STORYMIRROR

Ashok Kumar Mishra

Drama Horror Thriller

4.3  

Ashok Kumar Mishra

Drama Horror Thriller

ଉଦଗାର

ଉଦଗାର

5 mins
185


         କୁସୁମଗଡ ନରେଶ ଦିଗ୍ ବିଜୟ ସୁମେର ସିଂଙ୍କ ଆନନ୍ଦ ଆଜି କହିଲେ ନ ସରେ। ମୁହଁ ସଞ୍ଜ ବେଳକୁ କଲିକତାର ଫୋର୍ଟ ଉଇଲିଅମରୁ କର୍ଣେଲ୍ ହାର୍କୋର୍ଟ ସାହେବଙ୍କ ତାଙ୍କ ନିମନ୍ତେ ସନ୍ଦେଶ ଆସି ପହଞ୍ଚିଲା ସ୍ବତନ୍ତ୍ର ଖବରବାହକ ଆସି କୁସୁମଗଡ କିଲ୍ଲାରେ ଖବର ଦେଇଗଲା ଯେ ଖୋଦ୍ ହାର୍କୋର୍ଟ ସାହେବ ସୁମେର ସିଂକୁ ମନେ ପକାଇଛନ୍ତି। ଏହା କୁସୁମଗଡ ନିମନ୍ତେ ଅତ୍ଯନ୍ତ ଗର୍ବ ଓ ଗୌରବର ବିଷୟ। ବ୍ରିଟିଶ୍ ସରକାରଙ୍କୁ ଟିକସ ଦେଉଥିବା ଅନ୍ୟ କରଦରାଜ୍ଯ ମାନେ ନିଶ୍ଚୟ ଇର୍ଷାନ୍ବିତ ହେବେ ଏବଂ ବିଭିନ୍ନ ରାଜ୍ଯମାନଙ୍କର ନରେଶଙ୍କ ମଧ୍ୟରେ ତାଙ୍କର ପତିଆରା ଯେ ବୃଦ୍ଧି ପାଇବ ଏଥିରେ ସନ୍ଦେହ ନାହିଁ। ଦଶହରାବେଳେ କଲିକତାର ପୂଜାକୁ ଛାଡି ହାର୍କୋର୍ଟ ସାହେବ କୁସୁମଗଡ ଆସିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହା ନିଶ୍ଚୟ କୁସୁମଗଡର ସୌଭାଗ୍ୟ ହେବ। ହାର୍କୋର୍ଟ ସାହେବଙ୍କ ଭବ୍ଯ ସ୍ବାଗତ ନିମନ୍ତେ କୁସୁମଗଡ କୁ ପ୍ରସ୍ତୁତ ହେବା ପାଇଁ ପରଦିନ ପର୍ଯ୍ଯନ୍ତ ଅପେକ୍ଷା କରିବା ଠିକ୍ ହେବ ନାହିଁ। ଦେଓ୍ବାନଙ୍କୁ ଏବେ ଡାକି ଏ ସମ୍ବନ୍ଧରେ ପରାମର୍ଶ କରିବା ଠିକ୍ ହେବ ବୋଲି ସୁମେର୍ ସ୍ଥିର କଲେ।                  

“ବଳଓ୍ବନ୍ତ”, “ବଳଓ୍ବନ୍ତ” ବୋଲି ଚିତ୍କାର କରି ତାଙ୍କର ଅନ୍ତରଙ୍ଗ ଅଙ୍ଗସେବକ କୁ ଡାକ ପକାଇଲେ ଓ ତତକ୍ଷଣାତ୍ ଏକ ହୃଷ୍ଟପୃଷ୍ଟ କିଶୋର ଆସି ସୁମେରଙ୍କ ପ୍ରମୋଦଶାଳାର ଦ୍ବାରରେ ହାଜର୍ ହେଲା।ବଳଓ୍ବନ୍ତ ସୁମେରଙ୍କ ବ୍ଯକ୍ତିଗତ ଅଙ୍ଗସେବକ ତେଣୁ ପାଖେ ପାଖେ ରହିଥାଏ। ଅନ୍ଯ ସମୟରେ ରାଜାଙ୍କ ଘୋଡାଶାଳରେ ତା’ ର କାମ। ସେଇଠି ରହି ଘୋଡା ମାନଙ୍କ ସେବା କରେ। ସୁମେର ଓ ରାଜ ପରିବାର ସଦସ୍ଯ ବା ତାଙ୍କ ଅତିଥି ମାନେ ଘୋଡା ଉପରେ ସବାର ହେଲାବେଳେ ବଳଓ୍ବନ୍ତ ଘୋଡାର ବାମ କଡରେ ମାଟି ଉପରେ ଆଣ୍ଠୁମାଡି ଘୋଡାହୁଏ ଓ ତା ପିଠିରେ ପାଦ ରଖି ସମସ୍ତେ ଘୋଡା ପିଠିରେ ବସନ୍ତି। ଘୋଡା କଡରେ ସେ ଦଉଡି ଦଉଡି ଘୋଡାକୁ ଆୟତ୍ତ କରେ ଏବଂ ଘୋଡାରୁ ଓହ୍ଲାଇବା ବେଳେ ସେମିତି ପୁଣି ପିଠି ଦେଖାଏ। ରାତ୍ରୀ ସମୟରେ ଲଣ୍ଠନ ଧରି ଘୋଡା କଡେ କଡେ ଦଉଡିବା ତାର କାମ। ଆଜ୍ଞାବହ ବଳଓ୍ବନ୍ତ ପାଟି ନ ଖୋଲି, ଚୁପ୍ ଚାପ୍ ତା କାମ କରିଯାଏ ଓ ପରବର୍ତ୍ତୀ ଆଦେଶକୁ ଅପେକ୍ଷା କରେ।                          

  “ ଆଦେଶ କରନ୍ତୁ ରାଜନ୍” କହି ବଳଓ୍ବନ୍ତ ଦ୍ବାର ନିକଟରେ ଠିଆ ହୋଇଥାଏ। ସୁମେର ଆଦେଶ ଦେଲେ “ଦଉଡି ଦଉଡି ଦେଓ୍ବାନ୍ ସାହେବଙ୍କ ନିବାସକୁ ଯିବୁ ଓ ଅତି ଶୀଘ୍ର ଆସି ସାକ୍ଷାତ୍ କରିବା ନିମନ୍ତେ ମୋର ଆଦେଶ ଅଛି ବୋଲି କହି ଅପେକ୍ଷା କରିବୁ। ଦେଓ୍ବାନ୍ ସାହେବ୍ ଘୋଡାସଓ୍ବାର୍ ହେବା ପରେ ତାଙ୍କୁ କିଲ୍ଲାକୁ ସଙ୍ଗରେ ଘେନି ଆସିବୁ।  

        "ଜୀ ହଜୁର୍” କହି ବଳଓ୍ବନ୍ତ ଅପେକ୍ଷା ନ କରି ବାହାରି ଗଲା।         

    ସୁମେରଙ୍କ ଉତ୍ସାହ ଓ ଉତ୍କଣ୍ଠାର ସୀମା ନ ଥାଏ ସେଦିନ। ନିଜ ପାଇଁ ଆଉ ଏକ ପାନୀୟ ପ୍ରସ୍ତୁତ୍ କରିବାକୁ ଆଦେଶ ଦେଲେ। ଏକ ସୁନ୍ଦରୀ ତରୁଣୀ ପାନୀୟପୂର୍ଣ୍ଣ ପିଆଲା ସୁମେରଙ୍କ ହାତକୁ ଦେଲା। ସୁନ୍ଦରତା ପାଇଁ କୁସୁମଗଡର ନାରୀ ମାନଙ୍କର ସାରା ଦେଶରେ ଖ୍ଯାତି, ଆଉ ସୁମେର୍ ପ୍ରମୋଦଶାଳାରେ ବଛା ବଛା ସୁନ୍ଦରୀ ମାନଙ୍କୁ ଭରି ରଖିଥାନ୍ତି। ଇଙ୍ଗିତ ପାଇବା ମାତ୍ରେ ସଙ୍ଗେ ସଙ୍ଗେ ଆସି ଅଙ୍ଗ ସେବାରେ ଲାଗିଗଲେ। ସୁମେର ମନେ ପକାଇଲେ ପ୍ରାୟ ଛଅ ବର୍ଷ ତଳେ ହାର୍କୋର୍ଟ କୁସୁମଗଡ ଆସି ପ୍ରାୟ ଦୁଇ ସପ୍ତାହ ରହିଥିଲେ। ସୁରା- ସାକୀ, ଶିକାର, ସଂଗୀତ, ବାଣରୋଶଣି, ବାଇନାଚ, ଭୋଜି ମଉଜ ରେ ସମୟ ସବୁ ଆନନ୍ଦରେ କାଟି ଥିଲେ। ସେ ସମୟରେ କୁସୁମଗଡରେ ସନ୍ଧ୍ଯା ହେଲେ ଦାମିକା ବିଲାତି ପାନୀୟର ବନ୍ୟା। ପ୍ରମୋଦ ଉଦ୍ଯାନର ବାମ୍ଫୀରେ ସୁନ୍ଦରୀ ମାନଙ୍କ ସହ ଘଣ୍ଟା ଘଣ୍ଟା ଜଳକ୍ରୀଡାକୁ ଖୁବ୍ ଉପଭୋଗ କରୁଥିଲେ ମେଜର ହାର୍କୋର୍ଟ। ହେଲେ ସେତେବେଳେ ମେଜର ହାର୍କୋର୍ଟ ଥିଲେ ଏକ କନିଷ୍ଠ ଅଧିକାରୀ। ଏବେ କିନ୍ତୁ କର୍ଣେଲ୍ ହାର୍କୋର୍ଟ ପଦୋନ୍ନତି ପାଇ ଫୋର୍ଟ ଉଇଲିଅମ୍ ରେ ଉଚ୍ଚ ପଦାଧିକାରୀ ବରିଷ୍ଠ ଗୋରା ହାକିମ। ଆମୋଦ ପ୍ରମୋଦରେ ଭାରି ସଉକ୍, ହେଲେ ଭାରତୀୟ ମାନଙ୍କୁ ଭାରି ଘୃଣା,କଥା କଥାକେ “ୟୁ ନେଟିଭ୍, ସ୍କାଉଣ୍ଡ୍ରେଲ୍” କହି ଭାରି ହାକିମାତି ଓ ଅତ୍ଯାଚାର କରନ୍ତି ସେମାନଙ୍କ ଉପରେ। ଅତ୍ଯନ୍ତ ବଦ୍ ମିଜାଜୀ ଓ ସାମାନ୍ଯ କଥାରେ ଭାରତୀୟଙ୍କୁ ପଦାଘାତ, ବେତ୍ରାଘାତ ଆଉ ଚାବୁକ୍ ମାଡ। ତେଣୁ ସେବାଯତ୍ନ ଅଧିକ ସତର୍କତାର ସହିତ ଯୋଜନା କରିବାକୁ ପଡିବ।          

 

    ସୁରକ୍ଷା ଅବା ଅନ୍ଯ କିଛି ଗୁରୁତର ପ୍ରସଙ୍ଗ ବିଷୟରେ ପରାମର୍ଶ ଲୋଡା ଭାବି ଦେଓ୍ବାନ୍ ଆସି ରାଜଉଆସରେ ପହଞ୍ଚିଲେ କିନ୍ତୁ ସମନ୍ ର କାରଣ ଜାଣିବା ପରେ ଓ ରାଜାସାହେବଙ୍କର ଉତ୍ସାହ ଦେଖି ମନେ ମନେ ପ୍ରମାଦ ଗଣିଲେ। କ୍ରମାଗତ ମରୁଡି ଯୋଗୁଁ ରାଜକୋଷର ଅବସ୍ଥା ଯାହା, ସେଥିରେ ସୁମେରଙ୍କର ଲମ୍ବା ଚଉଡା ଫରମାନ- ବାମ୍ଫି ଝାଉଳା ଓ ମରାମତି, ରାଜ ଉଆସ ଓ ଅତିଥିଶାଳା ନବୀକରଣ, ସ୍ବାଗତ ତୋରଣ, ଆଲୋକସଜ୍ଜା, ଆତସବାଜି, ବିଦେଶୀ ପାନୀୟ, ବାଇନାଚ,ଶିକାର ଓ ଅନ୍ଯାନ୍ଯ ଆନୁସଙ୍ଗିକ ଖର୍ଚ୍ଚ କିଛି କମ୍ ନୁହେଁ। ରାଜ କୋଷ ଏ ଆର୍ଥିକ ବୋଝ ସହିବା କଷ୍ଟକର ହେବ ବୋଲି ଦେଓ୍ବାନ ମତ ରଖିଲେ। “ଦରକାର ହେଲେ ପ୍ରଜାଙ୍କ ଉପରେ ଅଧ

ିକ ଟିକସ ବସାଅ, କିନ୍ତୁ ଭବ୍ଯ ଅତିଥି ସତ୍କାର ଆୟୋଜନ କରିବ”, କହିଲେ ସୁମେର୍। କର୍ଣେଲ୍ ହାର୍କୋର୍ଟଙ୍କ ରହଣୀ ସମୟରେ ଯୁବତୀ ମାନଙ୍କ ମଧ୍ଯରେ କୁସୁମସୁନ୍ଦରୀ ପ୍ରତିଯୋଗିତା ଆୟୋଜନ କରିବାକୁ ମଧ୍ଯ ସେ ପରାମର୍ଶ ଦେଲେ ।         ସୁମେର ବଳଓ୍ବନ୍ତକୁ ଚାଲିଯିବା ପାଇଁ ଆଦେଶ ଦେଲେ ଓ ଦେଓ୍ବାନଙ୍କୁ କ୍ଷଣକୋପୀ ହାର୍କୋର୍ଟର ମିଜାଜ୍ ବିଷୟରେ ସ୍ମରଣ କରାଇ ସତର୍କତାର ସହିତ ସେବାସତ୍କାରର ସବୁ ବନ୍ଦୋବସ୍ତ କରିବାକୁ ଚେତାଇଲେ। ତାଛଡା ଏହା କୁସୁମଗଡର ଇଜ୍ଜତ ର କଥା। ଚାରିଆଡକୁ ଦୃଷ୍ଟି ନିକ୍ଷେପ କରି ଚାପା ଗଳାରେ ସୁମେର୍ କହିବାକୁ ଲାଗିଲେ “ଗତ ଥର ହାର୍କୋର୍ଟଙ୍କ ପରିଦର୍ଶନ ସମୟରେ ଶିକାର ବେଳର ସେ ଅଘଟନ କଥା ମନେ ଥିବ, ଦେଓ୍ବାନ୍”।    

           “ହଁ, ମୋର ମନେ ଅଛି । ଅତ୍ଯଧିକ ମଦ୍ୟପାନ କରି ବାଘ ଶିକାର କରୁକରୁ ଶିକାରୀ ବଚାଓ୍ବତ୍ ଉପରକୁ ହାର୍କୋର୍ଟ ଗୁଳି ଚଳାଇଥିଲେ ଓ ତତକ୍ଷଣାତ ବଚାଓ୍ବତ୍ ଟଳିପଡି ପ୍ରାଣ ହରାଇଲେ। ଏ କଥା ପ୍ରଘଟ ନ କରି ଲୋକ ଲୋଚନ ଆଢୁଆଳରେ ନ ରଖିଥିଲେ ଅସମ୍ଭାଳ ଅବସ୍ଥା ହୋଇଥାଆନ୍ତା। ରାଜ୍ଯର ଲୋକମାନେ ଜାଣନ୍ତି ଯେ ବଚାଓ୍ବତ୍ କୁ ବାଘ ଖାଇଗଲା।”    

                 “ଠିକ୍ କଥା, ଏହା ତ ଏକ ଦୁର୍ଘଟଣା ଥିଲା। ଏ କଥା ଯେପରି କାନକୁ ଦି କାନ ନ ହୁଏ। ଏଥର ସେହି ବାଘକୁ ମାରି ବଚାଓ୍ବତ୍ ହତ୍ଯାର ବଦଲା ନେବା ପାଇଁ ହାର୍କୋର୍ଟ ଆସୁଛନ୍ତି ବୋଲି ପ୍ରଚାର କରିବାକୁ ହେବ। ବୁଝିଲେ ତ ଦେଓ୍ବାନ୍ ସାହେବ?”      

       ଦେଓ୍ବାନ୍ ସମ୍ମତି ଜଣାଇଲେ ଓ ଭବ୍ଯ ସ୍ବାଗତର ତୟାରରେ ଲାଗିଗଲେ।କୁସୁମଗଡ ଏକ ସୁନ୍ଦରୀ ନାରୀ ଭଳି ସଜି ଉଠିଲା।  

        ଦଶହରାର ସପ୍ତାହେ ପୂର୍ବରୁ ହାର୍କୋର୍ଟ ଦଳବଳ ଧରି କୁସୁମଗଡ ପହଞ୍ଚି ଗଲେ। ସ୍ବାଗତ ତୋରଣ, ଆତସବାଜି ସହ ଭବ୍ଯ ସ୍ବାଗତ ପରେ ଭୋଜି ମଉଜରେ ସପ୍ତାହେ କଟିଗଲା। ବାମ୍ଫୀରେ ସୁନ୍ଦରୀ ମାନଙ୍କ ସହ ଜଳକ୍ରୀଡା, କୁସୁମଗଡ କୁମାରୀଙ୍କ କୁସୁମ ସୁନ୍ଦରୀ ପ୍ରତିଯୋଗିତା, ଲକ୍ଷ୍ନୌରୁ ଅଣା ଯାଇଥିବା ବାଇନାଚଦଳ ସବୁ ଯୋଜନା ମୁତାବକ୍ ଚାଲିଲା। 

       ଦଶହରା ଦିନ ଶିକାର ନିମନ୍ତେ ଯିବାପାଇଁ ହାର୍କୋର୍ଟ ମନ ବଳାଇଲେ। ବଛା ବଛା ଶିକାରୀ ଆନୁସଙ୍ଗିକ ବ୍ଯବସ୍ଥା ନିମନ୍ତେ ଆଗରୁ ଯାଇ ମଞ୍ଚା ବାନ୍ଧି ପ୍ରସ୍ତୁତ ରହିଲେ। ସକାଳେ ରାଜା ସୁମେର ସିଂ ଓ ହାର୍କୋର୍ଟ ବାକି ଶିକାର ଦଳ ସହ ବାହାରୁ ଥାଆନ୍ତି। ହାର୍କୋର୍ଟଙ୍କ ଘୋଡା ପାଖରେ ବଳଓ୍ବନ୍ତ ଘୋଡା ହୋଇ ହାର୍କୋର୍ଟଙ୍କୁ ଘୋଡା ସବାର ହେବାରେ ସାହାଯ୍ଯ କରିବା ନିମନ୍ତେ ଅପେକ୍ଷା କରିଥାଏ। ହାର୍କୋର୍ଟ ବାହାରି ଯେମିତି ବଳଓ୍ବନ୍ତ ପିଠିରେ ପାଦ ଥୋଇଛନ୍ତି ବଳଓ୍ବନ୍ତ କଡକୁ ହଟିଗଲା ଓ ହାର୍କୋର୍ଟ ଧରାଶାୟୀ ହେଲେ। କେହି କିଛି ବୁଝିବା ପୂର୍ବରୁ ବଳଓ୍ବନ୍ତଏକ ତୀକ୍ଷ୍ଣ ଛୁରୀ ବାହାର କରି ହାର୍କୋର୍ଟଙ୍କୁ ବାରମ୍ବାର ଆଘାତ ଦେଲା ଓ ସେ ରକ୍ତ ଜୁଡୁବୁଡୁ ହୋଇ ସେଇଠି ଟଳି ପଡିଲେ। ଏ ସବୁ ଏତେ ଅପ୍ରତ୍ଯାଶିତ ଥିଲା ଯେ ହାର୍କୋର୍ଟ ରିଭଲଭର କୁ ହାତ ନେବାକୁ ସମୟ ପାଇଲେ ନାହିଁ। ପାଖରୁ ସୁମେର ସିଂ ନିଜ ରିଭଲଭର ବାହାର କରି ବଳଓ୍ବନ୍ତ ଉପରକୁ କେତେ ରାଉଣ୍ଡ ଗୁଳି ଚଳାଇଲେ ଓ ସେ ସେଇଠି ତଳେ ପଡି ଆଖି ବୁଜିଦେଲା।                                                               କିଛି ଦିନ ବିତିଗଲା ପରେ ଦିନେ ସୁମେର ସିଂ ପ୍ରମୋଦଶାଳାରେ ବସି ବାହାରକୁ ଲକ୍ଷ୍ୟ କରୁଥାଆନ୍ତି। ସେ ଜାଣି ପାରୁ ନ ଥାନ୍ତି ବଳଓ୍ବନ୍ତ କିପରି ଜାଣିଲା ଯେ ହାର୍କୋର୍ଟ ତାର ପିତା ବଚାଓ୍ବତର ହତ୍ଯାକାରୀ। ଯେତେବେଳେ ଏ ଘଟଣା ଘଟିଥିଲା ବଳଓ୍ବନ୍ତ ଥିଲା ବାର ବର୍ଷର ବାଳୁତ। ହାର୍କୋର୍ଟ ଗତ ଥର ଆସିଥିବା ବେଳେ ଯେବେ କୁସୁମ ସୁନ୍ଦରୀ ପ୍ରତିଯୋଗିତା ଆୟୋଜନ ହୋଇଥିଲା ଏଇ ବଳଓ୍ବନ୍ତର ଭଉଣୀ ମାଳାକୁ ହାର୍କୋର୍ଟ କୁସୁମ ସୁନ୍ଦରୀ ଚୟନ କରିଥଲେ ଓ ତାଙ୍କ ସହ ଜଳକ୍ରୀଡା ଓ ଶାରୀରିକ ସମ୍ବନ୍ଧ କରିବାକୁ ବାଧ୍ୟ କରିଥିଲେ। ବଚାଓ୍ବତ ଏ କଥା ର ଘୋର ବିରୋଧ କରିଥିଲା। ତେଣୁ ତାକୁ ଶିକାର ବାହାନାରେ ଗୁଳି କରି ହତ୍ଯା କରିଥିଲେ ହାର୍କୋର୍ଟ ଓ ସୁମେର। ତାପରେ ହାର୍କୋର୍ଟ ମାଳାକୁ ତାଙ୍କ ସହ କଲିକତା ନେଇ ଯାଇ ଥିଲେ ଓ କିଛି କାଳ ଉପଭୋଗ କରିବା ପରେ ଏକ ବେଶ୍ଯାଳୟରେ ବିକି ଦେଇ ଥିଲେ। ହେଲେ ଏ ସବୁ କଣ ବଳଓ୍ବନ୍ତ ଜାଣିଥିଲା? ତେବେ ଏ କଥା ତାକୁ କିଏ କହିଲା? କିଛି ବୁଝିବା ପୂର୍ବରୁ ପଛରୁ ରିଭଲଭର ରୁ ତିନି ରାଉଣ୍ଡ ଗୁଳି ଆସି ତାଂକର ବକ୍ଷଭେଦ କଲା ଓ ସେ ସେଇଠି ଟଳି ପଡିଲେ।        

ପଛରେ ଠିଆ ହୋଇଥିଲେ ଦେଓ୍ବାନ୍ ସାହେବ୍।                                


Rate this content
Log in

Similar oriya story from Drama