Ashok Kumar Mishra

Action Inspirational Others

5.0  

Ashok Kumar Mishra

Action Inspirational Others

ପାହାଡ ଉପରେ କୂଅ

ପାହାଡ ଉପରେ କୂଅ

5 mins
617



ଏଠି ସ୍ବପ୍ନ ଦେଖିବା ମନା। ବଂଚି ରହିବା ସଂଘର୍ଷ ଠାରୁ କିଛି କମ୍ ନୁହେଁ। ବଂଚିବାର ଏଇ ସଂଘର୍ଷ ତଳେ ସ୍ବପ୍ନ ସବୁ ଜାକିଜୁକି ହୋଇ କେଉଁଠି ହଜିଯାଆନ୍ତି ଜଣା ପଡେ ନାହିଁ। ଗତାନୁଗତିକ ଭାବେ ସୂର୍ଯ୍ଯ ବଣ୍ଡାଘାଟିର ଗଛ ଉହାଡରୁ, ପତ୍ର ଫାଂକରୁ ଉଦୟ ହୁଅନ୍ତି ଆଉ ଘାଟି ପଛରେ ଲୁଚି ଯାଆନ୍ତି - ଦିନ ଯାଏ ରାତି ଆସେ ଏମିତି। ଏଇ ଘାଟି ଉପରେ ଝିଲିକ୍ (ନାମ ପରିବର୍ତିତ)ର ଗାଁ ସୁଂଗରାଇପଡା (ନାମ ପରିବର୍ତିତ)। ପାହାଡ ତୀଖରେ ଯେଉଁ ଢାଲୁଆ ଚଟାଣ ଉପରେ କେତେଟା କୁଡିଆ ଦେଖା ଯାଏ ସେହି ତାର ଗାଁ। ମାଲକାନଗିରି ମୁଦୁଲିପଡା ପଂଚାୟତ ରେ ପଡେ ଏଇ ସୁଂଗରାଇପଡା। ସେଇ ପାହାଡ ଉପରେ ଯେଉଁ କେତେ ଘର ବଣ୍ଡା ପରିବାର ରହନ୍ତି କ୍ବଚିତ୍ ଘାଟି ଛାଡି ତଳକୁ ଆସନ୍ତି। କିଛି କିଛି ଦୂରରେ ଆଉ କିଛି ବଣ୍ଡା ପରିବାର ଆଉ ତାଂକର ଗାଁ। ଏମିତି କେତେଖଣ୍ଡ ଗାଁ ରେ ଭାରତଭୂଖଣ୍ଡର ସର୍ବପୁରାତନ ଆଦିମ ଜନଜାତି ହେଲା ଏ ବଣ୍ଡାଜାତି। ସକାଳୁ ଉଠି ଝିଲିକ୍ ଦେଖିଲା ତାର ସାନ ତିନି ଭଉଣୀ ଆହୁରି ଶୋଇଛନ୍ତି। ମାଆକୁ ତ ଦୁଇ ବରଷ ହେଲା ମେଲେରିଆ ନେଇଗଲା। ବାପା ଆଉ ଭାଇ ସକାଳୁ ଉଠି ଧନୁ ତୀର ଧରି ସଲପ ଗଛ ପାଖକୁ ଗଲେଣି। ଠେକା ଫିଟାଇ ସଲପ ତାଡି ପିଇବେ ଆଉ ନିଶା ହେଲେ ଦିନ ସାରା କେଉଁଠି ଗଡିବେ, ରାତି ହେଲେ ଫେରିବେ। 

ପିଲାମାନେ କଣ ଖାଇବେ, କେମିତି ରହିବେ କିଛି ଚିନ୍ତା ନ ଥାଏ। କେବେ ଇଚ୍ଛା ହେଲେ ବାପ ପୁଅ ମିଶି ଜଂଗଲଜମି ସଫାକରି ପୋଡି ଦିଅନ୍ତି ଆଉ ଦି ମୁଠା ମାଣ୍ଡିଆ ବୁଣି ଆସନ୍ତି। ଫସଲ ହେଲେ ମାଣ୍ଡିଆ ଅମଳ କରି ଘରକୁ ଆଣନ୍ତି। ନିଶାପାଣି ଖରଚ ପରେ ବଳିଲେ ପରିବାର ଲୋକେ ମାସ ଦୁଇଟା ଜାଉ କରି ଖାଆନ୍ତି। ତାପରେ ଆସେ ଆମ୍ବ ସମୟ । ଆଉ ମାସେ ଦୁଇ ମାସ ଆମ୍ବ ପଣସ ଖାଇ ବଂଚି ଯାଆନ୍ତି। ଘର ପାଖରେ ଆମ୍ବ ଟାକୁଆ ଠୁଳ କରି ରଖନ୍ତି। କିଛି ନ ମିଳିଲେ ଟାକୁଆରୁ କୋଇଲି ବାହାର କରି ଛେଚି ରାତିଟେ ଝର ପାଣି ରେ ପଥର ତଳେ ଛାଡି ଦିଅନ୍ତି, ଆଉ ତାକୁ ଜାଉ କରି କିଛି ମାସ ଚଳିଯାଏ। ଏବେ କିଛି କିଛି ସରକାରୀ ଚାଉଳ ମିଳିଯାଉଛି। ପିଲାଂକ ମୁହଁକୁ ଦାନା ମିଳୁଛି।

                                

ଭଉଣୀ ମାନେ ଉଠିବାପରେ ସେମାନଂକୁ ରିଂଗା (ବଣ୍ଡା ସ୍ତ୍ରୀ ଲୋକ ମାନଂକ ଦୁଇ ଫୁଟିଆ ଅଂଗବସ୍ତ୍ର)ଖଣ୍ଡେ ଲେଖା ପିନ୍ଧାଇ ଓ ନିଜେ ପିନ୍ଧି, ସେମାନଂକ ଲଣ୍ଡା ମୁଣ୍ଡରେ ତୁରୁବା (ଘାସ ଟୋପି) ପିନ୍ଧାଇ ଦିଏ। ନିଜେ କିନ୍ତୁ ତା ଲଣ୍ଡା ମୁଣ୍ଡ ଉପରେ ମାଳିର ଟୋପି ପିନ୍ଧେ। ବେକରେ କେଇ ଖଣ୍ଡ ଖଗଲା ବା ସିଲଭରର ବେକ ରିଂଗ୍, ଆଉ ଦେହ ଉପରେ ଗୋଛାଗୋଛା ମାଳି। ଟିକେ ଟିକେ ଜାଉ ପିଇ ଜାଳ କାଠ, ମହୁଲ ଗୋଟାଇବାକୁ ବାହାରି ପଡନ୍ତି।              


ସେ ନିଜେ ମାଠିଆଟେ ଧରି ପାଣି ଖୋଜିବାରେ ଲାଗିପଡେ। ତାର ବିବାହ ବୟସ ହେଲାଣି। ବଣ୍ଡା ପରଂପରା ଅନୁଯାୟୀ ତାକୁ ତା ଠାରୁ ଦଶ / ବାର ବରଷ ସାନ ପିଲାଟିଏ ସହିତ ବିବାହ କରାଯିବ ଓ ସେ ତା ହାତ ଧରି ସ୍ବାମୀ ଘରକୁ ଚାଲି ଯିବ। ସ୍ବାମୀ ବଡ ହେବା ପର୍ଯ୍ଯନ୍ତ ତାର ଲାଳନପାଳନ କରିବା ସ୍ତ୍ରୀର କର୍ତବ୍ଯ। ତାର ଭାଇକୁ ଦଶ ବର୍ଷ, ବଣ୍ଡା ପରଂପରା ଅନଯାୟୀ ତା’ର ବିବାହ ବୟସ ହେଲାଣି। ବିବାହ ହେଲେ ତା ସ୍ତ୍ରୀ ସ୍ବାମୀ ସହିତ ଏ ସାନ ଭଉଣୀମାନଂକ କଥା ବୁଝିବ।                                   

ସୂର୍ଯ୍ଯ ମୁଣ୍ଡ ଉପରକୁ ଉଠିଲେ ସେମାନେ ଘରକୁ ଫେରିବେ। ଗାଁ ସ୍କୁଲ୍ ରେ ମଧ୍ଯାହ୍ନ ଭୋଜନ ଖାଇ ପାଠ ପଢିବେ। ସେ ଏମିତି ପଢି ପଢି ହାଇସ୍କୁଲ୍ ପାଠ ସାରିଲା। ବଣ୍ଡା ଉନ୍ନୟନ ଅଧିକାରୀ ଅନିକେତ ବାବୁ ତାକୁ ପାଠ ନ ଛାଡି ଆଗକୁ ପଢିବାକୁ ଉତ୍ସାହ ଦେଲେ। ତାର ଓପନ୍ ୟୁନିଭରସିଟିରେ ନାମ ଲେଖାଇ ଦେଲେ। ଆଉ ତାର ସାଧନା ଓ ସଂକଳ୍ପ ଆଗରେ ସମୟ ହାର୍ ମାନିଲା। ସେ ଏବେ ବଣ୍ଡା ଜନଜାତିର ଏକମାତ୍ର ପୋଷ୍ଟ ଗ୍ରାଜୁଏଟ୍। ଅନିକେତ୍ ବାବୁ ତାକୁ ଅନେକ ଥର ବାହାରକୁ ଯାଇ କାମ କରିବାକୁ କହିଲେଣି।                        


ଅନେକ ଥର ତା ମନରେ କିଛି ସ୍ବପ୍ନ ଉଂକି ମାରିଛି। ବାହାରକୁ ଯାଇ ଦୁନିଆ ଦେଖିବ, ଦି ପଇସା ରୋଜଗାର କରିବ। ପୁଣି ସେ ସ୍ବପ୍ନ ସବୁ ମନରେ ଦବିଯାଏ। ନା, ସେ ସେମିତି ରହିବ। ତା’ର ଭାଷା, ସଂସ୍କୃତି, ଚାଲିଚଳଣ, ପରିବାର, ପରିବେଶ କୁ ସେ ଛାଡିବ ନାହିଁ। ବଣ୍ଡା ଜନଜାତିର ଅନ୍ଯ ମାନଂକ ଭଳି ସେ ମଧ୍ୟ ସେମିତି ଚଳିବ।ପାଠ କଣ ତାକୁ ଅନ୍ଯମାନଂକ ଠାରୁ ଅଲଗା କରିଦେବ? ପୁରୁଷ ପୁରୁଷ ଧରି କେଉଁ ଆଦିମ କାଳରୁ କେହି ଏମିତି ନିଜ ସ୍ବାର୍ଥ ପାଇଁ ବଣ୍ଡା ଜାତିରୁ ଅଲଗା ହେବା କଥା ଚିନ୍ତା କରି ନାହାନ୍ତି। ଆଉ ଆଜି ସେ କେମିତି ଏ କଥା ଚିନ୍ତା କରିବ?ତା’ର ନିଷ୍କପଟ ସରଳ ମନ ସ୍ବାର୍ଥ କଣ ଜାଣେ ନାହିଁ। ତା ପାଇଁ ତା’ର ପରିବେଶ ଓ ଗୋଷ୍ଠୀଗତ ସାମାଜିକ ଜୀବନଶୈଳୀ ଯଥେଷ୍ଟ ଏବଂ ଉନ୍ନତ।ପ୍ରତ୍ୟେକଂକର ଜୀବନଶୈଳୀ ଅଦ୍ବିତୀୟଏବଂ ଅସାଧାରଣ, ଯାହା ପରଂପରା ଓ ପରିବେଶ ଆଧାରିତ। ବିଭିନ୍ନ ଜୀବନଶୈଳୀ କୁ ତୂଳନାକରିବା ବା ମୂଲ୍ଯାୟନ କରିବା ନିର୍ରଥକ।                      


ଗାଁ ସାରା ସମସ୍ତେ ବଣ୍ଡା ମାନଂକର କଥିତ ଭାଷା ରେମୋ କହନ୍ତି। ଝିଲିକ୍ ପାଠ ପଢିଛି ବୋଲି କେହି ଅଫିସର୍ ଆସିଲେ ସମସ୍ତେ ତାକୁ ଖୋଜନ୍ତି। ଝିଲିକ୍ ଭଳି ସୁଂଗରାଇପଡାର ପ୍ରତି ଝିଅ ସକାଳେ ପରିବାର ପାଇଁ ମାଠିଆଟେ ଲେଖାଏଁ ଧରି ପାଣି ଖୋଜି ଯାଆନ୍ତି। ତୀଖ ପାହାଡଟା ଉପରେ ଉଠି ଉଠି ପାଣି ଖୋଜିବାକୁ କେବେ କେବେ ମାଇଲ୍ ମାଇଲ୍ ଚାଲିବାକୁ ପଡେ। ଖରାଦିନେ ମୁଣ୍ଡଫଟା ଖରାକୁ ତଳେ ତତଲା ପଥର, ଆଉ ମୁଣ୍ଡରେ ପାଣିର ବୋଝ। ପାଣି ନ ମିଳିବା ପର୍ଯ୍ୟନ୍ତ ପାହାଡିଆ ଆବୁଡା ଖାବୁଡା ରାସ୍ତାରେ ପାଣି ପାଇଁ ପଡି ଉଠି ଚାଲି ଥାଆନ୍ତି। କେଉଁଠି କାଦୁଆ ପାଣି ଝରଟିଏ ପାଇଲେ ହେଲା।                                     


ଶୀତ ଦିନେବି ସେମିତି। ପାହାଡ ଉପରେ ହାଡଥରା ଶୀତ। କାଲୁଆ ଗୋଡ ପଥରରେ ବାଜି ରକ୍ତ ବାହାରୁଥାଏ। ମାଠିଆର ପାଣି ଫୁଂଗା ଦେହଟାକୁ ଥରାଇ ଦେଉଥାଏ। ଏ କଥା ସେ କେତେ ଅଫିସରଂକୁ କହିଛି। କେତେ ଅଫିସରଂକୁ ପାଣି ସମସ୍ୟା କଥା ଖୋଲି କହିଛି। ବ୍ଲକ୍ ଅଧିକାରୀ କହିଲେ “ପାହାଡ ତୀଖରେ ରହିଛ କାହିଁକି? ସେଠି କଣ ପାଣି ମିଳିବ? ଡ୍ରିଲିଂମେସିନ୍ କଣ ଉପରକୁ ଯାଇ ପାରିବ? ସେଟା ଆମ ବିଭାଗର କାମ ନୁହଁ। ତୁମେ ବଣ୍ଡା ଉନ୍ନୟନ ଅଥରିଟିକୁ କୁହ”। ଏମ୍ ଏଲ୍ଏ ମଧ୍ୟ ଶୁଣିଲେ,କହିଲେ ମୋ ପାଇଁ ପୁରା ନିର୍ବାଚନ ମଣ୍ଡଳୀରେ କାମ ରହିଛି। ତୁମ ପଡାରେ କେତେଟା ଭୋଟ୍ ଯେ? ଅଧେ ଲୋକଂକର ପୁଣି ଭୋଟର ଲିଷ୍ଟରେ ନା ନାହିଁ।        

ଅନିକେତ୍ ଶୁଣିଲେ। ହେଲେ ତାଂକ ବିଭାଗରେ ଇନ୍ଜିନିଅର୍ କାହାନ୍ତି? ତାଂକ ବିଭାଗରେ ଏତେ ବଜେଟ୍ ବି ନାହିଁ। ମନ ଦୁଃଖ କଲେ। ସହରରେ ସବୁ ଛକରେ କୋଲ୍ଡ ଡ୍ରିଂକ୍ ଏତେ ସହଜରେ ମିଳି ପାରୁଛି ହେଲେ ଏଠି ପାଣି ଟୋପାଏ ପାଇଁ କି ସଂଘର୍ଷ। ଘରେ ବସି ସ୍ବିଗି, ଜୋମାଟୋ ସବୁ ଆବଶ୍ଯକତା, ନିର୍ଦିଷ୍ଟ ସମୟରେ ଉପଲବ୍ଧ କରାଉଛନ୍ତି , ହେଲେ ଏଠି ଏମାନେ। ଖାଲି ସାନ୍ତ୍ବନା ମିଳିଲା ସିନାସମାଧାନ ମିଳିଲା ନାହିଁ॥                     


କିନ୍ତୁ ଯାହା ପାଇଁ ସଂଘର୍ଷହିଁ ଜୀବନ ସେ ଏତେ ସହଜରେ ହାର୍ ମାନିବ କେମିତି। ବାପା କି ଭାଇ କେହି ଏଥିକୁ ରାଜି ହେଲେ ନାହିଁ। ପାହାଡ ର ଏତେ ଉପରେ କଣ ପାଣି ମିଳିବ? ଭଉଣୀ ତିନି ଜଣ କିନ୍ତୁ ଆଗ୍ରହ ର ସହ ବାହାରିଲେ। ଝିଲିକ୍ କହିଲା ତୁମର କୁନି କୁନି ହାତ କଣ ଏତେ କଷ୍ଟ କାମ କରି ପାରିବ? ଛୋଟ ଗାତ ଭିତରେ ମାଟି ଖୋଳା ପୁଣି ମାଟି ଉଠା, ସେମାନେ କଣ ପାରିବେ? ସମସ୍ତେ “ହଁ” ଭରିଲେ।                               


ପରଦିନ ସକାଳେ ଠିକଣା ଜାଗାଟିଏ ଦେଖି ଚାରି ଭଉଣୀ କୂଅ ଖୋଳାରେ ଲାଗିଗଲେ। ପ୍ରତିଦିନ ଲାଗିଥାନ୍ତି ମାଟି, ପଥର ଖୋଳାରେ। ଜଣା ନାହିଁ ପାଣି ମିଳିବକିନା। ଖରା ବର୍ଷାକୁ ଖାତର ନାହିଁ। ହାତ ସାରା ଫୋଟକା। ମାଟି ଉଠାଉ ଉଠାଉ ଗୋଡ ଖସି ଯାଉ ଥାଏ। ସାନ ଭଉଣୀମାନଂକ ଆଖିରେ ଲୁହ ଓ ଦେହରେ ତାତି। ମାଆ ତ ନାହିଁ। ଝିଲିକ୍ କଥା କିଏ ବୁଝିବ? ମାଟି ଉଠାଉ ଉଠାଉ ପୁଣି ମାଟି ଧସିବାର ଭୟ। ଧିରେ ଧିରେ ମାଟି ପଥର ଗଦା ହୋଇଗଲା। ରାତିରେ ଝିଲିକ୍ ସାନ ଭଉଣୀଂକ ହାତଗୋଡରେ ତେଲ ମାରିଦିଏ। ହାତ ପଟି କରିଦିଏ। ଦଶ ଦିନର ଅନବରତ ପରିଶ୍ରମ ପରେ ପଚିଶ ଫୁଟ୍ ର ଶକ୍ତ ଗାତ ସିନା ଖୋଳାଗଲା। ପାଣି କାହିଁ? ସବୁ ପରିଶ୍ରମ ଅକାରଣ ଗଲା ଭଳି ଲାଗିଲା। ଝିଲିକ୍ ଆଖିକୁ ଲୁହ ଆସିଗଲା। ସାନ ଭଉଣୀ ମାନେ ତା ଲୁହ ପୋଛି ଦେଲେ।                                                


କିଛି ଦିନ ପରେ ଭଲ ଅସରାଏ ବର୍ଷା ପୁଣି ଆଶା ଜଗାଇଲା। ଦିନେ ସକାଳୁ ଉଠି ଝିଲିକ୍ ଦେଖିଲା କୂଅରେ ଭଲ ଝରଟିଏ ପଡିଛି। ସାରା ସୁଂଗରାଇପଡାରେ ଆନଂଦର ଫୁଆରା। ଏ ତ ସ୍ବପ୍ନ ନୁହଁ, କେବଳ ସଂଘର୍ଷ ଓ ସାଧନା। ଖବର ପାଇ ଅନେକ ନେତା, ଅଧିକାରୀ ଆସି ଫଟୋ ଉଠାଇଲେ। ଏମ୍ଏଲ୍ ଏ ଆସି ବାହାବା ଦେଲେ। କୂଅ ପାଇଁ ପକ୍କା ନନ୍ଦ ଦେବେ ବୋଲି ପ୍ରତିଶ୍ରୁତି ଦେଲେ।                              

ଦୂରରୁ ମଟର ଗାଡିର ଆଓ୍ବାଜ୍ ଶୁଣାଗଲା। ଶବ୍ଦ କ୍ରମେ ନିକଟତର ହେଲା। ଅନିକେତ୍ଂକ ବୋଲେରୋ ଗାଡି ପଡିଉଠି ଘର ଆଗରେ ଠିଆ ହେଲା। ଅନିକେତ ଖୁବ୍ ପ୍ରଶଂସା କଲେ। କହିଲେ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ଯିବା ପାଇଁ ପ୍ରଧାନମନ୍ତ୍ରୀଂକ ନିମନ୍ତ୍ରଣ ଆସିଛି। ଏଇ ଟିକଟ୍ ରହିଲା। କାଲି ଗାଡି ଆସି ନେଇଯିବ। ତୁମେ ପ୍ରସ୍ତୁତ ହୋଇ ଥିବ॥                                    


(ବଣ୍ଡା ଝିଅ ମାଳତି ଶିସା ର କଥାରୁ ଅନୁପ୍ରେରିତ ଏଇ କାହାଣୀ)।  


Rate this content
Log in

Similar oriya story from Action