Dr Subas Chandra Rout

Inspirational


2.9  

Dr Subas Chandra Rout

Inspirational


ଦାନ୍ତକାଠି ବୁଢ଼ୀ

ଦାନ୍ତକାଠି ବୁଢ଼ୀ

10 mins 29 10 mins 29

ମନ୍ଦିରମାଳିନୀ ଭୁବନେଶ୍ୱରର ଅନତି ଦୂରରେ ରାଜଧାନୀ ତିଆରି ହେଉଥାଏ । ଓଡ଼ିଶାର ରାଜଧାନୀ କଟକ ଥିଲା କିନ୍ତୁ ରାଜଧାନୀ ନିମନ୍ତେ ଆବଶ୍ୟକ ହେଉଥିବା ବିରାଟକାୟ ସ୍ଥାନର ଅଭାବ ସମ୍ଭାବନା ଥିବାରୁ ନୂଆ କରି ଭୁବନେଶ୍ୱରରେ ରାଜଧାନୀ ତିଆରି ଆରମ୍ଭ କରାଗଲା ଯାହାକୁ ନିଉ କ୍ୟାପିଟାଲ ବା ନୂଆ ରାଜଧାନୀ କୁହାଗଲା । ଚନ୍ଦକା ଜଙ୍ଗଲ କାଟି ବିଭିନ୍ନ ୟୁନିଟ ଚିହ୍ନଟ ନିମନ୍ତେ କଚ୍ଚା ରାସ୍ତା ତିଆରି ହେଲା । ପ୍ରଥମେ ୟୁନିଟ ୧ ଓ ୨ ତିଆରି ହେଲା । ସେଠାରେ ଅଫିସ ନିମନ୍ତେ ଓ ସରକାରୀ କର୍ମଚାରୀଙ୍କ ରହିବା ନିମନ୍ତେ ଅଳ୍ପ କିଛି ଘର ତିଆରି କରି ରହିବାକୁ ଦିଆଗଲା । ଏହି ୟୁନିଟ ଦୁଇଟି ମଝିରେ ଦୁଇଟି ସ୍କୁଲ ତିଆରି ହୋଇଥିଲା । ପ୍ରତି ୟୁନିଟ ଭିତରେ ବଡ଼ ବଡ଼ ଜଙ୍ଗଲିଆ ଗଛ ସବୁ ଥାଏ । ଧୀରେ ଧୀରେ ଆସେମ୍ବ୍ଲି ଓ ଅନ୍ୟାନ୍ୟ ଗୃହମାନ ତିଆରି ହେଲା । 

ନୂଆ ତିଆରି ହେଉଥିବାରୁ ଆବଶ୍ୟକୀୟ ଦୋକାନ ବଜାରର ଘୋର ଅଭାବ ଥିଲା । ଦୁଇ ତିନୋଟି ମନୋହରୀ ଦୋକାନ ଓ ସେହିଭଳି ଦୁଇ ତିନୋଟି ଜଳଖିଆ ଦୋକାନ ଥିଲା । ଅଫିସ ପାଖରେ ଜଳଖିଆ ଦୋକାନ ଥାଏ । କଟକରୁ ବିଭିନ୍ନ ଦୋକାନର ଏଜେଣ୍ଟମାନେ ଆସି ବୁଲା ବିକାଳି ଭଳି ଅର୍ଡର ନେଇ ଯାଉଥିଲେ ଓ ଦୁଇ ତିନି ଦିନ ପରେ ଆସି ଜିନିଷ ଦେଇ ଟଙ୍କା ନେଇଯାଉଥିଲେ । ଶାଢ଼ୀ ମଧ୍ୟ ଏହିଭଳି ଭାବରେ ବିକ୍ରୟ କରାଯାଉଥିଲା । ନୂଆ ଗହଣା ବିକୁଥିଲେ ଓ ପୁରୁଣା ଗହଣା ନେଇ ନୂଆ ଗହଣା ତିଆରି କରି ଆଣିଦେଉଥିଲେ । କେବେ କେହି ସେହି ଗହଣା ଧରି ଫେରାର ହୁଅନ୍ତିନି । ପ୍ରଗାଢ଼ ବିଶ୍ଵାସରେ ସଂସାର ଚାଲିଥିଲା । ଆଜିକାଲି ସେଭଳି ବିଶ୍ଵାସ ସ୍ୱପ୍ନରେ ମଧ୍ୟ ଚିନ୍ତା କରିହେବନି । 


ୟୁନିଟ ଦୁଇର ଗୋଟିଏ ତିନି ବଖରା ଥିବା ଘରେ ଆମ ପରିବାର ରହିଥିଲୁ । ଘରେ ଘରେ ଜଳ ଯୋଗାଣ ବ୍ୟବସ୍ଥା ନଥିଲା । ସେପ୍ଟିକ ଟ୍ୟାଙ୍କ ପାଇଖାନା ବ୍ୟବସ୍ଥା ନଥିଲା । ସମୟକ୍ରମେ ଧୀରେ ଧୀରେ ସେହି ବନ୍ଦବୋସ୍ତ କରାଗଲା । ସେତେବେଳେ ଆଜିକାଲି ଭଳି ଦାନ୍ତ ଘଷା ବ୍ରସ ଓ ପେଷ୍ଟ ପ୍ରଚଳନ ହୋଇନଥିଲା । ଶତକଡ଼ା ନବେ ଭାଗ ଲୋକ ଦାନ୍ତକାଠି ବ୍ୟବହାର କରୁଥିଲେ । ସକାଳ ହେଲେ ଏହା ଆବଶ୍ୟକ ହେଉଥିବାରୁ ବୁଲା ବିକାଳି ମହିଳାମାନେ ଘର ଘର ବୁଲି ଏହା ବିକୁଥିଲେ । ତାଙ୍କର ଘର ଖର୍ଚ୍ଚ କିଛି ଉଠିଯାଉଥିଲା । ଅଧିକାଂଶ ଦାନ୍ତକାଠି ବିକାଳିମାନଙ୍କର ଘର ନୟାପାଲିରେ ଥିଲା ଯାହା ସେତେବେଳେ ଗୋଟିଏ ଛୋଟ ଗ୍ରାମ ମାତ୍ର ଥିଲା ଓ ଚାରି ପାଖରେ ଜଙ୍ଗଲ ଥିଲା । ସେହି ଜଙ୍ଗଲରୁ ଗଛ ଡାଳ କାଟି ଦାନ୍ତକାଠି କରି ବିକନ୍ତି ।

ଗୋଟିଏ ବୁଢ଼ୀ ଆମ ଘର ପାଖକୁ ଆସି ଦାନ୍ତକାଠି ବିକେ । ଆମର ଆଠ ଜଣିଆ ପରିବାର ଥିଲା । ସୁତରାଂ ବହୁତ ଦାନ୍ତକାଠି ଦରକାର ହେଉଥିଲା । ଥରେ ଆସିଲେ ଦୁଇ ତିନି ବିଡ଼ା ରଖୁ । ଏକ ବିଡ଼ା ଦାନ୍ତକାଠି ମୂଲ୍ୟ ଦୁଇ ଅଣା (ଆଜିକାଲିର ବାର ପଇସା) ଥିଲା । “ଦାନ୍ତକାଠି ନେବ ଦାନ୍ତକାଠି,” ବଡ଼ ପାଟିରେ ଡାକି ଡାକି ଯାଏ । ମୁତୁରି ଦାନ୍ତକାଠିକୁ ସବୁଠାରୁ ଭଲ ଦାନ୍ତକାଠି କୁହାଯାଏ । ଏହି କାଠିକୁ ଚୋବେଇଲେ ଅନେକ ଗୁଡିଏ ନରମ କେନା ହୋଇଯାଏ ଓ ବ୍ରସ କାମ ଦିଏ । ଅନ୍ୟ ଦାନ୍ତକାଠିରେ ଏତେ କେନା ହୁଏନି । ସେ ପ୍ରାୟ ଦିନ ଏଗାରଟା ବେଳକୁ ଆସେ ଯେତେବେଳେ ମାଆ ଛଡ଼ା ଆଉ କେହି ଘରେ ନଥାଆନ୍ତି । କେବଳ ରବିବାରରେ ଆସିଲେ ଆମେ ତାର ଦେଖା ପାଉ । ପ୍ରାୟ ତିରିଶରୁ ଚାଳିଶ ବର୍ଷ ବୟସ ପର୍ଯ୍ୟନ୍ତ ଦଶ ବର୍ଷ ଧରି ସେ ଆମକୁ ଦାନ୍ତକାଠି ଯୋଗାଉଥିଲା ।   


ତାହାର ବୁଢ଼ୀ ବୟସ ନହେଲେ ମଧ୍ୟ ଆମେ ତାକୁ ବୁଢ଼ୀ କହୁ । ସାଧାରଣ ସ୍ଵାସ୍ଥ୍ୟ, ନା ମୋଟୀ ନା ପାତଳୀ । ତାର ଦେହ ରଙ୍ଗ ସାବନା ଥିଲା, ମୁଣ୍ଡ ବାଳ କିଛିଟା ଧଳା ହୋଇଯାଇଥିଲା ଓ ଯେବେ ଦେଖିଲେ ଫୁରଫୁର ହୋଇ ପବନରେ ଉଡ଼ୁଥାଏ । ମଇଳା ଶାଢ଼ୀଟିଏ ପିନ୍ଧି ଦାନ୍ତକାଠି ବିକିବାକୁ ଆସେ, ବ୍ଳାଉଜ ବା ସାୟା ଦେହରେ ନଥାଏ । ଅର୍ଥାଭାବ ଥିଲେ ଖାଦ୍ୟାଭାବ ହୁଏ ଓ ଯୌବନରେ ମଧ୍ୟ ଦେହର ଔଜଲ୍ୟହାନୀ ହୋଇ ଲୋକମାନେ ବୁଢ଼ା ବୁଢ଼ୀ ଭଳି ଦେଖାଯାଆନ୍ତି । ତାର ବାହ୍ୟ ଚେହେରା ଦେଖି ତାକୁ ବୁଢ଼ୀ କହୁ । ଆମେ ସେହି ବୁଢ଼ୀର ନାମ କେବେ ପଚାରି ନଥିଲୁ ବା ତାର ଆବଶ୍ୟକତା ଅନୁଭବ କରିନଥିଲୁ । ସେ ଆସେ, ଆମକୁ ଦାନ୍ତକାଠି ବିକେ ଓ ତା ବାଟେ ବାଟେ ବେପାର କରିସାରି ଘରକୁ ଫେରିଯାଏ । ସୁତରାଂ ଆମେ ତାର କୌଣସି ବ୍ୟକ୍ତିଗତ ତଥ୍ୟ ବା ଘର ବିଷୟରେ କେବେ ପଚାରୁନି, କେବଳ ନୟାପାଲିରେ ରହେ ବୋଲି ଜାଣିଥିଲୁ । 


ଏଇ କାହାଣୀ ଆରମ୍ଭ ହୁଏ ଗୋଟିଏ ଅସହ୍ୟ ନିଦାଘର ରବିବାର ଦିନଠାରୁ । ଦିନ ପ୍ରାୟ ୧୨ ଟା ବାଜିଥାଏ, ପ୍ରଚଣ୍ଡ ଖରା ହେଉଥାଏ । ସେଇ ଖରାରେ ଗୋଟିଏ ଓଦା ସରସର ଲୁଗା ଖରାରେ ଥୋଇଲେ ଅଧ ଘଣ୍ଟା ଭିତରେ ପୁରା ଶୁଖି ଯାଉଥିଲା । ରାସ୍ତାରେ କୁଆକୋଇଲିର ମଧ୍ୟ ଦର୍ଶନ ମିଳୁନଥିଲା । ଆମେ କବାଟ ଝରକା କିଳି ଘର ଭିତରେ ବସିଥାଉ, ଏତିକିବେଳେ ତାର ସ୍ୱର ଶୁଣାଗଲା, ‘ଦାନ୍ତକାଠି ନେବ ଦାନ୍ତକାଠି’ । ଘରେ ଆମେ କଥା ହେଲୁ, “ଏ ଖରାରେ ବୁଢ଼ୀ କେମିତି ବୁଲୁଛି !” 


ମୋ ମା କହିଲେ, “ଯାହା ଘରେ ଚୁଲି ଚୁଲି ଜଳେଇବାକୁ ପଇସା ନଥାଏ, ତାକୁ ଖରା କାଟେନି । ପେଟ ପାଇଁ ମଣିଷ ସବୁ କଷ୍ଟ ସ୍ଵୀକାର କରିବାକୁ ପ୍ରସ୍ତୁତ ହୋଇଯାଏ ।” ଏହା କହି ମାଆ ବାହାରକୁ ଯାଇ ବୁଢ଼ୀକୁ ଡାକିଲେ । ଡାକ ଶୁଣି ସେ ଗେଟ ଖୋଲି ଭିତରକୁ ଆସିଲା ପରେ ମାଆ ଦେଖିଲେ, ବୁଢ଼ୀ ଟଳି ଟଳି ଆସୁଛି । ତାର ମୁହଁ ହାତ ସବୁ ଖରାରେ ସିଝି ଲାଲ ଦେଖାଯାଉଥଲା । ଝାଳ ବୋହି ତାର ସେଇ କୋଚଟ ଶାଢ଼ୀ ଦେହରେ ଚିପି ହୋଇଯାଇଥିଲା । ପିଲାଙ୍କୁ ପାଟି କରି ମାଆ ଡାକିଲେ, “ଆରେ ପିଲେ ଦୌଡ଼ି ଆସ । ବୁଢ଼ୀର ହିଟଷ୍ଟ୍ରୋକ ହେବାକୁ ଯାଉଛି ।” ଆମେମାନେ ଯାଇ ବୁଢ଼ୀକୁ ଧରିଆଣି ବାରଣ୍ଡାରେ ବସେଇଲୁ । ମାଆ ଭିତରକୁ ଚାଲିଗଲେ ଓ କିଛି ସମୟ ପରେ ଦୁଇ ଗିଲାସ ପାଣିରେ ଅଳ୍ପ ଲୁଣ ଓ ଚିନି ପକେଇ ଆଣିଲେ ଓ ବୁଢ଼ୀକୁ ଦେଲେ । “କୋଟି ପରମାୟୁ ହେଉ” କହି ବୁଢ଼ୀ ଢକ ଢକ କରି ଦୁଇ ଗିଲାସ ପାଣି ପିଇଦେଲା । ସୁରେଇର ଥଣ୍ଡା ପାଣିରେ ତଉଲିଆ ଓଦା କରି ତା ଦେହକୁ ମାଆ ଘୋଡ଼େଇ ଦେଲେ । ପ୍ରାୟ ପନ୍ଦର ମିନିଟ ପରେ ବୁଢ଼ୀକୁ ଭଲ ଲାଗିଲା । ନିଜ ଶାଢ଼ୀ କାନିରେ ମୁହଁ ପୋଛିଲା ଓ କହିଲା, “ମାଆ, କେତେ ବିଡ଼ା ଦେବି ।” 

କିଛି ଉତ୍ତର ନଦେଇ ଆଉ ଥରେ ମାଆ ଘର ଭିତରକୁ ଯାଇ ପାଞ୍ଚ ମିନିଟ ପରେ ଗୋଟିଏ ବେଲାରେ ବେଲେ ପଖାଳ, ଆଉ ଗୋଟିଏ ଥାଳିଆରେ ଆଠ ଦଶଟି ଠୁସି ପିଆଜ, ଦୁଇଟି କଞ୍ଚା ଲଙ୍କା, କିଛି ଲୁଣ ଓ ଗୋଟିଏ ଆମ୍ବୁଲ ଧରି ଆସିଲେ । ବୁଢୀ ଆଗରେ ଥୋଇ ଦେଇ ମାଆ କହିଲେ, “ଖାଇଦେ । ଏତେ ଖରାରେ ବୁଲୁଛୁ । ପେଟରେ କିଛି ନଥିବ ।” ବୁଢ଼ୀ ମୁହଁ ଟେକି ମାଆକୁ ଅନେଇଲା । ସେଇ ମୁହଁର ଅଭିବ୍ୟକ୍ତି ଭାଷାରେ ପ୍ରକାଶ କରିହେବନି । ଖୁସି, ଆଶା, ଆଶ୍ଵାସନା ଓ କୃତଜ୍ଞତା ଆଦି ଭାବନା ସେହି ଶୁଖିଲା ମୁହଁରେ ଗୋଟିଏ ପରେ ଗୋଟିଏ ଲହରୀ ଭାଙ୍ଗୁଥିଲା । ବିଶ୍ଵାସ କରିପାରୁନଥିଲା, ନ ମାଗି ବି ଏମିତି ଅନ୍ନ ମିଳିପାରେ ! ନିର୍ଜଳୀତ (ଡିହାଇଡ୍ରେଟେଡ) ଦେହର ଆଖିରେ କେଉଁଠି ଥିଲା କେଜାଣି, ଦୁଇ ଧାର ଲୁହ ବୋହିଆସିଲା । କିଛି କହିବାକୁ ଚାହୁଁଥିଲା, ଆବେଗ ଯୋଗୁ ଶୁଷ୍କ ପାଟିରୁ କଥା ବାହାରିଲାନି । ହାତ ମୁହଁ ଧୋଇ ଖାଇ ବସିଲା । ଖାଉଥିଲା ବେଳେ ମଧ୍ୟ ଆଖିରୁ ଲୁହ ବୋହୁଥିଲା । ବାଆଁ ହାତରେ ଥରକୁ ଥର ଲୁହ ପୋଛୁଥାଏ ଓ ଖାଉଥାଏ । 


ଖାଇସାରି ମୁହଁ ହାତ ଧୋଇ ଆସି ବସିଲା । ଧିମା ସ୍ଵରରେ କହିଲା, “ମା, ତୋ ଯୋଗୁ ଆଜି ମୋ ପ୍ରାଣ ରହିଲା ।” କାନି ହଲେଇ ମୁହଁରେ ହାୱା କରିବାକୁ ଚେଷ୍ଟା କରୁଥିବା ଦେଖି ମାଆ ଗୋଟିଏ ହାତ ବିଞ୍ଚଣା ଆଣିଦେଲା । ମାଆ ମୁହଁକୁ ଅନେଇ କହିଲା, ମୋ ମରଦ ସକାଳୁ ପେଟେ ଦେଶୀ ଚଢ଼େଇ ଦେଇ ମୋତେ କିଛି କାରଣ ନଥାଇ ପିଟିଲା । ତାର ଏମିତି ବେଳେବେଳେ ହାତ କୁଣ୍ଡେଇ ହୁଏ ମା । ଆହୁରି ପିଟିଥାଆନ୍ତା, ମୁଁ ଦାନ୍ତକାଠି ଧରି ପଳେଇ ଆସିଲି ।


କିଛି ସମୟ ପରେ “ମୁଁ ଯାଉଛି ମା” କହି ମୋ ମାଆ ଆଗରେ ସାଷ୍ଟାଙ୍ଗ ପ୍ରଣାମ କରି କହିଲା, “ମାଆ, ମୋତେ ଜୀବଦାନ ଦେଇ ଆଜିଠୁ ତୁ ମୋର ମାଆ ହେଲୁ । ଯିଏ ଜୀବନଟିଏ ସଂସାରକୁ ଆଣେ, ତାକୁ ମାଆ କହନ୍ତିନା ?” ଗୋଟିଏ ଆଶ୍ରା ପାଇଯିବା ଭଳି ଦିଶୁଥିଲା ତା ମୁହଁ । ଏହି ଘଟଣା ପରଠାରୁ ଆମ ଘର ପ୍ରତି ତାର ବ୍ୟବହାର ସମ୍ପୂର୍ଣ୍ଣ ବଦଳିଗଲା । ବର୍ଷ ବର୍ଷ ଧରି ଦାନ୍ତକାଠି ଦିଏ କିନ୍ତୁ ପଇସା ନିଏନି । ପଇସା ଯାଚିଲେ ଦୁଇ କାନରେ ହାତ ଦେଇ କହେ, “ମାଆଠାରୁ କିଏ ପଇସା ନିଏ । ପଇସା ନେଲେ ମୁଁ ନର୍କରେ ପଡ଼ିବି ।” ମାଆ କହେ, “ଆରେ, ପଖାଳ ଗଣ୍ଡେ ଦେଲି ଯେ ତୁ ପଇସା ନେଉନୁ । ଇଏ କି କଥା !” ବୁଢ଼ୀ କହେ, “ଏ ଦୁନିଆରେ ମାଆ କେବଳ ପେଟ ଚିହ୍ନେ, ଆଉ କେହି ନୁହେଁ । ମୋର ଭୋକ ଚିହ୍ନି ମୋତେ ଖାଇବାକୁ ଦେଲୁ, ହେଲେ ମୋର ମାଆ ହେଲୁ । ମୁଁ ତୋ ହାତରୁ ପଇସା କେମିତି ନେବି । ମୋର ତ ହାତ ଯିବନି ।” ମାଆ କହେ, “ଆଲୋ ଦାନ୍ତକାଠି ବିକି ଦାନା ଯୋଗାଡ଼ କରୁଛୁ, ପଇସା ନନେଲେ ଖାଇବୁ କଅଣ, ବଞ୍ଚିବୁ କେମିତି ?” ସେ କହେ, “ମାଆ, ମୁଁ ଯେଉଁ ଗଛରୁ ଏହି କାଠି କାଟି ଆଣୁଛି ସେ ତ ମୋଠୁ ପଇସା ନେଉନି, ସେ ତ ବଞ୍ଚୁଛି । ମୁଁ ତ ମାଗଣା ପାଉଛି । ମୁଁ କାହିଁକି ବଞ୍ଚି ପାରିବିନି । ମୁଁ ବଞ୍ଚିବି ମାଆ, ନିଶ୍ଚୟ ବଞ୍ଚିବି । ମା-ଝିଅର ଦିଆନିଆରେ ପଇସାର ପ୍ରଶ୍ନ କୋଉଠୁ ଆସିଲା ।”


ଅନାବିଳ ସ୍ନେହର ଏହି ଅକାଟ୍ୟ ଯୁକ୍ତିତର୍କରେ ଆମେ କେବଳ ଚୁପ ରହିବା ବ୍ୟତୀତ କୌଣସି ବିକଳ୍ପ ନଥିଲା । ଗୋଟିଏ ଦରିଦ୍ର ବୁଢ଼ୀର ସ୍ନେହସିକ୍ତ କୃତଜ୍ଞତା ଭାବ ଆଗରେ ଆମର ସମସ୍ତ ଯୁକ୍ତି, ଆଗ୍ରହ ଓ ପ୍ରେମ ଫିକା ପଡ଼ିଯାଏ । ବୁଢ଼ୀର ଧାରୁଆ ହୋଇ ରହିବାକୁ ଆମର ସମ୍ପୂର୍ଣ୍ଣ ଅନିଚ୍ଛା ଥିଲେ ମଧ୍ୟ ନିରୁପାୟ ରହୁଥିଲୁ । ସେ ଆସେ, କିଛି ସମୟ ବାରଣ୍ଡାରେ ବସେ, ପାଣି ଗିଲାସେ ବେଳେ ବେଳେ ପିଏ । ତା ପରେ ଉଠେ ଓ ତିନି ବିଡ଼ା ଦାନ୍ତକାଠି ଥୋଇଦେଇ ତରତର ହୋଇ ପଛକୁ ନ ଅନେଇ ଚାଲିଯାଏ, କାଳେ ପଇସା ଦେଇଦେବେ ଭାବି । 

ଆମର ବଡ଼ ପରିବାର ଥିବାରୁ ଅଭାବୀ ମଧ୍ୟ ଥିଲୁ । ଗୋଟିଏ ଅଭାବୀ ଆଉ ଗୋଟିଏ ଅଭାବୀର ଅବସ୍ଥାକୁ ଠିକ ହୃଦୟଙ୍ଗମ କରିପାରେ । ଆମେ ଦାନ୍ତକାଠି ପଇସା ଦେଇଦେଲେ ଗରିବ ହେବୁନି କି ସେ ସେଇ ପଇସା ନେଇ ଧନୀ ହେଇଯିବନି କିନ୍ତୁ ଗୋଟିଏ ହୃଦୟ ଆଉ ଗୋଟିଏ ହୃଦୟ ସହିତ ଗୋଟିଏ ଅଦ୍ଭୁତ ଅଦୃଶ୍ୟ ନିସ୍ୱାର୍ଥପର ପ୍ରେମ ବନ୍ଧନରେ ବାନ୍ଧି ହୋଇଯାଇଥିଲା । ସମୟକ୍ରମେ ବଦଳି ହୋଇ ଆମେ ପରସ୍ପରଠାରୁ ଦୂରେଇ ଗଲୁ କିନ୍ତୁ ମୋ ହୃଦୟରେ ସେଇ ଧାରୁଆ ରହିବା ଭାବନା ଏକ ଛୁଞ୍ଚି ଭଳି ଫୋଡିହୋଇ ରହିଥାଏ ।   


ପ୍ରାୟ କୋଡ଼ିଏ ବର୍ଷ ପରେ ଭୁବନେଶ୍ୱରକୁ ଆଉଥରେ ବଦଳିହୋଇ ଆସି ଭଡ଼ା ନେଇ ଗୋଟିଏ ବଡ଼ କୋଠାରେ ରହିଲି । ଗୋଟିଏ କମ୍ପାନୀର ବଡ଼ ଅଫିସର ହୋଇଯାଇଥିଲି । ଦିନେ ସେହି ଦାନ୍ତକାଠି ବୁଢ଼ୀକୁ ଖୋଜିବାକୁ ନୟାପାଲି ଗଲି । ସେଠାରେ କୁଡ଼ିଆ ବଦଳରେ ବିରାଟ ଅଟ୍ଟାଳିକା ସବୁ ଶିରୋତ୍ତୋଳନ କରି ଠିଆ ହୋଇଥିଲେ । ସେହି ବିରାଟ ହର୍ମ୍ୟମାନଙ୍କର ଜଙ୍ଗଲ ଭିତରେ ଦାନ୍ତକାଠି ବୁଢ଼ୀର କୁଡ଼ିଆ କେଉଁଠୁ ମିଳିବ ! ତଥାପି ସହର ଭିତରେ ବୁଲୁଥିବା ବେଳେ ଗଲା ଆସିଲା ବିକାଳୀଙ୍କ ଉପରେ ନଜର ରଖିଥାଏ, କାଳେ କେତେବେଳେ ତାର ଦେଖା ମିଳିଯିବ । 

ବର୍ଷେ ପରେ ଭୁବନେଶ୍ଵର ଉପକଣ୍ଠରେ ଥିବା ଗୋଟିଏ ସ୍ଥାନକୁ ଯାଇଥିଲି, ନିଜ ପାଇଁ ଗୋଟିଏ ଜାଗା ଦେଖିବାକୁ । ସେହି ସ୍ଥାନରେ ଗଲାବେଳେ ମୁଣ୍ଡରେ ଟୋକେଇ ଧରି ଗୋଟିଏ ସ୍ତ୍ରୀଲୋକ ଯାଉଥିବା ଦେଖିଲି । କାର କାଚ ତଳକୁ କରିଦେବାରୁ ସେଇ ‘ଦାନ୍ତକାଠି ନେବ ଦାନ୍ତକାଠି’ ଶବ୍ଦ ମୋତେ ଶୁଣାଗଲା । ସେଇ ଶବ୍ଦ ଆସୁଥିବା ଦିଗକୁ ମୋର କାର ଚଲେଇଲି ଓ ପାଖରେ ପହଞ୍ଚି ଷ୍ଟାର୍ଟ ବନ୍ଦ କରିଦେଲି । ପାଖକୁ ଯାଇ ଦେଖିଲି ସେଇ ବୁଢ଼ୀ । ବୟସ ପ୍ରାୟ ଷାଠିଏ ବର୍ଷ ହୋଇଥିବ । ସେ କହିଲା, ବାବୁ, ଦାନ୍ତକାଠି ନେବ । ମୁଁ କହିଲି ରାସ୍ତା କଡ଼ରେ ଟୋକେଇ ରଖ, ମୁଁ ନେବି । ଟୋକେଇ ରଖି ପଚାରିଲା, କେତେ ବିଡ଼ା ଦେବି ବାବୁ ।


କହିଲି, ମୁଁ ଟୋକେଇରେ ଥିବା ସବୁ ଦାନ୍ତକାଠି ନେବି । କେତେ ଟଙ୍କା ଦେବି । ସେ କହିଲା, “ଶହେ ଟଙ୍କା, କୋଡ଼ିଏ ବିଡ଼ା ଅଛି ।” ମୁଁ କହିଲି, “ଠିକ ଅଛି” । ଶହେ ଟଙ୍କା ନିଅ କହି ହଜାର ଟଙ୍କା ବଢେଇଦେଲି । ଆଖିକୁ ବୋଧହୁଏ ଭଲ ଦେଖାଯାଉନଥିଲା । ତେଣୁ ଜାଣି ନପାରି ସେ ତାକୁ କାନିରେ ବାନ୍ଧିଦେଲା । କହିଲି, “ମୋତେ ଟିକିଏ ଦେଖିଲ, ଆଗରୁ ମୋତେ କେବେ ଦେଖିଛ ?” ପରଳ ଆଖିରେ ମୋତେ କିଛି ସମୟ ଦେଖିବା ପରେ ସେ ମୁଣ୍ଡ ହଲେଇ ନାହିଁ କଲା । ମୁଁ କହିଲି, “ନିଜ ଭାଇକୁ ଚିହ୍ନି ପାରୁନୁ ?” “ବାବୁ, କାହିଁକି ଥଟ୍ଟା କରୁଛ । ମୋର କେହି ଭାଇ ନାହାନ୍ତି ।” “ଭାଇ କେମିତି ନାହାନ୍ତି, ମାଆ ଅଛନ୍ତି, ଆଉ ଭାଇ ନାହାନ୍ତି । ତୁ ମୋ ମାଆକୁ ମା କରିଥିଲୁ, ମନେ ନାହିଁ ?” ଆମେ ଅଳ୍ପ ଦିନ ହେଲା ଭୁବନେଶ୍ଵର ବଦଳି ହୋଇ ଆସିଛୁ । ତୋତେ ଆମେ ସମସ୍ତେ ଖୋଜୁଛୁ, ଆଜି ପାଇଲି । ତୋତେ ଆଉ ଦାନ୍ତକାଠି ବିକିବାକୁ ପଡ଼ିବନି । ତୁ ମୋ ଭଉଣୀ ହୋଇ ଆମ ଘରେ ରହିବୁ । 


ସେ ଅବାକ ହୋଇ ମୋତେ ଅବିଶ୍ଵାସ ଚକ୍ଷୁରେ ଅନେଇ ରହିଲା । ମୁଁ ତାକୁ କୁଣ୍ଢେଇ ଧରିଲି । ସେ ବଡ଼ ପାଟିରେ କାନ୍ଦିବାକୁ ଲାଗିଲା । “ମୋ ମାଆର ଦେଖା ମିଳିବ ?” “ହଁ, ଚାଲ ମୋ ସାଥିରେ, ଗାଡ଼ିରେ ବସ । ତୋ ଘରେ ଆଉ କିଏ ଅଛି?” ଗାଡ଼ି ଡିକି ଖୋଲିଦେଇ ଟୋକେଇ ରଖିବାକୁ ଇସାରାରେ କହିଲି । “କେହି ନାହାନ୍ତି ବାବୁ । ମୋ ସ୍ଵାମୀକି ସେଇ ମଦ ଖାଇଲା । ମୁଁ ପାଞ୍ଚ ବର୍ଷ ହେବ ଏକୁଟିଆ ରହୁଛି । ଦେହର ବଳ କମିଗଲାଣି । ଆଉ ପାରୁନି । ଭଗବାନ ମୋତେ ଉଠେଇ ନେବାକୁ ଦିନରାତି ଡାକୁଛି, ହେଲେ ଯମର ଦୟା ହେଉନି ।” ଫୋନରେ ମାଆକୁ ଜଣେଇ ଦେଲି ସବୁକଥା । କହିଲା, “ତାକୁ ନେଇଆ, ଆମ ଘରକୁ ଲାଗି ଯେଉଁ ଆଉଟ ହାଉସ ଅଛି, ସେଇଠି ସେ ରହିବ ।” 


ମାଆ ଝିଅଙ୍କ ମିଳନ ଗୋଟିଏ ଦେଖିବା ଭଳି ଦୃଶ୍ୟ ହୋଇଥିଲା । ଦୁହେଁ ପରସ୍ପରକୁ ଭିଡ଼ି ଧରି କାନ୍ଦୁଥିଲେ । କାନ୍ଦି କାନ୍ଦି କହିଲା, “ଏତେ ଦିନ ପରେ ମୋ ମାଆକୁ ଦେଖିଲି । ତୁ ଏଠୁ ଚାଲିଗଲା ପରେ ମୋର ଶିରୀ ତୁଟିଗଲା । ମୋର ନିଜର କେହି ରହିଲେନି ।” “ହଉ, ଆଉ କାନ୍ଦନି । ମୋ ପାଖରେ ରହିବୁ । ଆଉ ଦାନ୍ତକାଠି ବିକ୍ରି କରିବାକୁ ଯିବୁନି । ବର୍ଷ ବର୍ଷ ଧରି ମୁଁ ତୋର ଧାରୁଆ ହୋଇ ରହିଛି । ତୋର କିଛି ଉପକାର ନକଲେ ମୋ ମନରେ ଅବସୋସ ରହିଯିବ ।”


“ହେ ମାଆ, ପୁଣି ସେଇ ପୁରୁଣା କଥା । ତୁ ମୋର ଧାରୁଆ ନୁହେଁ, ମୁଁ ତୋର ଧାରୁଆ ହୋଇ ରହିଛି । ଆଉ ଗୋଟିଏ କଥା, ତେମେ କଅଣ ସେଦିନ ମୋତେ ଖାଲି ପଖାଳ ଦେଇଥିଲ ? ମୁଁ ଜାଣିଛି, ତେମେ ମୋର ଜୀବନ ବଞ୍ଚେଇଛ । ଗୋଟିଏ ଜୀବନର ମୂଲ୍ୟ କଅଣ ଏଇ ଦାନ୍ତକାଠି ଦେଇ ଶୁଝିହୁଏ ? ସାତ ଜନମରେ ବି ତୋ ଉପକାର ମୁଁ ସୁଝି ପାରିବିନି, ଆଉ ପଇସା କଅଣ ନେବି ? ମା ଝିଅ ମଧ୍ୟରେ ଧାର ଉଧାର ସମ୍ପର୍କ କଅଣ ? ସେଇ ଧାର କଥା ଉଠେଇଲେ ମୁଁ ଏଠି ରହିବିନି । ଆଉ ଗୋଟିଏ କଥା, ମୋତେ କିଛି କାମ କରିବାକୁ ଦେବ । ମୁଁ ସେମିତି ରହିବିନି ।” “ହଉ ହଉ, ଆଉ କହିବିନି । ତାହେଲେ ମୋ ଘରେ ମୋ ସାଥିରେ ମିଶି ଯେତିକି ପାରିବୁ, ଘର ଓ ବଗିଚା କାମ କରିବୁ । ହେଲେ ତୋ ମନ ଖୁସି ମୋ ମନ ବି ଖୁସି, ହେଲା ।” “ହଁ ମାଆ, ମୁଁ ଏଥିରେ ରାଜି ।” ଦୁହିଙ୍କ ଆଖିରେ ଆନନ୍ଦର ଅଶ୍ରୁ ବୋହୁଥିଲା ଓ ହସ ହସ ମୁହଁରେ ଗୋଟିଏ ତୃପ୍ତିର ଜ୍ୟୋତି ଜୀବନରେ ପ୍ରଥମ ଥରପାଇଁ ଦେଖାଗଲା ।  

“ତୋତେ କେଉଁ ନାମରେ ଡାକିବୁ ?” ହସି ଦେଇ ସେ କହିଲା, “ମୋତେ ସେଇ ଦାନ୍ତକାଠି ବୁଢ଼ୀ ବା ଖାଲି ବୁଢ଼ୀ ନାମରେ ଡାକ ମାଆ । ଆଜିକି ଚାଳିଶ ବର୍ଷ ଧରି ସେଇ ନାମଟି ଶୁଣି ଶୁଣି ନିଜର ହୋଇଗଲାଣି । ଆଉ ଏ ବୟସରେ ନାଁ ବଦଳେଇବି କଅଣ ।” 

ମୋତେ ଡାକି ମା କହିଲେ, “ବାବୁ, ବୁଢ଼ୀ ପାଇଁ ଚାରୋଟି ଘରପିନ୍ଧା ଶାଢୀ, ସାୟା ଓ ବ୍ଳାଉଜ କିଣି ଆଣିବୁ । ନରିଆକୁ କହ, ଆଉଟ ହାଉସର ଖଟ ଉପରେ ଗୋଟିଏ ତକିଆ, କନ୍ଥା ଓ ଦୁଇଟି ଚାଦର ଥୋଇଦେବ । ଦାନ୍ତକାଠି ଟୋକେଇ ମଧ୍ୟ ସେଇଠି ରଖିଦେ । ଅନ୍ୟ ଆବଶ୍ୟକୀୟ ଜିନିଷ ପରେ କିଣିବା । ତାର ଘର ଜିନିଷ ଆଉ କେତେବେଳେ ଯାଇ ନେଇ ଆସିବ ।”  

ମାଆ, “ଗୋଟିଏ କଥା ପଚାରିବି, ରାଗିବନି । ମୋତେ କାହିଁକି ଘରେ ରଖୁଛ ? ନିଜ ଲୋକକୁ ବି ଲୋକମାନେ ଘରେ ଜାଗା ଦେଉନାହାନ୍ତି ।” “ଠିକ୍ କହିଛୁ ମା, ମୁଁ ତୋତେ କାମ କରେଇବା ପାଇଁ ରଖୁନି । ତୁ ଗୋଟିଏ ଭଲ ଓ ବିଶ୍ଵାସୀ ମଣିଷ । ତୋ ଭଳି ମଣିଷ ଆଜି ଯୁଗରେ ମିଳିବା ମୁସ୍କିଲ । ତୋର ଓ ମୋର, ଉଭୟଙ୍କର ସ୍ଵାମୀ ନାହାନ୍ତି । ଏଇ ଗୋଟିଏ ପୁଅ ଛଡ଼ା ଅନ୍ୟ ପିଲାମାନେ ମଣିଷ ହୋଇ ମୋଠାରୁ ଦୂରକୁ ଚାଲିଗଲେଣି । ବହୁତ ଏକୁଟିଆ ଲାଗୁଛି । ତୁ ମୋର ଝିଅ ଓ ସଖୀ ହୋଇ ରହିବୁ ।” ବୁଢ଼ୀର ମୁହଁ ପ୍ରସନ୍ନତାରେ ଭରିଗଲା । କହିଲା, “ମା, ତୁ ବି ବହୁତ ଭଲ ମଣିଷ ।” 



Rate this content
Log in

More oriya story from Dr Subas Chandra Rout

Similar oriya story from Inspirational