢିବାକୁ ଲାଗିଲା ।ତା' ମାଆ କହନ୍ତି, ଦେଢ଼ମାସ ବେଳକୁ ସେ ହସିବା ଆରମ୍ଭ କରିଥିଲା ।ତା' ପରେ ଲେଉଟିବା, ଗୁରୁଣ୍ଡିବା, ବସିବା, କାନ୍ଥକୁ ଭିଡ଼ି ଠିଆହେବା ଆଉ ଚାଲିବା, ସବୁକିଛି ସ୍ୱାଭାବିକ ଭାବେ ଠିକଣା ସମୟରେ ଅନୁପମାଠି ଦେଖାଯାଇଥିଲା ।
ଏମିତି ସମୟ ବିତିଚାଲିଥାଏ ।ଅନୁପମା ଟିକେ ବଡ଼ ହୋଇଗଲା ପରେ ମାଆଙ୍କ ସହ ବାପାଙ୍କ କର୍ମସ୍ଥାନକୁ ଗଲା ।ସେଠାରେ ସେମାନେ ଏକ ଭଡ଼ାଘରେ ରହିଲେ ।ନିକଟ ଅଞ୍ଚଳରେ ଚାକିରି କରୁଥିବା ଆଉ ଦୁଇଜଣ ପଡ଼ୋଶୀଙ୍କ ପରିବାର ସମେତ ଘରମାଲିକ ମଧ୍ୟ ରହୁଥିଲେ ସେଇ ପାଖାପାଖି ।ବିଦ୍ୟାଳୟଛୁଟି ପରେ ଅନୁପମାର ବାପା ଘରମାଲିକ ଇଞ୍ଜିନିୟର ଶୁଭକାନ୍ତବାବୁଙ୍କ ତିନି ପିଲାଙ୍କ ସହ ଅନ୍ୟ କିଛି ଛାତ୍ରଛାତ୍ରୀଙ୍କୁ ଟିଉସନ ପଢ଼ାନ୍ତି ।ଲକ୍ଷ୍ୟ ଅଳ୍ପ ଖର୍ଚ୍ଚରେ ଏଠି ପରିବାର ଚଳେଇ ଅଧିକ ଅର୍ଥ ଗାଆଁରେ ଭାଇ ଓ ପରିବାରବର୍ଗଙ୍କୁ ପ୍ରଦାନ କରିବା ।ଏ ଧାରା ବରାବର ଚଳି ଆସୁଥାଏ ମଧ୍ୟ ।ଅନୁପମାର ମାଆ ଅଳ୍ପ ଗଣ୍ଡାଏ ଖାଇ ପଛେ ରହିଯା'ନ୍ତି କେବେ ସେଥିରେ ପ୍ରତିବାଦ କରନ୍ତିନି ।ବରଂ ଗାଆଁରୁ ପୁତୁରାମାନଙ୍କୁ ଆଣି ପାଖରେ ରଖି
ଜିଲ୍ଲା କଲେଜ, ଓ ବିଦ୍ୟାଳୟରେ ପାଠ ପଢ଼ାନ୍ତି ।ଶାଶୁ ଶ୍ବଶୁର ମଧ୍ୟ ଆସନ୍ତି ।ଶ୍ୱଶୁର ମାସ ମାସ ଧରି ରହିଲେ ମଧ୍ୟ ବୋହୂ ତାଙ୍କ ସେବା କରିବା, ଠିକ ସମୟରେ ଖାଇବା ପିଇବାରେ କେବେ ହେଳା କରନ୍ତିନି ।ନିଜେ ସମ୍ଭ୍ରାନ୍ତ ଘରର ଝିଅ, କିନ୍ତୁ ସେଥିପାଇଁ ଶାଶୁଘର ଲୋକଙ୍କୁ ହେୟ ମଣନ୍ତିନି ।
ଭୁବନାନନ୍ଦବାବୁ ଖୁବ ସ୍ନେହ କରନ୍ତି ଅନୁପମାକୁ ।ଝିଅର କୁନି ଓଠରୁ ଝରି ଆସୁଥିବା ଅନେକ ପ୍ରଶ୍ନର ଉତ୍ତର ଦେବାସହ କାହାଣୀ, କିମ୍ବଦନ୍ତୀ, ବଡ଼ମଣିଷଙ୍କ ଜୀବନୀ ସହଜ ସରଳ ଭାଷାରେ କହିଚାଲନ୍ତି ସମୟ ସାଉଁଟି ।ମାଆ ବି ବାପାଙ୍କୁ ଏଥିରେ ସାହାଯ୍ୟ କରନ୍ତି, ଅନୁପମାର ଯତ୍ନ ନେବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କ ଦାୟିତ୍ୱ ବୁଝନ୍ତି ।
ଜେଜେବାପା ନାତୁଣୀକୁ ଧରି ଆଖପାଖରେ ବୁଲନ୍ତି ।ସେଠିକା କେତେଜଣ ପଡ଼ୋଶୀ ଘରପିଲା ଅନୁପମାର ସାଙ୍ଗ ପାଲଟିଗଲେଣି ।ସେମାନଙ୍କ ଘରକୁ ସେ ବେଳେବେଳେ ବୁଲିବାକୁ ଯାଏ । ମାଆ କଥା ମାନି ସାବଧାନରେ ପାହାଚରେ ଛାତ ଉପରକୁ ଚଢ଼େ ।ସେଠି ଟୁନିନାନୀ ଘରେ ବଢ଼େଇ କାଠ କାମ କରୁଥା'ନ୍ତି ।ଅନୁପମା ପିଲାଙ୍କ ସହ ବଡ଼ ପିଢ଼ା ଧରି ପୁଅ ଖେଳ ଖେଳେ ଯେ ବାପା ସେ ବଢ଼େଇଙ୍କୁ କହି ଝିଅପାଇଁ ସାଗୁଆନ କାଠର ଏକ ସୁନ୍ଦର ଛୋଟିଆ ପିଢ଼ା କରିଦେଇଥିଲେ ।ଯାହାକୁ ସେ ଖୁବ ଭଲପାଏ, ଆଉ ଏ ଯାଏ ନୂଆଘରେ ବି ତାହା ସାଇତା ହୋଇ ରଖାଯାଇଛି ।
ଗାଁ ଘର ଭଳି ଧୀରେଧୀରେ ସେ ସ୍ଥାନ ଅନୁପମାକୁ ଖୁବ ନିଜର ଲାଗୁଥିଲା ।ତାକୁ ଚାରିବର୍ଷ ହେବାବେଳକୁ ବାପାଙ୍କର ବଦଳି ହୋଇଗଲା ଅନ୍ୟ ଏକ ବିଦ୍ୟାଳୟକୁ ତେଣୁ ସେମାନଙ୍କୁ ସେ ସ୍ଥାନକୁ ଛାଡ଼ିବାକୁ ପଡ଼ିଲା ।ବସରେ ଘରକୁ ଫେରିବାବେଳେ ଅନୁପମାକୁ ବହୁତ କାନ୍ଦ ମାଡୁଥିଲା ।ତା' ପରଠାରୁ ସେ ଯେବେବି ମାମୁଁଘରକୁ ବସରେ ଯିବାଆସିବା କରେ ବାପା ଝରକାରୁ ସେଇ ସ୍ଥାନକୁ ତାକୁ ଦେଖେଇ ଦିଅନ୍ତି ।ଗୋଟି ଗୋଟି ହୋଇ ମନେ ପଡ଼ିଯାଏ ତା'ର ସେଇ ସ୍ଥାନର ସ୍ମୃତିସବୁ ।
ଗାଆଁକୁ ଫେରିବା ପରେ ବଡ଼ଭାଇର ଜନ୍ମ ।ସେ ଅନୁପମାଠୁ ଚାରିବର୍ଷ ସାନ ।ଆଉ ତାକୁ ତିନିବର୍ଷ ହେବା ବେଳକୁ ସାନଭାଇ ଆସିଲା ।ତିନିଜଣଯାକର ଏନ୍ତୁଡ଼ିଶାଳ ସେଇ ଚାଳଛପର ଘରଟିରେ ।ତା' ସହ ଆହୁରି କେତେ ସୁଖ ଦୁଃଖ ହସଖୁସିର ଅନୁଭୂତି ଜଡ଼ିତ ।ପରବର୍ତ୍ତୀ ସମୟରେ ବଡ଼ବାପା ହେରିକା ତାଙ୍କ ପକ୍କାଘର କରିବାର ଅନେକ ବର୍ଷ ପରେ ଚଳିବାରେ ଅସୁବିଧା ହେବାରୁ ଭୁବନାନନ୍ଦବାବୁ ଏକ କୋଠାଘର ନିର୍ମାଣ କଲେ ।ସପରିବାର ନୂଆ ଘରକୁ ଚାଲିଆସିବା ପରେ କିଛି ବର୍ଷ ଚାଳ ଘରକୁ ଛପର କରି ରଖାଗଲା ।ଲୋକ ଅଭାବରୁ ଛପରଠିକ ସମୟରେ ହୋଇ ନ ପରିବାରୁ ପିଲାଙ୍କ ପରାମର୍ଶ କ୍ରମେ ଚାଳ ଘରଟିକୁ ଆଜବେଷ୍ଟସ ଛପର ସହ ପକ୍କା କରି ଦିଆଗଲା ।ଯଦିଓ ଅଧ୍ୟୟନ ଓ କର୍ମସମ୍ପାଦନ ଲାଗି ପିଲାମାନଙ୍କୁ ଅଧିକାଂଶ ସମୟ ବାହାରେ ରହିବାକୁ ପଡ଼ିଥାଏ ତେବେ ଗାଆଁକୁ ଆସିଲେ ସେମାନେ ସେ ପାଖକୁ ଯାଇ ଘେରାଏ ବୁଲି ଆସନ୍ତି ।ସାଥିରେ ଥିବା ନୂଆ ସାଙ୍ଗ ଓ ଅତିଥିଙ୍କୁ ହାତ ବଢ଼ାଇ କହନ୍ତି,"ହେଇ, ସେଇଟା ଆମ ଜନ୍ମସ୍ଥାନ, ଆମେ ଭାଇ ଭଉଣୀ ତିନିଜଣ ଯାକ ସେଇଠି ସେଇଘରଟିରେ ଜନ୍ମ ହୋଇଛୁ ।"
ଅନୁପମା ଆଉ ତା'ର ବାପା ମାଆବି ସେଇସ୍ଥାନଟି ସହ କଥିତ ପୂର୍ବୋକ୍ତ ଉକ୍ତି ଦୋହରାଇ ଅନ୍ୟକୁ ପରିଚିତ କରାନ୍ତି ।