କାହାର ଛାଇ
କାହାର ଛାଇ
(Inspired by a story told by Gautam Buddha to his disciples. Naturally the incidence predates Buddha. ).
ଝିଟିପିଟିଟାଏ କାଶୀ ନରେଶ ବ୍ରହ୍ମଦତ୍ତଙ୍କ ରାଜନବରର ଶୟନକକ୍ଷର ସୁସଜ୍ଜିତ କାନ୍ଥର ସୁବର୍ଣ ପ୍ରଲେପ ଉପରେ ଅତି ସନ୍ତର୍ପଣରେ ପାଦ ଥାପି ଥାପି ଆଗକୁ ବଢି ଚାଲିଥାଏ। ଆଉ ମଝିରେ ମଝିରେ ନିରବତା ଚିରି “ଖିଟ୍” “ଖିଟ୍” ଶବ୍ଦ କରି ସାଥୀ ମାନଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରୁଥାଏ। ଶୟନକକ୍ଷର ସୁଉଚ୍ଚ ବାତାୟନ ଦେଇ ରାଜୋଦ୍ଯାନର ପଦ୍ମ ପୁଷ୍କରରୁ ସୁଗନ୍ଧଭରା ଶୀତଳ ସମୀର ବହି ଆସୁଥାଏ। ଚନ୍ଦନଓ ଅଗୁରୁ ଧୂପ ସହ ମିଶି ଏକ ଅନୁପମ ସୁଗନ୍ଧରେ ଶୟନକକ୍ଷ ଭରି ରହିଥାଏ। ମହମ ମସାଲର ଆଲୋକଶିଖାଟିଏ ଅଙ୍ଗରକ୍ଷୀ ଆଣି ଲଗାଇ ଦେଇଥିଲା। ସେ ରାତି ସାରା ଜଳି ଜଳି ମରି ଆସିଲାଣି। ମଶାଲର କ୍ଷୀଣ ଆଲୋକ ବ୍ୟତୀତ ବାତାୟନ ଦେଇ ଚନ୍ଦ୍ରାଲୋକରେ କକ୍ଷଟି ବେଶ୍ ଆଲୋକିତ। ସାରା ଆକାଶ ତାରାମୟ। ନୀରବ ନିସ୍ତବ୍ଧ କାଶୀ ରାଜଧାନୀ। ସମୀପରେ ଗଜଦନ୍ତ ପଲଙ୍କରେ ନିଦ୍ରାଗତା ପାଟରାଣୀ ରତ୍ନପ୍ରଭା। ହେଲେ କାଶୀରାଜ ବ୍ରହ୍ମଦତ୍ତଙ୍କ ଆଖିରୁ କିଏ ଯେମିତି ସବୁ ନିଦ ଚୋରାଇ ନେଇଛି। ସାରା ରାତି କଡ ଲେଉଟାଇ ବିଛଣା ଉପରେ ଏପଟ ସେପଟ ହେଉଥାଆନ୍ତି। କେତେବେଳୁଁ ଶୟନକକ୍ଷର ସୁଉଚ୍ଚ କଡି ବରଗା ଛାତଟାକୁ ମଟମଟ କରି ଚାହିଁ ରହିଥାଆନ୍ତି। ଝିଟିପିଟିର ଶବ୍ଦ ଶୁଣି ସେପଟକୁ ଦୃଷ୍ଟି ଫେରାଇଲେ। କାଶୀରାଜ ଯେ ଭୟଙ୍କର ଚିନ୍ତାଗ୍ରସ୍ତ ତାଙ୍କ କୁଞ୍ଚିତ କପାଳରୁ ସ୍ପଷ୍ଟ ବାରିହେଉ ଥାଏ। ଅନିଦ୍ରାଜନିତ ଚକ୍ଷୁ ଯୁଗଳ ରକ୍ତବର୍ଣା ଓ ସେଥିରେ ଭୟ ଓ ଆତଙ୍କର ଚିହ୍ନ ସ୍ପଷ୍ଟ ବାରି ହେଉଥାଏ।
ହଠାତ୍ ବ୍ରହ୍ମଦତ୍ତଙ୍କୁ ଲାଗିଲା କେହି ଜଣେ ବାହାର ବାରଣ୍ଡାରୁ ତାଙ୍କ ଶୟନ କକ୍ଷ ମଧ୍ଯକୁ ଉଙ୍କି ମାରୁଛି। ପର୍ବତ ଶିଖରରେ କାଶୀ ରାଜଧାନୀ, ଘନ ଜଂଗଲବେଷ୍ଟିତ ରାଜଗଡ। ରାଜ ପ୍ରାସାଦର ଗଡଖାଇ ହିଂସ୍ର ସରୀସୃପପୂର୍ଣ। ତାପରେ ରାଜ ପ୍ରାସାଦର ସୁଉଚ୍ଚ ପ୍ରାଚୀର ଏବଂ ପ୍ରାଚୀରର କୋଣେ କୋଣେ ବଛା ବଛା ଜାଗ୍ରତ ସୈନିକ ଓ ଶହ ଶହ ତୀରନ୍ଦାଜ ଦିବାରାତ୍ର ବର୍ତ୍ତବ୍ଯରତ। ଜାଗା ଜାଗା ନିଆଁହୁଳା ମସାଲ। ଗଡର ସିଂହଦ୍ବାରରେ ବିଶାଳକାୟ ମୁଖ୍ଯ ଲୌହ ଦରଓ୍ବାଜା। ମାଛିଟିଏ ପଡିଲେ ସପ୍ତ ଖଣ୍ଡ। ରାଜ ଉଆସ ଚତୁର୍ଦ୍ଦିଗେ ଦଣ୍ଡୁଆସୀ ଓ ଅଙ୍ଗରକ୍ଷୀ।
ବ୍ରହ୍ମଦତ୍ତ କିନ୍ତୁ ନିଶ୍ଚିତ ଯେ କେହି ଜଣେ ରାଜନବରର ସୁଦୀର୍ଘ ବାରଣ୍ଡାରେ ଛାଇଟିଏ ଭଳି ଏପଟ ସେପଟ ହେଉଛି। ଆଉ ଟିକିଏ ସତର୍କ ହୋଇ ବ୍ରହ୍ମଦତ୍ତ କାନ ପାରିଲେ। ହଁ, ସେ କାହାର ଧୀର ପଦଧ୍ବନୀ ମଧ୍ଯ ଶୁଣି ପାରୁଛନ୍ତି। ସେ କିଏ ହୋଇପାରେ? ଏତେ ନିରାପତ୍ତା ବନ୍ଦୋବସ୍ତ ସତ୍ତ୍ବେ ସେ ଗଡ ଭିତରେ କେମିତି ପ୍ରବେଶ କରିବାକୁ ସକ୍ଷମ ହେଲା? ପୁଣି ସିଧା ସିଧା ରାଜ ଅନ୍ତପୁରରେ ପହଞ୍ଚି ତାଙ୍କ ଶୟନକକ୍ଷ ପାଖରେ ତାଙ୍କୁ ଉଙ୍କି ମାରୁଛି। ଏତେ ଅଶ୍ବାରୋହୀ ପ୍ରହରୀ, ତୀରନ୍ଦାଜ, ଅଙ୍ଗରକ୍ଷୀ ମାନଙ୍କ ସୁରକ୍ଷା ବଳୟକୁ ଭେଦ କରି କିଏ ଆସିବାକୁ ସକ୍ଷମ ହେଲା? କଣ ତା’ର ଉଦ୍ଦେଶ୍ୟ? ନିଶ୍ଚୟ ସେ ତାଙ୍କୁ ହତ୍ଯା କରିବାକୁ ଆସିଛି। ହେଲେ କିଏ ଏହି ଆତତାୟୀ ? କାହିଁକି ତାଙ୍କ ପ୍ରାଣ ନେବା ପାଇଁ ଆସିଛି? ସେ ଭଲ କରି ଦେଖିବାକୁ ଚେଷ୍ଟା କଲେ। ସମସ୍ତ ସୁରକ୍ଷା ବନ୍ଦୋବସ୍ତ ଅତିକ୍ରମ କରି ଆଗନ୍ତୁକ ଆତତାୟୀ ନିଶ୍ଚୟ ତାଙ୍କ ପ୍ରାଣ ନେବା ପାଇଁ କୌଣସି ମାରାତ୍ମକ ଅସ୍ତ୍ର ଗୁପ୍ତରେ ନେଇ ଆସିଥିବ। ସେ ଭଲ କରି ନଜର ପକାଇଲେ। ହଁ, ଆତତାୟୀର ଛାଇ ସତର୍କତାର ସହ ଏପଟ ସେପଟ ଗତି କରୁଛି। ଆଉ ବୋଧହୁଏ ତା ହାତରେ ଏକ ଲମ୍ବ ତରବାରୀ, ତାଙ୍କ ପ୍ରାଣ ନେବା ପାଇଁ ଉନ୍ମୁକ୍ତ ହୋଇ ଅପେକ୍ଷା କରିଛି। ସେ ଏବେ କଣ କରିବା ଉଚିତ ହେବ? ନିଜ ତରବାରୀକୁ କୋଷ ମୁକ୍ତ କରି ଆଗନ୍ତୁକ ଆତତାୟୀ ଆଡକୁ ଝପଟି ଯିବେ, ଅବା ଲୁଚି ରହି ତା ଗତିବିଧିକୁ ଲକ୍ଷ୍ଯ କରି ସୁଯୋଗ ଅପେକ୍ଷାରେ ରହିବେ? ଅବା ସୁରକ୍ଷା ପ୍ରହରୀ ଓ ଅଙ୍ଗରକ୍ଷୀଙ୍କୁ ଆତତାୟୀର ଉପସ୍ଥିତିର ସୂଚନା ଦେବେ? ପାଟି ଶୁଣି ଆତତାୟୀ ଖସି ପଳାଇବାକୁ ସକ୍ଷମ ହେବ ନାହିଁ ତ? ଅବା ନିଜର ସୁରକ୍ଷା ପାଇଁ ତାଙ୍କ ଉପରେ ଘାତକ ପ୍ରହାର କରିବ ନାହିଁ ତ? କିଛି ସ୍ଥିର କରି ନ ପାରି ସେ ଚାପା ଗଳାରେ ରାଣୀ ରତ୍ନପ୍ରଭାଙ୍କୁ ସୂଚନା ଦେବାକୁ ଚେଷ୍ଟା କଲେ ଯେ କେହି ଜଣେ ଅସିଧାରୀ ଆତତାୟୀ ତାଙ୍କୁ ହତ୍ୟା କରିବାକୁ ଆସିଛି। ଆତତାୟୀ ତାଙ୍କ ବାରଣ୍ଡା ପାଖରେ ଅତି ସନ୍ତର୍ପଣ ସହ ଆତଯାତ ହେଉଥିବା ସେ ଦେଖି ପାରୁଛନ୍ତି। ହାତରେ ତା’ର ଖୋଲା ତରବାରୀ ସେ ସ୍ପଷ୍ଟ ଦେଖି ପାରୁଛନ୍ତି।
“ ତାକୁ ଦେଖି ପାରୁଛ ତ ରତ୍ନପ୍ରଭା? ତା ପଦଶବ୍ଦ ଶୁଣି ପାରୁଛ?” “କାହିଁ, କେହି ନାହିଁ ତ, କିଛି ସୋର୍ ଶବ୍ଦ ଶୁଣା ଯାଉ ନାହିଁ। ଏ ଆପଣଙ୍କ ମନର ଭ୍ରମ। ଏଥରକୁ ମିଶାଇ ଆପଣ ରାତିରେ ଚାରି ଥର ଉଠିଲେଣି। ସବୁଥର ସେହି ଏକା କଥା। ସବୁ ରାତ୍ରୀରେ ସେହି ଏକା ଅଭିଯୋଗ। ବାହାରେ କେହି ଆତତାୟୀ ଆପଣଙ୍କ ଜୀବନ ନେବା ପାଇଁ ଛକି ବସିଛି। କିଛି ସମୟ ପରେ ରାତି ପାହିଯିବ। ରାଜବୈଦ୍ଯ ଆସି ଆପଣଙ୍କୁ ପରୀକ୍ଷା କରିବେ ଓ ଚିକିତ୍ସା କରିବେ।”
“ଆରେ, କି ଆଶ୍ଚର୍ଯ୍ଯ କଥା। ମୋର କଣ ହୋଇଛି ଯେ ରାଜବୈଦ୍ଯ ଆସି ମୋର ପରୀକ୍ଷା କରିବେ? ତୁମେ କଣ ଆଗନ୍ତୁକ ଆତତାୟୀର ଆତଯାତ ହେବା ଦେଖି ପାରୁନାହଁ ଅବା ତା ପଦଧ୍ବନୀ ଶୁଣି ପାରୁନାହଁ? ଏହା କଣ ତୁମକୁ କଳ୍ପନା ଭଳି ଲାଗୁଛି? ମୋତେ ବିଶ୍ବାସ କର। ନିଶ୍ଚିତ କେହି ଜଣେ ଆତତାୟୀ ଆମକୁ ହତ୍ଯା କରିବାକୁ ଛପି ବସିଛି।”
କାଶୀରାଜ ବ୍ରହ୍ମଦତ୍ତ ଙ୍କର ସବୁଠାରୁ ବଡ ଶତ୍ରୁ ଥିଲେ କୋଶଳରାଜ ଦୀର୍ଘେତି। କାଶୀ ଓ କୋଶଳ ଥିଲେ ଚିରକାଳ ଧରି ପରସ୍ପରର ଶତ୍ରୁ। ଏ ଶତ୍ରୁତା ଅନେକ ଦିନରୁ ରହି ଆସିଥିଲା। ଦୀର୍ଘେତି ବଞ୍ଚିଥିବା ପର୍ଯ୍ୟନ୍ତ କାଶୀରାଜ ଙ୍କର ଜୀବନ ଅସୁରକ୍ଷିତ ଥିଲା। ବାରମ୍ବାର କାଶୀ ରାଜ୍ଯ ଆକ୍ରମଣ କରି କୋଶଳରାଜ ଦୀର୍ଘେତି ତାଙ୍କର ସାମ୍ରାଜ୍ଯ ବିସ୍ତାର କରିବାକୁ ସର୍ବଦା ଚେଷ୍ଟାରତ ଥିଲେ। କିନ୍ତୁ ଯୁଦ୍ଧ, ରାଜ୍ଯଜୟ, ଦିଗ୍ ବିଜୟ ଯାତ୍ରା ପ୍ରତ୍ଯେକ କ୍ଷଚ୍ରିୟର ଧର୍ମ। ରାଜ୍ଯର ସୀମାରକ୍ଷା କରିବା, ପ୍ରଜା ମାନଙ୍କୁ ସୁରକ୍ଷା ଦେବା ଓ ରାଜ୍ଯସୀମା ବୃଦ୍ଧି କରିବା ପ୍ରତ୍ଯେକ ରାଜାର ରାଜଧର୍ମ ଓ କର୍ତ୍ତବ୍ଯ, ପୌରୁଷ ଓ ସାମର୍ଥ୍ଯର ପ୍ରତୀକ। ତେଣୁ କାଶୀରାଜ୍ଯ ଆକ୍ରମଣ କରି କୋଶଳରାଜ ଦୀର୍ଘେତି କୌଣସି ଭୁଲ୍ କରି ନାହାନ୍ତି। ବରଂ କୋଶଳ ନରେଶ କେବଳ ତାଙ୍କ ରାଜଧର୍ମ ପାଳନ କରିବାକୁ ଚେଷ୍ଟା କରିଛନ୍ତି। ବହୁବାର ପ୍ରୟାସ କରି କୋଶଳରାଜ ଦୀର୍ଘେତି କାଶୀ ଜୟ କରି ପାରି ନଥିଲେ। ବ୍ରହ୍ମଦତ୍ତଙ୍କ ପୂର୍ବରୁ ମଧ୍ୟ ଅନେକ ଥର କାଶୀରାଜାମାନେ କୋଶଳ ଉପରେ ଆକ୍ରମଣ କରି ରାଜ୍ଯସୀମା ବୃଦ୍ଧିର ବିଫଳ ପ୍ରୟାସ କରିଛନ୍ତି। ଶେଷରେ ବହୁଦିନ ଯୁଦ୍ଧ ଲାଗି ରହିବା ପରେ କାଶୀରାଜ ବ୍ରହ୍ମଦତ୍ତ ଯୁଦ୍ଧରେ କୋଶଳ ରାଜ୍ଯକୁ ପରାଜିତ କରିବାରେ ସଫଳ ହେଲେ। କୋଶଳ ରାଜ୍ଯ କାଶୀର ଅଧିକାରକୁ ଆସିଲା ଓ କୋଶଳ ନରେଶ ଦୀର୍ଘେତି ନିଜ ରାଜ୍ଯ ଛାଡି ଚାଲି ଯିବାକୁ ବାଧ୍ଯ ହେଲେ। ତାଙ୍କ ମୃତ୍ୟୁକୁ ପ୍ରାୟ ଦୁଇ ଦଶନ୍ଧି ହେଲାଣି। ଏବେ ତ କାଶୀରାଜ ସମ୍ପୂର୍ଣ ନିରାପଦ। ତେଣୁ ଏ ଜୀବନହାନି ଭୟ ନିରର୍ଥକ ଓ ଆପଣଙ୍କ ଭଳି ବୀର ପାଇଁ ଏହା ଅଶୋଭନୀୟ, ବୁଝାଇଲେ ରାଣୀ ରତ୍ନପ୍ରଭା।
“ତାହା ଠିକ୍, ରାଣୀ ରତ୍ନପ୍ରଭା। କିନ୍ତୁ ତୁମେ ତ ଜାଣ, କାଶୀ ରାଜ୍ଯଜୟ ବୀରୋଚିତ ଯୁଦ୍ଧଜୟ ନ ଥିଲା। ବରଂ ତାହା ଛନ୍ଦ କପଟର ଜୟ ଥିଲା। ଯୁଦ୍ଧକ୍ଷେତ୍ରରେ କୋଶଳ ନରେଶଙ୍କର ଜୟ ନିଶ୍ଚିତ ଥିଲା, ମାତ୍ର ଉତ୍କୋଚ ଦେଇ ଓ ରାଜପଦ ଲୋଭ ଦେଖାଇ ଛଳ କୌଶଳରେ ଶତ୍ରୁପକ୍ଷର ସେନାପତି ଦୁର୍ଜୟଙ୍କୁ ମୁଁ ହାତ କରି ନେବାରୁ ସେ ସୈନିକ ମାନଙ୍କ ସହ ଠିକଣା ସମୟରେ ଅସ୍ତ୍ରତ୍ଯାଗ କରିଥିଲେ ଓ କୋଶଳ ନରେଶ ଦୀର୍ଘେତି ଙ୍କୁ ପରାଜୟର ସ୍ବାଦ ଚାଖିବାକୁ ପଡିଲା । ସେ ସସ୍ତ୍ରୀକ ଶିଶୁପୁତ୍ର ଦୀର୍ଘାୟୁ ସହିତ ଦେଶ ତ୍ଯାଗକରି ଛଦ୍ମ ବେଶରେ ବହୁକାଳ ଆତ୍ମଗୋପନ କରିବାକୁ ବାଧ୍ଯ ହେଲେ।”
“ଆଉ ସେ ପୁରୁଣା କଥା ମନେ ପକାଇ ଲାଭ କଣ? ତା ଛଡା ଯୁଦ୍ଧକ୍ଷେତ୍ରରେ ନ୍ଯାୟ ଅନ୍ଯାୟ ବିଚାର କରି ପନ୍ଥା ନିରୂପଣ କରା ଯାଇ ନ ଥାଏ। ଛଳ, ବଳ, କୌଶଳ ସବୁ କିଛି ଉପଯୋଗ କରି ଯୁଦ୍ଧଜୟୀ ରଣ କୌଶଳ ଆପଣେଇବା ବୁଦ୍ଧିମାନ ଯୋଦ୍ଧାର କର୍ତ୍ତବ୍ଯ। ରାତି ସରିବାକୁ ବସିଲାଣି। ଆପଣ ଟିକେ ବିଶ୍ରାମ କରନ୍ତୁ।” ବ୍ଯସ୍ତ ହୋଇ କହିଲେ ରାଣୀ ରତ୍ନପ୍ରଭା।
"ବିଶ୍ରାମର କୌଣସି ପ୍ରୟୋଜନ ନାହିଁ। ମୁଁ ବୁଝି ପାରୁନାହିଁ ଯେଉଁ ଆତତାୟୀକୁ ଅସ୍ତ୍ରସହ ମୁଁ ସ୍ପଷ୍ଟ ଦେଖି ପାରୁଛି ସେ କିପରି ରାଜନବରର ଶୟନ କକ୍ଷ ପହଞ୍ଚି ପାରିଲା ଓ ତୁମେ କେହି ତାକୁ ଦେଖି ପାରୁ ନାହଁ? ତୁମେ ସୁରକ୍ଷାରେ ନିୟୋଜିତ ସମସ୍ତ ରକ୍ଷୀ, ପ୍ରହରୀ, ସୈନିକ ମାନଙ୍କୁ ତନ୍ନତନ୍ନ କରି ସେ ଆତତାୟୀକୁ ଖୋଜି କାଢିବାକୁ ନିର୍ଦ୍ଦେଶ ଦିଅ।”
ରତ୍ନପ୍ରଭାଙ୍କ ଧୈର୍ଯ୍ଯ ସବୁ ସୀମା ଲଙ୍ଘି ସାରିଥିଲା। ସେ କହି ଚାଲିଲେ ଦୀର୍ଘେତି ପରାଜୟ ପରେ ଯେତେବେଳେ ବହୁ ରାଜ୍ଯ ବୁଲି ଶେଷରେ କାଶୀର ଏକ କୁମ୍ଭାର ଘରେ ସସ୍ତ୍ରୀକ ଆତ୍ମଗୋପନ କରିଥିଲେ ଓ ଅର୍ଥ ଲୋଭରେ ତାଙ୍କର ଜଣେ ଅନୁଚର ବିଶ୍ବାସଘାତକତା କରି ଆପଣଙ୍କୁ ଏ ଖବର ଦେଲେ ସେତେବେଳେ ଆପଣ ତତ୍କ୍ଷଣାତ୍ ସୈନ୍ଯ ପଠାଇ ରାଜା ଦୀର୍ଘେତି ଓ ତାଙ୍କ ପତ୍ନୀ ଙ୍କୁ ବାନ୍ଧି ଆଣି ଫାଶୀ କାଠରେ ଝୁଲାଇ ଦେଇଥିଲେ। ଦୀର୍ଘେତିଙ୍କ ମୃତ୍ଯୁର କୋଡିଏ ବର୍ଷ ବିତି ଗଲାଣି। ସେ ତ ଭୂତ ହୋଇ ଗଲେଣି। କ୍ଷତ୍ରିୟ ଶ୍ରେଷ୍ଠ କାଶୀ ନରେଶ ଙ୍କୁ କଣ ଦୀର୍ଘେତି ଙ୍କ ଭୂତ ଆତତାୟୀ ହୋଇ ଡରାଉଛି। ଆପଣ ଙ୍କ ଭଳି ବୀର ପକ୍ଷରେ ଏଭଳି ଭୀରୁତା ଶୋଭା ପାଉନାହିଁ। ଜଣେ ମୃତ ବ୍ଯକ୍ତି କଣ ଲୁଚି ଲୁଚି ଏମିତି ପ୍ରତିଶୋଧ ନେବା ପାଇଁ ଆସିବା ସମ୍ଭବ? ଆପଣ ବ୍ଯସ୍ତ ହୁଅନ୍ତୁ ନାହିଁ। ପରସ୍ତ ପରସ୍ତ କଡା ସୁରକ୍ଷାର ଖୋଦ୍ ବନ୍ଦୋବସ୍ତ କରିଛନ୍ତି ଆପଣଙ୍କର ଅତି ବିଶ୍ବସ୍ତ ଅଙ୍ଗରକ୍ଷକ ବିରୁପାକ୍ଷ। ଆପଣଙ୍କ ସୁପାରିଶ୍ ଅନୁଯାୟୀ ବିରୁପାକ୍ଷଙ୍କୁ ଆପଣଙ୍କ ହାତୀଶାଳ ରକ୍ଷକ ଦାୟିତ୍ବରୁ ମୁକ୍ତ କରି କେବଳ ଆପଣଙ୍କ ସୁରକ୍ଷା ଦାୟିତ୍ବ ଦିଆ ଯାଇଛି।
<
p> ବିରୁପାକ୍ଷ ନିଶ୍ଚିତ ଭାବରେ ଦକ୍ଷ, ବୁଦ୍ଧିମାନ ଏବଂ କର୍ତ୍ତବ୍ଯପରାୟଣ। ସେ ଖୁବ୍ ଦାୟିତ୍ବବାନ୍। ତାଙ୍କୁ ସୁରକ୍ଷା ଭାର ଦେଇଛ ମୁଁ ଏବେ ନିଶ୍ଚିନ୍ତ ଏବଂ ନିରାପଦ। କିନ୍ତୁ ସେହି ଆଗନ୍ଚୁକ ଆତତାୟୀ ଯାହା ହାତରେ ଉନ୍ମୁକ୍ତ ତରବାରୀ ଥିଲା ସେ କିଏ ?
ରତ୍ନପ୍ରଭା ବ୍ଯସ୍ତ ହୋଇ ପଡିଲେ। “ଦୀର୍ଘେତି ତ ନିହତ? ତାହେଲେ ହତ୍ଯାକାରୀ ଆତତାୟୀ କିଏ ହୋଇପାରେ ବୋଲି ଆପଣ ସନ୍ଦେହ କରୁଛନ୍ତି? ଆପଣ ଆଉ ଦୁର୍ଜୟ କଥା ଭାବି ଭୟ କରୁନାହାନ୍ତିତ? ରାଜ୍ଯଲୋଭରୁ ଦୁର୍ଜୟ କୋଶଳ ନରେଶ ଦୀର୍ଘେତିଙ୍କ ସହ ବିଶ୍ବାସ ଘାତକତା କରିଥିଲେ ଓ କୋଶଳର ପରାଜୟର କାରଣ ବନିଥିଲେ। କିନ୍ତୁ ବିଜୟ ଲାଭ କଲାପରେ ଆପଣ ଦେଇଥିବା କଥା ଜାଣିଶୁଣି ଭୁଲିଗଲେ। ସେ ଆପଣ ଙ୍କୁ ଏକାନ୍ତରେ ଅନେକ ଥର ଏ ପ୍ରସଙ୍ଗ ମନେ ପକାଇ ଦେଇ ନିଜର ପ୍ରାପ୍ଯ ପୁରସ୍କାର ଦାବୀ କରିଥିଲେ, କିନ୍ତୁ ଆପଣଙ୍କ ଉଦାସୀନତା ଏବଂ ହତାଦର ତାଙ୍କ ପାଇଁ ଅସହ୍ଯ ଥିଲା ଓ ସେ କାଶୀ ନରେଶ ଙ୍କ ବିରୁଦ୍ଧରେ ବିଦ୍ରୋହ କରିବାକୁ ପ୍ରସ୍ତୁତ ହେଉଛନ୍ତି ଖବର ପାଇ ଆପଣ ସୈନିକ ପଠାଇ ତାଙ୍କର ହତ୍ଯା କରାଇଥିଲେ। ତେଣୁ ମୃତ ଦୁର୍ଜୟ ମଧ୍ଯ ଆପଣ ଙ୍କ ପାଇଁ ବିପଦ ନୁହଁନ୍ତି। ଶତ୍ରୁ ଶୂନ୍ଯ ହେଇ ଆପଣ ନିଜକୁ ନିରାପଦ ମଣିବା ଉଚିତ୍। ଆତତାୟୀ ର ଛାୟା, ତରବାରୀ, ଗତିବିଧି ଏ ସବୁ ମନର ଭ୍ରମ।
“ତୁମେ ଭୁଲି ଯାଉଛ ରତ୍ନପ୍ରଭା ଯେ ତୁମର ସ୍ବାମୀ ଜଣେ ରାଜବଂଶୀ କ୍ଷତ୍ରିୟ। ଜୀବନକୁ ବାଜି ଲଗାଇ ଯୁଦ୍ଧ କରିବା ଯାହାର ଧର୍ମ ଓ ଅସି ଚାଳନା, ଘୋଡସବାର, ତୀରନ୍ଦାଜୀ ଯାହାର ନିତି ଦିନିଆ ଖେଳ ସେ କଣ ମୃତଶତ୍ରୁ ଦୀର୍ଘେତି ଓ ଦୁର୍ଜୟକୁ ଭୟ କରିବ?”
“ତେବେ ଆପଣ କାହାଠାରୁ ଏଭଳି ପ୍ରାଣଭୟ ଆଶଙ୍କା କରୁଛନ୍ତି ମୁଁ ଜାଣି ପାରୁ ନାହିଁ। କେଉଁ ଶତ୍ରୁଭୟ ଆପଣଙ୍କୁ ଆତଙ୍କିତ କରିରଖିଛି ଏବଂ କାହା ଆଡକୁ ଆପଣ ଇଙ୍ଗିତ କରୁଛନ୍ତି ମୋତେ ଖୋଲିକରି କୁହନ୍ତୁ” ପଚାରିଲେ ରାଣୀ ରତ୍ନପ୍ରଭା।
“ତୁମ ଭଳି ବୁଦ୍ଧିମତୀ ନାରୀ କେମିତି ଏତିକି ଜାଣି ପାରୁନାହଁ ମୁଁ ଆଶ୍ଚର୍ଯ୍ଯ ହେଉଛି। ତୁମେ ତ ଜାଣ ଦୀର୍ଘେତି ଓ ତାଙ୍କ ପତ୍ନୀଙ୍କୁ ଖୋଜି ପାଇବା ପରେ ଉଭୟଙ୍କୁ ଫାସୀ ଖୁଣ୍ଟରେ ଝୁଲାଇ ଦିଆ ଯାଇଥିଲା। ସେତେବେଳେ କୋଶଳରାଜ ଦୀର୍ଘେତିଙ୍କର ଏକମାତ୍ର ପୁତ୍ର ଦୀର୍ଘାୟୁର ବୟସ ଥିଲା ମାତ୍ର ଚାରି ବର୍ଷ। ତାହାରି ସମ୍ମୁଖରେ ତା ପିତାମାତାଙ୍କୁ ଫାସୀ ଦିଆ ଯାଇ ଥିଲା। କୋଡିଏ ବର୍ଷ ପରେ ଦୀର୍ଘାୟୁ ଯୁବାବସ୍ଥା ପ୍ରାପ୍ତ ହେଲା ପରେ ଏବେ ନିଶ୍ଚୟ ପିତୃହତ୍ଯାର ପ୍ରତିଶୋଧ ନେବା ପାଇଁ ସୁଯୋଗ ଉଣ୍ଡୁଥିବ।”
“ହଁ, ତାହା ତ ଠିକ୍ କଥା। କିନ୍ତୁ ସେ ପ୍ରଥମେ ଜୀବିତ ଥିଲେ ତ? ଆପଣ ଦୀର୍ଘ ଦିନ ଧରି ସେହି ଅନାଥ ଶିଶୁକୁ ଡେଙ୍ଗୁରା ପିଟି, ଚତୁର୍ଦ୍ଦିଗ ସୈନିକ ପଠାଇ ତନ୍ନତନ୍ନ କରି ସାରା ରାଜ୍ଯ ଖୋଜି ସାରିଛନ୍ତି। ଏତେ ଚେଷ୍ଟା ପରେ ବି ସେ ତ ମିଳିଲା ନାହିଁ। ଗୋଟିଏ ବେସାହାରା ବାଳୁତ କାଶୀରାଜ ବ୍ରହ୍ମଦତ୍ତଙ୍କର କି ଅନିଷ୍ଟ କରି ପାରିବ? ଜୀବିତ ଥିଲେ ଏତେ ଦିନ ଧରି ଦୀର୍ଘାୟୁ କଣ ଚୁପ୍ ରହିଥାଆନ୍ତା? ଆପଣ ଅଯଥା ଚିନ୍ତା କରୁଛନ୍ତି। ମନର ପାପ ଆପଣ ଙ୍କୁ ଘାଇଲା କରୁଛି। ଆପଣଙ୍କୁ ଲାଗୁଛି ଆପଣ ଛଳଯୁଦ୍ଧ କରି ଦୀର୍ଘେତିଙ୍କୁ ହରାଇଛନ୍ତି, ତେଣୁ ପ୍ରକୃତ ଯୁଦ୍ଧଜୟ ଗୌରବର ଖୁସି ମିଳୁନାହିଁ ଓ ଆପଣଙ୍କୁ ଅଥୟ କରୁଛି। ଅନ୍ଯାୟ ଯୁଦ୍ଧ ଆପଣଙ୍କୁ ବ୍ଯଥିତ କରୁଛି। ସେ କିଛି ନୁହଁ, ଆପଣଙ୍କ ମନରେ ବସା ବାନ୍ଧି ଥିବା ପରିତାପ, ଜଳଛବି ପରି ସାମାନ୍ୟ ସୁଯୋଗ ମିଳିଲେ ତା ରଙ୍ଗ ଦେଖାଇ ଆପଣ ଙ୍କୁ ଭୟଭୀତ କରାଉଛି। ସାମାନ୍ୟ କାହାରି ଛାୟା କଣ ଆପଣଙ୍କ ଭଳି ବୀରକୁ ଆତଙ୍କିତ କରି ପାରିବ? ହେଲା ଆପଣଙ୍କ ନିର୍ଦ୍ଦେଶ ମୁତାବକ ବିରୁପାକ୍ଷଙ୍କୁ ଡାକି ଆଗନ୍ତୁକ ଆତତାୟୀକୁ ଖୋଜିବାକୁ ପ୍ରହରୀ ମାନଙ୍କୁ ଆଦେଶ ଦେବି। ଆପଣ କିଛି ସମୟ ବିଶ୍ରାମ ନିଅନ୍ତୁ।”
ସକା଼ଳେ ରାଜବୈଦ୍ଯ ଆସି କାଶୀ ନରେଶ ବ୍ରହ୍ମଦତ୍ତ ଙ୍କୁ ପରୀକ୍ଷା କଲେ। ବ୍ରହ୍ମଦତ୍ତ ରାଜବୈଦ୍ଯଙ୍କ ଉପରେ ବିରକ୍ତ ହୋଇ ସେ ଠିକ୍ ଅଛନ୍ତି କିନ୍ତୁ ସେ ମାନସିକ କ୍ଳାନ୍ତି ଅନୁଭବ କରୁଛନ୍ତି ଏବଂ କେବେ କେବେ ଅଶାନ୍ତ ଅନୁଭବ କରୁଛନ୍ତି ବୋଲି ରାଜ ବୈଦ୍ଯଙ୍କୁ ଅଭିଯୋଗ କଲେ। ରାଜବୈଦ୍ଯ ପରୀକ୍ଷା ନିରୀକ୍ଷା ପରେ କାଶୀ ନରେଶ ଶାରୀରିକ ସମ୍ପୂର୍ଣ ସୁସ୍ଥ, କିନ୍ତୁ ମାନସିକ ବିଶାଦଗ୍ରସ୍ତ ବୋଲି ରାଣୀ ରତ୍ନପ୍ରଭା ଙ୍କୁ ଜଣାଇଲେ। ଏହା ଏକପ୍ରକାର ମାନସିକ ରୋଗ ଯେଉଁଥିରେ ରୋଗୀ ଭ୍ରମରୁ ଆତଙ୍କିତ ରହେ ଓ ଏ ସମୟରେ ନିଜର ଭାରସାମ୍ଯତା ହରାଇ ବସେ। ଏକ ଜଳାତଙ୍କ ରୋଗୀ ଜଳ ଉପରେ ନିଜର ପ୍ରତିଛବି ଦେଖି ଯେପରି ଆତଙ୍କିତ ହୁଏ କାଶୀରାଜ ଙ୍କୁ ସେହି ଭଳି ଭୟ କୌଣସି କାରଣରୁ ଗ୍ରାସ କରିଛି। ସେ ଛାଇ ଦେଖିଲେ ମଧ୍ଯ ତାଙ୍କୁ ଡର ଲାଗୁଛି। ଏହି ରୋଗରେ ରୋଗୀ କିଛି ଜାଣିପାରେ ନାହିଁ ଏବଂ ଅନିଦ୍ରା ରହେ। ଏହାର ନିବାରଣ ପାଇଁ କୌଣସି ଔଷଧ ନାହିଁ। ଆବଶ୍ଯକ ବିଶ୍ରାମ ସହିତ ମନ ପରିବର୍ତ୍ତନ ଏହି ରୋଗର ଏକମାତ୍ର ନିଦାନ। କାଶୀ ନରେଶ ଙ୍କ ନିମନ୍ତେ କିଛି ଦିନ ପାଇଁ ସ୍ଥାନ ପରିବର୍ତ୍ତନର ଆବଶ୍ଯକତା ଅଛି ବୋଲି ସେ ରାଣୀ ରତ୍ନପ୍ରଭା ଙ୍କୁ ପରାମର୍ଶ ଦେଲେ।
“ଆପଣ ଅନେକ ଦିନ ହେଲା ମୃଗୟା ଯାଇ ନାହାନ୍ତି। ରାଜକାର୍ଯ୍ଯରୁ ସାମୟିକ ଅବ୍ଯାହତି ନେଲେ ଆପଣ ମାନସିକ ବିଶ୍ରାମ ପାଇ ପାରିବେ ବୋଲି ରାଣୀ ରତ୍ନପ୍ରଭା କାଶୀ ନରେଶ ଙ୍କୁ ପ୍ରସ୍ତାବ ଦେଲେ। ସୁରକ୍ଷା ନିମନ୍ତେ ବିରୁପାକ୍ଷ ଙ୍କ ନେତୃତ୍ବରେ ବଛା ବଛା କିଛି ଅଙ୍ଗ ରକ୍ଷୀ କାଶୀ ନରେଶ ଙ୍କ ସହ ଯିବା ସ୍ଥିର ହେଲା ଓ ବ୍ରହ୍ମଦତ୍ତ ଯଥା ସମୟରେ ମୃଗୟା ଦଳ ସହ କାଶୀ ରାଜଧାନୀ ଛାଡିବାକୁ ସଜ ହେଲେ। ଏହା ଠିକ୍ ହେଲା ଯେ ରାଣୀ ରତ୍ନପ୍ରଭା ରାଜଧାନୀରେ ରହି ରାଜକାର୍ଯ୍ଯ ସହ ଆତତାୟୀ ପ୍ରବେଶର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଇବେ ଓ ଚତୁର୍ଦ୍ଦିଗ ଗୁପ୍ତଚର ପଠାଇ ଦୀର୍ଘାୟୁର ଖବର ନେବେ। କାଶୀ ରାଜଧାନୀର ଅନତିଦୂରରେ ଧୀରତନୟା ତଟ ସମୀପ ଉପବନ କାଶୀରାଜଙ୍କ ମୃଗୟା ନିମନ୍ତେ ଉପଯୁକ୍ତ ହେବ ବୋଲି ସ୍ଥିର ହେବାପରେ ବିରୁପାକ୍ଷ କାଶୀ ନରେଶ ବ୍ରହ୍ମଦତ୍ତଙ୍କ ସୁରକ୍ଷା ନିମନ୍ତେ ବଛାବଛା କିଛି ତୀରନ୍ଦାଜ ଓ ଅଶ୍ବାରୋହୀ ସୈନିକଙ୍କୁ ନେଇ ଏକ ସୁରକ୍ଷା ବ୍ଯୁହ ରଚନା କଲେ ଓ ସେମାନେ ସିଧାସଳଖ ବିରୁପାକ୍ଷ ଙ୍କ ନିର୍ଦ୍ଦେଶମାନି କାର୍ଯ୍ଯକରିବା ସ୍ଥିର ହେଲା। ବ୍ରହ୍ମଦତ୍ତ ସୁରକ୍ଷା ବ୍ଯବସ୍ଥାରେ ସନ୍ତୁଷ୍ଟ ହେବା ପରେ ମୃଗୟା ଯାତ୍ରା ଆରମ୍ଭ ହେଲା। ସେ ନିର୍ଦ୍ଦେଶ ଦେଲେ ଯେ ବିରୁପାକ୍ଷ ତାଙ୍କ ପାଖେ ପାଖେ ରହି ସୁରକ୍ଷା ଯୋଗାଇବେ। ଦିନେ ମୃଗୟା ମଝିରେ କାଶୀରାଜ ବ୍ରହ୍ମଦତ୍ତ କ୍ଳାନ୍ତି ଅନୁଭବ କଲେ ଓ ଗୋଟିଏ ବିଶାଳ ବୃକ୍ଷର ଛାୟା ତଳେ କିଛି ସମୟ ବିଶ୍ରାମ ନେବା ଉଚିତ ହେବ ସ୍ଥିର କରି ବିରୁପାକ୍ଷ ଙ୍କୁ. ପାଖକୁ ଡାକି ଆଦେଶ ଦେଲେ ଯେ ସେ ବୃକ୍ଷ ମୂଳେ ନିଦ୍ରା ଯିବାକୁ ଚାହାନ୍ତି ଏବଂ ସେ ସମୟରେ କେବଳ ବିରୁପାକ୍ଷ ପାଖରେ ରହି କାଶୀରାଜ ଙ୍କୁ ସୁରକ୍ଷା ପ୍ରଦାନ କରିବେ। କ୍ଳାନ୍ତ ବ୍ରହ୍ମଦତ୍ତ ନିଶ୍ତିନ୍ତ ହୋଇ ଘୋର ନିଦ୍ରାରେ ଶୋଇ ପଡିଲେ। ଏହି ସମୟରେ ପାଖରେ ଥାଆନ୍ତି କେବଳ ବିରୁପାକ୍ଷ। କିନ୍ତୁ ପ୍ରକୃତରେ ସେ ଥିଲେ ମୃତ କୋଶଳରାଜଦୀର୍ଘେତି ଙ୍କ ପୁତ୍ର ଦୀର୍ଘାୟୁ, ଯେ କି ବର୍ଷ ବର୍ଷ ଧରି ତାଙ୍କ ପିତୃହତ୍ଯାର ପ୍ରତିଶୋଧ ନେବା ପାଇଁ ସୁଯୋଗ ଅପେକ୍ଷାରେ ଥିଲେ। ନିଜ କର୍ତ୍ତବ୍ଯନିଷ୍ଠତା ଯୋଗୁଁ କାଶୀରାଜଙ୍କ ବିଶ୍ବାସ ଭାଜନ ହୋଇ ସେ ଛଦ୍ମ ବେଶରେ କାଶୀ ନରେଶଙ୍କ ପାଖେପାଖେ ରହି ଏହି ଭଳି ସୁଯୋଗ ଖୋଜୁଥିଲେ। ପାଖରେ କେହି ନାହାନ୍ତି, ଏହା ପ୍ରକୃଷ୍ଟ ସମୟ ହେବ ସ୍ଥିର କରି ଦୀର୍ଘାୟୁ ନିଜ ତରବାରୀ କୋଷମୁକ୍ତ କଲେ ଓ କାଶୀରାଜଙ୍କ ଶିରଚ୍ଛେଦନ ନିମନ୍ତେ ଅଗ୍ରସର ହେଲେ। ସମ୍ମୁଖରେ ପିତୃହନ୍ତା, ଯେ କି ତାଙ୍କ ସମ୍ମୁଖରେ ପିତାମାତା ଉଭୟ ଙ୍କୁ ଫାସୀଖୁଣ୍ଟରେ ଲଟକାଇ ପ୍ରାଣ ନେଇଥିଲେ; ଆଉ ସେଇ ପ୍ରତିଶୋଧ ନେବାକୁ ସେ ଛଦ୍ମ ବେଶରେ ଏତେକାଳ ଅପେକ୍ଷା କରିଥିଲେ। ଏବେ ସେ ବହୁ ପ୍ରତିକ୍ଷିତ ସମୟ ଆସି ଯାଇଛି। ଅବିଳମ୍ବେ ସୁଯୋଗର ସଦ୍ ବ୍ଯବହାର କରିବା ପାଇଁ ସେ ତରବାରୀ ଉତ୍ତୋଳନ କରିବା ବେଳକୁ ମୃତ ପିତା କୋଶଳରାଜ ଦୀର୍ଘେତିଙ୍କ ଠିକ୍ ଫାସୀ କାଠରେ ଝୁଲିବା ପୂର୍ବରୁ ତାଙ୍କ ପ୍ରତି ନିର୍ଦ୍ଦେଶ ମନେ ପଡିଲା। “ପୁତ୍ର ଦୀର୍ଘାୟୁ, ଯେତେ ଶତ୍ରୁ ହେଲେ ମଧ୍ୟ ଘୃଣା ଦ୍ବାରା ଘୃଣାର ପ୍ରତିଶୋଧ ନେବା ଠିକ୍ ନୁହେଁ, କେବଳ ଉଦାରତା ଓ ପ୍ରେମ ଦ୍ବାରା ଘୃଣାର ପ୍ରତିଶୋଧ ନେବା ସମ୍ଭବ।” ଦୀର୍ଘାୟୁ ଧର୍ମ ସଙ୍କଟରେ ପଡିଲେ। ହାତରେ ତରବାରୀ, ସମ୍ମୁଖରେ ପିତୃମାତୃହନ୍ତା, ପାଖରେ ରୋକିବାକୁ କେହି ନାହିଁ, ଯେଉଁ ସୁଯୋଗପାଇଁ ତାଙ୍କର ଏତେ କାଳର ପ୍ରତୀକ୍ଷା, ଏଣେ ପିତୃବାକ୍ୟ। ସେ କଣ କରିବେ? ଆଖିରୁ ଧାର ଧାର ଲୁହ ବୋହିଗଲା। ଓ ସେ ତରବାରୀ ତଳକୁ କଲେ। ତରବାରୀକୁ କୋଷବଦ୍ଧ କରିବା ପୂର୍ବରୁ କାଶୀରାଜ ବ୍ରହ୍ମଦତ୍ତ ଙ୍କ ନିଦ୍ରାଭଙ୍ଗ ହେଲା। ସେ ଉଠି ପଡି ଦେଖିବା ବେଳକୁ ବିରୁପାକ୍ଷଙ୍କ ହାତରେ ଖୋଲା ତରବାରୀ ଓ ଚକ୍ଷୁ ଲୋତକପୂର୍ଣ ଏବଂ ହସ୍ତପଦ ପ୍ରକମ୍ପିତ। ବ୍ରହ୍ମଦତ୍ତଙ୍କୁ ଲାଗିଲା ସତେ ଯେମିତି ସ୍ବୟଂ ମୃତ୍ଯୁ ତାଙ୍କ ସମ୍ମୁଖରେ ଦଣ୍ଡାୟମାନ। ଜୀବନର ଆଉ ଆଶା ନଦେଖି ବ୍ରହ୍ମଦତ୍ତ ଭୟରେ ଥରିବାକୁ ସାଗିଲେ।
“ଆପଣ ଭୟ କରନ୍ତୁ ନାହିଁ। ମୁଁ ବିରୁପାକ୍ଷ ନୁହେଁ, ମୁଁ ଦୀର୍ଘେତି ପୁତ୍ର ଦୀର୍ଘାୟୁ ଏବଂ ପିତୃହତ୍ଯାର ପ୍ରତିଶୋଧ ନେବା ପାଇଁ ଆପଣଙ୍କ ପାଖେ ପାଖେ ରହି ସୁଯୋଗ ଖୋଜୁଥିଲି। କିନ୍ତୁ ମୁଁ ଆପଣଙ୍କୁ ହତ୍ଯା କରିବି ନାହିଁ। ଆପଣଙ୍କୁ ଛାଡି ଦେବାପାଇଁ ମୃତ୍ଯୁ ପୂର୍ବରୁ ମୋ ପିତା ମୋତେ କହି ଯାଇଥିଲେ। ସ୍ବର୍ଗତ ପିତାଙ୍କ ବାକ୍ଯ ମାନି ମୁଁ ଆପଣଙ୍କ ପ୍ରାଣ ନେଇ ପାରିବି ନାହିଁ। ହଁ, ମୁଁ ଆପଣଙ୍କ ସହ ବିଶ୍ବାସଘାତ କରିଛି। ଆପଣ ଯେ କୌଣସି ଦଣ୍ଡ ଦେବେ ତାହା ଶିରୋଧାର୍ଯ୍ଯ।
କାଶୀରାଜ ବ୍ରହ୍ମଦତ୍ତ କୋଶଳନରେଶ ସ୍ବର୍ଗତ ଦୀର୍ଘେତି ଓ ପୁତ୍ର ଦୀର୍ଘାୟୁ ଙ୍କର ମହାନୁଭବତା ଦେଖି ମଥା ତଳକୁ କଲେ। କହିଲେ ମୁଁ ଆଜି ମୋ କୃତକର୍ମ ପାଇଁ ଲଜ୍ଜିତ। ମୁଁ ସ୍ବାର୍ଥାନ୍ଧ ହୋଇ ଭୁଲ୍ କରିଛି ଓ ତୁମ ପ୍ରତି ଘୋର ଅନ୍ଯାୟ କରିଛି। ତୁମ ସ୍ବର୍ଗତ ପିତା ଓ ତୁମେ ମୋ ଆଖି ଖୋଲିଦେଲ।କୋଶଳ ସିଂହାସନ ତୁମକୁ ଫେରାଇ ଦେଉଛି। ସେହି ହେବ ମୋ ପ୍ରାୟଶ୍ଚିତ।(ସମାପ୍ତ)