ନୀରବ ପ୍ରେମ
ନୀରବ ପ୍ରେମ
ନୀରବତାର ଏ କି ଆକର୍ଷଣ l ଅଦ୍ଭୁତ ଏ ଆବେଗ l ପାଇବାଠୁ ବେଶୀ ହରାଇବାର ଆବେଗ l ଯାହା ପାଇଛ ତା ବିଷୟରେ ନଭାବି ହରାଇବାର ବିଷାଦ ବୋଧ... ହଁ ଏଇତ ଜୀବନ l ସତେକି ଡିସେମ୍ବର ମାସର ଶେଷ ପାହାଚ ଦୀର୍ଘ ପାଞ୍ଚ ବର୍ଷର ଆଇନା ଦେଖାଉଛି ଆଉ କହୁଛି ପ୍ରେମ ତ ସବୁବେଳେ ନୀରବ l ଆଗତ ବର୍ଷ ତ ଦିବା ସ୍ୱପ୍ନ ମାତ୍ର l
ହଠାତ ତରଙ୍ଗର ଅବାଂଛିତ ଛଟlରେ ମାନବ ର ଭାବ ରାଇଜରେ ସତେକି କିଏ ପୂର୍ଣ୍ଣଚ୍ଛେଦ ଟାଣିଦେଲା l ମାନବ ଏକ ମଲ୍ଟି ନ୍ୟାସନେଲ କମ୍ପାନୀ ରେ କାର୍ଯ୍ୟରତ ଯୁବକ l ବିବାହିତ ମଧ୍ୟ l ଗୋଟିଏ ଝିଅର ଜନକ l ସ୍ତ୍ରୀ ସ୍ୱାତୀ ମଧ୍ୟ କୋଟିକେ ଗୋଟିଏ କହିଲେ ଚଳେ l ମାନବ ସ୍ତ୍ରୀ ଛୁଆଙ୍କ ସହ ବର୍ଷର ଶେଷ ସପ୍ତାହର ସନ୍ଧ୍ୟା ସମୟ ରେ ସମୁଦ୍ର କୂଳ କୁ ବୁଲିବାକୁ ଆସିଛି l l ସ୍ୱାତୀ ଝିଅ ମୀରା ସହ ଖେଳିବାରେ ବ୍ୟସ୍ତ ଅଛି ଆଉ ମାନବ ଏଇ ତରଙ୍ଗ କୁ ଚାହିଁ ଭାବନା ରାଜ୍ୟରେ ହଜି ଯାଇଛି l
ହଠାତ ଝିଅ ମୀରା ର ଚିତ୍କାର ରେ ମାନବ ଚମକି ପଡ଼ି ପଛକୁ ଚାହିଁଲା l ଦେଖିଲା ମୀରା ର ହାତ ଧରି ଜଣେ ସ୍ତ୍ରୀ ଲୋକ ତାକୁ ଚୁପ ରହିବାକୁ କହୁଛି ଆଉ ସେ କିଛି ନଶୁଣି କାନ୍ଦୁଛି l ସ୍ୱାତୀ ପାଖାପାଖି କେଉଁଠି ମଧ୍ୟ ଦିଶୁନାହିଁ l ସେ ସ୍ତ୍ରୀ ଲୋକଟିର ପଛପଟୁ ମାନବ ଜାଣି ମଧ୍ୟ ପାରିଲାନି l କାହାର ଏତେ ସାହସ ହେଲା ତା ଝିଅର ହାତ ଧରିବାକୁ l ମାନବ ଦଉଡ଼ିକି ଗଲା ଏବଂ ଚିତ୍କାର କରି କହିଲା, କିଏ ତୁମେ... ମୋ ଝିଅ ହାତ ଧରିବାକୁ ସାହସ କେମିତି କଲ...
ଆପଣଙ୍କ ଦୟାରୁ... ମାନେ ଆପଣ ଯଦି ନିଜ ଝିଅ କଥା ବୁଝିଥାଆନ୍ତେ ତେବେ ମତେ ଆପଣଙ୍କ ଝିଅର ହାତ ଧରିବାକୁ ପଡ଼ି ନଥାନ୍ତା....
ମୀରା ନିଜ ହାତ ଛଡାଇ ଆଣି ଆସି ମାନବ କୁ କୁଣ୍ଢାଇ କାନ୍ଦିବା ଆରମ୍ଭ କରି ଦେଇଥାଏ ଏବଂ କହୁଥାଏ ମାମା ମାମା....
ସ୍ତ୍ରୀ ଲୋକଟି ଆଉ କିଛି ନକହି ସମୁଦ୍ର ବେଳାଭୂମି ରେ ଆଗକୁ ବଢିବା ଆରମ୍ଭ କରିଦେଲା l ମାନବ ପଛରୁ ପାଟି କରି କହିଲା, କିଏ ତୁମେ....
ହଠାତ ସ୍ତ୍ରୀ ଲୋକଟି ପଛକୁ ଚାହିଁ କହିଲା, ସୁନନ୍ଦା l
ସୁନନ୍ଦା ନାଁ ଟା ଶୁଣି ମାନବ ଦେହ ଶୀତେଇ ଗଲା l ଏ ନାଁ ସହ ସେ ଘନିଷ୍ଠ ଭାବରେ ଜଡ଼ିତ l ହୁଏତ ଏ ନାମ ସେ ଜୀବନ ସାରା ଭୁଲି ପାରିବନି l ମାନବ ମୁହଁ ଟେକି ଚାହିଁଲା l ଏ କଅଣ l ଇଏତ ସେଇ ସୁନନ୍ଦା l ଯାହା ସହ ସିଏ l ଆଉ ଆଗକୁ ଭାବି ପାରିଲାନି ମାନବ l ଆଖି ତାର ଲୁହ ଛଳ ଛଳ ହେଇଗଲା l ସୁନନ୍ଦା ମଧ୍ୟ ଏକା ଆଖିରେ ତାକୁ ଚାହିଁଥାଏ l
ପାପା... ପାପା... ମାମା କାଇଁ...
ମୀରା ର କାନ୍ଦ ରେ ମାନବ ବାସ୍ତବତା କୁ ଫେରି ଆସିଲା l ସତରେ ତ ସ୍ୱାତୀ କେଉଁଠି ବି ଦିଶୁନି l ମାନବ ବ୍ୟସ୍ତ ବିବ୍ରତ ହୋଇ ଚାରିଆଡକୁ ଚାହିଁଲା l
ମୀରା ମାମା ଗଲା କୁଆଡ଼େ....
ମୋ ପାଖରେ ମାମା ଠିଆ ହେଇଥିଲା... ମୁଁ ବାଲିରେ ଖେଳୁଥିଲି.... ହଠାତ ଦେଖିଲା ବେଳକୁ ମାମା ନାହିଁ.... ମୁଁ ମାମାକୁ ଖୋଜିବାକୁ ପାଣି ପାଖକୁ ଯାଉଥିଲି... ଏ ଆଣ୍ଟି ଆସି ମୋ ହାତ ଧରି ପକେଇଲେ l
ମାନବ ଦେଖିଲା ସୁନନ୍ଦା ସମ୍ପୂର୍ଣ୍ଣ ନୀରବ l ମାନବ ଚାରିଆଡ଼ କୁ ଚାହିଁଲା l କାଳେ କେଉଁଠି ସ୍ୱାତୀ ଦିଶିଯିବ l
ସ୍ୱାତୀ ସ୍ୱାତୀ ଡାକି ମାନବ ଚାରି ଆଡ଼କୁ ଚାହିଁଲା l କିଛି ବାଟ ଦଉଡ଼ି ଯାଇ ଖୋଜିଲା ମଧ୍ୟ l ମାନବ ଚିନ୍ତିତ ହେଇ ଯାଇଥାଏ l
ହଠାତ ଫୋନ ରିଂ ରେ ମାନବ ର ଚିନ୍ତା ଭଙ୍ଗ ହେଲା l ଆରେ ଏ ତ ସ୍ୱାତୀ ର ଫୋନ l ମାନବ ବ୍ୟସ୍ତ ହେଇ ଫୋନ ଉଠାଇଲା l
ହ୍ୟାଲୋ ସ୍ୱାତୀ, ତମେ କେଉଁଠି ଅଛ.... ଜାଣିଛ ମୁଁ ଆଉ ମୀରା କେତେ ବ୍ୟସ୍ତ ହେଇ ତମକୁ ଖୋଜୁଛୁ.....
ମାନବ ହଠାତ ମୋ ଦେହ ଭଲ ଲାଗିଲାନି... ସେଥିପାଇଁ ମୁଁ ଘରକୁ ପଳେଇ ଆସିଲି... ସରି ତମକୁ କି ମୀରା କୁ କହିବାକୁ ଭୁଲିଗଲି....
ହଉ ଠିକ ଅଛି, କହିଦେଇ ମାନବ ଫୋନ ରଖିଦେଲା ଏବଂ ମୀରାକୁ ପାଖକୁ ଡାକି ଏ ବିଷୟରେ କହିଲା ମଧ୍ୟ l ହଠାତ ମାନବ ର ସୁନନ୍ଦା କଥା ମନେ ପଡ଼ିଲା l ସେ ଚମକି କି ପଛକୁ ଚାହିଁଲା l ସ୍ୱାତୀ କୁ ଖୋଜିବା ଭିତରେ ତ ସେ ସୁନନ୍ଦା ସହ କଥା ହେବାକୁ ମଧ୍ୟ ଭୁଲି ଯାଇଛି l ମାନବ ସୁନନ୍ଦା ପାଖକୁ ଆସି କହିଲା,
ସୁନନ୍ଦା ତମେ ଏଠି..... ଏତେଦିନ ପରେ....
ହଁ ଦୀର୍ଘ ଦଶ ବର୍ଷ ପରେ..... ମାନବ କେବେବି ଭାବିନଥିଲି ଏମିତି ହଠାତ ତମ ସହ ଦେଖାହେବ ବୋଲି....ଆଛା ମାନବ ଗୋଟେ କଥା ପଚାରିବି..
ପଚାର....
ତମେ ସ୍ୱାତୀ କୁ ବହୁତ ଭଲ ପାଅ... ସେଥିପାଇଁ ତ ତାକୁ ଏତେ ବ୍ୟସ୍ତ ହେଇ ଖୋଜୁଥିଲ.... କେବେ ଭାବିନଥିଲି ଏତେ ଶୀଘ୍ର ମତେ ଭୁଲିଯାଇ ଆଉ ଜଣଙ୍କୁ ବାହାହେଇଯିବ ପୁଣି ତାକୁ ଏତେ ଭଲ ପାଇବ l
ମାନବ ଆଉ କିଛି ନକହି ମୀରା ର ହାତ ଧରି ଯିବାକୁ ବାହାରିଲା l
ସୁନନ୍ଦା ମାନବ ପାଖକୁ ଆସି କହିଲା, ମାନବ ମୁଁ ଏଇ ସାମନା ହୋଟେଲ ରେ ରହୁଛି.... ଆଉ ପାଞ୍ଚ ଦିନ ରହିବି... ମୁଁ ତମ ସହ କିଛି ସମୟ କଥା ହେବାକୁ ଚାହୁଁଛି.... କାଲି ସନ୍ଧ୍ୟାବେଳେ ମୁଁ ଏଇଠି ତାମପାଇଁ ଅପେକ୍ଷା କରିବି l
ମାନବ ଆଉ କିଛି ନକହି ମୀରାକୁ ନେଇ ଅଟୋରେ ବସି ଘରକୁ ଚାଲିଗଲା l ତା ଆଖି ଆଗରେ ପୁରୁଣା କଥା ନାଚି ଉଠୁଥାଏ l ସୁନନ୍ଦା ଯାହାକୁ ସେ କଲେଜ ରେ ଭଲ ପାଉଥିଲା ଓ ଯାହାର ପ୍ରାରମ୍ଭ ହୋଇଥିଲା ଜାନୁଆରୀ ପ୍ରଥମ ସପ୍ତାହରେ l ଦୀର୍ଘ ପାଞ୍ଚ ବର୍ଷର ପ୍ରେମ ସମ୍ପର୍କ ପରେ ସେମାନେ ବିବାହ କଲେ l ଦୁଇ ବର୍ଷ ପରେ ମୀରା ଜନ୍ମ ହେଲା l କିନ୍ତୁ ସୁନନ୍ଦା ବଦଳି ଗଲା l ସେ ନିଜ ସ୍ୱପ୍ନ ପୁରଣ କରିବାକୁ ଏକ ଅଭିନେତ୍ରୀ ହେବାର ଲକ୍ଷ୍ୟ ନେଇ ବାପ ଓ ବର୍ଷକର ଝିଅକୁ ଛାଡ଼ି ଚାଲିଗଲା ଏବଂ ପରେ ଛାଡ଼ପତ୍ର ମଧ୍ୟ ଦେଇଥିଲା l ଝିଅକୁ କଷ୍ଟରେ ସମ୍ଭାଳୁ ସମ୍ଭାଳୁ ସ୍ୱାତୀ ମାନବ ର ଜୀବନରେ ଆସିଥିଲା ଓ ସେ ତାକୁ ବିବାହ ମଧ୍ୟ କରିଥିଲା l କିନ୍ତୁ ହଠାତ ଆଜି ଦଶ ବର୍ଷ ପରେ ତା ଜୀବନରେ ସୁନନ୍ଦା ଆସିବାର କାରଣ କଣ ଥାଇପାରେ l
ରାତି ସାରା ମାନବ କୁ ନିଦ ନାହିଁ l ଭାବିଲା ସ୍ୱାତୀ କୁ କହିବ ସବୁକଥା l କିନ୍ତୁ ତାର ସାହସ ହେଲାନି l କାଳେ ସେ ତାକୁ ଭୁଲ ବୁଝିବ l
ସକାଳୁ ଉଠି ମାନବ ଦେଖେତ ସ୍ୱାତୀ ନିଜର ଲୁଗାପଟା ସଜାଡୁଛି l ମାନବ ବୁଝି ପାରିଲାନି ସ୍ୱାତୀ କୁଆଡ଼େ ବାହାରିଛି l ସେ ସ୍ୱାତୀ କୁ ପଚାରିଲା ମଧ୍ୟ l ସ୍ୱାତୀ ହସିଦେଇ କହିଲା, ମୁଁ ଗୋଟେ ସପ୍ତାହ ପାଇଁ ମୋ ସାଙ୍ଗ ଘରକୁ ଯାଉଛି ମୀରାକୁ ନେଇ l ମାନବ ବୁଝି ପାରିଲାନି ବାହାଘର ର ଏତେ ବର୍ଷ ଭିତରେ ଯୋଉ ସ୍ୱାତୀ ଦିନେ ପାଇଁ କୁଆଡ଼େ ଯାଇନି ଆଜି ହଠାତ କୁଆଡ଼େ ବାହାରିଛି l ସେ କିଛି ପଚାରିବା ଆଗରୁ ସ୍ୱାତୀ ମୀରାକୁ ନେଇ ବାହାରିଗଲା l କିଛି ବାଟ ଗଲାପରେ ସ୍ୱାତୀ ପଛକୁ ଥରେ ଚାହିଁଲା l ତା ଆଖି ଲୁହ ଛଳ ଛଳ ଦିଶୁଥାଏ l ମାନବ କିଛି କହିବା ଆଗରୁ ତା ଫୋନ ର ରିଂ ସତେକି ବାଧକ ସାଜିଲା l
ସେପଡ଼ୁ ସୁନନ୍ଦା କହୁଥାଏ, ମାନବ ଶୀଘ୍ର ଆସ.... ମୋ ଦେହ ବହୁତ ଖରାପ ଲାଗୁଛି.... ଏମିତି ଲାଗୁଛି ମୋର କଅଣ ହେଇଯିବ l ମାନବ ବ୍ୟସ୍ତ ହେଇ ବାଇକ ଷ୍ଟାର୍ଟ କରି ଚାଲିଗଲା l ସେ ବ୍ୟସ୍ତତା ଭିତରେ ଜାଣି ମଧ୍ୟ ପାରିଲାନି ସ୍ୱାତୀ ବ୍ୟାକୁଳ ହେଇ ଲୁହଭରା ଆଖିରେ ତାକୁ ଚାହିଁଥାଏ l
ମାନବ ଆସି ସୁନନ୍ଦା ରହୁଥିବା ହୋଟେଲ ସାମନା ରେ ପହଞ୍ଚିଲା l ସତେକି ଗାର୍ଡ ତା ପାଇଁ ଅପେକ୍ଷା କରିଥିଲା l
ସାର ଆସନ୍ତୁ, ମ୍ୟାଡମ ଆପଣଙ୍କ ପାଇଁ ଅପେକ୍ଷା କରିଛନ୍ତି, ଏତକ କହି ତାକୁ ଭିତର ଦ୍ୱାର ପାଖରେ ଛାଡ଼ି ଚାଲି ଆସିଲା l ମାନବ କବାଟ ରେ କରାଘାତ କରିବାକୁ ଯାଉଛି, ଭିତରୁ ସୁନନ୍ଦା ର ସ୍ୱର ଶୁଭିଲା, ଖୋଲା ଅଛି ଭିତରକୁ ଆସିଯାଅ l
ମାନବ ଭିତରେ ପଶି ଦେଖେତ, ସୁନନ୍ଦା ଅତ୍ୟାଧୁନିକ ପୋଷାକ ପରିଧାନ କରି ସୋଫା ଉପରେ ବସିଛି ଏବଂ ତାକୁ ଦେଖି ଜଣା ପଡୁଥିଲା ସେ ଅନେକ ସମୟ ଲାଗି ନିଜକୁ ସଜେଇଛି l ଦେହ ଖରାପ ର ନାମ ନିଶାନ ମଧ୍ୟ ନାହିଁ l
ମାନବ କୁ ଦେଖି ଦେଇ ସୁନନ୍ଦା ଦଉଡ଼ି ଆସି ତା ହାତ ଧରି କହିଲା, ମାନବ ସତରେ ତମେ ଆସିଛ ମୁଁ ବିଶ୍ୱାସ କରି ପାରୁନି....ମୋ ଜୀବନରେ ଯେ ତୁମେ ପୁଣି ଥରେ ଆସିବ ଏହା ମୋ ଭାବନା ବାହାରେ ଥିଲା l ମୁଁ ଜାଣେ ମୋତେ ତୁମେ ଅଣଦେଖା କରି ପାରିବନି l ତମେ ମତେ ଛାଡ଼ି ରହି ପାରିବନି l
ମାନବ କଣ କହିବ କିଛି ବୁଝିପାରୁନଥାଏ l ସେ ନୀରବ ଭାବରେ ସବୁକିଛି ଶୁଣୁଥାଏ l ମାନବର ଏ ନୀରବତା ସୁନନ୍ଦା ର ଧୈର୍ଯ୍ୟଚ୍ୟୁତି ଘଟାଉ ଥାଏ l ସେ ଆଉ କ୍ଷଣେ ମାତ୍ର ବିଳମ୍ବ ନକରି ଫୋନ ଉଠାଇ ନମ୍ବର ଡାଏଲ କଲା ଏବଂ ସେପଡ଼ୁ ରିଂ ମଧ୍ୟ ଶୁଭିଲା l କିନ୍ତୁ ଏ କଣ ସେପଡ଼ୁ ସ୍ୱାତୀ ର ହ୍ୟାଲୋ ଶବ୍ଦ ଶୁଣି ମାନବ ଚମକି ପଡ଼ିଲା l ସୁନନ୍ଦା ସ୍ୱାତୀ ର ଫୋନ ନମ୍ବର କେଉଁଠୁ ପାଇଲା ଆଉ ସେ ଭଲା ସ୍ୱାତୀ କୁ କଣ କହିବାକୁ ଚାହୁଁଛି l
ହ୍ୟାଲୋ ସ୍ୱାତୀ, ତମେ ତ ସବୁ ଜାଣି ସlରିଛ ମାନବ ଓ ମୋ ବିଷୟରେ.... ମାନବ ନିଜକୁ ଦୋଷୀ ମନେକରି ଚୁପ ରହୁଛନ୍ତି... ନିଜ ଇଚ୍ଛାକୁ ମାରି ଏତେ ବଡ଼ ନିଷ୍ପତ୍ତି ନେବାକୁ ଭୟ କରୁଛନ୍ତି.....ତମର କିଛି କହିବାକୁ ଅଛିକି
ସେପଡ଼ୁ ସ୍ୱlତୀର ବାଷ୍ପରୁଦ୍ଧ କଣ୍ଠସ୍ୱର ଭାସି ଆସିଲା,
ସୁନନ୍ଦା ମୁଁ ଜାଣେ ତମ ସ୍ଥାନ ମୁଁ କେବେ ମଧ୍ୟ ନେଇ ପାରିବିନି.... ମୁଁ ମାନବର ସେକେଣ୍ଡ ଚଏସ ଥିଲି..... ମୁଁ ତାଙ୍କୁ ଭଲପାଏ ତା ଅର୍ଥ ଏହା ନୁହେଁ ଯେ ସେ ମଧ୍ୟ ମତେ ସମାନ ଭଲପାଇବା ଦେବେ... ମୁଁ ସେଥିପାଇଁ ଯୋଗ୍ୟ ମଧ୍ୟ ନୁହେଁ.....ମାନବ ଯଦି ପାରିବ ମତେ ମୀରାକୁ ଦେଇଦିଅ.... ସେହିଁ ତ ତମର ଏକମାତ୍ର ସନ୍ତକ... ଯାହା ଭିତରେ ମୁଁ ତମକୁ ଦେଖି ପାରିବି..
ଆଉ କିଛି କହିନପାରି ସୁନନ୍ଦା ଭୋ ଭୋ ହୋଇ କାନ୍ଦି ଉଠିଲା l
ତମେ ବ୍ୟସ୍ତ ହୁଅନି ସୁନନ୍ଦା ତମେ ମୀରାକୁ ରଖି ନିଅ.... ମୁଁ ଆଉ ମାନବ ଏ ଦେଶ ଛାଡ଼ି ଚାଲିଯିବୁ... ଆଉ ତମର ଟଙ୍କା ପଇସା ରେ ଅସୁବିଧା ହେବନି.... ମୀରା ର ଭଲରେ ପାଳନ ଦାୟିତ୍ୱ ତମର....
ହଠାତ ମାନବ ଖୁଵ ଜୋରେ ହସି ଉଠିଛି ଏବଂ ତାଳି ମାରି କହିଛି,
ବାଃ ସୁନନ୍ଦା ବାଃ... ସବୁ ନିଷ୍ପତ୍ତି ତମେ ନବ.... ତମକୁ ସେ ଅଧିକାର ଦେଲା କିଏ.... ମୋ କଥା ସେଦିନ ଭାବିଲନି ଯେଉଁଦିନ ମତେ ଛାଡ଼ି ଚାଲିଗଲ l ମୋ ଭଙ୍ଗା ମନ ଓ ମୋ ଝିଅ ମୀରାକୁ ସେଦିନ ଯଦି କିଏ ସମ୍ଭାଳି ଥିଲା ସେ ଥିଲା ସ୍ୱାତୀ l ପ୍ରଥମ ପ୍ରେମ କୁ ଭୁଲିବା କଷ୍ଟ ଏହା ସତ l କିନ୍ତୁ ଯଦି ପ୍ରଥମ ପ୍ରେମ ମୋର ସଚ୍ଚୋଟ ହୋଇଥାନ୍ତା ତେବେ ଦ୍ଵିତୀୟ ପ୍ରେମ ମୋ ଜୀବନରେ ଆସିହି ନଥାନ୍ତା l ସ୍ୱାତୀ ମୀରା ର ମାଆ ନହେଇ ମଧ୍ୟ ତା ମାଆ ହେଇ ପାରିଛି କିନ୍ତୁ ତମେ ସୁନନ୍ଦା ମୀରାକୁ ଜନ୍ମ ଦେଇ ମଧ୍ୟ ତା ମାଆ ହେଇ ପାରିଲନି l ନାଁ ସ୍ତ୍ରୀ ହେଲ ନାଁ ମାଆ l ତମେ ଯଦି କିଛି ଜାଣିଛ ତା ହେଉଛି ଜିତିବା l ଜାଣିଛ ଯେଉଁ ପ୍ରେମ କିଛି ବର୍ଷ ପୂର୍ବରୁ ଜାନୁଆରୀ ର ପ୍ରଥମ ସପ୍ତାହ ରେ ହେଇଥିଲା ଆଜି ଡିସେମ୍ବର ର ଶେଷ ସୋପାନରେ ମୁଁ ତାର ଅନ୍ତ ଘୋଷଣା କରୁଛି l
ସ୍ୱାତୀ ମୀରାକୁ ଧରି ଶୀଘ୍ର ଘରକୁ ଆସ.. ମୁଁ ତମ ପାଇଁ ଘରେ ଅପେକ୍ଷା କରିଛି... ମୋ ନୀରବ ପ୍ରେମ କୁ ସିନା ଦିନେ ସୁନନ୍ଦା ବୁଝି ପାରିଲାନି କିନ୍ତୁ ତମ ନୀରବ ପ୍ରେମ କୁ ମୁଁ ବୁଝିଛି... ମନେରଖ ଆମ ଭିତରେ ସୁନନ୍ଦା କେବେ ମଧ୍ୟ ଆସିବନି l
ଏତକ କହି ମାନବ ହୋଟେଲ ରୁ ବାହାରି ଚାଲିଗଲା l ପଛକୁ ଥରେ ମଧ୍ୟ ଫେରି ଚାହିଁଲାନି l ସୁନନ୍ଦା ସତେକି ସ୍ଥାଣୁ ପାଲଟି ଯାଇଥାଏ l ତା ଆଖିରୁ ବହି ଚାଲିଥାଏ ଅଶ୍ରୁର ଧାର l ସତେକି ଶୁଭୁଥାଏ ରାସ୍ତାର ନୀରବତା ମଧ୍ୟରେ ନୀରବ ପ୍ରେମର ସ୍ୱର l
ସମାପ୍ତ ll

