Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Dr Subas Chandra Rout

Crime Inspirational


3  

Dr Subas Chandra Rout

Crime Inspirational


ବିସ୍ମୟପ୍ରଦ ପ୍ରତିଦାନ

ବିସ୍ମୟପ୍ରଦ ପ୍ରତିଦାନ

14 mins 627 14 mins 627

                         

           ଥାନା ଲୋକାରଣ୍ୟ ହୋଇଥାଏ । ସାମ୍ବାଦିକମାନେ ଭିଡିଓ କ୍ୟାମେରା ହାତରେ ଧରି ବୁଲୁଥାଆନ୍ତି । ଲୋକମାନେ କୁହାକୁହି ହେବାର ଶୁଣାଯାଉଥିଲା, "ଏତେ ଧନୀ ଲୋକ ହୋଇ ହତ୍ୟା କଲା ! କଅଣ ନାହିଁ ତା'ର ! ଭଲ ଲୋକଟି ଥିଲା । ବାଇଆ ହୋଇଗଲା ନା କଅଣ !" ଆଉ ଜଣେ କହିଲେ, "କିଏ କହୁଛି ସେ ଭଲ ? ବହୁତ ବଦମାସ । 'ଶର୍ମା ଆଣ୍ଡ ସନ୍ସ କମ୍ପାନୀ'ର ମାଲିକ ସୁରେନ ଶର୍ମାଙ୍କ ଅଫିସରେ ସାମାନ୍ୟ ପିଏ ଥିଲା । ସେ କେମିତି ସେଇ କମ୍ପାନୀର ନାମ 'ଦାସ ଆଣ୍ଡ ଦାସ' ରଖି ମାଲିକ ହୋଇଗଲା ? ସେ ଗୋଟିଏ ଛୁପା ରୁସ୍ତମ ଲୋକ । ତାର ମୁହଁରେ ଗୋଟିଏ କଥା ଓ ପଛରେ ଗୋଟିଏ କଥା । ମୁହଁରେ ରାମ ରାମ, ପକେଟରେ ଛୁରୀ । ଭୟାନକ ଲୋକ ସେ ।" ଆଗରୁ ଦୁଇ ତିନି ଜଣ ଲୋକଙ୍କୁ ମାରିବା କଥା ମୁଁ ଜାଣିଛି । ଧରା ପଡ଼ୁନଥିଲା । ଚୋର ଘର କଅଣ ସବୁବେଳେ ଅନ୍ଧାର ରହିବ । ହେଇ ଦେଖ, ସେଇଠି ଯେଉଁ ଲୋକ ନୀଳ ହଳଦିଆ ଛକି ପକା ସାର୍ଟ ପିନ୍ଧି ଠିଆ ହୋଇଛି, ସେ ଶର୍ମା କମ୍ପାନୀର ପ୍ରକୃତ ଉତ୍ତରାଧିକାରୀ । ତା ନାଆଁ ପ୍ରମୋଦ ଶର୍ମା । ଏମାନଙ୍କ କଥାବାର୍ତ୍ତା ପ୍ରମୋଦ କାନରେ ବାଜୁଥାଏ । ସେହି କଥା କହୁଥିବା ଲୋକଙ୍କୁ ପ୍ରମୋଦ ଭଲ କରି ଅନେଇ ଦେଖିଲା । ହଁ, ଏ ବାବୁ ବି ବାପାଙ୍କ ଅଫିସରେ କାମ କରୁଥିଲେ । ଏ କଥା ପନ୍ଦର ବର୍ଷ ତଳେ କେହି କହିଥିଲେ ସେ କଦାପି ବିଶ୍ଵାସ କରିନଥାଆନ୍ତା ।          


 ପ୍ରମୋଦର ସାଙ୍ଗ ପବିତ୍ର ସେଦିନ ବିଦେଶରୁ ଆସିବାର ଥିଲା । ତେଣୁ ସେଠି ବେଶୀ ସମୟ ରହିନପାରି ପ୍ରମୋଦ ଘରକୁ ଫେରିଆସିଲା । ଫୋନ କରି ବୁଝିଲା, ଟାକ୍‌ସିରେ ବସିସାରିଲାଣି । ଘର ବାହାରେ ଗେଟ ସାମନାରେ ଠିଆହୋଇ ସାଙ୍ଗ ପବିତ୍ରର ଆସିବାକୁ ଅପେକ୍ଷା କରି ଠିଆ ହୋଇରହିଲା । ଏପାଖ ସେପାଖ ହୋଇ ଅନଉଥିଲା ଦୂରକୁ । ଅନେକ ବର୍ଷ ପରେ ସାକ୍ଷାତ ହେବ ସାଙ୍ଗ ସାଥିରେ । କେତେ କଅଣ ଅନୁଭବ ବାଣ୍ଟିବେ । କିଛି ତା କଥା ଶୁଣିବ କିଛି ନିଜ ଅଙ୍ଗେନିଭା କଥା କହିବ । କେମିତି ଦେଖାଯାଉଥିବ କେଜାଣି । ଭାବୁଥିଲା, ଚିହ୍ନି ପାରିବିକି ନାହିଁ ! ଦିନ ଥିଲା, ଦିନେ ଦେଖା ନହେଲେ ବର୍ଷେ ଦେଖା ନହେଲା ଭଳି ଲାଗୁଥିଲା । କୁଆଡ଼େ ଗଲା ସେ ସୁଖର ଦିନ ! ନା ଚିନ୍ତା ନା ଦକ ।


           ଏତିକି ବେଳେ ଦୂରରୁ ଗୋଟିଏ ବଡ଼ କାର ଆସୁଥିବାର ଦେଖାଗଲା । ଭାବିଲା, ଏଇ ଗାଡ଼ିରେ ଆସୁଛିକି ! ସତକୁ ସତ ସେ ଗାଡ଼ି ଆସି ପାଖ ଘର ଗେଟ ପାଖରେ ବ୍ରେକ ଦେଇ ରହିଲା । ଗାଡ଼ିରୁ ପବିତ୍ର ବାହାରିଲା । ହାତ ଠାରି ପାଖକୁ ଆସିବାକୁ ପ୍ରମୋଦ ଡାକିଲା । ପବିତ୍ର କିଛି ସମୟ ପାଇଁ ସେଠାରେ ଠିଆ ହୋଇ ବଡ଼ ଘରକୁ ଥରେ ଓ ପ୍ରମୋଦକୁ ଥରେ ଅନେଇଲା । ଦୋଦୋ ପାଞ୍ଚ ହୋଇ ପ୍ରମୋଦ ପାଖକୁ ଆସିଲା । ପାଖକୁ ଆସି କିଛି ସମୟ ଅନେଇ ରହିଗଲା । ତା' ପରେ ଆଲିଙ୍ଗନ ପାଶରେ ଦୁହେଁ ଆବଦ୍ଧ ହୋଇଗଲେ । କାନ ପାଖରେ କହିଲା, "ଆରେ ତୁ ନିଜ ଘର ଆଗରେ ନ ଠିଆ ହୋଇ ଏଠାରେ କାହିଁକି ଠିଆ ହୋଇଛୁ ?"


--"ଭାଇ, ସମୟ ସମୟର କଥା । ସେ ଗୋଟାଏ ବିରାଟ କାହାଣୀ । ଏଇ ଛୋଟ ଘରଟି ବର୍ତ୍ତମାନ ମୋର । ଭିତରକୁ ଚାଲ, ବହୁତ କଥା ଅଛି କହିବାକୁ । କିନ୍ତୁ ମୋ ଦୁଃଖ କଥା କହି ତୋ ମନ ମୁଁ ଭାରାକ୍ରାନ୍ତ କରିବାକୁ ଚାହୁଁନି ।" ଆଶ୍ଚର୍ଯ୍ୟ ଚକିତ ନୟନରେ ପବିତ୍ର ଚାହିଁ ରହିଲା ।


-- "ମୋତେ ଏତେ ପର କରିଦେଲୁଣି ବୋଲି ମୁଁ ଜାଣିନଥିଲି । ତୋ ଦୁଃଖରେ ମୁଁ ଭାଗ ନନେଲେ ଆଉ କି ସାଙ୍ଗ ହେଲି ? ମୁଁ ବର୍ତ୍ତମାନ ବଡ଼ ଶିଳ୍ପପତି ହୋଇଯାଇଛି । ତୋର ଯଦି କିଛି ସମସ୍ୟା ଅଛି, ମୋତେ କହ । ସବୁ ସମସ୍ୟାର ସମାଧାନ ମୁଁ କରିବି । ବିଶ୍ଵାସ ରଖ ।"


--"ଭାଇ, ନିଶା ମଉସା ଯେଉଁ ବିଶ୍ଵାସ ଘାତକ କାମ କଲେ, ତା ପରେ 'ବିଶ୍ଵାସ' ଶବ୍ଦ ମୋ ପାଇଁ ଅର୍ଥହୀନ ହୋଇଗଲ ,ପବିତ୍ର କହିବାକୁ ଲାଗିଲା, "ତୁମ ବାପା ମୋ ବାପାଙ୍କୁ ବହୁତ ସାହାଯ୍ୟ କରିଥଲେ । ଆମ ବେପାର-ଭେଳା ବୁଡ଼ିଯାଉଥିବା ବେଳେ ସେ ଜାହାଜ ଭଳି କାମ କରି ତାକୁ ଉଦ୍ଧାର କରିବାରେ ପ୍ରମୁଖ ଭୂମିକା ନେଇଥିଲେ । ଫଳରେ ମୋ ବାପାଙ୍କ ଜୀବନ ନୌକା କୂଳରେ ଲାଗିପାରିଥିଲା । ଆମ ପରିବାର ତୁମ ଉପକାର ଏ ଜୀବନରେ ଭୁଲିପାରିବୁନି । ସତ କହ, କଅଣ ତୋର ଅସୁବିଧା । ନିଶା ମଉସା କଅଣ ଅସୁବିଧା କଲେ ?"

  

          ଏହା ପରେ ବିଗତ ଦିନର କଥା ସବୁ ପ୍ରମୋଦ କହିବାକୁ ଲାଗିଲା । ଅଠେଇଶ ବର୍ଷ ବୟସର ଯୁବକ ପ୍ରମୋଦର ମାନସ ପଟଳରେ ପଛ କଥା ସବୁ ଚଳଚ୍ଚିତ୍ର ଭଳି ଉଭା ହୋଇଗଲା । ତାକୁ ତେର ବର୍ଷ ବୟସ ହୋଇଥିଲା ବେଳେ ବାପାଙ୍କର ମୃତ୍ୟୁ ହୋଇଗଲା । ବାପା ବିନା ତାକୁ ସଂସାରଟି ଅନ୍ଧକାରମୟ ଦେଖାଗଲା । ଲାଗିଲା, ଯେମିତି ଆକାଶ ମୁଣ୍ଡ ଉପରେ ଭାଙ୍ଗିପଡ଼ିଲା । ଆଗରୁ ମାଆ ମଧ୍ୟ ଇହଧାମ ତ୍ୟାଗ କରି ଚାଲିଯାଇଥିଲେ । ସେହି ସମୟରେ ନିଶା ମଉସା ନିଜ ଆତ୍ମୀୟ ଓ ଘର ଲୋକ ଭଳି ଦଶକ୍ରିୟା ସବୁ ତାଦ୍ଵାରା ତୁଲେଇଥିଲେ । ତାଙ୍କ ଇସାରାରେ ସେ ସବୁ କାମ ସୁରୁଖୁରୁରେ ହୋଇଗଲା । 

   

        ଏବେକାର ମାଲିକ ନିଶାନ୍ତ ଦାସ ତା ବାପାଙ୍କ ପିଏ ଥିଲେ । ବାପାଙ୍କର ଅତି ଘନିଷ୍ଟ ଓ ବିଶ୍ଵସ୍ତ ଥିଲେ । ବସ୍ତୁତଃ ବ୍ୟବସାୟଟି ତାଙ୍କରିଦ୍ଵାରା ଚାଲୁଥିଲା । ତାଙ୍କ ଘରକୁ ସବୁବେଳେ ଯିବା ଆସିବା କରୁଥଲେ । ବାପା ତାଙ୍କୁ ବହୁତ ଭଲ ପାଉଥିଲେ । ପ୍ରମୋଦ ତାଙ୍କୁ 'ନିଶା ମଉସା' କହି ଡାକୁଥିଲା ଓ ନିଜର ପ୍ରକୃତ ମଉସା ଭଳି ସମ୍ମାନ ଦେଖାଉଥିଲା । ତା ଆଖିର ଲୁହ ପୋଛିଦେଇ କହିଥିଲେ, "ତୋର ବାପା ତୋତେ ଛାଡ଼ି ଭଗବାନଙ୍କ ପାଖକୁ ଚାଲିଗଲେ ସିନା, ମୁଁ ତ ଅଛି । ମୋତେ ତୋ ବାପା ଭଳି ଭାବିବୁ । ମୁଁ କଥା ଦେଇ କହୁଛି, ତୋର କୌଣସି ଅଭାବ ହେବାକୁ ଦେବିନି । ତୁମର ସବୁ ସମ୍ପତ୍ତିର ଦେଖାଶୁଣା ମୁଁ କରିବି । ତୁ ବଡ଼ ହେଇଗଲେ ନିଜେ ମାଲିକ ହୋଇ ସବୁ ବୁଝିବୁ । ବର୍ତ୍ତମାନ ମୁଁ ସମ୍ପତ୍ତିର ରକ୍ଷଣାବେକ୍ଷଣକାରୀ ହୋଇ କାମ କରିବି । ସେଇ ନିଶା ମଉସାଙ୍କ ଛାତିରେ ମୁହଁ ଗେଞ୍ଜି ଗୁମୁରି ଗୁମୁରି ପ୍ରମୋଦ ବହୁତ କାନ୍ଦିଥିଲା ।" ବାପା-ମା ବିହୁନେ ପିଲାର ଦଶା ଠିକ ଛାତ ନଥିବା ଘର ଭଳି ହୁଏ ଓ ତା'ର ମନୋଦୁଃଖ କେବଳ ସଂବେଦନଶୀଳ ଲୋକହିଁ ବୁଝିପାରିବ ।  

     

      ନିଶା ମଉସା ପ୍ରକୃତରେ ପ୍ରମୋଦର ସବୁ ପ୍ରକାର ଯତ୍ନ ନେଇଥିଲେ । ତାର ପଢ଼ାପଢ଼ି କଥା ବୁଝିଥିଲେ । ସକାଳଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ତାର କୌଣସି ଅଭାବ ଅସୁବିଧା ହେବାକୁ ଦେଇନଥିଲେ । ଘରେ ରୋଷେଇ କରିବାକୁ ମହିଳା ଗୋଟିଏ ଥିଲା । ଘର କାମ କରିବାକୁ ଚାକର ଖଞ୍ଜିଦେଇଥିଲେ । ଧୀରେ ଧୀରେ ପ୍ରମୋଦ ନୂଆ ପରିସ୍ଥିତିରେ ନିଜକୁ ଖାପ ଖୁଏଇ ଚଳିବାକୁ ଲାଗିଲା ।

    

       କିଛି ଦିନ ପରେ ନିଶା ମଉସା ଗୋଟିଏ କାଗଜ ଆଣି ତାକୁ ଦସ୍ତଖତ କରିବାକୁ କହିଲେ । କହିଲେ, "ତୁମେ ବଡ଼ ହେବାଯାଏ ତୁମର ସମସ୍ତ ସମ୍ପତ୍ତିର ପରିଚାଳନା କରିବାକୁ ମୋତେ ଅନୁମତି ଦେଇଛ, ଏହା ଲେଖା ହୋଇଛି । ବାପାଙ୍କ ଉଇଲ ଅନୁସାରେ ତୁମେ ମାଲିକ, ତେଣୁ ତୁମେ ଦସ୍ତଖତ ନକଲେ କାରବାର ସବୁ ବନ୍ଦ ହୋଇଯିବ । ଆଉ ଯଦି ତୁମେ ସବୁକଥା ନିଜେ ବୁଝିପାରିବ, ତେବେ ଦସ୍ତଖତ କରିବା ଆବଶ୍ୟକ ନାହିଁ ।" କିଶୋର ବୟସର ପ୍ରମୋଦର ନା ପରିଚାଳନା କରିବା ବୟସ ହୋଇଥିଲା ନା ଜ୍ଞାନ ଥିଲା । କିଛି ନଭାବି ଓ ନ ପଢ଼ି ସେ ଦସ୍ତଖତ କରିଦେଲା । ଆଗାଧ ବିଶ୍ଵାସ ଥିଲା ନିଶା ମଉସା ଉପରେ । ପାଞ୍ଚ ଶୋଇବା ବଖରା ବିଶିଷ୍ଟ ଗୋଟିଏ ବିରାଟ ଘରେ ପ୍ରମୋଦ ରହୁଥିଲା । ସେ ଘରକୁ ଲାଗି ଗୋଟିଏ ଅପେକ୍ଷାକୃତ ଛୋଟ ଘରେ ନିଶା ମଉସା ରହୁଥିଲେ । ଦୁଇ ଘର ମଝିରେ ପାଚେରି ଓ ଗୋଟିଏ ଫାଟକ ଥିଲା ଯାହା ଭିତର ଦେଇ ଉଭୟ ପରିବାରର ଚଳପ୍ରଚଳ ହେଉଥିଲେ । ଏହା ବ୍ୟତୀତ ବାହାରକୁ ଯିବାକୁ ଆଉ ଗୋଟିଏ ଫାଟକ ଥିଲା । ପ୍ରାୟ ମାସେ ପରେ ଦିନେ ନିଶା ମଉସା ଆସି ଯାହା କହିଲେ ସେଥିରେ ପ୍ରମୋଦର ମୁଣ୍ଡ ଉପରେ ପାହାଡ଼ ପଡ଼ିଲା ଭଳି ଲାଗିଲା । ସେ କହିଲେ, "ପ୍ରମୋଦ, ଗୋଟିଏ ବଡ ବିପତ୍ତି ଆମ ଉପରେ ପଡ଼ିଛି ।"


ପ୍ରମୋଦ - "କଅଣ ହେଲା ମଉସା ?"


ନିଶା - ଆଜି ଜଣେ ଭଦ୍ର ଲୋକ ଆସି ଦଲିଲ ଦେଖେଇ କହିଲେ, " ବହୁତ ଦିନ ତଳେ ଶର୍ମା ବାବୁ ୧୦୦ କୋଟି ଟଙ୍କା ତାଙ୍କ ସଂସ୍ଥାଠାରୁ କରଜ ଆଣିଥିଲେ । ସେ ଟଙ୍କା କଥା ମୋତେ ବାପା କେବେ ହେଲେ କହିନଥିଲେ । ତାହା ସୁଝି ନପାରି ତୁମ ବାପା ଚାଲିଗଲେ । ସୁଧ ମୂଳ ମିଶି ତାହା ପ୍ରାୟ ୧,୦୦୦ କୋଟି ଟଙ୍କା ହେଲାଣି । ସେହି ଟଙ୍କା ନପାଇଲେ ସବୁ ସମ୍ପତ୍ତି ସେ ନେଇଯିବେ । ଏ କୋଠା ବି ଚାଲିଯିବ । ତେବେ ମୁଁ ରହୁଥିବା ଏ ପାଖ କୋଠାଟି ନେବେନି । ଯେହେତୁ ଆମେ ସେ ଟଙ୍କା ସୁଝିପାରିବାନି, ତେଣୁ ଏ କମ୍ପାନୀ ଓ ଘର ସବୁ ତାଙ୍କର ହୋଇଯିବ ।" ଏ କଥା ଶୁଣି ପ୍ରମୋଦର ମୁଣ୍ଡ ବୁଲେଇଲା । କଅଣ କରିବ, କିଛି ଭାବି ପାରିଲାନି । ହତାସ ଚକ୍ଷୁରେ ମଉସାଙ୍କୁ ଅନେଇ ରହିଲା । ତା ମୁଣ୍ଡ ଉପରେ ହାତ ଥୋଇ ଆଶ୍ଵାସନା ଦେଇ ନିଶା କହିଲେ, "ବାବା, ବ୍ୟସ୍ତ ହୁଅନି । ବ୍ୟବସାୟରେ ଏମିତି ହୁଏ । ସେ ଭଦ୍ରଲୋକଙ୍କର ବୋଧ ହୁଏ କିଛି ଅସୁବିଧା ହୋଇ ଟଙ୍କା ଆବଶ୍ୟକ ପଡ଼ିଲା । ତେଣୁ ବ୍ୟସ୍ତ ହୋଇ ଏଇ ପଦକ୍ଷେପ ନେଲେ  ।


କିଛି ଦିନ ପରେ ନିଶା ମଉସା ଆସି କହିଲେ, "ବାବୁ, ସେ ଭଦ୍ରଲୋକ ତାଙ୍କ ଋଣ ବାବଦକୁ ଏ ଘର ଓ କମ୍ପାନୀକୁ ନେଇଗଲେ । ଏଇଠି ଦେଖ, କୋର୍ଟ ଆଦେଶ । ମୁଁ କଅଣ କହି ତୁମକୁ ଆଶ୍ଵାସନା ଦେବି ବୁଝିପାରୁନି । ତୁମେ ଚାଲ, ମୁଁ ରହୁଥିବା ଘରେ କିଛି ଦିନ ରହିଯିବ । ମୁଁ ଅନ୍ୟ ଜାଗାରେ ଘର ଭଡ଼ା ନେଇ ରହିଯିବି ।"                    


ତା'ପରେ ମୁଁ ଏଇ ଘରକୁ ଚାଲିଆସିଲି । ଏଠି କିଛି ଅସୁବିଧା ନାହିଁ, କିନ୍ତୁ ମଉସା ପଛ ଆଡୁ ଛୁରୀ ପେଲିବେ ବୋଲି ଜାଣିନଥିଲି। 


ଆମ ଘରଟି ୨ ବର୍ଷ ଖାଲି ରହିଲା । ଦିନେ ଦେଖିଲି ମଉସା ଆମ ଘରେ ରହୁଛନ୍ତି । ପ୍ରଶ୍ନ କଲି, "ମଉସା, ଏ ଘର ପରା ଆଉ ଜଣେ ନେଇଯାଇଥିଲେ । ଆପଣ ଏଠି କେମିତି ? "


-- "ମୋ ନାମରେ କରଜ କରି ମୁଁ ତାଙ୍କଠାରୁ ଏ ଘର କିଣିନେଲି । ସବୁ ବ୍ୟାଙ୍କ ଅଫିସର ମୋର ଚିହ୍ନା ପରିଚିତ ହୋଇଯାଇଥିଲେ ଯେହେତୁ ମୁଁ ବାପାଙ୍କର ସବୁ କାରବାର କରୁଥିଲି । ତେଣୁ ମୋତେ ବ୍ୟାଙ୍କ ଲୋନ ସହଜରେ ମିଳିଗଲା । ମୋ ଉପରେ ବ୍ୟାଙ୍କମାନଙ୍କର ଭରଷା ଥିଲା । ତୁମକୁ ତ ଅଳ୍ପ ବୟସ ଯୋଗୁ ଲୋନ ମିଳିବନି । କିଣି ସିନା ଦେଲି, କିନ୍ତୁ ବେପାର ଚଳେଇବା ଓ ଘର କରଜ ସୁଝିବାରେ ମୁଁ ହନ୍ତସନ୍ତ ହୋଇଗଲିଣି । ସେ ଘରେ ମୁଁ ନରହିଲେ ହେବନି, କାରଣ ସେଇଟା କମ୍ପାନୀ ମାଲିକର ଘର ବୋଲି ଲ୍ୟାଣ୍ଡମାର୍କ ହୋଇଛି । ସବୁ କ୍ଲାଏଣ୍ଟ ସେଠିକୁ ବ୍ୟବସାୟ ସମ୍ପର୍କରେ ଆସିବେ । ଅନ୍ୟଠି ଘର ନେଲେ ତାଙ୍କୁ ଖୋଜିବାକୁ ଅସୁବିଧା । ମୁଁ ଖାଲି ଅନେଇଛି, କେମିତି ତୁମକୁ ଏ ଘର ଫେରେଇବି । ଯେଉଁ ଦିନ ତୁମେ ଏଠାରେ ଆଉ ଥରେ ଗୃହ ପ୍ରବେଶ କରିବ, ସେ ଦିନ ମୁଁ ଘରଦ୍ଵାର ଛାଡ଼ି ହିମାଳୟକୁ ଚାଲିଯିବି । ସବୁ କଥା ବୁଝିଲି, କିନ୍ତୁ ମୁଁ କିଂକର୍ତ୍ତବ୍ୟବିମୁଢ଼ ଅବସ୍ଥାରେ ଥିଲି । ମୋର ଭବିଷ୍ୟତ ଅନ୍ଧାରରେ ଡୁବିଗଲା ଭଳି ଲାଗିଲା ।" 


           "କିନ୍ତୁ ଭାଗ୍ୟ ଦେଖ, ସେ ଗୋଟିଏ ମର୍ଡର କେଶରେ ଫସିଯାଇଛନ୍ତି । ଆଜି ଆରେଷ୍ଟ ହୋଇ ଥାନାରେ ଅଛନ୍ତି । ଏଇ ହତ୍ୟା ମୋ ଆଖି ସାମନାରେ ହୋଇଛି । ତାଙ୍କ ଲନରେ ସେ ଗୋଟିଏ ଲୋକର ପେଟକୁ ଲକ୍ଷ କରି ଗୋଟିଏ ଶକ୍ତ ଘୁଷା ମାରିଲେ । ସେ ଲୋକ ତଳେ ପଡ଼ି ସଙ୍ଗେ ସଙ୍ଗେ ମରିଗଲା । ଅଜାଗାରେ ବୋଧେ ବାଜିଗଲା । କିନ୍ତୁ ଯାହା ହେଉ ପଛେ, ହତ୍ୟା ତ ହୋଇଗଲା । ଦଇବ ଯୋଗକୁ ମୁଁ ସେତେବେଳେ ମୋ ଲନରେ ଠିଆହୋଇଥିଲି । ମୁଁ ସବୁ ଦେଖିଛି । କିନ୍ତୁ ସେ ଲୋକ ତଳେ ପଡ଼ିଯିବା ପରେ ଆଉ ନ ଉଠିବାରୁ ମୁଁ ଡରିଯାଇ ମୋ ଘର ଭିତରକୁ ଚାଲିଗଲି ।"

  

         ପୋଲିସ ଆସି ଏନକୁଆରି କଲେ । ବଡ଼ ଲୋକଙ୍କୁ ଧରିବା କଷ୍ଟ । କୌଣସି ସାକ୍ଷୀ ନଥିଲେ । ଚାରି ଆଡ଼କୁ ଅନେଇଲେ । ଶେଷରେ ତାଙ୍କର ନଜର ସିସି କ୍ୟାମେରା ଉପରେ ପଡ଼ିଲା । ସେଇଥିରେ ଧରା ପଡ଼ିଗଲେ । ମୁଁ ରହୁଥିବା ଘରେ ଓ ଆମ ଘରେ ସିସି କ୍ୟାମେରା ଥଲା । ସେଥିରେ ତାଙ୍କର ମାରିବା ଓ ମୁଁ ଦେଖିବା, ସବୁ କଏଦ ହୋଇ ରହିଥିଲା । ତାପରେ ପୋଷ୍ଟ ମର୍ଟମ ହେଲା ଓ ସେଥିରେ ସେ ଲୋକର ଯକୃତ ଫାଟି ରକ୍ତସ୍ରାବ ହୋଇଥିବା ଜଣାଗଲା । ସେଥି ଯୋଗୁ ତାଙ୍କର ମୃତ୍ୟୁ ହୋଇଥିଲା । 

 

          ପବିତ୍ର ସବୁକଥା ମନ ଦେଇ ଶୁଣିଲେ । କହିଲେ, "ମୁଁ ସବୁ ଶୁଣିଲି ଓ ବୁଝିଲି କଅଣ ପ୍ରକୃତରେ ହୋଇଥିବ । ଏମିତି ଅନେକ ଉଦାହରଣ ମିଳିବ । ମାଲିକଙ୍କ ସାଥିରେ କାମ କରି କରି ଅଧସ୍ତନ କର୍ମଚାରୀମାନେ ଭାବନ୍ତି, ମୁଁ ତ ସବୁ କରୁଛି । ମାଲିକ ଖାଲି ବସି ବସି ଧନୀ ହେଉଛନ୍ତି । ତେଣୁ ମଉକା ଖୋଜି ମାଲିକ ସାଥିରେ ଦଗାବାଜି କରନ୍ତି । ଇଏ ପୁରା ନମକ ହରାମି କଥା । ତୁ ବହୁତ ସାଧାସିଧା ଲୋକ । ତୋତେ ବିଶ୍ଵାସକୁ ନେଇ ବିଷ ଦେଇଦେଲେ । ହେଲେ ଭଗବାନ ଅଛନ୍ତି, ଏବେ ହରଡ଼ ଘଣାରେ ପଡ଼ିଛନ୍ତି । କୁଆଡ଼େ ଯିବେ । ହଉ, କାଲି କୋର୍ଟରେ ଦେଖାହେବ" କହି ପବିତ୍ର ଚାଲିଗଲା ।    


           କୋର୍ଟ ତା' ପରଦିନ ବିଚାର କରିବେ ଓ ପରେ ଫଳ ଜଣେଇବେ । ତା'ପରେ ଦଣ୍ଡ ଦେବାର ଥିଲେ ଶୁଣେଇବେ । ପ୍ରମୋଦ ଘର ଭିତର ଓ ବାହାରକୁ ଇତସ୍ତତଃ ହୋଇ ବୁଲୁଥାଏ । କଅଣ ହେବ କେଜାଣି ! ଏକଦା ତା'ର ପ୍ରିୟ ମଉସାଙ୍କର ଭାଗ୍ୟ ଡୋର ବର୍ତ୍ତମାନ ଭଗବାନଙ୍କ ହାତରେ ଅଛି । ସେ ମନ କଲେ ଛାଡ଼ ପାଇବେ, ନହେଲେ ଆଜୀବନ କାରାବାସ ବା ଫାଶୀ । ବିଚାରପତି ନିମିତ୍ତ ମାତ୍ର । ମଣିଷ ଦୋଷ କରିଥିଲେ ଭଗବାନ କେଉଁ ସଜରେ ବା କେତେବେଳେ ଦଣ୍ଡ ଦେବେ ତାହା କେହି ଆଗରୁ କହିପାରିବେନି । ଭାବି ଭାବି ମୁଣ୍ଡ ଓଜନିଆ ଲାଗିଲା । ଯଦି ମଉସାଙ୍କୁ ଦଣ୍ଡ ମିଳେ ତେବେ ତାଙ୍କ ଝିଅ 'ଦୀପାଳି'ର ଅବସ୍ଥା କଅଣ ହେବ ! ଲଜ୍ଜା, ଅପମାନ, ଲୋକଙ୍କ ତିରସ୍କାର ପାଇ ବଞ୍ଚିବା ମୁସ୍କିଲ ହୋଇଯିବ । ଗୋଟିଏ ହତ୍ୟାକାରୀର ଝିଅ ବୋଲି ମାର୍କା ମରାହୋଇଯିବ । ଏହି କଥା ଭାବି ଭାବି ତାଙ୍କ ମାଆଙ୍କର ରକ୍ତଚାପ ବଢ଼ିଯିବାରୁ ବିଛଣାରେ ପଡ଼ିଛନ୍ତି ।  


           ମନେ ମନେ ଅନେକ ବର୍ଷ ହେବ ପ୍ରମୋଦ ତାଙ୍କୁ ପ୍ରେମ କରୁଛି, କିନ୍ତୁ ପାଟି ଖୋଲି କହିପାରିନି । ଇଙ୍ଗିତରେ ଜଣା ପଡ଼େ, ସେ ମଧ୍ୟ ପ୍ରମୋଦକୁ ଭଲ ପାଏ । ଯିବା ଆସିବା ରାସ୍ତାରେ ପ୍ରମୋଦକୁ ଦେଖିଲେ ଦୀପାଳି ରହିଯାଏ ଓ ନିଟୋଳ ହସଟିଏ ତାର ସୁନ୍ଦର ମୁଖମଣ୍ଡଳରେ ଖେଳିଯିବା ସହ ଈଷତ ଲାଳିମା ଲହଡ଼ି ଭାଙ୍ଗେ । ଦୁଇ ଗାଲରେ ଦୁଇଟି ଛୋଟ ଗାତ ହୋଇଯାଏ । ଏହି ଦୃଶ୍ୟ ଦେଖିଲା କ୍ଷଣି ପ୍ରମୋଦର ମନ ଓ ଶରୀର ଭିତରେ ଏକ ବିଦ୍ୟୁତ ତରଂଗ ଖେଳିଯାଏ । ଥରେ ସାହସ କରି ଡାକିଲା, "ଦୀପାଳି, ଶୁଣିଯାଅ" । ଦୀପାଳି ହସିକରି କହିଲା, "କୁହ କଅଣ କହିବ ।" ପ୍ରମୋଦ କିଛି କହିପାରିଲାନି । ଖାଲି ବଲ ବଲ କରି ତା ମୁହଁକୁ ଅନେଇରହିଲା । ତାକୁ ଦୀପାଳି ଅନେଇଥାଏ । ପ୍ରମୋଦ କିଛି ନ କହିବାରୁ ଆଉଥରେ ଦୀପାଳି ହସିଦେଲା । ଧୀରେ କହିଲା, "ପ୍ରମୋଦ, ତୁମେ କିଛି ନ କହି ମନର ସବୁ କଥା କହିଦେଲ । ଅନେକ ସମୟରେ ନିରବତା ହିଁ ଅନ୍ତରର କଥା ସଠିକ ଭାବରେ ବ୍ୟକ୍ତ କରିଦିଏ । ଆଖିର ଚମକ ଦେଖି ସବୁ ବୁଝିହୁଏ । ହଉ, ସମୟ ଆସୁ, ପାଟି ଖୋଲି କହିବ । ଆଗତୁରା ମୁଁ "ହଁ" କହିଦେଉଛି ।" ଖିଲି ଖିଲି ହସରେ ଚାରିଦିଗ ଗୁଞ୍ଜରିତ ହୋଇଗଲା । ପ୍ରମୋଦର ଦେହ, ମନ ଓ ଆତ୍ମାରେ ଗୋଟିଏ ଅପୂର୍ବ ପୁଲକ ବିଦ୍ୟୁତ ବେଗରେ ଖେଳିଗଲା।     


           ତାର ସାକ୍ଷୀ ପ୍ରମାଣରେ ଦଣ୍ଡାଦେଶ ହୋଇଗଲେ ସାରା ଜୀବନରେ ଗୋଟିଏ ଅବସୋସ ରହିଯିବ । କଅଣ ଭାବିବ ଦୀପାଳି ! ଛାତିରୁ ଦୀର୍ଘଶ୍ଵାସ ପରେ ଦୀର୍ଘଶ୍ଵାସ ବାହାରି ଆସୁଥାଏ । ନିଶା ମଉସାର ଦଣ୍ଡ ଭୋଗ ହେଲେ ତା'ର ପ୍ରଥମ ପ୍ରେମର ବିଭତ୍ସ ହତ୍ୟା ହୋଇଯିବ । ଛାତିରୁ ଦୀର୍ଘଶ୍ଵାସ ପରେ ଦୀର୍ଘଶ୍ଵାସ ବାହାରି ଆସୁଥାଏ । କାଠଗଡ଼ାରେ ଠିଆ ହୋଇ କଅଣ କହିବ ! ମୁଁ ହତ୍ୟାକାରୀକୁ ଦେଖିଛି କି ଦେଖିନି ! ଭାବିବାକୁ ଲାଗିଲା, 'କଅଣ କରିବି, କଅଣ କହିବି ?' ଶର୍ମା ମଉସାଙ୍କ କର୍ମ ଅନୁସାରେ ସେ ଦଣ୍ଡ ପାଇବାକୁ ଯୋଗ୍ୟ । ହେଲେ ତାଙ୍କ ଝିଅର କି ଦୋଷ । ମୋ ବାପା ମୋତେ ଛାଡ଼ିଯିବାରୁ ମୁଁ ଅନେକ କଷ୍ଟ ପାଇଲି । ମୋ ଆଖି ସାମନାରେ ଗୋଟିଏ ଝିଅର ଜୀବନ ନଷ୍ଟ ହୋଇଯିବା କେମିତି ଦେଖିପାରିବି ? ମୁଣ୍ଡ ଗୋଳମାଳ ହୋଇଗଲା ।


           ତା ପରଦିନ ଜେରା ଆରମ୍ଭ ହେଲା: - ପ୍ରଥମେ ପ୍ରମୋଦକୁ ସତ୍ୟପାଠ କରି ଦିଆଗଲା । "ମୁଁ ଯାହା କହିବି ସତ କହିବି, ମିଛ ଜମା କହିବିନି । ଗୀତା ଉପରେ ହାତ ରଖି ଏହି ଶପଥ କରୁଛି ।" ସରକାରୀ ଓକିଲ ନିଶାନ୍ତଙ୍କୁ ଦେଖେଇ ପ୍ରମୋଦକୁ ପ୍ରଶ୍ନ କଲେ, "ଆପଣ ଏ ବାବୁଙ୍କୁ ଚିହ୍ନିଛନ୍ତି କି ? ଚିହ୍ନିଥିଲେ ନାମ କୁହନ୍ତୁ ।"


ପ୍ରମୋଦ – ଆଜ୍ଞା ଚିହ୍ନିଛି । ତାଙ୍କ ନାମ ନିଶାନ୍ତ ଦାସ ।


ସରକାରୀ ଓକିଲ – ଗତ ୧୩ ନଭେମ୍ବର ୨୦୧୮ରେ ଆପଣ ଏ ବାବୁ ସଦାଶିବଙ୍କୁ ହତ୍ୟା କରିବା ଦେଖିଥିଲେ କି ?


ପ୍ରମୋଦ – ସଦାଶିବ କିଏ, ମୁଁ ଜାଣିନି ବା ଚିହ୍ନିନି । 


ସରକାରୀ ଓକିଲ – ମନେ ପକାନ୍ତୁ, ସେ ଦିନ ପ୍ରାୟ ଅପରାହ୍ନ ଚାରିଟା ବେଳେ ଆପଣ ଆପଣଙ୍କ ଘର ବଗିଚାରେ ଥିଲେ । ସେହି ସମୟରେ ନିଶାନ୍ତ ବାବୁ ତାଙ୍କ ଘର ବଗିଚାରେ ସଦାଶିବଙ୍କ ପେଟରେ ଗୋଟାଏ ଘୁଷା ମାରିଥିଲେ । ଆପଣ ଦେଖିଛନ୍ତି କି ନାହିଁ ?


ପ୍ରମୋଦ – ନା ଆଜ୍ଞା, ମୁଁ ବଗିଚାରେ ବୁଲୁଥିଲି ସତ କିନ୍ତୁ ମାରିବା ଦେଖିନି ।


ସରକାରୀ ଓକିଲ – ଆଜ୍ଞା ମିଛ କହନ୍ତୁନି । ସିସି କ୍ୟାମେରାରେ ପରିଷ୍କାର ଦେଖାଯାଉଛି, ଆପଣ ସେଇ ଦିଗକୁ ଅନେଇଥିଲେ ଯେଉଁଦିଗରେ ଘୁଷା ମରାହେଉଥିଲା । ଦେଖିନି ବୋଲି କେମିତି କହୁଛନ୍ତି ?


ପ୍ରମୋଦ – ହୋଇପାରେ ମୁଁ ସେଇ ଦିଗକୁ ଅନେଇଥିଲି କିନ୍ତୁ ମୋ ଚକ୍ଷୁରେ ଅନ୍ୟ କାହାକୁ ବୋଧହୁଏ ଫୋକସ କରିଥିଲି । ମଣିଷ ଆଖିରେ ୧୨୫ ଡିଗ୍ରୀ ପର୍ଯ୍ୟନ୍ତ ସାମନାରେ ଥିବା ସମସ୍ତ ଦୃଶ୍ୟର ଛାୟା ପଡ଼େ, କିନ୍ତୁ ଆଖିରେ କେବଳ ଗୋଟିଏ ବସ୍ତୁ କେନ୍ଦ୍ରୀଭୂତ ହୁଏ ଯାହାକୁ ସେ ଦେଖିପାରେ । ଆପଣ କହୁଥିବା ଦୃଶ୍ୟ ମୋ ଆଖିରେ ପଡ଼ିନି । ସତ କହୁଛି, ସଦାଶିବଙ୍କୁ କେହି ଆଘାତ କରିବା ମୁଁ ଦେଖିନାହିଁ । 


ସରକାରୀ ଓକିଲ – ଆପଣଙ୍କୁ ମିଛ କହିବାକୁ ନିଶାନ୍ତ ବାବୁ ବା ତାଙ୍କ ତରଫରୁ ଅନ୍ୟ କେହି ଧମକେଇଛନ୍ତି କି । 


ପ୍ରମୋଦ – ନାହିଁ ଆଜ୍ଞା, ମୋତେ କେହି ଧମକେଇ ନାହାନ୍ତି ।


ସରକାରୀ ଓକିଲ – ଆମେ ଶୁଣିଲୁ, ଆପଣଙ୍କ ବାପାଙ୍କ ସବୁ ସମ୍ପତ୍ତି ଏଇ ବାବୁ ହଡ଼ପ କରିନେଇଛନ୍ତି । ଏଇଭଳି ଲୋକଙ୍କ ପାଇଁ ଆପଣ ଆପଣ ସତ୍ୟର ଅପଳାପ କରୁଛନ୍ତି ?  


ପ୍ରମୋଦ – ନାହିଁ ଆଜ୍ଞା, ଆପଣ ଭୁଲ ଶୁଣିଛନ୍ତି । ମୋର ପିତାଙ୍କ ମୃତ୍ୟୁ ପରେ ମୋର ଶିକ୍ଷାଦୀକ୍ଷାର ସବୁ ଦାୟିତ୍ଵ ସେ ନେଇଛନ୍ତି । ଆଜି ମୁଁ ଯାହା ହେଇଛି, ସବୁ ତାଙ୍କରି ଉଦ୍‌ଯୋଗ ପାଇଁ । ଆପଣଙ୍କ କଥା ଅନୁସାରେ ଯଦି ସେ କିଛି କରିଛନ୍ତି, ତାହାହେଲେ ପରିସ୍ଥିତି ଦୃଷ୍ଟିରୁ କରିଥାଇ ପାରନ୍ତି । ସେ ମୋର ଅଗ୍ରପୂଜ୍ୟ ।

           ନିଶାନ୍ତ ବାବୁଙ୍କୁ ପ୍ରଶ୍ନ :-

ଡ଼ିଫେନ୍ସ ଓକିଲ – ସଦାଶିବ ବାବୁ ପଡ଼ିଗଲେ କେମିତି, ଆପଣ ତାଙ୍କୁ ମାରିଲେକି ?


ନିଶାନ୍ତ – ମୁଁ ମାରିନି । ତାଙ୍କର ରକ୍ତଚାପ ରୋଗ ଥିଲା, ଶୁଣିଥିଲି । ସେଇଥି ଯୋଗୁ ବୋଧହୁଏ ପଡ଼ିଗଲେ । ଲନ ଧାରରେ ଥିବା ଇଟା ଉପରେ ପଡ଼ିଗଲେ । ସେଇ ଇଟା ବୋଧହୁଏ ପେଟରେ ବାଜିଗଲା । ମୁଁ ତାଙ୍କ ପେଟକୁ ମାରିନି, ବରଂ ସେ ପଡିଗଲା ବେଳେ ମୁଁ ତାଙ୍କୁ ଧରି ପକେଇବାକୁ ଚେଷ୍ଟା କରୁଥିଲି ଓ ସେ ପଡ଼ିଗଲା ବେଳେ ମୋ ହାତ ତାଙ୍କ ପେଟ ପାଖରେ ଥିଲା । 


ଡାକ୍ତରଙ୍କୁ ଡ଼ିଫେନ୍ସ ଓକିଲଙ୍କ ପ୍ରଶ୍ନ – ଆଛା ଡାକ୍ତର ବାବୁ, ଜଣେ ଲୋକ ପଡ଼ିଗଲା ବେଳେ ପେଟରେ ଇଟା ଭଳି ଗୋଟିଏ ଶକ୍ତ ପଦାର୍ଥ ବାଜିଲେ ରକ୍ତସ୍ରାବ ହୋଇ ମୃତ୍ୟୁ ହୋଇପାରିବ କି ନାହିଁ ?

ଡାକ୍ତର – ଆଜ୍ଞା ହଁ । ହୋଇପାରିବ ।

   

        ପବିତ୍ର ଅବାକ ଓ ଅବିଶ୍ଵାସ ଦୃଷ୍ଟିରେ ଦେଖୁଥିଲେ । ଭାବୁଥିଲେ, ପ୍ରମୋଦ କଅଣ ପାଗଳା ହୋଇଗଲା କି ! ଯିଏ ତାର ସକଳ ସୁଖ ହରଣ କରି ଦୁଃଖର ମରୁଭୂମିରେ ଛଟପଟ ହେବାକୁ ଛାଡ଼ିଦେଲା, ତା ବିରୁଦ୍ଧରେ ପଦେ କଥା କହୁନି କେମିତି ! ପ୍ରମୋଦ ପବିତ୍ର ଆଡ଼କୁ ଅନେଇଲା ବେଳେ ସେ ଇଙ୍ଗିତରେ ତାକୁ ସତ କଥା କହିବାକୁ ଇସାରା କରୁଥିଲେ ।

  

          ନିଶାନ୍ତ ବାବୁ ଆଶ୍ଚର୍ଯ୍ୟ ହୋଇ ପ୍ରମୋଦ ମୁହଁକୁ ଅନେଇ ରହିଲେ । ସେ ସ୍ଵପ୍ନରେ ବି ଭାବି ନଥିଲେ, ପ୍ରମୋଦ ତାଙ୍କ ସପକ୍ଷରେ ଏଭଳି ସାକ୍ଷୀ ପ୍ରମାଣ ଦେବ । ସିସି କ୍ୟାମେରାରେ ହତ୍ୟା ଦୃଶ୍ୟ ଉତ୍ତୋଳିତ ହୋଇଥିବା ଓ ପ୍ରମୋଦ ସେଠାରେ ଥିବା କଥା ଶୁଣି ସେ ବଞ୍ଚିବାର ସକଳ ଆଶା ତ୍ୟାଗ କରିଦେଇଥିଲେ । ତାଙ୍କ ମୁହଁ ଲାଲ ପଡ଼ିଗଲା । ପ୍ରମୋଦ ସହ ନିଜକୁ ମନେ ମନେ ତୁଳନା କରୁଥିଲେ । ପ୍ରମୋଦର ସ୍ଥାନ ସ୍ଵର୍ଗରେ ଥିଲେ ନିଜର ସ୍ଥାନ ପାତାଳରେ ଥିବା ଭଳି ଲାଗୁଥିଲା । ନିଜକୁ ଅତି ଛୋଟ ଲାଗୁଥିଲା । ଭାବୁଥିଲେ, ଗୋଟିଏ ନିଷ୍ପାପ, ନିର୍ଦ୍ଦୋଷ ବାଳକକୁ କି ଦଣ୍ଡ ସେ ଦେଇନାହାନ୍ତି ! ଯାହାର ସର୍ବସ୍ଵ ସେ ଲୁଟିଥିଲେ ସେଇ ମଣିଷଟି ଆଜି ସେଇ ତାଙ୍କ ଭଳି ଜଣେ ହତ୍ୟାକାରୀ ଓ ଲୁଟେରାକୁ ମାନ, ଇଜ୍ଜତ, ପ୍ରତିଷ୍ଠା ଆଦି ଆଞ୍ଜୁଳା ଆଞ୍ଜୁଳା ଭରି ଭିକ୍ଷା ଦେଉଛି । ସାରା ଦେହ ସ୍ଵେଦାକ୍ତ ହୋଇଗଲା । ମଣିଷ ଏତେ ଉଦାର ହୋଇପାରେ, ତାହା ନିଶାନ୍ତ ଶର୍ମାଙ୍କ ହୃଦୟ ବାହାରର କଥା ଥିଲା ।  


           ତା' ପରଦିନ ପବିତ୍ର ଆସି କୃତ୍ରିମ ରାଗରେ କହିଲା, "ହଇରେ ବୋକା, ତାକୁ କାହିଁକି ଛାଡ଼ିଦେଲୁ ?"


ପ୍ରମୋଦ – "ହଁ ଭାଇ, ତାର ବହୁତ ଅବିଗୁଣ ଅଛି । ହେଲେ ଆମ ସଂସ୍କୃତିରେ ମଣିଷର ଖରାପ ଗୁଣ ନଦେଖି ବାଛି ବାଛି ଭଲ ଗୁଣ ଗ୍ରହଣ କରିବାକୁ ଉପଦେଶ ଦିଆଯାଏ । ଥରେ ଭାବି ଦେଖ, ସେ ଇଚ୍ଛା କରିଥିଲେ ମୋତେ ଘରୁ ଧକ୍କା ମାରି ବିଦାୟ କରିଦେଇଥାଆନ୍ତେ । ମୋତେ ଦାଣ୍ଡର ଭିକାରୀ କରିବାର କୌଣସି ଉପାୟକୁ ହାତଛଡ଼ା କରିନଥାଆନ୍ତେ । ସେ ତା' ନକରି ମୋତେ ଆଶ୍ରା ଦେଲେ, ଶିକ୍ଷା ପାଇବାର ବ୍ୟବସ୍ଥା କରି ନିଜ ଗୋଡ଼ରେ ଠିଆ ହେବାର ଶକ୍ତି ଯୋଗେଇ ଦେଲେ । ସତ କହ, ଏ ଦୁନିଆରେ କିଏ ଭୁଲ କରୁନି ? ତାଙ୍କର ସେତେବେଳେ ବୋଧହୁଏ ମତିଭ୍ରମ ହୋଇଥିଲା । ହିଂସା ଓ ଘୃଣାରୁ ସେହି ହିଂସା ଓ ଘୃଣା ଉତ୍ପନ୍ନ ହୁଏ । ମୁଁ ସତ କଥା କହିଥିଲେ ସେ ଆଜୀବନ କାରାବାସ ବା ଫାଶୀ ପାଇଥାଆନ୍ତା, କିନ୍ତୁ ମୁଁ କଅଣ ପାଇଥାଆନ୍ତି । ମୋର ହଜିଲା ଦୁଃଖମୟ ବର୍ଷଗୁଡ଼ିକ କଅଣ ଫେରି ଆସିଥାଆନ୍ତା ? ତୁ ଦେଖିବୁ ସେ ଦିନେ ନା ଦିନେ ପଶ୍ଚାତାପ କରିବେ ।"

 

          ମାସେ ପରେ ଦିନେ ସନ୍ଧ୍ୟାରେ ପ୍ରମୋଦର ଘର କବାଟ ଘଣ୍ଟି ବାଜିଲା । କବାଟ ଖୋଲି ପ୍ରମୋଦ ଦେଖିଲା, ସାମନାରେ ନିଶା ମଉସା । ସୌଜନ୍ୟ ରଖି କହିଲା, "ମଉସା, ଭିତରକୁ ଆସନ୍ତୁ ।" ପ୍ରମୋଦକୁ ଅଧିକ କିଛି କହିବାକୁ ନଦେଇ ନିଶାନ୍ତ କହିବାକୁ ଲାଗିଲେ, "ଭିତରକୁ ପଶିବାର ଅଧିକାର ଓ ଗୌରବ ମୁଁ ତ ଅନେକ ବର୍ଷ ହେଲା ହଜେଇ ଦେଇଛି । ନିଜ ଗୋଡ଼ରେ ମୁଁ କୁରାଢ଼ି ମାରିଛି । କୋର୍ଟ ଆଜି ମୋତେ ପ୍ରମାଣ ଅଭାବରୁ ନିର୍ଦ୍ଦୋଷ କହି ଛାଡ଼ିଦେଲା । ବାବା, ଏହା କେବଳ ତୁମଯୋଗୁ ସମ୍ଭବ ହୋଇଛି । ତୁମର ଗୋଟିଏ "ହଁ" ମୋତେ ଫାଶୀ ଖୁଣ୍ଟରେ ଝୁଲେଇ ଦେଇଥାଆନ୍ତା । ମୋର ଅନ୍ତରାତ୍ମା ଜାଣେ, ମୁଁ ଦୋଷୀ, ପାପୀ, ନା କେବଳ ପାପୀ ନୁହେଁ, ମହାପାପୀ । ମୁଁ ତୁମଠାରୁ କ୍ଷମା ମାଗିବାକୁ ଆସିଛି, ମୋତେ କ୍ଷମା କରିଦିଅ", କହି ପ୍ରମୋଦର ପାଦ ଧରିବାକୁ ଝୁଙ୍କି ପଡ଼ିଲେ । କଥା କହିବା ବେଳେ କୋହରେ ଛାତି ରୁଦ୍ଧ ହୋଇଯାଉଥିଲା ଓ ଆଖିରୁ ଲୁହ ଝରୁଥିଲା ।


ପ୍ରମୋଦ – "ମଉସା ଏ କଅଣ କରୁଛନ୍ତି ? ମୁଁ ଆପଣଙ୍କ ପୁଅ ଭଳି । ମୋର ପାଦ ଧରି ମୋତେ ପାପର ଭାଗୀ କରୁଛନ୍ତି କାହିଁକି ?"


ନିଶା – "ଏଇ ନିଅ ଘର ଓ କମ୍ପାନୀର ରେଜିଷ୍ଟ୍ରେଶନ ଡକୁମେଣ୍ଟ । ଏ ସବୁ ଏବେ ତୁମର । ମୁଁ ସଂସାର ତ୍ୟାଗ କରି ହିମାଳୟ ଚାଲିଯିବି । ମୋ ଭଳି ଲୋକ ପୃଥିବୀରେ ରହିବା ସମୀଚୀନ ନୁହେଁ । ମୁଁ ଯିବା ପୂର୍ବରୁ ଗୋଟିଏ ଦାୟିତ୍ଵ ତୁମକୁ ଦେବି ବୋଲି ଭାବିଛି । ଆଶା କରୁଛି, ନାହିଁ

କରିବନି ।"


ପ୍ରମୋଦ – "କୁହନ୍ତୁ ମଉସା, ଆପଣଙ୍କ ଦୁଃଖ ମୋର ଦୁଃଖ । କି ସାହାଯ୍ୟ କରିବି ?"


ନିଶା – "ମୋର ଝିଅର ଦାଇତ୍ଵ ନେବ ବୋଲି ଆଶା । ତାକୁ ବିବାହ କରି ମୋତେ ସଂସାର ତ୍ୟାଗ କରିବାକୁ ଦିଅ ।"

    

       ପଛପାଖରୁ ଦୀପାଳି ଆଗକୁ ଚାଲି ଆସିଲା । ତାକୁ ଦେଖି ପ୍ରମୋଦର ମୁଖମଣ୍ଡଳ ପାଟଳ ବର୍ଣ୍ଣ ଧାରଣ କଲା । ଦୀପାଳିର ମୁହଁ ଲଜ୍ଜାତୁର ଖୁସିରେ ଉଜ୍ଜ୍ଵଳ ଦେଖାଯାଉଥିଲା । ଦୁହେଁ ପରସ୍ପରକୁ ଅନେଇ ରହିଥିଲେ । ଏ ଭଳି ଅପ୍ରତ୍ୟାଶିତ ଘଟଣା କେହି ଚିନ୍ତା ବି କରିନଥିଲେ । ଭାଗ୍ୟ କଅଣ ନକରେ ! ତଥାପି ପ୍ରମୋଦ କହିଲା, "ମଉସା, ଯାହା ହେବାର ହେଇଗଲା, କ୍ଷମା ବି ମାଗିଲେ, ତା ପରେ ନିଜକୁ ଆଉ କାହିଁକି ଦଣ୍ଡ ଦେବେ । ନିଜ ଝିଅକୁ ଛାଡ଼ି କୁଆଡ଼େ ଯିବେ ? ଆମ କମ୍ପାନୀ ଆପଣଙ୍କର ଅଭିଜ୍ଞତାରୁ ଆହୁରି ଅନେକ କିଛି ପାଇବାକୁ ଆଶା କରେ ।" ନିଶାନ୍ତ ବାବୁ ନିଶ୍ଚଳ ହୋଇ ସ୍ଥିର ଦୃଷ୍ଟିରେ ପ୍ରମୋଦକୁ କିଛି ସମୟ ଅନେଇ ରହିଲେ । ନିଜ ମଥାରେ କର ମାରି ମାରି କହିଲେ, "ହାୟ, ମୁଁ କି ପାପ କରିଥିଲି; ମୋଠାରୁ ପାପୀ ଏ ଦୁନିଆରେ କେହି ନାହିଁ" । ଏହା କହି କାନ୍ଦିବାକୁ ଲାଗିଲେ । ପ୍ରମୋଦ କୁଣ୍ଢେଇ ପକେଇଲା ତାଙ୍କୁ । ଦୁହିଙ୍କର ଚକ୍ଷୁରୁ ଲୋତକର ବନ୍ୟା ଛୁଟୁଥିଲା ।  

           ସନ୍ଧ୍ୟା ବେଳେ ଫୋନରେ ପବିତ୍ରକୁ ସବୁ କଥା ପ୍ରମୋଦ କହିଲା । ସବୁ ଶୁଣି ହସି ହସି ପବିତ୍ର କହିଲା, "ଓହୋ ! କଥାଟା ତାହେଲେ ସେଠି ଥିଲା । ବୁଡ଼ି ବୁଡ଼ି ତାଙ୍କ ଝିଅକୁ ପ୍ରେମ କରୁଥିଲୁ, ସେଇଥି ପାଇଁ ଭାବୀ ଶ୍ଵଶୁରର ସାତ ଖୁଣ ମାଫ କରିଦେଇଥିଲୁ । ମୁଁ ଭାବୁଛି, ଇଏ ଏତେ ନିର୍ମାୟା କେମିତି ହେଲା । ହଉ ଭାଇ, ଅଭିନନ୍ଦନ । କେବେ ବାହାଘର ?"

ପ୍ରମୋଦ – "ଆରେ ନାହିଁ । ସେମିତି କିଛି ଆମ ଭିତରେ ନଥିଲା, ତୋ ରାଣ, ସତ କହୁଛି ସାଙ୍ଗ । ମଉସା ତାଙ୍କ ଝିଅକୁ ମୋତେ ଦେବାଟା ଗୋଟିଏ ଆଶ୍ଚର୍ଯ୍ୟର କଥା । ଭାଗ୍ୟ ଏମିତି କଡ଼ ଲେଉଟେଇବ ବୋଲି ମୁଁ କଅଣ ଆଗରୁ ଜାଣିଥିଲି । ସେ ଯାହାହେଉ, ବାହାଘରକୁ ନିଶ୍ଚୟ ଆସିବୁ ।"       


Rate this content
Log in

More oriya story from Dr Subas Chandra Rout

Similar oriya story from Crime