STORYMIRROR

Lopamudra Parida

Action Classics Inspirational

4  

Lopamudra Parida

Action Classics Inspirational

ପେଟ୍ ରକ୍

ପେଟ୍ ରକ୍

4 mins
226

ପେଟ୍ ରକ୍


-------------


ମୁଁ ତିଶା ଘରକୁ ଯାଇଥାଏ । ତା ସହରରେ ମୋର ଦି ଦିନର କାମ ଥାଏ । ମୁଁ ତାକୁ ହୋଟେଲ ବୁଝିବାକୁ କହିଥିଲି ହେଲେ ସିଏ କହିଲା " ହେ ହୋଟେଲ ଫୋଟେଲରେ କଣ ରହିବୁ ବେ ମୁଁ ପା ଅଛି ଏଇଠି।ଆ‌, ଧୁମ୍ ମଜା କରିବା।" ମୁଁ ଟିକେ ଚିନ୍ତା କଲି ଓ ଚୁପ୍ ରହିଲି କାହିଁକି କାହା ପ୍ରାଇଭେସି ଡିସଟର୍ବ କରିବି ବୋଲି ଭାବି ତ ସିଏ ବୁଝିଗଲା ଆଉ ପୁଣି ମିଛ ରାଗ ଦେଖେଇ କହିଲା, " ଆହାଃ ଲୋ ଫୁଲେଇ କେତେ ଭାବୁଛୁ ବା । ବେଶି ଭାବେନା କବି ଫବି ହେଇଯିବୁ ଯଦି ଗଲା ପୁଣି ଆମର । " ଆଉ ହସି ହସି ଗଡିଗଲା।‌ " ମୁଁ ଅପେକ୍ଷା କରିଛି ହେଲା। ଚୁପ୍ କରି ଆସି ପହଞ୍ଚ । " ଏଇ ଧାଡିକ ମତେ ଆଣି ତା ଘର ଡୋରବେଲ ପାଖରେ ଠିଆ କରେଇ ଦେଲା।ଏକତାଲା ଘର । ତଳ ଘରେ ରହେ ତିଶା। ଉପର ଘରେ ଘର ମାଲିକ। ଏକୁଟିଆ ବୁଢୀ‌ମଣିଷ । ଏତେ ସବୁ କଥା ସିଏ ମତେ ଘର ଖୋଜିବାକୁ ସୁବିଧା ହବ ବୋଲି କହିଥିଲା ।


ତା କବାଟ ଫାଳିକିଆ ଆଉଜା ହେଇଥିଲା। ମତେ ଡାକିବାକୁ ହେଲାନି।‌ଦଲକାଏ ଖୁସିବାସିଆ ପବନ ପରି ହସ ଶବ୍ଦ ସହ ଅଦେଖା ଡେଣା ଲଗା ପ୍ରଜାପତିଆ ପିଲା ପୁଞ୍ଜାଏ ତା ଭିତରୁ ଦଉଡି ବାହାରକୁ ବାହାରି ଆସିଲେ ।


ତା ଦାଣ୍ଡ ଘର ଦିଶିଲା। ସୋଫା,ଟି ପୟ, କାନ୍ଥ ଥାକ।ଯୁଆଡେ ଚାହଁ ଖେଳନା ହିଁ ଖେଳନା। ରକମାରୀ ଖେଳନା । ଏଣେ ତେଣେ ଫେଣେ ଖେଳନା। ମୁଁ ଭିତରକୁ ପଶିବି ନା ନାହିଁ ,କି ଆଉ ଥରେ ବେଲ୍ ମାରିବି ଭାବୁଛି ଜଣେ ବୃଦ୍ଧା ଭିତର ଘରୁ ବାହାରି ଆସିଲେ । ପୁରିଲା ପୁରିଲା ଆଖିରେ ତୃପ୍ତି। କିଛି ପଚାରିଲେ କନ୍ନଡ଼ରେ ।ମୋ ପାଇଁ ଭାଷା ଅବୁଝା ଥିଲେ ଭାବ ମିଠା ଥିଲା ।


ମୁଁ ଆଶ୍ଚର୍ଯ୍ୟ ହେଉଥିଲି । ତିଶାର ତ ନିଜର ବୋଲି କେହି ନାହିଁ ମୁଁ ଜାଣେ । ପିଲାବେଳୁ କନ୍ୟାଶ୍ରମରେ ବଢିଛି ସିଏ ।କଲେଜରେ ଦେଖା ତାର ମୋର । ଚୁପ୍ ଚାପ୍ ଝିଅଟେ। ଏତେ ଗହଳି ତା ଘରେ କେମିତି? କିଏ ସବୁ ଏମାନେ? ସଂମ୍ପର୍କ କଣ ତାର ଏ ସବୁ ସହ ? ଆଉ ମୁଁ, ମୋର ଘରେ ଖାଲି ପାପା ଆଉ ମମ୍ମା। ଦି ଜଣ ଅଫିସ ଗଲା ପରେ ଆୟା ଆଣ୍ଟି ପାଖେ ମୁଁ ବଡ ହେଇଛି। ଆୟା ଆଣ୍ଟି ତାର ଫୋନରେ ବ୍ୟସ୍ତ ରହେ । ମୁଁ ମୋର ନିଜେ ଖେଳେ ବାଲକୋନୀକୁ ନିଜର ସାଙ୍ଗ ବନେଇ ।‌ ବଡ ହବା ସହ ସହ ଏକା ରହିବା ଶିଖିଗଲି। ଅଭାବ ତ କିଛି ନ ଥିଲା ହେଲେ ମୁଁ ଖୁସି ନ ଥିଲି । ସାଙ୍ଗ ବି ବିଶେଷ କେହି ନ ଥିଲେ। ଦିନେ ମୋ ଜନ୍ମ ଦିନରେ ମୁଁ ମମ୍ମୀ ପାପାଙ୍କ ସହ କନ୍ୟାଶ୍ରମ ଯାଇଥିଲି ମୋର ପୁରୁଣା ଫ୍ରକ୍,ଟେଡି,ବହି ,କ୍ରେୟନ ସବୁ ଦବାକୁ ତ ତିଶା ସହ ମୋର ଦେଖା ସେଇଠି। ତିଶା ମୁଁ ବସିଥିବା ଚଉକି ପାଖକୁ ଆସି ନୀରିହ ଆଖିରେ ମତେ ଚାହିଁ ରହିଥିଲା । ମୁଁ ଦେଖିଲାରୁ କହିଲା," ଆସୁନ ଆମ ସହ ଖେଳିବ ସେପଟେ। ଆମେ ଘର ଘର ଖେଳୁଛୁ।" ମୁଁ ସେ ଖେଳର ନାଁ ନୂଆ ଶୁଣିଲି । ମମ୍ମୀ କହିଲେ," ଯା " ମୁଁ ସ୍ତବ୍ଧ ହେଲି। ଯିଏ ନିଜର ଷ୍ଟାଟସ୍,ଆରିଷ୍ଟୋକାର୍ଟିକୁ ଗଣ୍ଠିଧନ କରିଥାନ୍ତି ଆଜି କେମିତି.......


ଆଜିକୁ ସେ ସବୁ ଧୂଳିଧୂଳିଆ ଚିତ୍ର ।


ପ୍ରଶ୍ନ ସବୁ ଛନ୍ଦି ହେଉଥିଲେ ମନରେ କି ତିଶା ବାହାରି ଆସିଲା ବାହାରକୁ ଆଉ ମତେ ଚମକେଇଦେଇ କୁଣ୍ଢେଇ ପକେଇଲା ।ଆମେ ସୁଖ ଦୁଃଖ ହେଲୁ। ଲୁହ ଲୁହ ହେଲୁ ଆଉ ହସ ହସ ବି । ପୁରୁଣା ଦର୍ପଣ ରୁ ଧୂଳି ଝାଡି ମୁହଁ ଦେଖିଲୁ। କିଛି ଏଣୁ ତେଣୁ ପାଇଁ ଚିମୁଟା ଚିମୁଟି ବି ହେଲୁ । ହୁଏ । କଳାଧଳା ଫଟୋକୁ ରଙ୍ଗିନ କଲୁ ।ଆମେ ତ ଚିଠି ସାଙ୍ଗ ଥିଲୁ। ଦେଖା ହେଇଥିଲା ମାତ୍ର ତିନି ଥର । ଚତୁର୍ଥ ଥରକୁ ସେଇ କନ୍ୟାଶ୍ରମ ଜଣେଇଲା ଯେ ତିଶାକୁ କିଏ ଝିଅ କରି ନେଇଯାଇଛନ୍ତି। ତା ଠିକଣା ତ ମୋଠୁ ହଜିଗଲା। କିନ୍ତୁ ତା ଚିଠି ପୁଣି ଆମକୁ ଯୋଡିଲା। ଆମେ ପୁଣି ଗପିଲୁ ଫର୍ଦ୍ଦ ଫର୍ଦ୍ଦ କାଗଜରେ।


ଏ ଭିତରେ ମୁଁ ବୁଝୁଥିଲି ତା ଜୀବନର ଅନ୍ୟ ପାଖରୁ ପାଖେ।


ଚାକିରିଆ ଜୀବନଟି ସୁରୁଖୁରୁରେ‌ ସମାପନ କରି ସଞ୍ଜକୁ ତାର ଏଇ ଚଢେଇ ବସାକୁ ଫେରିଆସେ। ଜୀବିକା ପାଇଁ ଚାକିରୀଟି ଧରିରଖେ ସିନା ଆତ୍ମା ତାର ଏଇ ଘରେ‌ ଥାଏ । ସିଏ ଆସିବା ମାତ୍ରେ ପ୍ରଜାପତି,ଗୁଣ୍ଡୁଚି,ଘରଚଟିଆ,ଶୁଆ ପରି ଆଖ ପାଖର ପିଲେ ତା ଘରକୁ ଆସି କିଚିରି ମିଚିରି କରନ୍ତି ଓ ତାଙ୍କ ଜଗୁଆଳି ବୁଢା ବୁଢ଼ୀ ଜେଜେ ,ମାଆ ସବୁ ୟା ଦାଣ୍ଡ ଘରେ ‌ଗପ ପସରା ଖୋଲି ବସନ୍ତି । ନିଜର ସଜଳ ସ୍ମୃତିର ପରଦା ଓଲଟାଉ ଓଲଟାଉ ତିଶା ହାତ ରନ୍ଧା ଚାହା,କଫି,ପକୋଡି ଟକାଟକ ଚାଲେ ଆଉ ତା ସହ ପରସା ହୁଏ ପରସ୍ତ ପରସ୍ତ ସ୍ନେହ ଅମାଲୁ। ଏଇ ତ ମୁଁ ଆସିବା ଭିତରେ ସିଏ ମତେ ଚାରିଥର କଣ କଣ ଟୁକୁରୁ ମୁକୁରୁ ରାନ୍ଧି ଛାଣି ଖୁଏଇ ସାରିଥିଲା। ମତେ ତା ଘରେ ବହୁତ ଭଲ ଲାଗୁଥିଲା। କିଚିରି ମିଚିରି କରି ପଡିଶା ଘର ପିଲେ ସବୁ ଖେଳୁ ଥିଲେ ଆମ ଚାରି ପଟେ । ସେମାନେ ପୁରା ସଞ୍ଜ ତା ପାଖରେ ରହନ୍ତି,ପଢନ୍ତି,ଖେଳନ୍ତି ଆଉ ମାଆ ମାନେ ଆସି କାଖେଇ କୋଳେଇ ଯେଝା ଘରକୁ ନବା ଭିତରେ ଅଧା ଅଧି ଶୋଇ ବି ପଡନ୍ତି।


ଏବେ ଆମେ ଶୋଇବାକୁ ଗଲୁ ।


ରାତି ଶାନ୍ତ ଥିଲା । ଜହ୍ନ ତା ବାଲକୋନି ସାରା ବିଛେଇ ହେଇ ପଡିଥିଲା । ସିଏ ପଚାରିଲା ,"ତୁ ମୋ ପାଇଁ କିଛି ଆଣିନୁ ? "


ମୁଁ କହିଲି," ମୁଁ ପା ନିଜେ ଆସିଛି। ଆଉ କଣ ଆଣିଥାନ୍ତି।" ପେଟେ ହସିଲୁ ଆମେ । ତାରା ଫୁଟିଗଲା।


ମୋର ମନେ ପଡିଲା ମୁଁ ଯେତେବେଳେ ଘରୁ ବାହାରୁ ଥିଲି ତିଶା ପାଖକୁ ଆସିବାକୁ ପାର୍ସଲ ଗୋଟେ ଆସିଥିଲା । ମୁଁ ତାକୁ ତରବରରେ ମୋ ପର୍ସରେ ପୁରେଇ ଦେଇଥିଲି । ମୁଁ ଉଠିଗଲି ।‌ ସିଏ କହିଲା," କଣ ଲୋ ? "


" ରହ " କହି ପର୍ସରୁ କାଢିକି ପାର୍ସଲଟି ତା ହାତକୁ ବଢେଇ ଦେଲି। "ମମ୍ମୀ କଣ ପଠେଇଥିଲେ । ତାଙ୍କ ଟୁର୍ ରେ ଯାଇଥିଲେ ତ ।ସେଠୁ ସୁଇଜରଲ୍ୟାଣ୍ଡ ଯାଇକି ଆସୁ ଆସୁ ପନ୍ଦର ଦିନ ଲାଗିବ କମ ରୁ କମ । ପାପା ବି ଅଫିସ୍ ମିଟ୍ ରେ ସୁଇଜରଲ୍ୟାଣ୍ଡରେ ଥିଲେ । ମୁଁ ଘରେ ଏକା ଥିଲି ତ କିଛି ପଠେଇଥିବେ ମୋ ପାଇଁ। ଏଇଟା ଏବେ ତୋର । ଖୋଲ ।ଦେଖିବା କଣ ଅଛି। "


ଡିମ୍ ହଳଦିଆ ଲାଇଟ୍ ଟି ଜଳୁଥିଲା।


ସିଏ ଖୋଲିଲା ଖୋଳଟି। ମୁଁ ଆଗ୍ରହରେ ଚାହିଁଥିଲି ।


ଆଉ ପ୍ୟାକେଟ ଭିତରୁ କାଢିଲା ତାକୁ।ଏପଟ ସେପଟ ଗଡେଇ ତଡେଇ ବହେ ଦେଖିଲା। ଆଉ ମୁଁ ମୁହଁକୁ ବୋକିଙ୍କ ଭଳିଆ ଚାହିଁକି ପଚାରିଲା," ଆଲୋ ଗୋଡିଟେ କଣ ? ବଡ ବାଲିଗରଡା ଟେ । ୟାକୁ କଣ କରନ୍ତି? ଏ ମାଆ ଶାଳଗ୍ରାମ ନୁହେଁ ତ ? ମୁଁ ଛୁଇଦେଲି ବେ ।ଗାଧେଇଥିଲି ଆଜି । "

ମୁଁ ହସି ଗଡି ଯାଉଥିଲି ତା ବୁଡବକ ଗୁଣ ଦେଖିକି ଯେ ସିଏ ପେଟ୍ ରକ୍ କୁ ଶାଳଗ୍ରାମ ଭାବୁଥିଲା । ମୁଁ କିନ୍ତୁ ତାକୁ ବୁଝେଇ ପାରୁ‌ନଥିଲି ଯେ ମୋ ଅଧିକାଂଶ ଏକୁଟିଆ ସମୟର ସାଥି ହବା ପାଇଁ ଏଇ କୁନି ପଥରଟି ଆସିଛି। ପୋଷା ପଥର ।

ଡରୁଥିଲି କାଳେ ସିଏ ଏ କଥାରେ ହସି ହସି ଗଡି ନ ଯାଉ ।



Rate this content
Log in

Similar oriya story from Action