ମହାଦାନୀ ସେ ବର୍ଷାରାଣୀ
ମହାଦାନୀ ସେ ବର୍ଷାରାଣୀ
କେଜାଣି କାହିଁକି, ଏ ବର୍ଷ ଧରାପୃଷ୍ଠକୁବର୍ଷାରାଣୀଙ୍କ ଆଗମନରେ ବହୁତ ବିଳମ୍ବ I ଉତ୍ତାପ ରାକ୍ଷସର ଅତ୍ୟାଚାରରେ ଆଜି ସମସ୍ତେ ଯନ୍ତ୍ରଣାରେ ଜର୍ଜରିତ I ଆକାଶକୁ ଚାହିଁ ଚାହିଁ ଆଜି ସମସ୍ତେ ହତାଶ ଓ ନିରାଶ I ଟେଲିଭିଜନରେ ପ୍ରତିଦିନ ଘୋଷଣା ହେଉଥାଏ, ମୌସୁମୀ ଆଉ ୧୫ ଦିନ ଭିତରେ ଆସୁଛି I କିନ୍ତୁ କାଇଁ ? ମୌସୁମୀ କାଇଁ ? ବର୍ଷା କାଇଁ ? ଅଂଶୁଘାତରେ ଅନେକ ଲୋକ ବି ମୃତ୍ୟୁବରଣ କଲେଣି I ମୌସୁମୀ ଆସିବାରେ ଅନେକ ବିଳମ୍ବ I ଆଃ କି ଯନ୍ତ୍ରଣା ସତେ !!!
ନୁଆଁଣିଆ ଚାଳଘର ଭିତରେ ଗୋଟିଏ ସପ ଉପରେ ଶୋଇ ଶୋଇ କାନ୍ଦିଚାଲିଥିଲା, ସୁଲେଇ, ମାନେ ସୁଲୋଚନା, ଓଳଗାଁର ଛାଟିଆ ମହାକୁଡର ଝିଅ I କଙ୍କଡାହାଡ ଗାଁର ବିଦିଆ ପଲେଇର ବୋହୂ I ଏ ବର୍ଷର ଗ୍ରୀଷ୍ମଋତୁର କାଳ ବୈଶାଖୀ ପ୍ରଭାବରେ ସୁଲେଇ ଜୀବନର ସବୁ ସୁଖ ଶାନ୍ତି ଯେମିତି କୁଆଡେ ଉଡିଯାଇଛି I ତା’ ଜୀବନକୁ ଧ୍ୱସ୍ତ ବିଧ୍ୱସ୍ତ କରି ଦେଇଛି I ତା’କୁ ଅଲକ୍ଷଣୀ ସଜେଇ ଦେଇଛି I ସେ କୁଆଡେ ବାହା ହୋଇ ଆସୁ ଆସୁ ତା ସ୍ଵାମୀକୁ ଖାଇଛି I ସାହି ପଡିଶାଙ୍କ ମନ୍ତବ୍ୟ ଶାଶୁ ନଣନ୍ଦଙ୍କ ଗଞ୍ଜଣI ସହି ସହି ସେ ଯେମିତି ଏକ ନିର୍ଜୀବ ପଥର ପାଲଟି ଯାଇଛି I
ବାରମ୍ବାର ସୁଲେଇ ତା’ ମନକୁ ପ୍ରଶ୍ନ କରିଚାଲିଛି, ତା’ର ବା ଦୋଷ କ’ଣ ? ତା’ର ଭୁଲ ବା କୋଉଠି ? ହେଲେ ଏବେ ବି ତା’ ପ୍ରଶ୍ନର ଉତ୍ତର ସିଏ ଖୋଜି ପାଉନି I ତା’ର ଦୋଷ ବାହାଘରର ପାଞ୍ଚ ମାସ ପରେ ତା’ ସ୍ଵାମୀ ତାକୁ ଛାଡି ଆର ପାରିକୁ ଚାଲିଗଲେ Iସୁଲେଇ ମୁଣ୍ଡରୁ ସିନ୍ଦୁର ପୋଛି ଦେଲା, ହାତରୁ ଶଙ୍ଖା ଭାଙ୍ଗି ଦେଲା, ରଙ୍ଗୀନ ଶାଢୀ ବଦଳରେ ଧଳା ଶାଢୀ ପିନ୍ଧିଲା, ନାଲି ଟୁକୁ ଟୁକୁ ସାଧବ ବୋହୁରୁ ପାଲଟି ଗଲା, ସେ ଅଲକ୍ଷଣୀ ବିଧବା ସୁଲେଇ I ଆଜି ସମସ୍ତଙ୍କର ଘୃଣାର ପାତ୍ର I
ରାତି ଅଧ ହବ ବୋଧେ ! ସୁଲେଇ ମନକୁ ପଶିଆସିଲା, ଏକ ଦୃଢ ନିଷ୍ପତ୍ତି I ନା, ସେ ଆଉ ଅଲକ୍ଷଣୀ ହୋଇ ବଞ୍ଚିବାକୁ ଚାହେଁନି I ଚାହେଁନି ଘୃଣାର ପାତ୍ର ହୋଇ ବଞ୍ଚି ରହିବାକୁ I
ମନରେ ଅସୁମାରୀ ସ୍ଵପ୍ନ ନେଇ ସୁଲେଇ ବୋହୂ ହୋଇ ଆସିଥିଲା, କଙ୍କଡହାଡ ଗ୍ରାମକୁ I ଅଗ୍ନିକୁ ସାକ୍ଷୀରଖି ଧରିଥିଲା, ସେ ବସନ୍ତର ହାତ I ବସନ୍ତ ପଲେଇ, ବିଦିଆ ପଲେଇଙ୍କ ମଝିଆ ପୁଅ I ସୁନ୍ଦର, ସୁଠାମ ଯୁବକ I ମାଟ୍ରିକ ପାସ୍ କରିଥିଲା I ବୃତ୍ତିରେ ରାଜମିସ୍ତ୍ରୀ I ଭଲ ଦି ପଇସା ବି ରୋଜଗାର କରୁଥିଲା I
ଗଲାବର୍ଷ ବର୍ଷାଦିନେ ସୁଲେଇର ବାହାଘର ହୋଇଥିଲା I ସ୍ଵାମୀ ସହ ହସ ଖୁସିରେ ସଂସାର ବି ଆରମ୍ଭ କରିଥିଲା, ସେ I ଗତ ଅପ୍ରେଲ ମାସ ଶେଷ ଆଡକୁ ବସନ୍ତ ତା’ ସାଙ୍ଗ ମାନଙ୍କ ସହିତ ରାଜମିସ୍ତ୍ରୀ କାମ କରିବାକୁ ଯାଇଥିଲା, କେରଳ I ଚିଠି ବି ଲେଖୁଥିଲା, ସୁଲେଇ ପାଖକୁ I ଆଉ ଫେରିଲା ବେଳେ ସୁଲେଇ ପାଇଁ କେତେ କ’ଣ ଆଣିବାକୁ ଲେଖିଥିଲା, ବସନ୍ତ ଚିଠିରେ I କିନ୍ତୁ ମେ ମାସ ୨୭ ତାରିଖ ଦିନ ସୁଲେଇର ସବୁ ଯେମିତି ଓଲଟ ପାଲଟ ହେଇଗଲା I ସୁଦୂର କେରଳରୁ ଖବର ଆସିଥିଲା, ଘର କାମ ଚାଲିଥିବା ବେଳେ ସୁମନ୍ତ ଓ ତା’ର ସାଙ୍ଗମାନେ ଛାତ ଭୁଷୁଡି ମୃତ୍ୟୁ ବରଣ କରିଛନ୍ତି I
ସୁଲେଇ ମୁଣ୍ଡ ଉପରେ ଯେମିତି ସମଗ୍ର ଆକାଶଟା ଫାଟି ପଡିଗଲା, ଆଉ ସୁଲେଇ ଦବି ଯାଉଥିଲା, ତଳକୁ ତଳକୁ ଆହୁରି ତଳକୁ I ସରକାର କ୍ଷତି ପୂରଣ ବାବଦକୁ ୫ ଲକ୍ଷ ଟଙ୍କା ସାହାଯ୍ୟ ଦେଲେ I ସୁଲେଇ ନିଜେ ଦସ୍ତଖତ କରି ଚେକ ଆଣିଲା, ଆଉ ଦିଅର ସହିତ ଯାଇ ବ୍ୟାଙ୍କରେ ଜମା କଲା ଓ ସେ ପଇସା ଉଠାଇ ଶାଶୁ ଶଶୁରଙ୍କ ହାତରେ ଧରେଇ ଦେଲା, ସେ ଯାଏଁ ସବୁ ଠିକ୍ ଠାକ୍ ଥିଲା I
କେହି କିଛି କହୁନଥିଲେ I କିନ୍ତୁ ଟଙ୍କାତକ ପାଇ ସାରିଲା ପରେ ସୁଲେଇ ତା’ର ଶାଶୁ ଘର ଲୋକଙ୍କ ପାଇଁ ହୋଇଯାଇଥିଲା, ଅଲୋଡା, ଅଖୋଜା ଓ ଏକ ଅଦରକାରୀ ବସ୍ତୁ I ତା’ ମୁହଁ ଚାହିଁଲେ, ଅଶୁଭ I କୌଣସି ଶୁଭ କାମରେ ତା’ର ଉପସ୍ଥିତି ବର୍ଜନୀୟ I ଶାଶୁ, ଶଶୁର, ଦେଢଶୁର, ଯାଆ ଓ ନଣନ୍ଦଙ୍କ ପାଇଁ ସେ ଅମଙ୍ଗୁଳୀ, ଅଲକ୍ଷଣୀ, କେବଳ ସାନ ଦିଅରଟି ସୁଲେଇକୁ ବଞ୍ଚିବାକୁ ସାହସ ଦେଉଥିଲା I ଅନେକ କଥା ବୁଝେଇ ବଞ୍ଚିବାକୁ ଆଶା ଦେଖାଉଥିଲା I କିନ୍ତୁ ସେଇଟା ବି ଘର ଲୋକଙ୍କ ଆଖିରେ ଗଲାନି I ଦିଅର ସହିତ ସୁଲେଇର ଖରାପ ସମ୍ବନ୍ଧ ଥିବା କଥା ସେମାନେ କହିବାକୁ ବି ପଛେଇଲେନି I
ବିଚାରୀ ସୁଲେଇ ସବୁ ଦୁଃଖ, କଷ୍ଟ, ଗଞ୍ଜଣIକୁ ମଥାପାତି ସହିନେଉଥିଲା I କିନ୍ତୁ ଆଜି ସନ୍ଧ୍ୟାରେ ଶାଶୁ ଓ ଯାଆଙ୍କ ତୁଣ୍ଡରୁ ତା’ ଚରିତ୍ରରେ କଳଙ୍କର ଦାଗ ସେ ଆଉ ସହି ପାରୁନି I କେମିତି ତା’ ମନ ଭିତରଟା ଗୋଟେ ଅବ୍ୟକ୍ତ ଯନ୍ତ୍ରଣାରେ ଭରିଯାଇଛି I ବୁକୁ ଫଟେଇ ବାହାରି ଆସୁଛି, ତା’ର କୋହ I ଆଖି ଦୁଇଟିରୁ ତା’ର ଝର ଝର ହୋଇ ଝରି ପଡୁଛି, ଲୁହ I ପାହାନ୍ତିଆ ହେବ ବୋଧେ, ହାତରେ ଦଉଡି ଧରି ମରିବାର ଦୃଢ ସଂକଳ୍ପ ନେଇ ବାରିପଟ କବାଟ ଖୋଲି ପଦାକୁ ଗୋଡ କାଢିଲା, ସୁଲେଇ I ଗାଁ ମୁଣ୍ଡ ଆମ୍ବ ତୋଟାରେ ସେ ଦଉଡି ଦେଇ ଆତ୍ମହତ୍ୟା କରିବ I
ଆକାଶରେ ମେଘ ଖୁନ୍ଦି ହୋଇ ରହିଥାଏ I ମଝିରେ ମଝିରେ ବିଜୁଳି ଓ ଘଡଘଡି ମାରୁଥାଏ I ସୁଲେଇର ମନ ହେଉଥିଲା, ବଜ୍ରପାତରେ ତା’ର ମୃତ୍ୟୁ ହୋଇଯାଆନ୍ତା କି ? ସ
େ ମୁକ୍ତି ପାଇଯାଆନ୍ତା I କିନ୍ତୁ ନା, ତା’ ଉପରେ ବଜ୍ରପାତ ହେଉନାହିଁ I ହେମାଳ ପବନ ଦେଲାଣି, ଖୁବ କମ୍ ସମୟ ଭିତରେ ବର୍ଷା ହୋଇପାରେ I
ଆଗକୁ ଆଗକୁ ଚାଲିଥିଲା, ସୁଲେଇ I ଗାଁ ମୁଣ୍ଡ ରାସ୍ତାରେ ଚାଲିଥାଏ, ସୁଲେଇ I ବିଜୁଳି ଆଲୋକରେ ଦେଖାଗଲା, ଆଗ ପଟୁ କେହି ଜଣେ ଆସୁଥାଏ I ପୁରୁଷ ଲୋକ ପରି ମନେ ହେଲା, ସୁଲେଇକୁ I ସେ ଯାହା ଦେଖିଲା, ନିଜ ଆଖିକୁ ବିଶ୍ଵାସ କରି ପାରିଲାନି I ଏ ଯେ ବସନ୍ତ !!!! ସେ ଠିକ୍ ଦେଖୁଛି ତ ? ଏ କ’ଣ ବସନ୍ତ ? ମୁଁ ସ୍ଵପ୍ନ ଦେଖୁନି ତ ? ମନେ ମନେ ଭାବୁଥିଲା, ସୁଲେଇ I
ସୁଲେଇର ଅତି ପାଖରେ ପହଞ୍ଚିସାରିଥିଲା, ବସନ୍ତ I ସୁଲେଇକୁ ଦେଖି କହିଉଠିଲା, ବସନ୍ତ- ସୁଲେଇ ମୁଁ ତମ ସ୍ଵାମୀ ବସନ୍ତ I ମୁଁ ମରିନି I ବଞ୍ଚି ଯାଇଛି I ସେ ସବୁ କଥା ମୁଁ ତମକୁ କହିବି I ହେଲେ ତମେ ଏଠି I ଏମିତି ଅବସ୍ଥାରେ I ପୁଣି ତମ ହାତରେ ଦଉଡି I କ’ଣ ହୋଇଛି, ତୁମର ?
ଭୋ ଭୋ କରି କାନ୍ଦି ଉଠି କହିଥିଲା, ସୁଲେଇ I ତମ ଅନୁପସ୍ଥିତିରେ ମୁଁ ଅଲକ୍ଷଣୀ, ଅମଙ୍ଗୁଳୀ, ପାଲଟି ଯାଇଛି I ସମସ୍ତଙ୍କ ଆଖିରେ ମୁଁ ଘୃଣାର ପାତ୍ର ହୋଇଯାଇଛି I ସବୁ ନିନ୍ଦା, ଅପମାନ, ଦୁଃଖ, କଷ୍ଟକୁ ପିଇ ପିଇ ବଞ୍ଚୁଥିବା ବେଳେ ଶେଷରେ ତମ ଘର ଲୋକମାନେ ମୋତେ ଚରିତ୍ରହୀନାର ଆଖ୍ୟା ଦେଇଛନ୍ତି I ତା’ ପୁଣି ପୁଅ ଭଳି ଦେଖୁଥିବା ଦିଅର ସୁଶାନ୍ତଙ୍କୁ ମୋ ସାଙ୍ଗରେ ଯୋଡି I ତେଣୁ ଏ ଅଲୋଡା ଜୀବନକୁ ବଞ୍ଚେଇ ରଖି ଲାଭ କ’ଣ ? ଭାବିଲି ନିଜକୁ ଶେଷ କରିଦେବି !
ସେତିକିବେଳେ ହଠାତ୍ ବର୍ଷା ହେଲା, ଦୁହେଁ ବର୍ଷା ପାଣିରେ ଭିଜି ଉଠିଲେ I ବସନ୍ତ କହିଲା, ନା’ ସୁଲୋଚନା, ତମେ ମତେ ଏକା ଛାଡି ଯାଇପାରିବନି I ଗତ ବର୍ଷ ଏହି ବର୍ଷା ରାଣୀ ଆମକୁ ଏକାଠି କରିଥିଲା, ବିବାହ ବନ୍ଧନରେ ବାନ୍ଧି, ଆଉ ଏ ବର୍ଷ ମଧ୍ୟ ଏ ବର୍ଷା ରାଣୀ ମଧ୍ୟ ଆମକୁ ଏକାଠି କରିଦେଲା, କାରଣ ତମେ ମୋର ଆଉ ମୁଁ ତମର I ଆମେ ଦୁହେଁ ଜନ୍ମ ଜନ୍ମାନ୍ତରର ସାଥି I ଆମେ ଦୁହେଁ ଏକ ଆଉ ଅଭିନ୍ନ I କେମିତି ଏକ ଅଜଣା ଆବେଗରେ ସୁଲୋଚନାକୁ ଜାବୁଡି ଧରିଥିଲା, ବସନ୍ତ Iବର୍ଷାରେ ଭିଜି ଭିଜି ଦୁହେଁ ଘର ମୁହାଁ ହେଲେ I ଘର ଅଗଣାରେ ପହଞ୍ଚିବା ପରେ ସୁଲୋଚନାର ଯାଆ ମାଣିକ ବସନ୍ତକୁ ଦେଖି ଭୁତ ଭୁତ ବୋଲି ଚିତ୍କାର କରି ଉଠିଲା I ସୁଲୋଚନାର ଶାଶୁ, ଶଶୁର, ଦେଢଶୁର ଓ ଦିଅର ସୁଶାନ୍ତ ସମସ୍ତେ ଅଗଣାକୁ ଚାଲିଆସିଲେ I ବସନ୍ତକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଓ ଚକିତ ହେଲେ Iଯେଉଁଦିନ ଛାତ ଭୁଷୁଡି ପଡିଥିଲା, ତା’ ପୂର୍ବଦିନ ସେ ସୁଲେଇ ପାଇଁ ମୁଦିଟିଏ କିଣିଥିଲା I କିଛି ଚୋର ତା’ ପିଛା କରି ତାକୁ ଛୁରାମIଡ କରିଥିଲେ ଓ ସେ ମରିଗଲା ଭାବିକି ତାକୁ ନଦୀରେ ଫିଙ୍ଗି ଦେଇଥିଲେ ଓ ନଦୀରୁ ଜଣେ ସାଧୁ ତାକୁ ଉଦ୍ଧIର କରି ତାଙ୍କ ଆଶ୍ରମରେ ରଖି ତାକୁ ସୁସ୍ଥ କରିଥିଲେ I
ସୁଶାନ୍ତକୁ ଛାଡି ଦେଲେ, ସମସ୍ତେ ସେତେ ଖୁସି ଥିବା ପରି ଲIଗୁନଥିଲେ, କାରଣ ଥିଲା, ପାଇଥିବା ଟଙ୍କା ବର୍ତ୍ତମାନ ସେମାନଙ୍କୁ ଫେରାଇବାକୁ ପଡିବ I ବସନ୍ତ, ସୁଶାନ୍ତ ଓ ସୁଲେଇ ପରିଶ୍ରମ କରି ଟଙ୍କା ରୋଜଗାର କରି ଫେରେଇଦେବେ ବୋଲି କହିଲେ l
ସୁଲେଇର ମନ ହେଉଥିଲା, ଏ ବର୍ଷ ବର୍ଷାରେ ଭିଜି ଭିଜି ନାଚିବାକୁ I କାରଣ ବର୍ଷା ରାଣୀ ତା’ର ସମସ୍ତ ଦୁଃଖକୁ ଧୋଇ ଦେଇଛନ୍ତି Iତାକୁ ବିଧବାରୁ ସଧବା ସଜେଇ ଦେଇଛନ୍ତି, ସେ ପୁଣି ମଥାରେ ସିନ୍ଦୁର ପିନ୍ଧିବ, ହାତରେ ଶଙ୍ଖା ଲଗେଇବ, ଧଳା ଶାଢୀ ବଦଳରେ ତା’ର ମନ ପସନ୍ଦର ନାଲି ରଙ୍ଗର ଶାଢୀ ପିନ୍ଧିବ I
ଗ୍ରୀଷ୍ମ ଋତୁ ତା’ର ସବୁ କିଛି ଛଡେଇ ନେଇଥିଲା I ତା’କୁ ଶ୍ରୀହୀନ କରିଦେଇଥିଲା I ହେଲେ ଧରାପୃଷ୍ଠରେ ବର୍ଷା ରାଣୀ ପାଦ ରଖୁ ରଖୁ ତାକୁ ସବୁ କିଛି ଫେରାଇଦେଲା I ତା’ର ମନର ମଣିଷ ବସନ୍ତକୁ ମେଘ ପାଲିଙ୍କିରେ ବସାଇ ତା’ ପାଖକୁ ଫେରାଇ ଦେଲା I ତାକୁ ପୁଣି ଲାଲ ଟୁକୁ ଟୁକୁ ସାଧବ ବୋହୁ ବେଶରେ ସଜେଇ ଦେଲା I ସତରେ ବର୍ଷାରାଣୀ ତମେ ମହାନ I ତମକୁ କୋଟି କୋଟି ନମସ୍କାର I ବର୍ଷାରାଣୀଙ୍କ ଆଗମନକୁ ସ୍ଵାଗତ ଜଣାଇ ଦୁଇହାତ ଯୋଡି ବର୍ଷାରାଣୀକୁ ପ୍ରଣାମ ଜଣାଉଥିଲା, ସୁଲେଇ I