Dr. Jagatabandhu Mohapatra

Abstract Tragedy

5.0  

Dr. Jagatabandhu Mohapatra

Abstract Tragedy

ଅବ୍ୟକ୍ତ ବେଦନା

ଅବ୍ୟକ୍ତ ବେଦନା

3 mins
378


ବଂଧୁବାନ୍ଧବ, କୁଣିଆ ମଇତ୍ରଙ୍କ ଗହଳି ଚହଳିରେ ଘରଟା ସେଦିନ ଫାଟି ପଡୁଥାଏ I ଢୋଲ, ଶଙ୍ଖ, ମହୁରୀ ଓ ତେଲେଙ୍ଗିବାଜାରେ ଗାଁ ସାରା କମ୍ପି ଉଠୁଥାଏ I ଡାକବାଜି ଯନ୍ତ୍ରରେ- “ଆସିବ ବର ତୋର, ହୋଇବ ବାହାଘର, ତା’ ପରେ କି ହବ, କହଲୋ” ଗୀତ ବାଜିଚାଲିଥାଏ I ବଧୂବେଶରେ ସଜେଇ ହୋଇ ବେଦୀରେ ବସିବା ପାଇଁ ଅରୁଣିମା ଗୋଟିଏ ରୁମ୍ ରେ ଅପେକ୍ଷା କରି ବସିଥାଏ I ପାଖରେ କିଛି ସାଙ୍ଗ ସାଥୀ ଭିଡ ଜମାଇଥାନ୍ତି I କେଉଁ ଏକ ଅଜଣା ଆବେଗରେ ଅରୁଣିମାର ହୃଦ ସ୍ପନ୍ଦନ ବଢି ଚାଲିଥାଏ I

ହଠାତ୍ ଗାଁ ମୁଣ୍ଡରେ ବାଣ ଫୁଟିବାର ଶବ୍ଦ ଶୁଣାଗଲା I କେହି ଜଣେ ଅରୁଣିମା ବସିଥିବା ରୁମ୍ ଭିତରକୁ ପଶିଆସି କହିଲା, ବର ଆସିଗଲା I ବରକୁ ଦେଖିବା ପାଇଁ ଅରୁଣିମାକୁ ଛାଡି ବାହାରକୁ ଯିବାକୁ ପ୍ରସ୍ତୁତ ହେଉଥାନ୍ତି, ସାଙ୍ଗସାଥୀ I ଠିକ୍ ଏତିକିବେଳେ କେହି ଜଣେ ଆସି ଖବର ଦେଲା, ଅତନୁ ଦାଶର ଶବ ବର୍ତ୍ତମାନ ଗାଁ ମୁଣ୍ଡ ସ୍କୁଲ ପାଖରେ I

ଏ ଖବର ଶୁଣିବା ମାତ୍ରେ ଅରୁଣିମା ହଠାତ୍ ନୀରବ ଓ ନିଶ୍ଚଳ ହୋଇଯାଇଥିଲା I କେଜାଣି କାହିଁକି ତା’ର ଅନ୍ତରାତ୍ମା ଥରି ଉଠିଥିଲା I ମନ ଭିତରକୁ ତା’ର ପଶିଆସିଲା, ଅତନୁ ଦାଶ I ଅରୁଣିମାକୁ ବହୁତ ଭଲ ପାଉଥିଲା ଅତନୁ, ଅରୁଣିମା ମଧ୍ୟ ଅତନୁକୁ I ଅରୁଣିମା ଘରୁ ବିବାହ ପ୍ରସ୍ତାବ ଯାଇଥିଲା, ଅତନୁ ଘରକୁ I କିନ୍ତୁ ଅତନୁ ସେତେବେଳେ ଦୃଢ ନିଷ୍ପତ୍ତି ନେଇଥିଲା, ଅରୁଣିମାକୁ ବାହା ନ ହେବା ପାଇଁ I ଉଭୟ ପରିବାର ମଧ୍ୟରେ ଗଢି ଉଠୁଥିବା ବନ୍ଧନ ଡୋରିଟା ହଠାତ୍ ସେଦିନ ଛିଣ୍ଡି ଯାଇଥିଲା I ଅରୁଣିମା ପରିବାରର ଲୋକେ ନିନ୍ଦା କରିଥିଲେ, ଅତନୁକୁ I ଅରୁଣିମାର ମନ ମଧ୍ୟ ଆତ୍ମଗ୍ଲାନିରେ ଭରିଯାଇଥିଲା I ସେ ବି ଘୃଣା କରିଥିଲା, ଅତନୁକୁ I    

ବାଜା ବଜେଇ ବାଣ ଫୁଟେଇ ନାଚି ନାଚି ଅରୁଣିମା ଘର ଆଡକୁ ଆଗେଇ ଆସୁଥାନ୍ତି, ବର ସହ ବରଯାତ୍ରୀ ଦଳ I ବିବାହ କର୍ମ ଯଥାରୀତି ଆଗେଇ ଚାଲିଲା, ହାତ ଗଣ୍ଠି ପଡିବା ପରେ ଆରମ୍ଭ ହେଲା, ହୋମ କର୍ମ I ବେଦୀ ଉପରେ ହୋମ ଅଗ୍ନି ଜଳି ଉଠିଲା I ଠିକ୍ ସେତିକିବେଳେ ତୋପ ସଲାମି ପରେ ପରେ, କାରଗିଲ୍ ଯୁଦ୍ଧରେ ସହିଦ ହୋଇଯାଇଥିବା ଅତନୁର ଜୁଇ ହୁ ହୁ ହୋଇ ଜଳି ଉଠିଲା, ଗାଁ ମଶାଣିରେ I ବେଦୀ ଉପରେ ହୋମ ଅଗ୍ନିର ଚାରିପାଖରେ ବୁଲିବାବେଳେ କେମିତି ଏକ ଅବ୍ୟକ୍ତ ବେଦନାର ଯନ୍ତ୍ରଣାରେ ପଡି ଛଟପଟ ହେଉଥିଲା, ଅରୁଣିମା I

ଅରୁଣିମା ବି ଦିନେ ଖରାପ ଭାବିଥିଲା, ଅତନୁକୁ I ଭାବିଥିଲା, ଅତନୁଟା ଗୋଟେ ସ୍ଵାର୍ଥପର, ତା’ ଭଲ ପାଇବାରେ ଭରି ରହିଥିଲା, ଛଳନା ଓ ପ୍ରତାରଣା I ଅତନୁ ଗୋଟେ ନଷ୍ଟ ଚରିତ୍ର ବୋଲି ତା’ର ସେଦିନ ମନେ ହୋଇଥିଲା I ସବୁଦିନ ପାଇଁ ସେ ଅତନୁକୁ ମନରୁ ପୋଛି ଦେଇଥିଲା I

କିନ୍ତୁ ବାହାଘର ସରିବା ପରେ ଅରୁଣିମା ଧାଇଁ ଯାଇଥିଲା, ତା’ ନିଜ ରୁମ୍ ଭିତରକୁ I କିଛି ଦିନ ତଳେ ଅତନୁ ପଠାଇଥିବା ଚିଠିଟାକୁ ବାହାର କରି ଆଣିଲା, ବହି ଭିତରୁ I ସେ ଚିଠିକୁ ପଢିବନି ବୋଲି ଅରୁଣିମା ମନସ୍ଥ କରିଥିଲା I କିନ୍ତୁ କେଜାଣି କାହିଁକି ତା’ ଅମାନିଆ ମନଟା ଟାଣି ହୋଇଗଲା, ଚିଠି ପାଖକୁ I ସମସ୍ତଙ୍କ ଅଲକ୍ଷ୍ୟରେ ଖୋଲି ପଢିଥିଲା, ଚିଠିକୁ I ଯେଉଁଥିରେ ଅତନୁ ଲେଖିଥିଲା, “ ଅରୁ, ମୋ ଚାକିରିଟା ଏମିତି ଯେ, ମୋର କେତେବେଳେ କ’ଣ ହେବ, କହି ହେବନି, ତୁମ ହାତ ଧରି ସାରା ଜୀବନ ବାଟ ଚାଲିବାର ପ୍ରତିଶ୍ରୁତି ଯେ ମୁଁ ପୂରଣ କରିପାରିବି, ଏ କଥା ବି ମୁଁ ସଠିକ୍ ଭାବେ କହି ପାରୁନି I ବହୁତ ଚିନ୍ତା କରିବା ପରେ ମୁଁ ନିଷ୍ପତ୍ତି ନେଲି, ତୁମକୁ ବାହା ନ ହବା ପାଇଁ” I ମୋର ଭୁଲ ଥିଲେ, ମୋତେ କ୍ଷମା କରିଦେବ I   

ନିଜର ବୁକୁ ତଳେ ଚାପି ରଖିଥିବା ଅନେକ ଅଭିମାନ ସେଦିନ ଯେମିତି ବନ୍ଧ ଭାଙ୍ଗି କୋହରେ ପରିଣତ ହୋଇଯାଉଥିଲା I ଏକ ଅବ୍ୟକ୍ତ ବେଦନାରେ ଗୁମୁରି ଗୁମୁରି କାନ୍ଦି ଉଠୁଥିଲା, ଅରୁଣିମା I ତା’ର ଅନ୍ତର ବିଳପି ଉଠୁଥିଲା, ଅନ୍ତରାତ୍ମା କହୁଥିଲା, ଅତନୁ ସତରେ ତମେ ମହାନ, ତମ ଭଲ ପାଇବାରେ ଛଳନା କି ପ୍ରତାରଣା ନ ଥିଲା I ତମ ଭଲ ପାଇବା ସତ୍ୟ, ଶିବ, ସୁନ୍ଦର I ତମର ପ୍ରେମ ଶାଶ୍ଵତ ଓ ଅମର I ଠିକ୍ ସେତିକିବେଳେ ଗାଁ ମୁଣ୍ଡ ମଶାଣି ଭୁଇଁରୁ ଏକ ସମବେତ କଣ୍ଠ ସ୍ଵର ଭାସି ଆସୁଥିଲା-

“ ସହିଦ ବୀର ଅତନୁ ଦାଶ ଅମର ରହେ ”


     


Rate this content
Log in

Similar oriya story from Abstract