ଜୀବନ ପାତ୍ର ମୋ....
ଜୀବନ ପାତ୍ର ମୋ....
ଶୀର୍ଷକ : ଜୀବନ ପାତ୍ର ମୋ .....
-----------------------
ଘନ ଘୋର ମେଘ ମେଦୁର ଆକାଶ ସାରା ଅନ୍ଧାର କରି ରଖିଥାଏ।ଘୁମଡ ଘୁମଡ ଘଡଘଡି ତାର ମୃଦଙ୍ଗ ତାଳରେ ବିଜୁଳିକୁ ନଚଉଥାଏ। ଜନ୍ମାଷ୍ଟମୀରେ ବି କାଇଁ ଏମିତି ମେଘ ଘୋଟୋଉଥିବ ଭଲା !
ମୁଁ ଅଫିସ୍ ରୁ ଘରକୁ ଫେରିବାକୁ ତରବର ତରବର ବ୍ୟାଗରେ ଛତାଠୁ ଲଞ୍ଚ ବ୍ୟାଗ୍ ଯାଏ ସବୁ ଠୁସି ଠୁସି ପୁରଉଥାଏ । ସକାଳ ସାତରୁ ଘରୁ ବାହାରିଥିବା ମଣିଷଟିର ଧର୍ଯ୍ୟ ଦିନ ସାରାରେ ଫାଳ ଫାଳ ହେଇ ଶହେ ଥର ଖସେ । ପ୍ରତିଦିନ ଭାଙ୍ଗିରୁଜି ଚୁନା ହୁଏ ଧାର୍ଯ୍ୟ ସମୟ କର୍ମ କସରତ କ୍ରମରେ । ଘରୁ କାମ କରିବାକୁ ବାହାରିଥିବା ମଣିଷଟିକୁ ଚାରିପଟର ସମସ୍ତେ ପେଶନ୍ତି। ତଳୁଆ ଦେଖେଇ ଉପରକୁ ଚଢନ୍ତି। ମନବଳକୁ ଭାଙ୍ଗନ୍ତି ଆତ୍ମ ସମ୍ମାନଟିକକକୁ ଛିଣ୍ଡେଇ ଛିଣ୍ଡେଇ। ସବୁଠି ହୁଏ। ଅଳ୍ପ ବହୁତେ ସମସ୍ତେ ଭୋଗନ୍ତି। ବୋଧେ ଏ ସବୁ ଆଜିକାଲି ହିଁ ବେଶୀ। ମଣିଷ ପଣିଆର ତରାଜୁ ଜଙ୍କ ଧରିଆସୁଛି। ଯେତିକି ଅଛି ଠାକୁରେ କରୁ ସେତିକି ରହିଥାଉ, ନୋହିଲେ ଧରା ଯେ ରସାତଳ ହବାକୁ କେତେ ସମୟ !
ସବୁଦିନ ମୁଁ ଭାବେ ଏଇ ମାସରେ ଇସ୍ତଫା ପତ୍ରଟା ପକେଇ ଦେବି କିନ୍ତୁ ପୁଣି ମୁଣି ବାନ୍ଧି ସକାଳୁ ହାଜର ହୁଏ ଗୋଟିଏ ଅଭ୍ୟାସ କର୍ମଚଞ୍ଚଳ ଜୀବନ ଦାୟରେ । ଈଶ୍ୱର ଯଦି ସତରେ ଥାନ୍ତେ ତାହେଲେ ଏତେ ସବୁ କଷ୍ଟ ହରଣ କରିବାକୁ ତାଙ୍କୁ କଣ ବେଶି ସମୟ ଲାଗନ୍ତା !ପୁଣି ଭାବେ ଯାହା ମୋ ପାଖରେ ଅଛି ସେଇ ମୁଠାକ ପୁଣି କେତେ ଆଖିର ସ୍ବପ୍ନ ହେଇ ଲଟକିଛି। ଆଉ ମୁଁ ? ଖାଲି କଣ ମୁଁ? ମଣିଷ ମନ
ର ରୋଗ ସିଏ , ସନ୍ତୁଷ୍ଟ ହବନି। ଉପର ମୁହାଁ ଅପରକୁ ଚାହିଁ ଚାଲୁ ଚାଲୁ ଅଶାନ୍ତିରେ ଯିବ ।ଆରେ ବାବୁ! ନିଜ ପ୍ରାପ୍ତି ତକକୁ ଆଗେ ଭୋଗି ନେ । କ୍ଷଣ ପରେ କ୍ଷଣ ଚକ ପରା ଗଡି ଯାଉଛି ।
ଆଜି ବି ଆସିଥିଲି ସକାଳୁ ଅଫିସ। ଜୀବନ ବାଟ ଦିଏ ବା କୋଉଠି ନିଜର ଇଛ୍ଛା ଗଛଟିଏକୁ ଉଧେଇବାକୁ! ସିଏ ତାର ତା ବାଟରେ ତମକୁ ଘୋଷାଡୁଥାଏ ତମ ଆଖତଳ କଳା ମାରିବା ଯାଏ ।
ଜଗତ ପାଖରେ ଶତ କୋଟି ଅଭିଯୋଗର ଚିଠା ପ୍ରତି ଜୀବନର।
ଅଭିଯୋଗ ସବୁର ମାନମହତ କଥା ଆଉ ପଚାରନା !
ସ୍କୁଟି କାଢିଲି ଅଫିସ୍ ର ପାର୍କିଂ ରୁ।ବଡ କଷ୍ଟେ ମଷ୍ଟେ ପବନ ସହ ଲଢୁଥିବା ଗାଡିକୁ ତେଢେଇ ମେଢେଇ ଗଡେଇଆଣିଲି ଖୋଜେ ବାଟ। କୁହନ୍ତି ନା ବିପଦ ଆସିଲେ ବନ୍ଧୁ ବାନ୍ଧବ ଘେନି ଆସେ। ବାସ୍ ଗାଡି ମୋର ଗଁ ଗଁ କରି ଅଟକିଗଲା ତା ତଣ୍ଟି ରେ କିଏ ଆଣ୍ଠୁ ପକେଇ ଦେଲାପରି। ଆଉ ଘଡିକରେ ସଞ୍ଜ । କଣ କରେ ଏବେ ମଣିଷ।ଯୋଗକୁ ଆଜି ଫୋନଟି ବି ଛାଡି ଆସିଥାଏ।ସକାଳୁ ଚାର୍ଜରେ ବସିଥିଲା।ମନ ଭୁଲେଇଦେଲା ଏ ପଞ୍ଚ୍ ମେସିନର ଭୋଳରେ ପଡି ମଣିଷ ନିଜକୁ ଭୁଲିଯାଉଛି ଓଳିଏ। ଯକ୍ଷ ମେସିନ ସିଏ ।ଆଙ୍ଗୁଳି ଟିପ ଛୁଇଁବ ନା ତା' ଠି, ତମେ ବୋଲକରା ବୋତଲ ଭୂତ ହେଇଯିବ । ଉଠୁ କହିଲେ ଉଠୁ,ଗଡ଼ କହିଲେ ଗଡିଯା। । ଛାଡ।ମୁକୁଳି ଆସିଲିଣି ଆଜିକି ପାଇଁ ।କାଲି କଥା କାଲିକୁ ଦେଖିବା ।
କେମିତି ଘରେ ପହଞ୍ଚିଗଲେ ଯାଏ ,ଆଜି କାଲିକା ଯୋଉ ସମୟ । କଲିଜା ପାଣି ହେଇଯିବ ଘରେ ସମୟରେ ନ ପହଞ୍ଚଲେ। ତମର ତମ ଘରଯାକ ମଣିଷଙ୍କର ।
ଏତେ ଗୋଳମାଳିଆ ବାଟ ଭିତରେ ଈଶ୍ୱରଙ୍କଠୁ ଭରସା ତୁଟେ ଗଢିହୁଏ ତୁଟେ ଗଢିହୁଏ ଥରକୁ ଥର । ଚଞ୍ଚଳିଆ ବଗୁଲିଆ ମନ ବାଟ ଭଟକାଏ । ଆଉ ତାଙ୍କ ଅସ୍ତିତ୍ବ ନେଇ ନିଜେ ଛାଟିପିଟି ହୁଏ ।ଆମେ ବି ତ ତା ବୋଲ ମାନୁ। ବିପଦେ କହୁ ତମେ ନାହଁ ହେ ଜମା! ଆପଦେ ତ ମନେ ହିଁ ପକାଉନା ।
ଗାଡି କଣ ହେଲା ନାରାୟଣଙ୍କୁ ଜଣା, ଅଳ୍ପ ଅଳ୍ପ ବରକୋଳିଆ ଟୋପା ମାଟି ଛୁଇଁବା ଆରମ୍ଭ କଲେ କିନ୍ତୁ ।
ମୁଁ ଗାଡି ପେଲି ନେଇ ରୋଡ ସାଇଡରେ ରଖିଲି।ଆଉ ଗୋଟିଏ ଦୋକାନ ପିଣ୍ଡାକୁ ଚଢିଗଲି। କି ଦୋକାନ ଆଉ ଅନେଇନି। ଭସା ମେଘ ଭାସି ଯାଇ ଦୂରେ କୋଉଠି ଅଟକି ଗଲା ବୋଧେ।ବେଶୀ ଝମଝମ କଲାନି। ହେଲେ କଣ ହଵ । ସ୍କୁଟିଟା ଦଗା ଦେଲା ଆଜି। ଚେଷ୍ଟା ଥରକୁ ପାଞ୍ଚ ଥର ପରେ ବି ଷ୍ଟାର୍ଟ ହେଲାନି। ଅଗତ୍ୟା ଠିଆ ହେଲି ଆଉ ଆଉ ଗୋଟେ ଡୋକୋମୋ ପୁରୁଣା ଡବା ଫୋନ ଯୋଉଟା ଯୋଗକୁ ପଡ଼ିଥିଲା ଡିକିରେ ସେଇଥିରୁ ଫୋନ ଟିପିଲି। କେମିତି କୋଉ ଯୋଗବିଧାତା ବଳେ ସେଥିରେ ଚାର୍ଜ ଥିଲା ଆଉ ସିଏ ଚାଲିଲା। ଏତକ ବି ପରେ ଭାବିଲି। ମନେ ପଡିବାକୁ ବି ସହୁଲିଅତ ଲୋଡା ।
ମନେ ପକେଇଲି କାହାକୁ ଫୋନ କଲେ କିଏ ତୁରନ୍ତ ଆସିପାରିବ । ମତେ ସାହାଯ୍ୟ କରିପାରିବ। ହେଲେ ହଜାରେ ସରିକି ଫେସ୍ ବୁକ୍ ବନ୍ଧୁ ତାଲିକାରୁ କାଇଁ ଜଣେ ଦିଜଣଙ୍କ ନାଁ ବି ପାଇଲିନି। ଏବେର ତାଲିକା ଲମ୍ବା ହେଲେ ବିଶ୍ବାସକୁ ଛୁଇଁ ପାରୁଥିବା ହାତ କାଇଁ ? ଦୁଃଖର କଥା ଜନସଂଖ୍ୟା ବୃଦ୍ଧିରେ ଦେଶ ପ୍ରଥମ ହେଲେ ପାଖରେ ଠିଆ ହେବାକୁ ପ୍ରଥମେ କେହି ନାହିଁ । ସଞ୍ଚ ସହ ବୋଳି ହେଇ ଅନ୍ଧାର ବେଶୀ କାଳିଆ ଦିଶୁଥାଏ। ଯୋଉ ଜଣେ ଅଧେ ଙ୍କୁ ମନ ଭରସି ପାରିଲା ସେମାନେ କେହି ଫୋନ ଉଠେଇଲେନି। ସମସ୍ତେ ନିଜ ନିଜ ଜୀବନରେ ଯେତେ ବ୍ୟସ୍ତ,ସେତେ ଏକୁଟିଆ । ସ୍ବାମୀଙ୍କୁ ଫୋନ କରିବାକୁ ଭାବିଲି ଯେ ସିଏ ମ୍ୟାସେଜ କଲେ," କଲ୍ ରେ ଅଛି ଗୋଟେ। କରୁଛି।"
ଆକାଶ ତାର ରଙ୍ଗ ବଦଳେଇସାରିଥାଏ ସମୟ ସହ ତାଳ ଦେଇ।
ଚାରିପଟକୁ ବିକଳିଆ ମନରେ ଚାହିଁ ଦେଖେ ଚଢିଥିବା ଦୋକିନବାଲା ତାର ତାଲା ମାରିଦେଇ ପାର୍ ହେଇସାରିଲାଣି। କେତେ ଅନ୍ୟମନସ୍କ ବା ନିଜ ମନସ୍କ ଥିଲି ମୁଁ ହିସାବ କରିବାର ବେଳ।
ଏ ଭିତରେ ଘରୁ ସ୍ବାମୀ ଅଜୟଙ୍କ ଫୋନ ଦି ଥର ଆସି ସାରିଲାଣି। ସିଏ କହିଲେ ," ବ୍ୟସ୍ତ ହୁଅନି। ଲାଇଭ୍ ଲୋକେସନ ପଠାଅ। ମୁଁ ଆସୁଛି ବ୍ୟବସ୍ଥା କରିକି।"
ଯା ହଉ । ବାପା ଭଲ ମଣିଷଟିଏ ର ହାତ ଧରେଇଥିଲେ ବୋଲି ସିନା। କର୍ପୂର ପରି ଉଡିଯାଉଥିବା ବିଶ୍ବାସ କନାରେ ଲାଖି ରହିଲା ।
ହେଲେ ନେଟୱର୍କ ଥିଲେ ତ ଏ ଘଡଘଡିଆ ପାଗକୁ ! ଆଉ ଡୋକୋମୋରେ କୋଉ ସେତକ ଏତକ ଯାବତୀୟ ସୁବିଧା ଥାଏ ଯେ !
ହଠାତ୍ ମୋ ପଛକୁ କିଏ ଜଣେ ଥିବାର ଯେମିତି ଆଭାସ ହେଲା । ଭୟ ଲାଗିଲା। ଲାଗିବନି! ଡର ଭିତରେ ତ ଜୀବନ ଚାରିପଟୁ ବନ୍ଦୀ।ନିଜ ଛାଇକୁ ପା ଭୟ ।
ଜଡେଇ ଥିବା ଡରକୁ ଥୟ କରେଇଲି । ଥିନ୍କ ପଜେଟିଭ ଥିନ୍କ ପଜେଟିଭ କହିହେଲି ।ଅମୀର ଖାନ୍ ଶୈଳୀରେ ଆଲ୍ ଇଜ୍ ଓ୍ବେଲ୍ ଆଲୋ ଇଜ୍ ଓ୍ବେଲ୍ ଜପିଲି । ସିନେମା ଜୀବନ, ଜୀବନ ସିନେମା..... ଚଳନ୍ତି ଚିତ୍ର ।
ହଜାରେ ଶିଙ୍କୁଳି ବନ୍ଧା ଜୀବନ ।ସର୍ପ ବନ୍ଧନକୁ ଗଳାମାଳ କରିଥିବା ଜୀବନ।
ଦେଖେ ଅଦୃଶ୍ୟମାନ କେହି । ପୁଣି କେହି ନାହିଁ ।ମନର ଭ୍ରମକି ଆଉ !
ନ ଦିଶିଲେ ବି ସଂସାରେ ଅଦୃଶ୍ୟମାନ ସତ୍ତା ଉପସ୍ଥିତି କଣ କମ ! ଆମ ଆଖିର ଶକ୍ତି ସିମିତ କହିହେବ । ମେଘ କୁଣ୍ଡାଝାଡିଲା । ମୁଁ ଆଉ ଥରେ ଗାଡିକୁ ହଲାହଲି ପେଲାପେଲି କଲି ଆଉ ସ୍ବାମୀଙ୍କ ବାଟକୁ ଚାହିଁଲି । ଭାବିଲି ରିକ୍ସା କି ଅଟୋଟେ କରିକି ପଳାଏ ନହେଲେ,ଗାଡି ଏଇଠି ଡେରିଦିଏ .... ପରେ ବୁଝାହବ।
ରାଗ ଲାଗୁଥାଏ ସେ ଈଶ୍ୱରଙ୍କ ଉପରେ । ଅଛ ନ ଅଛ ତମ କଥା ତମେ ଜାଣିଥିବ। ମତେ କାଇଁ କିଲିବିଲି କରୁଛ ଶୁଣେ ! ତମର ସେ ହିସାବି ମାଷ୍ଟ୍ରିଆ ବୁଦ୍ଧି ଗଲାନି?
ରାଗ ଆସୁଥାଏ। ଈଶ୍ୱର କିଛି କୁହନ୍ତିନି ।ଲଢନ୍ତିନି।
ତେଣୁ ତାଙ୍କ ବାଟେ ସିଏ ଥାଇ ବି ମାଗଣା ଗାଳି ଖାନ୍ତି।
ହ ! ହୃଦୟ ଯାହାକୁ ଆପଣାର ପାଏ ତାରି ପାଖରେ ତ ସକଳ ଅଦଉତି।
ଥକିକି ସେଇ ପିଣ୍ଡାରେ ବସିପଡିଲି ଆଉ ଅଜୟଙ୍କୁ ମ୍ୟାସେଜ କଲି ," ଶୁଣ ଅଟୋଟେ କରି ବାହାରିଯାଉଛି । ତମେ କୋଉଠି ହେଲଣି? ସ୍କୁଟି ଏଇଠି ରଖିଯାଉଛି । ଅଟୋଟେ ବି ତ କୋଉଠି ଦିଶୁନି। " ବଡ ସହର ହେଲେ ଓଲାଉବର ଚଟ୍ କି ମିଳିବ ମୋର ଏଇ ଅପନ୍ତରା ଅପାଣ୍ଡବ ଭୂଇଁକୁ ଭଲା ଗାଡି ସୁବିଧାଟେ କୋଉ ସରଳ ! ନଦୀ ନାଳ ଡେଇଁ ଚକ ଆସିଛି ସତ ହେଲେ ଗଡୁଛି ଆଜିବି କମ ହି ।
ଆଜିକାଲିଆ ସହରୀ ଜୀବନ ଡାଲାର ସେଇ ଆଳୁ ଭଳିଆ ଯାହାର ଉପର ପୁରା ଚିକଣ,ଆଉ ଦିଫାଳ କଲା ବେଳକୁ ଭିତର କଳାକଟକଟ କଣା।
ମନ ତାର ମନକୁମନ ଭାବି ହେଲା ," ଖାଲି କଥାକୁ ନା କାମକୁ ବା ତମେ? କୁଆଡେ ପରା ରାଣ ଖାଇଥିଲ ପାଖେ ପାଖେ ଥିବ। ଆଉ ଆଜି କୁଆଡେ ଗଲା ତମ ପଣ ଏ ନିଛାଟିଆ ବର୍ଷାଗଳା ରାତିଟାରେ ? ଏତେ ଏକା ଛାଡି ପାର ତ ? "
ଭାଗ୍ୟକୁ ଦେଖ ! କେଡେ ଟାଣ । ଢଡ କି ଢଡ କିଛି ହେଉନଥିବା ମୁକବଧିର ଭଳିଆ ପଡିଥିବା ଗେଲବସର ଗାଡିଟି ମୋର , ପେଲା ଦୋହଲା ବହଟେ ପରେ ଗଁ କିନା କଳାଧୂଆଁରୁ ବେଜାଏ ବାୟୁ ବାନ୍ତି କରି ପକେଇ ଷ୍ଟାର୍ଟ ତ ହେଇଗଲା ଆଉ !
ଏଇତିକ ହେଲା ଆନନ୍ଦ । ନିନ୍ଦାରୁ ରକ୍ଷା ପାଇଲ ହେ ମୁରାରୀ!
ତଥାପି ଘରେ ପହଞ୍ଚି ଗଲି ଭଲରେ ଭଲରେ ବାଟ ଯାକର ଡରକୁ କୋଳେଇ ।
କୁନି ପୁଅ ମୋର ଦଉଡି ଆସି ତାର ପଦ୍ମନାଡ ଭଳିଆ ହାତକୁ ମୋ ଗଳାବେଷ୍ଟନ କରିନେଇ ଗାଲରେ ଆଙ୍କିଦେଲା ସରୁ ଚୁମିଟିଏ । ପୁଣି କଣ ଭାବିଲା କେଜାଣି ମତେ ସେଇଠି ଛାଡି ଦେଇ ଦାଣ୍ଡ ଗେଟ୍ ପାଖକୁ ଦଉଡି ଗଲା । ସିଏ ସେମିତି ହିଁ । ଖେଳ ଗୋଟେ କଣ ମନେ ପଡି ଯାଇଥିବ ତ ଉଡିଲା । ମୁଁ ହସିଦେଲି ଆଉ ଧୁଆଧୁଇ ହବାକୁ ଚାଲିଗଲି । ଯିବା ପୂର୍ବରୁ ଅଜୟଙ୍କୁ ଫୋନ ଲଗେଇଲି ହେଲେ ଉଠେଇଲେନି। ଘରେ ନ ଥିଲେ।ଏ ବର୍ଷା ବେଳଟାରେ ପୁଅଟିକୁ ଘରେ ଏକା ଛାଡି କାଇଁ ବାହାରି ଯାନ୍ତେ ଭଲା ! ଆସୁଛି ତ ମୁଁ,କଣ ହଜିଯାଇଥାନ୍ତି । ଏଡେ ବଡଟେ ତ ହେଲିଣି!
ନାଇଁ! ଏ ମରଦ ପିଲାଙ୍କୁ ନିଜକୁ ବୀର ପ୍ରମାଣ କରିବାର ଗୋଟିଏ ସୁଯୋଗ ହାତଛଡା କରିବାର ନାହିଁ ।
ସ୍ତ୍ରୀ ମନଟି ବି ଅଦ୍ଭୁତ ।
ଇଛ୍ଛା ପୋଷିବ । ହାତ ପାହାନ୍ତାରେ ଧରା ଦେଲେ ଧିକାରିବ।
ମୁଣ୍ଡ ଚୁଟିତକ ଟର୍କିସ୍ ରେ ପୋଛି ପାଛି ଶୁଖେଇ କେଟିଲଟା ଚୁଲିରେ ଚଢେଇଲି ।
ଘଡଘଡି ଦିଟା ମାରିଦେଲା ।ତା ସହ ଖୁସିବାସିଆ ବିଜୁଳି ଦି' ଗାର ନାଚିଗଲେ ରୂପେଲି କାଳିରେ। ମୁଁ ଭାବିଲି ଆହାଃ ! ହଇରାଣ ହେଲେ ସିନା ଅଜୟ । ଇଏ ନେଟୱର୍କ ମାଙ୍କଡ ଠିକ୍ ସମୟରେ ଲାଗିବନି। ଯାଃ । କୁଆଡେ ମତେ ଖୋଜୁଥିବେ କେଜାଣି!
ଏତିକି ବେଳେ ଅଜୟଙ୍କ ଗାଡି ଶବ୍ଦ ବାହାରୁ ଶୁଭିଲା ତ ମାଆ ପୁଅ ଦିହେଁ ଦଉଡି ଗଲୁ । କାର୍ ଭିତରୁ ନଁଇ ପଡି ଅଜୟ ଘର ଭିତକୁ ପଶି ଆସିଲେ । ପଶୁଥିବା ଅବସ୍ଥାରେ କହୁଥାନ୍ତି," କି ମେଘରେ ବାବା । ଉଫ୍ । କେମିତି ମଣିଷ କିଓ ତମେ। ମତେ କହିଲ ପୁଣି ନିଜେ ଆସିଗଲ।ହେଲା ଯଦି ଆସିଲ ଆସିଲ ,ଫୋନଟେ କରିବାକୁ ହେଲାନି । ପୁଣି ସେଥିରେ ତମର ଯୋଉ ଭୁଲା ପ୍ରକୃତି । ଜିନିଷ କିଣି ଯୋଉଠି ମନ ସେଇଠି ବାଟଘାଟରେ ଥୋଇକି ପାର୍ । ଦେଲ ଦେଲ କଫିଟିକେ ବସାଅ ତ କଡ଼ାକି ।"
ମୁଁ ଶୁଣୁଥାଏ ଖାଲି। ବିବଶତା, ଲଜ୍ଜା,ଗ୍ଲାନି ସବୁର ଅଭିମାନ ଲୁହ ବିନ୍ଦୁ ସଡସଡ କରିବା ଆରମ୍ଭ କରୁଥାଏ । ମୁଁ ପୁଣି କୋଉଠି କଣ ଛାଡି ଆସିଲି? ଆଜି ତ କାଇଁ କିଛି କିଣିନି। ଘରବାହୁଡା ପଥ ତ କେବଳ ଅଣ୍ଡାଳୁ ଥିଲି ଆଖିମୁଦି । ପୁଣି କୋଉଠି କଣ ଛାଡି ଆସିଲି ?
ଏମିତି ଭାବନା ସବୁରେ ମୁଣ୍ଡ ଖେଳଉ ଥାଏ କି ଅଜୟ ମୋ ପାଖରେ ରଖିଦେଲେ ଥଳିଟିଏ କାର୍ ପଛ ସିଟ୍ ରୁ କାଢି । ଆଉ କହିଲେ ," ଆରେ! ଏମିତି ଦାରୂମୂର୍ତ୍ତି ପରିକା କଣ ଠିଆ ହେଇଛ ? ତମେ ଯୋଉଠି କହିଥିଲ ସେଇଠି ଦେଖିଲି ତମେ ନାହଁ। ମୁଁ ଖୋଜୁଥିବାର ଦେଖି ଦାଢିଆ ବୁଢା ଲୋକଟିଏ କାହୁଁ ଆସି ମତେ ଏ ଥଳିଟି ଦେଲା ଆଉ କହିଲା ସିଏ ବି ତୁମ ସହ ବର୍ଷା ଛାଡିବା ଅପେକ୍ଷାରେ ଥିଲା ସମାନ ଜାଗାରେ ଓ ତୁମେ ସେଇଠି ଏଇ ବ୍ୟାଗଟି ଛାଡି ହଠାତ ଚାଲି ଆସିଲ ଯେ ସିଏ ବିଚରା ପଛରୁ ଡାକୁଥିଲେ ବି ତୁମକୁ ଶୁଭିନି । ବଡ ବ୍ୟସ୍ତ ହେଇ କହିଲେ ଝିଅଟି ତା ବ୍ୟାଗଟି ଛାଡିଗଲା ।କଣ କରିଵି? ତୁମେ ଜାଣ ତାଙ୍କୁ ବାବା? ତାଙ୍କୁ ହିଁ ଖୋଜୁଛ ଲାଗୁଛି। ତାଙ୍କ ପାଖରେ ପହଞ୍ଚାଇ ଦେବ ଟିକେ ? ......."
କଣ କିଣିଛ ? ଯଥେଷ୍ଟ ଭାରି ହେଇଥିଲା । "
ମୁଁ ଚକିତ ଥିଲି । ଅଜୟଙ୍କୁ ସ୍ନାକ୍ସ ବଢେଇଦେଇ ଆପେ ପାଦ,ମନ,ଆଖି ସେଇ ବ୍ୟାଗ୍ ପଟକୁ ଢଳି ଗଲେ । ମୁଁ କହିପାରିଲିନି ଯେ ଜିନିଷଟି ମୋର ନୁହେଁ। ତଳେ ବସି ପଡି ବ୍ୟାଗଟି ଖୋଲି ଯାହା ଦେଖିଲି ମୋ ମନ ମଧୁବନ ପାଲଟିଲା । ମନେ ପଡୁଥିଲା ଏମିତି କିଛି
ମେଘ ବଢିଲା । ଶୀତଟାଙ୍କୁରା ଲୋମ ମୋର ବର୍ଷା ଛିଟାରେ ଭିଜି ଷ୍ରିଟ୍ ଲାଇଟ୍ ରେ ଝଲମଲ ଜରିକାମ ହାତ ପରି ଦିଶିଲେ। ମୋ ଠୁ ଦି ହାତ ଛାଡି ବୁଢା ମଣିଷ ଜଣେଙ୍କୁ ହଠାତ୍ ଆବିଷ୍କାର କଲି। " ଇଲୋ ବୋଉଲୋ " କହିଲା ପରି ଡରଟେ କାହିଁକି କେଜାଣି ମାଡିବସିଲା ନାହିଁ। । ତା ପର ମୂହୁର୍ତ୍ତେ କାହୁଁ କେଜାଣି ଦମକାଏ ପବନ ବିଛାଡି ହେଇ ପଡିଥିବା ମଲ୍ଲୀକାର ବାସ୍ନା ଖେଳେଇ ଦେଇଗଲା। ମୁଁ ସମ୍ମୋହିତ ହେଲି । ଗଙ୍ଗଶିଉଳି ବାସିଲା।
ଖାଲିଟାରେ ଶହେ ଥର ଚମକୁଥିବା କଲିଜା ମୋର ଅଚିହ୍ନା ଅଭ୍ୟାଗତଙ୍କୁ ଦେଖି ଚମକି ପଡିଲାନି । ସତେ ଯେମିତି ଏକ ଶାନ୍ତ ସ୍ନେହମୟ କାନ୍ତି। ଶ୍ବେତ ଶୁଶ୍ରୁ ଭରା ମୁହଁଟି ବିଜୁଳି ଚମକିବା ସହ ଝଲସି ଉଠୁଥାଏ । ମତେ ଦିଶୁଥାଏ ଯେମିତି ସିଏ ହସୁଥାନ୍ତି ସ୍ମିତଟିଏକୁ ଅଧରରେ ଆଉଁସି । ଯଦିଓ ମୁଁ କାହା ସହ ଆଗେ କଥା ଆରମ୍ଭ କରିବାରେ ଶହେ ରୁ ଶହେ ହାଡି ତଥାପି କେମିତି କେଜାଣି ସ୍ବତଃ ପ୍ରବୃତ୍ତ ହେଇ ପଚାରିବସିଲି , " ଘର କଣ ପାଖରେ ମଉସା ? ମେଘ ପାଇଁ ମୁଁ ଏଠି ଅଟକି ଯାଇଛି । ଭଲ ହେଲା ଆପଣ ବି ଏଇଠିକୁ ଆସିଲେ। .....ଏ ମେଘଟା କେମିତି କମିଯାନ୍ତାନି । "
ମୋ କଥାର ତାଳମେଳ ନ ଥିଲା ।
ସିଏ କିଛି କହୁନଥାନ୍ତି । ମୁଁ ରାସ୍ତାକୁ ଡୁଙ୍ଗିଲି । ଟିକେ ଭିଜିକି ହଉ ପଛେ କିକ୍ ଷ୍ଟିର୍ଟ ଦିଟା ମାରି ଆସିଲି । ଘୁଁ ଘୁଁ କିନା ଶବ୍ଦ ହେଲା ।ମନଟା ମୋର ତୀରତରଙ୍ଗ ପାଲଟିଗଲା ।
ମେଘ କମିଯାଉ ପ୍ରଭୁ ବୋଲି ମୁଁ ଠାକୁରଙ୍କୁ ଡାକିଦେଲି । ସ୍ଵାର୍ପପର ହେଉ ପଛେ ଆବେଗ ଭରିଲା ମନଦୀପରେ ।
ତଳକୁ ଥରକୁ ଥର ଯାଇ ଗାଡିଟାକୁ ଘୋଷାଡୁ ଥାଏ। ଷ୍ଟାର୍ଟ ହେଇଯା ରେ ! କହୁଥାଏ। ପୁଣି ଓଦା ସରସର ହେଇ ତଳମୁହାଁ ହଂସ ପରି ଦେହରୁ ପାଣି ଝାଡୁ ଝାଡୁ ପିଣ୍ଡାଉପରକୁ ଉଠିଆସୁଥାଏ । ଏଥର ଚଢିଆସି କହିଲି," ମଉସା ମେଘ କମିଲାଣି ।ମୋ ଗାଡି ବି ହଁ କଲାଣି ଯିବ ବୋଲି । ଚାଲନ୍ତୁ ମୁଁ ଓଲ୍ହେଇଦେବି କୋଉଠିକୁ ଯିବେ ଯଦି । " ହେଲେ ସେଠି କେହି ନ ଥିଲେ । କେହି ବୋଲି କେହି ।ଅଜାଣତେ ଅଳ୍ପ ଥରିଗଲି । ତରବରରେ ମୋର ତଳେ ଥୋଇଥିବା ବ୍ୟାଗ ଉଠେଇ ଦୈାଡିବାକୁ ଭାବୁଛି ମୋ ବ୍ୟାଗ ସହ ଝିଙ୍କି ହେଇ ଆଉ ଗୋଟେ ଥଳି ମୋ ଆଡକୁ ଉଠି ଆସିଲା । ମୁଁ ଓଚାବୁହା ହେଇ ଠିଆ ହେଇଗଲି ମୂହୁର୍ତ୍ତଟିଏ । ମୁଣିଟିକୁ ସେଇଠି ଝାଡି ଦେଇ ମୁଁ ଗାଡି ସିଟ୍ ରେ ବସିଲି ଆଉ ଆକ୍ସିଲେଟର ମୋଡ଼ି ଦେଇଥିଲି।
ଏବେ ଦେଖୁଛି ଯୋଉ ଥଳିଟିକୁ ଛାଡି ଆସିଥିଲି ସେଇ ଥଳି ସ୍ବୟଂ ମୋ ଅଗଣାକୁ ଆଦରି ଆସିଥିଲା। ଭାବାନ୍ତରର ଟୋପି ମୁଣ୍ଡେଇ ଖୋଲି ଦେଖେ ଚାହିଁ ହସୁଛନ୍ତି ମୋହନ ମୁରତି ମୁରଲୀ ମନୋହର ।ମନ୍ଦ ମନ୍ଦ ହସ ପିନ୍ଧିଛନ୍ତି ଅଳଙ୍କାର କରି ।
ଆଖରେ କହୁଛନ୍ତି ," ତତେ ଛାଡି ମୁଁ କୁଆଡ଼େ ଯିବି ! ଯିଏ ଭାବ ଦିଏ ମୁଁ ତା ଭାବରେ ରହେ ପରା ।ଓଲଟି ତୁ ମତେ ଛାଡିଆସିଲୁ ସବୁଥର ପରି । "
ମୁଁ ତ ଜଡସଡ ଓଦା ହେଇକି ଆସିଥିଲି ବାହାରୁ ଏବେ ଭିତରୁ ଏତେ ଭିଜିଲି ଝରଝର ଯମୁନା ପାଲଟି ଯାଉଥିଲି ।
ଦେଢ଼ ଫୁଟିଆ କମନୀୟ ଠିଆ ମୂର୍ତ୍ତି ମତେ ନତଜାନୁ ବସେଇ ରଖିଥିଲା କେତେ ଘଡିଯାଏଁ ତାର ହିସାବ ନଥିଲା। ମୋ ପାର୍ଥିବ ବାଳକୃଷ୍ଣର ଡାକରେ ଚାହିଁ ଦେଖିଲି କେଶବ ହିଁ ଧାଇଁ ଆସୁଛନ୍ତି ମୋ କୋଳକୁ କୋମଳ ଦୁଇ ବାହୁ ତୋଳି ।
------
ଶ୍ରୀମତି ଲୋପାମୁଦ୍ରା ପରିଡ଼ା
ପାନାଥୁର
ବାଙ୍ଗାଲୋର
