Lipi Sahoo

Tragedy

4.0  

Lipi Sahoo

Tragedy

ଶେଷ ଇଂଜେକ୍ସନ

ଶେଷ ଇଂଜେକ୍ସନ

7 mins
205


ଚିହ୍ନା ସହରରେ ଅଚି଼ହ୍ନା ମୁହଁଙ୍କ ଭିଡ । ଆଜିକାଲି କାହିଁକି କେଜାଣି ମୋ ସହର ମୋତେ ଏମିତି ଲାଗୁଚି । କୋଡିଏ ବର୍ଷ ଆଗରୁ ସବୁ ଚେହେରା ନିଜର ନିଜର ଲାଗୁଥିଲେ । କିଛି ନହଲେ ଗୋଟିଏ ସଂପର୍କ ଥିଲା ମୋ ସହର ବାସିନ୍ଦା । ଆପଣାର.... ଆପଣାର ଲାଗୁଥିଲେ । ହେଲେ ଏବେ ଖାଲି ଚାରିଆଡେ ଅବିଶ୍ବାସର ଝଡ଼ । ରେପ୍ ,ଚୋରୀ , ହଣାକଟା ର ଖବର ରୋଜ ରୋଜ ଶୁଣା ହେଉଚି । ଖୁବ୍ ହଂସ୍ର ପାଲଟି ଯାଇଚି ଯେମିତି ମୋ ସହର । ବିଶ୍ବେଶ୍ବର ସକାଳୁ ସକାଳୁ ଚାଲିବାକୁ ବାହାରିଥିଲେ । ଏଇଟା ତାଙ୍କର ନିତିଦିନିଆ କାର୍ଯ୍ଯସୂଚିରେ ଥାଏ । ହେଲେ ଆଜି ମୁଣ୍ଡରେ ସକାଳୁ କାହିଁକି କେଜାଣି ଏଇ ଭାବନା ଚାଲିଚି ମନ ଭିତରେ ।


       ନୂଆ ନୂଆ ଶୀତ ପଡୁଚି । ହାଲକା ଥଣ୍ଡା ପବନ ସହ ହାଲକା କୁହୁଡିର ଆସ୍ତରଣ ଦେହକୁ ଭଲ ଲାଗୁଥିଲା । ଶୀତଦିନେ ସହର ଟିକେ ଡେରିରେ ଉଠେ । କାହିଁକି ନା.... ସିଏ ବି ମଣିଷ ଭଳିଆ କୁହୁଡିର ଚାଦର ଘୋଡେଇ ଟିକେ ଅଧିକା ସମୟ ଉଷୁମ ଟାଣେ । କାଁ ଭାଁ ଜଣେ ଦୁଇଜଣ ରାସ୍ତାରେ ଚାଲୁଥାଆନ୍ତି । ସଦାବେଳେ ଧାଉଁଥିବା ଏଇ ସହର ରାତି ବାରଟାରୁ ସକାଳ ଛଅଟା ଯାଏଁ ଟିକେ ଘୂମେଇ ପଡେ ବୋଧେ । ଏତିକି ମାତ୍ର ନିରୋଳା ସମୟ । ବାକି ସମୟ ଖାଲି ଗାଡିମଟର ଘୋ ଘା ଶବ୍ଦ ଆଉ ଲୋକଙ୍କ କୋଳାହଳ । ସେ ଚାଲି ଚାଲି ସବୁଦିନ ଚାରିମୁହାଁଣି ପର୍ଯ୍ୟନ୍ତ ଯାଆନ୍ତି । ସେଉଠୁ ସବୁଜ କୁଞ୍ଜି ପାହାଡ ଦିଶେ । ଆଜିକାଲି ସେଟା ବି ମୁଣ୍ଡିଆ ହେଇଗଲାଣି । ଗୋଟେ ବି ଗଛପତ୍ର ନାହିଁ । ଫେରୁ ଫେରୁ ବିଷୁଆ ଚା ଦୋକାନ ପାଖରେ ଅଟକି ଗଲେ । ବହୁତ ଦିନ ହେଲା ତା ଦୋକାନକୁ ଆଉ ଯାଇ ନାହାଁନ୍ତି । 

         

       ବିଷୁଆ ଦେଖୁ ଦେଖୁ କହିଲା ସାର୍ , ଆପଣ ତ ଆଉ ମୋ ଦୋକାନକୁ ଆସୁ ନାହାଁନ୍ତି । ମୋ ଚାହା ବୋଧେ ଆଉ ଭଲ ଲାଗୁନି ଆପଣଙ୍କୁ ??

                ନାଇଁରେ ସେ କଥା ନୁହଁ । ମୋର ଡାଇବେଟିସ୍ ବାହାରି ପଡିବାରୁ ଘରଣୀଙ୍କ କଡା ଆଦେଶ ବାହାରେ କିଛି ଖିଆପିଆ କରିବନି । ବିନା ଚିନି ଚା ପିଉଚି ଏବେ । ସେଇଥି ପାଇଁ ଆସୁ ନଥାଲି । ହଉ ଆଜି ଦେ ଅଳ୍ପ ଚିନି ପକେଇ ଗୋଟେ ଚା । ଭାରି ମନ ହେଉଚି ତୋ ହାତ ତିଆରି ଚା ପିଇବାକୁ । ଏଇ ଥଣ୍ଡାରେ ତୋ ଚା ପିଇ ଦେଲେ ଦେହରେ ଫୁର୍ତ୍ତି ମଆସିଯିବ । ଆଜ୍ଞା ଦେଉଚି ସାର୍ !! ବସନ୍ତୁ !!

              ବେଞ୍ଚ ଉପରେ ବସିପଡିଲେ ବିଶ୍ବେଶ୍ବର । ଦୋକାନ ଚାଳରୁ ଧୂଆଁ କୁଣ୍ଡଳି ମାରି ଉଠୁଥାଏ । ହାତଘଣ୍ଟାକୁ ଅନେଇଲେ ସାତଟା ବାଜିବ । ବିଷୁଆ ଆଣି ଚା ଧରେଇ ଦେଇ ଗଲା । ଏଇ ସମୟରେ ଜଣେ ଯୁବକ ଆସି ବସିଲା ବେଞ୍ଚ ଉପରେ । ବିଶ୍ବେଶ୍ବର ଆନେଇଲେ ତା ଆଡକୁ । ବୟସ ୨୫୵୨୬ ହେବ । ଛୋଟିଆ ମୁହଁଟା ଗହଳଦାଢି ଭିତରେ ଲୁଚି ଯାଇଚି ଯେମିତି । ସେ ଖାଲି ବାରମ୍ବାର ମୋବାଇଲକୁ ଅନଉଥାଏ ପୁଣି ଘଣ୍ଟାକୁ । ମୋବାଇଲଟେ ଧରିଚି ଯାହାର କାଚ ଫାଟି ଯାଇଚି ଅନେକ ଜାଗାରୁ । ବହୁତ ପୁରୁଣା ନିଶ୍ଚୟ । ନିହାତି ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନୁହଁ ଜଣା ପଡିଯାଉଚି । ଖୁବ୍ ଅଳ୍ପ ସମୟ ଭିତରେ ସେ ଯୁବକର ବ୍ୟସ୍ତତା ବିଶ୍ବେଶ୍ବରଙ୍କୁ ଧୀରେ ଧୀରେ ଗ୍ରସ୍ତ କରିବା ଆରମ୍ଭ କଲା । 

               ବହୁତ ଇଚ୍ଛା ହେଲା ପଚାରି ଦେବାକୁ ବାବା !! କିଛି ଅସୁବିଧାରେ ଅଛ ବୋଧେ ?? ତୁମ ବ୍ୟସ୍ତତାରୁ ବେଶ୍ ବାରି ହେଉଚି । ହେଲେ ଭୟରେ ଚୁପ୍ ରହିଲେ । ଆଜିକାଲିକା ଟୋକା କିଛି ବି ଉତ୍ତର ଦେଇ ପାରେ । ଆପଣଙ୍କର ସେଠୁ କ'ଣ ହେଲା ?? ନିଜ କାମରେ କାମ ରଖୁ ନାହାଁନ୍ତି । ମୋ କଥାରେ କାଇଁ ମୁଣ୍ଡ ପୂରଉଛନ୍ତି ?? 

        

        ଏବେ ସେ ଯୁବକ ନିଜ ଗୋଡ ଦୁଇଟାକୁ ଜୋର୍ ରେ ହଲେଇବା ଆରମ୍ଭ କଲା । ବାର ବାର ହାତର ଆଙ୍ଗୁଠି ଫୁଟୋଉଥାଏ । ଏଥର ମୋବାଇଲକୁ ଅନେଇଲା ଆଉ ବେଞ୍ଚ ଉପରେ ଧପ୍ କରି ରଖିଦେଲା । ଭିତରୁ ବିଷୁଆ ପଚାରିଲା ବାବୁ ତୁମକୁ ଚାହା ଦେବି ?? ସେ କିନ୍ତୁ ଅନ୍ୟମନସ୍କ ଥିଲା କିଛି ଉତ୍ତର ଦେଲାନି । ଏଥର ବିଶ୍ବେଶ୍ବର ସାହାସ ଯୁଟେଇ ପଚାରିଦେଲେ କିଛି ଅସୁବିଧା ହେଇଚି କି ବାବା ??


                 ତତଲା କଡେଇରେ ପାଣି ଛିଞ୍ଚିଦେଲା ପରି ବାଷ୍ପରୁଦ୍ଧ କଣ୍ଠରେ ସେ କହିଲା ମା ସିରିୟେସ୍ ହେଇ ହସ୍ପିଟାଲରେ ପଡିଚନ୍ତି । ଇଂଜେକ୍ସନ ପାଇଁ ପଇସା ନାହିଁ । ଭାରି ମହଙ୍ଗା ସେ ଇଂଜେକ୍ସନ । ଦଶହଜାର ଟଙ୍କା ଗୋଟା । ଦୁଇଟା ଲାଗି ସାରିଲାଣି । ଆଜି ଶେଷ ଇଂଜେକ୍ସନ ଲାଗିବ । ଗୋଟେ ସାଙ୍ଗକୁ କହିଥିଲି ପଇସା ଯୋଗାଡ କରିବାକୁ ତା'ରି କଲ୍ କୁ ଅପେକ୍ଷା କରିଚି । ସବୁ ମୋର ଭାଗ୍ୟ ଗୋଟେ ପ୍ରାଇଭେଟ କମ୍ପାନୀରେ ଛୋଟିଆ ଚାକିରୀ କରି ଏତେ ପଇସା କୋଉଠୁ ଆଣିବି ?? କୋଡିଏ ହଜାର ଯେଣତେଣ ପ୍ରକାରେ ଯୋଗାଡ କଲି । ସେ ସାଙ୍ଗ ଯେ ଯୋଗାଡ କରି ପାରିବ ସେ ବିଶ୍ବାସ ବି ନାହିଁ । ସେ ବି ତ ଗୋଟିଏ ଛୋଟିଆ ଚାକରୀ କରି ପଡିଚି । ମା ପାଇଁ କିଛି ବି କରି ପାରିଲି ନାହିଁ । ସେ ସ୍କୁଲ ଟିଚର । ମୋ ବାପା ନାହାଁନ୍ତି । ସେ ଏକୁଟିଆ ମୋତେ ପାଳିପୋଷି ବଡ କଲା । ପାଠ ପଢେଇଲା । ତା'ର ସ୍ବପ୍ନଥିଲା ମୁଁ ବଡ ଚାକିରୀ କରିବି । ହେଲେ ମୁଁ ମୋ ନିଜ ସ୍ବପ୍ନ ପଛରେ ଧାଇଁ ତାକୁ ବହୁତ ଅବହେଳା କରିଚି । ସେ ସୁପାରିଶ କରି ବହୁତ ବାଧ୍ଯ କରିବାରୁ ଏଇ ଛୋଟିଆ ଚାକିରୀ ଖଣ୍ଡେ କଲି । ସେ ତା'ର ସମସ୍ତ ଟଙ୍କା ମୋ ଉପରେ ଖର୍ଚ୍ଚ କରେ । ତା'ର ଜମାପୁଞି କହିଲେ କିଛି ନାହିଁ । ଭାଗ୍ୟଭଲ ମୁଁ ଏଇ ଚାକିରୀ ଖଣ୍ଡକ ଧରିଥିଲି । କଷ୍ଟେମଷ୍ଟେ ତା'ର ମେଡିକାଲ ଖର୍ଚ୍ଚ ଉଠଉଚି । ହେଲେ ଆଜି ହାରିଗଲି । ଶେଷ ଇଂଜେକ୍ସନ ଖଣ୍ଡକ ଯୋଗାଡ କରି ପାରୁନି । ତାକୁ ଯେ ବଞ୍ଚେଇ ପାରିବି ସେ ବିଶ୍ବାସ ଆଉ ମୋର ନାହିଁ । କଲି ଖରାବେଳଠୁ ତାକୁ ଆଉ ଦେଖା କରିବାକୁ ଯାଇନାହିଁ । ମୋର ସାହାସ ହେଉନାହିଁ ତା ଆଖିରେ ଆଖି ମିଶେଇବାକୁ । ଏତିକି କହି ସେ ଛୋଟପିଲା ଭଳି କଇଁ କଇଁ କରି କାନ୍ଦି ଉଠିଲା । ବିଷୁଆ ପାଣି ଗିଲାସେ ଆଣି ତାକୁ ଧରେଇଲା । ତା ସହ ଚାହା ଗୋଟେ । ସେ ରୁମାଲରେ ମୁହଁ ପୋଛି ପାଣି ତକ ଗୋଟେ ନିଶ୍ବାସରେ ପିଇଗଲା । ଲାଗିଲା ସେ ଯେମିତି କାଲିଠୁ କିଛି ଖାଇନି । କେଇ ମୁହୂର୍ତ୍ତ ଭିତରେ ଖୋଲା ପୁସ୍ତକର ପୃଷ୍ଠା ଭଳି ନିଜକୁ ସଂପୂର୍ଣ୍ଣ ବ୍ୟକ୍ତ କରି ଦେଇଗଲା ।


               ସତରେ ଆଜିକାଲିର ଯୁବପିଢି କେତେ ଅସହାୟ । ଆମେ କେବେ ବି ତାଙ୍କୁ ବୁଝିବାକୁ ଚେଷ୍ଟା କରିନୁ । ସେମାନେ ଅବାଧ୍ୟ.ଆଉ ଉଶୃଙ୍ଖଳ କହି ଅବହେଳା କରି ଚାଲିଚୁ । କୋଉଠି ନା କୋଉଠି ଏ ସମାଜ ଦାୟୀ ସେମାନଙ୍କ ରୂପାନ୍ତରଣ ନିମିତ୍ତ । ଏମିତି ଏକ ଏକ କରୁଣ କାହାଣୀ ଲେଖା ସେମାନଙ୍କ ଜୀବନରେ । ଆହା ପଦେ କହିବାକୁ କେହି କେବେ ଚେଷ୍ଟା ବି କରି ନାହାଁନ୍ତି ହୁଏତ ଆତ୍ମସମ୍ମାନ ଭୟରେ । ଏହା ସେମାନଙ୍କୁ ବିପଥଗାମୀ କରେଇବାରେ ଯଥେଷ୍ଟ ନୁହଁ କି ?? ସେ ଚା ପିଇ ସାରି ଗ୍ଲାସ୍ ଟା ବେଞ୍ଚ ଉପରେ ରଖିଲା । ସେଇ ଶବ୍ଦରେ ମୋ ଭାବନା ଭାଙ୍ଗିଗଲା । ପଚାରିଲି ଏବେ କ'ଣ କରିବ ?? ସେ ଜଳ ଜଳ କରି ଶୂନ୍ଯକୁ ଅନେଇଲା । ମୁଁ ତା କାନ୍ଧରେ ହାତ ରଖିଲି । ସେ ଏକ କରୁଣ ଚାହାଣିରେ ମୋତେ ଚାହିଁ ରହିଲା । ମୁଁ ଯଦି ଦଶହଜାର ଟଙ୍କା ଦେବି ତେବେ ତୁମେ ନବ ?? ପ୍ରଥମେ ଅବିଶ୍ବାସ ଆଖିରେ ମୋତେ ଚାହିଁଲା ତା'ପରେ ମୋ ପାଦଧରି ତଳେ ବସି ପଡିଲା । ଆରେ !! ଆରେ !! ଏ କ'ଣ କରୁଛ ?? ଉଠ !! 

                 ତା ମୋବାଇଲ ନମ୍ବର ଟା ମାଗି ଫୋନ ପେ ରେ ଦଶହଜାର ଟଙ୍କା ପଠେଇଲି । ସେ ଅତି ବିନମ୍ର ଭାବରେ କହିଲା ଆର ମାସ ଦରମା ପାଇଲେ ଏଇ ନମ୍ବରକୁ ଆଗ ଦଶହଜାର ଟଙ୍କା ପଠେଇ ଦେବି । ମୋ ନାମ ସେଭ୍ କରି ରଖିଲା । ମୁଁ ତାକୁ ତା'ର ନାଁ ପଚାରିଲି । ସେ କହିଲା ସୋହମ୍ ଦାଶ୍ । ଟ୍ରୁ କଲରରେ ବି ସେଇୟା ଦେଖାଇଲା । ସେ ଏକ ନିଶ୍ବାସରେ ଧାଇଁଲା ବୋଧହୁଏ ହସ୍ପିଟାଲ ଆଡେ । 

                  ବିଷୁଆ କହିଲା ସାର୍ ଆପଣ ଏତେ ଶିଘ୍ର ବିଶ୍ବାସ କରି ଏତେ ଗୁଡିଏ ଟଙ୍କା ତାକୁ ଦେଇଦେଲେ । କେତେ ସତ କେତେ ମିଛ କହିଲା କିଏ ଜାଣେ ?? ଆଜିକାଲିକା ପିଲା ସେମାନଙ୍କୁ କି ଭରସା !! ମୁଁ ଧୀରେ ହସିଲି ମନେ ମନେ ଭାବିଲି ଏଇ ଅବିଶ୍ବାସ ଟିକକ ଆମ ପୃଥିବୀକୁ ଛାରଖାର କରିବାକୁ ବସିଲାଣି । ଯେଉଁ ଟିକକ ବିଶ୍ବାସ ଅବଶେଷ ଅଛି ସେଇଥିରେ ପୃଥିବୀ ଟିକିଛି । ସେତକ ହଜିଗଲେ ଆଉ ଚିହ୍ନବର୍ଣ୍ଣ ରହିବନି ଏ ପୃଥିବୀର । ଦେଖାଯାଉ କ'ଣ ହେଉଚି ?? କହି ବିଶ୍ବେଶ୍ବର ଉଠି ଘରଆଡେ ମୁହାଁଇଲେ ।


                  ୟା ଭିତରେ ୪୵୫ ବର୍ଷ ବିତିଗଲା । ଦିନେ ବିଶ୍ବେଶ୍ବରଙ୍କ ସାଙ୍ଗ ଚନ୍ଦନ ଆସି କହିଲେ ଚାଲ ତୋତେ ଗୋଟେ ଭଲ ଜାଗାକୁ ବୁଲେଇ ନେବି । ଜିଦି କରି ନେଇଗଲେ ସେଇ ଜାଗାକୁ । ଆରେ ଏଇଟା ତ ଗୋଟେ ଆର୍ଟ ଗ୍ୟାଲେରୀ । ଆରେଃ !! ବହୁତ ସୁନ୍ଦର ହେଇଛି ତ ଏଇ ତୈଳ ଚିତ୍ରଗୁଡିକ । ମନଯୋଗ ଦେଇ ଗୋଟି ଗୋଟି କରି ଦେଖିବାକୁ ଲାଗିଲେ ସେ । ଆର୍ଟର ତଳେ ସେଗୁଡିକର ଦାମ୍ ଲେଖା ହେଇଥାଏ । ଆରେ !! ଏ ସବୁ ତ ଖୁବ୍ ଦାମିକା ଅଛି । ଗୋଟିଏ ଚିତ୍ର ପାଖରେ ତାଙ୍କ ପାଦ ଥମ୍ କରି ଅଟକି ଗଲା । ସେ ପ୍ରଥମେ ବିଶ୍ବାସ କରି ପାରିଲେନି । ଚଷମାକୁ ଉପର ତଳ କଲେ । ଏଇଟା ତ ମୁଁ । ଅବିକଳ ବିଷୁଆ ଦୋକାନ ବେଞ୍ଚରେ ଚା ଗ୍ଲାସ୍ ଧରି ବସିଚି । ଚାହାଣୀ ଦିଗନ୍ତପ୍ରସାରୀ । ତଳେ ଲେଖା ଆଛି ବିକ୍ରୀ ପାଇଁ ନୁହିଁ । ମୋ ଆଖି ଖୋଜିବୁଲିଲା ୟାର ଚିତ୍ରକାର କୁ । ଚନ୍ଦନକୁ ଆଣି ଦେଖେଇଲି ସେ ଚିତ୍ରକୁ । ସେ ବି ଆଶ୍ଚର୍ଯ୍ଯ ହେଇଗଲା । ଚିତ୍ରକୁ ଭଲ ଭାବରେ ଅନେଇଲି ସେଥିରେ କିଛି ଫୁଲ ମୋ ପାଦ ଉପରେ ରଖା ହେଇଚି । ଚନ୍ଦନ ଯାଇ ଜଣେ କର୍ମକର୍ତ୍ତାଙ୍କୁ ପଚାରିଲା ଚିତ୍ରକରଙ୍କ ସହ ଭେଟ ହେଇ ପାରିବ କି??

ସେ ଚାରିଆଡେ ଆଖି ବୁଲେଇ ଆଣି କହିଲା ସେଠି ଯିଏ ଠିଆ ହେଇ କିଛି ଲୋକଙ୍କ ସହ କଥାବାର୍ତ୍ତା କରୁଛନ୍ତି ସେ ହିଁ ଏ ସବୁ ଚିତ୍ର ଆଙ୍କିଛନ୍ତି ।

                ଆମେ ଧୀରେ ଧୀରେ ଆଗେଇଲୁ ସେଇ ଆଡେ । ବିଶ୍ବେଶ୍ବର ଦେଖିଲେ ସେଇ ମୁହଁ ସେଇ ଦାଢି ଟିକେ ଚମକି ପଡିଲେ । ହେଲେ ଆଜି ମୁହଁରେ ବିଷର୍ଣ୍ଣତା ବଦଳରେ ଚେନାଏ ହସ । ବିଶ୍ବେଶ୍ବର ଭିଡକୁ ଆଡେଇ ଆଗରେ ଯାଇ ଠିଆ ହେଲେ । ସେ ତାଙ୍କୁ ଦେଖିଲା ପରେ କ'ଣ ସବୁ କହୁଥିଲା ଚୁପ୍ ହେଇଗଲା । ତା ଆଖିର ଭାଷା ପରିବର୍ତ୍ତନ ହେଇଗଲା । ସମସ୍ତଙ୍କୁ କହିଲା ଏସ୍କ୍ୟୁଜ୍ ମି । ମୋତେ ଇସାରା କରି ଗୋଟାଏ କୋଣକୁ ଡାକିନେଇଗଲା ।


                ଆପଣ ବିଶ୍ବାସ କରି ପାରିବେନି ମୁଁ ଏଇ ପାଞ୍ଚ ବର୍ଷ ହେଲା କେତେ ଖୋଜିଚି । ଅନେକ ଥର ସେଇ ଚା ଦୋକାନକୁ ଯାଇଚି । ହେଲେ ଆପଣଙ୍କ ଦେଖା ପାଇନି । ସେ ଦୋକାନ ବି କୁଆଡେ ଉଠିଗଲା । ଆପଣଙ୍କ ଠାରୁ ଟଙ୍କା ନେବାର କିଛି ଦିନ ପରେ ମୋ ମୋବାଇଲଟା କୋଉଠି ଗଳି ପଡିଲା ଆଉ ପାଇଲିନି । ଆପଣଙ୍କ ନମ୍ବରଟା ତା'ରି ସହିତ ହଜିଗଲା । କେମିତି ଆପଣଙ୍କ ଟଙ୍କା ଫେରେଇବି କିଛି ବୁଦ୍ଧିବାଟ ଦିଶିଲାନି । ସେଇ ଚିତ୍ରଟି ବନେଇଲି ଯଦି କେବେ ଦେଖାହୁଏ ତେବେ ଉପହାର ଦେବି । ଆପଣଙ୍କ ପାଇଁ ଶେଷ ଇଂଜେକ୍ସନଟା କିଣି ପାରିଲି ଆଉ ମାଁଙ୍କ ଜୀବନ ବଞ୍ଚିଗଲା । ଆଜିବି ସେ ସୁସ୍ଥ ଅଛନ୍ତି । ସେଥି ପାଇଁ ମୁଁ ଆପଣଙ୍କ ପାଖରେ ଚୀର କୃତଜ୍ଞ । ସେଇ ଯେଉଁ ଚିତ୍ର ଦେଖୁଛନ୍ତି ସେ ମୋ ମାଁ ଚେତନା ଦାଶ । ଆଉ ଗୋଟିଏ ବିରାଟ ଝଟକା ଲାଗିଲା ବିଶ୍ବେଶ୍ବରଙ୍କୁ । ଏଥର ସେ ଆଉ ଠିଆ ହେବା ପରିସ୍ଥିତିରେ ନଥିଲେ । 

        ଅତି ବ୍ୟାକୁଳ ଭାବରେ ବିଶ୍ବେଶ୍ବର ପଚାରିଲେ ଆଉ ତୁମ ବାପା ??

              ମୁଁ କେବେ ତାଙ୍କୁ ଦେଖିନି । ମାଁ କହିଥିଲେ ମୁଁ ଜନ୍ମ ହେବା ଆଗରୁ ସେ ମରି ଯାଇଛନ୍ତି । ସେ ବାପାଙ୍କ ବିଷୟରେ କଥା ହେବାକୁ ପସନ୍ଦ କରନ୍ତିନି । ତ ମୁଁ ବିଶେଷ କିଛି ଜାଣିନି ତାଙ୍କ ବିଷୟରେ ।

  

                ମରି ଯାଇଛନ୍ତି ସ୍ବଗତୋକ୍ତି କଲେ ବିଶ୍ବେଶ୍ବର । ଚିନୁ ତମେ ମୋତେ ଘୃଣାକରିବା ସ୍ବବାଭିକ । ଏକ ବେଦନାଭରା ହସ ତାଙ୍କ ମୁହଁରେ ଉଙ୍କି ମାରିଲା । ସେ କୁଣ୍ଢେଇ ପକେଇଲେ ସୋଅହଂକୁ । ହୁଏତ ୟେ ସୁଯୋଗ ଆଉ ଜୀବନରେ ଆସିବ କି ନାହିଁ ଜଣା ନାହିଁ । ପୁଅ ବୋଲି ବି ତ କେବେ ସମ୍ବୋଧନ କରିପାରିବେ ନାହିଁ । ବହୁତ ଆଗକୁ ଯାଅ ମୁଁ ଆଶୀର୍ବାଦ କରୁଛି । ଏତିକି ମାତ୍ର କହି ପାରିଲେ ।

         ସେ ଖୁସିରେ କହିଲା ଟିକେ ଅପେକ୍ଷା କରନ୍ତୁ ମୁଁ ଆସୁଛି । ବିଶ୍ବେଶ୍ବରଙ୍କ ସେଇ ଚିତ୍ରଟି ପ୍ୟାକ୍ କରେଇଆଣି ତାଙ୍କୁ ଧରେଇଲା । ଏଇଟା ଗୋଟେ ଛୋଟ ଉପହାର ମୋ ତରଫରୁ । ବହୁତ କଷ୍ଟରେ ନିଜ ଲୁହକୁ ଚାପିରଖି ବିଶ୍ବେଶ୍ବର ବାହାରି ଆସିଲେ ଆର୍ଟ ଗ୍ୟଲେରୀ ଭିତରୁ । 

ଇଚ୍ଛା ହେଉଥିଲା ଏଇ ଅନ୍ଧାର ଭିତରେ ଏକ ଏକାନ୍ତ ଜାଗାରେ ଠିଆ ହେଇ ଖୁବ୍ ଜୋର୍ ରେ ଚିତ୍କାର କରିବାକୁ । ନ ହେଲେ ଛାତିଟା ଫାଟି ଯାଇପାରେ । ସାରାଟା ଆକାଶ ଲୁହ ଝରଉ ଥିଲା ଯେମିତି ଟୋପା ଟୋପା କାକର ବିନ୍ଦୁ ହେଇ । 

       

               


Rate this content
Log in

Similar oriya story from Tragedy