Dr. Jagatabandhu Mohapatra

Tragedy Action Classics

4.7  

Dr. Jagatabandhu Mohapatra

Tragedy Action Classics

ନିଖୋଜ ସମ୍ପର୍କ

ନିଖୋଜ ସମ୍ପର୍କ

5 mins
386



ଆଜି ସାବିତ୍ରୀ ଅମାବାସ୍ୟା । ସହରଠାରୁ ଆରମ୍ଭ କରି ଗାଁ ଗହଳିରେ ସବୁ ମନ୍ଦିରରେ ଆଜି ପ୍ରବଳ ଭିଡ । ସବୁ ସଧବା ସ୍ତ୍ରୀମାନେ ସେମାନଙ୍କ ସ୍ଵାମୀଙ୍କ ମଙ୍ଗଳ କାମନା କରି ଓଷା ଉପାସ କରି ଏହି ବ୍ରତ କରିଥାନ୍ତି I


ସହରଠାରୁ କିଛି ବାଟ ଦୂରରେ ଥିବା ମା’ ଗାୟତ୍ରୀ ଆଶ୍ରମରେ ସବୁଦିନ ପରି ସ୍ଵାମୀ ଅଭିରାମ ନିଜର ଦୈନିକ ପୂଜା ପାଠ ଓ ହୋମ, ଯଜ୍ଞ ସାରି ରୋଗୀ ସେବାରେ ଲାଗିପଡ଼ିଥାନ୍ତି । ଏକ ବିରଳ ଚର୍ମଗତ ରୋଗରେ ପୀଡ଼ିତ ହୋଇ ଏକ ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାଧ୍ୟମରେ ଆସିଥିବା ଅଚେତ ବ୍ୟକ୍ତିଙ୍କୁ ଦେଖି ଚମକି ପଡିଲେ, ସ୍ଵାମୀ ଅଭିରାମ । ହଠାତ୍ ଏମିତି ଏକ ପରିସ୍ଥିତିରେ ସେ ମାଧବୀଙ୍କୁ ଦେଖିବେ ବୋଲି କଳ୍ପନା ବି କରିନଥିଲେ । ଏହାର ସଠିକ ଭାବରେ ଉପଚାର କରାନଗଲେ ରୋଗୀର ଜୀବନ ସଙ୍କଟାପନ୍ନ ହୋଇପାରେ । କୌଣସି ବିକାର ନ ରଖି ସ୍ଵାମୀଜୀ ସ୍ଵାଭାବିକ ଭାବରେ ଚିକିତ୍ସା କରିବାକୁ ଲାଗିପଡିଲେ I


ମନେ ପଡିଯାଉଥିଲା, ପୁରୁଣା ସ୍ମୃତି । ଖଟିଆରେ ଅଚେତ ଅବସ୍ଥାରେ ପଡିଥିବା ମାଧବୀ ତାଙ୍କର ମନର ମଣିଷ ଥିଲା ବୋଲି । ପାଖରେ ବସିପଡି ମାଧବୀଙ୍କୁ ଥରେ ଆଖି ପୁରେଇ ଦେଖିନେଲେ, ସେ ।


ଆଜିର ସ୍ଵାମୀ ଅଭିରାମ ଅତୀତର ଆୟୁର୍ବେଦ ଡାକ୍ତର ଅଭିରାମ ପଣ୍ଡା । ସରକାରୀ ଆୟୁର୍ବେଦ ଡାକ୍ତରଖାନାରେ ଡାକ୍ତର ଭାବେ ସେ କାମ କରୁଥିଲେ । ଅଭିରାମଙ୍କ ବାପା ଛୋଟବେଳୁ ଆରପାରିକୁ ଚାଲିଯାଇଥିଲେ । ଅଭିରାମଙ୍କ ବୋଉ ବହୁତ କଷ୍ଟ କରି ଅଭିରାମଙ୍କୁ ବଡ କରିଥିଲେ । ବୋଉର କେହି ଜଣେ ଦୂର ସମ୍ପର୍କୀୟ ଗୋଟେ ପ୍ରସ୍ତାବ ଆଣିଥିଲେ, ଅଭିରାମଙ୍କ ପାଇଁ । ଝିଅଟି ଦେଖିବାକୁ ସୁନ୍ଦର ଥିଲା । ବି.ଏ. ପାସ ବି କରିଥିଲା । ଜାତକ ବି ରାଜ ଯୋଟକ ପଡିଥିଲା । ସେଥିପାଇଁ ବାହାଘର ବି ହୋଇଗଲା, ଦୁଇ ପରିବାରର ସମ୍ମତିରେ । ବିବାହର ପ୍ରଥମ ଦୁଇ ବର୍ଷ ବେଶ ହସଖୁସିରେ କଟିଯାଇଥିଲା ।

ଧୀରେ ଧୀରେ ମାଧବୀର ସ୍ଵେଚ୍ଛାଚାରିଣୀ ଓ ଏକ ଜିଦିଆ ସ୍ଵଭାବ ବଢିବାକୁ ଲାଗିଥିଲା । ଫୋନ କଲ କରିବା, ଭିଡିଓ କଲ କରିବାରେ ବିତି ଯାଉଥିଲା, ତାଙ୍କର ଦିନଗୁଡିକ । ଯେତେବେଳେ ଯୁଆଡେ ଇଚ୍ଛା ସିଆଡେ ଯାଇ ବୁଲିବା, ଏସବୁ ତାଙ୍କର ଥିଲା, ନିତିଦିନିଆ ବେଉସା । ଶାଶୁଙ୍କୁ ଉପେକ୍ଷା କରିବା, ସ୍ଵାମୀଙ୍କର କୌଣସି କଥା ନ ମାନିବା, ଏସବୁ ଥିଲା, ମାଧବୀର ନୂଆ ଗୁଣ । ମାଧବୀ ସଙ୍ଗେ ଚଳିବା ଅଭିରାମଙ୍କ ପକ୍ଷେ କଷ୍ଟକର ହୋଇଉଠୁଥିଲା । ଦିନକୁ ଦିନ ସେ କେମିତି ଅଣନିଶ୍ଵାସୀ ହୋଇଯାଉଥିଲେ । ଘରର କୌଣସି କାମ କରିବାରେ ଜମାରୁ ବି ଇଚ୍ଛା ନ ଥାଏ, ମାଧବୀଙ୍କର । ସବୁ କାମ ଶାଶୁ କରନ୍ତି ଆଉ ଅଭିରାମ ତାଙ୍କୁ ସବୁଥିରେ ସହଯୋଗ କରନ୍ତି । ଅଭିରାମ ଯେତେ ବୁଝେଇବାକୁ ଚେଷ୍ଟା କରି ବି ବିଫଳ ହୁଅନ୍ତି । ଭୁଲ କଥାରେ କେବେ କେମିତି ପ୍ରତିବାଦ କଲେ, ଆରମ୍ଭ ହୋଇଯାଏ, କଥା କଟାକଟି, ଯୁକ୍ତିତର୍କ ଓ ଟଣାଓଟରା ।


ଅତି ଗୋରୀ ନ ହେଲେ ବି ସୁଗଠିତ ଅଙ୍ଗସୈଷ୍ଠବର ଅଧିକାରିଣୀ ମାଧବୀ ଥିଲେ, ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ । ତେବେ ମାଧବୀ ଧୀରେ ଧୀରେ ଅନ୍ୟ ଜଣେ ଏମ.ବି.ବି.ଏସ ଡାକ୍ତରଙ୍କୁ ଭଲ ପାଇବସିଲେ । ସବୁ କଥାରେ ଅଭିରାମଙ୍କୁ ତଳ ସ୍ତରର ବଇଦ ବୋଲି କହି ବହୁତ ବେସମ୍ମାନ କରନ୍ତି । ଡାକ୍ତର ମାନେ ଏମ.ବି.ବି.ଏସ, ଆୟୁର୍ବେଦ ମାନେ କବିରାଜି ଏମାନେ କ’ଣ ଡାକ୍ତର ? ସବୁ ସହନ୍ତି, ଆଉ ବହୁତ ବୁଝାଇବାକୁ ଚେଷ୍ଟା କରି ବାରମ୍ବାର ବିଫଳ ହୁଅନ୍ତି, ଅଭିରାମ I 

ମାଧବୀଙ୍କ ପାଇଁ ଅଭିରାମ ପାଲଟି ଯାଇଥିଲେ, ଏକ ମଲା ନଈ । ନଈ ଯେତେବେଳେ ପ୍ରବହମାନ ଥାଏ, ସେ କୁଳୁକୁଳୁ ନାଦ କରି ଧାଇଁ ଯାଏ, ସାଗର ପାଖକୁ ଓ ସାଗର ବି କୋଳେଇ ନିଏ, ତାକୁ । ମାତ୍ର ନଈ ଯେତେବେଳେ ଅଧବାଟରେ ଶୁଖିଯାଏ ଓ ନିଜ ପ୍ରବାହକୁ ହରେଇବସେ ଓ ବାଲୁକା ଶଯ୍ୟାରେ ନିଜର ଅସ୍ତିତ୍ଵ ଖୋଜିବୁଲେ, ସେତେବେଳେ ସାଗର କ’ଣ ଧାଇଁ ଆସେ ନଈକୁ ଖୋଜିବାକୁ? ନା ସେମିତି ହୁଏନି କେବେ ।

ମାଧବୀ ତାଙ୍କର ପୁରୁଷ ବଂଧୁ ତଥା ଏମ.ବି.ବି.ଏସ ଡାକ୍ତରଙ୍କ ପ୍ରେମରେ ମସଗୁଲ ଥିବାବେଳେ ତାଙ୍କୁ ବିବାହ କରିବା ପାଇଁ ଅଭିରାମଙ୍କୁ ଛାଡ଼ପତ୍ର ଦେବାକୁ ଚାହିଁଲେ । ଘରେ ଥାଇ ଛାଡପତ୍ର ନୋଟିସ ପଢି ଚମକି ପଡିଥିଲେ, ଅଭିରାମ । ତାଙ୍କର ପାଦ ତଳୁ ମାଟି ଖସିଯାଇଥିଲା, ସେଦିନ । ନିଜର ମଣିଷଟି ତାଙ୍କୁ ଜୀବନର ଏଭଳି ମୋଡ଼ରେ ଛିଡା କରିଦେବ, ବୋଲି ସେ କେବେ ସ୍ଵପ୍ନରେ ମଧ୍ୟ ଭାବିନଥିଲେ । ତେବେ ମାଧବୀଙ୍କ ଜୀବନରେ ଅବାଞ୍ଛିତ ଅତିଥି ହେବା ଅପେକ୍ଷା ତାଙ୍କ ଦୁନିଆଁରୁ ଚାଲିଯିବାକୁ ପସନ୍ଦ କରିଥିଲେ, ଅଭିରାମ । ତଥାପି ଶେଷଥର ପାଇଁ ବୁଝାଇବାକୁ ଚେଷ୍ଟା କରିଥିଲେ, ସେ I

ମାଧବୀ ଏବଂ ତାଙ୍କ ଏମ.ବି.ବି.ଏସ. ପ୍ରେମିକ କିନ୍ତୁ ଅଲଗା ବୁଝିଲେ, ସେମାନଙ୍କ ରାସ୍ତାରୁ ଅଭିରାମଙ୍କୁ ସବୁଦିନ ପାଇଁ ହଟାଇବା ପାଇଁ ଯୋଜନାବଦ୍ଧ ଭାବେ ସଡ଼କ ଦୁର୍ଘଟଣା କରାଇଦେଇଥିଲେ । ଗୁରୁତର ଭାବରେ ଅଭିରାମ ମା’ ଗାୟତ୍ରୀ ଆଶ୍ରମରେ ଅନେକ ଦିନ ପଡି ରହି ସୁସ୍ଥ ହେଲେ । ସୁସ୍ଥ ହେଲା ପରେ ବୋଉ ବିଷୟରେ ଜାଣି ବହୁତ ମର୍ମାହତ ହୋଇପଡିଥିଲେ, ବୋଉ ତାଙ୍କୁ ଝୁରି ଝୁରି ଆରପାରିକୁ ଚାଲିଯାଇଥିଲେ I

ପିଲାଟିଦିନୁ କେତେ ଲାଳନପାଳନ କରି ବଢେଇଥିଲା, ମୋତେ ମୋ ବୋଉ । କେତେ ଅଳି ଅଝଟ ସହିଥିଲା, ମୋ ବୋଉ । ବୋଉ ମୋର ଘରର ସବୁ କାମ କରିବା ସହ ଶାଶୁ, ଶଶୁରଙ୍କ ସେବାରେ କୌଣସି ପ୍ରକାରର ଅବହେଳା କରି ନ ଥିଲା । ବହୁ କଷ୍ଟରେ ମୋତେ ମଣିଷ କରିଥିଲା, ମୋ ବୋଉ । ଏବେ ବି ମନେଅଛି, ମୋର ଯେଉଁଦିନ ଚାକିରି ହେଲା, ସେଦିନ ମୋ ବୋଉ କେତେ ଖୁସି ହୋଇଥିଲା । କେତେ ମନ୍ଦିରରେ ପୂଜା ମଧ୍ୟ କରିଥିଲା । ଯେଉଁ ପୂଜା କରିବା ପାଇଁ ସେ ଆଗରୁ ମାନସିକ କରିଥିଲା I


ବୋଉ ନାହିଁ, ମାନେ ମୋ ଜୀବନ ବଞ୍ଚି ରହିବାର କିଛି ବି ମାନେ ନାହିଁ । କେବଳ ବୋଉ ପାଇଁ ତ ମୁଁ ବଞ୍ଚି ରହିଥିଲି, ଆଜି ଯାଏଁ । ନା ମୁଁ ବଞ୍ଚି ରହିବିନି, ମୁଁ ଆତ୍ମହତ୍ୟା କରିବି । ଜାଣିଛନ୍ତି, ସ୍ଵାମୀଜୀ ମୁଁ ମୋ ଜୀବନରେ କୌଣସି ଭୁଲ କରିନି, କିଛି ବି ପାପ କାମ କରିନି, ତଥାପି ମୋ ଜୀବନରେ ଏମିତି କଣ ପାଇଁ ହେଲା !     

ନିଜ ଭିତରେ ଗୁମୁରି ଗୁମୁରି କାନ୍ଦି ଚାଲୁଥିଲେ, ଅଭିରାମ, ସେ ଭୁଲି ପାରୁନଥିଲେ, ମାଧବୀର ପ୍ରବଞ୍ଚନାକୁ । ଭୁଲି ପାରୁନଥିଲେ, ନିଜ ବୋଉକୁ I  

ଆଶ୍ରମର ଗୁରୁଦେବ ସ୍ଵାମୀ ରାଘବାନନ୍ଦ ଜୀ ମହାରାଜ ଏ ସବୁ କଥା ଲକ୍ଷ୍ୟ କରି ଅଭିରାମଙ୍କୁ ପ୍ରକୃତ ସନ୍ୟାସ ବ୍ରତରେ ବ୍ରତୀ କରି ତାଙ୍କୁ ନିଜର ଶିଷ୍ୟ ଭାବେ ଗ୍ରହଣ କଲେ । ତାଙ୍କୁ ଏକ ନୂଆ ପରିଚୟ ଦେଇ ଡାକ୍ତର ଅଭିରାମରୁ ସ୍ଵାମୀ ଅଭିରାମ କରିଦେଲେ । ଗୁରୁଦେବଙ୍କ ନିର୍ଦ୍ଦେଶ ଅନୁସାରେ ଆଶ୍ରମରେ ଏକ ପାରମ୍ପରିକ ବୈଦ୍ୟଶାଳା ପ୍ରତିଷ୍ଠା ହେଲା । ଶହ ଶହ ରୋଗୀ ପ୍ରତ୍ୟହ ଏହି ଆଶ୍ରମକୁ ଆସନ୍ତି । ସବୁ କଥା ଭୁଲି ଅଭିରାମ ଆଶ୍ରମର ଦାୟିତ୍ଵ ନେବା ସହ ବୈଦ୍ୟଶାଳାର ଦାୟିତ୍ଵକୁ ବି ସୂଚାରୁଭାବେ ବହନ କରିଚାଲିଲେ I      

ନିଜ ସେବା ମନୋଭାବ ପାଇଁ ଖୁବ ଅଳ୍ପଦିନରେ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିଲେ, ସ୍ଵାମୀ ଅଭିରାମ । ସମସ୍ତେ କୁହନ୍ତି, ସ୍ଵାମୀ ଅଭିରାମଙ୍କର ଗୁରୁ ଗମ୍ଭୀର ମୁଖ, ସ୍ମିତ ହାସ୍ୟ ପୂର୍ଣ୍ଣ ବଦନ, ତାଙ୍କର ଦରଦୀ ହାତର ସ୍ପର୍ଶ, ଆୟୁର୍ବେଦ ନାଡୀ ଜ୍ଞାନ, ପଞ୍ଚକର୍ମ ଚିକିତ୍ସା, ସଂପୂର୍ଣ୍ଣ ଆୟୁର୍ବେଦ ହାତ ତିଆରି ଔଷଧ ଓ ତାଙ୍କର ମଧୁର ବ୍ୟବହାରରେ ରୋଗୀ କୁଆଡେ ଅଧା ଭଲ ହୋଇଯାଆନ୍ତି ।


ଆଜି ମାଧବୀଙ୍କୁ ଏଭଳି ଅବସ୍ଥାରେ ଦେଖି ସେ ଖୁସି ହୋଇପାରିନଥିଲେ । ନିଜ ବୃତ୍ତି ସହ ସେ ବିଶ୍ଵାସଘାତକତା କରିପାରିନଥିଲେ, ନିଜ ମାନବିକତାକୁ ସେ ହରେଇବାକୁ ଚାହିଁନଥିଲେ । ନିଜ ବ୍ୟକ୍ତିଗତ ଭାବପ୍ରବଣତା ଓ ସ୍ଵାର୍ଥ ପାଇଁ ମାଧବୀଙ୍କ ଚିକିତ୍ସାରେ କୌଣସି ପ୍ରକାରର ଅବହେଳା ମଧ୍ୟ କରିନଥିଲେ ।


ମନରେ କୌଣସି ବିକାର, ଘୃଣା, ହିଂସା ମନୋଭାବ ନ ରଖି ଅବିରତ ଭାବରେ ଅନ୍ୟ ରୋଗୀମାନଙ୍କ ପରି ସେବା କରିଚାଲିଲେ, ସେ । ନିଖୋଜ ସମ୍ପର୍କକୁ କେବେ ବି ଖୋଜିବାକୁ ଚେଷ୍ଟା ମଧ୍ୟ କରି ନଥିଲେ । ନିଜ ବୋଉ ତାଙ୍କୁ ଛାଡି ଗଲା ପରେ ମା’ ଗାୟତ୍ରୀ ଆଉ ଗୁରୁଦେବଙ୍କ ପଦାଙ୍କ ଅନୁସରଣ କରି ଜୀବନର ପ୍ରକୃତ ଅଧ୍ୟାତ୍ମ ପଥରେ ଆଗକୁ ଆଗେଇ ଚାଲୁଥିଲେ, ସେ । ଜୀବନର ପ୍ରକୃତ ଅର୍ଥ ହୁଏତ ସେ ବୁଝିସାରିଥିଲେ !  


କିଛି ଦିନ ପରେ ସୁସ୍ଥ ହୁଏ, ମାଧବୀ । ଅଭିରାମଙ୍କ ବିଷୟରେ ଜାଣିବା ପରେ ଚକିତ ହୁଏ, ସେ । ମାଧବୀର ଆଖିର ଲୁହ କିନ୍ତୁ ବନ୍ଧବାଡ଼ ମାନୁ ନ ଥାଏ । ଅନୁତାପରେ ଜର୍ଜରିତ ହେଉଥାଏ, ସେ । ଆଉ ନିଜ ହୃଦୟରେ ଅନୁଭବ କରୁଥାଏ, ଅବ୍ୟକ୍ତ ବେଦନା । କେତେ ନିନ୍ଦା, ଅପବାଦ ଦେଇଛି, ସେ ଅଭିରାମଙ୍କୁ । ମାଧବୀ ବୁଝି ସାରିଥିଲା, ଭଲ ପାଇବା ଆଉ କ୍ଷଣିକ ଆକର୍ଷଣ ଭିତରେ ପ୍ରଭେଦ କ’ଣ ? ସତ୍ୟ ଏମ.ବି.ବି.ଏସ ଡାକ୍ତର ହେଲେ ମଧ୍ୟ ସେ ଗୋଟିଏ ନାରୀରେ ସନ୍ତୁଷ୍ଟ ନ ଥିଲା । ଅନେକ ନାରୀଙ୍କ ସହ ଦେହର ଉତ୍ତାପ ମେଣ୍ଟାଇବା ତାକୁ ବେଶ ଭଲ ଭାବେ ଜଣା ଥିଲା । ନାରୀଙ୍କୁ ସେ ପିନ୍ଧା ପୋଷାକ ଭଳି ବଦଳାଇବାକୁ ଭଲ ପାଉଥିଲା I 


ଆଜି ମାଧବୀ ବୁଝି ପାରିଛି, ସତ୍ୟର ବାହ୍ୟ ସୁନ୍ଦରତା ଆଉ ମିଠା ମିଠା କଥାରେ ପ୍ରଲୋଭିତ ହୋଇ ସେ ଅଭିରାମ ଆଉ ଅଭିରାମଙ୍କ ବୋଉଙ୍କ ପ୍ରତି କେତେ ଅନ୍ୟାୟ କରିଛି । ତା’ର ଆଜି ଏ ସଂସାରରେ କେହି ନାହାନ୍ତି । ସମ୍ପୂର୍ଣ୍ଣ ଏକୁଟିଆ ସେ । କିନ୍ତୁ ଅଭିରାମ ଏକୁଟିଆ ହୋଇ ବି ତାଙ୍କ ପାଖରେ ସବୁ ଅଛି । ସୁଖ ଅଛି, ଶାନ୍ତି ଅଛି ଆଉ ଆନନ୍ଦ ବି ଅଛି । ଯୋଉ ଆୟୁର୍ବେଦକୁ ସେ ଏତେ ନୀଚ ଦୃଷ୍ଟିରେ ଦେଖୁଥିଲା, ସେହି ଚିକିତ୍ସା ପଦ୍ଧତିରେ ସେ ଆରୋଗ୍ୟ ଲାଭ କରିଛି । କ’ଣ କରିବ ସେ, ଅଭିରାମଙ୍କୁ କ୍ଷମା ମାଗି ପୁଣି ତାଙ୍କ ପାଖରେ ରହିବାର ଚେଷ୍ଟା କରିବ ? ପର ମୁହୂର୍ତ୍ତରେ ସେ ନିଜକୁ ନିୟନ୍ତ୍ରଣ କରିନେଲା, କାରଣ ଅଭିରାମ, ଏବେ ଅଫେରା ରାସ୍ତାର ପଥିକ । ତାଙ୍କୁ ମୋର ଲୁହ ବିଚଳିତ କରିପାରେନି । ହିଂସା କି ଆକ୍ରୋଶ ମନୋଭାବ ଛୁଇଁ ବି ପାରେନି ! ଦେବତାଙ୍କ ପାଖରେ ଦାନବୀ କ'ଣ ରହିପାରେ ? ଆଶ୍ରମରୁ ଧୀରେ ଧୀରେ ବାହାରିବାକୁ ଉଦ୍ୟତ ହେଉଥିଲା, ସେ I 

  


        


Rate this content
Log in

Similar oriya story from Tragedy