Aparajita Sarangi

Abstract Tragedy Classics

4  

Aparajita Sarangi

Abstract Tragedy Classics

ଝଡ଼

ଝଡ଼

6 mins
15


ଆଖି ଖୋଲି ଚାହିଁଲେ ସବୁ ଶୂନଶାନ l କିନ୍ତୁ ବୁଝି ହୁଏନି ଚାରିଆଡ଼ କୋଳାହଳ ପୂର୍ଣ୍ଣ ହୋଇଥିଲେ ହେଁ ଏତେ ଖାଁ ଖାଁ କାହିଁକି ଲାଗୁଛି l ସତେକି ଝଡ଼ଟିଏ ଆସି ସବୁକିଛି ଉଜାଡି ଗଲା l ବହୁତ ଉପର ଯାଏଁ ଗଢ଼ା ହେବା ପରେ ସତେକି କିଛି ଗୋଟେ ଭୁଶୁଡି ପଡିଲା l ହା ହତାସ ବୋଧ ରେ ଗୋଡ଼ ହାତ ଚାଲୁ ନଥାଏ l ଭାବିଲି କଅଣ ସବୁ କିଛି ସରିଗଲାକି l କାଇଁ ଏ ତ ଭାବନାର ଅନ୍ତର୍ଭୁକ୍ତ ନଥିଲା l କିଛି ଗୋଟେ ପୃଥକ ଦୁନିଆ ସ୍ୱପ୍ନରେ ମୁଁ ବିଭୋର ଥିଲି l


ଅନେକ ସ୍ୱପ୍ନ ନେଇ ଝିଅଟିଏ ବାହା ହୁଏ l ଅସୁମାରୀ ଆଶା ର ଜୁଆର ରେ ଉବୁଟୁବୁ ହେଉ ଥାଏ l ସତେକି ଜୀବନ ନୁହେଁ ତ ସ୍ୱର୍ଗ ର ନନ୍ଦନକାନନ l କୁମାରୀ ଜୀବନ ଟା ହିଁ ସେମିତି l ବିବାହ ର ସ୍ୱପ୍ନ ରେ ମତୁଆଲା ମନ l ସତେକି ଜୀବନ ର ଶ୍ରେଷ୍ଠ ସତ୍ୟ l ହଁ ଏଇ ଆଳରେ ତ ମୁଁ ବିବାହ କଲି ଏକ ଅଜଣା ଅଶୁଣା ପୁରୁଷକୁ l ନବ ଜୀବନ ର ପ୍ରାରମ୍ଭ l


ସବୁ ଝିଅଙ୍କ ଭଳି ସ୍ୱପ୍ନ ଥିଲା ଏକ ସୁନ୍ଦର ମନର ସ୍ୱାମୀଟିଏ l ସତେ ତ ସମସ୍ତ ଆଶା ହିଁ ପୂରଣ ହୋଇଗଲା l ଭାବନା ଠାରୁ ବୋଧେ ଅଧିକ ପାଇଗଲି l କିନ୍ତୁ କଣ ଖାଲି ସ୍ୱାମୀ ର ହାତ ଧରିବା ଥିଲା ଗୋଟିଏ ଆଶା l ଅନ୍ୟ ଝିଅଙ୍କ ଭଳି ଭାବିଥିଲି ସ୍ୱାମୀ ଛୁଆଙ୍କୁ ଧରି ସଂସାର କରିବି l କିନ୍ତୁ ଠାକୁର ସତେକି ଦାଉ ସାଧିବାକୁ ବସିଥିଲେ l ବର୍ଷ ପରେ ବର୍ଷ ବିତିଗଲା l ଛୁଆ ଟିଏ କୋଳରେ ପାଇଲି ନାହିଁ l


ଆଖିରେ ଆଖିଏ ଲୁହ ଧରି ଈଶ୍ୱର ଙ୍କୁ ଡାକେ l ହେ ପ୍ରଭୁ ତମେ କଣ ଏତେ ନିଷ୍ଠୁର ହୋଇଯିବ l ଛୋଟ ପିଲାଙ୍କ ପଛରେ ବାଉଳି ହେଇ ଧାଉଁଥିବା ଝିଅଟିକୁ ତମେ ପିଲାଟିଏ ଦେବନି l ହଠାତ ଦିନେ ଶୁଷ୍କ ମରୁରେ ଆର୍ଦ୍ରତା ଅନୁଭବ କଲି l ଯେଉଁଦିନ ଶୁଣିଲି ମାଆ ହେବାକୁ ଯାଉଛି ସେଦିନ ଗୋଡ଼ ତଳେ ଲାଗିଲାନି ସତେକି ଜୀବନର ସମସ୍ତ ସ୍ୱପ୍ନ ମୋ ଆଞ୍ଜୁଳାରେ ଭରିଗଲା l


ପୁଣି କୁମାରୀ ବେଳ ଭଳି ସ୍ୱପ୍ନ ରେ ବିଭୋର ହୋଇଗଲି l ନାଁ କଅଣ ଦେବି କେମିତି ବଡ଼ କରିବି ଇତ୍ୟାଦି ଇତ୍ୟାଦି ଅନେକ କଥା ମନକୁ ସତେକି ପାଗଳ କରି ଦେଉଥିଲା l କିନ୍ତୁ ଏ କଣ କପାଳ ଟା ପରା ଆଜନ୍ମ ଫଟା ଥିଲା ବୋଧେ l କିଛି ମାସର ଅନୁଭୂତି ମୋର ପାଣି ଫୋଟକା ପରି ମିଳେଇ ଗଲା l ଜନ୍ମ ଆଗରୁ ହିଁ ମୁଁ ପିଲାଟିକୁ ହରେଇ ବସିଲି l ରାତି ତମାମ ର ଶାରୀରିକ ଯନ୍ତ୍ରଣା ସତେକି ମାନସିକ ବେଦନା ନିକଟରେ ଛୋଟ ମନେ ହେଲା l


ହତ ଭlଗିନୀ ର କେବେ କଣ ଭାଗ୍ୟ ଉଦୟ ହେଲାଣି l ସୂର୍ଯ୍ୟ ପରା ମୋ ଭାଗ୍ୟ ରେ ଉଦୟ ହେବାର ପଥ ଭୁଲି ଯାଇଛନ୍ତି ଏହା ଭାବି ମନକୁ ସାନ୍ତ୍ୱନା ଦେଲି l କଷ୍ଟ କୁ ହୃଦୟ ରେ ଚାପି ଏକ ଅଲୋଡ଼ା ଜୀବନ ବଞ୍ଚିଲି l


ଏ ଦୁନିଆ ବି ଅଦ୍ଭୁତ l ବେଡ଼ି ଉପରେ କୋରଡ଼ା ପାହାର ଦେବା ତାର ପୁରୁଣା ଅଭ୍ୟାସ l ଛୁଆ ଜନ୍ମ ନହେବାର ସମସ୍ତ ଦୋଷାରୋପ ର ମୁଳ ସତେ ଯେପରି ମୁଁ ପାଲଟି ଗଲି l ଭାବିଲି ଦୁନିଆ ର ଗଞ୍ଜଣା ସହିବି ନାଁ ନିଜକୁ ବୁଝେଇବି l ଲୁହଭରା ଆଖିରେ ସ୍ୱାମୀଙ୍କୁ ଚାହିଁଲି l କିନ୍ତୁ ଏ କଣ ଦେଖୁଛି ମୁଁ l କୌଣସି ଅବଶୋଷ ନାହିଁ l ସୁଦୃଢ ଚଟାଣ ଭଳି ମୋତେ ବୁଝାଇ ଚାଲିଲେ l କିଛି ଅସୁବିଧା ନାହିଁ ଆମେ ଦୁହେଁ ମିଶିକି ରହିବା l ମୁଁ ମଧ୍ୟ ସ୍ତବ୍ଧ ହେଇଗଲି l ଭାବିଲି ଏ ଲୋକ ଏତେ ଧୈର୍ଯ୍ୟ କେଉଁଠୁ ଆଣି ପାରେ l ଆଖିରୁ ଅନବରତ ଲୁହ ବହିବା ସତେ ଯେପରି ଜୀବନର ବିଶେଷ ଉଦ୍ଦେଶ୍ୟ ପାଲଟି ଯାଇଥିଲା l


ହଠାତ ପୁଣି ନିଶବ୍ଦ ଜୀବନରେ ଖୁସିର ଝଲକାଏ ପବନ ଆସିଲା l ଆରେ ଏ କଣ ମୁଁ ଶୁଣୁଛି ମୁଁ ମାଆ ହେବାକୁ ଯାଉଛି l ଖୁସି ରେ ମୋ ଗୋଡ଼ ହାତ ତଳେ ଲାଗିଲାନି କିନ୍ତୁ ଏକ ଅଜଣା ଆତଙ୍କ ମୋ ମନକୁ ଗ୍ରାସ କଲା l କଣ ଏଥର ବି ପୂର୍ବ ଥର ଭଳି ହେଇ ଯିବନି ତ l ହେ ଈଶ୍ଵର ମୁଁ କଅଣ କରିବି l ଭୟରେ ମୋ ଦିନ ବିତିବାକୁ ଲାଗିଲା l ଚଲା ବୁଲା ବନ୍ଦ କରି ଡ଼ରିକି ଶେଯରେ ବସି ରହିଲି l କାଳେ କିଛି ଅଘଟଣ ଘଟିଯିବ ବୋଲି l ରାତି ଦିନ ଖାଲି ଈଶ୍ଵର ଙ୍କ ନିକଟରେ ଅଧିଆ ପଡିଲା ଭଳି ରହିଲି l


ପରିଶେଷରେ ଠାକୁର ମୋ ଡାକରା ଶୁଣିଲେ l କୋଳରେ ପୁଅଟିଏ ଆସିଲା l ହସ୍ପିଟାଲ ର ବିଛଣା ରେ ପଡ଼ି ପାଉଥିବା ସମସ୍ତ କଷ୍ଟ ପଳେଇଲା ଯେତେବେଳେ ପୁଅର ମୁହଁ ଦେଖିଲି l ସତେକି ସ୍ୱର୍ଗ ର ଚାନ୍ଦ ପାଇଗଲି l ସ୍ୱପ୍ନ କଣ ଏମିତି ସତ ହୁଏ l ଦିନ ରାତି କିଛି ଜାଣି ପାରିଲିନି l ସବୁବେଳେ ଖାଲି ପୁଅର ସେବା ଯତ୍ନ ରେ ଲାଗିଲି ତାହାହିଁ ମୋର ଶ୍ରେଷ୍ଠ ଆନନ୍ଦ ଥିଲା l କଣ ଖୁସି ହେବାଟା ଅପରାଧ ଥିଲା l ଯାହାର ପ୍ରତିଦାନ ଜୀବନ ସାରା ଦେବାକୁ ପଡିଲା l


ବାସ ସେତିକି ଆଉ କିଛି ନକହି ନିଧି ମାଉସୀ ନୀରବ ହୋଇଗଲେ ସତେକି ତାଙ୍କ ଆଖିର ଲୁହ ତାଙ୍କ କଣ୍ଠରେ ପଶିଗଲା ବୋଧେ l ମୁଁ ଆଶ୍ଚର୍ଯ୍ୟ ହେଇ ପଚାରିଲି, କଅଣ ହେଲା ମାଉସୀ ତମେ ଏମିତି ନୀରବ ହେଇଗଲ ଯେ l ଏଇ କିଛି ସମୟ ଆଗରୁ ତ ହଁ ହଁ ମାରି ମୋ କଥା ଶୁଣୁଥିଲ ହଠାତ ସମ୍ପୂର୍ଣ୍ଣ ଭାବରେ ଚୁପ ହେଇଗଲ l


ଦେଖିଲି ତାଙ୍କ ଆଖିରେ ଆଖିଏ ଲୁହ ଓ ଓଠ ଥରୁଛି l କହିଲି ମାଉସୀ କଅଣ ହେଲା ଏମିତି କାହିଁକି ହେଉଛ.... ଏମିତି ଅଧୈର୍ଯ୍ୟ ହେଲେ ଚଳିବ... ଭାବିଥିଲି ତମ ଆଗରେ ଅକୁହା ବେଦନା କହିବି ଆଉ ତମେ ବି ଶେଷରେ ଧୈର୍ଯ୍ୟହୀନ ହୋଇଗଲ l


ମାଉସୀ ବହୁ କଷ୍ଟରେ ନିଜ କୋହ ରୋକି କହିଲେ, ହଉ ବିନି କହ... ହଠାତ କାହିଁକି ଭୟ ଲାଗିଲା ଆଗକୁ ଶୁଣିବାକୁ.... ପୁଣି ଭାବିଲି ତମେ ତ ଏହାକୁ ଜୀଉଁଚ ମୁଁ ଖାଲି ଶୁଣିକି ଏମିତି ହେଇ ଯାଉଛି... ହଉ ତା ପରେ ଆଉ କୋଉ ପାହାଡ଼ ପଡିଲା କହ l


ମୁଁ କହିବା ଆରମ୍ଭ କଲି l ମାଉସୀ କେବେ ଭାବିଛ ଯେଉଁ ବୋହୂ ତମକୁ ପଚାରୁନି ମୁଁ ତା ପାଖକୁ କାହିଁକି ଛୁଟୁଥାଏ l

ସେ କହିଲେ ନାଁ ମୁଁ ଜାଣେନା କିନ୍ତୁ ଭାବେ ତୁ ମତେ ଏତେ ଭଲ ପାଉ ହେଲେ ମତେ ମାନସିକ କଷ୍ଟ ଦେଇଥିବା ମୋ ବୋହୂ ପାଖକୁ ଯାଇ ମତେ ଛୋଟ ଦେଖେଇବାର କାରଣ କଅଣ l


ମୁଁ ହସିଦେଇ କହିଲି, ମାଉସୀ ଅଢେଇ ବର୍ଷ ଧରି ପୁଅ କଥା କହିଲାନି, କାହା ମୁହଁକୁ ଚାହିଁଲାନି ବ୍ୟବହାର ମଧ୍ୟ ତାର ସମବୟସ୍କ ପିଲାଙ୍କ ଭଳି ନଥିଲା ତେଣୁ ଯେବେ ଶୁଣିଲି ତମ ବୋହୂ ସାଇକଲୋଜିଷ୍ଟ ତା ପାଖକୁ ପୁଅକୁ ଧରିକି ଆସିଲି l ମୋ ଜୀବନର ସମସ୍ତ ସ୍ୱପ୍ନ କୁ ଧରି ଆସିଥିଲି l ସବୁ ମାଆଙ୍କ ଭଳି ଭାବିଥିଲି ପୁଅ ମୋର ଦିନେ ବଡ଼ ଚାକିରୀ କରିବ ମୋ ନାଁ ରଖିବ l


ତମ ବୋହୂ ମତେ ଦେଖି ନିଜ ଡାକ୍ତରୀ ପେଶା ଭୁଲି ତମ ନାଁରେ ଆଗ ବହେ କହିଲେ l ହଠାତ ମୋ ପୁଅ ଉପରେ ଆଖି ପକେଇ କହିଲେ, ଦେଖୁଛ ସେ ଆମମାନଙ୍କୁ ନଚାହିଁ ଅନ୍ୟ ଆଡେ ଚାହୁଁଛି ଆଉ ତା ବିଷୟରେ ସବୁ ତମଠୁ ଶୁଣି ଅନୁଧ୍ୟାନ କରି କହୁଛି ତା ଠାରୁ କିଛି ଆଶା ରଖନି.... ସେ ନର୍ମଲ ନୁହେଁ ସ୍ପେଶାଲ ଚାଇଲଡ.... ସ୍ୱପ୍ନ ଦେଖିବା ଛାଡି ଦିଅ l


ମତେ ଲାଗିଲା ସତେକି କିଏ ମୋ ଗାଲରେ ଚଟକଣୀ ମତେ ମାରୁଛି l ମୁଁ ଏକ ଅବୋଧ ଶିଶୁ ଭଳି କାନ୍ଦିଲି l ମନକୁ ବୁଝେଇ ସେଠୁ ଚାଲି ଆସିଲି l ଭାବିଲି ଯିଏ ନିଜ ଶାଶୁ ପ୍ରତି ଏତେ ଅତ୍ୟାଚାର କରିପାରେ ସେ ଆଉ କାହାକୁ କଣ ଅବଜର୍ଭ କରିବ l ସିଧା ଯାଇ ମୋ ଧ୍ୟାୟ ମତେ ଡକ୍ଟରମାନଙ୍କୁ ଦେଖାଇଲି l ସମସ୍ତଙ୍କ ର ସେଇ ଗୋଟେ ମତ l ସେ ନର୍ମଲ ନୁହେଁ l ଗୋଟେ ଶବ୍ଦ ଶୁଣିଲି ଅଟିଜିମ l ତାର କିଛି ଫିଚର ଅଛି l


ଗୋଟେ ଦିନ ଭିତରେ ବହୁତ କିଛି ଘଟି ଯାଇଥିଲା l ନୀରବ ହୋଇ ଆସି ଡାକ୍ତରଖାନା ବାହାରେ ବସି ପଡ଼ିଲି l ଦିନ ଟା ବି ଅନ୍ଧାର ଲାଗୁଥିଲା l କୋଳାହଳ ରେ ବି ଚାରିଆଡ଼ ନିସ୍ତବ୍ଧ ଲାଗୁଥିଲା l ୟେ କି ଝଡ଼ ଆସି ମୋ ଦେହ ମନକୁ ଭାଙ୍ଗି ଦେଇ ଗଲା l ବରଣ୍ଡାରୁ ଉଠିବାକୁ ବଳ ପାଉ ନଥାଏ l ଝଡ଼ ପରର ସେ ନୀରବତା ସତେକି ମତେ ଜିଅନ୍ତା ଶବ ପାଲଟେଇ ଦେଲା l ଭାବିଲି ଜୀବନ ହାରିଦେବି l ହଠାତ ଦେଖିଲି ପୁଅ ମୋ ହାତ ଧରି ମତେ ଚାହିଁଛି l


ସତେକି ତାର ସେ କୁନି କୁନି ଆଖି ମତେ ପଚାରୁଛି ମତେ କାହିଁକି ଜନ୍ମ ଦେଲୁ.... କି ଜୀଵନ ପାଇଲି ମୁଁ... କଅଣ ଜୀବନ ସାରାର ସଂଗ୍ରାମ ହିଁ ମୋ କପାଳରେ ଲେଖିଦେଲୁ l କୁହ ମାଉସୀ ଭଗବାନ ଙ୍କୁ କଅଣ କିଛି ମାଗିବା ପାପ l ଛୁଆଟିଏ ମାଗିବା କଅଣ ମୋର ଅପରାଧ ଥିଲା l ତାର ଏତେ ଭୟଙ୍କର ଶାସ୍ତି ସେ ମତେ ଦେଲେ l କାହିଁକି ଏ ଜୀବନ ଝଡ଼ ମାଆ ଓ ପୁଅଙ୍କୁ ନେଇ ମୃତ୍ୟୁ ର ସମୁଦ୍ର ରେ ଆମକୁ ବିଲୀନ କରି ଦେଉନି l


ମାଉସୀ ହାତ ଧରି କହିଲେ, ବିନି ସଞ୍ଜ ହେଲାଣି ଯାଉଛି ସନ୍ଧ୍ୟା ଦେବି l ଆଜି ଜାଣିଗଲି ମୃତ୍ୟୁ ଠାରୁ ବି ଭୟଙ୍କର ଜୀବନ ହୋଇଥାଏ l ମୋ ଛୁଆ ମତେ ପଚାରୁନି କିନ୍ତୁ ଦୁଃଖ ନାହିଁ l କାରଣ ମୁଁ ଏତିକି ଜlଣେ ଯେ ମୋ ବିନା ସେମାନେ ଖୁସିରେ ଅଛନ୍ତି l କିନ୍ତୁ ତୁ ତ ମରିକି ବି ବୋଧେ ଶାନ୍ତି ପାଇବୁନି l ଗୋଟେ ବୋଝ ନେଇ ମୁଣ୍ଡରେ ଯିବୁ l ତୋ ପରେ ତୁ ଛାଡି ଯାଇଥିବା ପିଲାଟିର କଥା କିଏ ବୁଝିବ l ବୋଧହୁଏ ଏହା ସମସ୍ତ ମାଆମାନଙ୍କର ପ୍ରଶ୍ନ ଆଉ କଷ୍ଟ ଯାହାର ଛୁଆ ସାଧାରଣ ପିଲାଙ୍କଠୁଁ ଭିନ୍ନ ଓ ସ୍ପେଶାଲ l


ମାଉସୀ ଝଡ଼ ଭଳି ମୋ ପାଖରୁ ଉଠି ଚାଲିଗଲେ l ଆଉ ମୁଁ ମୋ ପୁଅକୁ କାଖେଇ ଗୋଡ଼ ଘୋଷାରି ଘୋଷାରି ଆଗକୁ ବଢ଼ିଲି ଝଡ଼ ପରର କ୍ଷତିକୁ କିଛି ମାତ୍ରାରେ ଭରିବା ପାଇଁ l



Rate this content
Log in

Similar oriya story from Abstract