STORYMIRROR

Aparajita Sarangi

Abstract Tragedy Classics

4  

Aparajita Sarangi

Abstract Tragedy Classics

ବର୍ଷା ର ଗତି କାହାଣୀର ଇତି

ବର୍ଷା ର ଗତି କାହାଣୀର ଇତି

6 mins
7

ଚୁପ କର.... ଆଉ ଦିନେ ଏମିତି କଥା ମୁହଁ ରେ ଧରିବୁନି.... ନହେଲେ ମୁଁ ପାଗଳ ହୋଇଯିବି, କହିଦେଇ ମାନବ ଶ୍ରେୟା ର ମୁହଁ ରେ ହାତ ଦେଇଦେଲା l 

ଶ୍ରେୟl ଖିଲି ଖିଲି ହେଇ ହସି ହସି ଗଡ଼ିଗଲା l ମାନବ ମୁହଁ ଫୁଲାଇ ବସିଥାଏ l 

ଆରେ ମାନବ ମୁଁ ପରା ମଜାକ କରୁଥିଲି ତୁ କଣ ସତ ଭାବିଦେଳୁ ନାଁ କଣ ବା..... ମୁଁ ପରା ତତେ ବହୁତ ଭଲ ପାଏ କେମିତି ଭାବୁଛୁ ଯେ ମୁଁ ତତେ ଛାଡ଼ି ରହିପାରିବି... ଏମିତି ମଜାରେ କହୁଥିଲି ମତେ ଭୁଲି ଯାଅ ବୋଲି l

ନାଁ ଶ୍ରେୟା ମୁଁ ମଜାକ ରେ ବି ଏକଥା ସହି ପାରିବିନି କାରଣ ତୋ ବିନା ମୁଁ ମୋ ଜୀବନ ପରିକଳ୍ପନା ବି କରି ପାରେନା l 


ଶ୍ରେୟା ଆଉ ମାନବ ସମାନ ଶ୍ରେଣୀରେ କଲେଜ ରେ ପାଠ ପଢ଼ନ୍ତି l ବର୍ଷା ଋତୁର ଓଦାଳିଆ ଭିଜା ଭିଜା ସମୟରେ ପ୍ରଥମ ଦେଖାରୁ ହିଁ ଦୁହେଁ ଦୁହିଁଙ୍କ ପ୍ରତି ଆକୃଷ୍ଟ ହୋଇ ଥିଲେ l କିଛି ଦିନର ବନ୍ଧୁତା ପରେ ତାଙ୍କ ଭିତରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା l ଅନେକ ସ୍ୱପ୍ନ ନେଇ ଦୁହେଁ ଆଗକୁ ବଢୁ ଥାଆନ୍ତି l କିନ୍ତୁ କିଏ ଜାଣିଥିଲା ଦିନେ ଏ ପ୍ରେମୀ ଯୁଗଳ ଙ୍କ ପ୍ରେମ ଉପରେ ଭାଗ୍ୟଦେବୀ ଅପ୍ରସନ୍ନ ହେବେ ବୋଲି l 


ଦୁଇ ଦିନ ହେଲାଣି ଶ୍ରେୟା କଲେଜ ଆସୁନାହିଁ l ମାନବ ର ମୁଣ୍ଡ ଖରାପ ହେଇ ଗଲାଣି l କୋଉଥିରେ ତାର ମନ ଲାଗୁ ନଥାଏ l ଆଜି ସେ ନିଷ୍ପତ୍ତି ନେଇଛି ଟେଲିଫୋନ ବୁଥ ଯାଇ ଶ୍ରେୟା କୁ ଫୋନ କରିବ କାରଣ ଶ୍ରେୟା ତାକୁ ମନା କରେ ମୋବାଇଲ ରୁ ଫୋନ କରିବାକୁ l


ଦୁଇ ଚାରିଟା ରିଂ ପରେ ଅପର ପାର୍ଶ୍ଵରୁ ଶୁଭିଲା ହ୍ୟାଲୋ l ଦୀର୍ଘ ଦୁଇ ଦିନ ପରେ ଶ୍ରେୟା ର ସ୍ୱର ଶୁଣି ମାନବ ର କଣ୍ଠ ବାଷ୍ପରୁଦ୍ଧ ହୋଇଗଲା l ତା ପାଟିରୁ କଥା ବାହାରିଲାନି l କିଛି କ୍ଷଣର ନୀରବତା ପରେ ଶ୍ରେୟା କହିଲା, ମାନବ ମୁଁ ଜାଣେ ତୁ... କଣ କିଛି କହିବାର ଥିଲା.... କହୁନୁ.. l

ଶ୍ରେୟା ମତେ ଆଜି ତୁ ଟିକେ ଫାର୍ମାଲିଟି ମେଣ୍ଟେନ କରି କଥା କହିବା ଭଳି ଲାଗୁଛୁ l ମୋ ଶ୍ରେୟା ତ ଏମିତି କଥା କହେନି... 

ଶ୍ରେୟା କିଛି ମୁହୂର୍ତ୍ତ ପାଇଁ ଚୁପ ହୋଇଗଲା, ତାପରେ କହିଲା ଆରେ ନାଁ ଦେହ ଟା ମୋର ଟିକେ ଭଲ ନାହିଁ ତ ସେଥିପାଇଁ l 

ସତ କହ ତୁ କାହିଁକି ଆସୁନୁ.... ମତେ କାହିଁକି ତୋ ଉପରେ ସନ୍ଦେହ ହେଉଛି.... ତୁ ମୋଠୁ ଲୁଚିକି ବାହାହେଇ ଯିବୁନି ତ... 

ଧେତ କି କଥା କହୁଛୁ... ତୋ ମୁଣ୍ଡ ବୋଧେ ଖରାପ ହେଇ ଗଲାଣି.... ଟିକେ ଦେହ ଭଲ ରହୁନି ବୋଲି ମୁଁ ଯାଉନି.... ହଉ ମାନବ ମୁଁ ରଖୁଛି.... କିଏ ଶୁଣିଦେବ l 


ଵାସ ଏତିକି କହିଦେଇ ଶ୍ରେୟା ଫୋନ ରଖିଦେଲା l ମାନବ ହ୍ୟାଲୋ ହ୍ୟାଲୋ କହିବା ପରେବି ସେପଡ଼ୁ କୌଣସି ଉତ୍ତର ଆସିଲାନି l ଦୀର୍ଘ ଏକ ମାସ ଯାଏଁ ଶ୍ରେୟା କଲେଜ ଆସିଲାନି l ମାନବ ଫୋନ କଲେବି ଫୋନ ଉଠେଇଲାନି l ଧୀରେ ଧୀରେ ମାନବ ମନକୁ ପାପ ଛୁଉଁ ଥାଏ l ଏକ ପ୍ରକାରର ଅବିଶ୍ୱାସ ତା ମନରେ ଉଙ୍କି ମାରୁଥାଏ l 


ହଠାତ ଦିନେ ସାଙ୍ଗ ରୋହିତ ର ପାଟିରେ ମାନବ ର ଭାବନା ରାଜ୍ୟରେ ପୂର୍ଣ୍ଣଚ୍ଛେଦ ପଡିଲା l 

ଆରେ ମାନବ ଶୀଘ୍ର କ୍ଲାସକୁ ଚାଲେ.... ଶ୍ରେୟା ଆଇଛି କିନ୍ତୁ... 

କିନ୍ତୁ କଣ ରୋହିତ, ବ୍ୟସ୍ତ ହୋଇ ମାନବ ପଚାରିଲା l ରୋହିତ କିଛି ନକହି ସେଠୁ ପଳେଇଲା l 

ମାନବ ଆଉ କ୍ଷଣେ ମାତ୍ର ଅପେକ୍ଷା ନକରି କ୍ଲାସରୁମ ଆଡ଼କୁ ଦଉଡିଲା l କ୍ଲାସ କୁ ଯାଇ ଦେଖିଲା ଶ୍ରେୟା ନାହିଁ l ହଠାତ ପଛପଟୁ ମାନବ ଡ଼ାକରେ ଚମକି ପଡ଼ି ସେ ବୁଲିକି ଚାହିଁଲା l ଏ କଣ ଶ୍ରେୟା ଠିଆ ହୋଇଛି ଶାଢ଼ୀ ପିନ୍ଧି ଆଉ ସେ ବିବାହିତ l 

ମାନବ ର ପାଦ ତଳୁ ମାଟି ଖସିଗଲା ଭଳି ଲାଗିଲା l ମଣିଷ ଏତେ ବଡ଼ ଧୋକା ଦେଇପାରେ... ପୁଣି ଶ୍ରେୟା ତାକୁ ଧୋକା ଦେଇଦେଲା l 


ମାନବ ମୋର ତତେ କିଛି କହିବାର ଅଛି... ପ୍ଲିଜ ମତେ ଭୁଲ ବୁଝୁନା... ଏସବୁ ପଛରେ ଏକ ବଡ଼ କାରଣ ଅଛି... ମତେ ବିଶ୍ୱାସ କର.. 

ମିଛ ସବୁ ମିଛ... ଶ୍ରେୟା ତୁ ମିଛ ତୋ ଭଲ ପାଇବା ମିଛ.. ଧୋକାବାଜ...

ମାନବ ଆଖିକୁ ଆଉ କିଛି ଦିଶିଲାନି କାରଣ ତା ଆଖି ଲୁହରେ ଭରି ଯାଇଥିଲା l ସେ ଆଉ କିଛି ନକହି ହଷ୍ଟେଲ ଆଡେ ଦଉଡ଼ି ଚାଲିଗଲା l ଯାଉ ଯାଉ ହଠାତ ଆଖି ଟେକି ଶିଢ଼ି ଉପରକୁ ଚାହିଁଲା l ଦେଖିଲା ଶ୍ରେୟା ତାକୁ ଏକା ଆଖିରେ ପଛରୁ ଚାହିଁ ଠିଆ ହୋଇଛି l ତା ଆଖିରୁ ଧାର ଧାର ହେଇ ଲୁହ ବହି ଯାଉଛି l 

କେମିତି ପରୀକ୍ଷା ସରିଗଲା ମାନବ ଜାଣି ପାରିଲାନି l ଅଭିମାନ ଆଉ କ୍ରୋଧ ରେ ସେ ଆଖିଟେକି ଶ୍ରେୟା କୁ ଚାହିଁଲାନି l ଶ୍ରେୟା ତାକୁ ଦୂରରୁ ଚାହେଁ ବୋଧହୁଏ ସେ କିଛି କହିବାକୁ ଚାହେଁ l କିନ୍ତୁ ଘୃଣାରେ ମାନବ ତା ମୁହଁ କୁ ଚାହେଁନି l 


କଲେଜ ସରିଗଲା l ମାନବ ଆଉ ଶ୍ରେୟା ସହ କଥା ହେଇନି ତାର ଠିକଣା ମଧ୍ୟ ତାକୁ ଜଣା ନଥିଲା l ସତେକି କଷ୍ଟର ଲୁହ କୁ ପିଇ ଜଳି ଜଳି ସେ ଜିଉଁ ଥାଏ କାରଣ ମୃତ୍ୟୁ ଭଳି ଜୀଇଁବା ମଧ୍ୟ ଜୀବନର ଏକ ସତ୍ୟ l ଅନେକ ଥର ଭାବିଛି ନିଜ ଜୀବନ ହlରିଦେବ କିନ୍ତୁ ପାରିନି l କିଛି ବର୍ଷର ବ୍ୟବଧାନ ପରେ ହଠାତ ଭାଗ୍ୟର ବିଡମ୍ବନା ରେ ଘର ପରିବାର ର ବାଧ୍ୟ ବାଧ୍ୟକତା ରେ ତାର ବିବାହ ହୁଏ l କିନ୍ତୁ ସେ ନିଜ ସ୍ତ୍ରୀ କୁ ସ୍ତ୍ରୀ ର ମର୍ଯ୍ୟାଦା କେବେ ମଧ୍ୟ ଦେଇ ପାରେନା l ସେ ତା ସ୍ତ୍ରୀ ଭିତରେ ଶ୍ରେୟା କୁ ଖୋଜି ପାଏନା l ଯାହାଦ୍ୱାରା ସେ ତା ସ୍ତ୍ରୀ କୁ ନିଜଠାରୁ ଅଲଗା ରଖେ l 


ବିଧିର ବିଧାନ ଅପରମ୍ପାର l କିଛି ବର୍ଷ ପରେ ଶ୍ରେୟା ସହ ମାନବ ର ଦେଖାହୁଏ l ତାର ବଦଳି ଶ୍ରେୟା ରହୁଥିବା ସହରକୁ ହୋଇଥାଏ l ଶ୍ରେୟା ଘର ନିକଟରେ ତାର ଅଫିସ l କଣ ପାଇଁ କେଜାଣି ତା ଆଖି ଖାଲି ତା ଅଫିସ ରୁମର ଝରକା ଆଡ଼କୁ ଯାଏ ଯୋଉ ବାଟେ ମାର୍କେଟ ଦେଖାଯାଏ l ଶ୍ରେୟା ସେଠାକୁ ଜିନିଷ କିଣିବାକୁ ଆସେ l ତା ଆଖିରେ ଶ୍ରେୟା ଜମାରୁ ବଦଳି ନଥାଏ l ସତେକି ପୂର୍ବରୁ ଯେମିତି ଦିଶୁଥିଲା ଏବେବି ସେମିତି ଅଛି l 


ଦିନେ ମାନବ ସାହସ କରି ଶ୍ରେୟା ପାଖରେ ଯାଇ ଠିଆ ହେଲା l ଶ୍ରେୟା ମଧ୍ୟ ହଠାତ ଦୋକାନ ରେ ମାନବ କୁ ଦେଖି ଚମକି ପଡିଲା l 

ମାନବ ତୁ ଏଠି.....

କଣ ମତେ ଦେଖି ଖୁସି ଲାଗୁନି....

ଆରେ ନାଁ ମୁଁ ବହୁତ ଖୁସି... କେବେ ଭାବିନଥିଲି ତୁ ମୋ ସହ କଥା ହେବୁ ବୋଲି....

ଗୋଟେ କଥା ପଚାରିବି... ଅଲାଉ କରିବୁ ତ... କାରଣ ମୋର ତ ଆଉ ତୋ ଉପରେ ଅଧିକାର ନାହିଁ..  

ଅଧିକାର ର ସଂଜ୍ଞା ସମୟ ଅନୁସାରେ ବଦଳି ଯାଏ ମାନବ.. ଗୋଟେ ସାଙ୍ଗର ଅଧିକାର ରେ ତୁ ପଚାରିପାରୁ.. ପଚାର...

ଶ୍ରେୟା ତୁ ମୋ ସହ ଏମିତି କାହିଁକି କଲୁ.... କେବେ ତତେ ମୋ ବିଷୟରେ ଜାଣିବାକୁ ଇଚ୍ଛା ହେଲାନି ଯେ ମୁଁ ବଞ୍ଚିଛି ନାଁ ମରିଛି....


ଶ୍ରେୟା ହଠାତ ନୀରବ ହୋଇଗଲା l ଆଖି ତାର ଲୁହ ଛଳ ଛଳ ଦିଶୁଥାଏ l ସେ ବହୁ କଷ୍ଟରେ ନିଜକୁ ସାମାନ୍ୟ କରିବାକୁ ଚେଷ୍ଟା କଲା ଏବଂ କିଛି ନହେବା ଭଙ୍ଗୀରେ ପଚାରିଲା, ମାନବ କହ ତୁ କେମିତି ଅଛୁ....ତୋ ପରିବାର ବିଷୟରେ କିଛି କହିବୁ କି....

କଣ ଶୁଣିବାକୁ ଚାହୁଁଛୁ... ମୁଁ ଅବିବାହିତ ବୋଲି...ସରି ତୋ ଇଚ୍ଛା ଅପୂର୍ଣ୍ଣ ରହିଗଲା..... ମୁଁ ବିବାହିତ....କିନ୍ତୁ.. ଏବେ ମଧ୍ୟ...


ଶ୍ରେୟା କଣ ଭାବିଲା କେଜାଣି ଗମ୍ଭୀର ଭାବରେ କହିଲା ହଉ ମୁଁ ଆସୁଛି...

ଶ୍ରେୟା...ସତରେ ତୁ ବଦଳି ଗଲୁ... କିନ୍ତୁ ଦେଖ ମୁଁ ବଦଳିନି... କହ ମୋ ସହ ଏମିତି କାହିଁକି କଲୁ... ମୋ ଜୀବନ ନଷ୍ଟ କରିଦେଲୁ..  


ମାନବ.... ମୁଁ କେଉଁ ପରିସ୍ଥିତି ରେ ଏଭଳି ପଦକ୍ଷେପ ନେଲି ତା କହିଲେ ବି ତୁ ବିଶ୍ୱାସ କରିବୁନି... ମନେରଖ ସବୁବେଳେ ମଣିଷ ସ୍ୱାର୍ଥପର ହେଇ ପାରେନା.. ମୋ ବାପାମାଆଙ୍କ ପ୍ରତି ମଧ୍ୟ ମୋର କିଛି ଦାୟିତ୍ୱ ଥିଲା... କଣ କରିବି ନିଜ ବିଷୟରେ ମୁଁ ଆଗ ଭାବି ପାରେନା... ସତ କହିବି ବହୁତ ଚେଷ୍ଟା କରିଥିଲି କିନ୍ତୁ ପାରିଲିନି.... ଆଜି ବି ମୁଁ ମୋ କଥା ଭାବି ପାରୁନି....


ମାନବ ଶ୍ରେୟା ର ହାତ ଧରି କହିଲା, ଶ୍ରେୟା ବିବାହ ଉପରେ ବି କିଛି ଥାଏ... ପ୍ରେମ ସଂସାର ବନ୍ଧନ ଦେଖେନା...


ଶ୍ରେୟl ର ମୁହଁ ଗମ୍ଭୀର ରୁ ଗମ୍ଭୀରତର ହେଉଥାଏ l ସେ ଧୀରେ କିନା ହସିଦେଇ କହିଲା, ମାନବ ତୁ ସ୍ୱାର୍ଥପର.... ତୁ ସବୁବେଳେ ନିଜ କଥା ଭାବୁ... ଆଗରୁ ଭାବୁଥିଲୁ ଆଉ ଆଜିବି ଭାବୁଛୁ.... କିନ୍ତୁ ମୁଁ ସବୁବେଳେ ଅନ୍ୟମାନଙ୍କ କଥା ଭାବେ... କାଲି ବାପାମାଆ ଙ୍କ କଥା ଭାବୁଥିଲି ଆଉ ଆଜି ମୋ ସଂସାର କଥା...ତୋ ପ୍ରତି କରିଥିବା ଅନ୍ୟାୟ ର ଦଣ୍ଡ ଆଜି ମୁଁ ଭୋଗୁଛି...ମୋ ସଂସାରର କଷ୍ଟ ବିଷୟରେ ମୁଁ ତତେ କହି ପାରିବିନି... କିନ୍ତୁ ମୁଁ ଯାହା ହାତ ଧରିଛି ଶେଷ ଯାଏଁ ତl ପ୍ରତି ବିଶ୍ୱାସୀ ରହିବି... ମୋ ଜୀବନର କଷ୍ଟ କୁ ମୁଁ ମୋ ଲୁହକୁ ପିଇ କି ସାମନା କରିବି... ମୋ ପ୍ରେମ ଅନ୍ଧ ନୁହେଁ... କାରଣ ମୁଁ ସଂସାରୀ ପ୍ରେମ ରେ ବନ୍ଧା.... ଆଜିଠୁ ତୋ ରାସ୍ତା ଅଲଗା ଆଉ ମୋର ମଧ୍ୟ l 


ଶ୍ରେୟା ଏତକ କହିଦେଇ ଆଗକୁ ବଢ଼ିଲା l କଳା ହାଣ୍ଡିଆ ମେଘ ସାଙ୍ଗକୁ ଝିପି ଝିପି ବର୍ଷା ଓ ପଵନ ଆରମ୍ଭ ହେଇ ଯାଇଥାଏ l ହଠାତ ମାନବ ଦେଖିଲା ଶ୍ରେୟା ମୁହଁରେ ଅକାଳ ବାର୍ଦ୍ଧକ୍ୟ ର ଛାପ ଯାହା ସେ ପ୍ରେମରେ ବାନ୍ଧିହୋଇ ଦେଖି ନଥିଲା l ଚାଲିବାକୁ ମଧ୍ୟ ସେ ସଂଘର୍ଷ କରୁଛି l କେଉଁ ଅଜଣା ଗୁପ୍ତ କଷ୍ଟକୁ ଦାବି ଚାଲିଛି l ବୋଧହୁଏ କେଉଁ ଏକ ଅଜାଗା ଘା ସେ ଯାହା ତା ଆଗରେ ଦେଖାଇ ପାରୁନି l ସତରେ ଏ ସଂସାରୀ ପ୍ରେମ ମଣିଷକୁ କିପରି ବାନ୍ଧିଦିଏ ଯାହା ନାଁ ଖୋଲି ହୁଏ ନାଁ ସହିହୁଏ l ସତେକି ମାନବ ଠୁ ଶ୍ରେୟା ଚିର କାଳ ପାଇଁ ଦୂରେଇ ଯାଉଛି l ଯେଉଁ ଭିଜା ଭିଜା ପାଗ ତାଙ୍କୁ ନିକଟତର କରିଥିଲା ଆଜି ସେହି ବେଳା ଦୁହିଁଙ୍କ କାହାଣୀରେ ସମାପ୍ତି ର ଗାର ଟାଣି ଦେଉଛି ଏକପ୍ରକାରର ସତ୍ୟତା ଦେଖାଇ l 

ସମାପ୍ତ ll


Rate this content
Log in

Similar oriya story from Abstract