ପୂଣ୍ୟ
ପୂଣ୍ୟ
ରାତି ଅଧ । ପାଖାପାଖି ଗୋଟେ ସାଢେ଼ ଗୋଟେ । ଆମ ଗାଡି ଛୁଟୁଥାଏ ପବନ ଠୁ ଟିକେ କମ ବେଗରେ। ସଲସଲ ଶୀତଳ ବାଆ ବେଗମତି ହୋଇ ପେଲିପଶୁଥାନ୍ତି ଝରକା କାଚ ଦେଇ। ଆଖି ଝୁଙ୍କି ପଡୁଥାଏ ମୋର ନିଦର ଜୁଆରେ । ଖାଲି ଘୁଙ୍ଗୁଡ଼ି ମାରିବା ବାକି ଥାଏ ।
ଇଏ ଗାଡି ଚଲଉଥାନ୍ତି ଏକ ମୁହାଁ ଘରର ରାହା ଧରି। ପିଲେ ଦିହେଁ ନିଦରେ । ୟାଙ୍କୁ ବି ନିଦ ଝାଙ୍କୁଥାଏ ହେଲେ ଜୀବନ ଗାଡିର ଷ୍ଟିଅରିଂ ଧରି କିଏ ବା ଶୋଇପାରେ! ମତେ କହୁଥାନ୍ତି," ତୁମେ ବି ଶୋଇପଡ, ଆହୁରି ଦୁଇ ଘଣ୍ଟାର ବାଟ ବଳିଛି।" ହେଲେ ମୁଁ ପରା ଅର୍ଦ୍ଧାଙ୍ଗିନୀ । ଧର୍ମରେ କର୍ମରେ ପାଦ ମିଳେଇ ଚାଲୁଥିବି।
କାଲିଠୁ ଭାବିଥିଲୁ ଏଇ ଜାଗାଟି ଦେଖି ଆସିବୁ। ଚାକିରିଆ ଜୀବନରେ ଛୁଟିଟେ ମିଳିଛି ମାନେ ଅମୃତ ଫଳ ହାତ ପାହାନ୍ତିରେ । ସଦୁପଯୋଗ ନ କଲେ ପାଚି ଝଡିଯିବ। ଆଜି ସକାଳୁ ଆସିବୁ ଆସିବୁନି ହେଇ କାଇଁ ଜମାତ ମୋ ମନ ଡାକୁନଥାଏ। ଦିନ ଅଢେଇବେକୁ ଖରାବେଳେ ଖାଇବା ସାରି ପିଲେ ପଚାରିଲେ," ବୋଉ ଆମେ ବା କୁଆଡେ ଯାଉଥିଲେ ଆଜି ବୁଲି।" ଇଏ ବି କହିଲେ ହଉ ଦି ଦି ଚାରି ଘଣ୍ଟା ଯିବା ଆସିବା।ଘଣ୍ଟେ ବୁଲ। ରାତି ଆଠରେ ଘରେ । କଣ ବାହାରିବା? " ମୋର ବୁଲିବୁଲି କୁ ହକହକ ମନଟା କାଇଁ ଜମା ଚଞ୍ଚଳ ଧରିଲାନି।ମନ କହିଲା," ଯିବା କଣ ? ନ ଗଲେ ହବନି! " କିନ୍ତୁ ଓଠ କହିଲା," ହଉ ଶିଘ୍ର ବାହାର। ଫେରିବା ପୁଣି। ଦାଣ୍ଡରେ ଦଶରା ବଜାର ଭିଡ।"
ଅଧ ଘଣ୍ଟା ଭିତରେ ଅଲ୍ ରେଡି ।ଗାଡ଼ିରେ ଆଗ ପଛ ହେଇ ସବୁ ସେଟ୍ ।ମ୍ଯାଚିଙ୍ଗ ମ୍ୟାଚିଙ୍ଗ ପିନ୍ଧି ବାହାରି ପଡିଲୁ।ଆଜି କାଲି ବାଟ ଆଗରୁ ଚିହ୍ନଟ କରିବାର ଆବଶ୍ୟକତା ନାହିଁ। ଗୁଗଲ ମ୍ୟାପ ଅଛି ତ ବିନ୍ଦାସ। ହେଲେ ତାର ବି ଅକାଳେ ସକାଳେ ମୁଣ୍ଡ ଟିଣ ହେଇଯାଏ ଆଉ ନେଇକି କୋଉ ବିଲ କି ଟାପୁ ମଝିରେ ଠିଆ କରେଇ କହେ," ଓଓଓଓ ଖାଲି ସେଇ ହୁଡା ତକ ଡେଇଁ ଯା ଲୋ। ୟୁ ରିଚ୍ଡ ୟୋର୍ ଡେଷ୍ଟିନେସନ୍ । "
କୋଉଠି ଟିକେ ବୁଲାଣି ତ କୋଉଠି ଟିକେ ବାଙ୍କ
ନଦୀକେ ବାଙ୍କ,ଦେଶକେ ଫାଙ୍କ ।।
ପୃଥିବୀ କମଳା ଲେମ୍ବୁ ପରି । ତେଣୁ ଯେତେ ଆଗପଛ ହୁଡିଲେ ବି ମଣିଷ ଠିକଣା ଠ' ଧରିବ ହି ଧରିବ । ହ ଟିକେ ବେଳ ତରକା କି ଉଛୁର କରି ।
ସଞ୍ଜ ହବ ହବ ବୋଲି ହେଇଗଲା ବାଟରେ । ମାନସିକ ପ୍ରସ୍ତୁତି ଥିଲେ କେଡେ ଗଡ଼ ଜିଣିବା କି ବା ଉଣା କାମ । ପହଞ୍ଚ ପହଞ୍ଚ ହଉଛୁ କି କୋଉଠି ଥିଲା ଝଡ ପରି ବଡ ମାଟାଡୋରଟେ ଆସି ଆମ ଗାଡିକୁ ପଛରୁ ପିଟି ଦେଲା। କାର୍ ର ପଛ ବନେଟ ସଂପୂର୍ଣ୍ଣ ଖସି ଯାଇ ତଳେ । ହାଁ ହାଁ କହୁ କହୁ ଲୋକେ ଆମକୁ କାର୍ କାଚ ଦେଇ ଡୁଙ୍ଗୁଥାନ୍ତି। ସମସ୍ତଙ୍କ ମୁହଁରେ କଣ ହେଲା ଦେଖିବାର ଆଗ୍ରହ ହେଲେ ଘଟଣାରୁ ଦୂରେଇ ରହିବାର ଯୁକ୍ତି । କେହି ଜଣେ ଭାବିଲାନି ଯେ," ଗାଡି ଭିତର ମଣିଷ ତକ ଠିକ୍ ଅଛନ୍ତି ତ ? "
ମାନବିକତାର ଦିଗବଳୟ ଆଜି ଧୂସରିତ ଫିକା ଗୋଲାପି। ତଥାପି ଆଶା ବଞ୍ଚିଛି ।
ଆମେ ଗାଡିରୁ ଓଲ୍ହେଇ କିଏ କଲା ଦେଖିବା ବେଳକୁ ଟ୍ରାଫିକ ଜଗିଥିବା ଲୋକଟି ତାକୁ ଭଗେଇ ସାରିଲାଣି କେଜାଣି କେଉଁ ନ୍ୟାୟରେ । ରକ୍ଷକ ଯଦି ଭକ୍ଷକ ସାଜେ ସମାଜ ଜଗିବ କିଏ?
ଇଏ ମୁଣ୍ଡରେ ହାତ ଦେଇ ମତେ ଚାହିଁଥାନ୍ତି। ମୁଁ ଭାବୁଥାଏ ଫେରିଯିବା ଚାଲ, ହେଲା ବହୁତ।ଆଉ ଦରକାର ନାହିଁ।"
ଏକରକମ ଥରୁଥିବା ଝିଅ ମୋର କହୁଥାଏ," ବାବା ଆମେ ରକ୍ଷା ପାଇଯାଇଛେ ସମସ୍ତେ ସେଇ ବଡ କଥା। ଗାଡି ସଜାଡି ନେବା।ଆମେ ସମସ୍ତେ ଠିକ୍ ଅଛେ ଏଇଟା ସେଲିବ୍ରେସନ ହେବା ପାଇଁ କଣ କଣ ବଡ ସୁଯୋଗ।"
ଆମେ ଦୁହେଁ ଦିହିଙ୍କୁ ଚାହିଁଲୁ ଆଉ ବୁଝିଲୁ ଯେ ଫୁଲର ରଙ୍ଗ ମହକ ସତେଜ ସଦାକାଳେ। ଫୁଟିବାକୁ ଅପେକ୍ଷା ଥାଏ କେବଳ। ପ୍ରକୃତି ମାଆ ସେ କାମ ସୁଚାରୁ ରୂପେ ସମ୍ପାଦେ ।
ଆଉ ଫେରିଲୁନି। ସେଇ ଗାଡି ପଛକୁ ନିଜେ ଟେକା ଟେକି କରି ବାଡେଇ ଲଖେଇ ଦେଲୁ ଯେନତେନ।ସିଏ ବି ଆମ କଥା ବୁଝି ଲାଖିଗଲା। ଗାଡି ପାହାଡ ଚଢିଲା।
ଶିଖର ଆକର୍ଷିତ କରେ।
ଗାଡି ରଖିବାର ବ୍ୟବସ୍ଥା ଏ ମୁଣ୍ଡ ରୁ ସେ ମୁଣ୍ଡ। ପାହାଡ ଶାଢି ବେଢିଲା ପରି ଯେତେ ଘେରା ବୁଲୁଛି ସବୁ କୁଞ୍ଚରେ ଧଳା,କଳା,ନେଳି,ବାଇଗିଣି ଛିଟ ପରି ଗାଡି ସବୁ ବିନ୍ଦୁ ବିନ୍ଦୁ ହେଇ ରହୁଛନ୍ତି। ବାଟରେ କିଛି ଦୋକାନ ନାହିଁ। ମଝିରେ ଅଧ କିଲୋମିଟରରୁ କମ ବ୍ୟାପ୍ତ ଏକ କୁନି ବଜାର ଯୋଉଠି ଖେଳନା,ଘରସାଜ,ଓ ଗାଁଉଲି ଖାଇବା ଠେଲା ଓ ଉଠା ଦୋକାନରୁ ପୁଞ୍ଜେ ପାଞ୍ଚୋଟି। ତା ପରେ ଆହୁରି ଗୁଡେ ମୋଡ। ସେଇଠୁ ଆସିଲା ଓହ୍ଲାଇବା ସମୟ ।ପାହାଡ ବୁଲାଣିରୁ ହିଁ ଲୁଚକାଳି ଖେଳିଲା ପରି ଦିଶିଯାଉଥାନ୍ତି ଶିବଶଙ୍କର। ବାଦଲ ମାନେ ଆକାଶର ନାବ ଓ ସୂର୍ଯ୍ୟାସ୍ତର ସୁନା କିରଣ ନାବିକ ସାଜିଥାନ୍ତି।
ବିରାଟ ଶଙ୍କର ଭଗବାନ। ଭକ୍ତିରେ ହେଉ ଭାବରେ ହେଉ ସଂସ୍କାରରେ ହେଉ କି ଅଭ୍ୟାସ ନେଇ ହେଉ ଆଖି ଆପେ ମୁଦି ହେଇ ଜିଭ ମହା ମୃତ୍ୟୁଞ୍ଜୟ ଜପିଲା । ପିଲେ ଏପଟ ସେପଟ ଦେଖୁଥାନ୍ତି। ଦିଶୁଥାଏ ଏକ ବିରାଟକାୟ ତ୍ରିଶୂଳ ଆଉ ବିଶାଳକାୟ ନନ୍ଦି। ଇଏ ତାଙ୍କର ଫୋନରେ ଗାଡି କଥା ନେଇ କାହା କାହା ସହ ପରାମର୍ଶ ଲୋଡୁଥାନ୍ତି। ଏ ଭିତରେ ମୁଁ ଦେଖୁଥାଏ ଅପରୂପ ଦୃଶ୍ୟ। ଚାରିପଟର ପାହାଡ ମାନେ, ସବୁଜିମା ବୋଳା କିଛି ତ ଆଉ କିଛି ଟୋକେଇ ପରି ମୁଣ୍ଡେଇ ଧରିଥାନ୍ତି ବାଦଲ ଝୁଡିଟି ମାନ । ଭସା ମେଘ ମାନେ ପିଲାଙ୍କ ପରି ଖେଳୁଥାନ୍ତି ବିଷ - ଅମୃତ। କିଛି ପାହାଡ ଅଧା ମାଟିଆ ଓ କିଛି ଗାଢ ନୀଳ ପ୍ରତୀୟମାନ ହେଉଥାନ୍ତି। ମଝିରେ ମହାଦେବ ଚନ୍ଦ୍ରଶେଖରଙ୍କ ଉପସ୍ଥିତି ବାତାବରଣକୁ କୈଳାଶ କୈଳାଶ ଅନୁଭବ ଦେଉଥାଏ। ଚାରିପଟେ ହଜାର ହଜାର ଲୋକ। ସପରିବାରେ। ଷଣ୍ଢ,ଗାଈ ବନ୍ଧା ଦଶ ସରିକି । ଲୋକେ ପୂଣ୍ୟକୁ ପଇସା ଦେଇ କିଣୁଥାନ୍ତି । ଏତେ ଲୋକଙ୍କୁ ପୂଣ୍ୟ ଜାଚି ଜାଚି ବିଚରା ଷଣ୍ଢ ମାନେ ଭାବୁଥିବେ," ରଖ ହେ ! କେତେ ଆଉ ଖୋଇବ ଆମକୁ ସେ ଜଙ୍ଗଲି ଘାସ ପତର । ପାକୁଳି ପାକୁଳି ପାଟି କାଟିଲାଣି। " ଉଷୁମ ଲୁଣ ପକା ପେଜରେ ଏଇ ଜାତିୟ ପଶୁ ମାନଙ୍କର ଟିକେ ଖୁସି। ବୋଉ ନିତି ସେ କାଳିଆ ଷଣ୍ଢର କାନମୂଳ,ବେକ ଷଣ୍ଢା ଆଉଁସି ଆଉଁସି ଖୋଇବା ଦିନଠୁ ଏ କଥା ମତେ ବୁଝା ପଡିଥିଲା।
ଯେହେତୁ ଯାଗାଟି ସହରରୁ ଦୂର ,ତେଣୁ ସହରୀ କୋଳାହଳ,ପଁ ପାଁ ତାମଝାମ ନାହିଁ କହିଲେ ଚଳେ । ସହରୀ ମଣିଷ ତକ ଶାନ୍ତି ଖୋଜି ହାତତିଆରି ଗାଁ ଆଡ଼େ ଧାଉଁ ଥାନ୍ତି ଆଉ ଗାଁ ଲୋକ ମାନେ ଭିଟା ମାଟି କୁ ପଛରେ ଫିଙ୍ଗି ଝାଡି ସହରର ଅଶାନ୍ତିଙ୍କୁ ଆଦର କରନ୍ତି। କଥାରେ ନାହିଁ " କାନ ଥିଲେ ସୁନା ଆଉ ସୁନା ଥିଲେ....... " ଇଏ ବି ସେଇକଥା ।
ଘରୁ ଆଣିଥିବା ପୁରୀ ତରକାରୀ ସରିଲା । ପିଲେ ଆକାଶରୁ ପ୍ରଶ୍ନ ତୋଳି ତୋଳି ପଚାରିବାରେ ବ୍ୟସ୍ତ ଥିଲେ।ଇଏ ଏ ପଯ୍ୟନ୍ତ ଫୋନରେ ଥିଲେ ଆଉ ମୁଁ...... ଏ ପାହାଡ ଏ ବଣ ... ମୁଲକ ଯାକର ପ୍ରେମରେ।
ଏଠାର ସ୍ବତନ୍ତ୍ର ପରିଚୟ ଥିଲା ତ୍ରିସଂଧ୍ୟା ବେଳେ ହେଉଥିବା ଦଶ-ପନ୍ଦର ମିନିଟ୍ ର ଗୋଟିଏ ଲାଇଟ୍ ସୋ ,ଯୋଉଥିରେ ସଦଗୁରୁ ଜଗି
ବାସୁଦେବଙ୍କ ସ୍ବରରେ ପ୍ରକୃତି ଓ ପୁରୁଷ ଶକ୍ତିଙ୍କର ଭେଦ, ସୃଷ୍ଟି,ବିଲୟ ଓ ବ୍ରହ୍ମାଣ୍ଡ ରହସ୍ୟ, ଆଦି ଅନ୍ତ ମୂଳ , ଓ ଅର୍ଦ୍ଧନାରୀଶ୍ବରଙ୍କୁ ବର୍ଣ୍ଣନ କରିବା ସହ ବିରାଟ ଶିବଶମ୍ଭୁଙ୍କର ପ୍ରତିମାରେ ପ୍ରୋଜେକ୍ଟର ସାହାଯ୍ୟରେ ଦେଖିଆଯାଏ। ଭବ୍ୟ ଓ ଆଲୋକିକ ଅନୁଭବ ନିଶ୍ଚିତ। ଚାରିପଟ ଚନ୍ଦ୍ର କିରଣାଛ୍ଛନ୍ନ। ସବୁ ଲ୍ୟାମ୍ପପୋଷ୍ଟ ଲାଇଟ ନିର୍ବାପିତ। ଘର ଘୋର ଅନ୍ଧକାର। ତଳେ ସହସ୍ର ଜନ ସମାଗମ ଉପରେ ନିର୍ମଳ ପ୍ରଶାନ୍ତ ଆକାଶ । ବାଙ୍ଗାଲୋର ପରି ଏତେ ଗହଳ ସହରୀକରଣ ଭିତରେ ଏଇ ଖଣ୍ଡକ ଭୂମି ତୁମକୁ ଭିନ୍ନ ଏକ ପୃଥିବୀକୁ ନେଇ ସେଇ କେତେକ କ୍ଷଣ ପାଇଁ ନେଇଯାଇପାରେ କହିଲେ ଭୁଲ୍ ହବନି ।
ସୋ ସରିଲା । ଆଉ ଆମେ ସ୍ବପ୍ନରୁ ବାସ୍ତବତାକୁ ଲେଉଟା ପାଦ ଟାଣିଲୁ। ଘୋ ଘୋ ଲହଡି ପରି ଲୋକେ ଉଠିଲେ ଓ ସମସ୍ତେ ଏକା ସାଙ୍ଗରେ ହେଜିଲେ ଯେ ଏ ଅଞ୍ଚଳକୁ ପଶିବା ସରଳ ବାହାରିବା ଚକ୍ରବ୍ୟୁହ। ଚେତିଲା ପରେ ମଣିଷ ମୁକୁଳିବାର ବାଟ ଅଣ୍ଡାଳେ। ପରିଶ୍ରମ ଓ ମନସ୍କତା ଥିଲେ ବାଟ ମିଳେ ।
ଏକ ଲମ୍ବା ଧାଡି ।
ପାଖାପାଖି ପଚିଶ ହଜାର ଗାଡି। ସାନ ବଡ ହେଇ ତିରିଶ ଛୁଇଁପାରେ । ଏଠି ନିତିଦିନିଆ କଥା ଇଏ । ଲୋକେ ଆସନ୍ତି ।ଗଲା ବେଳେ କାନ୍ଦନ୍ତି । ରାତି ତୃତୀୟ ପହର ଯାଏ ବେଳେ ବେଳେ ଅଟକ ପଡେ ଅଖଚକ। ଏମିତି କହୁଥାଏ ସେପାଖକୁ ଠିଆ ହେଇଥିବା ଲୋକଟି ।
ରକ୍ତ ଶୁଖିଗଲା ମୋର । ପାଣି ଅଧ ବୋତଲେ ବି ନାହିଁ ପାଖରେ ।ଖାଇବା ଶେଷ। ଦି ଘଣ୍ଟାର ବାଟ ଭାବି ବେଶି କିଛି ସାଇତି ଆଣିପାରିନି ଘରୁ। ଏବେ ତ ପିଲେ ଖେଳୁଛନ୍ତି ପାଇଥିବା ଚିଆଁ ବିଲେଇ ଛୁଆଟିକୁ ନେଇ । ହେଲେ କେତେ ସମୟ? ଶଙ୍କା ସତ ହେଲା। ଗୋଟିଏ ଜାଗାରୁ ଦି ହାତ ମାତ୍ର ଗଡିଥିଲା ଗାଡି ଗୋଟେ ଘଣ୍ଟା ପରେ । ବିଲେଇ ପିଲାଟକୁ ବି ଭୋକ ଲାଗିଥିଲା ବୋଧେ।ସିଏ ମିଆଁଉ ମିଆଁଉ ର ଲହର ଆରମ୍ଭ କରିଦେଇଥିଲା । ତା ମାଆ ପାଖରେ ନ ଥିଲା । ନିରୁପାୟ ହୋଇ ଏକୁଟିଆ ତାକୁ ଅନ୍ଧାର ଗାତରେ ପେଲି ଆସିବାକୁ ମନ ନ ଚାହିଁଲା ।କରୁଣା ପରମ ଧର୍ମ ।ମୋର ଧାରଣା ପିତା ମାତା ସୁକୃତେ ସନ୍ତାନ ସୁଖି। ତେଣୁ ସୁକୃତ ଶିଖାଯାଉ।ଶିଖିବାକୁ ଦିଆଯାଉ ଭାବି ଗାଡିକୁ ନେଇଆସିଥିଲି।
ଦୁଇ ଘଣ୍ଟା ଦଶ ମିନିଟ ।
ପିଲେ ତିନି ରାଉଣ୍ଡ କାନ୍ଦି ସାରିଥିଲେ ପାଣି ଓ ଖାଇବା ମାଗି ମାଗି।
ବିକଳ ଲାଗୁଥାଏ। ବେଳେ ବେଳେ ସମୟ ଆମକୁ ପରିକ୍ଷାରେ ନୁହେଁ ଘାଇରେ ପକାଏ। କହେ ," ଦେଖେ ତୁ କେତେ ବିବଶ ।"
ମୁଁ ମଣିଷରୁ ମାଆ ପାଲଟିଲି । ପିଲାଙ୍କୁ ଧର୍ଯ୍ୟ ଦେଲି। ବୋଧ ପାଇ ଭୋକ ମୁହଁରେ ଶୋଇବାର ପ୍ରଯତ୍ନ କଲେ ଦିହେଁ। ମନେ ପଡିଲା କାଳେ ଭୋକେ ଓଡିଆ ନିଦ ଯାଏ ।
କାର କାଚ ଝରକା ଦେଇ ଈଶ୍ୱରଙ୍କୁ ଚାହିଁଲି । ପଚାରିଲି ଶୂନ୍ୟତା କୁ ଶବ୍ଦ କରି " କଣ ? ଡାକିକି ହଇରାଣ କଲ ଯେ ? " ନିର୍ବିକାର ଈଶ୍ୱର ହସୁଥିଲେ ସ୍ମିତରେ। ଶାନ୍ତ ଦିଶୁଥିଲେ ଅନନ୍ତ କାଳରୁ । ନିମଳିତ ନୟନ ତାଙ୍କର ଆଶିର୍ବାଦ ବୁଣୁଥିଲା ।
ମୁଁ ପୁଣି ପଚାରିଲି," ତୁମେ ଏତେ ନିର୍ବିକାର କେମିତି ? "
ଉତ୍ତର ପବନରେ ବାସ୍ନାଟେ ହେଇ ଆସିଲା ।
ଗାଡି ଗଡିଲା । ରାତି ବାର ଛୁଇଁସାରିଥିଲା ଘଣ୍ଟା । ଆମେ ଆଗେଇଲୁ ଅଧା ବାଟ କଇଁଛ ପରି ,ଅଧା ବାଟ ଗେଣ୍ଡା ପରି ଆଉ ଅଧକ ହରିଣ ପରି । ମୁଁ ଜଗନ୍ନାଥଙ୍କୁ ମନେ ପକେଇଲି ଆଉ କହିଲି," ମହାବାହୁ କିଛି ଭୋଜନ ବ୍ୟବସ୍ଥା ହେଉ । " ପୁଣି ମଣିଷ ମନ ଭାବିଲା," ଏ ଘୋର ତମାସା ବେଳାରେ କିଏ କେମିତି କୋଉଠୁ ତୁମକୁ ଖାଇବାକୁ ଦବ ? " ମୁଁ ଏଥର ଭାବିଲି ," ଆମେ ତ ମଣିଷ।ସାମାଜିକ ପ୍ରାଣୀ। ଏ ବାଟରେ ପଡୁଥିବା କୁଆଖିଆ ପରି ହାଦେହାଦିକିଆ ଗାଁ ରେ ଯାଇ କିଛି ନହେଲେ ପାଣି ଟୋପେ ପାଇଁ କାହା ଦୁଆର ଜଞ୍ଜିର ବାଡେଇ ଦେଲେ କଣ କିଏ ଖରାପ ଭାବିବ? ମୁଁ ତ ଭାବିବିନି ଯଦି ମୋ ଦୁଆରକୁ କିଏ ଅବେଳରେ ଆସେ ଓ ମୁଁ ସମର୍ଥ ସେତିକି ହାତ ବଢେଇବାକୁ ତେବେ ଏତେ ସଂକୋଚ,ଡର କାହିକିଁ ଆମ ଚାରିପଟେ ।
ମୁଁ ହଜିଛି ଭାବନାରେ । ତଣ୍ଟି ମୋର ପୋଡୁଛି । ପାଣିର ଅନୁରୋଧ ଶୋଷକୁ ସହିବାକୁ ହେଉଛି।
ମତେ ଦିଶୁଛନ୍ତି ଅଶରିରୀ ମାନେ। ମୁଁ ସତ କି ମିଛ ପରଖୁଛି।ଇଏ ଆଗକୁ ଚାହିଁ ଏକ ଲୟରେ ଗାଡି ଚଲଉଛନ୍ତି । ଭ୍ରମ ତାଙ୍କୁ ନ ଛୁଉଁ ମୁଁ ପ୍ରାର୍ଥନା କରୁଛି। ମୋ ନାହି ମୁଣ୍ଡ ଥରୁଛି। ମତେ ଲାଗୁଛି ଆଗରେ ଗୋଟେ ଲୋକ ଗାଢ ନୀଳବାଇଗିଣି ରଙ୍ଗ ସାଟ ପିନ୍ଧି ପାରି ହେଉଛି।ତା ମୁହଁ ପାଣ୍ଡୁର ବର୍ଣ୍ଣ। କିଛି ହଲଚଲ ନାହିଁ ଭାବରେ ତାର । ସିଏ ରାସ୍ତାର ବାଁ ଡାହାଣ ଅନଉନି ।
ପୁଣି ଅଦୃଶ୍ୟ ନଖି ହାତ ସବୁ ଦିଶୁଛି । ମୁଁ ଭୟ ପାଉଛି କିନ୍ତୁ ଭୟ ବାଣ୍ଟୁନି ।ମୋ ଭିତରକୁ ମୋ ବୋଉର ସଞ୍ଜବେଳ ଗୀତ ସ୍ବର ଧସେଇ ପଶୁଛି।
" ଘରୁ ଯେତେବେଳେ ବାହର ହୋଇବୁ ସୁମରିଲେ ନାମ ମୋର
ଆଗେ ଆଗୁଆଣି ହୋଇଥିବି ମୁହିଁ,ତୁ ଥିବୁ ମୋର ପଛର.....
ଆରେ ! ଶୁଣରେ ବଳା ...... "
ମୁଁ ଗଭୀର ଭାବରେ ଆଖି ମୁଦି ପକାଉଛି ଆଉ ପେଟ ଭିତରେ ବଡ ପାଟିରେ ଡାକୁଛି" ମାଆଆଆଆଆଆ" ଠିକ୍ ସେତିକି ବେଳେ ଇଏ ପଚାରୁଛନ୍ତି," କଣ ହେଲା? " ସ୍ପନ୍ଦନ ଶୁଣିପାରୁଥିବା ତାଙ୍କ ହୃଦୟର ପ୍ରେମରେ ମୁଁ ପୁଣି ପଡୁଛି।
ମତେ ଦିଶୁଛି ଆମ ଗାଡିର ଆଗ ସିଟ୍ ରେ ଜଣେ କିଏ ବସିଛି, ଠିକ୍ ମୋ ଶୋଇପଡିଥିବା ପୁଅ କଡକୁ। ମୁଁ ନୋଇଁକି ଚାହୁଁଛି । ତାର ବଡ ଗାଢ କଳା ଲମ୍ବା ଚୁଟି । ମୁଁ ବେଶୀ ନଇଁପଡିଲାରୁ ସିଏ ପଛକୁ ଚାହିଁଲେ ଆଉ ମୋ ଭିତରେ ସାଗରଗହର ଶୀତଳ ଶାନ୍ତପଣ ବିରାଜମାନ କଲା । ନିର୍ଭୟ ହେଲା ପବନ। ତୃତୀୟ ନୟନର ଆଭା ଯୁଗକୁ ମନେ ରହିବ ।ମନେ ରହିବ ସେ କରୁଣାସିକ୍ତ ଚକ୍ଷୁ ଓ ତାର ସ୍ନିଗ୍ଧତା।
ଇଏ ଅଟକେଇଲେ ଗାଡି ଆଉ କହିଲେ," ସାଇଡରେ ଢାବାଟେ।ଲୋକ ସବୁ ଭର୍ତ୍ତି। ଚାଲ ଚାଲ ସେଇଠୁ କଣ ଟିକେ ଖାଇ ଆସିବା।ପିଲେ ଉଠରେ...... ।"
ଆଗ ସିଟରେ ଆଉ କେହି ନଥିଲେ।ଥିଲା କେବଳ ଝୁଣାଅଗରୁ ବାସ୍ନା ।
ଢାବାରେ କୋଡିଏ ଗାଡିର ଅନ୍ୟୁନ ଷାଠିଏ ମଣିଷଙ୍କ ଭୋକ ଆଉଟା ପେଟ ।ସାନ ବଡ ସମସ୍ତେ ରୁଣ୍ଡ । ଢାବା ମଣିଷଟି ବାଢ଼ି ଚାଲିଛି ବୋଉଟେ ପରି । କହୁଛି," ଯାହା ଅଛି ସମାନ ଭାବରେ ବାଢି ଦେଉଛି। କିଛି ବରାଦ କରନ୍ତୁନି।ରାତି ବହୁତ ହେଲାଣି । " କିଛି ସବୁ ଲୋକ ଶାନ୍ତିରେ ଖାଇ ହାତ ଧୋଉଛନ୍ତି ।
ମନେ ପଡିଲା ବାଟ ରୁ ଉଦ୍ଧାର ପାଇଥିବା ଟିକି ସହଯାତ୍ରୀଟି ଗାଡିରେ ଧକେଇ ପଡିଛି । ଲୋକଟିକୁ ଚାହିଁ କହଲି," ଭାଇ ଧାପେ ଖିର ମିଳିବ? ଠିପିଏ ହେଲେ ବି ହବ । ଜନ୍ମ ଶିଶୁଟେ ପାଇଁ। "
ତୁରନ୍ତ ପାଦରେ ଗୋଟିଏ ପ୍ଲାଷ୍ଟିକ ଗ୍ଲାସ୍ ରେ ଅଧଗ୍ଲାସ ହବ କଞ୍ଚା ଖିର ଆଣିଦେଇ ମୋ ହାତକୁ ବଢ଼େଇ ଦେଉ ଦେଉ ଲୋକଟି କହିଲା," ୟା ପାଇଁ ପଇସା ଦେବେନି ମାଆ।ଏଇ ପୂଣ୍ୟ ତକ ମୋର ।"
କିଏ କହେ ପାପ ପୂଣ୍ୟ ଆପେକ୍ଷିକ ବୋଲି
ତୁମ କର୍ମ ଓ ଚେତନା ହିଁ ତ ସ୍ଥିର କରେ ତୁମ ତରାଜୁର ପାଖ।