STORYMIRROR

Lopamudra Parida

Action Inspirational

4  

Lopamudra Parida

Action Inspirational

କୀଟ

କୀଟ

9 mins
9

ସିଏ ଅନେକ ଦିନ ତଳ କଥା । ଅଗନା ଅଗନି ବନସ୍ତ ନଥିଲା । ଥିଲା ଗୋଟେ ନୂଆ ବାହା ଯୋଡି ଯାଉଁଳି ମନର କଥା । ତହିଁରୁ ପଟକର ହୃଦୟ ବ୍ୟଥାକୁ ନେଇ ଗପଟିଏ ଗଢ଼ି ଉଠୁଥିଲା ।

ଝିଅଟି କୋଉ ଗାଁରୁ ଆସିନଥିଲା କି ମଫସଲି ଝିଅ ନ ଥିଲା। ପାଠସାଠରୁ ଥାକେ ସାର୍ଟିଫିକେଟ,ମେଡାଲ ଟଙ୍ଗା କାନ୍ଥର ଅଧିକାରିଣୀ ଥିଲା ତା ଜମାନାର । ବହଟେ ପଢାପଢି ଆଉ ଆଖାପାଖି ପାଞ୍ଚ ବର୍ଷ କାଳ ଚାକିରି ବାକିରିର ଅନୁଭୂତି ଗୋଟେଇଲା ପରେ ନିଜ ଖୁସିରେ ବାହାସାହା ହେଇ ଜନ୍ମମାଟି ସହରଠୁ ଆଉ ଟିକେ ବଡ ସହରକୁ ପୋଡିପୋଟଳି ଧରି ଘରକରଣା ଆରମ୍ଭ କରିବାକୁ ଆସିଥିଲା ବରଟି ସହ । ବରଟି ଭଲ ପଡିଥିଲା ଲୁଗା ଭଲ ପଡିଲା ପରି । ତା ବାପା ବାଗ ଟୋକାଟିକୁ ତାର ଜୀବନ ସାଥି ହେବାପାଇଁ ବାଛି ଦେଇଥିଲେ। ତେଣୁ ଖୁସି ଖୁସି ତାଙ୍କ ହାତ ଧରି ଚାଲି ଆସିଥିଲା ଅଜଣା ରାଇଜକୁ ନିଜର କରିବାକୁ ।

ଝିଅ ପିଲା ମାନେ ବାପା ଅଗଣାର ଟିକି ଚାରାଗଛ ।କଅଁଳ ଚେର।ଭାରି କଅଁଳ ।

ବରଘରର ଦୃମ। ଟାଣଉ ଥାଏ ଚେର ଦାୟିତ୍ବ ସହ ସଂପର୍କ ଓ ପ୍ରେମର ପାଣି ପାଇ।

ଟିକେ ଖରା,ପାଣି,ପବନ ସାଙ୍ଗକୁ ମୁଠେ ମାଟିବୋଳା ସ୍ନେହ ଜଡେଇ ଧରିପାରେ ଝିଅର ମନ। ଝିଅ ହସେ, ବସେ,ବସାଏ। ଘର ବୁଣେ।

ବରପିଲାଟି ବଅଅଅଅଡ ଶାନ୍ତ । ମାଛିକୁ 'ମ' କଣ 'ବ' ବି ନ କହିବା ଲୋକ। ସାଇତା -ସଜଡା,ସମୟାନୁବର୍ତ୍ତିତା, ସଫା-ସୁତୁରା କୋଉଥେରେ ଖୁଣ ନାହିଁ । ତମେ ମାଛ ଦିଅ ପେଜ ଦିଅ.... ଲୁଣି ଅଲଣା ଯାହା ବାଢ କୋଉଥିକୁ ଉଁ ' ଟେ ନାହିଁ। ତମର ଛାଇ ପରି ଜଗି ରହିଥିବେ, ବାପା ପରି ଯତ୍ନ ନେବେ, ଭାଇ ପରି ବ୍ୟସ୍ତ ହେବେ , ଯାହା ଦରକାର ନ କହିବା ଆଗରୁ ମନବୁଝି ଆପେ ଆପେ ଥୋଇ ଆଣି ରଖିବେ। ସବୁ ଭଲ ଯେ ହେଲେ ଝିଅଟିଏ ତ ପୁଣି ପ୍ରେମିକଟେ ଲୋଡା, କି ନାହିଁ । ଖାଣ୍ଟି ପ୍ରେମିକଟିଏ ନ ଥିଲେ ସମୀରରେ ସୁନ୍ଦର ମହକ ବା କାହୁଁ ଆସିବ ! ପ୍ରେମିକ ଶବ୍ଦରୁ ଗୋଟେ କଥା ମୁଣ୍ଡକୁ ଢୁକେ ଯାହା ଆଜି ଯାଏଁ ବୁଝା ପଡେନି ସେଇ ସମାନ ଝିଅ ଟି ବିଭାଘର ଆଗରୁ ମହୁଲ ଫୁଲିଆ ବାସେ ଆଉ ଠିକ୍ ବିଭା ବରଷେ ନ ପୁରୁଣୁ .... ଯାଃ ସବୁ ସରିଲା ।ସରିଇଇଇଗଲା । ଯେମିତି ଏମିତି ଖଚଡ ଟୋକା ବି ଥାନ୍ତି ହେଲେ ହେଲେ ଫୁଲଣ ଝିଅଙ୍କ ସଂଖ୍ୟା କଣ କମ କି ! ହେ ସେ କଥା ଏବେ ପାଇଁ ଛାଡ।ନିଜ କଥା ନିଜକୁ ବଳକା। ଏତେ ସପନକୁ ରାତି କାଇଁ !

ଦିନ ଏମିତି ଗଡୁଥାଏ। ସଞ୍ଜରୁ ସକାଳ.... ସକାଳରୁ ସଞ୍ଜକୁ ଅଗକାନିରେ ଝୁଲେଇ ସୂର୍ଯ୍ୟ ତାଙ୍କର ତାଙ୍କ ବାଟରେ ଆତଯାତ ହେଉଥାନ୍ତି। ଲକ୍ଷ୍ମୀ ନାରାୟଣ ଯୁଗଳ ପ୍ରତିମା ଘେନି ମନ୍ଦିର ଝଟକୁଥାଏ ।

ବରଷେ। ହଳେ ବରଷ। ଗଣ୍ଡେ ବରଷ। ପାଞ୍ଚ ହଳ ବରଷ ଗଡିଲାଣି ଜୀବନ କାଚରେ ମୁହଁ ଚୁହାଁଚୁହିଁରେ । ଆଗେ ଆଗେ ସାକେତ, ତୃଷ୍ଣାକୁ ଚଳେଇ ନେଲେ ବରଷ ମାସ କିଛି ଗଡେଇ .... ଘରକରଣାର କଞ୍ଚାପଣକୁ ସାଦରେ ଆଦରି ନେଇ। ଏବେ ଏବେ ଏ ଘର ଦୁଆର ଶାଶୁ ଶଶୁର ସବୁ ତୃଷ୍ଣାର।ଏଇ ତ ସଂସାର ଆଉ ।ଆଉ ବେଶି କଣ ଲୋଡା ।ଏଠି ବା ଜଞ୍ଜାଳ କାହିଁ ! ଶିକୁଳି ପରି ସେଇଠି ଲାଗେ ଯୋଉଠି ତୁମେ ଆଦରି ନେଇ ନ ପାର !

ସମୁଦ୍ରର ଲୁଣିପଣରେ କିଛି ତ ଆକର୍ଷଣ ଥାଏ , ନହେଲେ ମିଠା ନଦୀତକ ତାରି ବିଶାଳ ବକ୍ଷପଟକୁ ଅବା ଢଳନ୍ତେ କାହିଁକି !

ହେଉ । ଉପକ୍ରମ ସେତିକି ଥାଉ । ଏ ସୁଖି ସଂସାରୀ ହଳକ ତାଙ୍କ ବା'ଘର ଦଶ ବର୍ଷ ,ବର୍ଷପୁରାଣି ପାଳି ସାରିଥିଲେ ପାଖ ଗୋଟେ ଦେବୀ ମନ୍ଦିରରେ‌ ଦୀପଟିଏ ଜାଳି ଆଉ ଷ୍ଟୁଡ଼ିଓରେ ଫ୍ରେମ କଲା ପରି ଫଟୋଟିଏ ତୋଳି ।

ଏବେ ଏବେ ସାକେତ ଗୋଟେ ନୂଆ ଅଫିସକୁ ବଦଳି ହେଇଆସିଥାନ୍ତି। ଅଦଳବଦଳ ଜୀବନ ନିୟମ। ତହିଁକୁ ନିସ୍ତାର କାହିଁ ! କାମ ପ୍ରବଳ। ଅହର୍ନିଶି କାମ । ଛୁଟିଛୁଟା ନଖଗଣତି। ସେ ମୂଲ୍ୟହୀନ ଛୁଟି ମିଳେ ପୁଣି ଘରୁଥାଇକି ବି ଲ୍ୟାପଟପ୍ ଡବାରୁ ଫୁରୁସତ ମିଳେନି। ନାମକୁ ମାତ୍ର ଛୁଟି । ଘରୁ ଡବଲ କାମ କରାହୁଏ । ସେଇ ଟେବୁଲ୍ ପାଖରେ ଭାତଠୁ ଜଳଖିଆ ଯାଏ ପରଶା। ହେଲେ ଅଖିଆ ସେମିତି ଖାଇବା ଥଣ୍ଡା ହୁଏ ।

ତୃଷ୍ଣା ମନେ ମନେ ବିରକ୍ତ ହେଲେ ବି ଉପାୟ ପାଏନି। ଭଲ ମନ ଥିଲେ ସାକେତର ତୃଷ୍ଣା କେବଳ ଏତିକି କହେ ତାଙ୍କୁ ," ତମ ଆଗ ଅଫିସ ସବୁ ଭଲ ଥିଲା ମ। ଏଟା ଯମା ଭଲ ନୁହେଁ। ତମେ ତ ସବୁବେଳେ ଖାଲି ବିଜି ଏଠି‌। "

ସାକେତ କେବଳ ହାଲକା ହସିଦିଅନ୍ତି । ଧିରେ ଧିରେ ତୃଷ୍ଣା ଏକୁଟିଆ ହେଇଯାଉଥିଲା ଯେମିତି। ଯେତେ ଘରକରଣା ସାରୁ ,ଟିଭି ଦେଖୁ ,ଛବି ଆଙ୍କୁ କି ବଗିଚାରେ ଫୁଲ ମାନଙ୍କ ମେଳରେ ହସୁ ନାରୀଟିଏର ମନ ତା ଜୀବନ ସାଥିର ସାନିଧ୍ୟ ଲୋଡେ। ଅପେକ୍ଷା କରେ ସେଇ କୁନି କୁନି ଖୁସିର ଦରଫୁଟା ମୂହୁର୍ତ୍ତ ମାନଙ୍କୁ ଯାହାକୁ କବରୀରେ ସଜେଇ ନେଇ ସିଏ ପ୍ରସ୍ପୁଟିତ କରିପାରେ ଏକ ନନ୍ଦନବନ ନିଜ କଳ୍ପନା ପୁଟ ଦେଇ।

ପୁରୁଷ ନିଶ୍ଚିତ ରହିପାରେ ତା ଚାରିପଟର ସ୍ଥିର ଗଢିଉଠିଥିବା ବଳୟ ଢାଞ୍ଚାରେ। ନାରୀ ପ୍ରତିଥର ନୂଆ ଢଙ୍ଗରେ ଜୀବନଟେ ଜୀଁ ବାରେ ଆଗ୍ରହ ରଖେ।ଅର୍ଖ ନୂଆ।

ସାକେତ କର୍ମ ମନସ୍କ । ତୃଷ୍ଣା ସାକେତ ମନସ୍କ । ଅବହେଳିତ ଭୋଗୁଥିବା ମନ କେତେ ଝାପସା ଅନ୍ଧାର ପଥ ଦେଇ ଗତି କରେ ଭୋଗୀ ହିଁ ଜାଣେ । ଅକ୍ଷମତା ବୁଝିବାରେ ଥାଏ ପଥ ର ଦିଗ ।

ତୃଷ୍ଣା ସଜେଇ ହେଲା ।ମନ ଦେଇ ସାକେତଙ୍କ ପ୍ରିୟ ଖାଦ୍ୟ ସବୁ ଗୋଟି ଗୋଟି ରାନ୍ଧିଲା। ଘର ଡେକୋରେଟ କଲା । ବଡ ପାଟିରେ ଶୁଣେଇବା ପରି ଗୀତ ଗାଇଲା। ଥକି ଯାଇ ବହି ପଢିଲା।ଅମନଯୋଗୀ ହେଇ ଶୋଇପଡିଲା। ଲୁହ ଧାର ଗାଲ ଦେଇ ତକିଆକୁ ଭିଜେଇବାରେ ବ୍ୟସ୍ତ ଥିଲେ । ହେଲେ ମନକଥା ବାଣ୍ଟିଲାନି।

ଦିନୁ ଦିନ ଏମିତି ହେଲା ତୃଷ୍ଣା ମନରେ ଘର କରିଗଲା ଯେ ସାକେତ ତାକୁ ଆଉ ଭଲ ପାଆନ୍ତିନି। ବୋଧେ ସିଏ ବୁଢୀ ହେଲାଣି ବୋଲି କି କଣ ! ଦୁଃଖ ଯୋଉଠି ବସା ବୁଣେ,ସେଠି ବାରବୁଲା ଚିନ୍ତା ସବୁ ଆପେ ଗାରେଇ ହୁଅନ୍ତି ।

ସେଦିନ ରବିବାର । ସାକେତ ଗାଧେଇ ଯାଇଥାନ୍ତି । ତାଙ୍କ ଫୋନରେ କାହାର ଗୋଟିଏ ଫୋନ୍ ବାରମ୍ବାର ଆସୁଥାଏ , କଟି ଯାଉଥାଏ। ତୃଷ୍ଣା କେବେ ସାକେତଙ୍କ ଫୋନ ଧରେନି ।ତାର କଣ ଦରକାର ଯେ‌। ବିଲେଇ କପାଳକୁ ଶିକା ଛିଡିଲା ପରି ତୃଷ୍ଣା କାହିଁକି କେଜାଣି ସେଦିନ ବାରମ୍ବାର ବାଜୁଥିବା ଫୋନଟିକୁ ଉଠେଇବାକୁ ଆସିଲା ଆଉ ଦେଖିଲା " ମଧୁ" କଲିଂ ।

ସିଏ ନୀରବେ ଫେରିଗଲା । ହେଇଥିବ କିଏ।

ତାର କି ଯାଏ ! ଘରୁ ଗୋଡ କାଡିଲେ ଦାଣ୍ଡ ବଜାରରେ କେତେ କାହା ସହ କାମ ପଡୁଥିବ,ଭେଟ ହେଉଥିବ । ସବୁ ଖବର କଣ ସିଏ ରଖିବ !

ତଥାପି...... ଦୁର୍ବଳ ମୂହୁର୍ତ୍ତରେ ଦୁର୍ଘଟଣା ଘଟିବାରେ ଆଶ୍ଚର୍ଯ୍ୟ କିମ୍!

ଏବେ ତୃଷ୍ଣା ନଜର ରଖେ ସାକେତର ଓ୍ବାଲେଟ, ଫୋନ୍ ସ୍କ୍ରିନ୍, ପକେଟ,ଗାଡି...... ଆଖି । ଜାଣତରେ ଅବା ଅଜାଣତେ ଡର ଟେ ତିଆରି ହେଉଥାଏ ପାକସ୍ଥଳୀରେ। ତୃଷ୍ଣା ଭାବେ ଛିଃ ସିଏ କରୁଛି କଣ ? ତଥାପି କରେ । କରି ହେଇଯାଏ କହିହେବ ‌ । ବାରମ୍ବାର ଏମିତି ଫୋନ ଆସେ । ଅଧ ରାତିରେ ବି ମଧୁ 'ର ନାଁ ଫୋନ ସ୍କିନରେ ଝଲସେ ଆଉ ତୃଷ୍ଣା ପଡିରହେ ଖଟରେ ଖଟ ବାଡ଼ରେ ଝୁଲୁଥିବା ଲୁଗା ପରି । ଉଠି ଚାଲିଯାଇଥାଆନ୍ତି ସାକେତ ସେପଟ ଘରକୁ ହସ ହସ ସ୍ବରରେ ଲ୍ୟାପଟପ୍ ଧରି । କେମିତି ମଣିଷ?

ସାକେତ ତାଙ୍କ କାମରେ ଏତେ ମସଗୁଲ ଯେ ତାଙ୍କର , ତୃଷ୍ଣାର ବଦଳୁଥିବା ରୂପଛାୟା ପ୍ରତି ଖିଆଲ ବି ନଥାଏ ।

ତାରିଖ ବଦଳୁଥାଏ ଅହରହ ।

ଦିନେ ତୃଷ୍ଣା ପଚାରେ

- ସାକେତ ମଧୁ କିଏ ?

- ମଧୁ ?

- ଯିଏ ତୁମକୁ ବାରବାର ଫୋନ କରେ ?

ସେମିତି ଲ୍ୟାପଟପ୍ କୁ ଚାହିଁ ଉତ୍ତର ଫେରାଏ ସାକେତ।

- ଆଛ୍ଛା ମଧୁ , ହଁ ସିଏ ମୋ ଅଫିସ୍ ରେ କାମ କରନ୍ତି ଆମର ଏକା ପ୍ରୋଜେକ୍ଟ।

- ତାଙ୍କ ଘର କୋଉଠି? ସିଏ କେମିତି ଦିଶେ? ଆଉ ଆଉ ଆଉ ତାର ବୟସ....... ବି ବା ହି ତ ତ ? .....

ଶୁଣିବାର ଫୁରୁସତ ନଥାଏ ସାକେତଙ୍କର । ସେପଟ ଘରକୁ ଉଠି ଚାଲିଯାଇଥାନ୍ତି ସେତବେଳକୁ ସିଏ ।

ଘୋରଣାରେ ପେଶି ହେଉଥାଏ ତୃଷ୍ଣା ।ଗୋଟାମୁଗ ପରି ଫାଳ ଫାଳ ଖସୁଥାଏ।

ସେମିତି

ଆଉ ଦିନେ ପଚାରେ

- ସାକେତ

- ହୁଁ

- ମତେ ନା ଲାଗୁଛି ମତେ ଟିକେ ଡିପ୍ରେସନ ହେଉଛି। ଟିକେ ସାଇକ୍ରାଟିକ ଦେଖାନ୍ତେ । ଗୁଡେ ଆଡୁସାଡୁ ଭିତରେ ଛନ୍ଦି ହେଉଛି ମନ ।ଭଲ ଲାଗୁନି କିଛି।

- କାହିଁକି

( ଆହାଃ ସେତକ ବୁଝନ୍ତ ହେଲେ) ଭାବେ ତୃଷ୍ଣା ନୀରବରେ ।କହି ପାରେନି " ତୁମ ଚିନ୍ତାରେ "

ଶୁଖିଯାଉଥାଏ ଚେହେରା । ଦୃଷ୍ଟି ପଡେନି ଯାହା ସାକେତଙ୍କର । ତୃଷ୍ଣାକୁ ଲାଗେ ।

ଏବେ ବି ସେତିକି ଯତ୍ନ ଶ୍ରଦ୍ଧାର ସହ ନିଅନ୍ତି ବୋଧେ ସାକେତ ହେଲେ ତୃଷ୍ଣା ପ୍ରାଣ ବୁଝେନା । କେଜାଣି?

କଥା ସେତିକିରେ ରହେ ।

ତୃଷ୍ଣା ପୁଣି ସ୍ବପ୍ନ ଦେଖେ ସାକେତ ବାହାବେଦୀରେ । ପାଖ ଝିଅଟିର ମୁହଁ ଦେଖିବାକୁ ସିଏ ଯେତେ ଛାଟାପିଟି ହେଲେ ବି ଦିଶେନି। ରାତି ପାହିଯାଏ। ଭୟାବହତା ସ୍ବପ୍ନ ସହ ବଢୁଥାଏ । ଆଖି ମେଲାଥାଏ ତମାମ ଅନ୍ଧାରୁଆ ରାତି ସହ ତୃଷ୍ଣା ର। ସ୍ବପ୍ନ ପହଞ୍ଚୁଥାଏ ତାର ଭୟକୁ ଓଟାରି‌ । ଏବେ ଏବେ ଚିଲେଇ ଉଠେ ସ୍ବପ୍ନା ନିଦ ବାଉଳିରେ । ସାକେତ କୁହନ୍ତି ଚିତ୍ ହେଇ ଶୋଇଲେ କାଳେ ଏମିତି ହୁଏ । ମଧୁର ଫୋନ୍ ଦିନକୁ ଦଶ ଥର ଆସୁଥାଏ। ତୃଷ୍ଣା ଥର - ଥର ହାତରେ ସାକେତଙ୍କର ଫୋନ ଗ୍ୟାଲେରୀ ଉଣ୍ଡାଳେ। ଅଫିସ ଆନୁଆଲ ଡେ ' ର ସବୁ ସୁନ୍ଦରୀ‌ ଆଧୁନିକାଙ୍କ ଫଟୋ ପାଖରେ ଅଟକେ।‌ଜୁମ କରି ଦେଖେ ଆଉ ନଈ ହେଇ ବହିଯାଏ । ଭାବେ ଏମିତି ବେଶ ପୋଷାକରେ ସାକେତ କଣ ତାକୁ ପସନ୍ଦ କରିବେ ବେଶି । ୟା ଭିତରେ ମଧୁ କିଏ ? ଏଇ ଶ୍ୟାମଳୀ ଡେଙ୍ଗୀଟି ନା ଏ ଚମ୍ପା ଗୋରୀ, ଏ ଠେଙ୍ଗା ନାକ ଝିଅଟି କି ନା ଲମ୍ବା ଲମ୍ବା ଲାଞ୍ଜିଆ ଟାଣି ମାୟାଜାଲିଆ ହସ ହସୁଥିବା ଏ କୋଣ ସୁନ୍ଦରୀ । ସାକେତଙ୍କୁ ତ କଜଳ ଟଣା ଆଖି ପସନ୍ଦ ବୋଲି ଥରେ ତାଙ୍କ କଲେଜ ଡାଇରି ରେ ସିଏ ପଢିଥିଲା।ଏଇ ନିଶ୍ଚେ ହେଇପାରେ ।

ନିଜ ଛନ୍ଦା ଜାଲରେ ନିଜେ ଝୁଣ୍ଟୁଥାଏ ତୃଷ୍ଣା ଥରକୁ ଥର ।

ସାକେତ ନ‌ଥିବା ବେଳେ ଆଇନାରେ ନିଜକୁ ମୁକୁଳେଇ ନିଏ ଆଉ ଭାବେ ଓହୋ ଆଖି ତଳ କଳା ‌ମାରିଗଲାଣି ପରା । ତା ମନ ବସିଯାଏ। ସିଏ ଚେକା ଚେକା ଆଳୁ କାକୁଡି କାଟି ଆଖିରେ ଥାପେ ।

ଅଭାବବୋଧ ଗୋଟେ ଘାଆ ପରି ।ମନଘାଆର ମଲମ ତ ମିଳିବା ଦୁରୁହ। ନିଆଁ ଲାଗିଥିବା ଘୋଡା ପିଠି ପାଇଁ ମାଙ୍କଡ କଲିଜା ଖୋଜା।

ଦିନ ଗଡୁଥାଏ ।

ୟା ଭିତରେ ଗଡି ଯାଇଥାନ୍ତି ବସନ୍ତରୁ ଚାରୋଟି।

ଦିଅଁଙ୍କ ଠି' ଗୁଆ ବସଉଥାଏ ତୃଷ୍ଣା

ହେ ଠାକୁରେ ! ୟାଙ୍କର ନ ହେଲେ ସେ ମଧୁ ର ଚାକିରୀ ଯାଗା ବଦଳ କରେଇଦିନ୍ତନି।"

ଦିନେ ଦିଅଁ ତା ଡାକ ଶୁଣିଲେ । ମୁହଁ ଶୁଖେଇ ଅଫିସ୍ ରୁ ଫେରି ଆସିଥିଲେ ସାକେତ। ଆସୁ ଆସୁ ସୋଫାରେ ଲଥ୍ କରି ବସି ପଡି‌ ଆଗୁଆ କହିଲେ

- ମଧୁଙ୍କର ବଦଳି ହେଇଗଲା ମ ତୃଷ୍ଣା । ସିଏ ଏବେ ଚାଲିଯିବେ । ତାଙ୍କ ସହ କାମ କରିବା ଅନୁଭୂତି ମୋର ବହୁତ ଭଲ ଥିଲା । ..... ସବୁଠି ପଲିଟିକ୍ସ ବୁଝିଲ । ଲାଗିଲେ ତାଙ୍କ ପଛରେ ତ ସବୁ ।

ତୃଷ୍ଣାର ତୃଷ୍ଣା ମେଣ୍ଟିଗଲା ଯେମିତି।ନିଜ ଭାବକୁ ନ ଫୁଟେଇ

କହିଲା

- ହଁ ସେମିତି ହୁଏ । ପୃଥିବୀ ତ ଗୋଲ । କେତେ ପ୍ରକାରେ ଲୋକ ଥାନ୍ତି ଏଠି । ତମେ ଧୁଆ ଧୁଇ ହୁଅ କି ମୁଁ ତୁମର ପ୍ରିୟ କଟକ ଚାଟ୍ ବନେଇ ଦଉଛି ।

- ନାଁ । ଥାଉ । ମୁଁ ଟିକେ ବଜାରରୁ ଆସେ ।କାଲି‌ ମଧୁଙ୍କର ଶେଷ ଦିନ ଏଇ ଅଫିସରେ । ଖାଲି ହାତରେ କଣ ଯିବେ !ଦେଖେ କଣ ଗୋଟେ ଗିଫ୍ଟ ।

ବାହାରି ଗଲେ ସାକେତ

ଗାଡିପଛର ଗରମ ଧୁଆଁ ମାଡ଼ରେ ତରଳି ବହି ଗଲା ତୃଷ୍ଣାର କ୍ଷଣିକ ଆଗର ଖୁସି ।

ସେ ମଧୁମତି ପାଇଁ ଗିଫ୍ଟ? ଆହାଃ ଲୋ । କାହିଁକି ବା ଏଡେ ସରାଗ ? କଣ ପାଇଁ? ନିଜ ପ୍ରିୟ ଚାଟ୍ କୁ ମୁହଁ ମୋଡ଼ି ଆଡେଇଯାଇ ପାରିଲେ ସାକେତ? ଦେଖା ହନ୍ତା କି ? ପଚାରନ୍ତେ କୋଉ ଜନ୍ମର ଶତ୍ରୁତା ଥିଲା?

ତଥାପି ସିଏ ସିଟି ମରେଇଲା ବତୁରିଥିବା ମଟର ମାନଙ୍କୁ । ଭାବୁଥିଲା ଝିଅ ପିଲାଙ୍କୁ କଣ ଦିଆ ହୁଏ ସାକେତ ଜାଣନ୍ତି କଣ ? ତାକୁ ତ ଏଯାଏ ପର୍ବପର୍ବାଣୀରେ ଶାଢୀ ଛଡା ଆଉ କିଛି ଆଣିଦବା ମନେ ନାହିଁ ତାର ।

ତୀର ଲଘିଂ ଢେଉ ପିଟି ହେଉ ଥିଲେ ବେଳାରେ। ଡବଡବ ନେତ୍ର ମଣି।

ସୁନ୍ଦର ପ୍ୟାକିଙ୍ଗ ସହ ଫେରିଲେ ସାକେତ। ତୃଷ୍ଣା ଭାବିଲା ସିଏ ଥରେ ଦେଖି ତ ପାରିଥାନ୍ତା କଣ ଆସିଛି।

ସାକେତ ଗାମୁଛା ଟି ବାଲକୋନୀ ତାରରୁ ଭିଡି ନେଉ ନେଉ କହିଲେ

- ଡ୍ରେସ୍ ଟେ ଆଣିଲି ମ , ଆଉ କଣ ତା ସହ ଦେଲେ ହେଇଥାନ୍ତା ଟିକେ । ଆଛ୍ଛା ତାଙ୍କୁ କାଲି ଆମ ଘରକୁ ଡିନର ପାଇଁ ଇନଭାଇଟ କରିଦେବି କି ତୃଷ୍ଣା । କଣ କହୁଛ?

ଗରମ କୁକରର ବାମ୍ଫ ବୁଲି ଯାଇଥିଲା ଯେମିତି ତୃଷ୍ଣା ହାତରେ।

- ମଧୁଙ୍କୁ? ଆମ ଘରକୁ?

- ହଁ

- ଡାକୁନ । ତମ ଖୁସି । କଣ କଣ ହବ କୁହ ।

- ତୁମେ ଦେଖ କଣ କରିବ । କଣ ଆଉ ଆସିବ ଯଦି କୁହ ନେଇ ଆସିବି। ପନିର ଆଣିବି?

ଚଟ୍ କି ନୀରବରେ ଶୋଇବା ଘରକୁ ପଶିଗଲା ତୃଷ୍ଣା। ଠୁଳ ହେଇଥିବା ଲୁହ ସବୁ ଗଳଗଳ ପେଜ ପରି ବହିଗଲେ ଆଖିରୁ ଥମ ଥମ ସେଇ ବେଳାର ଉପସମ ପରି ।

ଅଧା ତିଆରି ଚାଟ୍ ସରଞ୍ଜାମ ପଡିରହିଥିଲା ରୋଷେଇ ଘର ସ୍ଲାବ ଉପରେ ।

ପଛେ ପଛେ ସାକେତ

- କଣ ହେଲା ? ଦେହ ଭଲ ଲାଗୁନି କି ? ଥାଉ ନ ହେଲେ । ଡାକୁନି। ତମେ ରେଷ୍ଟ କର ।

ଫେରିଯାଉଥିଲେ ସାକେତ ।

ତୃଷ୍ଣା ପୋଛି ପକେଇଲା ଲୁହ ଆଉ କହିଲା

- ନା ନା ଡାକ । ମୁଁ ଠିକ୍ ଅଛି । ଆଣିଦିଅ ସଉଦା କିଛି ।ଚିଠା କରିଦେଉଛି ଓ୍ବାଟସ ଅପ୍ ରେ ।

ପ୍ରଶାନ୍ତ ଦିଶିଲେ ସାକେତ ।


ସଂଧ୍ୟା ସମୟ ଏବେ

ହେଲେ ସକାଳୁ ଘରର ପରିବେଶ ତତ୍ପର

ସୋଫା ଖୋଳଠୁ ଝରକା ସ୍କ୍ରିନ୍..... ଡୋର୍ ମ୍ୟାଟ୍ ଠୁ ଅରନାମେଣ୍ଟାଲ ପ୍ଲାଣ୍ଟ ଯାଏ ସବୁ ଚକାଚକ୍ ।

ଗାଡି ରହିଲା ଦୁଆରେ

ସାକେତ ପାଛୋଟି ଆଣିବାକୁ ଧାଇଁଲେ ଦୁଆରକୁ।

ବୈଠକ ଘର ଟିପଏ ଉପରେ ଓ୍ବେଲକମ ଡ୍ରିଙ୍କ୍ ପରଶିବାକୁ ଟ୍ରେ ଖୋଜୁଥିଲା ତୃଷ୍ଣା କୁକରି କବ୍ବିରେ ( କପବୋଡ)।

ଜାଲୁ ଜାଲୁ କାହିଁ ଦିଶୁଥିଲା ସକାଳୁ ତାକୁ ସବୁଆଡ ।

ସାକେତ ଡାକିଲେ ତାକୁ

- ତୃଷ୍ଣା ଆସ । ଦେଖ କିଏ ଆସିଛନ୍ତି ।

ଖୁସି ଉଛୁଳୁଥିଲା ତାଙ୍କ ସ୍ବରରୁ ।

ତୃଷ୍ଣା ଅବସ୍ଥା କିଏ ପଚାରେ !

ତୃଷ୍ଣା ମୁଣ୍ଡରେ ଓଢଣା ଦେଇ ବଡ' କି ଲାଲି ସିନ୍ଦୁର ଟୋପା ବୁଲେଇ ଦେବୀ ପରି ସହନଶୀଳା ହେଇ ଦାଣ୍ଡ ଘରକୁ ଆସିଲେ। ତାଙ୍କ ଆଖି ପହଁରିଗଲା ଦାଣ୍ଡ ଘର ସାରା ।

ସାକେତଙ୍କ ସହ ଛିଡ଼ା ହେଇଥିବା ବୟସ୍କ ଜଣଙ୍କ ହାତ ଯୋଡି ଅତି ନମ୍ର ଓ ସ୍ନେହ ମିଶା ସ୍ୱରରେ କହିଲେ ," ନମସ୍କାର ମାଆ। ମୁଁ ଏମ୍ ଏସ୍ ଏସ୍ ଏସ୍ ରଘୁପତି। ମଧୁସୂଦନ ଶ୍ୟାମସୁନ୍ଦର ରଘୁପତି ଆୟାର୍ । ଆମ ଦକ୍ଷିଣ ପଟେ ଏମିପ୍ତତି ଟିକେ ଲମ୍ବ ନାଁ। ହା ହା ହା। ତୁମ ଦୁହିଁଙ୍କୁ ଦେଖି ଭାରି ଖୁସି ହେଲି ।

ତୃଷ୍ଣା ସ୍ତମ୍ଭୀଭୁତ।

- କଣ ହେଲା ମାଆ ? ଚିନ୍ତିତ ଦିଶୁଛ ?

ମୋହଭଙ୍ଗ ଫୁଲଟି ଭୋର ଛୁଆଁରେ ଚକ୍ଷୁ ଫିଟେଇଲା ।ସଜ ସଜ ।ମହ ମହ ।

ନଇଁ ପଡି ପାଦ ଛୁଇଁଲା ତୃଷ୍ଣା ।

କହିଲା ," ନା ନା ସେ କିଛି ନୁହେଁ। ବସନ୍ତୁ ନା ପ୍ଲିଜ୍ । "

ପବିତ୍ର ଦିଶୁଥିଲେ ସାକେତ ଦୀପଶିଖା ପରି । ପୁରୁଷ ପିଲାଟି ଯେ ସବୁବେଳେ ଚରିତ୍ରହୀନ ହେବ ,ତାର କିଛି ମାନେ ଅଛି ?

ଆଜି ତୃଷ୍ଣା ବହୁତ ବହୁତ ବହୁତ ଖୁସି ଥିଲା। ମାନ୍ଧାତା ଅମଳର ଗୋଟେ ଗନ୍ଧିଆ ପୋକ ତା ମୁଣ୍ଡରୁ ଓଲ୍ହେଇ ଯାଇଥିଲା ଥିରିକି । ଚାରିପଟର ଅଜାଣତେ ଆଉ ତାର ନିଜ ଜାଣତେ । ଲଜ୍ଜା ବି ଲାଗୁଥିଲା ନିଜର ଏହିପରି ମୂଲ୍ୟହୀନ ବ୍ୟବହାର ପାଇଁ ତାକୁ।

କ୍ଷମା ମାଗିବ ତ ମାଗିବ କାହାକୁ !



साहित्याला गुण द्या
लॉग इन

Similar oriya story from Action