ଜୀବନର ଗୀତ
ଜୀବନର ଗୀତ
ଗଳ୍ପ: ଜୀବନର ଗୀତ
ଜାଣିଛୁ ବୋଉ ଚଢେଇ ମାନେ କାଳେ ଗୀତ ଗାନ୍ତି , ମ୍ୟାମ କହିଲେ।
ଚଢେଇ ? ସବୁ କୋଉଠି ଥାନ୍ତି ମାଆ । ବଣରେ? ଆମ ଘର ପାଖରେ କାଇଁ ବଣ ନାହିଁ ? ମୁଁ ବି ଶୁଣନ୍ତି ସେମାନଙ୍କ ଗୀତ।
ଗୋଟେ ପକ୍ଷୀର ଚିତ୍ରରେ ରଙ୍ଗ ଭରୁ ଭରୁ କହୁଥିଲା ମୋ କୁନି ପୁଅ ।
ମୁଁ ଲ୍ୟାପଟପ୍ ଭିତରେ ଥିଲି ଆଉ ବୁଢା ହନୁ ପରି ହୁଁ ହୁଁ ମାରୁଥିଲି । ସିଏ ଆସି ମୋ କାନ୍ଧକୁ ଧରି ହଲେଇଦେଲା ଆଉ କାନ୍ଦ କାନ୍ଦ ହେଇ କହିଲା," ତୁ କେତେବେଳେ ବି ମୋ କଥା ଶୁଣୁନୁ। ମୋର କେହି ସାଙ୍ଗ ନାହାନ୍ତି। ତୁ ବି ମୋ ସାଙ୍ଗରେ ଖେଳୁନୁ । ଦୁଷ୍ଟ ବୋଉ। "
ମୁଁ କରୁଥିବା କାମ ହଲିଗଲା। ମୁଁ ଚିଡିଗଲି ଆଉ ଚିଲେଇକି କହିଲି," ଯା ଏଇଠୁ। ଯାଇକି ତଳେ ଖେଳ। ଯାଃ।"
ନିରୀହ ପ୍ରଶ୍ନ ବୁମେରାଂ ହେଇ ଫେରିଲା," କାହା ସାଙ୍ଗରେ? "
ମୋ ଆଖିର ଅଙ୍ଗାର ଦେଖି ସିଏ ପାଖେଇଗଲା। କେତେବେଳେ ଅପସରି ଗଲା ସେ ସମୟ ମୁଁ ବୁଝି ପାରିଲିନି। ମୋ କାମ ସାରି ମୁଁ ଯେତେବେଳେ ଚେତାକୁ ଫେଲିଲି ପୁଅର କାନ୍ଦୁରା ମୁହଁଟି ମୋ ଆଖି ଆଗରେ ପହଁରିଗଲା।
ସମୟ ଥାଉ ଥାଉ ପଶ୍ଚାତାପ ଆସିଲେ ଦୁର୍ଘଟଣା ଘଟେନି।
ହାତରୁ ସମୟ ଖସେଇନେବାକୁ ସମୟ ଅପେକ୍ଷା କରେନି।
ମୁଁ ଦୈାଡିଲି ଏ ଘର,ସେ ଘର, ବାରଣ୍ଡା,ତଳ, ବାଲକୋନୀ ସବୁଆଡ। ତାକୁ ନ ପାଇବାରୁ ବ୍ୟସ୍ତତା ମତେ ହଲେଇଦେଲା । ମୁଁ ଆଖି ଗଳେଇ ସବୁ କୋଣ ଖୋଜୁଥାଏ।
ଦେଖିଲି ସିଏ ଖୁସି ଖୁସିଆ ଓଲଟ ପାଦଛନ୍ଦା ନାଚି ନାଚି ଗୁଣୁଗୁଣୁ ଗାଇ ଗାଇ କିଛି ମୋ ସାମ୍ନାପଟୁ ଆସୁଛି । ମୁଁ ଭୁମ୍ କି ରାଗି ଫାଟି ଯିବାକୁ ବସିଥିଲି କି ସିଏ ମତେ ଦେଖି ଦଉଡି ଆସି କୁଣ୍ଢେଇ ପକେଇଲା । ମୁଁ ମହମ ତରଳ ହେଇ ବୋହିଗଲି କ୍ଷଣକେ।
ଏବେ ଆମେ ହାତ ଧରାଧରି ହେଇ ଚାଲିଲୁ। ପିଲେ କେଡେ ସହଳ କଷ୍ଟକୁ ପିଠି କରିନେଇପାରନ୍ତି ନା।ଆମେ ବଡ ମାନେ କାଇଁ ତାକୁ ମଞ୍ଜି କରି ସଞ୍ଚୁ କେଜାଣି ! ପାଣି ଦେଇ ଲୁହ କିଣୁ।
ସିଏ ଟିକେ ସାବଧାନି ମିଶା ସ୍ୱରରେ କହଲା," ତୋ କାମ ସବୁ ସରିଲାଣି ବୋଉ? " ଆଉ ଚଟ୍ କି ମୋ ମୁହଁର ଭାବ ପଢିନେଇ ତା ସ୍ବର ବଦଳିଗଲା। କୁଦିକୁଦିକା କହିଲା," ଚାଲ ତତେ ମୋ ନୂଆ ସାଙ୍ଗ ଦେଖେଇବି।" ମୁଁ କାବା ହେଲି ଏଡେ ଚଞ୍ଚଳ? ସାଙ୍ଗ ତିଆରି ଦେଲା।
ଆଜି କାଲିକା ପିଲେ ଏକା ବଡ ହେଲେ। ଗହଳି ଚହଳି ଭିତରେ ବି ଏକା। କାହା ସହ ସହଜରେ ମିଶିବା ତାଙ୍କ ପାଇଁ କଠିନ। ଯଦି ମିଶିଗଲେ କାହା ସହ ତାକୁ ଛାଡିବାକୁ ଆହୁରି କଠିନ।କାହା ବାପାର କୋଉଠିକୁ କେତେବେଳେ ବଦଳି ଯିବ ବେଠିକଣା। ଭାଷା,ଚାଲିଚଳନ ସବୁକୁ ସମାନ୍ତରାଳରେ ଚାଲିବା ତ ଅସମ୍ଭବ ହେଉଛି। ଆମେ ବି କଣ କରିବୁ! ଆମକୁ ବି ତ ନିଜକୁ କଣ ଗୋଟେ ପାଇଁ ପ୍ରତିପାଦିତ କରିବାର ଅଛି , ଯଦିଓ ଆମେ ଅଧିକାଂଶେ ଜାଣିନୁ କଣ ?
ଆମେ ପହଞ୍ଚି ସାରିଥିଲୁ ଛାତରେ । ତାକୁ ଖୋଜିଲା ବେଳେ କେମିତି କେଜାଣି ଛାତ କଥାଟି ମୋ ମୁଣ୍ଡ ମନେ ପକେଇ ପାରି ନ ଥିଲା।
ବିରାଟ ଛାତ। ପଞ୍ଚତଳିୟ କୋଠା । ବ୍ଲକ ଚାରୋଟି। ସେଇ ଅନୁସାରେ ବିସ୍ତାର । ମୋର ମନେ ପଡୁଥିଲା ଆମେ ଏ ଘରକୁ ନୂଆ ନୂଆ ଆସିବା ବେଳ ଦୃଶ୍ୟ। ଏ ଘର ମୁଁ ନେଇଥିଲି କେବଳ ଏଥିପାଇଁ ଯେ ଘର ସାରା ସୂର୍ଯ୍ୟ କିରଣ ସୁନା ଇଡୁଥିଲେ ଉଦୟ ଓ ଅସ୍ତରାଗ ବେଳେ। ପବନ ସବୁ ଦୁଆର ଝରକା ଖୋଲି ପଖାଳି ଦେଇ ଯାଉଥିଲେ ପର୍ଦ୍ଦା ଠୁ ମୋ ମନ । ଏଇ ସେଇ ସମାନ ଛାତ ଯୋଉଠୁ ଦିଶୁଥିଲା ଦିଗନ୍ତ ବିସ୍ତାରି ସବୁଜିମା। ସକାଳର ଅଳସ ମୋର ଭାଙ୍ଗୁଥିଲେ ଏକ ବୁଲବୁଲ ଓ ଚାରୋଟି ଘରଚଟିଆ ଦମ୍ପତି । ସେମାନେ ମୋ ରୋଷେଇ ଘର ଠଣାରେ ଘର କରିଥିଲେ।ଓଳିରୁ ପାଣି ପିଉଥିଲେ ଓ ଚୁଁ ଚୁଁ କରି ଫୁଲ କୁଣ୍ଡରୁ ମହୁ ସହ କିଛି କିଛି ଖାଉଥିଲେ। ଛାତରେ ସକାଳ ତଥା ସଂଜରେ ପକ୍ଷ ଝାଡି ତ୍ରିକୋଣ ଆଙ୍କି ଉଡିଯାଉଥିଲେ ସହସ୍ର ଶୁକ, ଗେଣ୍ଡାଳିଆ,ବଣି ଓ ଅନ୍ୟାନ୍ୟ ପକ୍ଷୀ । ପୂର୍ବ, ପଶ୍ଚିମ ଓ ଫଳଭରା ବଣର ଠିକଣା ତାଙ୍କ ଚଞ୍ଚୁର ଦିଗ କହୁଥିଲା।
ଆବଶ୍ୟ ଏତେ କଥାକୁ ବର୍ଷ ମାତ୍ର ଆଠଟି ବିତିଛି।
ସେ ଅତୀତ କଥା ଛାଡ । ଏବେର କଥା ପଡିଛି ।
ଏବେ ସବୁଜ ? ଶବ୍ଦ ହଜିସାରିଛି।
ହଜିସାଇଛି ସରସତା। ଯହିଁ ଦେଖ ଡେଙ୍ଗା ହେଇ ଫଣା ଟେକିଛନ୍ତି ସହସ୍ରାଧିକ ଆପାର୍ଟମେଣ୍ଟ । ସହସ୍ର,ସହସ୍ର ଓ ସହସ୍ର ।
ମୋ ଭାବନାରେ ଗୋଡି ମାରି ଟିକି ଟୋକା ମୋର କହିଲା," ହେଇ ଦେଖ ବୋଉ ମୋ ନୂଆ ସାଙ୍ଗ। ସିଏ ବି ମୋ ଭଳିଆ। ପୁରା ଏକା। ତାର କେହି ସାଙ୍ଗ କି ଘର ଲୋକ ବି ନାହାନ୍ତି। ଘର ହିଁ ନାହିଁ। ସିଏ କହିଲା ସିଏ ତ ଏବେ ଖାଇବାକୁ ହିଁ ପାଉନି। ମୁଁ ତା ପାଇଁ ବିସ୍କୁଟ ଆଣିଥିଲି। ଯାଚିଲି।ନେଲାନି। ତା ମନ ଦୁଃଖ। ସେଥିପାଇଁ ତାର ମୋର ଆଜିଠୁ ଫ୍ରେଣ୍ଡ୍। ଆମେ ସବୁଦିନେ ଏଇଠି ଗପିବୁ। ଦିନେ ମତେ ସିଏ ହସିକି ଦେଖେଇବ ଆଉ ମୁଁ ତାକୁ ଚିତ୍ର କରିବା ଶିଖେଇବି ।ଆଉ ସିଏ ଗୀତ ବି ଗାଇବ ମୋ ପାଇଁ ।। "
ଚୁଇଁର ଗାଲୁରୁ ଗାଲୁରୁ କଥା ଶୁଣିବାକୁ ତ ଶ୍ରୁତି ମଧୁର ଲାଗୁଥାଏ ହେଲେ କାଇଁ କୋୖଣସି ପିଲା ତ ମତେ ଆଖପାଖରେ ଦିଶୁନଥାଏ। ହେଇପାରେ କି ମନଗଢା ଗପ ତିଆରୁଛି। ହେଇପାରେ କଳ୍ପନାରେ କିଛି ଯୋଡ଼ା ଭଙ୍ଗା କରୁଛି ।
ମୁଁ କିଛି ଧାର ଧରି ନ ପାରି ବି ତା ଗପ ପେଡିର ଗୋଟେ ଚରିତ୍ର ହେଇଗଲି ଆଉ କହିଲି," ହଁ ପା । ହଉ ତୋ ସାଙ୍ଗକୁ କହ ଆମ ଘରକୁ ଆସିବ। ସିଏ କଣ ଖାଇବାକୁ ଭଲପାଏ ପଚାରିଥା। ତିଆରି ଦେବି,ମିଶିକି ଖାଇବା ଆଉ ଖେଳିବା । "
ତା ଆଖିରେ ଆଶ୍ଚର୍ଯ୍ୟ ।
ମୋ ଅନ୍ୟମନସ୍କତା ଓ ଅବୁଝାପଣକୁ ସିଏ ଠଉରେଇ ନେଇ କହିଲା," ଏ ବୋଉ ସିଏ କେମିତି ଆସିବ ? ଦେଖେ ତାକୁ। ତାର କଣ ହେଇଛି ଦେଖେ। ତୁ କେବେ ବି ମୋ କଥା ମୋ ଦେଇ ଶୁଣୁନୁ ।ଦେଖ ସେଇଠିକୁ।ଅନା ।"
ଝିଙ୍କିହେଇ ନିଜଠୁ ମୁଁ ତାର ଆଙ୍ଗୁଠି ଦେଖିଇଥିବା ଦିଗରେ ଚାହିଁ ଦେଖେ ତ ଦିଶିଲା
ଇଲେକ୍ଟ୍ରି ଆଣ୍ଟିନାଲଗା ଫୋନ ଟାଓ୍ବାରରେ ଫସି ଯାଇଥିବା ଏକ ଏକୁଟିଆ ବିଟାଟ ଡେଣା ଭଙ୍ଗା ଗୃଦ୍ଧ ,ଯାହାର ପ୍ରିୟ ବାଦଲ ଏବେ ତାକୁ ଅପହଞ୍ଚ । ଏବେ ତ ଜୀବନଟି କେବଳ ମୁକୁଳେଇ ନେଲେ କେଡେ କଥା ।
ଗୀତ କଥା ପଚାରେ କିଏ !
