ଅନୁତାପର ଅଶ୍ରୁ
ଅନୁତାପର ଅଶ୍ରୁ
ଲିପି ଆଜି ତା’ ଜୀବନରେ ପ୍ରଥମ ଥର ପାଇଁ ମଳୟକୁ ପ୍ରେମଭରା ଚାହାଣୀରେ ଚାହିଁବାରୁ ମଳୟକୁ କେମିତି ଗୋଟେ ଅଡୁଆ ଅଡୁଆ ଲାଗିଲା I କିଛି କହିଲାନି, ସେ I ନ ଜାଣିଲା, ପରି ମୁହଁ ତଳକୁ କରି ଚାଲିଗଲା, ବାର୍ଥ ରୁମ ଭିତରକୁ I
ରାତିରେ ମଳୟ ଶୋଇଗଲା ପରେ ଚୁପଚାପ ଯାଇ ମଳୟର ଟ୍ରଙ୍କ ଖୋଲି ମଳୟର ଡାଇରୀକୁ ଖୋଲି ଲିପି ପଢିଲା I ପଢି ପଢି ବହୁତ ଖୁସି ହେଲା, ସେ I ଆଉ ମନେ ମନେ ଭାବିଲା, ମଳୟ ତ ସବୁ ଠଉରାଇ ଦେଉଛନ୍ତି I କିଛି କହୁ ନାହାନ୍ତି, ସିନା କିନ୍ତୁ ସବୁ ଜାଣୁଛନ୍ତି I
ଲିପି ବର୍ତ୍ତମାନ ମଳୟର ଡାଇରୀ ଆଉ ଡ୍ରଇଂ ଖାତାକୁ ବାରମ୍ବାର ପଢେ ଆଉ ଦେଖେ I ମଳୟ ଅଫିସ ଗଲାପରେ ଡାଇରୀ ପଢିବାରେ ଆଉ ଡ୍ରଇଂ ଖାତାକୁ ଦେଖିବାରେ ତା’ର ସମୟ ବିତିଯାଏ I ବହୁତ ଭଲ ଲାଗେ ତାକୁ I ଆନନ୍ଦ ଅନୁଭବ କରେ, ସେ I ତା’ ଜୀବନର ପରିବର୍ତ୍ତନ ପଛରେ ତ ଏଇ ଡାଇରୀ ଆଉ ଡ୍ରଇଂ ଖାତାର ଭୂମିକା ବହୁତ ଗୁରୁତ୍ଵପୂର୍ଣ୍ଣ I ମଳୟ ଭଳି ଲିପି ଏବେ ଏଇ ଦୁଇଟି ଜିନିଷକୁ ବହୁତ ଭଲ ପାଇବସିଗଲାଣି I ମଳୟ ତ ତା’ ଡାଇରୀ ଆଉ ଡ୍ରଇଂ ଖାତାକୁ ଟ୍ରଙ୍କ ଭିତରେ ଲୁଚେଇକି ରଖେ, ଯେମିତି କେହି ନ ଦେଖିବେ I ଲିପି କିନ୍ତୁ ଦେଖି ଦେଇଛି I ଏ କଥା ମଳୟ ଜାଣିନି I
ତା’ପର ଦିନ ଅଫିସ ଗଲା ବେଳକୁ ଲିପି ମଳୟ ପାଇଁ ଟିଫିନ ବି ତିଆରି କରି ବହୁତ ପ୍ରେମର ସହିତ ମଳୟ ହାତରେ ଧରାଇ ଦେଲା I ଆଉ କହିଲା, ଚୂନା ମାଛ ମନେ କରିକି ଆଣିଦେଇ ତମେ ଅଫିସ ଯିବ I ଚୂନା ମାଛ ଏକଥା ଶୁଣି ମଳୟର ମନରେ କେମିତି ଗୋଟେ ଶିହରଣ ଖେଳିଗଲା I ମୁଣ୍ଡ ଟୁଙ୍ଗାରି ହଁ ବୋଲି କହିଲା, ସେ I ମନେ ମନେ ଖୁସି ହେଉଥିଲେ ବି ସ୍ମିତହାସ୍ୟ ଦେଇ ମଳୟ ଚାଲିଗଲା, ଚୂନା ମାଛ ଆଣିବାକୁ I
ଆଜି ଅଫିସରୁ ଫେରିବା ବେଳେ ରାତିରେ ଲିପି ମଳୟ ପାଇଁ ଚୂନା ମାଛ ତରକାରୀ କରିଥିଲା I ମଳୟର ଚୂନା ମାଛ ତରକାରୀ ଯେ ପସନ୍ଦ ଏକଥା ଲିପି କେମିତି ଜାଣିଲା ? ଏକଥା ଲିପିକୁ ମଳୟ କେବେ ତ କହିନି ! କିନ୍ତୁ ବହୁତ ଭଲ ହୋଇଥିଲା, ଚୂନା ମାଛ ତରକାରୀଟା I ବୋଉ ଥିଲାବେଳେ ସେ ଏମିତି ତରକାରୀ ଖାଉଥିଲା I ଆଜି ମଳୟର ପେଟର ଭୋକଠାରୁ ମନର ଭୋକ ଶାନ୍ତି ହୋଇଥିଲା, ଯେମିତି ସେ ଅନୁଭବ କରୁଥିଲା I ମଳୟ ମନେ ମନେ ବହୁତ ଖୁସି ଥିଲା, କିନ୍ତୁ କିଛି ବି କହୁ ନଥିଲା I ସବୁଦିନ ତା’ ଡାଇରୀରେ କିଛି ଲେଖି ଶୋଇପଡ଼ୁଥିଲା I ରାତିରେ ମଳୟର ଡାଇରୀକୁ ପଢୁଥିଲା, ଲିପି I ଆଉ ଅନୁଭବ କରୁଥିଲା, ସତରେ ମଳୟ କେତେ ନିରୀହ, କେତେ ସରଳ, ଆଉ କେତେ ଭଲ I
ଆଜି ରବିବାର, ମଳୟର ଅଫିସ ଛୁଟି I ଲିପି ମଳୟକୁ ମନ୍ଦିର ଯିବା ପାଇଁ କହିଲା I ସାଙ୍ଗ ହୋଇ ସେମାନେ ମନ୍ଦିରକୁ ବି ଗଲେ I ତା’ ପରେ ବାହାରେ ଖାଇବା ପାଇଁ ଲିପି କହିଲା, ହୋଟେଲରେ ସାଙ୍ଗ ହୋଇ ଖାଇଲେ I ତା’ ପରେ ଲିପି କହିଲା, ଆଜି ତ ଛୁଟି ଅଛି, ଘରକୁ ନ ଯାଇ ଚାଲ ଟିକେ ସେ ପାର୍କକୁ ଯିବା I ମଳୟ ବାଧ୍ୟ ସ୍ୱାମୀଟିଏ ପରି ମୁଣ୍ଡ ଟୁଙ୍ଗାରି ହଁ ଭରିଲା I ମଳୟ ଓ ସେ ପାର୍କକୁ ଗଲେ I ଜୀବନରେ ପ୍ରଥମ ଥର ପାଇଁ ପାର୍କ ଆସିଥିଲା, ମଳୟ I ତାକୁ ବି ଆଜି କେମିତି ଗୋଟେ ଅନୁଭବ ହେଉଥିଲା I ପାର୍କରେ ତା’ ସାଙ୍ଗମାନେ ସେମାନଙ୍କ ବାନ୍ଧବୀ ବା ସ୍ତ୍ରୀଙ୍କ ସହ ଆସନ୍ତି ବୋଲି ସେ ଶୁଣିଥିଲା I ଆଜି ସେ ଆସିଥିଲା I
ପାର୍କର ଗୋଟେ ସିମେଣ୍ଟ ଚେୟାର ଉପରେ ସାଙ୍ଗ ହୋଇ ସେମାନେ ବସିଲେ I ହଠାତ୍ ଲିପି ମଳୟର ଗୋଡ ତଳେ ବସିଗଲା I ବହୁତ ଅସହଜ ବୋଧ ହେଉଥିଲା, ମଳୟକୁ I ଲିପି ଆଖିରେ ଆଖିଏ ଲୁହ I ଲିପି ଆଖିରେ ଲୁହ ଦେଖି ମଳୟ ଆଖିରେ ବି ଲୁହ ଆସିଯାଇଥିଲା I ତଥାପି ନିଜକୁ ଆଉ ସମ୍ଭାଳି ନ ପାରି ମଳୟ ବାଷ୍ପରୁଦ୍ଧ କଣ୍ଠରେ କହି ଉଠିଲା, କ..... କ ....ଣ.... ଣ, ହେ.... ହେ... ଲା... ଲା I
ଲିପି କହିଲା, ମଳୟ ମୁଁ ତମ ପ୍ରତି ଯାହା କରିଛି I ତମେ ମୋତେ କ୍ଷମା କରିଦିଅ I ତମ ଭଳି ସ୍ଵାମୀ ପାଇ ମୁଁ ବହୁତ ଖୁସି I ମୁଁ ତମକୁ ଆଉ ତମ ଭାବନାକୁ ଠିକ ରୂପେ ବୁଝି ପାରିନଥିଲି I ସତରେ ନିଜକୁ ଭାରି ଘୃଣା ଲାଗୁଛି, ମୋତେ I ମୁଁ ମାନୁଛି, ତମକୁ ନିଜର ସ୍ଵାମୀ ଭାବେ ଗ୍ରହଣ କରି ପାରୁନଥିଲି I ସେଇଟା ମୋର ଭୁଲ ଥିଲା I କାରଣ ଛୋଟବେଳୁ ସବୁବେଳେ ହ୍ୟାଣ୍ଡସମ, ରୋମାଣ୍ଟିକ ଏଭଳି ସ୍ୱାମୀଟିଏ ପାଇବା ପାଇଁ ମୁଁ ଚାହୁଁଥିଲି I ବୁଝି ନ ଥିଲି, ପ୍ରକୃତ ପ୍ରେମର ଅର୍ଥ ! ଏବେ କିନ୍ତୁ ଠିକସେ ବୁଝି ପାରିଛି, ମୁଁ I
ଯେବେ ସଡ଼କ ଦୁର୍ଘଟଣାରେ ମୁଁ ହସ୍ପିଟାଲରେ ଥିଲି, ରାତି ଦିନ ଅନିଦ୍ରା ହୋଇ ତମେ ତ ମୋର ସେବା କରିଥିଲ, ଗୋଟେ ବଂଧୁ ଭଳି, ଗୋଟେ ପ୍ରେମିକ ପରି ଆଉ ସର୍ବୋପରି ଜଣେ ସଚ୍ଚୋଟ ସ୍ଵାମୀ ପରି I କେଉଁଥିରେ କିଛି ବି ଅବହେଳା କରିନ, ତମେ I
କିଏ କହିଲା, ତମେ ରୋମାଣ୍ଟିକ ନୁହଁ ବୋଲି I ତମ ପ୍ରିୟ ଡାଇରୀରୁ ମୁଁ ସବୁ ପଢିଛି I ମୋର ବାଟକୁ ତମେ ଚାହିଁ ରହିଥାଅ ଯେମିତି ଯମୁନା କୂଳରେ କୃଷ୍ଣ ରାଧାଙ୍କୁ ଜଗି ରହିଥାନ୍ତି । ଟ୍ରଙ୍କରେ ଥିବା ତମର ସେହି ପ୍ରିୟ ଡାଇରୀରେ ଗୋଲ ଗୋଲ ଅକ୍ଷରରେ କେତେ ଯେ କବିତା ତୁମେ ଲେଖିଛ ! କେଉଁଠୁ ଆସେ କେଜାଣି ଏତେ ଭାବନା, ଏତେ ଶବ୍ଦ । ତମେ ନିଜେ ତ ଲେଖିଛ, ମୋ କଥା ଭାବିଦେଲେ କିମ୍ବା ମୋତେ ଦେଖିଦେଲେ ହିଁ ଏଇ ସବୁ ଚିନ୍ତା ଭାବନା ଶବ୍ଦାବଳୀ ସବୁ ତମର ଛାତି ତଳୁ ବାହାରିଆସେ, କଲମ ମୂନରେ ନିସୃତ ହୋଇ ଇନ୍ଦ୍ରଧନୁର ରଙ୍ଗ ନେଇ ।
ମୋ ପାଇଁ ତମେ ତ କବି ହୋଇଯାଇଛ । କେତେ କବିତା ଲେଖିଛ, ତା'ର କଳନା ନାହିଁ । ବୋଧେ ହୁଏ, ପାଞ୍ଚଶହରୁ ଅଧିକ କବିତା ଲେଖି ସାରିଛ, ମୋ ପାଇଁ । କେଉଁ ମଞ୍ଚରେ ଦେଇଥିଲେ, ଏତେବେଳକୁ ଗୋଟିଏ ବିରାଟ ବଡ କବିଟିଏ ବୋଲି ଖ୍ୟାତି ଅର୍ଜନ କରି ସାରନ୍ତଣି । କିନ୍ତୁ ତମ କବିତାର ଆଜିଯାଏଁ, କେହି ଜଣେ ବି ପାଠକ କିମ୍ବା ପାଠିକା ନାହାଁନ୍ତି । କେମିତି ହେବେ ଯେ, ତମେ କ'ଣ କାହାକୁ କେବେ କହିଛ, ତୁମର ଏଇ ଗୋପନ ପ୍ରତିଭା କଥା । କେବଳ ତମେ ଆଉ ତମ ପ୍ରିୟ ଡାଇରୀ ଛଡା ଆଉ କେହି ଏ ବିଷୟରେ ଜାଣନ୍ତି ନାହିଁ । ହେଲେ ତମ ଅଜାଣତରେ ମୁଁ ପ୍ରଥମ ପାଠିକା ହୋଇ ତମର ସବୁ ଗପ, ସବୁ କବିତା ପଢି ସାରିଛି I ଖାଲି ଗପ ଆଉ କବିତା ପଢିନି ବରଂ ତମ ଦ୍ୱାରା ଅଙ୍କା ହୋଇଥିବା ସବୁ ଚିତ୍ର ଗୁଡିକ ବି ଦେଖିନେଇଛି I ଦେଖିବା ସହିତ ଅନୁଭବ ବି କରିଛି, ମୋ ପ୍ରତି ତମର ଭଲ ପାଇବାକୁ I
ମୋତେ ଗଛ ଲଗାଇଲା ବେଳେ ଦେଖି
ଡ୍ରଇଂ ଖାତାରେ ଯେଉଁ ଚିତ୍ର ଆଙ୍କିଛ, ତାକୁ ଦେଖି ମୋର ସେହିଦିନଗୁଡିକ ମୋ ଆଖି ଆଗରେ ଜୀବନ୍ତ ହୋଇ ଯାଇଛି I କାଦୁଅ ହାତରେ ଆଗକୁ ପଡିଥିବା ମୋର ଚୁଟିକେରାକ ପଛକୁ ଭିଡିନେଇ କାନ ସନ୍ଧିରେ ଖୋସିଦେବାର ଯେଉଁ ଚିତ୍ର । କାଦୁଅ ହାତରୁ ଟିକେ କାଦୁଅ ମୋ ଗାଲରେ ଲାଗିଯିବାର ଚିତ୍ର । ମୋ ମୁହଁରେ ନାଲି ବିନ୍ଦିଟିଏ ଦେଇ ଆଙ୍କି ଦେଇଥିବା ସେହି ଚିତ୍ର I ସତରେ ବହୁତ ସୁନ୍ଦର ହୋଇଛି I
ମୋ ବିଷୟରେ ଅନେକ ତଥ୍ୟ ଯେ ସଂଗ୍ରହ କରି ଡାଇରୀରେ ଲେଖିରଖିଛ I ଯେମିତି କି ମୁଁ କ'ଣ ଖାଇବାକୁ ଭଲ ପାଏ I କ'ଣ ଖାଇବାକୁ ଭଲ ପାଏନି । କ’ଣ ପିନ୍ଧିବାକୁ ଭଲ ପାଏ, ଇତ୍ୟାଦି ଇତ୍ୟାଦି I
ତମେ କେବେ ବି ଜୀବନରେ ମଦ, ବିଡି, ସିଗାରେଟ ଏମିତି କି ପାନ ଖଣ୍ଡେ ବି ଖାଇନ I ଆଉ ତୁମ ଚରିତ୍ର ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପରି ନିର୍ମଳ ଆଉ ସ୍ଵଚ୍ଛ I ପାଟି ଲାଗେ ବୋଲି ତମେ କାହା ସହ ବେଶୀ କିଛି କଥାବାର୍ତ୍ତା କରନି I ବାହାରକୁ ଯାଇ ଖେଳାଖେଳି କରିବା କି କାହା ସହ ଗପସପ କରିବା କିମ୍ବା ଖଟି କରିବା ଏସବୁ ତମକୁ ଭଲ ଲାଗେନି I କାରଣ ଏ ସମାଜ ତମକୁ ହୀନ ନଜରରେ ଦେଖିବ ବୋଲି I ଆଉ ଖନା ବୋଲି ତମକୁ କିଏ କହିବ ବୋଲି I ଚୁପଚାପ ଘର ଭିତରେ ରଫ ଖାତାଟିଏ ଧରି ବସିଥାଓ I ଯେତେବେଳେ ଇଚ୍ଛା ହୁଏ, ଲେଖି ଦିଅ ନହେଲେ କିଛି ଆଙ୍କି ବି ଦିଅ I କିଛି ଲେଖିଦେଲେ କିମ୍ବା ଆଙ୍କିଦେଲେ ତମକୁ ବହୁତ ଆନନ୍ଦ ମିଳେ I ମୁଁ ଜାଣିଛି, ତମକୁ ଖନା ଶବ୍ଦଟା ବହୁତ ଖରାପ ଲାଗେ ଆଉ କଷ୍ଟ ବି ଦିଏ I ତମର ପାଟି ଲାଗେ, ବୋଲି ହୃଦୟରେ ବହୁତ ଭଲ ପାଇବା ଥିଲେ, ବି ଚୁପ ରହି ଯାଇଥିଲ ନା ତୁମେ ? ପାଟି ଲାଗିବାଟାକୁ ତମେ ଯେମିତି ଗୋଟେ ଭାଗ୍ୟର ଦୋଷ ମାନି ଚୁପ ରହି ଯାଇଛ ନା ସବୁବେଳେ ଆଉ ସବୁ ସମୟରେ I “ମୁଁ ତମକୁ ଭଲ ପାଏ” ଏ କଥା କହିବାକୁ ବହୁତ ଥର ଭାବି ମଧ୍ୟ କହିପାରିନ ତମେ, ଏଇ ପାଟି ଲାଗିବା ଯୋଗୁଁ I ମୋ କଥା ବହୁତ ମନେ ପକାଇ ମୋତେ ଝୁରୁ ଥାଓ, ସବୁବେଳେ ।
ଆଉ ଯେଉଁଦିନ ମୋର ବାହାଘର ହୋଇଥିଲା, ତମେ ମଙ୍ଗଳା ମା’ଙ୍କ ମନ୍ଦିରରେ ବୁକୁ ଫଟେଇ ବହୁତ କାନ୍ଦିଥିଲ ନା, ମଳୟ I ସେ ଦୁଃଖ କଥା କେହି ବି ଜାଣି ନାହାନ୍ତି କି ଉପଲବ୍ଧି ବି କରି ନାହାନ୍ତି I କେବଳ ସେ କଥା ତମ ଛଡା ଆଉ କେହି ଜାଣିପାରିଲେନି । ହଁ, ଆଉ ଜଣେ ଜାଣିଥିଲା । ତମର ଅତି ପ୍ରିୟ ଡାଇରୀ । ତା’ ପରେ ତମେ ପ୍ରେମର କବିତା ବଦଳରେ ବିରହ କବିତା ସବୁ ଲେଖି ଚାଲିଥିଲ I ଭାଗ୍ୟ ହାତରେ ସବୁ ଜିନିଷ ଛାଡି କେବଳ ମୋ କଥା ଭାବି ଭାବି ତମେ କେବେ ବି ବିବାହ କରିବ ନାହିଁ, ବୋଲି ନିଷ୍ପତ୍ତି ବି ନେଇଥିଲ I
ତା’ ପରେ ଯେଉଁଦିନ କେତେଦିନ ପରେ ମୋତେ ଦେଖିଥିଲ I ସେ କଥା ବି ଲେଖିଛ, ଆଉ ମୋତେ ଗୋଟେ ଲାଲ୍ ଟୁକୁଟୁକୁ ସାଧବ ବୋହୂ ସହ ବର୍ଣ୍ଣନା ବି କରିଛ I ଆଉ ଏଥିପାଇଁ ନିଜ ଭାଗ୍ୟକୁ ଦୋଷ ଦେଇ ପୁଣି ଚୁପ ରହିଛ I ଶୁଭମନାସି ଦୀପ ବି ଜଳେଇଥିଲ I
ମଳୟ ତମେ ହୁଏତ ଜାଣି ନଥିବ ! ତରତରରେ ସିନା ଆମ ଘରେ ବଡ ଘର ଦେଖି ମୋର ବାହାଘର କରିଦେଲେ I ଅମିତ ଦେଖିବାକୁ ବହୁତ ହ୍ୟାଣ୍ଡସମ ଥିଲେ, କିନ୍ତୁ ଜଣେ ମାନସିକ ବିକୃତ ରୋଗୀ ଥିଲେ I ତମକୁ ଜାଣି ବହୁତ ଦୁଃଖ ଲାଗିବ I ସେ ମୋତେ ମାରପିଟ ବି କରୁଥିଲେ I ମାନସିକ ବିକୃତ ହୋଇଥିବାରୁ ଘରେ ବି ସବୁବେଳେ ଅଶାନ୍ତି ଆଉ ଝଗଡା ଲାଗି ରହୁଥିଲା I ସେଦିନ ସେ ଛାତ ଉପରୁ ଡେଇଁ ପଡ଼ିଥିଲେ I ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ I ବହୁତ ଧନ ଥିବା ଘରେ ସିନା ବାହା ହୋଇଥିଲି, ହେଲେ ସେମାନଙ୍କ ମନ ବହୁତ ଛୋଟ ଥିଲା I ସେମାନେ ପ୍ରତି କଥାରେ ମୋତେ ନିର୍ଯାତନା ଦେଉଥିଲେ I ବାଧ୍ୟ ହୋଇ ପିଙ୍କୁ ଭାଇ ମୋତେ ନେଇ ଆସିଲା, ଆମ ଘରକୁ I ମୋତେ ସବୁ ଜିନିଷ ବହୁତ ଖରାପ ଲାଗୁଥିଲା I ଜୀବନରେ ବଞ୍ଚିବାର ରାହା ମୁଁ ହରେଇ ସାରିଥିଲି I
ତା’ ପରେ ତମେ ମୋତେ ଦେଖିଲ, ମୋର ରଙ୍ଗହୀନ ବେଶଭୂଷା ଓ ପରିପାଟୀ ସହିତ ଗୋଟେ ବିଧବା ରୂପରେ I ଯେତେବେଳେ ଏକଥା ତମେ ଜାଣିଲ, ସେଦିନ ବି ମଙ୍ଗଳା ମନ୍ଦିରରେ ଖୁବ କାନ୍ଦିଛ, ତୁମେ I କିନ୍ତୁ ତମ ମନ ଭିତରେ ଆସିଥିଲା, ପରିବର୍ତ୍ତନର ସ୍ଵର I ପୁଣି ତମେ କଳ୍ପନା ବି କରିଥିଲ, କେମିତି ଫେରାଇଦେବ ମୋତେ ସେଇ ଲାଲ୍ ଟୁକୁଟୁକୁ ସାଧବ ବୋହୂ ରୂପକୁ I
ମୁଁ ଭାବୁଥିଲି, ମୋ ଜୀବନରେ ଆଉ କିଛି ନାହିଁ I ବଞ୍ଚିବାର ଆଶା ଆଉ ମୋ ଜୀବନକୁ ପ୍ରଭାବିତ କରିପାରୁନଥିଲା I କାହା ପ୍ରତି ବିଶ୍ଵାସ ମୋ ମନ ଭିତରେ ଆସୁନଥିଲା I ସେଦିନ ମୋତେ ଆତ୍ମହତ୍ୟା କଲା ବେଳେ ମୋତେ ବଞ୍ଚେଇ ଦେଇ ଆମ ଘର ଲୋକଙ୍କ ଆଗରେ ତମେ ଜଣେ ଭଗବାନ ପାଲଟି ଯାଇଥିଲ I ଘରେ ତୁମ ସହିତ ମୋର ବାହାଘର କରିବା ପାଇଁ କହିଲେ I ତମେ ହଁ କରିଥିଲ I ମୁଁ ରାଜି ନ ଥିଲି, ସେଥିପାଇଁ ସେତେବେଳଠୁ ତମକୁ ଘୃଣା କରୁଥିଲି I ମୁଁ ଭାବୁଥିଲି, କ'ଣ ପାଇଁ ତମେ ଜାଣିଶୁଣି ଗୋଟେ ବିଧବାକୁ ବାହା ହେଉଛ I ତମର କିଛି ଗୋଟେ ସ୍ଵାର୍ଥ ଅଛି ବୋଲି I କିନ୍ତୁ ସେ ଧାରଣା ମୋର ସମ୍ପୂର୍ଣ୍ଣ ଭୁଲ ଥିଲା I ମୋ ସହିତ ବାହା ହେବାର ତମର କେବଳ ଗୋଟିଏ ଲକ୍ଷ୍ୟ ଥିଲା I ତମର ମୋ ପ୍ରତି ଅହେତୁକ ଭଲ ପାଇବା ଆଉ ତୁମର ସେହି କଳ୍ପନା ମୋର ସେହି ଲାଲ୍ ଟୁକୁଟୁକୁ ସାଧବ ବୋହୂର ରୂପ I ଏବେ ମୋର ଆଖି ଖୋଲିଯାଇଛି, ଯେ ପ୍ରକୃତରେ ତମ ଯୋଗୁଁ ତ ମୋ ମଥାରେ ପୁଣିଥରେ ସିନ୍ଦୁର ଝଟକୁଛି, ଆଉ ସେଥିପାଇଁ ମୁଁ ବହୁତ ସୁନ୍ଦର ଦିଶୁଛି, ତମ ଆଖିରେ ସେଇ ଲାଲ ଟୁକୁଟୁକୁ ସାଧବ ବୋହୂ ପରି I
ଜାଣିଛ, ମଳୟ I ତମର ସେଇ କବିତାଗୁଡିକ ପଢି ପଢି ମୋର ସବୁ ମନେ ରହି ଯାଇଛି, କେତେ ସୁନ୍ଦର ତମର ସେଇ କବିତାଗୁଡିକ I ଶୁଣିବ I ଶୁଣ I
“ଚିତ୍ର ଯଦି ମୁଁ ଆଙ୍କେ
ତାହା ତୁମ ରୂପ ନିଏ I
କିଛି ଯଦି ମୁଁ ଲେଖିଦିଏ
ସେ ତୁମ କଥା ହିଁ କହିଥାଏ I
କଥା ଯଦି ମୁଁ କହେ
ସେଥିରେ ବି ତୁମ ସ୍ମୃତି ଥାଏ I
ଅବିରତ ଭାବରେ ଦୁଇ ଜଣଙ୍କ ଆଖିରୁ ଲୁହ ବୋହି ଯାଉଥିଲା l ଲିପି ଆଖିରେ ଅନୁତାପର ଅଶ୍ରୁ ଆଉ ମଳୟ ଆଖିରେ ଆନନ୍ଦର ଅଶ୍ରୁ I