ବୁଲା
ବୁଲା
(ସମୟର ସାଥେ ସାଥେ ଏକ ବୁଲା ଷଣ୍ଢର ମର୍ମସ୍ପର୍ଶୀ କାହାଣୀ। ଜୀବନ ଯୁଦ୍ଧରେ ବାସ୍ତବତା ସହ ତାଳ ଦେଇ ସେ ସଂଗ୍ରାମ କରି ଚାଲିଛି। ଏକ ଅତି ସ୍ପର୍ଶକାତର କାରୁଣ୍ଯତାରେ ଭରା ଓ ଅନେକ ଉତ୍ଥାନ ପତନ ଦେଇ ଗତି କରିଥିବା ତା କାହାଣୀରେ ରହିଛି ଅନେକ ବ୍ଯଥା, କିଛି କ୍ଷୋଭ ଓ ସମ୍ବେଦନାହୀନ ଓ ମାନବିକତାଶୂନ୍ଯ ମଣିଷର ଏକ ପଶୁ ସହ ବ୍ଯବହାର)
ଅତି ସନ୍ତର୍ପଣରେ ପାଦେ ପାଦେ କରି ଆଗକୁ ବଢୁଥିଲା ବୁଲା। ଥରେ ଆଗକୁ ତ ଥରେ ପଛକୁ, ପୁଣି ଦୁଇ କଡକୁ ନଜର ପକାଇ ଉପରକୁ ଚଢୁ ଥାଏ। ପଛରେ ଜୀବନକୁ ବିପଦ, ଆଗରେ କଣ ଅଛି ଜଣା ନାହିଁ। କେନାଲ କଡେ କଡେ ଜୀବନ ବିକଳରେ ଦୌଡି ଦୌଡି ହାଲିଆ। ନଦୀ ଧାରରୁ ରାସ୍ତା କାହିଁ କେତେ ଉପରେ। ଦେଖିଲେ ଆଖି ପାଉ ନାହିଁ। ଭାରି ତୀଖ, ସିଧା ଚଢି ହେବ ନାହିଁ। ଗୋଡ ଖସି ଯାଉଛି। ବଳ ପାଉ ନାହିଁ।
ହେଲେ ଆଉ କିଛି ବାଟ ନାହିଁ, ଜୀବନ ବଞ୍ଚାଇବା ପାଇଁ। ଆଗକୁ ପାଦେ ପାଦେ ବିପଦ। ତଥାପି କୌଣସି ମତେ ଉପରକୁ ପହଞ୍ଚି ଗଲେ ରକ୍ଷା। ଜୀବନଟା ବଞ୍ଚି ଯାଉ। ଉପରେ କିଛି ଗୋଟେ ବାଟ ମିଳିଯିବ। ଏଡେ ବଡ ବପୁ ଧରି ସେ ଉପରକୁ ଚଢିବା ଭାରି କଷ୍ଟକର। ତେଣ୍ଟା, ଜାଲ, ଲାଠି ଧରି ଦଳେ ଲୋକ ପଛରେ ପଡିଛନ୍ତି। ସେମାନେ କଥା ହେଉ ଥିବାର ସେ ସ୍ପଷ୍ଟ ଶୁଣିଛି। ଜାଲ ପକାଇ ଧରି ଟ୍ରକ୍ ରେ କଲିକତା ପଠାଇବାର ଯୋଜନା ଥିଲା ସେମାନଙ୍କର। ମରିଗଲେ ଖାଲ ଉତାରି ତାପରେ କାଟି ଟୁକୁରା ଟୁକୁରା କରିବେ କୁହାକୁହି ହେଉଥିଲେ ସେମାନେ।
ବୁଲାର ନାଁ ଆଗରୁ ସେୟା ନଥିଲା। ଜନ୍ମ ହେଲା ବେଳେ ଅତି ସରଧାରେ ମଧୁ ଗୁଡିଆର ଭାରିଯା ତା ନାଁ ରଖିଥିଲା ଭୋଳା, ଦେବାଦି ଦେବଙ୍କ ପ୍ରିୟ ନାମ ଭୋଳା। ମଧୁ ଗୁଡିଆର ଝିଅର ଅତି ପ୍ରିୟ କଙ୍କ। ଚିକ୍କଣ କଷଡିଆ ନାଲିରଙ୍ଗ ସାଙ୍ଗକୁ ମୁଣ୍ଡରେ ଧଳା ଚାନ୍ଦଟା ଭାରି ମାନୁ ଥିଲା। ମଧୁ ପରିବାରର ସଭି ଙ୍କୁ ଛାଡି ଦେଲେ ଆଉ କାହାରିକୁ ପାଖକୁ ଆସି ତା ଦେହରେ ହାତ ମାରିବାକୁ ଦେଉ ନ ଥିଲା ତା ମା। ମଧୁ ଓ ତା ଭାରିଯା ଭାରି ଶରଧା କରୁଥିଲେ। ମଧୁ ତା ବେକରେ ଦିଟା ଭାଲିଆ ମଞ୍ଜି ଆଉ ସୁନ୍ଦରିଆ ଘୁଙ୍ଗୁରଟେ ବାନ୍ଧି ଥିଲା। ସକାଳେ ଦୋକାନକୁ ବାହାରିବାବେଳକୁ ଭୋଳା ମଧୁ ଦେହରେ ଏପଟ ସେପଟ ହୋଇ ଘଡିଏ ଘଷି ହେବ। ଆଉ ତା ଫେରିବାକୁ ଚାହିଁ ବସିଥିବ। ତା ହାତରୁ ଲଡୁଟିଏ କି କଦଳୀଟିଏ ଖାଇ ତା ହାତ ମୁହଁକୁ ଚାଟିବ ଆଉ ତା ପରେ ଖୁସିରେ ଡିଆଁଟେ ମାରି ମା ପାଖକୁ ଦୌଡିବ। ଦିନସାରା ମଧୁ ଗୁଡିଆର ଝିଅ ସହିତ ତା ପ୍ରିୟ କଙ୍କ ଘୁଙ୍ଗୁର ଘଣ୍ଟି ବଜାଇ ଖଳାବାଡିରେ ଡିଆଁମାରି କୁଦି ବୁଲିବା ଥିଲା ଏକ ମାତ୍ର କାମ। ଇଚ୍ଛା ହେଲେ ମା ପାଖକୁ ଯାଇ ମୁନ୍ଦେ କ୍ଷୀର ପିଇ ଆସେ। ମଧୁ ର ଭାରିଯା ସୁମତି ତାକୁ ଘଡିଏ ବି ଭୋକରେ ରହିବାକୁ ଦିଏନା।
କାହିଁ ସେ କାଳ, ଆଉ କାହିଁ ଏ ବେଳ।
ଧିରେ ଧିରେ ଭୋଳା ଯେବେ ବଡ ହେଲା ତାକୁ ମଧୁର ଖଳାବାଡିରେ ଆବଦ୍ଧ ରହିବାକୁ ମନ ଲାଗିଲା ନାହିଁ। ହୃଷ୍ଟପୃଷ୍ଟ ବପୁ ସାଙ୍ଗକୁ ଛଇଛାଟିଆ ଚେହେରା, ପିଠି ଉପରେ କୂଦଟିଏ, ମୁଣ୍ଡରେ ଦୁଇଟା ଗଜାଶିଙ୍ଗ, ଦେହରେ ଭୀମ ବଳ ତାକୁ ଆଉ କିଏ ଅଟକାଇବ? ବାଡ ଡେଇଁ,ଧଡା ଟେକି, ତାଟି ଭାଙ୍ଗି ଆଜି କାହା ବାଡିରେ ପଶିଲାଣି, ତ କାଲି ଆଉ କାହା ଘରେ। ଗାଈ ଗୋଠରେ ତାକୁ ଯୁଝିବାକୁ କେହି ନ ଥାଆନ୍ତି। ତା ବାଟରେ ଯେ ପଡିଲା ଖଣ୍ଡିଆ ଖାବରା ହେବା ନିଶ୍ଚିତ। ରାସ୍ତାଉପରେ ସେ ଆସିଗଲେ ପିଲା, ମାଇପେ, ସାଇକେଲିଆ ଭିତରେ ଖଣ୍ଡିଆଭୂତ ଭଳି ଧସିପଶି ହତାହତ ରକ୍ତାକ୍ତ କରିବା ନିତି ଦିନିଆ ବ୍ଯାପାର ହୋଇଗଲା। ମନ୍ଦିର ପାଖରେ ଆଡ୍ଡା ମାରିଥିବ। କେହି ପୂଜା ସାରି ତାକୁ ଭୋଗ ଥାଳିରୁ ଯଦି ତା ପାଉଣା ନଦେଲା ପୁରା ଭୋଗ ଥାଳି ଝିଙ୍କି, ଭୋଳା ତାକୁ ରାସ୍ତାରେ ଗଡାଇ ନହୁନୁହାଣ କରୁଥିଲା। ଭୋଳା ନାଁରେ ଅଭିଯୋଗ ଶୁଣି ଶୁଣି ମଧୁ ଗୁଡିଆ ବଧିରା ହୋଇ ଗଲାଣି। ହେଲେ ମଧୁ ଓ ସୁମତିଙ୍କ ମମତା ତିଳେ ହେଲେ କମି ନ ଥାଏ। ସବୁବେଳେ ମଧୁ ଭୋଳାର ପକ୍ଷ ନେଇ, କେହି ଅଭିଯୋଗ କଲେ ଶୁଣେ ନାହିଁ। କହେ ମଧୁ ଗୁଡିଆ ଦୋକାନ କଣ ବନ୍ଦ ହୋଇଗଲାକି, ଭୋଳାକୁ ଖାଇବାକୁ ମିଳୁନାହିଁ ଆଉ କାହା ବାଡିରେ ପଶିବ? ମୋ ଭୋଳାଟି ଆଞ୍ଚଳିକ ଗୋ-ପ୍ରଦର୍ଶନୀରେ ପୁରଷ୍କାର ପାଇଲାରୁ କେହି ସହି ପାରୁ ନାହାନ୍ତି। ଉଚ୍ଚ ଶକ୍ତ ବାଡ ଦେଇ ନିଜ ବାଗ ବଗିଚା, ଖଳାବାଡି ସୁରକ୍ଷିତ ନକରି ବୃଥାଟା ମୋ ଭୋଳା ବିରୁଦ୍ଧରେ ମିଛସତ କହୁଛନ୍ତି। ଅନେକେ ଆସି ଉପଦେଶ ଦେଲେ ଦାମୁଡିଆଟା ବୋଲ ମାନୁନାହିଁ ତାର ବନ୍ଧ୍ଯାକରଣ କରାଇ ନିଅ ଟିକିଏ ଅକ୍ତିଆରକୁ ଆସିଯିବ, ତୁମେ ବଳଦଟାକୁ ଦରକାର ପଡିଲେ କାମରେ ଲଗାଇ ପାରିବ। ମଧୁ କହେ ଆରେ କେହି କଣ ବଳଦକୁ ଆଉ ଚାଷକାମରେ ଲଗାଉଛନ୍ତି? ତାଛଡା ମୁଁ ନିଜେ ତ ଚାଷ କାମ କରେନାହିଁ। ମୋର ଦୋକାନ ଭଲ ତ ମୁଁ ଭଲ। ପଶୁଟାକୁ ଅଯଥା କଷ୍ଟ ଦେବି କାହିଁକି?
ଅନେକ କିଣି ନେବାକୁ ଆଗ୍ରହ ପ୍ରକାଶ କଲେ। କିନ୍ତୁ ମଧୁ ଗୁଡିଆ କି ତାର ପରିବାର ତାକୁ ଛାଡିବାକୁ ନାରାଜ୍। କିଏ ଜାଣେ ବୁଲାକୁ କେମିତି ମାଲିକ ମିଳିବ। ସେଦିନ ପଶୁ ଡାକ୍ତର ଦେବାଶୀଷ ବାବୁ ମଧୁ ର ଦୋକାନକୁ ଆସିଥିଲେ। ସେ ମଧୁକୁ କହିବାକୁ ଲାଗିଲେ ଭଲ ଦେଶୀ ନାଲି ସିନ୍ଧି ଜାତିଆ ଦାମୁଡିଆଟା। ଏତେ ବଡ ହେଲାଣି ତୁମ ଅକ୍ତିଆର୍ ରେ ଆସୁ ନାହିଁ। କାମ କରିବାକୁ ତ ସହଜେ ଲୋକ ମିଳୁ ନାହାନ୍ତି, ତୁମର ତ କିଛି କାମରେ ଆସିବ ନାହିଁ। ଖାଲିଟାରେ ଏମିତି କେତେଦିନ ପୋଷିବ। ଧିରେ ଧିରେ ସେ ସାଥୀ ନ ପାଇ ହିଂସ୍ର ହେବାକୁ ଲାଗିଛି। ସୁମତିଙ୍କୁ ଶିଙ୍ଗ ଭୁଷି ଜଖମ କରିଛି କହୁଥିଲ, ମୋ କଥା ମାନ। ସରକାର ଭଲ ଜାତିଆ ଷଣ୍ଢ ମାନଙ୍କ ପାଇଁ ଜାଗା ଜାଗା ଗୋ ଉନ୍ନୟନ ପ୍ରକଳ୍ପ ଉନ୍ନତ ବୃଷଭ କେନ୍ଦ୍ର ଖୋଲୁଛନ୍ତି। ତୁମ ବୁଲା ଭଲ ଖାଦ୍ଯ ଖାଇ ହେପାଜାତ୍ ରେ ରହିବ। ତୁମେ ଆଉ କଣ ଚାହୁଁଛ? ଗୋରୁ ବେପାରୀଙ୍କୁ ବିକିଲେ ସେମାନଙ୍କ ହାତରେ ପଡି ହଣା ଖାଇବାଠାରୁ ସରକାରଙ୍କୁ ବିକିଲେ ତୁମ ଆଖି ଆଗରେ ସରକାରୀ ସେବା ଯତ୍ନରେ ରହିବ। ଏଥିକୁ ତୁମର କି ଆପତ୍ତି। ବହୁତ ଭାବି ଚିନ୍ତି, ଘରେ ପଚାରି କହିବି ବୋଲି ମଧୁ ଉତ୍ତର ଦେଲା। ତା ପରଦିନ ଡାକ୍ତରବାବୁ ପୁଣି ମଧୁ ଘରକୁ ଆସି ସୁମତିକୁ ବୁଝାଇବାରେ ଲାଗିଲେ। ତୁମ ଘରେ ରହୁଛି, ଡାକ୍ତରଖାନା ହତାରେ ଆମ ପାଖରେ ରହିବ, ଯେବେ ଇଚ୍ଛା ହେବ ଆସି ଦେଖି ପାରିବେ। ସମୟକୁ ସମୟ ପୁଷ୍ଟିକର ଗୋଖାଦ୍ୟ ଖାଇବ, ମାଗଣା ଔଷଧ, ଭିଟାମିନ୍ ସବୁ ମିଳିବ। ଡାକ୍ତରଖାନାର କର୍ମଚାରୀମାନେ ତାର ଯତ୍ନ ନେବେ। ବୟସ ବଢିଲେ ତୁମେ ଆଉ କଣ ସରକାରଙ୍କ ଠାରୁ ଅଧିକ ଭଲ ବୁଝି ପାରିବ? ଶେଷରେ ମଧୁ ଗୁଡିଆ ଓ ସୁମତି ବୁଲାର ଭଲ ପାଇଁ ଗୋ ଉନ୍ନୟନ ପ୍ରକଳ୍ପ ର ବୃଷଭ କେନ୍ଦ୍ରରେ ଛାଡିବା ଠିକ୍ ହେବ ବୋଲି ସ୍ଥିର କଲେ।
ଥରେ ପଛକୁ ଚାହିଁ ବୁଲା ଦେଖିନେଲା ଆଗପରି ତା ଜୀବନ ପଛରେ ପଡିଥିବା ଦଳଟି ତା ପିଛା ଛାଡୁ ନାହାନ୍ତି। ଯେମିତି ହେଲେ ତାକୁ ନିଜ କବଳ କରିବାକୁ ଲାଗି ପଡିଛନ୍ତି। ତୀଖ ଚଢୁ ଚଢୁ ସେ କେବେ କେବେ ଖସି ପଡୁଥାଏ। ପୁଣି ସିଧା ଚଢିବାକୁ ଅସୁବିଧା ହେତୁ ଥରେ ବାମକୁ ପୁଣି ଟିକେ ବପୁ ସଳଖାଇ ଡାହାଣକୁ ଏମିତି କରି ଆଗକୁ ବଢୁ ଥାଏ। ଆଗକୁ ଦେଖିଲା ଅଧାଅଧି ଉପରକୁ ଉଠିଲାଣି। ହେଲେ ବଳ ପାଉ ନାହିଁ। ରାସ୍ତା ଉପର ଯାନ ବାହନର ଘୋ ଘା ଶବ୍ଦ ସ୍ପଷ୍ଟ ଶୁଣା ଗଲାଣି। ଆଉ ଟିକିଏ କଷ୍ଟ ନ କଲେ ହେବ ନାହିଁ। ନିଜର ସବୁତକ ବଳ ଲଗାଇ ଚେଷ୍ଟା କରୁଥାଏ ଆଗକୁ ବଢିବା ପାଇଁ।
ଗୋ ଉନ୍ନୟନ ପ୍ରକଳ୍ପ କେନ୍ଦ୍ରରେ ପହଞ୍ଚି ବୁଲା ଦେଖିଲା ତା ଭଳି ହୃଷ୍ଟପୃଷ୍ଟ ବିଭିନ୍ନ ଜାତିଆ ଷଣ୍ଢ ସବୁ ଖୁଆଡରେ ବନ୍ଧା ହୋଇଛନ୍ତି। ପ୍ରକଳ୍ପ କେନ୍ଦ୍ର କାଗଜପତ୍ରରେ ତା ନଁ ବୁଲା ବୋଲି ଚଢିଗଲା , ଆଉ ସେଇଠୁ ଏଇ ନାଁ। କେନ୍ଦ୍ରରେ ସବୁ ସୁବିଧା। ହେଲେ ଜର୍ସି ଓ ହୋଲେଷ୍ଟିନକୁ ଟିକେ ବେଶୀ ଆଦର ଯତ୍ନ ମିଳୁଛି। ଛନଛନିଆ ସବୁଜକଅଁଳ ଘାସ, ପିଡିଆ, ଗୋଖାଦ୍ଯ ସମୟ ସମୟକୁ ମିଳି ଯାଉଛି। ନିତି ପାଣି ମାରି ଗାଧୋଇ ଦେବାକୁ ଲୋକ ଅଛନ୍ତି। ଡାକ୍ତର ପ୍ରତିଦିନ ଓଜନ ଦେଖୁ ଥାଆନ୍ତି, ଔଷଧ, ଭିଟାମିନ
୍, ମିନେରାଲ ସବୁ ଥୁଆ। ପ୍ରଥମେ ଭାରି ଭଲ ଲାଗିଲା। ମଧୁ ଓ ସୁମତି ପ୍ରତି ସପ୍ତାହ ଆସି ଦେଖି ଯାଉ ଥାଆନ୍ତି। କିନ୍ତୁ ବୁଲା ଅନୁଭବ କଲା,ଏଠି ସବୁ ଥାଇ ଯେମିତି କିଛି ନାହିଁ। ହଁ, ପେଟ ପୁରାଇବା ପାଇଁ ସଂଘର୍ଷ କରିବାକୁ ପଡୁନାହିଁ, ହେଲେ ଏଠି ସ୍ବାଧୀନତା ନାହିଁ। ଭୋଜନ, ଭ୍ରମଣ, ରମଣ କୌଣସି ଥିରେ ସ୍ବାଧୀନତା ନାହିଁ। ଗୋଠ ଭିତରେ ଭଲ ସାଥୀ ଗାଈ ମାନଙ୍କ ସହ ରମଣର ଏକଚାଟିଆ ମଜା ଏଠି ନାହିଁ। ସେମିତି ମଧୁ ଓ ସୁମତିର ସରାଗ ପରି ଏଠି ଆଦର ଯତ୍ନରେ କାହାରି ଆନ୍ତରିକତା ନାହିଁ। ପେଟ ପୁରୁଛି ହେଲେ ମନ ଭୋକିଲା ରହୁଛି।
କିଛି ଦିନ ଖୋଇପେଇ ଆଦରଯତ୍ନରେ ରଖିବା ପରେ ଦିନେ କିଏ ମନ୍ତ୍ରୀ ଆସିଲେ, ବାଜା-ଗୀତ, ଭୋଜି-ଭାତ ପରେ ଫିତା କାଟିଲେ, ବୁଲା ଓ ଅନ୍ଯ ମାନଙ୍କ ଗଳାରେ ଫୁଲମାଳ ପଡି ବନ୍ଦାପନା ହେଲା, ମନ୍ତ୍ରୀଙ୍କ ହାତରୁ ଦାନା ଖାଇ ଫଟୋ ଉଠିଲା। କିଛି ଦିନ ଠିକ୍ ଠାକ୍ ଚାଲିଲା। ତା ପରେ ପରେ ବୁଲାକୁ ଲାଗିଲା ସେବାଯତ୍ନ ଯେମିତି ଧିରେ ଧିରେ କମି ଆସିଲା। ମଧୁ ଓ ସୁମତି ବି ଆସିବା ବନ୍ଦ କରିଦେଲେ। ଆଉ ଆଗଭଳି ସୁସ୍ବାଦୁ ଗୋଖାଦ୍ଯ, ଘାସ ମିଳିଲାନି କି ଚିକିତ୍ସାସେବା ଅପ୍ରାପ୍ଯ ହେବାକୁ ଲାଗିଲା। କେତେ ବେଳେ ରନ୍ଧା କୁଣ୍ଡା ନହେଲେ ଶୁଖିଲା ନଡା ଚୋବାଇବା ଛଡା ଉପାୟ ନ ଥାଏ। ଭୋକରେ ଆଉଟୁ ପାଉଟୁ ହୋଇ ଏପଟ ସେପଟ ହେଲେ ଠେଙ୍ଗାମାଡ ମିଳିବା ସାର ହେଲା। ପାଞ୍ଚ ଛଅ ମାସ ଭିତରେ ବୁଲା ଓ ଅନ୍ଯ ପଶୁ ମାନଙ୍କ ହାଡ ଗଣି ହୋଇଗଲା। ଦେଖୁ ଦେଖୁ ସରକାରଙ୍କ ଗୋଉନ୍ନୟନ ପ୍ରକଳ୍ପ ମାଟି କାମୁଡିଲା ଓ କେନ୍ଦ୍ରଟିରେ ତାଲା ଝୁଲିଲା। ଯାହା ସରକାରୀ ଅନୁଦାନ ମିଳିଲା, ତା ଉପରେ ପୁଣି ଅଫିସର ମାନଙ୍କ ଭାଗ । ଦିନସାରା ବୁଲା ଓ ଅନ୍ୟ ଷଣ୍ଢ ଭାଇ ମାନଙ୍କୁ ପାଖ ବଜାରରେ ବୁଲି ମାଗି ମାଗି ପେଟ ପୁରାଇବାକୁ ପଡିଲା। କେଉଁଠି “ଦୂର୍, ଦୂର୍” ଠେଙ୍ଗା ମାଡ ତ କେଉଁଠି ପାଣି ଛିଟିକା ମାଡ ମିଳିଲା।
ଦିନେ ହଠାତ୍ ଗୋଟିଏ ବଡ ଟ୍ରକ୍ ରେ ଅନ୍ଯ ସବୁ ଷଣ୍ଢ ଭାଇଙ୍କ ସହ ଲଦା ହୋଇ ଗୁଡାଏ ବାଟ ଗଲା ବୁଲା। ଅନେକ ବାଟ ଗଲା ପରେ ତାକୁ ଲାଗିଲା ଗୋଟିଏ ଭାରି ଗହଳି ଜାଗାକୁ ତାକୁ ଅଣା ହୋଇଛି। ତା ଭଳି ଆହୁରି ତିନି ଚାରି ଟ୍ରକ୍ ରେ ଷଣ୍ଢ ଭାଇମାନଙ୍କୁ ବି ଅଣା ହୋଇଛି। ଦିହରେ ସମୁଦ୍ର ପବନ ବାଜୁ ଥାଏ। ଦୂରରୁ ବଡ ଦେଉଳର ନେତ ଦୃଶ୍ଯମାନ ହେଲା। ମନ୍ଦିର ପାଖ, ଯା ହେଉ ଭଲ ଗଣ୍ଡିଏ ଖାଇବାକୁ ମିଳିବ। ସକାଳ ଠାରୁ ଖାଡା ଉପାସରେ ଅଛି। ଅନ୍ଯ ଷଣ୍ଢ ଭାଇ ମାନେ ନିଜ ନିଜ ଶିଙ୍ଗ କୁ ପଜାଇ ଠେଲାଠେଲି ହେବା ଆରମ୍ଭ କଲେଣି। ବାହାର କୋଳାହଳରୁ ଖୁବ୍ ଜନଗହଳି ଜଣା ପଡୁ ଥାଏ। ଆଗରୁ କେହି ଡାକବାଜୀରେ ଜୋର୍ ଚିତ୍କାର କରି କିଛି କହୁଥାଏ। ଠିକ୍ ଏହି ସମୟରେ ଟ୍ରକ୍ ଗୁଡିକର ଡାଲା ଖୋଲି ଗଲା। ସବୁ ଷଣ୍ଢ ଭାଇ ଓହ୍ଲାଇ ପଡି ଗହଳି ଦେଖି, ବାଟ ନ ପାଇ, ମାଟିକୁ ଗୋଡରେ ତାଡି, ମୁଣ୍ଡ ହଲାଇ, ଲାଞ୍ଜ ଛାଟି, ଶିଙ୍ଗ ଟେକି ଯେ ଯୁଆଡେ ଅତର୍ଛା ଦୌଡ ଆରମ୍ଭ କଲେ। ଜନତା ବିକଳରେ ଛତ୍ରଭଙ୍ଗ ଦେଲେ। ଭିଡ ଭିତରେ ପଡି ଉଠି, ଠେଲାପେଲାରେ ଲୋକ ଖଣ୍ଡିଆଖାବରା ହୋଇ ଯିଏ ଯୁଆଡେ ଭାଗିଲେ। କିଛି ଷଣ୍ଢ ଭାଇ ବି ମାଡ ଖାଇ ଜଖମ ହେଲେ। ଦଳାଚକଟାରେ ଅନେକ ଲୋକ ଆହତ ହୋଇ ଚିତ୍କାର କରିବା ଆରମ୍ଭ କଲେ।ତାହା ଷଣ୍ଢମାନଙ୍କୁ ଆହୁରି ଅଧିକ ଉତ୍ତେଜିତ କଲା।
କିଛି ଦିନ ଷଣ୍ଢମାନେ ବଡଦାଣ୍ଡ ଦଖଲ କରି ପଡି ରହିଲେ। ବୁଲାକୁ ପୁଣି ଏ ଖୋଲା ବାତାବରଣ ଭଲ ଲାଗିଲା। ପେଟ ଅପୁରା ରହିଲା ନାହିଁ। ବିସ୍ତୀର୍ଣ ବଡ ଦାଣ୍ଡ, ସମୁଦ୍ରବେଳା ବୁଲିବୁଲି ବୁଲାର ଭଲରେ ସମୟ କଟୁଥାଏ। ବୁଲା ଆଗକୁ ଦେଖିଲା। ଏବେ ଚଢିବାକୁ ଭାରି କଷ୍ଟ ହେଉଛି। ଠିକ୍ ଏହି ସମୟରେ ପଛରୁ କିଏ ଗୋଟେ ବୁଲା ଆଡକୁ ଲକ୍ଷ୍ଯ କରି ତେଣ୍ଟାଟିଏ ଫୋପାଡିଲା। ଭାଗ୍ୟକୁ ଲକ୍ଷ୍ୟ ଭ୍ରଷ୍ଟ ହୋଇ ତା ଠାରୁ ଦୂରରେ ପଡିଲା।କିନ୍ତୁ ସେଇଟା ତଳୁ ଉପରକୁ ଫୋପାଡି ଥିବାରୁ ତଳକୁ ଖସି ସେମାନଙ୍କ ଆଡକୁ ପଡିଲା ଓ ସେମାନେ କିଛି ସମୟ ଭାରସାମ୍ୟ ହରାଇଲେ। ବୁଲାର ମନେ ପଡିଲା କେମିତି ପୁରୀ ବଡ ଦାଣ୍ଡରେ ଖୋଲାରେ ଖରା ବର୍ଷା ଖାଇ ଅନ୍ଯ ଷଣ୍ଢ ଭାଇ ମାନ ଙ୍କ ସହ କିଛି ବର୍ଷ ଭଲରେ କଟି ଗଲା। କିନ୍ତୁ ସବୁବେଳେ ଭଲବେଳ ରହେ ନାହିଁ। ଷଣ୍ଢ ମାନଙ୍କ ପ୍ରାଦୁର୍ଭାବରୁ ତୀର୍ଥଯାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଜନ ସାଧାରଣରେ ଅଭିଯୋଗ ହେଲା। କିହୋ, ଏଡେ ବଡ ଦାଣ୍ଡଟାରେ ବୃଷଭଭାଇ ମାନେ ବଳ କଷାକଷି ହେବା ସ୍ବାଭାବିକ କଥା। ନିୟମିତ ବ୍ଯାୟାମ ନକଲେ ମାଂସପେଶୀ ଗୁଡା ହୁଗୁଳି ଯିବନି? ଦେଖଣାହାରୀଏ ଲଢେଇର ମଜା ବି ନିଅନ୍ତି। ଏତେ ଭିଡ ଭିତରେ ଲଢୁ ଲଢୁ କେଉଁଠି କିଏ ଟିକିଏ ଦେଖଣାହାରୀ ଜଖମ ହେବାଟା କଣ ବଡ କଥା? ହେଲେ ସରକାର କଣ ଗୋଟିଏ ପରିକ୍ରମା ପ୍ରକଳ୍ପ ଆରମ୍ଭ କଲେ ଯେ ମାଡଟା ଆଗ ବୃଷଭ କୂଳକୁ କାଳ ହେଲା।
ପୁଣି ଥରେ ବଡ ବଡ ଗାଡିରେ ଲଦା ହୋଇ ବୃଷଭ କୂଳକୁ ବଡଦାଣ୍ଡରୁ ବିଦା କରାଗଲା ଓ ବିଭିନ୍ନ ସହରକୁ ପଠାଇ ଦିଆ ଗଲା।
ଏଇମିତି ବୁଲା ଆସି ପହଞ୍ଚିଲା ଏଇ ସହରରେ। ବଡ ସହର, ହେଲେ ବଡ ଅବ୍ଯବସ୍ଥା। ଏଠି ଡଷ୍ଟବିନ ଭିତରେ ଓ ବାହାରେ ପରିତ୍ଯକ୍ତ କୁଢ କୁଢ। ତା ଭିତରୁ ପେଟେ ଖାଦ୍ଯ ମିଳିଯାଏ ବୁଲାକୁ। ତାଛଡା ହୋଟେଲ, ବିବାହ ମଣ୍ଡପ ପାଖରେ ଭୋଜିଭାତର ବଳକା ବାସି ଖାଦ୍ଯ ଗଦା। ହାଟ ବଜାର ଗୋଟେ ଚକ୍କର ମାରିଲେ ବାସି ପରିବା ଯାହାକୁ ଯେତେ। ବୁଲାର କୌଣସି ମତେ କାମ ଚଳି ଯାଉ ଥିଲା। ହେଲେ ଏବେ ୟେ କି ବିପଦ ଆସିଲା। ଜୀବନ ମରଣ ସମସ୍ଯା।
ସୂର୍ଯ୍ଯ ଅସ୍ତ ହେବାକୁ ତରତର ହେଲେଣି। ମୁହଁ ଅନ୍ଧାର। ପଛକୁ ଦେଖିବାକୁ ତର ନାହିଁ। ଅଳ୍ପ ବାଟ ରହିଲା ଉପର ରାସ୍ତା ଛୁଇଁବାକୁ। ଗାଡି ମୋଟର ର ଆଲୁଅ ଦିଶିଲାଣି। ଘୋଘା ଶବ୍ଦ ଶୁଣା ଗଲାଣି। ଧାଡି ହୋଇ ଷ୍ଟ୍ରୀଟ୍ ଲାଇଟ୍ ଜଳିବା ଆରମ୍ଭ ହେଲାଣି। କେମିତି ଉପରେ ପହଞ୍ଚିବ ବୋଲି ବୁଲା ସବୁ ଜୋର୍ ଲଗାଇଲା। ଦେହ ମୁଣ୍ଡରୁ ଗରମ ବାହାରୁଛି। କାନ ମୁଣ୍ଡ ଝାଇଁ ମାରିଗଲା, ଦେହ ଥରିଗଲା। ଶୋଷରେ ଓଠପାଟି ଫାଟି ଯାଉଥାଏ। ଗୋଡ ଠିକ୍ ଜାଗାରେ ପଡୁନାହିଁ। ପ୍ରତି କ୍ଷଣ ପଛରୁ କିଏ ଟାଣି ଧରିବା ଭଳି ଲାଗୁଛି। ପୁରା ଦେହ ଅବଶ ହୋଇ ଯାଉଛି। ପଛରୁ ଗୋଡାଉ ଥିବା ଦଳଟି ମଧ୍ୟ ପାଖ ହେଲେଣି। ସେମାନଙ୍କ “ ହୋ ହଲ୍ଲା “ ପଛରୁ ଶୁଣା ଯାଉଛି।
ଏତେ କଷ୍ଟ ପରେ ଆଉ ସେମାନଙ୍କ ପାଖରେ ହାର୍ ମାନିବାକୁ ଆଦୌ ମନ ନ ଥିଲା। ଏକ ଦୀର୍ଘ ନିଶ୍ବାସ୍ ନେଇ ନିଜକୁ ଆଗକୁ ବଢାଇଲା। ଧାର ପାଖ ହେଲାଣି। ଗୋଟାଏ ବଡ ଖେପା ନେଇ ଆଗକୁ ବଢିଲା ରାସ୍ତା ଉପରକୁ। ଠିକ୍ ସେତିକି ବେଳେ ବୁଲାର ଡାହାଣ ପାଖରୁ ଦ୍ରୁତ ଗତିରେ ଗୋଟିଏ ବଡ ଟ୍ରକ୍ ମାଡି ଆସୁ ଥାଏ। ଟ୍ରକ୍ ର ସାମନା ଆଲୁଅ ତା ଆଖି ଝଲସାଇ ଦେଲା। ଟ୍ରକ୍ ର ଶକ୍ତ ଧକ୍କା ତାକୁ କିଛି ବାଟ ଆଗକୁ ଠେଲି ନେଲା। ଟ୍ରକଟି ତାକୁ ବଞ୍ଚାଇବାକୁ ଯାଇ ହଠାତ୍ ଶକ୍ତ ବ୍ରେକ୍ ମାରିଲା। କିଛି ବାଟ ରାସ୍ତାରେ ଚକଘସି ଯାଇ ବିକଟ ଚିତ୍କାର କରି ଠିଆ ହୋଇଗଲା। କିନ୍ତୁ ପର କ୍ଷଣରେ ନିଜର ଭାରସାମ୍ଯ ରଖି ପାରିଲା ନାହିଁ ଓ ବାମ ଦିଗକୁ ଟାଣି ହୋଇ ରାସ୍ତା ତଳକୁ ଖସି ପଡିଲା।
ବୁଲା ଦେଖିଲା ସେ ଠିକ୍ ଠାକ୍ ଅଛି। ନିଜକୁ ଟିକିଏ ସଳଖି ନେଇ, ଚାରି ଗୋଡରେ ଠିଆ ହୋଇ ବାମ ପାଖକୁ ନିରେଖ ଦେଖିଲା। ସେ ଟ୍ରକଟା ତା ସହିତ ବୁଲା ପଛରେ ଗୋଡାଉ ଥିବା ଦଳକଯାକଙ୍କୁ ପୋଛି ନେଇ ତାଙ୍କରି ଉପରେ ଗଡି ପଡିଛି। ସୂର୍ଯ୍ୟ ପଶ୍ଚିମ ଆକାଶରେ ଅସ୍ତ ହେଉଛନ୍ତି। ସମ୍ପୂର୍ଣ ପଶ୍ଚିମା ଆକାଶ ଲାଲ ଦେଖା ଯାଉଥାଏ।
ବୁଲା ରାସ୍ତା ଆର ପାଖକୁ ବାଟ କାଟିଲା।