ପ୍ରାକ୍ଟିକାଲ ପ୍ରେମ
ପ୍ରାକ୍ଟିକାଲ ପ୍ରେମ
କହନ୍ତି ପ୍ରେମ ଭାବପ୍ରବଣ l ବୋଧେ ଭୁଲ କହିଦେଲି l ପ୍ରେମିକ ଓ ପ୍ରେମିକା ହେଉଛନ୍ତି ଭାବପ୍ରବଣ l ଜଣାନାହିଁ ଜୀବନ ଟା କେତେ ବାନ୍ତର କି ଅବାନ୍ତର l କିନ୍ତୁ ପ୍ରେମ ଟା ଏଠି ପ୍ରତି ପାଦରେ ହୁଏ l କଥାଟା ଖରାପ ରେ ନେବେନି l ମୋ କହିବାର ଅର୍ଥ ହେଉଛି ଇମୋସନ ନାହିଁ ତ ପ୍ରେମ ମଧ୍ୟ ନାହିଁ l ଯଦି ବାଟରେ ଘାଟରେ କାହାସହ ଦେଖା ହେଇ ଟିକେ ଇମୋସନଲ ଲାଗିଲା ଆମେ ଭାବୁ ଏଇଟା ବୋଧେ.... ପ୍ରେ..... ମ.... l ଯାହା ମିତାକୁ ସବୁବେଳେ ଦ୍ୱନ୍ଦ ରେ ପକାଉଥିଲା l
ହଁ ଏଠି ମୁଁ ମୋ ସାଙ୍ଗ ମିତାର ପରିଚୟ ଦେଉଛି l ଭାରି ଚୁଲବୁଲି ଝିଅଟିଏ l କେବେ କେହି ତାକୁ ମନ କଷ୍ଟ କରିବାର ଦେଖି ନଥିବ l ସବୁବେଳେ ହସ ହସ ମୁହଁ l କଲେଜ ରେ ସମସ୍ତଙ୍କର ପ୍ରିୟ l କ୍ଲାସ ରେ ଥଟ୍ଟା ମଜାଠୁ ଆରଂଭ କରି ପାଠପଢା ତା ସହ କ୍ୟାଣ୍ଟିନ ରେ ଖାଇବା ସମୟରେ ସବୁବେଳେ ତାକୁ ଖାଲି ହେଁ ହେଁ ହବାର ଦେଖୁଥିବ l
ଦିନେ ହଠାତ ଦେଖିଲା ବେଳକୁ ମିତା ଶ୍ରେଣୀଗୃହ ଭିତରେ ଆସି ଚୁପ କିନା ବସି ପଡ଼ିଲା l ମତେ ଭାରି ଆଶ୍ଚର୍ଯ୍ୟ ଲାଗିଲା l ୟାର ହେଲା କଣ l ଇଏ ତ ଏମିତି କେବେ ଚୁପଚାପ ବସେନି l ମୁଁ ତା ପାଖକୁ ଯାଇ ପଚାରିଲି, ମିତା ତୋର ଆଜି କଣ ହେଇଛିକି....
ସେ ମୋ ଆଡ଼କୁ ଚାହିଁଲା l ତା ମୁହଁ ରେ ଭୟ ଥାଏ l
ଆଲୋ କଣ ହେଲା କହୁନୁ ମିତା ....
ବୁଝିଲୁ ମତେ ବୋଧେ ପ୍ରେମ ହେଇଗଲା..
ଏଁ ପ୍ରେମ.... କେବେ ହେଲା...
ଆଜି....
ମିତା ମୁହଁ ରୁ ଆଜି ଶୁଣି ମତେ ଭାରି ହସ ଲାଗିଲା l ମୁଁ କହିଲି କଣ କହୁଛୁ ମ l ଆଜି ସଙ୍ଗେସଙ୍ଗେ ତତେ ପ୍ରେମ ହେଇଗଲା l
ତୁ ବିଶ୍ୱାସ କର ମୁଁ ସତ କହୁଛି..
ଆଛା କହିଲୁ ଦେଖି କେମିତି ହେଲା....
ମୁଁ ବସ ରେ ଆସୁଥିଲି..... ମୋ ପାଖ ସିଟ ଟା ଖାଲି ଥିଲା... ଆମ କ୍ଲାସ ର ବରୁଣ ଆସି ମୋ ପାଖେ ବସି କହିଲା ଆଇ ଲଭ ୟୁ...
ତୁ କଣ କହିଲୁ....
ମୁଁ କିଛି ନକହି ପଳେଇ ଆସିଲି... ସେ ମତେ ପଛରୁ ଡାକି କିଛି କହିବାକୁ ଚାହୁଁଥିଲା....
ମତେ ଭାରି ହସ ଲାଗିଲା l ସତରେ କେଡେ ପାଗେଳି ଝିଅଟା l
ମୁଁ ତାକୁ କହିଲି, ଆଲୋ ସେ ତ ତତେ କହିଲା.... କିନ୍ତୁ ତୁ କଣ ଶୁଣୁଶୁଣୁ ତାକୁ ପ୍ରେମ କରିଦେଲୁ...
ହଁ କାରଣ ସେ ଲଭ ୟୁ କହିଲା ମାନେ ମୁଁ ବି ତ ସେଥିରେ ଫସିଗଲି.....
ମୁଁ ସେଦିନ ଆଉ ମିତାକୁ କିଛି କହିଲିନି l ବୁଝିଗଲି ଯେ ଏ ପାଗେଲିର ପିଲାଳିଆମୀ ଯାଇନି l ଦୁଇ ଚାରି ଦିନ ପରେ ଦିନେ ଦେଖିଲି ମିତା ଏକୁଟିଆ ଠିଆ ହେଇଛି l ତାକୁ ଯାଇ ପଚାରିଲି,
ଏବେ ତୋ ପ୍ରେମ କେମିତି ଚାଲିଛି....
ଆରେ ଆଉ କଣ କହିବି... କାଲି ବରୁଣ ପୁଣି ମତେ କହିଲା, ଆଇ ଲଭ ୟୁ.... ମୁଁ କହିଲି ମୁଁ ଜାଣେ ତୁ ମତେ ପ୍ରେମ କରୁଛୁ... କିନ୍ତୁ...
କିନ୍ତୁ କଣ କହୁନୁ, ମୁଁ ବ୍ୟଗ୍ର ହୋଇ ମିତାକୁ ପଚାରିଲି l
ସେ କହିଲା ଆରେ ମୁଁ ପ୍ରାକ୍ଟିସ କରୁଥିଲି ତତେ କହି.... ଏକଥା ମୁଁ ଆଉ ଜଣଙ୍କୁ କହିବାକୁ ଚାହୁଁଛି କିନ୍ତୁ ସାହସ ପାଉନି l
ମତେ ଏକଥା ଶୁଣି ଭାରି ରାଗ ଲାଗିଲା l ମୁଁ କହିଲି ଏମିତିଆ ପ୍ରାକ୍ଟିସ ମୁଁ ଜୀବନରେ ଦେଖିନି l
ତୁ ତାକୁ ଖରାପ ଭାବେନା... ପ୍ରାକ୍ଟିକାଲି ସେ ମତେ ଭଲ ପାଉନଥିଲା.... ଥିଓରୀଟିକାଲି ସେ ଏଇଟା ଘୋସୁଥିଲା.... ତେଣୁ ଭାବୁଛି ତାର ମୋର ଲଭ ପ୍ରାକ୍ଟିକାଲ ନଥିଲା l
ମୁଁ ଏକଥା ଶୁଣି ହସିବି ନାଁ କାନ୍ଦିବି ବୁଝି ପାରିଲିନି l ସେଠୁ ଉଠି ଚାଲି ଆସିଲି l ମୋ ମୁଣ୍ଡ ଘୁରାଇ ଦେଉଥାଏ l ବାପ ରେ ବାପ କି ପାଗଳ ପିଲା l
କଲେଜ ସରିଗଲା l କିଏ କୁଆଡ଼େ ଚାଲିଗଲୁ ତାର ଅତା ପତା କାହାକୁ ରହିଲାନି l ଦୀର୍ଘ କୋଡିଏ ବର୍ଷ ପରେ ମାର୍କେଟ ରେ ଦିନେ ମୁଁ ମିତାକୁ ଦେଖିଲି l ତାର ଅବସ୍ଥା ନଥାଏ l ଖୁଵ ଦୁର୍ବଳ ଦିଶୁଥାଏ l ମୁଣ୍ଡରେ ଲୁଗା l ପାଖରେ ସ୍ୱାମୀ ଠିଆ ହୋଇଥାନ୍ତି l
ମୁଁ ମିତାକୁ ଧରି କୁଣ୍ଢେଇ ପକେଇ କହିଲି, ଆଲୋ ତୁ ଭଲ ଅଚୁତ.... ଏମିତି କଣ ଦିଶିଲୁଣି...
ସେ ହସିଦେଇ କହିଲା ଆଉ କଣ କରିବା ସଂସାର ବୋଝ l
ମୁଁ ଦେଖିଲି ତା ସ୍ୱାମୀ ଖୁଵ ଗମ୍ଭୀର l ନୀରବ ହୋଇ ଠିଆ ହେଇଛନ୍ତି l ମିତା କିନ୍ତୁ ସେମିତି ପୂର୍ବ ଭଳି ହସ ହସ ମୁହଁ l ଭାଗ୍ୟ ବଶତଃ ତା ସ୍ୱାମୀଙ୍କର ଫୋନ ଆସିବାରୁ ସେ ଟିକେ ଦୂର କୁ ଯାଇ କଥା ହେଲେ l. ମୁଁ ଏହାର ସୁଯୋଗ ନେଇ ମିତାକୁ ପଚାରିଲି,
ଏବେ କେଉଁ ପ୍ରେମ ଚାଲିଛି ଥିଓରୀ ନାଁ ପ୍ରାକ୍ଟିକାଲ l
ସେ ହସିଦେଇ କହିଲା, ବୁଝିଲୁ ପ୍ରାକ୍ଟିକାଲ ପ୍ରେମ ମୋର ଚାଲିଛି l ଝିଅ ଜୀବନରେ ଆମେ ସ୍ୱପ୍ନ ରାଇଜରେ ବୁଡ଼ି ଯେଉଁ ପ୍ରେମ କଥା ଭାବୁ ତା କେବଳ ଥିଓରୀ l କିନ୍ତୁ ବାହାଘର ପରେ ସବୁ ସତ୍ୟତା ଆସିଯାଏ l ଖାଲି କର୍ତ୍ତବ୍ୟ କରିବା ପାଇଁ ହି ପଡେ l ସଂସାର ର ବୋଝ ଉଠେଇବାକୁ ପଡେ l ଖଟି ଖଟି ନିଜକୁ ଭୁଲି ନିଜ ସଂସ୍କାର ପ୍ରମାଣିତ କରିବାକୁ ପଡେ l ସମସ୍ତଙ୍କ ମନ ମାନି ଚାଲିବାକୁ ପଡେ l ଏଇଟା ହିଁ ପ୍ରାକ୍ଟିକାଲ ପ୍ରେମ l ଜୀବନର ବାସ୍ତବତା l
ତା ସ୍ୱାମୀ ଚିତ୍କାର କରି କହିଲେ, ମିତା ଶୀଘ୍ର ଚାଲ ମୋର କାମ ଅଛି l ବହୁତ ଗପ ହେଇଗଲା l
ମିତା ଆଉ କିଛି ନକହି ଦଉଡ଼ିକି ଚାଲିଗଲା l ଅଟୋରେ ବସୁ ବସୁ ମତେ ଚାହିଁ ହସିଦେଲା l କିନ୍ତୁ ତା ଆଖିରେ ଜକେଇଥିବା ଲୁହ କୁ ମୁଁ ଦେଖି ବୁଝିଗଲି ତା ଅବସ୍ଥା l ଭାବିଲି, ଥିଓରୀ୍ଟିକାଲ ଓ ପ୍ରାକ୍ଟିକାଲ ପ୍ରେମ ଭିତରେ କି ତଫାତ l ଗୋଟାଏପଟେ ପ୍ରେମର ବର୍ଷl ଅନ୍ୟପଟେ ଖାଲି ମରୁଭୂମି l କଷ୍ଟର ବାଲୁକା ରାଶି l

