Dr Subas Chandra Rout

Thriller

4.3  

Dr Subas Chandra Rout

Thriller

ଚା ଦୋକାନୀର ଜୀବନ ସଂଘର୍ଷ

ଚା ଦୋକାନୀର ଜୀବନ ସଂଘର୍ଷ

13 mins
445


ସେଇ ଏକ ବର୍ଷର ଉପଦ୍ରବ ସହ୍ୟ କରିବାର ଯନ୍ତ୍ରଣା ଦାୟକ କାହାଣୀ ମନେପଡ଼ିଲେ ବୁଧିଆର ମନ ଅସ୍ୱସ୍ତିରେ ଭରି ଯାଏ । ଚଳଚ୍ଚିତ୍ର ଭଳି ମନ ପରଦାରେ ଭାସି ଉଠେ ସେଇ ସମୟର ଅଲିଭା ଘଟଣାବଳୀ ।

 ବୁଧିଆ ବାପା ପିଅନ ଚାକିରୀ କରୁଥିଲେ । ଚାରୋଟି ଛୁଆ ସହିତ ଛଅ ପ୍ରାଣୀଙ୍କୁ ପୋଷିବା ଦାୟିତ୍ଵ ମୁଣ୍ଡ ଉପରେ ଲଦା ହୋଇଥିଲା । ବୋଝ ଉପରେ ନଳିତା ବିଡ଼ା ଭଳି ପୁଅ ବୁଧିଆ ବିଏ ପରୀକ୍ଷାରେ ପାସ କରିପାରିଲାନି । ଅର୍ଥାଭାବ ସବୁବେଳେ ଲାଗି ରହିଲା ।

ଇଆଡ଼େ ସିଆଡ଼େ ଦିନାକେତେ ଭାଗାଙ୍କ ଭଳି ବୁଲିଲା ପରେ ବାପାଙ୍କଠାରୁ ବୁଧିଆ ଗାଳି ଖାଇଲା । “ପାଠ ନ ପଢ଼ିଲେ କିଛି କାମ କର ।” କୌଣସି ଅଭିଜ୍ଞତା ନଥାଇ କି କାମ କରିବ, ମୁଣ୍ଡରେ ପଶୁନଥିଲା । ଘର ପାଖର ସାଙ୍ଗମାନେ ଅଧିକ ପଢ଼ିବାକୁ ବା ଚାକିରୀ କରିବାକୁ ଚାଲିଗଲେ । ପାଖରେ କେହି ରହିଲେନି । ବସି ବସି ବିରକ୍ତ ହୋଇଗଲା ।

ଦିନକର କଥା: ମାଆକୁ ଡାକି ବୁଧିଆ କହିଲା, “ମାଆ, କପେ ଚା ଦିଅ ।”, “ବାପାରେ, ମୋତେ ବହୁତ ଜର ହେଉଛି । ଶୀତ ଶୀତ ଲାଗୁଛି । କମ୍ପ ବି ଆସୁଛି । ମୁଣ୍ଡ ବୁଲଉଛି । ଚୁଲି ମୁଣ୍ଡେ ବସିବାକୁ ବି ଶକ୍ତି ନାହିଁ । ଗୋଟିଏ କାମ କର । ଗୋଟିଏ ଚୌକି ଉପରେ ବସି ମୁଁ ବତେଇଦେବି ଆଉ ତୁ ଚା କର । ଚା ତିଆରି ବହୁତ ସହଜ । ତୁ କରିପାରିବୁ ।” ଅନିଚ୍ଛା ସତ୍ତ୍ୱେ ମାଆ ବତେଇବା ଅନୁସାରେ ବୁଧିଆ ଚା ତିଆରି କରି ପିଇଲା । ପାଟିକୁ ଭଲ ସୁଆଦ ଲାଗିଲା । ହଠାତ୍ ମୁଣ୍ଡକୁ ଜୁଟିଲା, ଆରେ ଚା ଦୋକାନ କଲେ ତ ହେବ, “ଇଉରେକା”। ଭାବିଲା, “ମୋତେ ତ ଚା କରି ଆସୁଛି, ବହୁତ ସହଜ । ଚୁଲିରେ ଡେକଚି ବସାଅ, ପାଣି ଫୁଟାଅ, ଚା ପତି, କ୍ଷୀର ଓ ଚିନି ପକାଅ । ଚା ତୟାର । ପାଟିକୁ ବି ସୁଆଦ ଲାଗୁଛି । ନିଜେ ନିଜେ ନାଚିବାକୁ ଲାଗିଲା । କମ ମୂଳଧନରେ ବି ହୋଇଯିବ । “ୟାହୁ”, ମୋତେ କାମ ମିଳିଗଲା । ତା’ ପରଦିନଠାରୁ ମାସେ ପର୍ଯ୍ୟନ୍ତ ଘରେ ବସି ଚା ତିଆରି କରିବା ଅଭ୍ୟାସ କଲା ଓ ସମସ୍ତଙ୍କୁ ପିଇବାକୁ ଦେଲା । ଚା ପିଇ ବାପା ଓ ମା ବହୁତ ଖୁସି ହେଲେ, “ଆରେ ଆମ ପୁଅ ତ ବଢ଼ିଆ ଚା କରୁଛି ।” 

ମାସେ ପରେ ଦିନେ ଡାକ୍ତରଖାନାକୁ ଗଲା । ସିଡିଏମଓଙ୍କ ସାଥିରେ ଅନୁମତି ନେଇ ସାକ୍ଷାତ କଲା । ସିଡିଏମଓ ପ୍ରଶ୍ନ କଲେ, “କଅଣ ଦରକାର ?” “ସାର୍, ମୁଁ ଗୋଟିଏ ଗରିବ ପିଲା । ବିଏ ପଢ଼ିଛି, କିନ୍ତୁ ମୁଁ ଭଲ ଛାତ୍ର ନୁହେଁ । ଚାକିରି ମିଳିବନି । ମୋ ବାପା ପିଅନ ଅଛନ୍ତି ଓ ଅଳ୍ପଦିନ ପରେ ଅବସର ନେବେ । ମୁଁ ଗୋଟିଏ କାମ କରିବାକୁ ଚାହୁଁଛି । ଆପଣ ଟିକିଏ ସାହାଯ୍ୟ କଲେ ଗୋଟିଏ ପରିବାର ବଞ୍ଚିଯିବ ସାର୍ ।’’ ତା ମୁହଁକୁ ଟିକିଏ ଅନେଇ ସିଡିଏମଓ କହିଲେ, “କି ସାହାଯ୍ୟ ଚାହୁଁଛ ?” “ଆଜ୍ଞା, ଆପଣ ଅନୁମତି ଦେଲେ ଡାକ୍ତରଖାନା ପାଚେରୀକୁ ଲଗେଇ ବାହାର ପାଖରେ ଗୋଟିଏ ଚା ଦୋକାନ କରିବି । ସାର, ଆପଣ ଓ ଆପଣଙ୍କ ନିଜ ଅତିଥିଙ୍କୁ ମାଗଣା ଚା ଦେବି । ଏଠାକୁ ଆସୁଥିବା ରୋଗୀ ଓ ତାଙ୍କ ସାହାଯ୍ୟକାରୀ ଲୋକମାନେ ମୋ ଦୋକାନରୁ ଚା ଜଳଖିଆ ନେଲେ ଆମ ଘରର ମାସକ ଖର୍ଚ୍ଚ ଉଠିଯିବ, ପେଟପୋଷା ହୋଇଯିବ ସାର । ଦୟା କରନ୍ତୁ ।”

ବୁଧିଆ କଥାରେ କି ଯାଦୁ ଥିଲା କେଜାଣି; କିଛି ସମୟ ଭାବିବା ପରେ ସିଡିଏମଓ କହିଲେ, “ହଉ କର, କିନ୍ତୁ ସେ ଯାଗା ପରିଷ୍କାର ପରିଚ୍ଛନ୍ନ ରଖିବୁ । ଆଉ ମଧ୍ୟ ଭଲ ଚା ତିଆରି ନ କଲେ ବା କିଛି ଗୋଳମାଳ କଲେ ପୋଲିସ ଡାକି ବାହାର କରିଦେବି । ସେତେବେଳେ ଆଉ କହିବୁନି, ସାର ମୋତେ ତଡ଼ିଦେଲେ ।” “ହଁ ସାର, ହଁ ସାର” କହି ସିଡିଏମଓ ଙ୍କ ପାଦ ଛୁଇଁ ଅଫିସ ବାହାରକୁ ଆସିଲା । ବାରଣ୍ଡାରେ ଦୁଇ ମିନିଟ “ୟାହୁ, ୟାହୁ” ଧୀରେ ଧୀରେ କହି ନାଚିବାକୁ ଲାଗିଲା । ଅଫିସ ବାହାରେ ବସିଥିବା ପିଅନ ତା’ ମୁହଁକୁ ଅନେଇ କହିଲା, “ଆଉ ମୋ ଭାଗ ।” “ତୁମକୁ ବି ଦେବି ଦାଦା ।“ ଭୃକୁଞ୍ଚନ କରି ପିଅନଟି ଅନେଇଲା, “ଦାଦା” ? ସହଜ ଗଳାରେ ଉତ୍ତର ମିଳିଲା, “ମୋ ବାପା ବି ପିଅନ ଅଛନ୍ତି । ଆପଣ ସେ ହିସାବରେ ମୋର ଦାଦା ହେଲେ ।” ପ୍ରସନ୍ନ ଚିତ୍ତରେ ଘରକୁ ଚାଲିଗଲା । 

ଗୋଟିଏ ପାଖରେ ଡାକ୍ତରଖାନାର ପାଚେରି ଥିଲା, ଅନ୍ୟ ତିନି ପାଖରେ ତଲେଇ ଆଣି ବାଉଁଶ ବତା ସାହାଯ୍ୟରେ ବନ୍ଧା ହେଲା । ସାମନା ପଟେ ଭିତରକୁ ଯିବା ଆସିବା କରିବାକୁ ବାଟ ରଖିଲା । ଛାତ ପାଇଁ ଉପରେ ଗୋଟିଏ ତାରପୁଲିନ ବାନ୍ଧିଦେଲା । ଗୋଟିଏ କୋଇଲା ଚୁଲି ଯୋଗାଡ଼ କରି ଆଣିଲା । ପୁରୁଣା ବେଞ୍ଚ ଦୁଇଟି ଓ ଦୁଇଟି ଟେବୁଲ ଘରୁ ଆଣି ଥୋଇଦେଲା । ଉଧାର କରି କପ, ପ୍ଳେଟ ଓ କାଚ ଗ୍ଳାସ ଆଣିଲା । କପ ପ୍ଳେଟ ଇତ୍ୟାଦି ଧୋଇବା ପାଇଁ ମୁନା ନାମକ ଗୋଟିଏ ପିଲା ରଖିଲା । ବିଶୁଦ୍ଧ ପାଣି ଦେବା ପାଇଁ ଗୋଟିଏ ଫିଲଟର ରଖିଲା ଓ ହାତ ତଥା ପ୍ଳେଟ ଧୋଇବା ପାଇଁ ଗୋଟେ ବଡ଼ ଢାବଲ ଆଣିଲା । ଗୋଟିଏ ଶୁଭ ଦିନ ଦେଖି ଦୋକାନ ଆରମ୍ଭ କଲା । ସିଡିଏମଓଙ୍କ ପାଖକୁ ଯାଇ ପ୍ରଥମ ଚା ତାଙ୍କୁ ଦେଲା । “ବାଃ, ଭଲ ଚା କରୁଛୁ ତ । ସୁନା ପୁଅ ।”

ଲୋକମାନେ ନୂଆ ଦୋକାନ ଦେଖି ସେଠାରେ ବସି ରୋଗୀଙ୍କର ଭଲ ମନ୍ଦ କଥା ଆଲୋଚନା କରନ୍ତି । ରୋଗୀ କଥାରୁ ଆରମ୍ଭ କରି ଦେଶର ଭଲ ମନ୍ଦ ଆଲୋଚନା ମଧ୍ୟ ଚାଲେ । ଲୋକମାନେ କିଛି ସମୟ ଗପସପ କରିବା ପରେ “ଆଜ୍ଞା, ଚା ଦେବି” କହିଲେ “ହଁ” କରନ୍ତି । ଆସିଲା ମାତ୍ରେ ଚା ପାଇଁ କାହାକୁ କହେନି ।

ଦୋକାନକୁ ବିଭିନ୍ନ ଧରଣର ଲୋକ ଆସନ୍ତି । ଦିନେ ଜଣେ ବାବୁ ଆସି ଚା ପିଇଲେ, ପଇସା ମାଗିଲାରୁ କହିଲେ, “ମୁଁ ହେଉଛି ମୁନିସିପାଲିଟିର ଲୋକ । ଯଦି ପଇସା ମାଗିବୁ, ତୋ ଦୋକାନକୁ ବୁଲଡୋଜର ଲଗେଇ ଭାଙ୍ଗିଦେବି, ବୁଝିଲୁ ।” ହତାଶ ହୋଇ ତାଙ୍କ ମୁହଁକୁ ବୁଧିଆ ଅନେଇଲା । ଗୋଟିଏ ଗରିବ ପିଲା ପ୍ରତି ମଧ୍ୟ ଏମାନଙ୍କ ଦୟା ନାହିଁ ! ଏମାନେ ମଣିଷ ନା ପଣସ ! ଭାବେ, ‘ହଉରେ ବାବା, ଏବେ ତୁମ ବେଳ ପଡିଛି, ମୋ ବେଳ କେତେବେଳେ ତ ଆସିବ । ଫେର ଭାବେ, ଗରିବ ଚା ବାଲା ମୁଁ, ମୋର ‘ବେଳ’ କୁଆଡ଼ୁ ଆସିବ !’ 

ରୋଗୀ, ରୋଗୀର ସହଯୋଗୀ, ପୋଲିସ, ଡାକ୍ତରଖାନାର କର୍ମଚାରୀ ଇତ୍ୟାଦି ସମସ୍ତେ ସେଠାରୁ ଚା ପିଅନ୍ତି । ପ୍ରାୟ ସମସ୍ତେ ପଇସା ଦିଅନ୍ତି, କିନ୍ତୁ ଦୁଇଟା ଗୁଣ୍ଡା ଆଦୌ ଦିଅନ୍ତି ନାହିଁ । ଜଣେ ଗୁଣ୍ଡାର ନାମ ବିଲୁ ଓ ଆଉ ଜଣକର ନାମ ମିଲୁ । ଚା ପିଇ ସାରି ପଇସା ମାଗିଲେ ଧମକ ଦିଅନ୍ତି । କହନ୍ତି, “ପଇସା ମାଗିଲେ ତୋ ଦୋକାନ ଭାଙ୍ଗିଦେବୁ । କଅଣ ଇଚ୍ଛା, ଚା ଦେବୁ ନା ଦୋକାନ ଭଙ୍ଗା ଦେଖିବୁ ।”

ନରମ ଗଳାରେ ବୁଧିଆ କହେ, “ଆଜ୍ଞାମାନେ, ମୋର ଅଭାବୀ ଛୋଟ ପରିବାର ଭୋକରେ ମରିଯିବେ । ଟିକିଏ ଦୟା କରନ୍ତୁ ।” ଗୁଣ୍ଡାମାନେ ହେଁ ହେଁ ହୋଇ ହସନ୍ତି । “ଚୁପ ହୋଇ ଚା ଦେ ।” 

 ଦିନେ ସେଇ ଗୁଣ୍ଡା ଦୁଇଜଣ ବସି କଥା ହେଉଥାଆନ୍ତି: “ଆରେ ବିଲୁ, କଅଣ କରିବା । କିଛି ରୋଜଗାର ନାହିଁ, ଭୋଟ ମଧ୍ୟ ଏବେ ନାହିଁ । ଭୋଟ ଥିଲେ ମାଲାମାଲ ହୁଅନ୍ତେ । ଟାଉନରେ କିଛି ଗୋଳମାଳ ବି ହେଉନି । ଦଙ୍ଗା ଫସାଦ ବି ନାହିଁ । କୋଉଠୁ ଟଙ୍କା ପାଇବା । ଏ ରାଜନୀତିଆ ବାଲା ଦରକାର ବେଳେ ଗେଲ୍ହେଇ ହୋଇ କଥା ହୁଅନ୍ତି । କାମ ସରିଲେ ଖାଲି ମଦ ଘଡ଼ା ଭଳି ଫୋପାଡ଼ି ଦିଅନ୍ତି ।”

“ଆଜି ମଦ ପିଇବାକୁ ପଇସା ନାହିଁ । ଗଲା ବର୍ଷ ଛିନତାଇ କରି ଛଅ ମାସ ଜେଲରେ ରହିଲେ । ଯାହା ଆୟ ଥିଲା, ସେ ଓକିଲ ବାବୁମାନେ ଲୁଟିନେଲେ । ଏ ଦୁନିଆରେ କିଏ ଲୁଟ ତରାଜ ନ କରୁଛି ଯେ; ଆଉ ଆମେ ଟୋପେ ମଦ ପିଇବାକୁ ଛିନତାଇ କଲେ ଜେଲ ? ଏଇଟା କଅଣ ନ୍ୟାୟ ! ଯଦି ସମସ୍ତେ ସାଧୁ ହୁଅନ୍ତେ ତେବେ ଆମକୁ ଅସୁବିଧା ହୁଅନ୍ତାନି । କଅଣ କରିବା ? ବିଲୁ, ଗୋଟେ ଆଇଡିଆ ଦେ । ତୁ ବୁଦ୍ଧିମାନ ପିଲା । ତୋ ମୁଣ୍ଡର ଦହିକୁ ଟିକିଏ ଚହଲା ।”

ବୁଧିଆ ଭାବିଲା, ଏ ଲୋକଗୁଡ଼ାକ ଧନ ଓ ମନ, ଉଭୟରେ ପ୍ରକୃତ ଗରିବ । ଏମାନେ ମୋ’ଠାରୁ ବି ଗରିବ । କାମ ନ କରି ମଉଜ କରିବାରେ ମନ । ହଉ, ଦେଖାଯାଉ ଏମାନଙ୍କ କରାମତି । 

ବୁଧିଆର ଦୋକାନ ଭଲ ଭାବରେ ଚାଲିଲା । କିଛି ଦିନ ପରେ ଭୋର ସମୟରେ ଘରୁ ମାଆ ପାଖରୁ କିଛି କଞ୍ଚା ଶିଙ୍ଗଡା ଆଣି ଦୋକାନରେ ରଖିଲା । ଲୋକ ସକାଳୁ ଜଳଖିଆ ଖୋଜନ୍ତି । ରିଫାଇନ୍ ତେଲରେ ଛାଣି ଲୋକଙ୍କୁ ଶିଙ୍ଗଡ଼ା ଦିଏ । ସଜ ଶିଙ୍ଗଡ଼ା ଏତେ ସକାଳୁ ଖାଇବାକୁ ପାଇ ଲୋକ ଖୁସ୍ ହୁଅନ୍ତି । ଯାହା ମୂଲ୍ୟ ମାଗିଲେ ଦିଅନ୍ତି । ଅସଲ କଥା ହେଲା, ପାଟିକୁ ସୁଆଦ ଲାଗିବାର ଅଛି ।

ଗୋଟିଏ କଣ୍ଟା କିନ୍ତୁ ସବୁବେଳେ ବୁଧିଆ ଛାତିରେ ଫୋଡ଼ି ହେଉଥାଏ । ଭାବେ, ଏ ଶଳା ଗୁଣ୍ଡା ଦୁଇଟାକୁ କେମିତି ଭଗେଇବି ? କିଛି ସୂତ୍ର ପାଏନି । ନିଜକୁ ନିଜେ କହେ, “ବେଟା ଧୈର୍ଯ୍ୟ ଧର । ସାଇଁ ବାବା କହିଛନ୍ତି, “ଶ୍ରଦ୍ଧା, ସବୁରି ।” ଏଡ଼େ ବଡ଼ ଲୋକର ଉପଦେଶ ନିଶ୍ଚୟ ରଖିବି । ନିଶ୍ଚୟ ଫଳ ମିଳିବ ।” 

ଦିନେ ଦୁଇ ଗୁଣ୍ଡା ବସିଥିଲା ବେଳେ ଗୋଟିଏ ରୋଗୀର ଦୁଇ ଜଣ ଲୋକ ଆସିଲେ ଓ କଥା ହେଲେ । ଜଣେ କହିଲା, “ମାମୁଁ ! ମାଇଁ ତ ଭଲ ହେଉ ନାହାନ୍ତି । ଯାହା ଟଙ୍କା ପଇସା ଆଣିଥିଲେ, ସବୁ ସରି ଆସିଲାଣି । କଅଣ କରିବା ।” ମାମୁଁ କହିଲେ, “ଭଣଜା, ମୋତେ ଲାଗୁଛି, ସେ ଶଳା ଡାକ୍ତର ଟଙ୍କା ଖୋଜୁଛି । ଆମ ପାଖରେ ଟଙ୍କା ନାହିଁ । ସେଥିଯୋଗୁ ଠିକ୍ ଭାବରେ ଦେଖୁନି । ଭଣଜା କହିଲା, “କିନ୍ତୁ ମୁଁ ଶୁଣିଛି, ସେ ଡାକ୍ତର ଅତି ଭଲ ଲୋକ । କେଜାଣି ସେ ରୋଗଟି ଭଲ ହେବାକୁ ବୋଧହୁଏ ଡେରି ହୁଏ । ସବୁ ରୋଗ କଅଣ ସାଙ୍ଗେ ସାଙ୍ଗେ ଭଲ ହୋଇଯାଏ କି ? ଆମର ଟଙ୍କା ନାହିଁ ବୋଲି ଭାବନା ପଡ଼ିଛି ।” 

ମାମୁଁ ଭଣଜା ଯାଇ ସାରିବା ପରେ ହଠାତ୍ ବିଲୁ ପାଟି କରି କହିଲା, “ଆରେ ମିଲୁ, ଆଇଡିଆ ମିଳିଗଲା । ଆଉ କିଛି ଅସୁବିଧା ହେବନି । ଏତେ ଭଲ ଓ ସହଜ ଧନ୍ଦା ଅଛି । ମୋ ମୁଣ୍ଡରେ କେମିତି ପଶୁନଥିଲା କେଜାଣି ! ମାଛ ତେଲରେ ମାଛ ଭଜା ହେବ ।” ମିଲୁ କହିଲା, “ବିଲୁ, ତୁ ବାଇଆ ହେଲୁକି । ନିଶା ଟିକିଏ ବେଶି ଚଢ଼ିଛି ବୋଧେ ।”

ହାଃ ହାଃ, ମୁଁ ବାଇଆ ହେଇନିରେ ସାଙ୍ଗ । ଗୋଟିଏ ସହଜ ବାଟ ଖୋଜି ପାଇଛି । ରୋଗୀ ଓ ତାଙ୍କ ଲୋକଙ୍କ ସାଥିରେ ଦୋସ୍ତି କରିବା । ତାଙ୍କୁ ସାହାଯ୍ୟ କରିବା ଆଳରେ ଡାକ୍ତରଙ୍କୁ ଧମକେଇବା । ରୋଗୀ ଓ ଡାକ୍ତର, ଉଭୟଙ୍କଠାରୁ ଟଙ୍କା ଝଡ଼େଇବା । ଜାଣ, ମାଛ ତେଲରେ ମାଛ ଭାଜିବା । ଡାକ୍ତରଗୁଡ଼ା ଅତି ମାଇଚିଆ । ସେମାନଙ୍କର ଆମ ଭଳି ଏକତା ନଥାଏ । ତାଙ୍କୁ ଶୋଷଣ କରିବା ଅତି ସହଜ । କାଲି ଜିନିଷ ଯୋଗାଡ଼ କରିବା ଓ ପଅର ଦିନଠାରୁ କାମ ଆରମ୍ଭ କରିଦେବା । ତିନିଟା ପ୍ଲାଷ୍ଟିକ ଚୌକି ଓ ଗୋଟିଏ ବଗିଚା ଛତା ଦରକାର । ଗୁରୁବାର ଦିନ ‘ଓଁ ଗଣେଶାୟ ନମଃ’ କରିବା ।

ବିଲୁ ମିଲୁ ଗଲା ପରେ ବୁଧିଆ ଭାବିଲା, “ଆରେ! ଏ ଲୋକଗୁଡ଼ା ତ ମହା ଗୋଳମାଳିଆ ଲୋକ । ଏଠି ମୋ ଆଗରେ ବସିଲେ କଅଣ ନାହିଁ କଅଣ କରିବେ, କେଜାଣି ।” ଡାକ୍ତରବାବୁମାନଙ୍କୁ ସତର୍କ କରିଦେବି । ସେମାନେ ମୋର ନିତିଦିନିଆ ଗରାଖ ।

ଡାକ୍ତରଖାନା ସାମନାରେ ଲମ୍ବିଯାଇଥାଏ ରାସ୍ତା, ତାକୁ ଲାଗି ପବ୍ଲିକ ନାଳ, ତାକୁ ଲାଗି ଛଅ ଫୁଟର ଖାଲି ଯାଗା ଥିଲା ଓ ତା ସେପାଖରେ ଡାକ୍ତରଙ୍କର ରହିବା ଘର ଥିଲା । ଗୁରୁବାର ଦିନ ଦେଖାଗଲା, ସେଇ ଖାଲି ଜାଗାରେ ଗୋଟିଏ ବଡ଼ ‘ବଗିଚା ଛତା’ ଟାଣି ତା ତଳେ ବିଲୁ ମିଲୁ ବସିଛନ୍ତି । ଗୋଟିଏ ବଡ଼ ପୋଷ୍ଟର ଘରର ପାଚେରି କାନ୍ଥରେ ମରା ହୋଇଛି । ଉପରେ ବଡ଼ ଅକ୍ଷରରେ ଲେଖାଅଛି ‘ସାହାଯ୍ୟ’ । ତା’ ତଳେ ଲେଖାଥିଲା, ଡାକ୍ତରଖାନାରେ ରୋଗୀମାନଙ୍କର କିଛି ଅସୁବିଧା ହେଲେ ଆମକୁ ଦେଖା କରନ୍ତୁ । ଆମେ ସାହାଯ୍ୟ କରିବୁ । ସେ ଜାଗାଟି ଠିକ ବୁଧିଆ ଦୋକାନ ସାମନାରେ ଥିଲା । ସେମାନେ ବଡ଼ ପାଟିରେ ସର୍ବଦା କଥା ହୁଅନ୍ତି । ସେଠାରେ ଯାହା କଥାବାର୍ତ୍ତା ହୁଅନ୍ତି ସବୁ ଶୁଣାଯାଏ ।

ଏଇଟା ଗୋଟିଏ ସାଧାରଣ କଥା ଯେ, ଘରେ କାହାର ରୋଗ ହେଲେ ଦିନେ ଦୁଇଦିନ ଘରୋଇ ଉପଚାର କରାଯାଏ । ପ୍ରଥମରୁ ସିରିଅସ ଥିଲେ ବା କିଛି ଉପଶମ ନହେଲେ ଡାକ୍ତରଖାନା ନିଆଯାଏ । ବେଳେ ବେଳେ ହଠାତ ରୋଗ ବଢ଼ିଯାଏ । ରୋଗୀଙ୍କ ଲୋକ ସବୁବେଳେ ଆଶା କରନ୍ତି; ମ୍ୟାଜିକ ଭଳି ରୋଗ ଭଲ କରିବା ଦାୟିତ୍ଵ ଡାକ୍ତରଙ୍କର । ବୁଧିଆ ମଧ୍ୟ ଦେଖିଲା, ସବୁବେଳେ ରୋଗ ତୁରନ୍ତ ଭଲ ହେବା ଆଶା ଲୋକମାନେ ରଖନ୍ତି ।

ତା’ର ଛୋଟ ବୁଦ୍ଧିରେ ବୁଧିଆ ଭାବେ, ଏମିତି ଚାହିଁଲା ମାତ୍ରେ କେମିତି ରୋଗ ଭଲ ହେବ ! ହଜାର ରକମର ରୋଗ ଅଛି । ଡାକ୍ତରମାନଙ୍କ ପାଖରୁ ଶୁଣିଛି, ନଖରୁ ବାଳ ଯାଏ, ଚମରୁ ହାଡ଼ଯାଏ ସବୁଠି ରୋଗ ହୁଏ । ଭୁଇଁ ଭିତରେ କେଉଁଠି ପୋତା ମାଲ୍ ଅଛି ଜାଣିବା ଯେମିତି କଷ୍ଟ, ଚୋରି ହେଲେ ଚୋରକୁ ସାଙ୍ଗେ ସାଙ୍ଗେ ଠାବ କରିବା ଯେମିତି କଷ୍ଟ, ଦେହରେ କେଉଁଠି ରୋଗ ଅଛି ଜାଣିବା ଠିକ ସେମିତି କଷ୍ଟସାଧ୍ୟ ।

“ଆରେ ମିଲୁ, ଯାଅ ତ, ସେ ମାମୁଁ ଭଣଜା ଦୁଇଟାକୁ ଫସେଇ ଧରି ଆଣିବୁ ।” ମିଲୁ ୱାର୍ଡ ଭିତରକୁ ଚାଲିଗଲା । ମାମୁଁ ଭଣଜା ଦୁଇଟାଙ୍କୁ ଡାକି ଆଣିଲା ‘ସାହାଯ୍ୟ’ ସ୍ଥାନକୁ । ବୁଧିଆ ଦୋକାନ ସାମନାରେ ଠିଆହୋଇ କଅଁଳେଇ ହୋଇ କହିଲା, “ବାବୁ ତୁମ ରୋଗୀର କଅଣ ହୋଇଛି । ବହୁତ ଦିନ ହେବ ମୁଁ ଦେଖୁଛି ତୁମେମାନେ ଏଠି ଅଛ । କେଉଁ ଡାକ୍ତର ଦେଖୁଛନ୍ତି ?“ ମୁହଁ ଶୁଖେଇ ମାମୁଁ କହିଲେ, “ଦୀନବନ୍ଧୁ ସାର ଦେଖୁଛନ୍ତି ।” “ଆମକୁ ମାତ୍ର ଦୁଇ ଶହ ଟଙ୍କା ଦିଅ, ଆମେ ସବୁ ଠିକ କରିଦେବୁ ।” ଆଉ ଅଧିକ କିଛି ଖର୍ଚ୍ଚ ହେବନି । କେତେ ନମ୍ବର ବେଡରେ ଅଛନ୍ତି କହ । ବାକି ଯାହା ଦରକାର ହେବ, ଆମେ ସମ୍ଭାଳିବୁ । ମାମୁ ଭଣଜା ଦୁହେଁ ପରସ୍ପରକୁ ଅନେଇଲେ । ନଈବଢ଼ିରୁ କୁଟାଖିଏ ମିଳିଲେ ବି ଆସ୍ୱସ୍ତ ଲାଗେ । ହତାଶ ଲୋକର ମୁଣ୍ଡ ଠିକ୍ କାମ କରେନି । ବୁଧିଆ ଅନେଇଛି, ଦୁଇ ଶହ ଟଙ୍କା ନେଇଗଲେ । ବହୁତ ଦୁଃଖ ଲାଗିଲା । ଗରିବ ପେଟକୁ ଗରିବ ଚିହ୍ନେ । ମାମୁ ଭଣଜାଙ୍କୁ କିଛି କହି ପାରୁନି କି ସହି ପାରୁନି । 

ମାମୁଁ ଭଣଜା ଗଲା ପରେ ବିଲୁ କହିଲା, ଆରେ ମିଲୁ, ଏତେ ଦିନପରେ ଟଙ୍କା ମିଳିଲା । ଆଜି ରାତିରେ ଖାସି ମାଂସ ସାଥିରେ ପେଟେ ମଦ ପିଇବା । ଓହୋ, ମଦ ନ ପଡ଼ି ପାଟିଟା ପିତୁଳିଆ ହୋଇଯାଇଥିଲା ।

ତା’ପରଦିନ ମିଲୁ ୱାର୍ଡକୁ ଯାଇ ଡାକ୍ତର ଦିନବନ୍ଧୁ ସାର୍‌ଙ୍କ ସାଥିରେ ସାକ୍ଷାତ କରି କହିଲା, “ସାର୍, ସେ ୧୦୦ ନମ୍ବର ବେଡରେ ଯେଉଁ ରୋଗୀ ଅଛି ସେ କାହିଁକି ଆଜିଯାଏ ଭଲ ହେଉନି ?” “ତାର କ୍ୟାନସର ରୋଗ ହେଇଛି । ଏ ରୋଗ ଭଲ ହେବା କଷ୍ଟ । ଏଇ ଛୋଟ ଡାକ୍ତରଖାନାରେ ଏହାର ଚିକିତ୍ସା ସମ୍ଭବ ନୁହେଁ । କେବଳ କ୍ୟାନସର ଡାକ୍ତରଖାନାରେ ଏହାର ଚିକିତ୍ସା କରାଯାଏ ।” ଧମକ ଦେଇ ମିଲୁ କହିଲା, “ତୁମେ ଡାକ୍ତରୀ ପାଠ ପଢ଼ିନ କି ? ସିଏ କାହିଁକି ସେଠିକି ଯିବେ । ତୁମେ ଅଲବତ ତାକୁ ଏଇଠି ଭଲ କରିବ ।” ଆବାକାବା ହୋଇ ଡ: ଦୀନବନ୍ଧୁ ତାକୁ ଅନେଇ ଚୁପଚାପ ଚାଲିଗଲେ । ଛତରାକୁ ଉତ୍ତର କାହିଁ ! ପଛରୁ ଡାକି ମିଲୁ କହିଲା, “ଭଲ ଦଶା ଅଛି ଯଦି ତାଙ୍କୁ ଚଞ୍ଚଳ ଭଲ କର ।”

କିଛି ଦୂରକୁ ଯାଇ ଥାନା ଇନ ଚାର୍ଜଙ୍କୁ ଫୋନ କରି ଡାକ୍ତର ଏ ବିଷୟ ଜଣେଇଦେଲେ । ଉତ୍ତର ଆସିଲା, ହଁ ସାର, ମୁଁ ଦେଖୁଛି । ବର୍ତ୍ତମାନ ଟିକିଏ ବ୍ୟସ୍ତ ଅଛି । କାମ ସାରି ଯିବି ସାର । କିନ୍ତୁ ଫଳ କିଛି ହେଲା ନାହିଁ । ସାତ ଦିନ ପରେ ବୁଧିଆ ଦେଖିଲା, ମାମୁ ଭଣଜା ତାଙ୍କ ରୋଗୀଙ୍କୁ ନେଇ ଘରକୁ ଫେରିବାକୁ ଉଦ୍ୟତ ହେଉଛନ୍ତି । ଦୁହେଁ ଦୁଃଖରେ ମ୍ରିୟମାଣ ଦେଖାଯାଉଛନ୍ତି । ଚା ଦୋକାନରେ ଅଟକି ଚା ଜଳଖିଆ ଖାଇଲେ । ବୁଧିଆ ପଚାରିଲା, “ଆଜ୍ଞା, ରୋଗୀ ଭଲ ହୋଇଗଲେ କି ?” ରୋଗୀ ଓ ତାଙ୍କ ଲୋକଙ୍କ ଆଖିରୁ ଲୁହ ଝରିଗଲା । “ଏ ଶଳା ଗୁଣ୍ଡା ଆମକୁ ଠକି ଦୁଇ ଶହ ଟଙ୍କା ନେଇଗଲା, କିଛି ଉପକାର କଲାନି । ଆମେ ହେଲେ ସେଇ ଡାକ୍ତରଙ୍କୁ ସେ ଟଙ୍କା ଦେଇଥାଆନ୍ତୁ । ତାଙ୍କର ପାରୁ ପର୍ଯ୍ୟନ୍ତ ସେ ଚିକିତ୍ସା କଲେ । ଆମ ଦୁର୍ଭାଗ୍ୟ ।”

ଏଇ ସିଲ୍ ସିଲା ଚାଲୁ ରହିଲା । ବିଲୁ ମିଲୁ ଦୁହେଁ ରୋଗୀଙ୍କ ସାମନାରେ ପ୍ରତ୍ୟେକ ଡାକ୍ତରଙ୍କୁ ଧମକା ଚମକା କରନ୍ତି । ଦେଖେଇ ହୁଅନ୍ତି, ଆମେ ରୋଗୀ ପାଇଁ କାମ କରୁଛୁ । ନିୟମିତ ଚିକିତ୍ସା ଫଳରେ ଭଲ ହେଉଥିବା ରୋଗୀଙ୍କଠାରୁ ମଧ୍ୟ ଟଙ୍କା ଆଦାୟ କରନ୍ତି । ଡାକ୍ତରମାନେ ବ୍ୟତିବ୍ୟସ୍ତ ହୋଇଗଲେ ଏ ଉପଦ୍ରବରେ । ଡାମୋକ୍ଲେଶ ଖଣ୍ଡା ଭଳି ଡାକ୍ତରମାନଙ୍କ ମୁଣ୍ଡ ଉପରେ ଗୁଣ୍ଡାଙ୍କ ଧମକ ସବୁବେଳେ ଝୁଲୁଥାଏ । ହାତ ନ ଲଗେଇଲେ ମଧ୍ୟ ବଡ଼ ପାଟିରେ ଶୋଧାଶୋଧି କରନ୍ତି ।  

ପୋଲିସ ମଧ୍ୟ କୌଣସି ପ୍ରତିକାର ନ କରି ଚୁପ ହୋଇ ବସିଥାଏ । ଗୁଣ୍ଡାଙ୍କଠାରୁ ବଟି ନେଇଥାଆନ୍ତି କି କଅଣ ! ବୁଧିଆ ବେଳେ ବେଳେ ଭାବେ, ‘ହେ ଭଗବାନ ! ଏହାର ଶେଷ କେଉଁଠି ?’ ସନ୍ଧ୍ୟା ହେଲେ ଡାକ୍ତରଖାନାର ବାତାବରଣ ନିସ୍ତବ୍ଧ ହୋଇଯାଏ ।

ଏ ସଂସାରରେ ଚିରନ୍ତନ କିଛି ନାହିଁ । ନିଉଟନଙ୍କ ଥିଓରି ଅନୁସାରେ ପ୍ରତ୍ୟେକ କ୍ରିୟାର ଏକ ସମାନ ଓ ବିପରୀତ ପ୍ରତିକ୍ରିୟା ଥାଏ । ଏହି ଥିଓରି କେବଳ ପଦାର୍ଥ ବିଜ୍ଞାନ ପାଇଁ ଯେ ପ୍ରଯୁଜ୍ୟ ତାହା ନୁହେଁ, ସଂସାରର ପ୍ରତ୍ୟେକ କର୍ମ ପାଇଁ ଏହା ଏକ ନିଚ୍ଛକ ସତ୍ୟ । ମନ୍ଦ କର୍ମର ଫଳ ନିଶ୍ଚୟ ମିଳେ । 

ସେଇ ରାସ୍ତାର ଅନତି ଦୂରରେ ବ୍ଲଡ଼ ବ୍ୟାଙ୍କ ଥାଏ । ଲୋକମାନେ ଆସି ବୁଧିଆକୁ ସେହି ସ୍ଥାନ ବିଷୟରେ ପଚାରି ବୁଝନ୍ତି । ରବିବାର ଦିନ ଦଶଟା ବେଳେ ବୁଧିଆ ଦେଖିଲା, ନୂଆ ଥାନା ଇନ ଚାର୍ଜ ଆସୁଛନ୍ତି । ବଡ଼ ପାଟିରେ ଡାକିଲା, “ସାର୍ ଆଜ୍ଞା, ଆସନ୍ତୁ ଚା ପିଇବେ ।” ଥାନା ବାବୁ ଆସି ବୁଧିଆ ଦୋକାନରେ ବସିଲେ । ଚାହାରେ ସର ଓ ମସଲା ପକେଇ ଥାନା ବାବୁଙ୍କ ହାତକୁ କପଟିଏ ବଢ଼େଇଦେଲା । ବାବୁଙ୍କ ମୁହଁ ବହୁତ ଚିନ୍ତାଗ୍ରସ୍ତ ଦେଖାଯାଉଥିଲା । ଅଳ୍ପ ପିଇଲା ପରେ କହିଲେ, “ବାଃ, ଭଲ ଚା କରୁଛ ତ ! ଏ ଟାଉନରେ ଏଭଳି ସୁସ୍ୱାଦୁ ଚା ମୁଁ ଆଦୌ ପିଇନି ।” ବୁଧିଆ କହିଲା, “ସାର, ଆପଣଙ୍କ ସୁଦୟାରେ ବଞ୍ଚିଛି ମୁଁ ।”

“ଆପଣଙ୍କର କେହି ରୋଗୀ ପଡ଼ିଛନ୍ତି କି ?” “ମୋ ପୁଅର କାଲି ଆକ୍ସିଡେଣ୍ଟ ହୋଇଗଲା । ଦେହରୁ ବହୁତ ରକ୍ତ ବୋହିଯାଇଛି । ତୁରନ୍ତ ରକ୍ତ ଦରକାର । ରକ୍ତ ଆଣିବାକୁ ଯାଉଛି ।” “ଆହା ! ପୁଅ ବହୁତ ସିରିଅସ୍ ଥିବେ । ସାର, ଚାଲନ୍ତୁ, ମୁଁ ଆପଣଙ୍କ ସାଥିରେ ଯିବି । ଆରେ ମୁନା, ଲୋକ ଆସିଲେ ଚା ଦେବୁ, ଏବେ ଗରାଖ ତ ନାହାନ୍ତି । ମୁଁ ସାରଙ୍କୁ ନେଇ ବ୍ଲଡ଼ ବ୍ୟାଙ୍କକୁ ଯାଉଛି ।” 

ଦୁହେଁ ଯାଇ ବ୍ଲଡବ୍ୟାଙ୍କରେ ପହଞ୍ଚିଲେ । ସେଠାର କର୍ମକର୍ତ୍ତାଙ୍କୁ କାଗଜ ଦେଖେଇ ରକ୍ତ ଦେବାକୁ ଅନୁରୋଧ କଲେ । କହିଲେ, “ମୁଁ ନୂଆ ଥାନା ଇନଚାର୍ଜ । ମୋ ପୁଅ ସିରିଅସ ଅଛି । ମୋତେ ଟିକିଏ ଶୀଘ୍ର ରକ୍ତ ଦେବା ବନ୍ଦବୋସ୍ତ କର ।” 

ଠିକ୍ ସେତିକିବେଳେ ବିଲୁ ମିଲୁ ଯାଇ ସେଠାରେ ପହଞ୍ଚିଲେ । ବଡ଼ ପାଟି କରି ତାଙ୍କୁ ଆଗ ରକ୍ତ ଦେବାକୁ କହିଲେ । “ଆମକୁ ୧୦ ବୋତଲ ରକ୍ତ ଦିଅ । ଆମକୁ ଦେଲା ପରେ ଆଉ ଯାହାକୁ ଦେବା କଥା ଦିଅ । ତୁମ ପାଖକୁ ସେମାନେ କାହିଁକି ଆସିବେ ଯେ ? ତୁମେ ବହୁତ ଡେରି କରୁଛ । ଆମକୁ ମାଗିଲେ ଆମ ସାଙ୍ଗେ ସାଙ୍ଗେ ବିକି ଦେବୁ ।” ଥାନା ବାବୁ ଅବାକ୍ ହୋଇ ଦୁଇ ଜଣଙ୍କୁ ଅନେଇଲେ । ଦୁହେଁ ମଦ ନିଶାରେ ଟଳଟଳ ହେଉଥାନ୍ତି । ବ୍ଲଡ ବ୍ୟାଙ୍କ କର୍ମଚାରୀ କହିଲେ, “ରକ୍ତଟା ମଦ ନୁହେଁ, ଯେତେ ବୋତଲ ମାଗିବ ସେତେ ଦେବୁ ।” ଏକଥା ଶୁଣି ବିଲୁ ମିଲୁ ଟେବୁଲ ବାଡ଼େଇ କହିଲେ, ଦବନି କଅଣ ? ଅଲବତ ଦବ । କେମିତି ଦେବନି ଦେଖିବା ।  

ଏତିକି ବେଳେ ଥାନା ବାବୁଙ୍କୁ ଅନେଇଲେ । “ଓଃ, ପୁଲିସି ବାବୁ, ଇଏ ଆମର କଅଣ କରିବେ ? ଆମେ ପରା ରାଜନୀତିଆଙ୍କ ଡାହାଣ ହାତ, ହାଃ ହାଃ ।” ଚୁପ ଚାପ ରକ୍ତ ନେଇ ଥାନା ବାବୁ ବାହାରକୁ ଆସିଲେ । ପଛ ପାଖରୁ ଗୁଣ୍ଡାଙ୍କ ପୈଶାଚିକ ହସ ଭାସି ଆସୁଥାଏ: ହେଃ, ଥାନା ବାବୁ ଡରିକରି ପଳେଇଲେ । ବୁଧିଆ ଏ ପର୍ଯ୍ୟନ୍ତ ଚୁପଚାପ ଠିଆ ହୋଇ ସବୁ ଶୁଣୁଥିଲା ।

ଥାନା ବାବୁଙ୍କ ସାଙ୍ଗେ ବାହାରକୁ ଆସି କହିଲା, “ଆଜ୍ଞା, ଏ ଦୁଇଟା ଡାକ୍ତରଖାନାରେ ବହୁତ ବଦମାସୀ କରୁଛନ୍ତି । ଭଲ ଡାକ୍ତରଙ୍କୁ ରୋଗୀଙ୍କ ସାମନାରେ ଗାଳି କରି ବଟି ଆଦାୟ କରୁଛନ୍ତି । ପ୍ରତି ଦିନ ମୋଠାରୁ ଦୁଇଜଣ ମିଶି ପାଞ୍ଚ ଛଅ ଥର ଚା ପିଉଛନ୍ତି । ଆଜ୍ଞା, ପ୍ରତି ଦିନ ଦଶ ବାର କପ ଚା ମୋର କ୍ଷତିରେ ଯାଉଛି । ଏମାନଙ୍କ ଉପଦ୍ରବରେ ସମସ୍ତ ଭୟରେ ଥରହର ।” ବୁଧିଆ ତା’ ଦୋକାନରେ ରହିଲା । ଥାନା ବାବୁ ୱାର୍ଡକୁ ଯାଇ ଦିଦିଙ୍କ ହାତକୁ ରକ୍ତ ବୋତଲଟି ବଢ଼େଇ ଦେଲେ ।

ବୁଧିଆ ଦେଖିଲା, ଥାନା ବାବୁ ଫେରି ଆସି ଆଉ ଥରେ ବ୍ଲଡ଼ ବ୍ୟାଙ୍କ ଯାଉଛନ୍ତି । ତାଙ୍କ ପଛେ ପଛେ ସେ ବି ଗଲା । ଥାନା ବାବୁ ବ୍ୟାଙ୍କ ଭିତରକୁ ପଶିଲେ । ସେ ପର୍ଯ୍ୟନ୍ତ ବିଲୁ ମିଳୁ ସେହିଭଳି ପାଟି ତୁଣ୍ଡ କରୁଥାନ୍ତି । ବାବୁ ଯାଇ ଆଗ ବିଲୁ କଲାରକୁ ଧରି କହିଲେ, “କଅଣ କହିଲୁ ଶଳା, ତୁ ରାଜନୀତିଆଙ୍କ ଡାହାଣ ହାତ । ମୁଁ କିଏ ତୁ ଜାଣିନୁ । ମୁଁ ହେଉଛି ମୁଖ୍ୟ ମନ୍ତ୍ରୀଙ୍କ ଡାହାଣ ହାତ ଆଉ ତମେ ଦୁଇଟା ପଚା ନାଳର କୀଟ । ବୁଝିଲ କି ନାହିଁ” କହି ତା ଗାଲରେ ଢୋ ଢା କରି ଚାପୁଡ଼ା କଷିଦେଇଗଲେ । କିଛି ବୁଝିବା ଆଗରୁ ସେ ସେଇଠି ଗଡ଼ି ପଡ଼ିଲା । ମିଲୁ ପାଟିକଲା, “ଆରେ ଥାନା ବାବୁ ମାରି ପକେଇଲେ, ମାରିଦେଲେ ରେ ।” ମିଲୁ ଜାମାକୁ ଟାଣି ଧରି ଗାଲକୁ ଚାପୁଡ଼ାରେ ସେକିଦେଲେ ।

ଦୁହିଁଙ୍କର ବେକ ପଛ ପାଖରୁ ଧରି ଆଉଟଡୋର୍ ସାମନାକୁ ଠେଲି ଠେଲି ନେଇଗଲେ । ସେଠାରେ କହିଲେ, “ଆଣ୍ଠାଅ ଏଇ ରାସ୍ତା ଉପରେ । ତୁମେ କେତେବଡ଼ ଗୁଣ୍ଡା ଓ ତୁମର କେତେ ଶକ୍ତି ଅଛି, ଏଠାରେ ସମସ୍ତେ ଦେଖନ୍ତୁ ।” ଡରରେ ଦୁଇଜଣ ରାସ୍ତାର ଗୋଡ଼ି ଉପରେ ଆଣ୍ଠେଇଲେ । ସେଠାରୁ ଯାଇ ଥାନାବାବୁ ତାଙ୍କ ବଗିଚା ଛତାକୁ ଚିରି ଟିକି ଟିକି କରି ଫୋପାଡ଼ିଦେଲେ । ପୋଷ୍ଟର ଚିରି ଦେଲେ ଓ ଚୌକି ସବୁ ଭାଙ୍ଗି ଫିଙ୍ଗିଦେଲେ । କହିଲେ, “ଆଉ ଦିନେ ଏଠି ବସିବାର ଶୁଣିଲେ ତମେ ଚିହ୍ନିବ, ମୁଁ ପ୍ରକୃତରେ କିଏ । ଏଇଟା ଆଜି ମୋର ଟ୍ରେଲର ଦେଖିଲ ।” ବୁଧିଆ ଭାବିଲା, “ଏତେ ଦିନେ ସାବାଡ଼ ହୋଇଛନ୍ତି । ବିଲୁଆ ହୋଇ ବାଘ ଲାଙ୍ଗୁଡ଼ରେ ହାତ ଦେଲେ ଯାହା ହୁଏ ।”

ସବୁ ଦର୍ଶକ ଖୁସିରେ ତାଳି ମାରି ଥାନା ବାବୁଙ୍କୁ ସାବାସି ଦେଲେ । ସମସ୍ତେ କୁହା କୁହି ହେଲେ, ସତରେ ଭଗବାନଙ୍କ ଦରବାରରେ ଡେରି ହୁଏ, କିନ୍ତୁ ଅନ୍ଧାର ହୁଏନି । “ସାର, ଆମ ସମସ୍ତଙ୍କୁ ବଞ୍ଚେଇଦେଲେ ଆଜ୍ଞା ।” ଆକାଶକୁ ଦୃଷ୍ଟିପାତ କରି ଦୁଇ ହାତ ଯୋଡ଼ିଲା ଓ ଦୀର୍ଘଶ୍ଵାସ ନେଇ ବୁଧିଆ କହିଲା, “ଭଗବାନଙ୍କ ବିଚାର ସତରେ ନିଆରା । ଏକ ବର୍ଷର ଉପଦ୍ରବ ଏକ ଘଣ୍ଟାରେ ସମାପ୍ତ ।” ଆଖିରୁ ତା’ର ଖୁସିର ଲୁହ ବୋହିଗଲା । ମନେ ପଡ଼ିଗଲା ସେଇ କାଳଜୟୀ ଦୁଇଟି ଶବ୍ଦ, “ଶ୍ରଦ୍ଧା ସବୁରି ।”


Rate this content
Log in

Similar oriya story from Thriller