ନେଳୀ ପୋଖରୀର ନୀଳକଇଁ
ନେଳୀ ପୋଖରୀର ନୀଳକଇଁ
ପ୍ରାୟ ଦୁଇବର୍ଷ ପରେ ଗାଁକୁ ଯାଉଥୁଲୁ । ଆମେ ପ୍ରତି ଦଶହରାରେ ଗାଁ କୁ ଯାଉ । ଗୋଟେ ବର୍ଷ ମୋର ମେଟ୍ରିକ ପରୀକ୍ଷା ଥିଲା ଆଉ ଗୋଟେ ବର୍ଷ ନାନୀର +୨ ପରୀକ୍ଷା । ସେଥି ପାଇଁ ଆସି ପାରିନଥିଲୁ । ୟେ ବର୍ଷର ଦଶହରା ହାତଛଡା କରିବାକୂ ଚାହୁଁ ନଥିଲୁ । ସହରରୁ ଆମ ଗାଁ ମୁକୁନ୍ଦପୁର ଦୁଇ ଘଣ୍ଟାର ରାସ୍ତା । ଆମ ନୂଆକାର୍ ରେ ସକାଳୁ ଘରୁ ବାହାରିଲୁ । ମେଘୁଆ ପାଗ ହେଇଥାଏ । ମୋ ମନ ଭାରି ଖୁସି ସତେ କି ଆକାଶ ରେ ଉଠୁଥାଏ । ଗାଁରେ ପହଞ୍ଚି କ'ଣ କ'ଣ କରିବି , କ'ଣ ଖାଇବି ସେଇ କଥା ଭାବି ଚାଲିଥାଏ ।
ସଦର ରାସ୍ତାରୁ ଗାଁ ରାସ୍ତାରେ ଯେତେବେଳ ଗାଡି ପଶିଲା । ଆଗ ପଡିଲା ନେଳୀପୋଖରୀ । କେତେ ସୁନ୍ଦର ନୀଳକଇଁ ସବୁ ଫୁଟିଥିଲା । ତା ପରେ ତ ବିସ୍ତୃତ ଧାନକ୍ଷେତ । ଧାନଗଛ ଗୁଡିକ ଲମ୍ବା ଲମ୍ବା ହେଇ ଯାଇଆଏ । ଲାଗୁଥାଏ ମାଁ ର ସବୁଜ ପଣତ ଯେମିତି ପବନରେ ହଲୁଚି । ମନ ହେଉଥାଏ ସେଇ ପଣତକୁ ଦେହରେ ଗୁଡେଇ ହେଇଯିବାକୁ । ଟିକେ ଦୂରରେ ଦିଶୁଥିଲା ଆମ ଗାଁ ବେଙ୍ଗାନଈ । ତା ପଠାରେ ଫୁଟିଥିଲା ଅନେକ କାଶତଣ୍ଡୀ ଫୁଲ ଧଳା ଚଦର ଭଳି । ଲାଗୁଥିଲା ଗାଁ ଯେମିତି ସଜେଇ ହେଇଚି ନା ନା ବର୍ଣ୍ଣରେ ମାଁଙ୍କୁ ସ୍ବାଗତ କରିବା ପାଇଁ । ସବୁଠାରେ ଖାଲି ଆନନ୍ଦ ଆଉ ଆନନ୍ଦର ଛୁଆଁ । ଗାଁ ମୁଣ୍ଡ ବରଗଛ ଆଉ ଟିକେ ଘଞ୍ଚ ହେଇ ଯାଇଥାଏ । ତାରି କଡରେ ଦୂର୍ଗା ମଣ୍ଡପ । ଧଳାରଙ୍ଗରେ ପୋତା ଯାଇଥାଏ । କାଲି ଷଷ୍ଠୀ ଥିବାରୁ ସଜାସଜି ଚାଲିଥାଏ । ମୂର୍ତ୍ତି ଆଗରେ କପଡା ବନ୍ଧା ହେଇଥାଏ ।
ଆମେ ଆଗକୁ ବଢି ଯାଇ ଓହ୍ଲେଇଲୁ ଜେଜେଘର ଦୂଆରେ । ଜେଜେମାଁ ଧାଇଁଆସି ଆମକୁ ଘର ଭିତରକୁ ହାତ ଧରି ନେଇଗଲା । ତାକୁ କାହିଁକି କେଜାଣି ସବୁବେଳେ ଲାଗେ ଆମକୁ ଭୋକ ଲାଗୁଚି । ହାତଗୋଡ ଧୁଆଇ ସିଧା ନେଇଗଲା ରୋଷେଇ ଘରକୁ ପଖାଳ ସହ ବାଢି ଦେଲା ପାଞ୍ଚ ସାତ ପ୍ରକାର ଆଇଟମ୍ । ଆମେ ବି ଭାଇ ଭଉଣୀ ଦୁଇଜଣ ପେଟପୂରା ଠୁଙ୍କିଦେଲୁ । ତା'ପରେ ଜେଜେମାକୁ ଧରି ଚଢିଗଲୁ ତା ପଲଙ୍କ ଉପରେ । ଖରାବେଳଟା ସାରା କେତେ କାହାଣୀ ଶୁଣେଇଲା ଯେ ଶୁଣିଶୁଣି ଶୋଇପଡିଲୁ ।
ଉପରବେଳା ନିଦଭାଙ୍ଗିଲା ଟୁକୁନାର ଦୂଆର ମୁହଁରେ ଡାକଶୁଣି । ଟିଟନ୍ ଉଠ କେତେ ଶୋଉଛୁ ?? ଦେଖ ଆମେ ସବୁ ଆସିଲୁଣି ଚାଲ ଯିବା ମଣ୍ଡପ ପାଖକୁ କେତେ ସଜାସଜି ଚାଲିଚି ଦେଖିବା । ମୁଁ ଧଡପଡ ହେଇ ଉଠି ଦେଖିଲା ବେଳକୁ ବାଗା , କୁନା , ଟୁଟୁ ସବୁ ଆସି ଠିଆ ହେଇଛନ୍ତି । ଏମାନେ ସବୁ ମୋ ଗାଁ ସାଙ୍ଗ । ତାଙ୍କ ସାଙ୍ଗେ ବାହାରି ଗଲି ଦେଖିବା ପାଇଁ । ମଣ୍ଡପରେ ଗହଳିଚହଳି ଥାଏ । କାଗଜ କାଟି ସଜାସଜି ଚାଲିଥାଏ । ଲିଚୁଲାଇଟ୍ ଟଣା ଯାଉଥାଏ । ମାଁଙ୍କୁ ଶାଢୀଗହଣା ପିନ୍ଧା ଯାଉଥାଏ । ମାଁ ଏଥର ନୀଳଶାଢୀ ପିନ୍ଧି ଥାଆନ୍ତି । କାଲି ପୂଜା ଆରମ୍ଭ ହେବ ବିଲ୍ବବରଣୀ ପରେ । ଆମେ ସେଠି ଟିକେ ବୁଲାବୁଲି କରି ଚାଲିଲୁ ନଈପଠା ଆଡେ ।
ସେଠି ବସି ସନ୍ଧ୍ୟା ଯାଏଁ ଗପିଲୁ । କିଏ କୋଉ ଲାଇନ୍ ରେ ଯିବେ କାର ଇଚ୍ଛା କ'ଣ ବନିବା ପାଇଁ । ଏମିତି ଅନେକ କଥା । ଆମ ଭିତରେ ବାଗା ସବୁଠୁ ଗାଲୁଆ । ତା'ର ପାଠ ହୁଏନି ସେ କଥା ନୁହଁ ହେଲେ ସେ ପଢାପଢି କରିବାକୁ ପସନ୍ଦ କରେନି । ଖାଲି ବୁଲିବ ଇୟାଡେ ସିୟାଡେ । ସେଥିରେ ତା'ର ମଜା । ଗାଁ ରେ କାହା ପାଇଁ କ'ଣ ବଜାରରୁ ଜିନିଷ ଆଣିଦେବା କାହାକୁ ହସ୍ପିଟାଲ ନେବା ଏଇ କାମ କରେ । ବାପାଠୁ ବହେ ମାଡ ଖାଏ ହେଲେ ଜମା ସୁଧୁରେନି ।
ଗାଁରେ ଅଷ୍ଟମୀ ଦିନ ପ୍ରାୟ ସମସ୍ତେ ଉପବାସ କରନ୍ତି । ହଠାତ୍ ବାଗା କହିଲା ଅଷ୍ଟମୀସକାଳୁ ଯିବା ନେଳୀପୋଖରୀ । ସେଠୁ ଆଣିବା ନୀଳକଇଁ ଏଥର ଫୁଟିଚି କେତେ ବର୍ଷ ପରେ । ମୁଁ ଦେଖି ଆସିଚି । ମାଁର ପ୍ରିୟ.... ପା ସେ ଫୁଲ ।
କୁନା କହିଲା ଜାଣିଚୁ ନା ସେ ପୋଖରୀ କେତେ ଗଭୀର ଆଉ ଦଳରେ ଭରିଚି । ନାଡ ଗୁଡେଇ ହେଇଗଲେ ଆଉ ବାହାରି ପାରିବୁ ??? ପୋଖରୀ ମଝିରେ ଫୁଟିଚି କେତେ ପଙ୍କ ଥିବ କିଏ ଜାଣେ । ମରିବା ସାର ହେବ । ସେ ବେକାରିଆ କଥା କହନା ।
ତମେ ଗୁଡା ଡରୁଆ ଛେରୁଆ । ମାଁର କାମରେ ଡରିଲେ ହେବ ?? ମୁଁ ପଶିବି ତମେ ସବୁ ହୁଡାରେ ଠିଆ ହେବ .....ହେଲା । ମୁଁ ଫୁଲ ଫୋପାଡିବି ତମେ ସବୁ ଧରିବ ।
ଷଷ୍ଠୀ ସପ୍ତମୀ ପୂଜା ମୋଉଜରେ କଟିଗଲା । ଅଷ୍ଟମୀ ଦିନ ସକାଳୁ ଆମେ ବାହାରିଲୁ ନେଳୀପୋଖରୀ । କାହାକୁ କିଛି ନଜଣେଇ । ବାଗା ଗାମୁଛା ପିନ୍ଧି ପଶିଲା ପୋଖରୀରେ । ଆମେ ଠିଆ ହେଇଥାଉ ହୁଡାରେ । ପୋଖରୀ ମଝିରେ ପହଞ୍ଚି ବାଗା କହିଲା ଆବେ ଗୋଡ ପାଉନି । ମୁଁ ଗୋଟେ ନାଡଗୁଚ୍ଛା ଉପରେ ହାଲକେଇ କି ଠିଆ
ହେଇଚି ।
ଟୁଟୁ କହିଲା ପଳେଇ.... ଆ ନାଡ ଘୁଞ୍ଚିଗଲେ ତୁ ଭିତରେ ପଶିଯିବୁ ।
ରହ କାଇଁ ସେମିତି ହେଉଚୁ ??? ଗୋଟା ପରେ ଗୋଟା କଇଁ ତୋଳି ଚାଲିଲା ଆଉ ହୁଡା ଆଡେ ଫୋପାଡ଼ିଲା । ଆମେ ତୁଠ ଭିତରେ ଠିଆ ହେଇ ଗୋଟେଇ ଚାଲିଲୁ । ସବୁ ଯାକ ତୋଳି ଦେଲା । ଗୋଟିଏ ରହିଲା ସେଟା ଆଉ ଟିକେ ଭିତରକୁ ଥିଲା ।
ଆମେ ଏକା ସାଙ୍ଗେ କହିଲୁ ବାଗା ପଳେଇ ଆ....ଆଉ ଭିତରକୁ ଯା ନା । ଏତିକି ଢେର ହେଲାଣି । ସେ କୋଉ ଶୁଣିବା ପିଲା ଆଗକୁ ବଢିଲା । ଫୁଲ ଧରି ଫୋପାଡ଼ି ସାରିବା ପରେ ସେ ଆଉ ଦିଶିଲାନି । ବାଗା .....ବାଗା ଆମେ ଏକା ସାଙ୍ଗରେ ଚିଲେଇ ଚାଲିଲୁ । ହେଲେ ଭିତରୁ କିଛି ସୋରଶବ୍ଦ ନାହିଁ । ଆମର ହାଲକ ଶୁଖିଗଲା । ପାଗଳ ଭଳିଆ ହିଡ ଚାରିପଟେ ଦୌଡି ବୁଲିଲୁ । କିଛି ବୁଦ୍ଧିବାଟ ଦିଶିଲାନି । ଧାଇଁଲୁ ଗାଁକୁ । ସବୁ ମଣ୍ଡପ ପାଖରେ ମେଳି ହେଇଥାଆନ୍ତି । ମାଁଙ୍କ ସନ୍ଧିପୂଜା ଚାଲିଥାଏ । ଆମ ହାତରେ ନୀଳକଇଁ ଦେଖି ସବୁ ଖୁସି ହେଇଗଲେ । ଜଣେ ତ ଧାଇଁଆସି ସେ ଫୁଲତକ ହାତରୁ ନେଇ ନନାଙ୍କ ହାତକୁ ବଢେଇ ଦେଲା । ନନା ଖୁସିରେ ସବୁ ମାଁଙ୍କ ଉପରେ ଚଢେଇବାକୁ ଲାଗିଲେ । ହେଲେ ଆମ କାନ୍ଦବୋବାଳି ଆରମ୍ଭ ହେଇଗଲା । ଏକ ନିଶ୍ବାସରେ ଟୁଟୁ ସବୁ ଘଟଣା ଗାଇଗଲା । ବୁଡାଳି ଘନିଆକୁ ଡକା ହେଲା । ସେ ବହୁତ ସମୟ ବୁଡାବୁଡି କରି ଖୋଜିଲା ।ହେଲେ କିଛି ପାଇଲାନି । ଗାଁ ସାରା ଦୁଃଖର ଛାୟା ଖେଳିଗଲା । ପୋଲିସରେ ଖବର ଦିଆଗଲା । ସେମାନେ ବି ଆସି ଖୋଜାଖୋଜି କଲେ । ହେଲେ ସେମାନେ ବି ପାଇଲେନି ।
ପୂଜା ଚାଲିଥାଏ ସତ । ହେଲେ କାହା ମନରେ ସରାଗ ନଥାଏ । ମାଁ ମୁଣ୍ଡରେ ନୀଳକଇଁଗୁଡା ସୁନ୍ଦର ଆଉ ସତେଜ ଦେଖା ଯାଉଥାଏ । ହଠାତ୍ ମୋତେ ମାଁଙ୍କ କୋଳରେ ବାଗା ହସହସ ମୁହଁରେ ବସିଥିବାର ଦେଖାଗଲା । ମୁଁ ଆଖିମଳି ପୁଣି ଦେଖିଲି ସେଇୟା ଦିଶିଲା । ସମସ୍ତଙ୍କ ମୁହଁକୁ ଅନେଇଲି ଆଉ କେହି ଦେଖିପାରୁ ନଥିଲେ ବୋଧେ ସେ ଦୃଶ୍ଯ । ମୋତେ ଏକା ଦେଖା ଯାଉଥିଲା । ନବମୀ ସେମିତି ସେମିତିରେ କଟିଗଲା । ଦଶମୀରେ ଗାଁରେ ଜନ୍ତାଳ ହୁଏ । ସମସ୍ତେ ଖାଆନ୍ତି । ଏଥର କରା ହେବ କି ନାହିଁ ବଡବଡିଆ ସବୁ ସେଇକଥା ଚର୍ଚ୍ଚା କରୁ ଥାଆନ୍ତି ମଣ୍ଡପ ପାଖ ବରଗଛ ଚଉତରା ଉପରେ ବସି । ଆମେ ପିଲାମାନେ ସେଇ ପାଖରେ ବୁଲୁଥାଉ ।
ହଠାତ୍ ଦେଖିଲୁ ବାଗା ଚାଲିଚାଲି ଆସୁଛି । ମୁହଁଦେହ ମଳିନ ପଡିଯାଇଚି । ଆମେ କେହି ଆଗ ବିଶ୍ବାସ କରି ପାରିଲୁନି । ହେଲେ ଖୁସିରେ ହେଃ.......କହି ଧାଇଁଲୁ ତା ପାଖକୁ । ବଡବଡିଆ ଯେତେ ବସିଥିଲେ ଆଶ୍ଚର୍ଯ୍ଯ ହେଇଗଲେ । ବାଗାକୁ ପଚାରିଲେ କୁଆଡେ ଥିଲୁ କିରେ ତୁ ଦୁଇଦିନ ହେଲା ??? ସେ କହିଲା ମୁଁ କିଛି ଜାଣିନି । ଉଠି ଦେଖିଲି ଗୋଟେ ବୁଢୀମାଉସୀ ମୋ ମୁହଁରେ ପାଣିଛାଟି କହୁଚି ପୁଅ ଉଠ !! ଏଠିକି କେମିତି ଆସିଲୁ ?? ମୁଁ ପୋଖରୀ ହୁଡାରେ ବେହୋସ ହେଇ ପଡିଥିଲି ତା କହିବା ଅନୁସାରେ ।
ସେ ଯାହା ହେଉ ଏକ ଖୁସିର ଲହର ଖେଳିଗଲା ଗାଁରେ । ବହୁତ ଧୂମଧାମ୍ ରେ ଗାଁ ଜନ୍ତାଳ ହେଲା । ବାଗାର ବାପା ଗାଁ ସାରା ମିଠେଇ ବାଣ୍ଟିଲେ ପୁଅ ଫେରି ଆସିଥିବାରୁ ।
ବାଗାକୁ ଏକୁଟିଆ ପାଇ ଯେତେବଳେ ପଚାରିଲୁ ସତ କହ କୋଉଠି ଥିଲୁ ଦୁଇଦିନ ମନେପକା । ସେ ପୂରା ଆଈମା କାହାଣୀ ଶୁଣେଇଲା । ସାତତଳ ପଙ୍କ ପରେ ଅଛି ଗୋଟେ ସୁନ୍ଦର ରାଜପ୍ରସାଦ । ହୀରାନୀଳାରେ ସଜା ହେଇଚି । ହାତୀଦାନ୍ତର ପଲଙ୍କ ପଡିଥିଲା । ପାଖରେ ସୁସ୍ବାଦୁ ବ୍ଯଞ୍ଜନ ରଖା ଯାଇଥିଲା । ଜଣେ ସୁନ୍ଦରୀ ରାଜକୁମାରୀ ଆସି କହିଲେ ମୁଁ ତୁମକୁ ବିବାହ କରିବାକୁ ଚାହେଁ । ମୁଁ ବି ରାଜି ହେଇଗଲି । ବାହାଘର ହେଇଗଲା ମୁଁ କହିଲି ଟିକେ ଗାଆଁ ଆଡୁ ବୁଲିଆସେ ଭାରି ଗାଁ କଥା ମନେ ପଡୁଚି । ସେ ପଠେଇଦେଲା ଉପରକୁ ହେଲେ ମୋତେ ଫେରିବାକୁ ହେବ । ମୋ ସ୍ତ୍ରୀ ସେଇଠି ଅଛି । ଆମେ ସବୁ ପାଟି ଆଁ କରି ତା କଥା ପିଇ ଯାଉଥିଲୁ । ସେ ହୋ ହୋ ହେଇ ହସି ଉଠିଲା । ଆମେ ଜାଣିଲୁ ସେ ଗାଲୁ ପେଲୁଚି । ସତ କହିବାକୁ ଗଲେ ତାର କିଛି ବି ମନେ ନଥିଲା । ସେଇ ଦୁଇଦିନ ତା ଜୀବନ ପୃଷ୍ଠାରୁ ଲିଭି ଯାଇଥିଲା ।
ମୁଁ କହି ଉଠିଲି ହେଲେ ମୁଁ ଜାଣିଚି ତୁ କୋଉଠି ଥିଲୁ । ମାଁଙ୍କ ପାଖରେ । ମୁଁ ଦେଖିଚି ତୋତେ ମାଁଙ୍କ କୋଳରେ ବସିଥିବାର । କେହି ବିଶ୍ବାସ କର ବା ନକର । "ଅଲୌକିକ ଘଟଣା ଘଟେ" ଏଇଟା ମୋ ଜୀବନର ବୋଧହୁଏ ପ୍ରଥମ ଆଉ ଶେଷ ଅନୁଭୂତି । ଏକ ଅବିସ୍ମରଣୀୟ ସୁନ୍ଦରସ୍ମୃତି ନେଇ ଗାଅଁରୁ ଫେରିଲି ସେଥର ।