STORYMIRROR

Lipi Sahoo

Drama

4.5  

Lipi Sahoo

Drama

ବାଘମଣିଷ

ବାଘମଣିଷ

4 mins
66


ସତରେ ଏତେ ବେକାରିଆ ପିଲା ମାନା..... ଏମିତି ପିଲା ଜଗତେ ନଥିବେ। ଛାଡ ତାକୁ ଦୋଷ ଦେଇ କିଛି ଲାଭ ନାହିଁ । ମୋ ପାଇଁ ଚାକିରୀ ଖୋଜିଚି ସେତିକି ବଡ କଥା । ହେଲେ ସେ ଭଲ ଭାବରେ ଜାଣିଚି ମୁଁ ଗାଁରେ ଅଛି । କାଲି ଇଣ୍ଟରଭିୟୁ ଅଛି ଆଜି ଖରାବେଳେ ଫୋନ୍ କରି ଜଣଉଚି । ମୁଁ କେମିତି ଯାଇ ପହଞ୍ଚିବି ?? ଏବେ ଆଉ ଟ୍ରେନ୍ ନାହିଁ । ଯାଇ ରାତି ବାରଟାରେ ଗୋଟେ ଟ୍ରେନ ଅଛି । ଗାଁରୁ ଷ୍ଟେସନ ପୁଣି ଦଶ କିଲୋମିଟର । କେମିତି କ'ଣ କରିବ ଭାବି ଚିନୁର ମୁଣ୍ଡ ଖରାପ । ସେଥିରେ ମାଁ ଦେହ ଖରାପ । ସବୁ ସେଇ ଉପରବାଲାର ନାଟ । ସଂସାର ଯାକର ଅସୁବିଧା ମୋରି ମୁଣ୍ଡରେ ଲଦି ଦେବ ।


                  ସେ ଯାହା ହେଉ ଚିନୁକୁ ତା ବାପା ନିଜର ପୁରୁଣା ଲୁନାରେ ବସେଇ ସଂନ୍ଧ୍ଯା ସାତଟାରେ ବାହାରିଲେ । ଚିନୁ ଠାକୁରଙ୍କୁ ଡାକୁଥାଏ ଯେମିତି ବାଟରେ ଲୁନା ଖରାପ ନହେଉ । ସେ ଲୁନାର କିଛି ଭରସା ନାହିଁ କେତେବେଳେ ବି ଖରାପ ହେଇପାରେ । ଠାକୁର ତା ଡାକ ଶୁଣିଲେ ଲୁନା ଘୁରୁଘୁରୁ ହେଇ ପ୍ରାୟ ଘଣ୍ଟାକ ଭିତରେ ଷ୍ଟେସନରେ ପହଞ୍ଚିଲା । ସେଠି ଟିକଟ କାଟି ସାରି ସେ ବାପାଙ୍କୁ କହିଲା ତୁମେ ପଳାଅ । ଲୁନାକୁ ଭରସା ନାହିଁ ରାତିରେ କୋଉଠି ଖରାପ ହେଲେ ହଇରାଣ ହେବ । ଏମିତିରେ ବି ମାଁ ଦେହ ଭଲନାହିଁ । ହେଇ ତ ଲୋକ ଗହଳି ଅଛି କିଛି ଅସୁବିଧା ନାହିଁ ତମେ ଯାଅ । ବାପା ବାଧ୍ଯ ହେଇ ଚିନୁକୁ ଛାଡି ଗଲେ । ଛୋଟିଆ ଷ୍ଟେସନ ସେତେ ଭିଡ ନଥାଏ । ତଥାପି ଲୋକ ଯିବା ଆସିବା କରୁ ଥାଆନ୍ତି । ଚିନୁ ଯାଇ ଗୋଟେ ବେଞ୍ଚ ଉପରେ ବସିଲା । ଓଢଣିରେ ମୁହଁ ପୋଛି ଟିକେ ପାଣି ପିଇଲା ।


                 ସାଢେ ନଅଟା ପରେ ଷ୍ଟେସନ ଲୋକଶୂନ୍ୟ ହେବାକୁ ଲାଗିଲା । ଚାରି ଆଡେ ଆଖି ବୁଲେଇଲା ଜଣେ ହେଲେ ଦିଶିଲେନି । କିଛି ଦୂରରେ ଜଣେ ବୁଢା ମଉସା ନିଘୋଡ ନିଦରେ ଶୋଇ ଘୁଙ୍ଗୁଡି ମାରୁ ଥାଆନ୍ତି । ଚିନୁକୁ ଭୟ ଧୀରେଧୀରେ ଘାରିବାକୁ ଲାଗିଲା । ଭୂତ,ଚୋର, ମଦୁଆ ସଭିଙ୍କ ଡର ମନ ଭିତରେ ଏକା ସାଙ୍ଗେ ଜାଗି ଉଠିଲା । ମନେ ମନେ ମାନା ଉପରେ ରାଗିଲା । ଆଗରୁ ଟିକେ କହିଥିଲେ ସେ ଖରାବେଳ ଟ୍ରେନରେ ପଳେଇ ପାରିଥାଆନ୍ତା ।


        ଭଗବାନଙ୍କ ଲୀଳା ବି ଅଜବ । ସେ ଦେଖୁଛନ୍ତି ତାକୁ ଡର ଲାଗୁଚି ଠିକ ସେଇ ସମୟରେ ଗୋଟିଏ ପାଗଳ କୋଉଠି ଥିଲା କେଜାଣି ହଲି ହଲି ଆସି ବସିଲା ତା'ର ଆଗ ବେଞ୍ଚରେ । ଗୋଟିଏ ଦୃଷ୍ଟିରେ ଅନେଇ ଥାଏ ଚିନୁକୁ । ସେ ଡରରେ ଛେପ ଢୋକିଲା । ଛୋଟିଆ ଏୟାରବ୍ୟାଗଟା ଉଠେଇ ନିଜ କୋଳରେ ଚାପି ଧରିଲା । ଏପଟ ସେପଟ ଅନେଇଲା କାଳେ କେହି ଜଣେ ଦେଖା ହେଇ ଯିବେ । ନା କେହି ନାହାଁନ୍ତି । ସେ ପାଗଳ ସେମିତି ଅନେଇ ଥାଏ । 

               ଅଲରାବଲରା ଚୁଟିକୁ ଛିଣ୍ଡା ପେଣ୍ଟସାର୍ଟ । ଦେହହାତ ଅଲଗା ପ୍ରକାର ମଇଳାକୋଚଟ ହେଇଥାଏ । ଦୁର୍ଗ

ନ୍ଧ ଆସୁଥାଏ ତା ପାଖରୁ । ସେମିତି ସେ ଅନେଇ ଥାଏ ତାକୁ ଏକ ଲୟରେ । ଫଟକିନା ସେ ପାଗଳ ଛିଡା ହେଇଗଲା । ଚିନୁ ଚମକି ପଡିଲା । ହେଲେ ସେ ଚାଲିଚାଲି ଗେଟ ଆଡେ କୁଆଡେ ପଳେଇଲା ମୁଣ୍ଡ କୁଣ୍ଡେଇ କୁଣ୍ଡେଇ । ଚିନୁ ଟିକେ ଆଶ୍ବସ୍ତିରେ ନିଶ୍ବାସ ମାରିଲା । ଘଣ୍ଟାକୁ ଦେଖିଲା ସାଢେ ଦଶଟା ବାଜିଲାଣି । ଭୋକ ପ୍ରବଳ ହେଲାଣି ତାକୁ । ବ୍ୟାଗ ଖୋଲି ଭିତରୁ ପୁଡିଆ ଖୋଲିଲା । ପୁରୀ ଆଳୁକଷା ଥିଲା । ତାକୁ କାଢି ବେଞ୍ଚ ଉପରେ ରଖି ବୋତଲ ପାଣିରେ ହାତ ଧୋଉଚି ଦେଖିଲା ସେ ପାଗଳ ଆସି ପୁଣି ଆଗ ବେଞ୍ଚରେ ବସିଚି । ଏଥର ଗୋଟେ ଫଟାଛିଣ୍ଡା ନାଟକରେ ପିନ୍ଧୁଥିବା ବାଘଡ୍ରେସ୍ ଗୁଡେଇ ହେଇଥିଲା । ମୁହୂର୍ତ୍ତକ ପାଇଁ ଲାଗିଲା ଚିନୁର ନିଶ୍ବାସ ଯେମିତି ବନ୍ଦ ହେଇଗଲା । 


                ଏଥର ପାଗଳର ଚାହାଣୀ ଲାଗିଲା ଆହୁରି ହିଂସ୍ର । ଆଖି ଗୁଡା ଦାଉଦାଉ ଜଳୁଥାଏ ଠିକ୍ ଯେମିତି ଭୋକିଲା ବାଘର । ଚିନୁ ଭୟରେ ନିଜ ଓଢଣି ସଜାଡିଲା । ତା'ର ନଖ ଗୁଡାକ ଥିଲା ବାଘର ପଞ୍ଝାପରି ଲମ୍ବା ଆଉ ତୀକ୍ଷଣ । ମନେ ହେଉଥାଏ ସେ ଯେମିତି ଚିନୁର କଅଁଳିଆ ଶରୀରକୁ ଚୀରିବିଦାରି ଖିନଭିନ କରିଦେବ । ତା ପାଟିରୁ ଅସ୍ବାଭାବିକ ଭାବରେ ଲାଳ ବୋହି ଚାଲିଥାଏ । ସେ ସେଇ ଅପରିଷ୍କାର ହାତରେ ନିଜ ପାଟିକୁ ବାରବାର ପୋଛି ଚାଲିଥାଏ । ଗୋଟିଏ ଡିଆଁରେ ସେ ଆସି ପହଞ୍ଚିଗଲା ଚିନୁର ସାମ୍ନାରେ । ଚିନୁ ଭୟରେ ଆଖି ବୁଜିଦେଲା ଆଉ ଚିତ୍କାର କଲା । ହେଲେ ତା ପାଟିରୁ ଶବ୍ଦ ଟିଏ ବି ବାହାରିଲାନି । ତଣ୍ଟି ଭୟରେ ପୂରା ଶୁଖି ଯାଇଥାଏ । ଚିନୁ ବିକଳରେ ସେ ବୁଢା ଆଡେ ଅନେଇଲା ହେଲେ ସେ ସେମିତି ଶୋଇଥାଏ । ଚିନୁ ଅନେଇଲା ପାଗଳ ଆଡେ । ତାକୁ ଲାଗିଲା ସେ ପାଗଳର ଦୃଷ୍ଟିନିବଦ୍ଧ ଥିଲା ତା'ର ଉନ୍ନତ ବକ୍ଷ ଉପରେ । ପାଗଳ ଧୀରେଧୀର ତା ନିକଟତର ହେବାକୁ ଲାଗିଲା । ହେଲେ ଚିନୁର ହାତଗୋଡ ଯେମିତି କାଲୁମାରି ଯାଇଚି ଟିକେ ବି ହଲି ପାରୁନି ସେ । ପାଗଳ ଏଥର ହାତ ବଢେଇଲା ତା ବକ୍ଷ ଆଡେ । ଚିନୁ ଏଥର ଖାଇବା ପୁଡିଆକୁ ଛାଡିଦେଇ ନିଜର ଦୁଇହାତ ଛନ୍ଦି ନିଜ ବକ୍ଷକୁ ଘୋଡେଇ ଧରିଲା । ପାଗଳ ଏଥର ହସିଲା ଏକ ହିଂସ୍ର ହସ । ଚିନୁର ଆଖିରୁ ନିର୍ବାଧାରେ ଝରି ଆସିଲା ଦୁଇଟୋପା ଲୁହ । ପାଗଳ ଚିନୁର ମୁହଁ ପାଖକୁ ତା ମୁହଁ ଆଣି କହିଲା ଦେ.... ଦୁଇଟା । ଚିନୁକୁ ଲାଗିଲା ସେ ବେହୋସ ହେଇଯିବ ସେଇ ପାଗଳ ଦେହର ଦୁର୍ଗନ୍ଧରେ....। 


              ଚିନୁର ନଜର ପଡିଲା ପାଗଳର ହାତ ଆଡେ । ଆରେ !! ସେ ତ ଆଙ୍ଗୁଠି ଦେଖଉଚି ତା କୋଳରେ ଥିବା ପୁଡ଼ିଆ ଆଡେ । ହେଃ !! ଭଗବାନ ମୁଁ କ'ଣ ସବୁ ଭାବି ଗଲିଣି । ସେ ପୁଡିଆରୁ କିଛି ପୁରୀତରକାରୀ ଫଟାକ ସେ କାଢି ତା ହାତରେ ଧରେଇ ଦେଲି । ଗୋଟିଏ ଡିଆଁମାରି ସେ ଯାଇ ବସିଗଲା ଆଗ ବେଞ୍ଚରେ । ମନଦେଇ ଖାଇ ଚାଲିଲା । ଖାଇ ସାରି ସେଇ ବେଞ୍ଚରେ ଶୋଇଗଲା ନିଶ୍ଚିନ୍ତରେ ଛୋଟ ଶିଶୁଟିଏ ପରି । ଚିନୁ ମନେ ମନେ ହସିଲା । ପେଟ ହେଉ କି ଦେହର କ୍ଷୁଧା ମଣିଷକୁ ବାଘ ବନେଇ ଦେଇପାରେ .......।।।



Rate this content
Log in

Similar oriya story from Drama