Ashok Kumar Mishra

Thriller

4.8  

Ashok Kumar Mishra

Thriller

ମାଡ୍ରାସ ମେଲ୍ ର ସେଇ ରାତି

ମାଡ୍ରାସ ମେଲ୍ ର ସେଇ ରାତି

9 mins
302


        ଟାକ୍ସିବାଲାକୁ ଭଡା ପଇସା ଫୋନ୍ ପେ ରେ ଦେଇସାରି ଟ୍ରଲି ବ୍ଯାଗ୍ ଓ ବ୍ଯାକ୍ ପ୍ଯାକ୍ ଉଠାଇ ରିତୁ ସିଧା ଦୌଡିଲା ପ୍ଲାଟଫର୍ମ ଉପରକୁ ମାଡ୍ରାସ୍ ମେଲ୍ ର ତା ନିର୍ଦ୍ଦିଷ୍ଟ ବଗି ପାଖକୁ। କଲିକତାର ଅସ୍ତବ୍ଯସ୍ତ ଟ୍ରାଫିକ ସହିତ ସେ ମୋଟାମୋଟି ଅଭ୍ଯସ୍ତ । ବାପା କଲିକତା ପୋର୍ଟ ଟ୍ରଷ୍ଟରେ କାମ କରୁଥିଲେ। ତେଣୁ ରିତୁର ପଢାପଢି ସବୁ ଏଇ କଲିକତାରେ। ଆଉ ବିବାହ ପରେ ପ୍ରାୟ ସବୁ ସମୟରେ ପାଖରେ ଥାଆନ୍ତି ମନୋଜ। ଏବେ ସେ ହାଇଦ୍ରାବାଦ ପୋଲିସ୍ ଏକାଡେମୀକୁ ଦି ବର୍ଷ ପାଇଁ ଡେପୁଟେସନ୍ ରେ ଯାଇଛନ୍ତି। ଆଉ ସେ ବରଷଟେ ହେଲା ଭୁବନେଶ୍ବରରୁ କଲିକତା ରିଜର୍ଭ ବ୍ଯାଙ୍କ କାର୍ଯ୍ଯାଳୟକୁ ଆସି ଜଏନ୍ କରିଛି। ପୁଅ ଅରବିନ୍ଦ ଜେଜେ ଙ୍କ ପାଖରେ ରହି ବରହମପୁର କନଭେଣ୍ଟ ସ୍କୁଲ୍ ରେ ପଢୁଚି। କୁମାର ପୁର୍ଣ୍ଣମୀ ପାଇଁ ମନୋଜ ହାଇଦ୍ରାବାଦ ଆଉ ସେ କଲିକତାରୁ ଆସୁଛନ୍ତି ପୁଅ ପାଖକୁ। 


ତତ୍କାଳ ଟିକେଟ୍ ନ କଲେ କେବେ ରିଜର୍ଭେସନ ମିଳେ ନାହିଁ। ସକାଳେ ଟିକେଟ୍ କନଫର୍ମ ହେଲା, ହେଲେ ଅଫିସ୍ ରୁ ଦି ଘଣ୍ଟା ଆଗରୁ ଯିବା ପାଇଁ ଅନେକ ଖୋସାମତ ପରେ ବି କିଛି ନା କିଛି କାମର ଚାପରେ ଡେରି ହେଉଥାଏ। କଲିକତାରେ ଜୋର୍ ବର୍ଷା ଯୋଗୁଁ ଆଜି ସବୁ ଟ୍ରେନ୍ ଛାଡିବାରେ ପ୍ରାୟ ବିଳମ୍ବ ହେଉଛି। ଯା ହେଉ ଟ୍ରାଫିକ୍ ଓ ବର୍ଷା ସତ୍ତ୍ବେ ସେ କୌଣସିମତେ ଟ୍ରେନ୍ ଛାଡିବା ପୂର୍ବରୁ ପହଞ୍ଚି ଯାଇଛି ସେ। ଗୋଟିଏ ଦୃଷ୍ଟିରୁ ଭଲ ହେଲା। ଏମିତି ବରହମପୁରରେ ରାତି ଦୁଇଟାରେ ପହଞ୍ଚିବା ଠାରୁ ଏବେ ସେ ବଡି ଭୋର ପହଞ୍ଚିବ। ମନୋଜ ଷ୍ଟେସନ ରୁ ଆସି ନେଇ ଯିବେ।


ବଗି ଭିତରେ ପାଦ ଥୋଇବାର ଦୁଇ ତିନି ମିନିଟ୍ ଭିତରେ ଟ୍ରେନ୍ ଗଡିବା ଆରମ୍ଭ ହୋଇଗଲା। ଝାଳ ପୋଛି ନିର୍ଦ୍ଦିଷ୍ଟ ବର୍ଥ ଆଡକୁ ଆଗେଇଲା ରିତୁ। କୋଳାହଳ କମି ନାହିଁ। ଚଳନ୍ତା ଟ୍ରେନ୍ ଭିତରକୁ ଓ ବାହାରକୁ ଯିବା ପାଇଁ ବଗି ମୁହଁରେ ଭାରି ଭିଡ। ତତ୍କାଳରେ ଭାଗ୍ଯକୁ ବଗି ଭିତରେ ପଶୁ ପଶୁ ତଳ ବର୍ଥଟିଏ ମିଳି ଯାଇଛି। କିନ୍ତୁ ସେ ଦେଖିବା ବେଳକୁ ତା ବର୍ଥରେ ଜଣେ ମଧ୍ଯବୟସ୍କା ମହିଳା ଓ ତାଙ୍କ ପଛକୁ ଘୋଡି ଘାଡି ହୋଇ ଜଣେ ପୁରୁଷ ବସିଥାଆନ୍ତି। ଟ୍ରଲି ସୁଟକେଶ୍ ବର୍ଥ ତଳେ ପୁରାଇ ବସୁ ବସୁ ମହିଳା ଜଣକ ବଙ୍ଗଳା ଭାଷାରେ ଅନୁରୋଧ କଲେ “ଦିଦି, ଏଇ ନୀଚେର ବର୍ଥଟା କି ଆପନାର ଆଛେ?” ଦେଖୁନ୍, ଆମାର ମାନୁଷ ସାମାନ୍ୟ ଅସୁସ୍ଥ, ଆମାର୍ ଏକଟା ନୀଚେର ବର୍ଥ ଆଛେ, ଆର୍ ଏକଟା ସାଇଡ୍ ଅପରବର୍ଥ। ଆପନାର ଯଦି ଆପତ୍ତି ନା ଥାକେ ନିଚେର ବର୍ଥଟା ଆମାର ସାଥେ ବଦଲ କରି ନେଲେ ଭାଲୋ ହୋବେ।” 


କଣ ଆଉ କହିବ ସେ। ତାକୁ ନିଶ୍ଚୟ ଅସୁବିଧା ହେବ ଉପରକୁ ଯିବା ପାଇଁ, କିନ୍ତୁ ଅସୁସ୍ଥ ସହଯାତ୍ରୀ ଜଣକ ଉପକୃତ ହେବେ। ତା ଛଡା ଉପର ବର୍ଥଟା ସୁରକ୍ଷା ଦୃଷ୍ଟିରୁ ଠିକ୍ ହେବ ତା ପାଇଁ । ଗୋଟିଏ ରାତିର କଥା। ଟିକେ ଚଳାଇ ନେଲେ ଲୋକଟା କୁ ସାହାଯ୍ଯ କରିହେବ। ମୁଣ୍ଡ ଟୁଙ୍ଗାରି ନିଜ ସମ୍ମତି ଜଣାଇଲା ରିତୁ। କଥା ହେଲା ଟିଟିଇ ଆସିଲେ ତାକୁ ଜଣାଇ ବର୍ଥ ବଦଳାଇ ନେବେ, ଏବେ ସେ ଉପର ବର୍ଥକୁ ଚାଲି ଯାଇ ବସିଥିବେ। 


ଟ୍ରେନ୍ ଛାଡିବା ପର୍ଯ୍ଯନ୍ତ ତଳ ବଗିରେ ବସି ରହିଲା। ବର୍ଥ ବଦଳ କରିବାକୁ ରାଜି ହେବାରୁ  ମହିଳାଟି ଉପରଠାଉରିଆ ଭାବେ କୃତଜ୍ଞତା ଜଣାଇଲା। ରିତୁକୁ ତାହା ଏକ ଆନ୍ତରିକତାହୀନ କୃତଜ୍ଞଚା ଭଳି ମନେ ହେଲା। ଯେମିତି ବର୍ଥଟା ପାଇଁ ତା ଅଧିକାର ର ପ୍ରାଥମିକତା ଥିଲା। ଆଉ ତା ମୌଳିକ ଅଧିକାର ପାଖରେ ରିତୁର ରାଜି ହେବା ଏକ ଔପଚାରିକତା ମାତ୍ର। ପୁରୁଷଟିର ଅବିଚଳିତ ଭାବ ରିତୁକୁ ଆହୁରି ଆଶ୍ଚର୍ଯ୍ଯ ଲାଗିଲା। ଭଦ୍ରାମୀ ଦୃଷ୍ଟିରୁ ରିତୁର ବସିବା ପାଇଁ ସୁବିଧା ନ କରି ସେ ତଳ ବର୍ଥର ଅର୍ଦ୍ଧାଧିକ ଜାଗା ମାଡି ପୂର୍ବବତ୍ ବସି ରହିଲା ଯେମିତି ରିତୁ ଅନଧିକାର ପ୍ରବେଶ କରି ଭୁଲ୍ କରିପକାଇଛି। କିଛି କ୍ଷଣ ଜାକିଜୁକି ବସି ରହିବାକୁ ପଡିଲା ରିତୁକୁ। ରିତୁର ଧାରଣା ହେଲା ସେମାନେ ବୋଧହୁଏ କେଉଁ ଦୂର ଜାଗାକୁ ଚିକିତ୍ସା ପାଇଁ ଯାଉଛନ୍ତି। ପ୍ରାୟ ଯେତେ ଥର ସେ କଲିକତା ରୁ ଟ୍ରେନ୍ ଯାତ୍ରା କରିଛି ସେ ଲକ୍ଷ୍ଯ କରିଛି ପ୍ରତିଥର ସୁବିଧାଜନକ ସ୍ଥାନଟିଏ ହାତେଇବା ପାଇଁ ହାଇଁପାଇଁ ହୋଇ ପ୍ରତିଯୋଗିତା କରିବାକୁ କିଛି ସ୍ଥାନୀୟ ଲୋକ ଅଭ୍ଯାସଗତ ଅଧିକାର ଭଳି ଭାବନ୍ତି ଓ ସେମାନଙ୍କର ଅନ୍ଯମାନଙ୍କୁ ବାଧ୍ଯ କରିବାର ଏଇ କଳା ତାକୁ ଅଦ୍ଭୁତ ଲାଗେ। ପୁରୁଷଟି ମୁହଁ ଘୋଡାଇ ଆସ୍ଥାନ ଜମାଇ ବସିଥାଏ। ତା ମୁହଁଟା ରିତୁକୁ ଭଲ ଭାବରେ ଦେଖା ଯାଉ ନ ଥାଏ। ଅସୁସ୍ଥତାର କିଛି ଲକ୍ଷଣ ମଧ୍ଯ ବାହାରକୁ ଜଣା ପଡୁ ନଥାଏ।     


      ଆଜି ଟ୍ରେନ୍ ରେ ଭାରି ଭିଡ। କଲିକତାରେ ଦଶହରା ପାର୍ବଣ ପାଳି ଅନେକ କର୍ମସ୍ଥଳୀମୁହାଁ ହେଲେଣି। ଅଳ୍ପ କିଛି ଲକ୍ଷ୍ମୀପୂଜା ସରିବା ପର୍ଯ୍ଯନ୍ତ ଅପେକ୍ଷା କରିବେ। ଗାଡି ଛାଡିବା ବେଳକୁ ଯାତ୍ରୀ ସବୁ କିଏ କେଉଁଠି ଥିଲେ ପ୍ଲାଟଫର୍ମ ଛାଡି ଗାଡିରେ ପଶୁଛନ୍ତି। ବଗି ମୁହଁରେ ଭିଡ। ପାଖାପାଖି ଅଧିକାଂଶ ବର୍ଥ ରେ ଯାତ୍ରୀ ବସି ସାରିଲେଣି। ଉପର ଓ ମଝି ବର୍ଥରେ ଏକ ଦକ୍ଷିଣ ଭାରତୀୟ ପରିବାର। ରିତୁର ତଳ ବର୍ଥରେ ଜଣେ ନିୟମିତ ଡେଲି ପାସେଞ୍ଜର, ବୋଧହୁଏ ଖଡଗପୁର ଯାଏଁ ଯିବେ। ଚା ବାଲା ଓ ଝାଲ୍ ମୁଢିବାଲାଟିଏ ମଧ୍ଯ ବେପାର ପାଇଁ ବଗିରେ ପଶିଛି। ଲମ୍ବାବାଳ ରଖି ଓ ଗେରୁଆ ବସ୍ତ୍ର ପିନ୍ଧି ବାଉଲଯୋଗୀ ଯୁଗଳ ସେମାନଙ୍କ ଏକତାରା, ଡୁଗି ଓ ଝୁଲାମୁଣି ଧରି ବଗିରେ ପଶିଲେ ଓ ଆଗକୁ ଯାଇ ନିଜ ବର୍ଥ ଖୋଜିଲେ। 


ପ୍ଲାଟଫର୍ମ ଛାଡି ଗାଡି ବେଗ ଧରିଲା ଓ ଦେଖୁ ଦେଖୁ କିଛି ଲୋକାଲ୍ ଷ୍ଟେସନ କୁ ପଛରେ ଛାଡି ଗାଡି ଆଗକୁ ଗଡିଲା। ରିତୁ ମହିଳା ଯାତ୍ରୀଟିର ଅସହଜ ଭାବ ଓ ପ୍ରଶ୍ନବାଚୀ ଚକ୍ଷୁଯୁଗଳରୁ ଅନୁଭବ କରିନେଲା ସେମାନେ ତା ଉପର ବର୍ଥ ଅଧିଗ୍ରହଣକୁ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଚା ବାଲା ର ସାହାଯ୍ଯ ନେଇ ନିଜ ଟ୍ରଲିବ୍ଯାଗ୍ ଓ ବ୍ଯାକପାକ୍ କୁ ଉପର ବର୍ଥକୁ ନେଇ ଉପରକୁ ଉଠିଲା। ଲକ୍ଷ୍ଯ କଲା ପୁରୁଷଟି ନିଜ ଚଦର ଭିତରୁ ପ୍ରଥମ ଥର ମୁହଁ କାଢି ପୁରା ବର୍ଥରେ ନିଜର ଆଧିପତ୍ଯ ଜାହିର୍ କରି ଆରାମ କରିବାରେ ଲାଗିଲା। ମଧ୍ଯବୟସ୍କ, ମୁହଁରେ ଅଳ୍ପ ଦାଢି, ଲମ୍ବ ବାଳ, ବେଶ୍ ପ୍ରଶସ୍ତ ଚେହେରା, ଅସୁସ୍ଥତାର କୌଣସି ଲକ୍ଷ୍ଯ ଜଣା ପଡୁନାହିଁ। ରିତୁ ଲୋକଟାର କପାଳରେ ଗୋଟିଏ ଲମ୍ବା କ୍ଷତ ଚିହ୍ନ ଦେଖି ପାରିଲାା, ଯଦିଓ ପୁରା ମୁହଁଟା ଉପର ବର୍ଥରୁ ଖୁବ୍ ସ୍ପଷ୍ଟ ଦେଖାଯାଉ ନ ଥାଏ। ମହିଳା ଓ ପୁରୁଷ ଯାତ୍ରୀଦ୍ବୟ ତଳ ଦୁଇ ବର୍ଥରେ ନିଜକୁ ବିସ୍ତାରି ନିମ୍ନ ସ୍ବରରେ ଆପୋଷ କିଛି ବାର୍ତ୍ତାଳାପ କଲେ। ପୁରୁଷ ଯାତ୍ରୀଟି ମୁହଁ ଉପରକୁ କରି ପାଣି ବୋତଲରୁ ଢକ୍ ଢକ୍ ପାଣି ପିଇବା ବେଳେ ସେ ମୁହଁଟି ଝାପ୍ସା ଆଲୁଅରେ ଦେଖି ପାରିଲା। ରିତୁକୁ ଲୋକଟାକୁ କେବେ କେଉଁଠି ଦେଖିବା ଭଳି ଲାଗିଲା। ହଁ, କଲିକତା ଏତେ ବଡ ସହର, ସେ ପୁଣି ଟ୍ରେନ୍ ରେ ବାରମ୍ବାର ଯାତ୍ରା କରୁଛି। ଦେଖିଥିବ କଉଠି? ସେମାନେ ତାଙ୍କ ବ୍ଯାଗ୍ ଖୋଲି ନିଜ ନିଜ ଥାଳିରେ ମାଂସକଶା ଓ ପରଟା କାଢି ଖାଇବା ଆରମ୍ଭ କଲେ। ଉତ୍କଟ ଆମିଷ ବାସ୍ନାରେ ପୁରା ବର୍ଥ ଭରିଗଲା। ପରଟା ପରେ ପରେ ଗୋଟିଏ ଡବାରୁ ମୁଢି କାଢି ଥାଳିରେ ପରଷା ଗଲା ଓ ବାକି ମାଂସକଶା ସହ ସେ ମଧ୍ଯ ଉଦରସ୍ଥ ହେଲା। ଶେଷରେ ସନ୍ଦେଶ୍ ପିସ୍ ଟିଏ ଲେଖା ଖାଇ ଉଭୟେ ପାଣି ପିଇଲେ। ରିତୁ ଭାବିଲା ଖଡଗପୁର ଯାଉ, ଟିଟିଇ ଆସିବା ପରେ ସେ ରାତ୍ରୀ ଭୋଜନ କରିବ।                   


ୟା ଭିତରେ ଦକ୍ଷିଣ ଭାରତୀୟ ପରିବାର ଭୋଜନ ସାରିଲେଣି। ପୁଣି କିଛି ସମୟ ପାଇଁ ସାରା ବଗି ହେଙ୍ଗୁ ଓ ଦହିର ଗନ୍ଧରେ ଭରି ଗଲା।


ଠିକ୍ ଏହି ସମୟରେ ସାମନା ତଳ ବର୍ଥର ପୁରୁଷ ଯାତ୍ରୀ ଜଣକ ଛୋଟ କାଚ ବୋତଲ୍ ରୁ କିଛି ହୋମିଓପାଥି ଗୋଳି ପାଟିକୁ ଫିଙ୍ଗିଲେ। ରିତୁ ସ୍ପଷ୍ଟ ଭାବରେ ଦେଖି ପାରିଲା ପୁରୁଷ ଯାତ୍ରୀଟିର ଡାହାଣ ପାପୁଲିରେ ଦୁଇଟି ଆଙ୍ଗୁଳି ନାହିଁ। ରିତୁ ଚିହିଙ୍କି ଉଠିଲା। କିଛି ମନେ ପଡି ହଠାତ୍ ରିତୁର ଦେହ ଶିରିଶିରି ହୋଇ ଗଲା। ମନ ଘାଣ୍ଟି ଚକଟି ହେଲା। ମନରେ ମାଳ ମାଳ ପ୍ରଶ୍ନ ଉଙ୍କି ମାରିଲା। କିଛି ଗୋଟିଏ ଦୁଃସ୍ବପ୍ନ ଦେଖିବା ଭଳି ସେ ହଠାତ୍ ବିଳିବିଳେଇ ଉଠିଲା। ନା, ଏହା ଆଦୌ ସମ୍ଭବ ନୁହେଁ। ସେ ଠିକ୍ ଭାବରେ ଦେଖିଛି କି ନାହିଁ ରିତୁର ସନ୍ଦେହ ହେଲା। ବେଳେ ବେଳେ କିଛି ନ ଥାଇ ମଧ୍ଯ ମାନସିକ ପ୍ରତିଫଳନ କିଛି ଭ୍ରମ ସୃଷ୍ଟି କରନ୍ତି। ଦଉଡି ଦେଖି ଅନେକେ ଯେମିତି ସାପ ବୋଲି ଭାବି ନିଅନ୍ତି।          ରିତୁକୁ ଲାଗିଲା ତାର ମୁଣ୍ଡ କାମ କରିବା ବନ୍ଦ କରି ଦେଇଛି। ସେ ଠିକ୍ ଭାବରେ, ସୁସ୍ଥ ମନରେ ଆଉ କିଛି ଚିନ୍ତା କରି ପାରିଲା ନାହିଁ। ଲାଗିଲା ତା ଦେହ ହାତ ଅବଶ ହେଇ ଯାଉଛି। ବରହମପୁର ଆସିବାକୁ ପୁରା ରାତି ପଡିଛି। ଗାଡି ମାତ୍ର ଖଡଗପୁର ପହଞ୍ଚୁଛି। ସେ କଣ କରିବ ବୁଦ୍ଧିଦେଖା ଯାଉ ନାହିଁ।


ଖୁବ୍ ଅଳ୍ପ ସମୟ ଭିତରେ ଗାଡି ଖଡଗପୁର ପହଞ୍ଚିଲା ଓ ଟିଟିଇ ବଗି ଭିତରକୁ ଆସିଲେ। ତଳ ବର୍ଥର ନିୟମିତ ଯାତ୍ରୀ ଓହ୍ଲାଇ ଗଲେ। କିନ୍ତୁ ବଡ ଆଶ୍ଚର୍ଯ୍ଯର କଥା ଟିଟିଇଙ୍କୁ ଦେଖି ସାମନା ତଳ ବର୍ଥର ସେହି ବଙ୍ଗୀୟ ପୁରୁଷ ଯାତ୍ରୀ ଜଣକ ନିଜକୁ ସମ୍ପୂର୍ଣ ଘୋଡାଇ ନେଇ ଅସୁସ୍ଥ ଛଳନା କରି ଶୋଇ ରହିଲା। ତାର ଏଇ ବ୍ଯବହାର ରିତୁକୁ ବିସ୍ମିତ କଲା। ଟିଟିଇ କୁ ଦେଖି ଲୋକଟା କାହିଁକି ମୁହଁ ଲୁଚାଉଛି।ଟିଟିଇ ସେ ଲୋକକୁ ଆଉ ଆଗରୁ ଜାଣିଛି କି? ମହିଳା ଜଣକ ଟିଟିଇକୁ ସ୍ବାମୀ ହେମନ୍ତ ଦତ୍ତ ଓ ନିଜର ଟିକଟ୍ ଦେଖାଇଲା ଏବଂ ପୁଣି “ଆମାର ମାନୁଷ ଅସୁସ୍ଥ ଆଛେ” ଦୋହରାଇ ବର୍ଥ ବଦଳ ବିଷୟ ଜଣାଇଲା। ଟିଟିଇ ରିତୁକୁ ତା ତଳ ବର୍ଥ ଖାଲି ଅଛି ଓ ସେ ଚାହିଁଲେ ବର୍ଥଟି ସେ ରିତୁକୁ ଦେଇ ପାରିବେ ବୋଲି ଜଣାଇଲେ। ଦୋଦୋ ପାଞ୍ଚ ହୋଇ ରିତୁ ପୁଣି ତଳ ବର୍ଥକୁ ଆସିଲା। ସେଠାରୁ ସାମନା ଯାତ୍ରୀକୁ ଭଲ ଭାବରେ ଦେଖି ହେବ। 


ଟିଟିଇ ଚାଲି ଯିବା ପରେ ରିତୁ ରାତ୍ରୀ ଭୋଜନ କରୁ ଥାଏ ହଠାତ୍ ଦେଖିଲା ଚଦର ତଳୁ ଯୋଡିଏ ତୀକ୍ଷ୍ଣ ଶାଣିତ ଚକ୍ଷୁ ଛଞ୍ଚାଣ ଭଳି ତାକୁ ଏକ ଧ୍ଯାନରେ ଲକ୍ଷ୍ଯ କରୁଛି। ରିତୁ ସହ ପୁରୁଷ ଯାତ୍ରୀ ଆଖି ମିଶିବାରୁ କଡ ଲେଉଟାଇ ଚଦର କାଢି ପଡିରହିଲା। ଲୋକଟିର ଗହିରିଆ ଚାହାଣୀ ଦେଖି ରିତୁ ଡରିଗଲା। ସେ ଲୋକଟା ତାକୁ ଆଗରୁ ଦେଖିଛି ବୋଧହୁଏ? କିମ୍ବା କିଛି ମନେ ପକାଇବାକୁ ଚେଷ୍ଟା କରୁଛି। ରିତୁ ସ୍ପଷ୍ଟ ଭାବରେ ଦେଖିଲା ସେ ଲୋକଟିର ହାତରେ ଚିତା କୁଟା ହୋଇ ଇଂରାଜୀରେ “ଏଚ୍” ଲେଖା ହୋଇଛି। ଶାରଦ ଶୀତରେ ହଠାତ୍ ଯେମିତି ଲୁ ବହିଗଲା। ଆଉ ସେହି ଉତ୍ତପ୍ତ ଝାଞ୍ଜି ପବନରେ ରିତୁ ର ପାଟି ଶୁଖିଗଲା। ମୁଣ୍ଡ କାମ କରୁ ନଥାଏ। ସେ ଏବେ କଣ କରିବ ଭାବି ପାରିଲା ନାହିଁ। ଏବେ ତା ମନରେ ଆଉ କିଛି ସନ୍ଦେହ ରହିଲା ନାହିଁ। 


ଦୁଇ ବର୍ଷ ତଳର ସ୍ମୃତି ସତେଜ ହୋଇ ଉଠିଲା। ସେଦିନର ସେ ଘଟଣା ତାର ଭଲଭାବେ ମନେ ପଡି ଗଲା। ଏମିତି ଦୁଇ ବର୍ଷ ତଳେ ବାପା କଲିକତାରେ ଅସୁସ୍ଥ ଅଛନ୍ତି ବୋଲି ଖବର ମିଳିଲା। ମନୋଜ ପାଖରେ ନ ଥାଆନ୍ତି। ସେ ମାଆ ଓ ପୁଅ ଅରବିନ୍ଦକୁ ନେଇ ହରବର ହୋଇ ଜେନେରାଲ ସ୍ଲିପର୍ ବଗିରେ ସକାଳୁ ଭୁବନେଶ୍ବର ଷ୍ଟେସନରୁ ବାହାରି କଲିକତା ଆସୁଥାଏ। ପୁଅ ଖୁବ୍ ଛୋଟ ଥାଏ। ଗାଡି ଖଡଗପୁର ଷ୍ଟେସନରେ ଛାଡିବା ନିମନ୍ତେ ସିଗନାଲର ପ୍ରତୀକ୍ଷାରେ ଥାଏ। ମାଆ ଝରକା ପାଖରେ ମୁଣ୍ଡ ଦେଇ ଘୁମଉ ଥାଆନ୍ତି। ଗାଡି ଛାଡିବାକୁ ଯାଉଛି ସେ ଅନୁଭବ କଲେ ହଠାତ୍ କେହି ଜଣେ ଝରକା ବାଟେ ହାତ ଗଳାଇ ତାଙ୍କ ସୁନା ଚେନ୍ ଟି ଝିଙ୍କିବାକୁ ଚେଷ୍ଟା କରୁଛି। ମାଆଙ୍କ ହାତରେ ଚେନ୍ ଓ ଲୋକଟି ଦୁଇ ଆଙ୍ଗୁଳିରେ ଧରି ଟାଣୁଛି। ପାଟି ଶୁଣି ରିତୁ ଝପଟି ଆସିବା ବେଳକୁ ଝରକାଟି ଆପେ ଆପେ ପଡିଗଲା ଓ ଛିନତାଇ କରୁଥିବା ଲୋକଟିର ଦୁଇଟି ଆଙ୍ଗୁଳି କଟି ଯାଇ ମାଆଙ୍କର ସୁନା ଚେନ୍ ସହିତ ବଗି ଭିତରେ ପଡି ରହିଲା। ପୁରା ବଗିରେ ହଡକମ୍ପ ଖେଳି ଗଲା। “ହୋ ହଲ୍ଲା “ ଭିତରେ ଗାଡି ବେଗ ନେଇ ଯାଇ ଥିବାରୁ ଆଉ ନ ଅଟକି ଆଗକୁ ବଢିଲା। ରିତୁର ମନେ ପଡିଲା ଛିନତାଇ କରୁଥିବା ଲୋକର ହାତରେ ଚିତାକୁଟା ହୋଇ ଇଂରାଜୀରେ “ଏଚ୍” ଲେଖାଥିଲା। ତାଛଡା ତଳେ ନିର୍ଜୀବ ହେଇ ପଡିଥିବା କଟା ଆଙ୍ଗୁଳିରୁ ଗୋଟିକରେ ରୁପା ମୁଦିଟିରେ ମଧ୍ଯ “ଏଚ୍” ଲେଖା ଥିଲା। ଏଇ “ଏଚ୍”ବା ହେମନ୍ତ ଆଉ ସେଇ ଦିନର ଛିନତାଇ ବ୍ଯକ୍ତି ଯେ ଜଣେ ଲୋକ ସେଥିରେ କିଛି ସନ୍ଦେହ ନାହିଁ। ସେ ଏବେ କଣ କରିବ? ଲୋକଟା କଣ ତାକୁ ଚିହ୍ନି ପାରିଛି? ଉପର ବର୍ଥର ଯାତ୍ରୀ ମାନେ ନିଦ୍ରା ଗଲେଣି। ଟିଟିଇ ମଧ୍ଯ ଆଗକୁ ଗଲେଣି। ଭାବିଲା ଚେନ୍ ଟାଣି, ଗାଡି ଠିଆ କରି ପାଟି କରି ଟିଟିଇ କୁ ଡାକି ସେ ସବୁ କଥା କହିଦେବ। ପୁଣି ଭାବିଲା ତା କଥା ଅନ୍ଯ ମାନେ କାହିଁକି ବିଶ୍ବାସ କରିବେ? ତା ପାଖରେ ସେଇ ଖଡଗପୁର ପ୍ଲାଟଫର୍ମର ସେଦିନ ଛିନତାଇ କରୁଥିବା ହେମନ୍ତ ଓ ଆଜି ରାତିର ସହଯାତ୍ରୀ ହେମନ୍ତ ଜଣେ ବ୍ଯକ୍ତି ବୋଲି କି ପ୍ରମାଣ ଅଛି?


କିନ୍ତୁ ଲୋକଟି ରାତି ଅଧରେ ଯଦି ତାକୁ ଏକୁଟିଆ ପାଇ ଆକ୍ରମଣ କରେ ସେ କଣ କରିବ?  ପୁଣି ଚିନ୍ତା କଲା, ନା ଏ ସବୁ ସେ ମନୋଜକୁ ଫୋନ୍ କରି ଜଣାଇବ। ଆଶ୍ଚର୍ଯ୍ଯ କଥା, ଟିଟିଇ କୁ ଦେଖି ଯିଏ ମୁହଁ ଘୋଡାଇ ଲୁଚାଇ ରଖୁଥିଲା, ସେ ଯିବା ମାତ୍ରେ ପୁଣି ପୂର୍ବଭଳି ମୁହଁ ଖୋଲି କେମିତି ବର୍ଥରେ ପଡି ରହିଛି। ରିତୁ ଚିନ୍ତା କଲା ମନୋଜକୁ ସବୁକଥା କହି, କିଛି କିଛି ସମୟ ଅନ୍ତରାଳରେ ଫୋନ୍ କରି ସମ୍ପର୍କରେ ରହିବ। ଦେଖିଲା ଲୋକଟି ଏକ ଦୃଷ୍ଟିରେ ତାହାରି ଉପରେ ନଜର ରଖିଛି। ରିତୁ ମୁହଁ ବୁଲାଇଛି କି ନାହିଁ ଲୋକଟି ତାକୁ ଆଲୁଅ ଲିଭାଇ ରାତି ଆଲୁଅ ଜଳାଇବାକୁ କହିଲା। ଲୋକଟାର କିଛି ମନ୍ଦ ଉଦ୍ଦେଶ୍ଯ ଅଛି କି? ରିତୁର ସନ୍ଦେହ ବଢିଲା। ସେ ଫୋନ୍ କରିସାରି ଆଲୁଅ ଲିଭାଇବ ବୋଲି ଜଣାଇଲା। ମୋବାଇଲରେ ମନୋଜ ସହ ଲମ୍ବା କଥା ହେଲା। କଟକ ଅବା ଭୁବନେଶ୍ବରରେ ପୋଲିସ୍ କୁ କହି ଲୋକଟାକୁ ଅଟକାଇବା ପାଇଁ କହିଲା। ରାତି ଅଧରେ ପୋଲିସ୍ କୁ, ଗୋଟିଏ ଅସୁସ୍ଥ ଯାତ୍ରୀକୁ ଖାଲି ସନ୍ଦେହରେ ଅଟକ ରଖିବାକୁ, ମନୋଜ କେମିତି କହିବ?  

                                                   

ଆଲୁଅ ଲିଭାଇ ରିତୁ ସେମିତି ପଡି ରହିଲା। ସେହି ଅଳ୍ପ ଆଲୋକରେ ମଧ୍ଯ ଲୋକଟି ନ ଶୋଇ ତା ଉପରେ ନଜର ରଖିଥାଏ। ସେ ମଧ୍ଯ ରିତୁର ଫୋନ୍ କଥାବାର୍ତ୍ତା ମନ ଦେଇ ଶୁଣୁ ଥାଏ। ରିତୁର ଆଖିରୁ ନିଦ ହଜି ଗଲା। କିଛି କିଛି ସମୟ ଅନ୍ତରାଳରେ ମନୋଜକୁ ଫୋନ୍ କରୁଥାଏ। ତାକୁ ପୋଲିସ୍ କୁ ଖବର ଦେଇ ପଚରାଉଚୁରା କରିବାକୁ ବାଧ୍ଯ କରୁଥାଏ। ଦେଖିଲା ଯାତ୍ରୀଟି ଶୋଇ ପଡିଲା। ରିତୁକୁ ମନେ ହେଲା ୟେ କେବଳ ଶୋଇବାର ଛଳନା। ତାକୁ ଶୋଇବାର ଦେଖି ସେ ଶୋଇ ଗଲେ ଲୋକଟି ବୋଧହୁଏ ଆକ୍ରମଣ କରିବ। ରିତୁ ଆଖିର ପତା ପଡୁ ନଥାଏ। ତାକୁ ଲାଗିଲା ଯାତ୍ରୀଟି ଶୋଇବାର ଅଭିନୟ କରି ତା କଥାକୁ କାନ ଦେଇ ଶୁଣୁଛି।ତା ଓଡିଆ କଥା ବୁଝି ପାରୁଥିବ ନିଶ୍ଚୟ। ରିତୁ ସେମିତି ବର୍ଥରେ ପଡି ରହି ମଝିରେ ମଝିରେ ମନୋଜକୁ ଫୋନ୍ କରୁ ଥାଏ। କିଛି ନହେଲେ ମନୋଜକୁ ବରହମପୁରରେ ଲୋକଟାକୁ ଅଟକାଇ ପୋଲିସ୍ ରେ ଦେବାକୁ ବି କହିଲା। ଦେଖିଲା ବାଲେଶ୍ବର, ଭଦ୍ରଖ, ଯାଜପୁର ରୋଡ ଏମିତି ଗୋଟେ ପରେ ଗୋଟେ ଷ୍ଟେସନ୍ ଡେଇଁ ଗାଡି ଆଗକୁ ବଢୁ ଥାଏ। କଟକ ପହଞ୍ଚିବା ପୂର୍ବରୁ ଯାତ୍ରୀଟି ଉଠି ପଡି “କଟକ ପହଞ୍ଚିଲା କି?” ବୋଲି ରିତୁକୁ ପଚାରିଲା। ତାପରେ ମହିଳାଟି ସହିତ କଣ କଥା ହେଲା। ଗାଡି ଭୁବନେଶ୍ବର ଡେଇଁ ଖୋର୍ଦ୍ଧା ହେବା ମାତ୍ରେ ଉଭୟ ନିଜ ବ୍ଯାଗ୍ ଧରି କାହାରିକୁ କିଛି ନ କହି ଓହ୍ଲାଇ ଗଲେ। ରିତୁ ମୁହଁ ସେପଟ କରି ଦେଖିବା ବେଳକୁ ସେମାନେ ଗାୟବ୍।


                   ସାରା ରାତିର ଅନିଦ୍ରା ପରେ ରିତୁର କ୍ଳାନ୍ତ ଅବଶ ଆଖି ଯୋଡିକ ମୁଦି ହୋଇ ଆସୁଥାଏ। ଯାତ୍ରୀଦ୍ବୟଙ୍କ ତରବର ଅନ୍ତର୍ଦ୍ଧାନ କଥା ମନୋଜକୁ ଜଣାଇଲା ଓ ଆଉ କେଇ ଘଣ୍ଟା ନିଜକୁ ଜାଗ୍ରତରେ ରହିବାପାଇଁ ଚେଷ୍ଟା କଲା। ଭାବିଲା ବୋଧହୁଏ ଯାତ୍ରୀଦ୍ବୟ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଯାଉ ଥିବେ। ସେ ଅଯଥା ସନ୍ଦେହ କରୁ ଥିଲା। 


ଗାଡି ବରହମପୁର ପହଞ୍ଚିବା ବେଳକୁ ଭୋର ଚାରିଟା। ମନୋଜ ପ୍ଲାଟଫର୍ମରେ ଅପେକ୍ଷା କରିଥାଆନ୍ତି। ଗାଡିରେ ବସୁ ବସୁ ମନୋଜ କହିବାକୁ ଲାଗିଲେ ତୁମଠାରୁ ସବୁ ଶୁଣିବା ପରେ ମୁଁ ବରହମପୁର ରେଳବାଇ ପୋଲିସ ସହ କଥା ହୋଇଥିଲି। କିନ୍ତୁ ରାତି ଅଧଟାରେ, ଏତେ ଦିନ ତଳର ଘଟଣା ପାଇଁ, କେବଳ ସନ୍ଦେହ ଆଧାରରେ ଗାଡି ଅଟକାଇ ପଚରାଉଚୁରା କରିବା ଠିକ୍ ହେବ ନାହିଁ ବୋଲି ସେମାନ ଙ୍କୁ ମନା କଲି। ତୁମେ କିନ୍ତୁ ଠିକ୍ ସନ୍ଦେହ କରିଥିଲ। ସେମାନଙ୍କର ଟିକଟ୍ ଖୋର୍ଦ୍ଧା ନୁହେଁ ରାଜମହେନ୍ଦ୍ରୀ ପର୍ଯ୍ଯନ୍ତ ଥିଲା। ମୋତେ ଲାଗୁଛି ଆମର ଫୋନ ରେ କଥାବାର୍ତ୍ତା ଶୁଣି ଆଗକୁ କିଛି ଅଡୁଆ ପରିସ୍ଥିତି ଅନୁମାନ କରି ସେଥିରୁ ଦୂରରେ ରହିବାକୁ ସେମାନେ ଆଗତୁରା ଓହ୍ଲାଇ ପଳାଇଲେ।


(ସମାପ୍ତ)


Rate this content
Log in

Similar oriya story from Thriller