Lopamudra Parida

Action Inspirational

4  

Lopamudra Parida

Action Inspirational

ମରା

ମରା

15 mins
232



ରାତି ପାହି ସକାଳ ହେଲା । ରତନା ଫେରି ନଥିଲା।

ତା ବୁଢ଼ୀ ମାଆ, ଆଉ ଧନ୍ତର ବୁଢ଼ା ବାପା ଦିଟା ଆଖିରେ ପାଣି ମାରି ବାଟ ଜଗି ଥିଲେ .... ସେଇ ଆମ ସଗର ବଂଶୀ ରାମକଥାର ଶ୍ରବଣ କୁମାର ବାପମାଆ ଭଳିଆ ।

ଝୁଲ... ରତନର ଗୋଟିଏ ବୋଲି ଭାରିଯା।

ଘଡି କି ଘଡି ଦାଣ୍ଡ ବାହାର ଟହଲୁ ଥିଲା ,ଟେଣ୍ଟେଇ ଚଢେଇ ପରିକା। ଛୁଆ ଦିଟା ବିରାଡ଼ି ପିଲା ପରି କାଉଁ କାଉଁ କରୁଥିଲେ ଅଗଣା ବାରି। ମାଇକିନିଆ ମନକୁ ତାର କେତେ କଥା ଏଣୁ ବୋଇଲେ ତେଣୁ ଘେରୁଥିଲା ।


ମନ ତଳେ ଡର ବସା ବାନ୍ଧେ .... ଦାନ୍ତ କିଲେଇ କିଏ ଗୋଟେ କାଢୁଆ ଦେଖାଏ ବାହାରୁ । ହେଲେ ଡର ମାଡିବସି ତା ଓଜନ ଜାହିର କରି । ଦାବିକି ଡରାଏ ଦବିକି ରହିଥିବା ଏଇ ହାଡ଼ ବିହୀନ ହୃଦୟଟିକୁ .... ଥରେଇ ଥାରେଇ କଡ ମଡ ଶଦ୍ଦ କରି ଭାଙ୍ଗି ଚୁନା ହବା ଯାଏ। ଡର ବେକ ମୂଳରେ ଦାନ୍ତ ଲଗାଏ। " ଗଲେଇଲି, ଗଳେଇଲି" ଘଗଡିଆ ସ୍ୱରରେ କହେ। ଜୋ ଡର ଗୟା, ୱ ମର୍ ଗୟା।ଦମ୍ଭର ପରୀକ୍ଷା। ଜୀବନ ଯାକରେ ହଜାରେ ପରୀକ୍ଷା।ବୁଢ଼ୀ ମାଆ ତାର ମାନସିକ ଟେକୁଥିଲା ଦିଅଁ ଦେବତା କୁ ଆକାଶ ମୁହାଁ ପରଳିଆ ଆଖିରେ ଲେଞ୍ଜେରା ସଙ୍ଗେ ଲୁହ ମିଶେଇ ।

ରତନା କିନ୍ତୁ ଫେରୁ ନ ଥିଲା ।

******

ଘୁମୁର କଳା ଅନ୍ଧାର। ଗାଢ଼ ତମାସିଆ ରଙ୍ଗ ପୃଥିବୀର ଛାତ ଯାକ କାନ୍ଥରେ ମଚ ମଚ କି ଗୋବର ଲିପିଲା ପରି ଅନ୍ଧାର ।ଚେତା ବୁଡିଗଲା ପରି ଲାଗିଲା ରତନ କୁ ଯେତେବେଳେ ସିଏ ଗାଁ ମୁଲକ ପଟକୁ ଦି ଦିନ ତଳେ ରାତି ଅଧିଆ କଣ ଟିକେ ହାତ ସଫେଇ କରିବ ବୋଲି ଯାଇଥିଲା। ପଚାରୁଚ କି , କାଇଁ ?

ପୁଛ ପୁଛ ନିତେଇ ଗୌର କୋ ପୁଛ ।

ଥୟ ଧର ହେ! ଆଗକୁ ବଖାଣିବା।

ଆମେ ତ ଦେଖିବା ନୟନ

ଯାହା ଦେଖିବା, ତାହା ଲେଖିବା।

ଛ ପ୍ରାଣୀ କୁଟୁମ୍ବ ତାର ।କୋଉ ଦାନା କନା ମନ ମୁତାବିକି ଯୋଗେଇ ହଏ କି ତାର ସେ ଅଦିନିଆ ନିୟଣ୍ଟିଆ ବେଉସାରେ !


ସ୍ତ୍ରୀର ଖୁଣ୍ଟା, ବାପର ଧାନ ଉଁସୁଆ ମୁହଁ, ମାଆର ଉଲୁଗୁଣ। ବୁଢ଼ା ହେଲେଣି ଯେ ପାଟି କି କିଛି ରୁଚୁନି ଆଉ ଏ କାଳେ। ଚେରେଇ ଗଲା ପରି ଦିହ ହାତ ଶୁଖି ବଳିତା ବଳିଲା ପରିକା ଦିଶିଲେଣି।

ଆଉ ଝୁଲ ! ଝୁଲର ସପନ ଦୋଳି ଖେଳିବା ବୟସ କଣ ଓହରି ଗଲାଣି ଏଡେ ସହଳ ! ତା ଝୁଲା ରେ ପରା ସପନ ଫୁଲ କଢ଼ ମେଲିବ ମେଲିବ ହଉଛି।

ରହିଲେ ପିଲେ ! ତାଙ୍କ କଥା ନ କହିଲେ ଭଲ । ଓଥରିଆ ଗୁଡା । ଅହଣ୍ଡିଆ ଗୁଡା । ଦୁର୍ଭିକ୍ଷିଆ ଚେହେରା। ଇଂରାଜୀ ଅକ୍ଷର " ପି" ପରିକା ଟୁମ୍ କି ପେଟ ଟା ପଞ୍ଜରା ବାହାରକୁ ଟାଇଟେଇକି ବାହାରିଥାଏ। କୁରୁମି ପୋକ ପରି ଜୀବନ ତାଙ୍କର ।


ଆଜି ଏଣା ନାହିଁ କାଲି ତେଣା ନିଅଣ୍ଟ। ଯେତେ ସ୍ୱେଦ ଏକାଠି କର, ଲୁଣ ପାଉନି। ସରୁ ନଅଙ୍କିଆ ଚଦରରେ କୋଉ ପାଦ ଲୁଚେ! ଭିଡି ହେଉଥାଏ ! କଙ୍କାଳିଆ ଡଙ୍କ। ଲବଣ ଖାଇଯାଇଥିବା ପୁରୁଣା, ତେଲବିହୀନ ଆଚାର ହାଣ୍ଡି ପରି ଦିହ ।କୁକୁର୍ ଛେଲିଆ ପତର ପରି ମୁହଁ ।

ପିଲା ଦିନୁ ଠାଉରିଆ ଗୁଣ ଟି ରତନାର ଚିକ୍କଣ କି ଦଇବ ଖଞ୍ଜିଥିଲା । ଏଡ଼େ ଖଞ୍ଜ ରେ ସିଏ ମାରିନଉଥିଲା ଯେ ସିଏ ବୁଲେଇଛି ବୋଲି ସ୍ଵୟଂ ମହାଦେବ ବି ବୁଦ୍ଧି ଲଗେଇ ଗୋଚରେ ଧନ୍ଦିି ଫନ୍ଦୀ ହେବେ ଯାହା ସିନା, ଠାବ କରି ପାରିବେନି । ଅବଗୁଣ ରେ ଗୁଣୀ ସିଏ। ନେଇ ଆଣି ଥୋଇ ଜାଣିଲେ ପରା ଏ ବିଦ୍ୟାଟି ଭଅଲ।

ହେଲେ ଆଜି ଯାହା ହେଲା, ଓହୋ ଦଇବ ସାହା ହେଇ ନଥିଲେ ଜୀବନ ନାଟିକା ଏଇଠି ସାଇକଲ ଚକ ମଡେଇ ହେଇ ଚେପା ଚାରି କାତିିଆ ଠୋ' ପଟସ ମଲା ବେଙ୍ଗ ପରିକା ହେଇଥାନ୍ତା ଜାଣି।


କଣ ସେ ଗୋସେଇଁ କହୁଥିଲେ ଟି ମନ୍ତର,ଜନ୍ତର, ଫନ୍ତର ମହାମନ୍ତର , ..... ହେ! ସେ ଗୁଳୁ ପୁସିଆ କଥାଗୁରା କା' ଭେଜା କୁ ଢୁକେ ହୋ ? କଳି ଯୁଗ ଉଦ୍ଧାର ମନ୍ତର । କହିଲେ କଣ ନା ଆକୁଈ ଗାଉଥିବ । ତ୍ରାହି ପାଇବ। ମୁକତି ଲଭିବ। ଆହୁରି କଣ କଣ କେତେ, ଵେତାରେ ବେତେ।


ହା ଫୁଶ୍ ! ଅହୋ! ଏ ସଂସାର ବୁଢ଼ୀଆଣି ଜାଲରୁ କିଏ ମୁକୁଳିଲାଣିି ନା ମୁକୁଳିବ! ଯେତେକ ଅବନ୍ତରିଆ କଥା। କିଏ ସବୁ ଏ ଭେଣ୍ଡିଆ ଗୋସେଇଁତକଙ୍କ କାନ ଭରୁଛି କେଜାଣି ! ଭାରିଜା, ବାଛୁରୀ, ବିଲ, ବଦାଡି,ଶଗଡ଼ ହଳ, ଛାଡ଼ି ଗଣ୍ଡା ଗଣ୍ଡା ହେଇ ଏଠିକୁ କିଆଁ ମାତରେ ! ଥୋଵରା କଥା ନୁହେଁ !ଆମର ପେଜ ମୁନ୍ଦାକର ଜୀବନ। ଖଟିଲୁ, ଖାଇଲୁ, ଗଲୁ ପୁଣି ଲେଉଟିଲୁ।


ପବନ ମାଇକିରେ ଘୋଷାରି ଆଣି ତା କାନ ପରଦାରେ ଥୋଇ ଦେଉଥିଲା ଝାଏଁ କରି କିଏସେ ଗୋଟା ଯେମିତି,

"ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ,

ହରେ ରାମ ହରେ ରାମ ରାମ ରାମ ହରେ ହରେ ।"

ମୁଣ୍ଡ ତାର ଝାଇଁ ମାରି ଯାଉଥିଲା ଅଂଶୁ ଘାତ ପୀଡିତ ପରି । କାନ ପରଦା ଫାଟି ଯାଉଥିଲା ଢୋଲ ଚମଡା ଢାଁ' କରି ଫାଟିଲା ପରି ।


ଗାମୁଛା ଟା ଭିଡ଼ି ଦେଇ କାନମୁଣ୍ଡା ସାରିକି , ସିଏ ଘାଇଁ ଘାଇଁ ପାହୁଁଣ୍ଡ ପକେଇଲା। ହେ ! ଏ ଗୁଡା ତାକୁ ମୋଟୁରୁ ପାଏନି। ଛେଃ! କୋଢିଆ କାମ।ହାତ ଗୋଡ ଥାଇ କୁରୁମ।

ରାତି ତ ଏଇଲେ ଘଡ଼ିଏ ଗଡିଛି, ଆହୁରି ତିନି ପହର ଅଛି। ତା ଯୋଜନା କୁ କାମ ପାଇଯିବ ଯେ । ବେଳ ବଢ଼ିଗଲେ ମାଇଲା। ସୂର୍ଯ୍ୟ ତୁରୁତୁରୁ ହେଇ ସବୁ ମୁଗୁର ପଛ ଫିଟେଇ ଦେବେ ରାତି ପାହୁ ପାହୁ।

ଘୋ ଘୋ ହେଇ କିଏ ସବୁ ବିଲ ପଦା ଆଡୁ ମାଡ଼ି ଆଇଲେ କି, ଯେମିତି ଅଷାଢେ ନନ୍ଦିଘୋଷ। କିଆ ବୁଦା କୋଣକୁ ଗୁଳ୍ କି ଗଳି ଗଲା ରତନା, ଦିହି ପହରିଆ ଏଁଡୁଅ ପରି।


ବାପୋ କିଲୋ କି ଠେଙ୍ଘା ବାଡି। ହାତା ହାତି ମରା ଚଢା ପୁରା ଦମରେ।

ହା ହା ରେ! କଥା କଣ ? ରୁହ ରୁହ ?

ଜଣା ପଡୁଛି କଣ ସହଜେ !

ହେ ଇୟେ ତ ସେଇ ଭଜନ କୀର୍ତ୍ତନ ମଣ୍ଡଳୀ ନା କଣ ! ନଦୀୟା ସେପରି ରୁ ଆସିଛନ୍ତି। ଗଙ୍ଗା ସାଗର ବୁଢ଼ ପକା ବାଆଜୀଙ୍କର କୋଳ ପଶା ଚେଲା ସବୁ। ଗୋଡ଼ ଘସା ଚାମୁଣ୍ଡା ଚେମେଣି । ଧ କହ....  ରକଟେଇ ଭିଡି କାମୁଡି ବିଦାରି ଦେବେ ଟି ! ହଁ। ।

କଣ ଵଲି ପାଇଲ କି !

ଏମାନଙ୍କର ଗୋଷ୍ଠି କନ୍ଦଳ ଟିଏ ଅଛି।

ଗୋଟେ ଗୋଷ୍ଠି ପ୍ରଥମେ କୋଉଥିରୁ ଗୋଟେ ଆରମ୍ଭ କରନ୍ତି ତ ଆଉ ଗୋଟେ ଗୋଷ୍ଠି ଆଉ ଗୋଟେ କୋଉ ଥିରୁ ।ଏଇ ବୁଦା ପଛ ଶିଆଳ ବି ୟାଙ୍କ ଠୁ ଭଲ। ତାର ନିର୍ଦ୍ଦିଷ୍ଟ ପ୍ରାକୃତିକ ନିୟମ ମାନିବା ଗୁଣ ଅଛି। ସିଏ ବାଧ୍ୟ ମାନିବାକୁ। ତା ଗାତ ତା ସଂସାର।

ଆଉ ଏମାନେ ନା ଘରକୁ ନା ଘାଟ କୁ। ମେଘ ଯୁଆଡେ, ଛାତ ସିଆଡେ। ମଠ ରେ ଖାଇ, ଖଟରେ ଶୋଇଲେ। ମହନ୍ତ ଗୋଡ଼ ପେଟ ଘସିଲେ।


ନାମଯଜ୍ଞ ଭଳି ଏକ ଲୋକ ସଂସ୍କୃତି ଓ ପରମ୍ପରାକୁ ଜାବୁଡି ଧରିଥିବା ଧାର୍ମିକ ଯାତ୍ରା ପର୍ବରେ ମୁଣ୍ଡ ପୁରେଇ ଏହାକୁ ଭୋଗୁଥିବା କେହି କଣ ଏମିତି ହୁଏ ? ଧର୍ମ ନାଁ ରେ ରାଜନୀତି।ଜୋର୍ ଯାର ମୁଲକ୍ ତାର।

ଏଇ ମେଳଣଟି ପାଇଁ ବିଭିନ୍ନ ଅଞ୍ଚଳରୁ ସଂକୀର୍ତ୍ତନ ଦଳ ନିମନ୍ତ୍ରଣ କରାହେଇଚି। ଆୟୋଜକଙ୍କ କ୍ଷମତା ଅନୁଯାୟୀ ପାଖ ଦଳ, ଦୂର ଦଳ, ଶସ୍ତା , ଦାମିକା , ଉଦ୍ଦଣ୍ଡ , ରଙ୍ଗୀନ, ଫୁଲ୍ ବୋବଲ୍, ମାଖା ଦଳ ସବୁର ଡିମାଣ୍ଡ । ଆଉ ଯୋଉ ଦରରେ ବାପ ୟାଙ୍କର ! ଟିପ ଦେଇ ହବନି ଟି ୟାଙ୍କ ଦିହରେ ଆଗେ ।

ପୁଣି ଆଜିକାଲିର ବହୁଳ ପ୍ରଚଳିତ ଡିସ୍କୋ ଦଳ ସହ ଅଣ୍ଟା , ଧାନକୁଟା, ଢ଼ିଙ୍କି କୁଟା,ଵିଛା ଦଂଶା,ବିଛୁଆତି ମରା ନାଚ ବାଲିଙ୍କ ଅତ୍ୟାଧୁନିକ ନାଚ ପରିବେଷଣର ଚାହିଦା କାହିଁ ରେ କଣ । ସେଥିରେ ପୁଣି ଅନ୍ଧାରିଆ ଲୁଚା ରାହାସ ଅଛି।ଛାଡ.... ଘୁଅକୁ ଟେକା ମାଇଲେ ମୁହଁ ରେ ପଡେ। ଆକାଶ ମୁହାଁ ଥୁ' କରିବା ରେ କି ବୁଦ୍ଧିମାନି ? ଆମେ ତ ଛାର ମଣିଷ, ଗୋଳିରେ ପଶି କୁଟା ଖାଇ ନିହାଲ ହଵା କାଇଁ। ଆଖି ରେ ତ କଳା ପଟ ବାନ୍ଧିଛେ ଜମେଇକି। ଅନ୍ଧ ଅଭିନୟରେ ସିଦ୍ଧ।

ମାଡକୁ ତ ମହାଦେବ ଵି ଡରିଵେ। ଆମେ କିଏ? ତୁଚ୍ଛ ପ୍ରାଣୀ ମାତ୍ର ପରା! ସେ କକରଥନିଆ କଥାକୁ କୋଉ ପାରିଵା ଯେ ଟାଙ୍କ ଭାଙ୍ଗିଵା!

ଆୟୋଜକଙ୍କ ସାମର୍ଥ୍ୟ ଅନୁଯାୟୀ ଅଷ୍ଟ ପ୍ରହରୀ ରୁ ଛପନ ପ୍ରହରୀ ଯାଏ ଚାଲୁଛି ।ଦଳ ମାନଙ୍କୁ ନିମନ୍ତ୍ରଣ ଦେବାକୁ ଯାଉଥିବା ଟୋକାଦଳ, କଳସ ଯାତ୍ରା ପାଇଁ ସଜ ହେଉଥିବା ଝିଅ ବୋହୁ, ସଂକୀର୍ତ୍ତନ ମଣ୍ଡଳୀକୁ ପୂତ ପବିତ୍ର ଓ ଧୂଳିହୀନ କରିବାକୁ ସ୍ବେଛାରେ ଗୋବର ଲିପୁଥିବା ସେଇ ଦରବୁଢ଼ୀ ମାଉସୀ ମାନେ, ସନ୍ତାନ ଆଶାୟୀ ନିଃସନ୍ତାନ ଦମ୍ପତ୍ତିଙ୍କ କର୍ତ୍ତା ହେବା ଆଗ୍ରହ , ଝିଅ ବାହାଘର ପାଇଁ ମାନସିକ କରିଥିବା କନ୍ୟା ପିତାମାତାଙ୍କ ଯଜ୍ଞ ସମାପ୍ତି ଯାଏ ମୌନ ବ୍ରତ, ବାରିକ କମାର, ବଢ଼େଇ, ଦରଜି ଆଦି ସହ ଦୈନନ୍ଦିନ ମଜୁରୀ କରୁଥିବା ଗାଁର ପ୍ରତ୍ୟେକ ଲୋକ ନିଜ ନିଜର କାମ ଧନ୍ଦା ଛାଡ଼ି ଭିଡ଼ି ପଡିଛନ୍ତି ଯଜ୍ଞ ଆୟୋଜନରେ। ଗାଁ ଟା ଯାକ ମଉଜ।ଗାଁ ଟା ଯାକରେ ଏହା ଅନୁଷ୍ଠିତ ଆନନ୍ଦ ।

ଏଇ ଦିନା କେତେ ଏକ ଛୋଟ କାଟିଆ ଯାତ୍ରା ଜମେ ଜାଣ। ନିଜ ନିଜର ବନ୍ଧୁ ବାନ୍ଧବଙ୍କ ଭିଡ଼ ଜମେ ପ୍ରତିଟି ଘରେ। ପ୍ରାୟତଃ ସାରାଟା ଗାଁ ବିଭିନ୍ନ କାର୍ଯ୍ୟରେ ନିଜ ନିଜକୁ ନିୟୋଜିତ ରଖିଥାନ୍ତି। ଏପରିକି କାହାରି ଘରେ ଦୁଇ ତିନିଦିନ ପ୍ରାୟ ଚୁଲି ଜଳେ ନାହିଁ। ସମସ୍ତେ ଏକାଠି ନାମଯଜ୍ଞ ପାଇଁ ରନ୍ଧା ହେଉଥିବା ପ୍ରସାଦ ପାଇଥାନ୍ତି। ରତନ ଘର ମନିଷ ତକ ବି ଧପାଳୀ ଥିବେ ଯେ ସେଠିକି ପିମ୍ପୁଡ଼ି ଧାଡ଼ି ଲଗେଇ ଟିକି ଥୋଵରେ ଗୁଡ଼ ବୋହିଲା ପରି । ହ ଯାଆନ୍ତୁ, ପେଟେ କି ହେଲେ ଖାନ୍ତୁ ଦିନେ ଅଧେ !


କେତେ ବୋଲି କେତେ କଥା ସେଣେ ଘଟିତ। ‌ହେଇଟି, ୟାଙ୍କୁ ଶଳେ ଦେଖ। ବୁଦ୍ଧି କେମିତି ଯୁଟୁଚି କେଜାଣି ଏମିତି ବେଳଟାରେ କଳିଗୋଳ କରିବାକୁ। ସେଣିକି ଯାନ୍ତେନି ଭାରି। ଏଠି ଅଲଣା ଟାରେ ରୋଳା! ତା ଅନୁକୂଳ ବିଗାଡିବା ଛଡା ଆଉ କରୁଛନ୍ତି କ'ଣ ଏରା ?

ବିରକ୍ତ ହେଉଥିଲା ରତନା ଵୁଦା ତଳୁ ମନେ ମନେ।

ଏଇ ତ ତାର ସୁବର୍ଣ୍ଣ ଖଣି ଖୋଜା ଅମୃତ ଵେଳା।

ଏମାନଙ୍କ ଠେଲା ପେଲା କେତେ ବାଟ ଯିବ କେଜାଣି। କେତେଟା ହାଣ ଖାଇ ସହିଦ୍ ହେବେ କି କେତେ ଜଣ ଜୀବନ ଫେରି ପାଇ କାଲିକା ଜହ୍ନ ଆଲୁଅ ଦେଖିବେ! ରତନା ତେଣେ ତରବର। ବେଳ ଥାଉ ଥାଉ ଟା ପାଇଟି ନ ସାରିଲେ ସକାଳକୁ ତାକୁ ଭଦ୍ର ମୁଖା ହେଇ ଖାଲି ହାତରେ ଲେଉଟିବାକୁ ହବ ସିନା!

ପଣ୍ଡ କରିଦେବେ ଯୋଜନା ଲାଗିଲାଣି । ଆଉ ଉଛୁର ହେଲେ ସନ୍ଧିକ୍ଷଣ ଚଢ଼ିବ।ଫରଚା ହେଲେ ନଭ ଯୋଜନା ଫସରମ୍ ଫାଟିମ୍।


ଏତିକି ବେଳକୁ କଣ ଗୋଟେ ସର୍ କିନା ତା ପାଦ ଉପର ଦେଇ ପଳେଇଗଲା। ସିଏ ହାଉଳି ଖାଇ ମାଙ୍କଡ ଡ଼ିଆଁଟେରେ ଖେପି ଆସି ସେ ଗହଳି ମଝିରେ। ଅନ୍ଧାରକୁ, କାହା ମୁହଁ କାହାକୁ ନ ଦୁସିଆକୁ ସମସ୍ତେ କିଲିବଲେଇ ଗଲେ ଗୋଟେ ଅଜଣା ଡର ଛୁଆଁରେ ।କିଏ ରତନା କୁ ଭୂତ ତ କିଏ ଭାଲୁ ଭାବି ଚିର୍ ଚିରେଇ ଗଲେ। ସିଏ ଯା ହଉ ଦିଅଁ ଯାହା କରନ୍ତି ପ୍ରାଣୀର ମଙ୍ଗଳ ଭଳିଆ ଏ ଗଣ୍ଡଗୋଳ ବାରୁଦ ସେଇଠୁ ପାଣି ଫାଟିଗଲା । ଆବଶ୍ୟ ଧୋବା ତୁଠରେ ଲୁଗା ପିଟା ଖାଇଲା ଭଳକା ଵହଟେ କୁଟି ପିଟି ଦେଲେ ତାକୁ ହାଉଳିକି,ପରେ ଯିଏ କୁଆଡେ ଛିଟିକି ଗଲେ।

ରତନାଟା ଚିତପଟାଙ୍ଗ ସେଇଠି ପଡ଼ି ରହିଲା ଚାରିକାତ ମେଲେଇ , ମାଟି ଚାଟି । ପିଣ୍ଡରେ କଲିଜା ଦୁକୁ ଡୁକୁ ହଉଥିଲା କି ନାଇଁ ଏଇଲେ ଜାଣିବାର କିଛି ଉପାୟ ନଥିଲା। ଜଳ ଥୋପାୟେ ସିଞ୍ଚିବାକୁ କାଉ ପିଲାଟେ ବି ନଥିଲା ତ ସେଠି! ମଲାଗଲା ହେଇ ଧୂଳି ଫୁଙ୍କୁ ଥିଲା ଅଗନାକ ଦଣ୍ଡି।

ରତନା ଉଠୁ ନ ଥିଲା।

*******

କିଏସେ କେଜାଣି! ଭାରି ଉଜ୍ବଳ ନାକ ନକ୍ସା। ସର ସର ତାଳ ପଟ୍ଟା ପରି ଉଚୁ ଲୋକଟିଏ କାହୁଁ ଉଭା ହେଲା ସେଠି।

ଯକ୍ଷ କି କିନ୍ନର ହେଇଥିଲେ ହେଇଥିବ‌ପରା !ହେଇବି ପାରେ କୋଉ ଦେବତା କି ଅଭିଶପ୍ତ କୋଉ ନାଗ କି ଲୋକ ଚରିତ୍ର । ମଣ୍ଡଳେ ଆଲୁଅ ତା ଦିହମୁହଁ ରୁ ଵିଛେଇ ହେଇ ପଡୁଥିଲା ପରା , ହଜାରେ ଭୋଲ୍ଟ ଇଲେକ୍ଟ୍ରି ଵଲ ଭଳିଆ ! କଳ୍ପନା କି ଭ୍ରମ ତ ବିଲୁକୁଲୁ ନୁହଁ।


ସିଏ ରତନାକୁ ଉଠେଇ ଝାଡି ଝୁଡ଼ି ଦେଲା। ପାଣି ଦେଲା। ବିଞ୍ଚି ଦେଲା ପଙ୍ଖାରେ । କୋଉ ଶୂନ୍ୟ ରୁ ଏତେ ଚିଜ ତୋଳିଲା କେଜାଣି! ସାଷ୍ଟମ ହେଲା ରତନ। ତରଟ ଆଖି ଖୋଲି ଅନେଇଲା। କିଛି କହିପାରିଲାନି କିନ୍ତୁ। ମେଲି ରହିଲା ସେମିତି ସେ ଆଖିକୁ ଆଁ ' କରି।

ସେ ମୂର୍ତ୍ତି ଆଙ୍ଗୁଳି ନିର୍ଦ୍ଦେଶରେ ରତନ କୁ ତାଙ୍କ ସହ ଚଲେଇ ନେଲେ ,କାଟ ପାଣି ପଡ଼ିଲା ପରି ଛାଏଁ ରତନା ଅନୁସରଣ କଲା। ପଛରେ ରହିଗଲା ଯାବତୀୟ ପୃଥି ।

ଯାବତ୍ ପୃଥିବୀ ।

ରତନା ନିଶ୍ଚୁପ। ସିଏ ଆରମ୍ଭ କଲେ ତାଙ୍କ ଆଡୁ ।

- ତମେ କିଏ ? ସେମାନେ କାଇଁ ମାରୁଥିଲେ ତମକୁ?

- ରତନା ମୋ ନାଁ । ଏଇ ମୋ ଗାଁ । ସେମାନେ ମତେ ନୁହଁ.... ନିଜ ନିଜ ଭିତରେ ମରା ମାରି ହେଉଥିଲେ।ମତେ କିଆଁ ମାରନ୍ତେ। ତାଙ୍କର ମୁଁ କଣ ଖାଇଲି ନା ଧାରିଲି ଯେ ମତେ ଟାରଗେଟ କରିବେ ?

ମୁଁ ତ ଅଲଗା କାମରେ ବହାରିଥିଲି।

ହେଲେ ତମେ କିଏସେ? ଗାଁରେ ତ କେବେ ଦେଖିନି। କାହା ଘର କୁଣିଆ କଣ ନା କ'ଣ ? ଯାତ ଦେଖିବାକୁ ଆଇଚ? ଏଇ ରାମ ନବମୀ, ପଣା ସଙ୍କରାନ୍ତି, ଝାମୁ, ବୈଶାଖ ଅଇଲେ ଇୟେ ସବୁ ହୟେ ଗାଁମାନଙ୍କରେ। ମୁଁ ମୋଟୁରୁ ମୁଣ୍ଡ ପୁରାଏନି ଏ ସବୁ ଧନ୍ଦାରେ । ତେଲି ନା,ଯା ପେଲି। ‌ନା ଧୋଇ ନା ମରୁଡି ମୋର ଏଥେରେ !

ଛାଡ! ତମ କଥା କୁହ। ତମର ଯୋଉ କାଚ ମାରେକା କାଟ ଯିଏ ଦେଖିବ ଆଗେ ଲୋଭେଇଯିବ ହଏ । ଛମୁଛାଡ କଲା ପରି ଛାଆଣ୍ଟ ଚେହେରା । ଆଉ ଯାହା କହ, ତମ ଆଖି ହଳକ ଭାରି ମନ ଟଣା।ଶୋ' ଳଣା ସତ ହେ !"

ତଳ ମୁହାଁ ହେଇ ଏତକ କହିଗଲା ରତନା।

ସିଏ ହସିଲେ ଖାଲି।

ଜଳକା ଭଳିଆ ରତନ ଚାହିଁ ରହିଲା ତାଙ୍କ ହୀରା ଖଣ୍ଡ ଝଲସା ମୁହଁକୁ।

ରତନ ଭାବିଲା ସିଏ ତ ତା ବାଟରେ ଯାନ୍ତା। ଏ ଲୋକଟା ତା ପଛରେ କାଇଁ ପଡ଼ିଲା। ସିଏ ତ ଏତେ ଗପୁନି। ରତନା କାଇଁ ମନକୁ ଏତେ ଖୋଳି ହଉଛି! ସିଏ ଯିଏ ଵଲି ସିଏ ହଉ, ତା' ଵାପର କି ଯାଏ!

ହେଲେ ସେ ସାନିଧ୍ୟ ପ୍ରତି ତାର ମାୟା ଯାଗୁଥିଲା । ସିଏ ଉଠି ଯାଇ ପାରୁଥିଲା କୋଉଠୁ! ମନ ଗୋଟିଏ ଵାଇଆ ମୁଣ୍ଡିଆ ଚିଜ। କେତେ ବେଳେ କାହାକୁ ରସି ଯିଵ କିଏ କ଼ିହିଵ! ଭୁଵନ ଯାକ ମଲ୍ଲି ଫୁଲ ପରି ଵାସିଲେ ଯାଇ ଵୁଝିଵ ଵାଇ କଲା।

ସିଏ ପୁଣି ପଚାରିଲେ,

- ତମେ କର କଣ?

- ଦିନମାନ ମଜୁରୀ, ଦୋକାନ, ଏ କଥା,ସେ କଥା। ଯାହା ଜୁଟିଲା।ଆଉ ରାତି କି.......

ହେଁ ମୁଁ କାଇଁ କହିବି ତମକୁ।

ତମେ ତ କିଏସେ ବୋଲି ପଚାରିଲିଣି ତେରଶ ଥର ,ସେତିକି ବି କହୁନ ?

ସିଏ ପୁଣି ହସିଲେ। ନିରୋଳ ହସ। ମୋହନ ହସ ।

ରତନା କୁ ଲୋକଟା ରହସ୍ୟମୟ ବୋଧ ହେଲା। ସିଏ ଛାତି ଟାଣ କଲା ମନ ଦମ୍ଭେଇ।ଯାଦୁଗର କିମିଆ ଗୁଣ୍ଡ ଉଡେଇ ଦଵ।ଵଶ କରି ମେଣ୍ଡା କରିଵ।ଵଳି ଖୁଣ୍ଟରେ ଯୋଚି ଦଵ।

ସିଏ ଯେମିତି ବୁଝି ଗଲେ ରତନା ଯାହା ଭାଵିଲା।ହସିଦେଇ କହିଲେ," ବିଶ୍ୱାସର‌ ମଞି ହି ତୁମକୁ ଗଢେ। ତୁମର ମନ ନେଇ ତୁମର ପ୍ରଭୁ।"

ଜହ୍ନ ପଡ଼ିଥିଲା ଜୋସ୍ନା ଖେଳେଇ। ମାଟିର ଅଙ୍କା ବଙ୍କା ହାତ ଲେଖା ଚିତା ପରି ଚଲା ପଥ ସବୁ ଆଗକୁ ବାଟ କଢ଼ଇ ନେଉଥିଲେ ସାଦରେ। କୋଉଠୁ କେଜାଣି ମହ ମହ ମିଠା ଅତର ପରି ହାଲୁକା ବାସ୍ନାଟେ ତାଙ୍କୁ ଜଗି ଜଗି ଚାଲୁଥିଲା ଅକ୍ଲାନ୍ତ ।


ନୀଳମାଧବ ଗପରେ ବସନ୍ତ ରଙ୍ଗୀ ରାଇଦାନା ଚକମକ କଲା ପରି ଅଜଣା ଘସା ଫୁଲ ସବୁ ଚିକିମିକି ଦଣ୍ଡା ଦଣ୍ଡା ହେଇ ହସୁଥିଲେ। ଜହ୍ନ ସୁନେଲି ଦିଶୁଥିଲା। ସୁନା ଗୁଣ୍ଡ ଝରାଉଥିଲା ଗାଢ଼ ନୀଳ ଆକାଶରୁ।

ଅତିଦୈବିକ, କି ଅତିଭୌତିକ କଣ ଗୋଟେ ଘଟୁ ଥିଲା। ସାଧାରଣ ମଣିଷ ବୁଦ୍ଧି ବାହାରେ କେତେ ଯେ କଥା ନ ଥାଏ ସତେ ! କେତେ ଟିକେ ମୁଣ୍ଡରେ ଆମର ପୁଣି କିଛି ନଥାଇକି ଡାଲାରେ ଡାଲାଏ ଅହମ୍।

ଦୂର ବନାନୀ ମହକୁ ଥିଲା ସ୍ବାଗତରେ କାହାର! ଦିଶୁଥିଲା ଗୋଟେ ମାୟାଵିନି ମହଲର ପଣତ ପରି। ପ୍ରଫୁଲ୍ଲିତ। ପ୍ରଲମ୍ଵିତ। ପୁଲକିତ।

ମାୟା ସବୁବେଳେ ହଜାଏନି ତୁମକୁ ଵାଟଵଣା କରାଇ ।

କେବେ କେବେ ହାତ ଧରି ଚଲେଇ ନିଏ ଠିକଣା ଜାଗାକୁ ମାଆ ପରି।


ଦେଵୀ ଯୋଗ ମାୟା।

ପୋଖରୀ ଉପରେ ଜହ୍ନ ଅଭିସାର କରୁଥିଲା ତାର ରୂପା ଚଦର ବିଛେଇ। ଗପୁଥିଲା ନିଶୀଗନ୍ଧା ମାନଙ୍କ ସହ ଟୁପ୍ ଟାପ୍। ଗଳିପଶି ନିଶିପଦ୍ମ ଛାତିରେ ଗୁଞ୍ଜି ହେଉଥିବା ଜୋସ୍ନା ସ୍ନାତ କାକର ମାନଙ୍କ ସହ ବାଦ ବାଢ଼ୁଥିଲା ରାତି ଅନ୍ଧାର ସହ ମିଶିଯାଉଥିବା ଷଟ୍ପଦ । ଭ୍ରମର ମାନଙ୍କୁ ଦେଖେଇ ଦେଉଥିଲା ଖଦ୍ୟୋତ ..... ଯାହାର ସ୍ତମିତ ଆଲୋକରେ ପୁଷ୍କରିଣୀ ଜଳ ଧାର ଦିଶୁଥିଲା ସ୍ବପ୍ନିଳ ।

ଶିଉଳୀମରା ତୁଠ ପଥର ଛାଡ଼ି ଆଉ ଗୋଟିଏ ଶଙ୍ଖମରମର ପାଲିସି ସିଂହାସନ ପରିକା ପଥର ଉପରେ ହାତ ଧରି ବସେଇଦେଲେ ସେଇ ନୀଳ ପୁରୁଷ ରତନାକୁ।ଏ ଅମୂଲ୍ୟ ଏଡେ ଖଣ୍ଡେ ପଥର କାହୁଁ ଅଇଲା? ଏଇ ତାଙ୍କରି ଗାଁ ତୁଠ ଟି! ରତନାର ଜାବ ପଡ଼ିଯାଇଥାଏ । ନା ଉଁ ନା ଚୁଁ । ଅପଲକେ ତ ଦେଖୁଥାଏ ଗଲା। ଆଚମ୍ବିତ ଅବସ୍ଥା। ମାୟା ମିରିଗ କିଏ ଛାୟା ମିରିଗ କିଏ.... ସିଏ ଭେଵେଳା ଏଇଲେ ।

କ୍ଷଣକେ ଚେତା, କ୍ଷଣକେ ଅଚେତା।

ତଳୁ ଗୋଡ଼ି ଗୋଟେ ଉଠେଇ ଖପ୍ କିନା ପାଣି ଉପରକୁ ଚଲେଇଦେଇ ଭଉଁରି କାଟି ପାଣି ଚହଲେଇ ଦେଲା ରତନା ।ଝିର୍ କି ସମ୍ମୋହନୀ ଶବ୍ଦଟେ ପଵନ ଯାକ ବୋଳି ହେଲା । ଘାସ ଖୁଣ୍ଟି ଖେଳୁ ଖେଳୁ ଭାବି ଭାବି କହିଲା ରତନା,

- " ଆଛା ତମେ ତ ସେ ଖଣ୍ଟ ଗୋସେଇଁ ମାନଙ୍କ ପରି ଦୁଶୁନ?"

ପୁଣି ଚେଦେଇ ହେଇ କହିଲା ," କଣ! ନାଟବାଲା ନା କଣ ବା ? ଭଲ ରଙ୍ଗଟା ମାଖେଇଛି ତମ ପାର୍ଟି ଆର୍ଟିଷ୍ଟ । ମୁହଁ ପୁରା ସାଇନି ମାରୁଛି। ଭୋର ଦେଖଉଛି ଚେହେରାଟା ଫୁଲୁ । ତମେ କୋଉ ପାର୍ଟ କରୁଛ ଯାତରେ ଟି ? ମେନେ ରୋଲ ବଧେ ? ଆଛା ତମ ମାଲିକ କିଏ କହିଲ? ସେପଟ ଆଳିପଦରର ସୋଇଁ ପୁଅ କି? କଟକି ପର୍ଟି ଧରିଛି ଏଥର, ନୁହଁ !ମୋଟାଅଙ୍କ ମାଲ ଛିଡେଇଥଵ ତ ? ଉଁ ଉଁ । କେତେ ରେ ପଟିଛ ? "

ହେଙ୍କେଡମି ତାର ଆହୁରି ନଈବଢ଼ି ପରିକା ବଢ଼ି ଥାନ୍ତା କି କଣ ନୀଳ ପୁରୁଷ ପଚାରି ବସିଲେ," ତମେ ଚୋରି କାଇଁ କର କୁହତ ।ତାହା ଯେ ପାପ । ଏ କଥା ଜଣା, ନା ନାହିଁ ? "


ରତନିଆ ଉତ୍ତର ଫେରାଏ," ଆଛା ? ପେଟ ପୋଷା , ନାହିଁ ଦୋଷ‌ । ମାଗିକି ଖାଉଛି କି? ମାଗଣା ରେ ପିଚୁ ପିଉଛି ? ହକ ଖଟଣି ମ ଧନ! ଆଉ ରୁହ ରୁହ ! ମତେ କାଇଁ ମାଗେଣା ଟାରେ ଖାଲି ଜେରା? ହାକିମ ଠଉ ଦରଗା ? ସ୍ତ୍ରୀ ଠଉ ବଚା ? କିଏ ଏଠି ଚୋର ନୁହଁ ହେ । ମତେ ସମତଙ୍କ ଗୁମର ଜଣା ଟି । ଅଇଲେ ! କହିଲେ କଣ ନା ଚୋର ! ଯେତେ ଅରଜିଲେ ଯୋଉ ହାଁ ହାଁ । ତାକୁ ସମ୍ଭାଳୁନ ! ନାଇଁ । ସେତ ବେଳକୁ ସବୁ ଚୁପ୍, ଛୁ ।

କେଉଟ ଧରେ ମାଛ, ଖାଏ କଙ୍କଡ଼ା । ଜଣିନ ? ମତେ କଣ ଭଲ ଲାଗୁଛି, ନା ଗେଲ ଲାଗୁଚି ଚୋର ଵୋଲେଇବାକୁ ! କେତେ ଛନକା, କେତେ ଡର ଭିତରେ ବଞ୍ଚୁଛି ମୁଁ ଜାଣୁଛି। କର୍ତ୍ତବ୍ୟ କର୍ମ କଥା ।କଲିଜା ଫେଡିବି କାହୁଁ ।ଆତ୍ମସମ୍ମାନ ଚୁଲିକି ଗଲାଣି ୟା ତା ଜଞାଳ କଷଣ ଭାର ସହୁ ସହୁ । "

ଦୀର୍ଘ ଶ୍ଵାସର ସମୟ।

ନୀଳ ପୁରୁଷ କୁହନ୍ତି," ତମ ସଭିଙ୍କ ଅଭିଯୋଗ ଅନନ୍ତ। ନୁହେଁ ! ଅପରିସୀମ ଅଭିଯୋଗ। ଅଜସ୍ର ଇଚ୍ଛା, ଆକାଂକ୍ଷା । ପ୍ରୁଥୀ ଯାକ ନେସା । ତେବେ କିଛି କହିବି .... ଯଦି ଚାହଁ ମନ ଦେଇ ଶୁଣି ପାର। ତୁମ ଉପରେ ଛାଡ଼ିଲି । ଶୁଣିବ? "

ଅବକବା ରତନ। ତାକୁ ଏତେ ଇଜ୍ଜତ ବକ୍ସି କିଏ ଆଜିଯାଏ ପଦେ କହେ ମ କୋଉ ଦିନ! ଏ ଲୋକ ଟା ଭଲ। ନିହାତି ଭଲ।ହଉ ଶୁଣିବା ତା କଥା ତାହେଲେ । ଆଉ ହେଳା ନାହିଁ । ଜୀବନରେ ତ ଅନାବନା କେତେ ଅଗାବଗାଙ୍କ ଠୁ ଶୁଣା ହଉଛି। ପ୍ରବଚନ, ଭାଷଣ, ଛଳନା , ସମ୍ବେଦନା,ଯାତନା ।

ଇୟେ ତ ଭଲ ମନିଷଟାୟେ ଲାଗୁଛି । ମନ ବି ଟାଣୁଛି । ଶୁଣାଯାଉ।

ଠେକୁଆ କାନ ଡେରିଲା ପରିକା ରତନା ତରକାକାନ ପାରିଲା ।

ସେଇ ପଟେ ଯୋଉ ମେଳା ବସିଛି ସିଏ କାହା ପାଇଁ ? "

ନୀଳପୁରୁଷ ଜିଞାସା ରଖିଲେ।

- ହଇଏ ତମେ ଓଡ଼ିଆ ଲୋକ ଟି ? ଏତିକି ଜଣିନା? ଆହେ ଏଇ ଚୈତ୍ର ମାସଟା ଜାକ ପରା ଏମିତି କେତେ କଣ ସବୁ ପଛକୁ ପଛ ଲାଗିଥାଏ। ମୋର ସେ ଦିଅଁ ଦେବତା, ପୁନିଅ ପରବ .... ପଶେନି ।ଯାଗା ଧରେନି ମଥା ଟିପିଣିରେ ।


ଇଟା ଦିମାଗ। ସିଏ ସବୁ ମରଦ ପିଲାଙ୍କ କାମ ନୁହଁ ମତେ ଲାଗେ। ହେଲେ ଏମିତିକା ଯେତେ ହବ ମୋର ସେତେ କଚେ ପୁଅ ବାର। ଲୋକେ ତେଣେ ମାତିବେ, ମୋ ହାତ ଏଣେ କୋଲପ ଓପଡ଼ିବାରେ ସେତେ ତାତିବ। ଭଲ ନା।"

ଗଭୀର ଚିନ୍ତିତ ଦିଶିଲା ଗମ୍ଭୀର ମୁଖ ନୀଳ ପୁରୁଷଙ୍କର। ସିଏ ହୋମୋ ପେଟକୁ ଘିଅ ଢଳା ହେଇଥିବା ଦିଗ କୁ ଚାହିଁ କହିଲେ,

," ଆଛା ତୁମକୁ କଣ ଲାଗୁଛି? ସେପଟେ ସବୁ କଣ ହେଉଥିବ ଏବେ? ଭକ୍ତି ନା ମୁକ୍ତି ନା ଆସକ୍ତି ? "

- ହ ! ଛାଡ ।ତମେ ଯାଅନି ସେପଟକୁ। ତାଙ୍କର ଯାହା କଲେ, କଲେ। ଆମର କି ଗଲା! ଆମେ ଏଇଠି ବସିବା। ତମ ସାଙ୍ଗରେ ବସିଲେ ଭାରି ଶାନ୍ତି କାଇଁ ଲାଗୁଛି ଗୋଟା। ଥାଉ ଆଜି ଆଉ ଯିବିନି ଅନ୍ଧାର ପଟକୁ ଭାବୁଛି । ନା କଣ କହୁଛ ? "

- " ହମ୍! କଥା ହେବା। ବହୁତ ଦିନରୁ ତମ ମାନଙ୍କ ସହ କଥା ହୋଇପାରିନି। କୋଉ ସମୟ ଅଛି ତମ ସମସ୍ତଙ୍କୁ ମୋ ପାଇଁ ! "

ଦୁଃଖୀ ଦିଶିଲା ଜହ୍ନ।

ଆଖି ଚାରିକଡ ପହଁରେଇ ଆଣି ରତନା କହିଲା," ଗାୟେ ମୋଟ, ସର୍ବ ମୋଟ ତ ଆମେ ଦିଟା। ଆଙ୍ଗୁଳି ଟିପା ଗଣତି। ସମସ୍ତେ କିଏ ପୁଣି? ମତେ ବି ସେ ଅଣ୍ଟା ହଲା , ପେଟ ଖୋଲା ନାଚ ରୁଚେନି। ଲାଭ କଣ। ଟାଇମି ଵରଵାଦି ଖାଲି । ଏଠିକା ସମସ୍ତେ ଢେଗା ଢେଗା ଆଖି ରେ ପି' ଯାନ୍ତି ସେସବୁ। ବେଳ କାଇଁ ମଣିଷକୁ !ଏତେ ଫେରକୁ ରାତି କାଇଁ !" ଉଦାସ ଦିଶିଲା ରତନା। ଦାଣ୍ଡରୁ ଖୁଣ୍ଟିଲେ, ହାଣ୍ଡିରେ ଫୁଟିଵ।

ଉଦାସ,ଅଭିମାନ ମନକୁ କଣ ପାଞି ଦେଖି କଵଜା କରନ୍ତି! ଧେତ୍।

- କଣ ହେଲା। କିଛି ଅସୁବିଧା? ଦ୍ଵନ୍ଦ ରେ ଦିଶିଲ ଯେ! ପଚାରିଲେ ନୀଳପୁରୁଷ।

- ହମ୍! ନାଇଁ ଦ୍ଵନ୍ଦ କଣ! ଏଇ ତ ଜୀବନ ଆଉ। ପାପ ତାପ ତମର, ରୋଗ, ଶୋକ ତମର, ଆଣ୍ଠୁ ଗଣ୍ଠି ରକ୍ତ ଝର ତମର..... ଭୋଗ, ଆନନ୍ଦ ଆଉ କାହାର । ଯାହା ପୋଷେଇଵ, ଘୋଷାଡିଵ ମନ ହେଜିଵ ହି ।"

- "ହମ୍ ! ଆପଦେ ସାହା କିଏ ହଏ ଏଠି ?"

- ଛି! ସବୁ ହାତ ଛାଡ଼ିଦେବେ ପରା ଚଟ କି। ସେଇଥି ପାଇଁ ତମେ ଭଲ ଲାଗିଲ । ଗଲାନି ଭାରି ଏକା କରି ! ରହିଲ । ପାଣି ମୁନ୍ଦେ ଦେଲ! ଆଉ ସଭିଙ୍କି ଦେଖିଲ ଟି । ଛିଃ । "

ଶୁନ୍ୟ କୁ ଚାହିଁ ନୀଳ ପୁରୁଷ କହିବାର ଶୁଣାଗଲା," ମୁଁ ତ ଥାଏ। ସଦା କାଳେ । ଯିବି ବା କୁଆଡେ ! ତମେ ମାନେ ହି ତ ମୋ ସଂସାର ।"

- ରତନା ଅନ୍ୟ ମନସ୍କ ହେଇ କହିଲା," ଆତଙ୍କରେ କିନ୍ତୁ କଟେ ଜୀବନ ।ଜାଣିଲ ଟି ।ଧରା ପଡ଼ିଯିବାର ଡର ।ପ୍ରତିଥର ।"

- ଆତଙ୍କ ତ ଏକ ସ୍ଥିତି ମାତ୍ର। ସ୍ଵସ୍ଥାନ ରେ ଯାହା ଆନନ୍ଦ , ସ୍ଥାନ ଚ୍ୟୁତ ହେଲେ ହିଁ ତାହା ଆତଙ୍କ।

- ମାନେ?

- ମାନେ, ଆମେ ଯାହାକୁ ପାପ ବୋଲି ଅଭିହିତ କରିଥାଉ ବାସ୍ତବରେ ତାର ନିଜର ଅସ୍ତିତ୍ବ ନାହିଁ । ଏହା ନିଜ ସ୍ଥାନ ରୁ ଖସି ପଡ଼ିଥିବା ଏକ ଆବେଗ । ଏହା ଆମକୁ ସଜାଗ କରାଏ । ଆମର ଦୋଷ, ଦୁର୍ବଳତା କୁ ହାତରେ ଧରାଏ। ଅଜ୍ଞାନତାର ନାମନ୍ତର ମାତ୍ର ପାପ। ମଣିଷ ସେଇ ଲଟପଟ ପଙ୍କରୁ ଉଠିବାର ଚେଷ୍ଟା କରେ।କରୁଥାଏ।ନର୍କକୀଟ ତାକୁ ପାପ ନ କରିବାକୁ ରୋକେ।

ଏବେ ଦେଖୁଛି ମଣିଷ ତାର ଦୁର୍ଭାଗ୍ୟକୁ ନିଜ ପାପ ପ୍ରତି ଖୁବ୍ କୋମଳ ଓ କ୍ଷମାଶୀଳ । ତଥା ଅନ୍ୟକୁ କ୍ଷମା ଦେବା କଥାରେ ଏକଦମ ନିଷ୍ଠୁର । ଅହମ ଓ ଅଜ୍ଞାନ କୁ ମକୁଟ ପିନ୍ଧି ରାଜା ବୋଲାଇବାରେ ତାର ଖୁସି। ତାର ସବୁ ଉତ୍ସାହ, ଉତ୍ସଵ, ଅଙ୍ଗୁଳି ନିର୍ଦ୍ଦେଶ ଖାଲି ଅନ୍ୟକୁ ହରେଇ! ନିଜକୁ ତିଳେ ଦୟା ନାହିଁ। ଆବରଣ ତଳେ କଣ କାଦୁଆ ଚେହେରା ଲୁଚି ଯାଇପାରେ କେବେ? ନିଜ ପାପ ବୋଧ କୁ ଗୌଣ କରି ଦେଖିବାରେ କି ମୂର୍ଖ ଆନନ୍ଦ ଯେ। ଓଲଟା ନିଜ ପ୍ରତି ଦୃଢ଼ ହେଲେ ହି ଫେରି ପାନ୍ତା ପଥ।ମୁଁ ଏପଟେ ତା ବାଟ ଚାହିଁ ବସିଛି ଅନେକ ଯୁଗରୁ । କାଳ କାଳ ରୁ । ନିଜକୁ ଚିହ୍ନୁ ।ଭଲ ପାଉ ।ମୋ ପାଖକୁ ଫେରୁ ।"

ରତନାର ହାଣ୍ଡିଆ ପିଆ ଟାଲ୍ ମୁଣ୍ଡରେ କିଛି ବୋଲି କିଛି ଧରୁନଥିଲା।

ସିଏ ଗୋଟେ ଅଭିମାନିଆ ମୁହଁ କଲା। କହିଲା," ମୁଁ ତ ଚଟି ବହି ବି ଦେଖିନି। ଆପଣେଙ୍କ ଦୁଆର ମାଡ଼ିନି। ଖଡ଼ି ସିଲଟ ଚିଁହିନି। ତମେ ଏଡ଼େ ଏଡ଼େ ରୋଜନିଆ କଥା ଗପିଲେ କୋଉ ବୁଝା ପଡୁଛି ମତେ ? ସରଳେଇକି କହନ୍ତ ହେଲେ। କିନ୍ତୁ କହିଵି, ତମ କଥା ଶୁଣିଲେ ମତେ ଭାରି କାଇଁ କାନ୍ଦ କାନ୍ଦ ଲାଗୁଛି। ଛାତି ମନ୍ଥି ହେଇଯାଉଚି। ନିପଠୁଆ ମଣିଷ ମୁଁ ହେ ।"

- ଜାଣ କାହିଁକି ? କାହିଁକି ନା ତମ ଅନ୍ତର ସବୁ କଥା ବୁଝିପାରେ। ମନେ ରଖେ। ଅନୁଭବ କରେ। ଯେତେବେଳେ ଜଣେ ଅନୁଭବ କରେ ଯେ ତା'ର ଆଦର୍ଶ , ତା ' ର ସମସ୍ୟା , ତା' ର ମାନସିକତା କୁ ତାର କେହି ହେଲେ ବୁଝିପାରୁନାହାନ୍ତି କିମ୍ବା ବୁଝିବା ଦିଗରେ ପ୍ରୟାସ ରଖୁ ନାହାନ୍ତି ......ସେତେବେଳେ ସେ ପ୍ରଥମେ ସଭିଙ୍କ ଉପରେ ଅଭିମାନ କରେ। କିନ୍ତୁ ଅଭିମାନ ଏକ ପ୍ରତ୍ୟାଶା । ଅନ୍ୟମାନେ ତା ଅଭିମାନ ରେ ବିଚଳିତ ହେବେ , ଯଥାର୍ଥ ସମ୍ମାନ ଦେଇ ଅଭିମାନର ହେତୁ କୁ ବିଚାରକୁ ନେବେ , ଏହି ଦୁରାଶାରେ ସେ ହୁଏ ବିଷାଦଗ୍ରସ୍ତ। ଯଦି ତା' ର ବୋଧଶକ୍ତି କିଛି ମାତ୍ରା ରେ ବିକଶିତ ହୋଇଥିବ , ସେତେବେଳେ ସେ ବୁଝିବ ପ୍ରକୃତରେ ତା' ପ୍ରତି କେହି ନିର୍ଦ୍ଦୟ ନୁହନ୍ତି। ବାସ୍ତବତା ହେଲା , କୌଣସି ମଣିଷ ବି ଅନ୍ୟ ଜଣେ ମଣିଷକୁ ସର୍ବାଙ୍ଗୀନ ବୁଝିବା ସମ୍ଭବ ନୁହେଁ। ଏହା ଏକ ମାନସିକ ସୀମିତତା। କେତେଜଣ ନିଜେ ନିଜକୁ ବୁଝିଛନ୍ତି ଯେ ଅନ୍ୟକୁ ବୁଝିହବ ! "

- ସତ କହୁଛି ଭାଇ ତମେ ଯାହା ସବୁ ବଖାଣୁଛ ଏ କାନେ ପଶି ସେ କାନେ ତ ବାହାରୁନି, ହେଲେ ମନଟା କେମିତି ଗୋଟେ ଅଯିବ ଭାବ ପାଳୁଛି। ମଧୁର ପୁଣି ଲୁହ ଲୁହ। କଣ ବୁଝୁଛ ଟି। ଆଛା ତମ ନାଁ ଟା କଣ ଟି, ଏ ଯାଏ ତ କହିଲନି। ଆଛା ହଉ ଆଉ ଗୋଟେ ପ୍ରଶ୍ନ। କହିଲ ଦେଖି, ତମେ ଦିଅଁ ଙ୍କୁ ମାନ? ଯାହା ନାଁରେ ଏତେ ଆୟୋଜନ, ପ୍ରହସନ? ମୋ ବୋଉ କହେ," ମାନିଲେ ଈଶ୍ଵର, ନ ମାନିଲେ ପଥର। ଆଛା ମାନିବ କି ନାହିଁ ଜଣେ କହିଲ? ତମ ମତ କଣ? "

ପୁଣି ସେଇ ଅବର୍ଣ୍ଣନୀୟ ହସ ଟି ଖେଳି ଗଲା। ପଦୁଅଁ ଫୁଟି ଗଲା ଗୋଲାପି ଛିଟ ମୁରୁଜ ବିଛେଇ ତଟିନୀ ଵକ୍ଷେ ।

" ତୁମ ହୃଦୟରେ ତ ବାସ କରୁଛି ଅନାଦି କାଳୁ ପୁତ୍ର ! ସଦା କାଳେ ଥିବି ମଧ୍ୟ ତୁମ ସହ ।" କହୁଥିଲେ ନୀଳ ପୁରୁଷ।

ଏ ଯାଏ ସଂଶୟ ତୁଟିନି? ଧନ୍ୟ ରେ ମୋ ସୃଷ୍ଟି

ଧନ୍ୟ ମୁଁ !କିଛି ହେଇ ପାରିବନି ତମ ଦେଇ। ଖଡା କଣ.... ଵାମ୍ଫ ସିଝା ଭେଣ୍ଡି ଵି ସିଝିଵନି। ଖଡାଖିଆ ଦଳ। ବାପମାଆଙ୍କ ମିଛ ରାଗ ପରି ଵିଳିଵିଳେଇ ଥାନ୍ତେ କଣ ନୀଳ ପୁରୁଷ ?

ବିଶ୍ୱାସେ ମିଳଇ ହରି

ତର୍କେ ବହୁ ଦୂର

ଯିଏ କହିଥିଲା, କଣ ଭାଙ୍ଗ ପିକି କହିଥିଲା! କହିଥାନ୍ତେ ସିଏ ?

ନା!

ଶାନ୍ତ ଥିଲେ ଈଶ୍ଵର। ଅବିଚଳିତ ।

ସିଏ ପରା ଈଶ୍ଵର।

କିନ୍ତୁ

ଆଶ୍ଚର୍ଯ୍ୟ ଥିଲେ ଈଶ୍ଵର।।

ସିଏ ପରା ଜୀବର ଈଶ୍ଵର।।

******

ଦୁରରୁ କିଏ ଜଣେ ଛାୟା ମୂର୍ତ୍ତୀ ଗଛରୁ ଓହ୍ଲେଇ ଆସି ନୀଳ ପୁରୁଷଙ୍କ ଉତ୍ପଳ ପାଦୁକା ପାଖରେ ଯୋଡ଼ ହସ୍ତେ ବିନମ୍ର ଭଙ୍ଗୀମା ଘେନି ବସିଲେ।

ତାଙ୍କରି ସହ ଉଭେଇ ଗଲେ ନୀଳ ପୁରୁଷ , ସତେ କି ସମୀରରେ ମହକ। ଯେମିତି ଦୃଶ୍ୟମାନ ହେଇଥିଲେ ସେମିତି ଅଦୃଶ୍ୟ ହେଲେ।

କେତେ ବେଳ ଯାଏ ରତନ ସେଠି ବସିଥିଲା ତାର ଖିଆଲ ନାହିଁ ।

ତାର ଚାରିପଟ କ୍ଷିତିଜରେ କଣ ସବୁ ଲେଖି ହୋଇ ଯାଇଥିଲେ ଆପେ ସକାଳେ ଶୁଣି ଥିବା ମହା ମନ୍ତ୍ର ପରି। ସିଏ କୋଉ ପଢ଼ି ପାରିଥାନ୍ତା ଯେ ପଢନ୍ତା...... ନିରକ୍ଷର।

*******

ସିନ୍ଦୁରା ଫିଟୁଥିଲା କି ରତନାର ଆଖି ଫିଟିଲା କାହାର ସବୁ କୋହ କୋହ କଣ୍ଠ ସ୍ବରରେ । କିଏ କହୁଥିଲା," ହା ପୁତ୍ର" କିଏ କହେ," ହେ ପିତା" । ଧର୍ମ ପତ୍ନୀ ମିନତୀ ବାଢେ," ହେ ଦେବ, ହେ ନାଥ ! ଅଟକ, ଅଟକ।"

ବେଢ଼ିଥିଲେ କିଏ ସବୁ ତାକୁ ଛାଇଛାଇଆ ଗୋଲେଇକି । ବନ୍ଧୁ, ସଖା ନା ପରିଜନେ ?

ସିଏ ଉଠିଲା। କାହାକୁ ନଜର ନ ପକେଇ ଏକ ମୁହାଁ ଆଗେଇଲା। ଅନେକ ଦୂର ଯାଏ ଶୁଣାଯାଇଥିଲା ତା ସ୍ୱରରୁ ରୋମ ଟାଙ୍କୁରି ଗଲା ପରି ଝିମ୍ ଝିମ୍ କରେଇ ......

 " ମରା....ମରା.... ମରା .... ମରା... ମରା..... ମରା "

***********

କୁଁଆ ତାରା ହସୁଥିଲା । ଉଜ୍ଜଳ ଦିଶୁଥିଲା ପ୍ରତି ପାଦ ଚିହ୍ନ ପରେ ରତ୍ନାକରର ରତ୍ନମୟ କୁମୁଦ ଫୁଟେଇ ଉଲ୍ଲସିତା ଆନନ୍ଦିତା ଧରଣୀ।

ଶ୍ଵେତ ହଂସ ହଂସରାଳି ହଳେ କାତ ମେଲୁଥିଲେ ନୀଳ ପ୍ରାତଃ ସରସୀ ର ଦିବ୍ୟ ଆଙ୍ଗନରେ ।

**********

ମାଇକି ତେଣେ ସ୍ୱର ଲମ୍ଵେଇ ତାଳ ତାର ଭିଡୁଥିଲା

" ହରେ କୃଷ୍ଣ ହରେ କୃଷ୍ଣ

କୃଷ୍ଣ କୃଷ୍ଣ ହରେ ହରେ.........

ହରେ ରାମ ହରେ ରାମ

ରାମ ରାମ ହରେ ହରେ।



Rate this content
Log in

Similar oriya story from Action