Lipi Sahoo

Action Crime Inspirational

4.8  

Lipi Sahoo

Action Crime Inspirational

ସି.ଆଇ.ଡି. ବାବା

ସି.ଆଇ.ଡି. ବାବା

6 mins
374


ସହରର ରାଜରାସ୍ତା । ଅନେକ ଭିଡ଼ । ଘୁଁ ଘାଁ ଗାଡ଼ି ମଟରର ଶବ୍ଦ । ଅଣନିଃଶ୍ବାସୀ ହେଇ ଧାଉଁ ଥିବା ଲୋକମାନେ , ଜୀବନ ଜୀବିକା ପାଇଁ । କଂକ୍ରିଟ ସହର ଭିତରେ ଧୀରେଧୀରେ ହୃଦୟ ବି ସିମେଣ୍ଟ ପରି ଟାଣ ହେବାକୁ ଲାଗିଲାଣି । ସମୟ ଯେମିତି ଘୂରିବୁଲୁଛି ଘଣ୍ଟା ଚାରିପାଖେ ସେମିତି ମଣିଷ ମାନେ ଘୂରିବୁଲୁଛନ୍ତି ନିଜ ତିଆରି ପରିଧି ଭିତରେ । ସେମାନଙ୍କ କକ୍ଷପଥରେ ଯଦି କହି ଅବାଞ୍ଛିତ ପଶିଆସେ ବିରକ୍ତି ର ଶୀକାର ହେବା ସ୍ବଭାବିକ । ଠିକ୍ ସେମିତି ବେଳେବେଳେ ଏଇ ପାଗଳ ରାଜରାସ୍ତା ଭିତରକୁ ପଶିଆସେ । ଠିକଣାବିହୀନ ଚିଠି ପରି ଏଣେତେଣେ ଘୂରି ବୁଲେ । ସହରର ଗତି ଅସ୍ୱାଭାବିକ ଭାବେ ଧିମା ହେଇଯାଏ । ପୋଲିସ କୁ ନାକାନ୍ତ କରାଏ । ଅନେକ ସମୟ ଯାଏଁ ଛକାପଞ୍ଝା ଖେଳଚାଲେ । କେହି କେହି ବିରକ୍ତି ରେ ନାଶିକା କୁଞ୍ଚନ କରନ୍ତି ତ କେହି କେହି ଏହି ଦୃଶ୍ୟ କୁ ଉପଭୋଗ କରନ୍ତି । ହେଲେ ସମସ୍ତ ଙ୍କ ମନରେ ଗୋଟିଏ ପ୍ରଶ୍ନ ୟେ ପାଗଳ କିଏ ???


                      ସବୁ ପାଗଳଙ୍କ ପରି ୟାର ପୋଷାକ ପରିଚ୍ଛଦ ଗତାନୁଗତିକ । ଫିକା ହଳଦିଆ ରଙ୍ଗର ସାର୍ଟ । ସେଥିରେ ଚିନି ଚାରିଟା କଣା । ଝର୍କା ସେପାଖୁ ଉଙ୍କିମାରୁଥିବା ଛୋଟ ପିଲାଟିଏ ଭଳି ତା'ର କ୍ଷୀଣ ଶରୀର ସେଇ କଣାବାଟୁ ସ୍ପଷ୍ଟ ବାରିହୁଏ । ଦୁଇ ତିନୋଟି ବୋତାମ ମାରିଥାଏ ସେ ବି ଉପର ତଳ କରି ଅନଭିଜ୍ଞ ଶିଶୁ ଟିଏ ପରି । ଫିକା ପାଉଁଶିଆ ରଙ୍ଗର ପ୍ୟାଣ୍ଟ । ମଇଳାର ଆସ୍ତରଣ ଯମି ମାଟିଆ ରଙ୍ଗ ର ଭ୍ରମ ସୃଷ୍ଟି କରେ । ତା'ର ସମ୍ବଳ କହିଲେ ଗୋଟିଏ କମ୍ବଳ । ସବୁବେଳେ କାନ୍ଧରେ ପଡ଼ିଥାଏ । ସେଟା ବି ତା'ର ନିଜସ୍ଵ ନୁହେଁ ବୋଲି ବେଶ୍ ଅନୁମାନ କରିହୁଏ । କୌଣସି ବଦାନ୍ୟ ବ୍ୟକ୍ତି ର ଦାନ ନିଶ୍ଚିତ । ଲମ୍ବା ବାଳ , ବର ଓହୋଳ ପରି ଝୁଲି ମୁହଁ କୁ ଅଧା ଘୋଡେ଼ଇ ରଖିଥାଏ । ସେ ଜଟା ସବୁ ଏକ ତପସ୍ୱୀ ର ଭ୍ରମ ସୃଷ୍ଟି କରେ । ସେ ସିଆଇଡିବାବା ନାମରେ ପରିଚିତ । ୟେ ନାମ ତାକୁ କିଏ କେବେ ଦେଲା ?? ସେ ଇତିହାସ ସମସ୍ତ ଙ୍କୁ ଅଜ୍ଞାତ । ଲୋକବିଶ୍ଵାସ ସେ ଗୋଟେ ସିଆଇଡି ସହର ଉପରେ ନଜର ରଖିବା ପାଇଁ ଏମିତି ବେଶ ହୋଇ ବୁଲେ । ହେଲେ ୟେ କଥାରେ କେତେ ସତ୍ୟତା ଅଛି , ସେ ବିଷୟରେ କେହି ପରୀକ୍ଷା କରି ନାହାଁନ୍ତି କି କାହାରି ଉତ୍ସାହ ବି ନାହିଁ । 

                      ବେଳେ ବେଳେ ପିଲାମାନେ ତା ପଛରେ ପଡ଼ି ଯାଆନ୍ତି । ତାକୁ ଚିଡାନ୍ତି , ତା'ର କମ୍ବଳ ଟାଣନ୍ତି , ଗୋଡ଼ି ବି ପକାନ୍ତି । ସେ ଅଶ୍ରବ୍ୟ ଭାଷାରେ ଗାଳିକରେ । ସେମାନଙ୍କୁ ପିଟିବାକୁ ଗୋଡାଏ । ୟେ ଖେଳ ଏମିତି ଚାଲେ ଯେ ପର୍ଯ୍ୟନ୍ତ କେହି ବଡଲୋକ ଆସି ପିଲାମାନଙ୍କୁ ନ ଅଟକେଇଛନ୍ତି । ଏଇଟା ଗୋଟେ ଖୁସି । ସେ ପାଗଳ ବି ଏଇ ଖେଳକୁ ବେଶ୍ ଉପଭୋଗ କରେ ତା'ର ଆଚରଣରୁ ବାରି ହେଇପଡେ । ନିହାତି ନିଃସଙ୍ଗ ଜୀବନରେ ଅଚାନକ କେହି ଯଦି ଆସି ପାଦଥାପେ ଯେଉଁ ଉନ୍ମାଦନା ସୃଷ୍ଟି ହୁଏ ଠିକ୍ ସେମିତି ଏଇ ପାଗଳ କୁ ପିଲାମାନେ ଆହୁରି ଉନ୍ମାଦିତ କରି ପକାନ୍ତି । କାହିଁ କେତେ ବର୍ଷ ଧରି ଏଇ ଧାରା ଚାଲିଚି କହିବା କଷ୍ଟକର ବ୍ୟାପାର । ସିଆଇଡି ବାବାର ବୟସ କେତେ ??? କେହି କହି ପାରିବେନି । କୋଉଠି ଖାଏ , କୋଉଠି ଶୁଏ ତା'ର ହିସାବ କିଏ ବା କାହିଁକି ରଖିବ ??? ସମୟ ବି କାହାର ଅଛି ??? ନିହାତି ଅଲୋଡା ମଣିଷ ଟିଏ । ରାସ୍ତାଘାଟ ରେ କୋଉଠି ଦେଖା ହେଇଗଲେ , କେହି ଟିକେ ହସି ଦିଅନ୍ତି ପରିହାସ ଛଳରେ ପୁଣି କେହି ବିରକ୍ତ ହୁଅନ୍ତି । ହେଲେ ତାକୁ ସେଥିରେ କିଛି ଫରକ ପଡେନି । ସେ ତା ଦୁନିଆରେ ମସ୍ତ ଥାଏ ।


               ଦିନେ ଦିନେ ରାତି ପାହି ସକାଳ ହେଲେ ଦେଖାଯାଏ ସେ ଖଣ୍ଡିଆ ଖାବରା ହେଇ ବୁଲୁଥାଏ । ସେଥିରୁ ରକ୍ତ ବି ବୋହୁଥାଏ । ହେଲେ କେହି କେବେ ସହାନୁଭୂତି ଦେଖାଇ ତା'ର ଉପଚାର କରି ନାହାଁନ୍ତି କି ସେ ବିଷୟରେ କିଛି ପଚାରି ନାହାଁନ୍ତି । ବୋଧ ହୁଏ ଏକ ପାଗଳ କୁ ପଚାରିବାର ଦୁଃସାହସ କେହି କରି ନାହାଁନ୍ତି । ସବୁଠୁ ବଡ଼ କଥା ହେଲା ସହରରେ ଏତେ ସରକାରୀ ଆଉ ବେସରକାରୀ ଲୋକହିତକର ସଂସ୍ଥା ଥାଇ ବି କାହାର ଆଖି ପଡ଼ି ନାହିଁ ତା ଉପରେ । ଅଣଦେଖା କରିଦେବା ଆଜିକାଲି ମଣିଷ ର ଏକ ବିଶେଷ ସ୍ୱଭାବ । ଜାଣି ଜାଣି ଜଞାଳ ଟାଣି ଆଣିବା ବି କୋଉ ବୁଦ୍ଧିମତାର କାର୍ଯ୍ୟ ।


              ହଠାତ୍ ଦିନେ ସକାଳୁ ସବୁ ଚ୍ୟାନେଲ ଆଉ ଖବର କାଗଜରେ ପାଗଳର ଫଟୋ । ସହରରେ ଚାଞ୍ଚଲ୍ୟ ସୃଷ୍ଟି କରି ଦେଇଚି ସେଇ ଖବର । ଅତ୍ୟନ୍ତ ମୁମୁର୍ଷ ଅବସ୍ଥାରେ ହସ୍ପିଟାଲ ରେ ସେ ପଡ଼ିଛି । ହେଲେ ଏଇଟା ଏତେ ବଡ଼ ଖବର କ'ଣ ଯେ ? ସବୁଠି ତା'ରି ଚର୍ଚ୍ଚା । ଖବର ବୁଝ ବୁଝ କ'ଣ ନା କାଲି ରାତିରେ ଏକ ଅସହାୟ ଯୁବତୀକୁ ବଞ୍ଚେଇବାକୁ ଯାଇ ତା'ର ଏଇ ଅବସ୍ଥା । ସେଇ ଲୋମହର୍ଷଣକାରୀ ଘଟଣା ଟି ସେଇ ଝିଅ ନିଜ ମୁହଁ ରେ ବର୍ଣ୍ଣନା କରୁଚି । ସବୁ ଚ୍ୟାନେଲ ରେ ସେଇ ଘଟଣା ବାରଂବାର ଦେଖଉଚି । ଘଟଣା ଟି ଏହି ପରି ......


              ଝିଅଟି ଏଇ ସହରରେ ଚାକିରୀ କରେ । ତା ଘର ଆଉ ଏକ ରାଜ୍ୟରେ । ସେ ଛୁଟିରେ ଘରକୁ ଯାଇଥିଲା । ଅନ୍ୟ ରାଜ୍ୟ ମାନଙ୍କୁ ସାଧାରଣତଃ ନାଇଟ୍ ବସ୍ ଚାଲେ । ତା'ର ଛୁଟି ସରିବା ପରେ ସେ ବସ୍ ରେ ନିଜ ଗାଁ ରୁ ଏଇ ସହରକୁ ଫେରିଛି । ଠିକ୍ ରାତି ତିନିଟା ରେ ତା ବସ୍ ଆସି ପହଞ୍ଚିଲା ବସଷ୍ଟାଣ୍ଡ ରେ । ସେଠୁ ସେ ଅଟୋ କରି ଆସୁଥାଏ ତା'ର ଭଡାଘରକୁ । ମନରେ ଖୁବ୍ ଭୟ ଆସୁଥାଏ ରାତିର ଏଇ ନିଶ୍ଚୁପ ସହରକୁ ଦେଖି । ଥଣ୍ଡା ପବନ ଶିରଶିର ବୋହୁଥାଏ । କିଛି ବାଟ ଆସିବା ପରେ ହଠାତ୍ ସେଇ ଅଟୋକୁ ଅଟକେଇଲେ ତିନିଜଣ ଟୋକା । ଟାଙ୍କେ ଲେଖା ମଦପିଇ ଚୁର୍ । ଜବରଦସ୍ତ ତିନି ଜଣ ଅଟୋ ଭିତରକୁ ପଶିଆସିଲେ । ଅଟୋବାଲା ବି ଡରିକି ଛାନିଆ । 


                 ତାଙ୍କ ଭିତରୁ ଜଣେ କହିଲା , ଏବେ ଚଲା ବେ , ରହିଲୁ କାହିଁକି ???


              ଅଟୋବାଲା ଅଟୋକୁ ଆଗକୁ ଗଡେଇଲା । ସେ ତିନି ଜଣ ପଛରେ ବସି ସେଇ ଝିଅକୁ ଟଣାଓଟରା କରିବା ଆରମ୍ଭ କରିଦେଲେ । ସେ ବିକଳରେ ଚିତ୍କାର କଲା । ହେଲେ ତା ଚିତ୍କାର ଗହଳ ଅନ୍ଧାର ଭିତରେ ପିଟି ହେଇ ଫେରି ଆସିଲା । ହେଲେ କେହି ଶୁଣି ପାରିଲେନି । ଆଉ ଅଟୋବାଲା ନିଜକୁ ସମ୍ଭାଳି ନପାରି , ଚାରିଛକରେ ଏକ ବରଗଛ ତଳେ ଅଟୋ ରଖି ପ୍ରାଣ ବିକଳରେ ଧାଇଁ ପଳେଇଲା । ଏଇ ତିନି ମାତାଲ ଝିଅକୁ ଶୂନ୍ୟେ ଶୂନ୍ୟେ ଟେକି ନେଇଗଲେ ବରଗଛ ଚାନ୍ଦିନି ଉପରକୁ । ଏଥର ସେ ସମସ୍ତ ଶକ୍ତି ଲଗେଇ ଜୋରରେ ଚିତ୍କାର କଲା ....।


                କୋଉଠି ଥିଲା କେଜାଣି ଏଇ ସିଆଇଡି ବାବା ଗୋଟେ ଲାଠି ଧରି ବାହାରି ଆସିଲା ।

                 

              ତିନିଜଣ ଟୋକା ତାକୁ ଦେଖି ଥଟ୍ଟା କରି କହିଲେ ଶିଘ୍ର ୟେ ଜାଗା ଛାଡି ପଳା ନହେଲେ ମରିବୁ । 

               

         ଏତିକିରେ ପାଗଳର ଆଖି ଜଳି ଉଠିଲା ଦପଦପ୍ । ଜଣକୁ ଗୋଟେ ଧକିଆ ମାରିଲା ଯେ , ସେ ଖଣ୍ଡେ ଦୂରରେ ପଡ଼ିଲା । ଆଉ ଜଣେ ଦଉଡ଼ି ଆସି , ଛୁରୀ ରେ ଆକ୍ରମଣ କଲା । ଛୁରୀ ତା ପେଟ ପାଖରେ ବାଜି ଚିରି ହେଇଗଲା । ରକ୍ତ ବୋହି ଚାଲିଲା ଥପଥପ୍ । ହେଲେ ସେ ସେତେବେଳକୁ ପାଲଟି ଯାଇଥାଏ ନୃସିଂହ .... ଏକଦମ୍ ହିଂସ୍ର । ଛୁରୀ ଧରିଥିବା ପିଲାର ହାତକୁ ଏମିତି ମୋଡିଦେଲା ଯେ ହାତ ବଙ୍କା ହେଇ ରହିଗଲା । ଗୋଟା ଗୋଟାକୁ ଧରି ଏମିତି ମାରିଲା ସତେ କି ସେ ଗୋଟେ ଟ୍ରେଣ୍ଡ୍ ଫାଇଟର୍ । ଅଳ୍ପ ସମୟ ଭିତରେ ସେମାନେ ଛତ୍ରଭଙ୍ଗ ଦେଇ ଧାଇଁଲେ । ୟା ଭିତରେ ସେ ଝିଅ ପିସିଆର୍ ଆଉ ଆମ୍ବୁଲାନ୍ସ କୁ ଫୋନ୍ କରି ସାରିଥାଏ । ଏକାସାଙ୍ଗରେ ଦୁଇଟା ଯାକ ଆସି ପହଁଚିଲେ । ତା ପର ଘଟଣା ତ ସମସ୍ତେ ଟିଭିରେ ଦେଖୁଛନ୍ତି ।


                ଏଇ ଘଟଣା ପ୍ରସାର ପରେ କିଛି ଲୋକ ନିଜ ତରଫରୁ ଆସି କିପରି ସେମାନଙ୍କୁ ପାଗଳ , ବିଭିନ୍ନ ସମୟରେ ଦୁର୍ବୁତ୍ତମାନଙ୍କ ଠାରୁ ରକ୍ଷା କରିଥିଲା ସେ ବିଷୟରେ ଭାବପ୍ରବଣ ହେଇ ବର୍ଣ୍ଣନା କରିବାକୁ ଲାଗିଲା । ଏପରିକି ସେମାନଙ୍କ ପାଇଁ ସେ ଅନେକ ଥର ଲହୁଲୁହାଣ ବି ହେଇଚି । ଅନୁତାପ ବି କଲେ । କେମିତି କେହି କେହି କିଛି ଟଙ୍କା ପାଗଳ ହାତରେ ଗୁଞ୍ଜି ଦେଇ ଅତି ସହଜ ଭାବରେ ଉପକାରର ଋଣ ସୁଝି ଦେଇଥିଲେ ।


                ଏଇ ଗୋଟିଏ ଘଟଣାରୁ ସହରବାସୀଙ୍କ , ପାଗଳ ପ୍ରତି ଥିବା ଦୃଷ୍ଟିଭଙ୍ଗୀ ବଦଳି ଗଲା । ସମସ୍ତ ଙ୍କ ମୁହଁ ରେ ସେଇ ଗୋଟାଏ ନାଁ ସିଆଇଡିବାବା । ସେ ତ ପାଗଳ ନୁହେଁ ସହରର ଜାଗ୍ରତ ପ୍ରହରୀ ।

                  ୟେତ ଅତି ଜଣାଶୁଣା କଥା ମିଡିଆବାଲା ଯାହା ପଛରେ ଥରେ ପଡ଼ିବେ । ତା'ର ସପ୍ତପୁରୁଷ ଆଉ ସାତଜନ୍ମ ର କଥା ସାତତାଳ ପଙ୍କରୁ ଏକାଥରେ ବାହାର କରି ଆଣିବେ । ପୋଲିସ ବି ଏତେ ପାରଙ୍ଗମ ହେବନି । ସତକୁ ସତ ସେଇୟା ହେଲା । ସମୟର ଚଦର ତଳେ ଢଙ୍କା ପାଗଳର ଅତୀତ ବାହାରି ଆସିଲା ।


               ପ୍ରକୃତରେ ସେ ଜଣେ ବିଏସଏଫ ଯବାନ ଥିଲା । ଖୁବ୍ ଦକ୍ଷ ଆଉ ସାହସୀ । ସମସ୍ତ ଙ୍କ ପ୍ରିୟପାତ୍ର । ସମୟ ସବୁବେଳେ ସମାନ ଯାଏନା । କୌଣସି ଏକ କାରଣରୁ ଉପରିସ୍ଥ ଅଫିସର୍ ଙ୍କ ସହ ମନମାଳିନ୍ୟ ହେଲା । ଆଉ ସେ ତାଙ୍କର ଆକ୍ରୋଶର ଶିକାର ହେଲା । ଶେଷରେ କୌଣସି ଦୋଷ ନଥାଇ ବି ତାକୁ ତା'ର ଚାକିରୀ ହରେଇବାକୁ ପଡ଼ିଲା । ଯାହାକି ତାକୁ ବେଶ୍ ବିଚଳିତ କରିଥିଲା । ତାଛଡା ତା'ର ପରିବାରର ଆର୍ଥିକ ସ୍ଥିତି ବି ଭଲ ନଥିଲା । ଏଇ ଘଟଣା ଯୋଗୁଁ ତା'ର ସ୍ତ୍ରୀ ଏକମାତ୍ର ସନ୍ତାନକୁ ନେଇ ବାପଘରକୁ ଚାଲିଗଲା । ବାପା ମା ବି ଅସନ୍ତୁଷ୍ଟ ହେଲେ ।ହେବା ବି ସ୍ୱଭାବିକ । ବହୁତ ପରିଶ୍ରମ ଆଉ ସଂଘର୍ଷ କରି ପିଲାକୁ ଯୋଗ୍ୟ କରେଇଥିଲେ । ଧୀରେଧୀରେ ସେ ତା'ର ମାନସିକ ଭାରସାମ୍ୟ ହରେଇ ବସିଲା ଆଉ ଘର ଛାଡ଼ି ଦେଲା । ସେବେଠୁ ଏଇ ସହରରେ ପାଗଳ ପରି ଘୂରି ବୁଲିଲା ।

               

          ସତ କଥା ହେଲା ଦକ୍ଷତାକୁ କେବେ ବି କୁହୁଡିର ଚାଦର ଘୋଡେଇ ରଖିପାରେନା । ଆଉ ହଁ !!! ପ୍ରତ୍ୟେକ ମଣିଷ ଗୋଟିଏ ଗୋଟିଏ ଭଲ ଅଭିନେତା । ସେମାନଙ୍କ ଭିତର ଆଉ ବାହାର ଭିତରେ ଆକାଶ ପାତାଳ ଫରକ ଥାଏ । ଏଇ ଯେମିତି ଆମର ଏଇ ସିଆଇଡିବାବା , ସହରର ଜାଗ୍ରତ ପ୍ରହରୀ । ସେ କ'ଣ ସତରେ ପାଗଳ ଥିଲା , ନା ପାଗଳର ଅଭିନୟ .....?????

          


              



Rate this content
Log in

Similar oriya story from Action