Aparajita Sarangi

Abstract Tragedy Action

3.3  

Aparajita Sarangi

Abstract Tragedy Action

ବିପ୍ଳଵୀ ଜଙ୍ଗଲ କନ୍ୟା

ବିପ୍ଳଵୀ ଜଙ୍ଗଲ କନ୍ୟା

5 mins
399


ଏ ଜଙ୍ଗଲ ଟା ମତେ ଭାରି ନିଜର ଲାଗେ... ସତେକି ମୋର ଘର l କେଉଁ ଏକ ଅଜଣା ଯୁଗର ସମ୍ପର୍କ ତା ସହ l ତା ଭିତରେ ଥିବା ସବୁଜ ହଳଦିଆ ମାଟିଆ ଗଛ ପତ୍ର ମୋ ମନର ଭାବଧାରା ର ସାଥୀ, ସତେକି ମୁଁ ଏକ ଜଙ୍ଗଲ କନ୍ୟା, କାଦମ୍ବିନୀ ସବୁଜିମାରେ ଭରପୁର ଜଙ୍ଗଲ କୁ ଚାହିଁ ଅନର୍ଗଳ ଗପି ଚାଲିଥାଏ l ପିଲାବେଳୁ ତା'ର ଏ ଅଭ୍ୟାସଟା ଅଛି l ଯେତେବେଳେ ଟିକେ ସମୟ ପାଏ ଏମିତି ଜଙ୍ଗଲ କୁ ଚାହିଁ ଗୁଡ଼େ ଗପି ପକାଏ l

ଏଇଠି ପାଠକମାନଙ୍କୁ କାଦମ୍ବିନୀ ସହ ପରିଚିତ କରାଇବା ଉଚିତ ମନେହୁଏ l କାଦମ୍ବିନୀ କୋଡିଏ ବର୍ଷର ଝିଅ l ବାପା ମାଆଙ୍କର ଗୋଟିଏ ବୋଲି କନ୍ୟା ରତ୍ନ l ତା'ର କୁନା ନାମରେ ଦଶ ବର୍ଷର ସାନ ଭାଇଟିଏ ମଧ୍ୟ ଅଛି l ତାଙ୍କ ଘର ଘଞ୍ଚ ଜଙ୍ଗଲ ପାଖରେ ଥିବା ଛୋଟ ଗାଁ ଟିରେ l ବାପା ସରକାରୀ ହାଇ ସ୍କୁଲରେ ପିଅନ ଚାକିରୀ କରନ୍ତି l ମାଆ ଜଣେ ସୁଗୃହିଣୀ l

ବାପା ମାଆ ଝିଅର ପାଠ ପଢ଼ାରେ କୌଣସି ହେଳା କରି ନାହାନ୍ତି l ବାପାଙ୍କ ସ୍ୱପ୍ନ ସେ ଯୋଉ ସ୍କୁଲରେ ପିଅନ ଅଛନ୍ତି ତାଙ୍କ ଝିଅ ସେଠି ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟ କରୁ l ଝିଅ ଏବେ ଗାଁ ପାଖ କଲେଜ ରେ ପ୍ଲସ ଥ୍ରୀ କଳା ର ତୃତୀୟ ବର୍ଷର ଛାତ୍ରୀ l କାଦମ୍ବିନୀ ମଧ୍ୟ ବାପାଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ମନ ଧ୍ୟାନ ଦେଇ ପାଠ ପଢ଼େ l ବାପାଙ୍କୁ ସେ ଆଗରୁ କହି ସରିଛି ଫାଇନାଲ ପରୀକ୍ଷା ପରେ ସେ ଵି.ଏଡ଼ କରି ଶିକ୍ଷୟିତ୍ରୀ ଜୀବିକା ଆଦରି ନେବ l

ଆଉ ଦୁଇ ଦିନ ପରେ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି l ମନ୍ତ୍ରୀ ମହୋଦୟ ଆସିବେ l ଗାଁର ଉନ୍ନତି ପାଇଁ କିଛି ବଡ଼ ଧରଣର ଘୋଷଣା ମଧ୍ୟ କରି ପାରନ୍ତି l ତେଣୁ କାଦମ୍ବିନୀ ର ବାପା ଆୟୋଜନ ରେ ବ୍ୟସ୍ତ ଥାଆନ୍ତି l ବାର୍ଷିକ ଉତ୍ସବ ଦିନ ସକାଳୁ କାଦମ୍ବିନୀ ର ବାପା ଘରେ ଆସି ପହଞ୍ଚି ଖୁଵ ଖୁସିରେ ଝିଅକୁ ଡାକ ପକେଇଲେ l ବାପାଙ୍କୁ ଏତେ ଖୁସି ଦେଖି ମାଆ ଆଉ ଭାଇ ଭଉଣୀ ଦଉଡ଼ି ଆସିଲେ l କଥା କଣ ବୁଝୁ ବୁଝି ଏକ ବଡ଼ କାରଖାନା ସେ ଅଞ୍ଚଳ ରେ ଗଢ଼ାଯିବ ଏବଂ ଗାଁ ଲୋକେ ସେଥିରେ କାମ ପାଇବେ ଆଉ ବେକାର ହୋଇ ଗାଁର କେହି ରହିବେ ନାହିଁ l କାଦମ୍ବିନୀ ମଧ୍ୟ ଏ ସମ୍ବାଦ ଶୁଣି ଭାରି ଖୁସି ହେଲା l ସବୁଠୁ ବେଶି ଖୁସି ହେଲା ଯେତେବେଳେ ବାପା ତାକୁ ଏକ ନୂଆ ଫୋନ ଉପହାର ଭାବରେ ଦେଲେ l ସଙ୍ଗେ ସଙ୍ଗେ ଶ୍ରୀ ଦଉଡ଼ି ଦଉଡ଼ି ତାର ଅତି ପ୍ରିୟ ଜଙ୍ଗଲକୁ ଗଲା l ଖୁସିରେ ତା ପାଦ ତଳେ ଲାଗୁନଥାଏ l

ଜଙ୍ଗଲ ମଝିରେ ପହଞ୍ଚି ଡେଇଁ ଡେଇଁ ଚିତ୍କାର କଲା, ହେ. ମୋର ପ୍ରିୟ ଜଙ୍ଗଲ... ଗଛ ପତ୍ର... ପଶୁ ପକ୍ଷୀ ଶୁଣ ଆଜି ମୁଁ ଭାରି ଖୁସି... ଏଠି କାରଖାନା ବସିବ... ବେଶି ଲୋକ ଆସିବେ... ଏ ଜଙ୍ଗଲ ବୁଲି ଦେଖିବେ... ଜଙ୍ଗଲରେ ମିଳୁଥିବା ଜିଣିଷର ଚାହିଦା ବଢ଼ିବ.... l ସେ ମନ ଭରି ନୂଆ ଫୋନରେ ଜଙ୍ଗଲ ର ଭିଡିଓ କରି ତାର ସୋସିଆଲ ମିଡ଼ିଆ ଏକାଉଣ୍ଟ ରେ ଛାଡ଼ିଲା l

ଚଢେଇମାନେ ମଧ୍ୟ ତା ଚିତ୍କାର ରେ କିଚିର ମିଚିର ହେବା ଆରମ୍ଭ କରିଦେଲେ l ସନ୍ଧ୍ୟାରେ ବାର୍ଷିକ ଉତ୍ସବ ଆରମ୍ଭ ହେଲା l ମନ୍ତ୍ରୀ ମହୋଦୟ ଏବଂ ଗାଁର ଜମିଦାର ତାଙ୍କ ଗୁମାସ୍ତା ସମସ୍ତେ ମଞ୍ଚlସୀନ ହେଲେ l କାଦମ୍ବିନୀ ର ବାପାଙ୍କୁ ଶ୍ରେଷ୍ଠ କର୍ମଚାରୀ ଭାବରେ ପୁରସ୍କାର ମିଳିଲା ଏବଂ ମନ୍ତ୍ରୀ ମହୋଦୟ ଏହା ମଧ୍ୟ ସର୍ବ ସମ୍ମୁଖରେ କହିଲେ କାଦମ୍ବିନୀ ଭଲ ପାଠ ପଢ଼ୁଥିବାରୁ ତାକୁ ସେ ସ୍କୁଲ ରେ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟ କରିବାକୁ ସୁଯୋଗ ମିଳିବ l କାଦମ୍ବିନୀ ର ଖୁସି କହିଲେ ନସରେ l ମାଆ ମନେ ମନେ ଠାକୁରଙ୍କୁ କେତେ ଯେ ଜୁହାର ହେଉଥାନ୍ତି ତାର ଠିକଣା ନାହିଁ l ହଠାତ କାଦମ୍ବିନୀ ଦେଖିଲା କୁନା ଧଇଁ ସଇଁ ହେଇ ଦଉଡ଼ି ଆସି ସେଠି ଚୁପ ହୋଇ ବାସିଲା l ସେ ଭାଇକୁ ଧୀରେ କିନା ପଚାରିଲା, କଣ ହେଲାକିରେ କୁନା ତୁ ଏମିତି ଡରି କାହିଁକି ଯାଇଛୁ l କୁନା ପ୍ରତ୍ୟୁତ୍ତର ରେ ଯାହା କହିଲା କାଦମ୍ବିନୀ ର ପାଦ ତଳୁ ମାଟି ଖସିଗଲା ଭଳି ଲାଗିଲା l

- ଅପା ମୁଁ କେତେଜଣ ଲୋକଙ୍କ ସହ ବାପାଙ୍କୁ କଥା ହେଉଥିବାର ଶୁଣିଲି ଆମ ଜଙ୍ଗଲ କୁ ମନ୍ତ୍ରୀଙ୍କ ଲୋକ କାଟି ଦେବେ l ସେଥିରୁ କାଠ ଆଦି ଚୋରା ଚାଲାଣ ହେବ l ଦୁନିଆ ଆଖିରେ ଧୂଳି ଦେବାକୁ କାରଖାନା ବସିବ l କିନ୍ତୁ ତା ନାଁ ରେ ଏଠି ବହୁତ କିଛି ଚାଲିବ l କାଦମ୍ବିନୀ ଆଖିରୁ ଦୁଇ ଧାର ଲୁହ ବହିଗଲା l ଏଇ କିଛି କ୍ଷଣ ଆଗରୁ ସେ ସ୍ୱପ୍ନ ରେ ମତୁଆଲା ହେଇ ଉଡ଼ି ବୁଲୁଥିଲା ମାତ୍ର କିଛିଟା ମାତ୍ର ମୁହୂର୍ତ୍ତ ର ବ୍ୟବଧାନ ରେ ସବୁ କିଛି ଓଲଟ ପାଲଟ ହେଇଗଲା l

ରାତି ହେଲା l ସମସ୍ତେ ଖାଇ ଶୋଇଗଲେ l କିନ୍ତୁ କାଦମ୍ବିନୀ ନଖାଇ ନପିଇ ବାପାଙ୍କ ଫେରିବା ବାଟକୁ ଚାହିଁଛି l ଭୋର ହୋଇ ଆସୁଥାଏ l ବାପା ଫେରିଲେ l ନିଶାରେ ମସଗୁଲ l ଝିଅକୁ ନ ଶୋଇବାର ଦେଖି ଆଶ୍ଚର୍ଯ୍ୟ ହୋଇ କହିଲେ, ଆଲୋ ଝିଅ ତୁ କଣ ଶୋଇନୁ... କଥା କ'ଣ? ଖୁସିରେ ନିଦ ହଜିଗଲା ନା କଣ ବା....

- ବାପା ମୁଁ ଭାବିଥିଲି ତମେ ଜଣେ ଆଦର୍ଶବାନ ଲୋକ କିନ୍ତୁ ନିଜ ସ୍ୱାର୍ଥ ପାଇଁ ତମେ ବିକି ହେଇଗଲ.... ଗାଁ ଲୋକଙ୍କ କଥା ଭାବିଲନି... ସେଥିପାଇଁ ମତେ ଚାକିରୀ ଵି ମିଳିଗଲା... ଛି ମୁଁ କେବେ ଭାବିନଥିଲି ମୋ ବାପା ପୁରସ୍କାର ଆଉ ଚାକିରୀ ପାଇଁ ଜଙ୍ଗଲ ଧ୍ବଂସ କରିବାକୁ ଚୋରି କରିବାକୁ ପଛେଇବେନି... କହି ଦେଉଛି ଯଦି ତମେ ଏସବୁ ନଛାଡି ପୋଲିସ ଆଗରେ ସବୁ ସତ ନକହିଛ ତେବେ ମୁଁ ରାତି ପାହିଲେ ଗାଁ ଲୋକଙ୍କୁ ସବୁ ସତ କହିଦେବି l

- ଦେଖ ଝିଅ... ମୁଁ ତୋ ବାପା... ସବୁବେଳେ କଷ୍ଟରେ ରହି ଏତେ ଦିନକେ ଟଙ୍କା ସୁଖ ଦେଖୁଛି... ତୁ ମୋ ରାସ୍ତାରେ ଆଉ ଠିଆ ହଅନା... ନିଜେ ଜୀଇଁଲେ ବାପର ନାଁ... ଅନ୍ୟ କଥା ଭାବୁଛି କିଏ...ଏସବୁଥିରେ ମୁଁ ବହୁତ ଆଗେଇ ଗଲିଣି... ମତେ କହିଛନ୍ତି ଆସନ୍ତା ଇଲେକ୍ସନ ରେ ପ୍ରାର୍ଥୀ ମଧ୍ୟ କରିବେ ଵାସ ବାପା ମୋର ଆଉ କିଛି କହିବାର ନାହିଁ... ଏଥର କରିବାର ସମୟ ଆସିଛି, ଏତକ କହି କାଦମ୍ବିନୀ ଘର ବାହାରକୁ ଚାଲିଗଲା l ଘର ଭିତରୁ ବାପlର ଚିତ୍କାର ଶୁଭୁଥାଏ, ଏମିତି ଝିଅ ଥିବାଠୁ ନଥିବା ଭଲ l


ସକାଳ ର ସୁନେଲୀ କିରଣ କା ଭାଁ କେଉଁଠି ବିଛେଇ ହେଇ ପଡୁଥାଏ l ଗାଁ ଦାଣ୍ଡର ଆର୍ଦ୍ର ଭୂମି ସତେକି କାଦମ୍ବିନୀ ର କଷ୍ଟ କୁ ବୁଝି କୁହୁଳି କୁହୁଳି କାକର ବିନ୍ଦୁ ମାଧ୍ୟମରେ ଲୁହ ନିଗlଡୁ ଥାଏ l ଜଙ୍ଗଲ ର ଆଧାଧି ପହଞ୍ଚି ଯିବା ପରେ କାଦମ୍ବିନୀ ଭିଡିଓ କରି ସମସ୍ତ ତଥ୍ୟ କହିଲା ଏବଂ ସୋସିଆଲ ମିଡିଆରେ ଛାଡି ଦେଲା l ତା ହୃଦୟ ବିଳାପ କରି ଉଠୁଥାଏ l କାଦମ୍ବିନୀ ଜଙ୍ଗଲ ଭିତରେ ଥିବା ଏକ ନଦୀ କୂଳରେ ବସିଥାଏ l ହଠାତ ଏକ ଶକ୍ତ ଆଘାତ ତା ମୁଣ୍ଡ ପଛପଟେ ଲାଗିଲା ଏବଂ ରକ୍ତ ଧାରା ବହି ଚାଲିଲା l

ଆଜି ଗାଁ ଲୋକଙ୍କ ଆଖିରେ ଲୁହ ଶୁଖୁନି l କାଦମ୍ବିନୀ ର ମୃତ ଦେହ ନଦୀ କୂଳରୁ ମିଳିଛି l ମାତ୍ର ସୋସିଆଲ ମିଡ଼ିଆ ରେ ଭାଇରlଲ ହେବା ପରେ ମନ୍ତ୍ରୀ, ଜମିଦାର ଓ କାଦମ୍ବିନୀ ର ବାପାଙ୍କୁ ଜେଲ ନିଅl ଯାଇଛି, କୋର୍ଟ ରେ ବିଚାର ହେବ l ବାପା ଯିବା ସମୟରେ ଘୃଣା ରେ ମାଆ ଆଉ ଭାଇ ବାପାଙ୍କଠୁଁ ମୁହଁ ବୁଲାଇ ନେଇଛନ୍ତି l ଦୁନିଆ ତ ଆଗକୁ ବଢ଼ିବ l କାହା ପାଇଁ କିଛି ଅଟକି ଯାଏନି l କିନ୍ତୁ ଦୁଇଟି ପ୍ରାଣୀଙ୍କର ଆଖିରୁ ଲୁହ ଶୁଖୁନି l ମାଆ ଟିଏ ଚାହିଁ ରହିଛି ତାର ଅନ୍ତିମ ଦିବସକୁ ଏବଂ ଭାଇଟି ଦୁନିଆର ଝିଅମାନଙ୍କ ଭିତରେ ନିଜ ଭଉଣୀକୁ ଖୋଜିଛି l କାଦମ୍ବିନୀ ର ବଳିଦାନ ଜଙ୍ଗଲ ବଂଚେଇଚି ସତ ମାତ୍ର ଦୁଇଟି ପ୍ରାଣୀଙ୍କ ହୃଦୟ ଚିରଦିନ ପାଇଁ ଶୂନ୍ୟ ହୋଇ ରହି ଯାଇଛି l



Rate this content
Log in

Similar oriya story from Abstract