STORYMIRROR

Ashok Kumar Mishra

Abstract Drama Others

4.7  

Ashok Kumar Mishra

Abstract Drama Others

ଭୂମିକା

ଭୂମିକା

5 mins
378


 ଡାକବାଜୀ ଘନ ଘନ ପ୍ରତିଧ୍ବନୀ କରି ଘୋଷଣା କରି ଚାଲିଥିଲା ଶଂଖଶୁଭ୍ରା ଅପେରାର ନୂତନ ନାଟିକା “ଛଂଚାଣ ନେଲା ଶୁଆକୁ ଟେକି” ଆଉ ଚୁଲ୍ ବୁଲି ହଟ୍ ଓ ବୋଲ୍ଡ ନାୟିକା ମୁନ୍ନୀର ଦମଦାର ଅଭିନୟ ଏ ନାଟକର ମୁଖ୍ଯ ଆକର୍ଷଣ ବୋଲି। ସାତ ରାତି ହେଲା ଦୁଇ ଦୁଇଟା ସୋ, ତଥାପି ଏଡଭାନ୍ସ ବୁକିଂ କାଉଣ୍ଟର ଆଗରେ ସର୍ପିଳ ଲମ୍ବ ଧାଡି। ସହର ସାରା ସବୁ ଛକରେ ମୁନ୍ନୀର ବଡ ବଡ ହୋର୍ଡିଂ, ଓ ଟି ଟି ପ୍ଲାଟଫର୍ମ ରେ ଅନବରତ ଏଡଭରଟାଇଜମେଣ୍ଟ, ଗଳିକନ୍ଦି ସବୁ କାନ୍ଥରେ ତା’ର ପୋଷ୍ଟର, ସବୁ ଖବରକାଗଜରେ ତାହାରି ଆଲୋଚନା- ସମାଲୋଚନା ଆଉ କେଉଁଠି ପ୍ରଶଂସକ ଓ ନିନ୍ଦୁକ ମାନଂକର ଚା ପେ ଚର୍ଚାର ଖୋରାକ୍ । ସେ ସବୁକୁ ସେ ଖାତିର କରେ ନାହିଁ। ମୁନ୍ନୀ କହେ ଚନ୍ଦ୍ରରେ ବି ଲୋକେ କଳଂକ ଖୋଜନ୍ତି ଆଉ କେବଳ ନାମ୍ ଥିବା ବ୍ଯକ୍ତିକୁ ଜନତା ବଦନାମ୍ କରନ୍ତି। ଅଭିନୟ କରିବା ଓ ଦର୍ଶକ ମାନଂକ ଆନନ୍ଦ ଦେବା ଆମର କାମ ଆଉ ସମାଲୋଚନା କରିବା ନିନ୍ଦୁକ ମାନଂକ କାମ। ଯେଝା କାମ ଯାହାର। ରଂଗମଂଚର ରାଣୀ ସେ, ଦର୍ଶକ ମନର ସାମ୍ରାଜ୍ଞୀ। ପ୍ରଜାପତି ଭଳି ଗ୍ରୀନ୍ ରୁମ୍ ଡେଇଁ ଷ୍ଟେଜ୍ ରେ ପାଦ ଥାପିଲା କ୍ଷଣି ମୁନ୍ନୀର ମାୟା ଭରା ମାଦକତା ଦର୍ଶକଂକୁ ଘାରିଯାଏ। ବିପୁଳ କରତାଳିରେ ସେ ପୋତି ହୋଇ ଯାଏ। ଅଭିନୟର ମିଛ ମରିଚିକା ଦର୍ଶକକୁ ନେଇ ଯାଏ କେଉଁ ଅଜଣା ରାଇଜକୁ। ବିଭୋର ହୋଇ ସେମାନେ କ୍ଷଣିକ ପାଇଁ ଭୁଲିଯାଆନ୍ତି ନିଜର ବାସ୍ତବ ଅବସ୍ଥିତିକୁ, ପାସୋରି ଦିଅନ୍ତି ଜୀବନ ଯନ୍ତ୍ରଣାକୁ। ରଂଗିନ୍ ଆଲୋକ ତଳେ ସବୁ କିଛି ରଂଗିନ୍ ଦେଖାଯାଏ। ପୋଖତ ଅଭିନେତ୍ରୀ ମୁନ୍ନୀର ସଂଳାପର ଯାଦୁରେ ରଂଗମଂଚ କମ୍ପି ଉଠେ, ଷ୍ଟେଜ୍ ରେ ଧୂଳି ଉଡେ। ଦର୍ଶକମାନଂକ ମନ ପସନ୍ଦର ସୁପର ଡୁପର ଡ୍ଯାନ୍ସିଂ ଷ୍ଟାର୍ ହେଲା ମୁନ୍ନୀ। ରଂଗମଂଚରେ ନାଚି ନାଚି ସେ ଘୁରି ଗଲେ ଦର୍ଶକ ଆଖିରେ ପଲକ ପଡେ ନାହିଁ। ମୁନ୍ନୀର ଅଭିନୟ ବି ଖୁବ୍ ନିଆରା। କେଉଁ ଦିନ କାଶୀ ରାଜକନ୍ଯାର ରାଜକୀୟ ଠାଣୀ, ଆଉ କେଉଁ ଦିନ ଅବଗୁଣ୍ଠନବତୀ ସୁଶୀଳା ବୋହୁ ତୁଳସୀ, ତ କେବେ ରାଣୀ ମହୁମାଛିର ଆଦରର ନୟନତାରା, ଅବା କଲେଜ୍ କୁଇନ୍ କି ମାଫିଆ ରାଣୀ ସାଜିଯାଏ। ଷ୍ଟେଜ୍ ରେ ପାଦ ଥାପିବାର କ୍ଷଣକ ଭିତରେ ମୁନ୍ନୀ ନିଜକୁ ଭୁଲି ଚରିତ୍ର ସହ ଏକ ହୋଇଯାଏ। ପ୍ରେମିକର ବାହୁବନ୍ଧନ ରେ ବାନ୍ଧିରହି ମିଠାମିଛ ଓ ପ୍ରେମ ନିବେଦନ ହେଉ ଅବା ସହ ଅଭିନେତାଂକ ଗ୍ଲିସେରିନ୍ ଗୋଳା ଆଖିଲୁହ, ଉତ୍ତେଜିତ ବାକ୍ଯ ବାଣ, ବିଷାଦଭରା କ୍ରନ୍ଦନ, ସଂଳାପର ମଡୁଲେସନ୍ ସବୁ ତାର ଅସ୍ଥିମଜ୍ଜାଗତ ହୋଇ ଯାଇଛି। ତାକୁ ବେଳେ ବେଳେ ଲାଗେ ଜୀବନଟା ଯେମିତି ଅନେକ ଗୁଡିଏ ଅଭିନୟର ସମଷ୍ଟି।    

 ସହ କଳାକାର ମାନେ ଗ୍ରୀନ୍ ରୁମ୍ ରେ ଗହଳି ଜମାଇବା ଆରମ୍ଭ କଲେଣି। ମୁନ୍ନୀର ଆଜି କେଉଁଥିରେ ମନଲାଗୁନାହିଁ।କିଛି ଗୋଟିଏ ଚିନ୍ତା ତାକୁ ବିବଶ କରୁଛି। ନିଜେ ପସନ୍ଦ କରି ମୁନ୍ନୀ ଏ ପେଷାରେ ପାଦ ଥାପିନି। ତାକୁ ଲାଗେ ତାର ଜନ୍ମ ଯେମିତି ଅଭିନୟ ପାଇଁ। ଅଭିନୟ ବାହାରେ ଦୁନିଆ ସେ କଳ୍ପନା କରି ଶିଖିନି। ମାଆ ନଳିନୀ ତା ସମୟର ସଫଳ ପେଷାଦାର ଅଭିନେତ୍ରୀ। ଅଭିନୟର ନିଶା ମାଆକୁ ଟାଣି ନେଇଥିଲା ଥିଏଟର ଦୁନିଆକୁ। ଅଭିନୟ କଳାର ପ୍ରେମରେ ପଡି ନିଜ ପସନ୍ଦର ପେଷାକୁ ଆପଣେଇ ଥିଲା ମାଆ। ସେଇଠି ତାର ପ୍ରେମସମ୍ପର୍କ ଗଢିଉଠେ ଆଲୋକ ସହିତ।ସେତେବେଳେ ଆଲୋକ ଜଣେ ଆଗ ଧାଡିର ପ୍ରତିଷ୍ଠିତ  କଳାକାର। ଆଲୋକ ଥିଏଟର ବାହାରେ ସିନେ- ବିଜ୍ଞାପନ ଓ ମଡେଲିଂ ପାଇଁ କାମ କରନ୍ତି। ବିବାହ ବନ୍ଧନରେ ବାନ୍ଧି ହେଲା ପରେ ନଳିନୀ ଓ ଆଲୋକ ମିଶି ଅନେକ ସ୍ବପ୍ନ ଦେଖନ୍ତି। କିନ୍ତୁ ଉଚ୍ଚାଭିଳାସୀ ଆଲୋକର ବଦ୍ ଖର୍ଚ୍ଚ ଆୟର ପରିସୀମା ମାନେ ନାହିଁ। ବିଦେଶୀ ମଦ ଓ ଅନବରତ ଧୂମପାନ ପାଖରେ ଆୟ ସବୁବେଳେ କମ୍ ପଡେ। ସେ କୁହେ କୁଆଡେ ସିଗାରେଟ୍ ଓ ପାନୀୟ ତାର ଅଭିନୟ କୁ ବଳିଷ୍ଠ କରି ଗଢିବାରେ ସାହାଯ୍ଯ କରେ। ସେଇଠୁ ଆରମ୍ଭ ହୁଏ ପାରିବାରିକ କଳହ ଆଉ ମୁନ୍ନୀର ଜନ୍ମ ପରେ ପାରିବାରିକ କଳହ ପାରିବାରିକ ହିଂସାର ରୂପ ନିଏ। ପ୍ରତି ରାତିରେ ନିଶାସକ୍ତ ଆଲୋକ ର ମାଡ ଗାଳି ଅତ୍ଯାଚାର ସହିବାର ସବୁ ସୀମା ଟପିଯାଏ। ବିବାହର ତିନି ବର୍ଷ ପରେ ଏକ ଯାତ୍ରା କମ୍ପାନୀ ର ମାଲିକ ହେମନ୍ତ ସରକାର ନଳିନୀ ମୁଣ୍ଡରେ ସିନ୍ଦୁର ଦେଇ ନେଇଯାଏ, ସାଂଗରେ ଦୁଇ ବର୍ଷର ମୁନ୍ନୀ। ମୁନ୍ନୀ ହେମନ୍ତକୁ ବାବା ବୋଲି ଡାକେ।ହେମନ୍ତ ମୁନ୍ନୀକୁ ଖୁବ୍ ସ୍ନେହ କରେ। ପାଠ ପଢା ସାଂଗକୁ ଡାନ୍ସ ମାଷ୍ଟର ଆସି ତାକୁ ନାଚ ଶିଖାଏ। ହେମନ୍ତ ର ହାରେମ୍ ରେ ନଳିନୀ ଭଳି ଆହୁରି କେତେ ଅଭିନେତ୍ରୀ ବି ଥାଆନ୍ତି, ହେମନ୍ତ ସମସ୍ତଂକର କଥାବୁଝେ, ହେଲେ ନଳିନୀ କଥା ଅଲଗା। ଯାତ୍ରା କମ୍ପାନୀର ପ୍ରମୁଖ ହରୋଇନ୍ ବନିଯାଏ ନଳିନୀ। ହେମନ୍ତ କଥାକୁ ଏଡାଇ ନ ପାରି ମୁନ୍ନୀ ପ୍ରଥମେ ଶିଶୁ କଳାକାର ଓ ଧିରେ ଧିରେ ଡାନ୍ସ କୁଇନ୍ ବନିଯାଏ। ସବୁ କିଛି ଠିକ୍ ଥିଲା ବାବା ହେମନ୍ତ ଠିକ୍ ଥିବା ପର୍ଯ୍ଯନ୍ତ। ହେମନ୍ତର ଅକ୍ଳାନ୍ତ ପରିଶ୍ରମ, ପରିଚାଳନା ନିର୍ବାହ କ୍ଷମତା ଓ ସମ୍ବେଦନଶୀଳତା ତାର ଯାତ୍ରା କମ୍ପାନୀ କୁ ଏତେ ବ୍ଯାବସାୟିକ ସଫଳତା ଆଣି ଦେଇଥିଲା। ଠିକ୍ ହେମନ୍ତର ରକ୍ତ

କର୍କଟ ଚିହ୍ନଟ ବେଳକୁ ଯାତ୍ରା କମ୍ପାନୀ ର ମାନ୍ଦା ବ୍ଯବସାୟ। ପୁଅ ଗୁଡିକ ଅପାରଗ, ଦିନ ରାତି ମଦ ହେରୋଇନ୍ ନିଶାରେ ବୁଡି ରହିଥାନ୍ତି। ଅନେକ ନାମୀ କଳାକାର ଛାଡି ଚାଲିଗଲେ। ଚିକିତ୍ସାର ବୋଝ ବଢି ଚାଲିଲା। କଟି ଯାଇଥିବା ଗୁଡି ଭଳି ହେମନ୍ତ ଓ ଯାତ୍ରା କମ୍ପାନୀର ତଳକୁ ତଳକୁ ଅବକ୍ଷୟ ବାଧ୍ୟ କଲା ମୁନ୍ନୀ ଆଉ ନଳିନୀକୁ ଅନ୍ୟ ସାହାରା ଖୋଜିବା ପାଇଁ। ୟା ଭିତରେ କେତେ ଦଳ ଛାଡି ଏଇ ଶଂଖଶୁଭ୍ରା ପର୍ଯ୍ୟନ୍ତ ଯାତ୍ରା। “ଆଜି କଣ ଏତେ ବେଳ ହେଲା ମେକ୍ ଅପ୍ ନେଇ ନାହୁଁ? ତୁ ତ ସବୁବେଳେ ଜଲଦି ରେଡି ହେଉ, କଣ ହୋଇଛି ଆଜି?” ପ୍ରଶ୍ନ କଲା ପିଂକି।                                       “ ସେମିତି କିଛି ନୁହେଁ” କହି ଚୁପ୍ ରହିଲା ମୁନ୍ନୀ              

ଦବି ରହିଥିବା ଅନେକ ଯନ୍ତ୍ରଣା ଓ ଅକୁହା ବ୍ୟଥା ତାକୁ        

ଅଣନିଶ୍ବାସ କରିଛି। ଦୀର୍ଘଶ୍ବାସର କୋକେଇ କୁ ମୁଣ୍ଡେଇ ସେ କାହା ପାଖକୁ ଯିବ। କିଏ ତାର ଆପଣାର ଅଛି ଯେ ସାହାରା ଦେବ? ଏଇ ପେଟ ଖଣ୍ଡକ ପାଇଁ କେତେ ନାଟ? ନଳିନୀ ର ବୟସ ବଢିଲାଣି। ଦେଖଣାହାରିଏ ବଦଳି ଗଲେଣି। ତାର ଅଭିନୟ ଆଉ ଦର୍ଶକଂକୁ ଆକର୍ଷଣ କରି ପାରୁ ନାହିଁ। କେବେ କେମିତି କ୍ବଚିତ୍ ରୋଲ୍ ମିଳେ ନଳିନୀକୁ। କୌଣସି କାରଣରୁ କାନକୁ ବହୁତ୍ କମ୍ ଶୁଣା ଯାଉଛି। ସହ କଳାକାର ର ସଂଳାପ କେବେ ଶେଷ ହେଲା ସେ ଜାଣି ପାରୁନାହିଁ। ଯାଯାବର ଭଳି ବୁଲିବୁଲି ଘର କଥା କେବେ ସେ ଭାବି ନଥିଲା। ଏବେ ମୁଣ୍ଡକୁ ଛାତଟିଏ ନାହିଁ। ମୁନ୍ନୀ ଛୋଟ ଘରଟିଏ ମାଆ ପାଇଁ ଭଡାରେ ନେଇଛି। ନଳିନୀ ଦିନସାରା ଲୁଣିଖିଆ କାନ୍ଥକୁ ଅନାଇ ରହି ପୂର୍ବ କଥା ମନେ ପକାଏ। ମୁନ୍ନୀକୁ ରାତିସାରା ଅପେକ୍ଷା କରି ବସେ।                               

ପିଂକି ପୁଣି ଆସି ମନେ ପକାଇଲା “ସେତେବେଳ ଠାରୁ ଏଇଠି ବସିଛୁ। ଆଜି ଷ୍ଟେଜ୍ କୁ ଯିବୁନିକି?” ଡାଇରେକ୍ଟରଂକ କାନକୁ କଥା ଗଲାଣି ଯେ ମୁନ୍ନୀ ଏ ଯାଏଁ ମେକ୍ ଅପ୍ ନେଇନି ବୋଲି କୈଶୋର ଜୀବନ ଠାରୁ ଅନେକ ମୁନ୍ନୀ ପ୍ରତି ଆକର୍ଷିତ ହେଇଛନ୍ତି। ତାର ଭରା ଯୌବନର ସ୍ବାଦ ଚାଖିବାକୁ ଅନେକ ପ୍ରେମ ନିବେଦନ। ମୁନ୍ନୀ ଦେଖୁଛି ସବୁଆଡେ ଅଶେଷ ଭୋକ ଆଉ ଯୁଗ ଯୁଗର ତୃଷ୍ଣା, ଜଂଗଲ ନିଆଁ ଭଳି ଜଳୁଛି। ଯେଉଁଠି ଦେଖିଲେ କାଗଜ ଫୁଲ ପରି କୃତ୍ରିମତା ଓ ପ୍ରେମର ଭଂଗା ପ୍ରତିଶ୍ରୁତି। ପଲ ପଲ ଶାଗୁଣା ଯେମିତି ଟାକି ରହିଛନ୍ତି ସୁଯୋଗ ଅପେକ୍ଷାରେ। ମୁନ୍ନୀ ଭାବୁଛି ଆଜି ସେ ରଂଗମଂଚରେ ଅଭିନୟ କରି ପାରିବ କି ନାହିଁ। ସେ ନିଜକୁ ଖୁବ୍ ଅସହାୟ ମନେ କରୁଛି। ସେ ତାର ମନର ମଣିଷ ଅଭିନେତା ବଲ୍ଲଭ ପାଖକୁ ଯିବ, ଆଉ ତାକୁ କହିଦେବ ତାର ପ୍ରେମ ଅଭିନୟ ନୁହେଁ, ତରବାରୀ ଯୁଦ୍ଧ ପରି ମିଛ ନୁହେଁ, ଓଠର ହସ ବା ଆଖିର ଲୁହ ଭଳି କୃତ୍ରିମ ନୁହେଁ। ବଲ୍ଲଭ ଯେତେବେଳେ ମଂଚ ଉପରେ ତାକୁ ବାହୁରେ ଆବଦ୍ଧ ରଖି ଘୋଷା ଡାଇଲଗ୍ କହି ଚାଲନ୍ତି ତା’ର ଇଚ୍ଛା ହୁଏ ନିବିଢତା ତାକୁ ଆହୁରି ପାଖକୁ ନେଇ ଆସୁ ଓ ବଲ୍ଲଭର ମୁହଁକୁ ସେ ଅପଲକ ଚାହିଁ ରହିଥାଉ। ନିଜ ଭିତରେ ମୁନ୍ନୀ ଅଠର ବର୍ଷ ତଳର ନଳିନୀ କୁ ଅନୁଭବ କଲ। ବଲ୍ଲଭ ଆଉ ଆଲୋକ ଭଳି ହେବେ ନାହିଁ ତ?         ଡାଇରେକ୍ଟର ମେସେଜ୍ କଲେଣି ମୁନ୍ନୀ ମେକଅପ୍ ରେଡି ହେଲାଣି କି ନାହିଁ? ସୋ ର ପ୍ରାରମ୍ଭିକ ବାଦ୍ୟଯନ୍ତ୍ରଗାନ ଶୁଣା ଗଲାଣି। ତରତରରେ ମେକ୍ଅପ୍ ରୁମ୍ କୁ ଗଲା ମୁନ୍ନୀ। ଡାଇରେଜ୍ଟର ଆସି ପହଂଚିବା ବେଳକୁ ମୁନ୍ନୀ ରେଡି। କିନ୍ତୁ ମୁନ୍ନୀକୁ ଅନୁଭବ ହେଉଛି ଯେମିତି ଗ୍ରୀନ୍ ରୁମ୍ ଠାରୁ ରଂଗମଂଚ ର ଦୂରତା ହଠାତ୍ ବଢି ଯାଉଛି, ରଂଗୀନ୍ ଆଲୋକ ସବୁ ଉଭେଇ ଯାଉଛି, ତାର ପାଦ ଭାରୀ ହୋଇ ଯାଉଛି, ମୁଣ୍ଡ ଘୁରି ଯାଉଛି ଓ ପାଦ ତଳ ମାଟି ଖସି ଯାଉଛି। ବଲ୍ଲଭ ଆସି ପଚାରିଲେ “କଣ ରେଡି ତ?” ଛୋଟ” ହଁ “ ଟିଏ କରି ମୁଣ୍ଡ ହଲାଇଲା ଓ ପର କ୍ଷଣରେ ଷ୍ଟେଜ୍ ଉପରେ ଉଭୟ ପହଂଚି ଗଲେ। କ୍ଷଣିକ ପାଇଁ ଫ୍ରିଜ୍ ହୋଇ ଗଲା ମୁନ୍ନୀ, ଆଉ ପର ମୁହୂର୍ତ୍ତରେ ତା’ ର ସଂଳାପର ଧାରା ସମସ୍ତଂକୁ ସ୍ତବ୍ଧ କରିଦେଲା। ଦର୍ଶକ କରତାଳିରେ ପୋତି ପକାଇଲେ। ମୁନ୍ନୀ ଜାଣିବାକୁ ଚେଷ୍ଟା କଲା ଦର୍ଶକ ମାନେ ନାଟ୍ଯକାରର ଦର୍ଶନ ସହ ଏକମତ ପ୍ରଦର୍ଶନ କରୁଛନ୍ତି ଅବା ନାଟକ ପରିଚାଳନାର ସମ୍ପୂର୍ଣ୍ଣତା ପସନ୍ଦ କରୁଛନ୍ତି କି ତାର ଅଭିନୟ କଳାର ପ୍ରଶଂସା କରୁଛନ୍ତି।                


Rate this content
Log in

Similar oriya story from Abstract