Dr. Jagatabandhu Mohapatra

Romance Action

4  

Dr. Jagatabandhu Mohapatra

Romance Action

ଅନୁତାପର ବେଦନା

ଅନୁତାପର ବେଦନା

7 mins
20



କାହିଁକି କେଜାଣି ସେ ଜଗବନ୍ଧୁକୁ ଦେଖିବା ମାତ୍ରେ ମୁଁ ଚିଡି ଉଠୁଥିଲି, ସବୁବେଳେ । ମୋ ମନରେ ବହୁତ ରାଗ ଆସୁଥିଲା, ତା' ପ୍ରତି l ନିଜ ଜୀବନକୁ ମନେ ମନେ ଧିକ୍କାର ମଧ୍ୟ କରୁଥିଲି । ୟା ପାଇଁ ମୋ ସୁନ୍ଦର ଜୀବନଟା ନଷ୍ଟ ହୋଇଗଲା, ଯେମିତି !


ଦିନକୁ ଦିନ ତା' ପ୍ରତି ଘୃଣା ଓ ଅସୁୟା ଭାବରେ ମୁଁ ବିରକ୍ତ ହୋଇ ଉଠୁଥିଲି । ଛିଃ । କି ଯୋଗରେ ଆମ ଘରେ ମୋତେ ଏଇ ଲୋକଟା ହାତରେ ଟେକି ଦେଲେ, ମୋତେ l ବେଳେ ବେଳେ ମରିଯିବା ପାଇଁ ଇଚ୍ଛା ହୁଏ; କିନ୍ତୁ ଆଖି ଆଗରେ ମୋ ପୁଅର କଅଁଳ ମୁହଁଟାକୁ ଚାହିଁଦେଲେ, ମରିବା ଚିନ୍ତାଟା ସମ୍ପୂର୍ଣ୍ଣ ଦୂରେଇଯାଏ । ଗୋଟିଏ ଚିନ୍ତା ମୋତେ ସବୁବେଳେ ଖାଏ, ମୁଁ ମରିଗଲେ ମୋ ପୁଅର କ'ଣ ହେବ ?


ମୋର ସବୁତକ ରାଗ ଆଉ ଘୃଣା ଇହକାଳ ପରକାଳର ଦେବତା ବୋଲାଉଥିବା ସ୍ୱାମୀ ଜଗବନ୍ଧୁ ଉପରେ । ବିନା କାରଣରେ ମୁଁ ତା' ଉପରେ ବିରକ୍ତ ହୁଏ । ବିଦ୍ରୂପ ବି କରେ। ତା' ରୂପ ଗୁଣ ମୋ ଆଖିରେ କଣ୍ଟା ଭଳି ବିଦ୍ଧ ହୁଏ । ସେ କଳା ଆଉ ମୁଁ ଗୋରୀ l ମୁଁ ସୁନ୍ଦରୀ ଆଉ ସେ ସେତେଟା ହ୍ୟାଣ୍ଡସମ ନୁହେଁ l ତା' କବଳରୁ ମୁକ୍ତି ପାଇଁ ମୁଁ ମନେ ମନେ ଈଶ୍ବରଙ୍କୁ ପ୍ରାର୍ଥନା ବି କରେ ।


ମୁଁ ଅନନ୍ୟା ପାଣିଗ୍ରାହୀ । ଗରିବ ଘରର ଝିଅ l ବି.ଏ. ପାଠ ପଢ଼ା ସରୁ ସରୁ ମୋ ପାଇଁ ଆମ ଘରକୁ ଅନେକ ବିବାହ ପ୍ରସ୍ତାବ ଆସିଯାଇଥିଲା । 


ଟୁନି ନାନୀ ମୋ ନିଜ ମାଉସୀ l ଟୁନି ନାନୀ ତା' ଭଣଜା, ଏଇ ଜଗବନ୍ଧୁ ପାଇଁ ଆମ ଘରେ ପ୍ରସ୍ତାବ ଆଣି ଦେଲା l ମୋ ଇଛା ଓ ଅନିଚ୍ଛାକୁ ବାଦ ଦେଇ ଆମ ଘରେ ବି ଜଗବନ୍ଧୁକୁ ଜୋଇଁ କରିବେ, ବୋଲି ସମସ୍ତେ ଜିଦ ବସି ଧରିଲେ । ସେ ବହୁତ ଭଲ ପିଲା ବୋଲି ସମସ୍ତେ କହିଲେ l


ଟୁନି ନାନୀ ଓ ଆମ ଘର ଲୋକଙ୍କ କଥା ମାନି ସେ ଜଗବନ୍ଧୁକୁ ମୁଁ ବାହା ହୋଇଗଲି ।


ଜଗବନ୍ଧୁ ଅତିଶୟ ଶାନ୍ତ ଆଉ ସରଳ ସ୍ୱଭାବର ଲୋକଟିଏ । ମୁଁ ରାଗିଗଲେ, ମୋ ମନକୁ ଯାହା ଆସେ, ମୁଁ ବହୁତ କଟୁ କଥା କହିଦିଏ l ସେ ଚୁପ ରୁହେ l ମୋତେ ସେ କୌଣସି କଥାରେ କିଛି ବି ପ୍ରତିବାଦ କରୁ ନଥିଲା l ଜଗବନ୍ଧୁ ସ୍ମାର୍ଟ ନ ଥିଲା, ଷ୍ଟାଇଲିସ ନ ଥିଲା ଆଉ ରୋମାଣ୍ଟିକ ବି ନ ଥିଲା l ଅତି ସାଧାସିଧା ଆଉ ସାଧାରଣ ମଣିଷ l ମୋ ମନ ଜାଣି ଫିଟ୍ ଓ ଷ୍ଟାଇଲିସ ନ ରହୁଥିବାରୁ ମୁଁ ଜଗବନ୍ଧୁକୁ ଜମା ଭଲ ପାଇପାରିଲି ନାହିଁ । 


ସେଇଥିପାଇଁ ମୁଁ ସ୍ବାମୀ ପାଇଁ ଶଙ୍ଖା ସିନ୍ଦୂର ନ ପିନ୍ଧି କେବେ ଡ୍ରେସ୍ ତ କେବେ ଜିନ୍ସ ଆଉ କଦବା କ୍ଵଚିତ ଶାଢ଼ୀ ପିନ୍ଧି ମୋ ସାଙ୍ଗସାଥୀ ସହ ବୁଲା ବୁଲି କରୁଥିଲି । ନିଜ ଇଚ୍ଛାରେ କ୍ଲବ୍, ସପିଙ୍ଗ ମଲ, ପାର୍କରେ ଘଣ୍ଟା ଘଣ୍ଟା ସମୟ ବିତାଉଥିଲି । ମୋ ମନରେ ଘୃଣା ଭାବନା ଏତେ ମାତ୍ରାରେ ଥିଲା, ଯେ ଜଗବନ୍ଧୁ ଚାକିରୀ କରିଛି, ସେଥିପାଇଁ ମୁଁ ବି ଚାକିରୀ କରିବି ବୋଲି ଏ କମ୍ପାନୀ ସେ କମ୍ପାନୀ ଦଉଡୁଥିଲି । ଯୁଆଡେ ଇଛା ସିଆଡେ ବୁଲୁଥିଲି l ଲଗାମ୍ ହୀନ ଜୀବନ ଭଳି ଜଗବନ୍ଧୁ ପାଖରୁ ନିଜକୁ ଯଥା ସମ୍ଭବ ଦୂରେଇ ରଖୁଥିଲି । ସ୍ୱାମୀ ଅପେକ୍ଷା ସାଙ୍ଗ ସାଥି ଓ ବଂଧୁ ବାଂଧବ ମାନଙ୍କୁ ଅଧିକା ଗୁରୁତ୍ୱ ଦେଉଥିଲି l


ମୁଁ ଯେମିତି ଅନୁଭବ କରୁଥିଲି, ଜଗବନ୍ଧୁ ନିଜ ଭାଗ୍ୟକୁ ଆଦରି ନେଇ ଭଗବାନଙ୍କ ନିକଟତର ଅଧିକ ମାତ୍ରାରେ ହେଉଥିଲା । ବାହାଘର ପରେ ଆମିଷ ଖାଦ୍ୟ ଛାଡ଼ି ନିରାମିଷ ଖାଦ୍ୟ ଖାଇବା, ପ୍ରତିଦିନ ଠାକୁର ମନ୍ଦିର ଯିବା, ଘରେ ଦିନକୁ ଦୁଇବେଳା ପୂଜା ପାଠ କରିବା ଇତ୍ୟାଦି ଇତ୍ୟାଦି l ଆଉ ଗୋଟେ କଥା ବି ଉପଲବ୍ଧି କରୁଥିଲି, ଅଧିକ ସହନଶୀଳତା ଗୁଣ ବି ବଢୁଥିଲା, ଜଗବନ୍ଧୁ ଭିତରେ l କୋଉଥିରେ କିଛି ପ୍ରତିବାଦ ନ କରି ଘରର ଅଧିକାଂଶ କାମ ସେ ହିଁ ତ କରୁଥିଲା l


ସକାଳୁ ଜଲଦି ଉଠି ଘର ଓ ବାହାର ଓଳେଇବା, ଠାକୁର ପୂଜା କରିବା, ସକାଳ ଜଳଖିଆ କରି ନିଜେ ଖାଇ, ଆମ ପାଇଁ ରଖି, ନିଜ ପାଇଁ ଟିଫିନ ନେବା l ଦିନ ଆଠଟାରୁ ସେ ଘରୁ ଯାଏ, ଯେ ଆସିଲା ବେଳକୁ ରାତି ଆଠଟା । ମୁଁ ଉଠିଲା ବେଳକୁ ଏ ସବୁ କାମ ସରିଯାଇଥାଏ, ମୋ ଘରର l ଅନ୍ୟମାନଙ୍କ ଠାରୁ ଶୁଣିଛି, ସକାଳ ଓ ସନ୍ଧ୍ୟା ସେ ମନ୍ଦିରରେ କିଛି ସମୟ ଅତିବାହିତ କରେ l ମୋ ଉପରେ ସେ ସ୍ୱାମୀତ୍ୱ ଜାହିର କରେ ନାହିଁ । ରାତିରେ ଚୁପ୍ ଚାପ୍ ରୋଷେଇ ହୋଇଥିବା ଜିନିଷକୁ ନିଜେ ବାଢି ଆଣି ଖାଏ କିମ୍ବା ବେଳେ ବେଳେ ନିଜେ ରୋଷେଇ କରି ନିଜେ ଖାଇବା ସହ ଆମ ପାଇଁ ମଧ୍ୟ ରଖି ଦିଏ l ରୋଷେଇ ପାଇଁ ମୁଁ କେବେ ବି ପ୍ରଶଂସା କରିନି l ରୋଷେଇ ସହିତ ବାସନକୁ ନିଜେ ମାଜି ଯଥା ଯାଗାରେ ବି ସାଇତି ସଜାଡ଼ି ରଖେ । ତଥାପି ମୋ ମନ କେବେ ତରଳେ ନାହିଁ, ଜଗବନ୍ଧୁ ପାଇଁ l


ମୁଁ କେବେ ଖାଇବା, ପୋଷାକ ପିନ୍ଧିବା ଆଦି ବିଷୟରେ କେବେ ପଚାରେ ନାହିଁ । ଦୁହେଁ ଗୋଟିଏ ଛାତ ତଳେ ଦୁଇଟି ଅଜଣା ମଣିଷ ଭଳି ଆମେ ଚଳୁ । ଭାବର ଆଦାନ ପ୍ରଦାନ ତ ବହୁତ ଦୂରର କଥା l ମୁଁ ଜଗବନ୍ଧୁକୁ ନିଜର ସବୁଠୁ ବଡ଼ ଶତ୍ରୁ ବୋଲି ଭାବେ, କାରଣ କ'ଣ ପାଇଁ ସେ ବାହାଘର ପାଇଁ ରାଜି ହେଲା l ବହୁତ ହେୟ ଜ୍ଞାନ କରେ l ବହୁତ କଟୁ କଥା ବି କୁହେ l ଅଯଥାରେ ବିରକ୍ତ ବି ହୁଏ, ବିନା କାରଣରେ l


ସମୟ ଆଗେଇ ଚାଲୁଥିଲା, ଆଗକୁ ଆଗକୁ । ମୋର ଗୋଟେ କମ୍ପାନୀରେ ଚାକିରୀ ହୋଇଯାଇଥିଲା । ପୁଅ ବି ସ୍କୁଲ ଯାଉଥିଲା । ପୁଅ କଥା ବୁଝିବା ପାଇଁ ମୁଁ ଗୋଟେ ଆୟାକୁ ବି ରଖିଥିଲି । ମୁଁ ବି ସକାଳେ ନଟା ରୁ ଯାଇ ସନ୍ଧ୍ୟା ଛଅଟାରେ ଅଫିସରୁ ଫେରେ । ଚାକିରୀ କଲା ପରେ ମୁଁ ନିଜକୁ ଜଗବନ୍ଧୁର ସମକକ୍ଷ ନୁହେଁ, ନିଜକୁ ତା'ଠାରୁ ବହୁତ ଅଧିକା ଭାବେ l


ମୁଁ ବହୁତ ଖୁସି ହୁଏ, ଯେ ତା' ଭାଗ୍ୟରେ କିଛି ବି ସୁଖ ନାହିଁ l ସ୍ତ୍ରୀ ସୁଖ କି ପୁତ୍ର ସୁଖ ! ମୁଁ ତାଙ୍କୁ ଯେମିତି ବେଖାତିର କରେ, ପୁଅ ବି ତାଙ୍କୁ ମାନେ ନାହିଁ l ସେଥିପାଇଁ ସେ ଭଗବାନଙ୍କର ଅଧିକ ଶରଣାପନ୍ନ ହୁଅନ୍ତି ! ହଁ, ହେବେନି କଣ ପାଇଁ, ଭୀରୁ, ଦୁର୍ବଳ ଲୋକ ଅଧିକ ଭଗବାନଙ୍କୁ ମାନନ୍ତି !


ମୋର ପୁଅ ଜନ୍ମ ହେବାପରଠୁ ମୁଁ ତାଙ୍କୁ ମୋ ରୁମକୁ ପଶାଇ ଦିଏ ନାହିଁ । ସେ ବି ରୁମ ଭିତରେ ପଶନ୍ତି ନାହିଁ । ମନ ମରିଗଲା ପରେ କି ସୁଖ ଥାଏ, ଯେ ? ଆମେ ଦୁହେଁ ଗୋଟେ ଛାତ ତଳେ ଥିଲେ, ବି ମନ ସହସ୍ର କୋଶ ଦୂରରେ ।


ହଁ, ଧିରେ ଧିରେ ମୋ ଜୀବନରେ ଆମ ଅଫିସର ଅଜୟ, ଲିପି, କୁନାଲ ସହିତ ଭଲ ବନ୍ଧୁର ଆସର ଜମେ l ଥଟ୍ଟା, ମଜା ସାଙ୍ଗ ସାଥିରେ ବହୁତ ଭଲରେ କଟୁଥିଲା, ଆମ ଜୀବନ l ଆମେ ସାଙ୍ଗରେ ଫିଲ୍ମ ଯାଉ, ବୁଲାବୁଲି କରୁ l


ଏମିତି କିଛି ଦିନ ଗଲା ପରେ ଦିନେ ମୁଁ ଅଫିସରୁ ଫେରିଲା ସମୟରେ ମୋ ସ୍କୁଟି ସହ ଗୋଟେ କାରର ଦୁର୍ଘଟଣା ଘଟେ l 


କେମିତି କୋଉଠୁ ଖବର ପାଇ ମୋ ସ୍ୱାମୀ ଜଗବନ୍ଧୁ ଆସି ହସ୍ପିଟାଲରେ ପହଞ୍ଚିଯାନ୍ତି l ଅବିରତ ଭାବରେ ମୋର ସେବା କରିଚାଲିଥାନ୍ତି, ବୋଲି ମୁଁ ନର୍ସ ଦିଦିଙ୍କ ଠାରୁ ପରେ ଶୁଣିଲି l ବାଧ୍ୟ ଶିଶୁଟିଏ ପରି ସେ ମୋତେ ଜଗି ବସି ରହିଥାନ୍ତି ।


ଅନେକ ଟଙ୍କା ଖର୍ଚ୍ଚ କରିବା ସହିତ ବହୁତ ସେବା ବି କରିଥିଲେ, ସେ । ହସ୍ପିଟାଲରେ ରହିବା ବେଳେ ମୁଁ ଉପଲବ୍ଧି କରିଛି, ତାଙ୍କର କୋଉଥିରେ ଘୃଣାଭାବ ନ ଥିଲା l ଚାକିରୀରୁ ଛୁଟି ନେଇ ଅବିରତ ଭାବରେ ମୋର ସେବା କରି ଚାଲିଥିଲେ, ସେ l ଏତକ ଦିନ ପାଖରେ କେବଳ ଜଗବନ୍ଧୁ l ଜଗତର ବନ୍ଧୁ l ମୋର ବନ୍ଧୁ l ଏଇ ଅଧମ ଅନନ୍ୟାର ବନ୍ଧୁ ଜଗବନ୍ଧୁ l 


ଯେଉଁଦିନ ମୁଁ ସମ୍ପୂର୍ଣ୍ଣ ଠିକ ହୋଇ ଘରକୁ ବାହାରିବାକୁ ଆସିଲି, ନର୍ସ ଦିଦି ଆସି ପାଖରେ ପହଁଚିଲେ, ଆଉ କହିଲେ, ଯା ହେଉ; ଆପଣ ବହୁତ ଭାଗ୍ୟବାନ l ଏମିତିକା ସ୍ୱାମୀ ଭାଗ୍ୟରେ ଥିଲେ, ମିଳେ l ଆପଣଙ୍କ ଦ୍ୱାୟିତ୍ୱ ନେବା ସହିତ ପୁଅର ବି ଯତ୍ନ ନେବାରେ ସେ କିଛି ବି ଅବହେଳା କରୁନଥିଲେ। କେତେ ଶାନ୍ତ, ସୁଧାର ଆଉ ଦାୟିତ୍ୱବାନ ଲୋକ । ମୁଁ ଯାହା ଅନୁମାନ କରୁଛି, ଆପଣଙ୍କ କିଛି ଅସୁବିଧା ହେବନି, ଜଗବନ୍ଧୁ ବାବୁଙ୍କ ପରି ସ୍ଵାମୀ ଅଛନ୍ତି, ମାନେ ଆପଣ ଠିକ ହୋଇଯିବେ, ବହୁତ ଜଲଦି l


ମୋ ଆଖିରୁ ଅବିରତ ଭାବରେ କୋହ ଭରା ଲୁହ ବାହାରି ଆସୁଥିଲା l କ'ଣ କହିବି, କେମିତି କହିବି ? କିଛି ବି ଜାଣି ପାରୁନଥିଲି, ମୁଁ !


ଘରେ ଆସି ପହଂଚିଲି l ମୋ ସ୍ୱାମୀଙ୍କ ପାଇଁ ଅନୁତାପର ବେଦନାରେ ଜଳୁଥିବା ବେଳେ ହଠାତ୍ ଦର୍ପଣ ଉପରେ ମୋ ନଜର ପଡିଗଲା l ଗୋରା ସୁନ୍ଦର ମୁହଁଟା ମୋର କଳା ପଡି ଯାଇଥିଲା । ଦେହ ଆଉ ମୁହଁ ସାରା ଖାଲି ଦାଗ ଆଉ ଦାଗ l ମୁଁ ବହୁତ ଦୁର୍ବଳ ଆଉ ଅସୁନ୍ଦର ଦେଖା ଯାଉଥିଲି l ଏଇ କେତେଟା ଦିନରେ ମୋ ସୁନ୍ଦର ରୂପ କେତେ ମଳିନ ପଡି ଯାଇଛି ? ନାଁ, ନାଇଁ, ଏମିତି ହୋଇ ପାରିବ ନାହିଁ । ନିଜ ସୁନ୍ଦରୀତ୍ୱକୁ ନେଇ ବେଶ ଗର୍ବିତ ଥିଲି, ମୁଁ ; କିନ୍ତୁ ସେହି ସୁନ୍ଦରୀତ୍ବ ମୋତେ ହିଁ ଛାଡ଼ି ଚାଲିଗଲା, ଯେମିତି !


ମୁଁ ଉପଲବ୍ଧି କଲି, ମୋ ସ୍ୱାମୀ ମୋ ସୁନ୍ଦର ଚେହେରାକୁ ଭଲ ପାଉନଥିଲେ l ସେ ମୋତେ ଭଲ ପାଉଥିଲେ; ଏଇ ଅଧମ, ଗର୍ବୀ, ଅହଙ୍କାରୀ ଆଉ ବର୍ତ୍ତମାନର ଅସୁନ୍ଦରୀ ଅନନ୍ୟାକୁ ! 


ମୁଁହକୁ ପାପୁଲିରେ ଘୋଡ଼ାଇ ଅନୁତାପର ବେଦନାରେ ଭୋ ଭୋ ହୋଇ କାନ୍ଦୁଥିଲି, ମୁଁ । ମୋ କାନ୍ଦ ଶୁଣି ପାଖରେ ଆସି ଠିଆ ହେଲେ, ସେ । ଅତି ଧୀର କଣ୍ଠରେ ପଚାରିଲେ, କ'ଣ ହେଲା, ତୁମର ? ଦେହ ଖରାପ ଲାଗୁଛି କି ? ମୁଁ ଡାକ୍ତରଙ୍କୁ ଫୋନ କରୁଛି ।


ଏତକ କଥା ଶୁଣି ମୁଁ ଆଉ ସମ୍ଭାଳି ପାରିଲିନି l ତାଙ୍କର ଦୁଇ ହାତକୁ ଭିଡ଼ି ଧରିଲି l ତାଙ୍କ ଛାତିରେ ମୋ ମୁଣ୍ଡ ରଖି କାନ୍ଦି କାନ୍ଦି କୋହ ଭରା କଣ୍ଠରେ କହିଲି । ପ୍ଲିଜ ମୋ ଦୋଷ ଧରିବନି ?? ମୋର ସବୁ ଗର୍ବ ଅହଙ୍କାର ଆଜି ଭାଙ୍ଗି ଯାଇଛି । ସ୍ୱାମୀ ବୋଲି ତୁମକୁ ମୁଁ କେବେ ବି ସମ୍ମାନ ଜଣାଇନାହିଁ । ତଥାପି ମୋର ସବୁ ରାଗ ରୋଷକୁ ଭୁଲି ତମେ ମୋତେ ନୁଆ ଜୀବନ ଦେଇଛ । ତୁମ ନିକଟରେ ଚିର କୃତଜ୍ଞ, ମୁଁ । ମୋତେ କ୍ଷମା କରିଦିଅ। ମୁଁ ବହୁତ ଅନୁତାପ କରୁଛି l ନିଜ ଉପରେ ମୋତେ ବହୁତ ଘୃଣା ଲାଗୁଛି l ଛିଃ l


ମୋ ବୋଉ, ଟୁନି ନାନୀ ଆଉ ଆମ ଘରେ ତୁମକୁ ଭଲ ଭାବରେ ଚିହ୍ନି ତମ ହାତରେ ମୋତେ ସମର୍ପି ଦେଇଥିଲେ । ଏବେ ମୁଁ ବୁଝି ପାରିଲି, ସୁନ୍ଦର ମନ ଆଉ ଅସୁନ୍ଦର ମନ ଭିତରର ପାର୍ଥକ୍ୟଟା l 


ତାଙ୍କ ଆଖି ବି ଲୁହ ଛଳ ଛଳ l ତଥାପି ଅତି ଧୀର କଣ୍ଠରେ ସେ କହିଲେ, ଆମ ଭାଗ୍ୟ ଭଲ । ତମେ ଠିକ ହୋଇଗଲ l ସେଥିପାଇଁ ମୁଁ ଈଶ୍ବରଙ୍କ ନିକଟରେ ଚିର କୃତଜ୍ଞ ।


ମୁଁ କହିଲି, ନାଇଁ, ଏ ଦୁର୍ଘଟଣା ମୋତେ ବହୁତ ବଡ଼ ଶିକ୍ଷା ଦେଲା l ଶିକ୍ଷା କ'ଣ ମହାଶିକ୍ଷା ଦେଲା l କିଏ ନିଜର ଆଉ କିଏ ପରର, ସେ ଶିକ୍ଷା ମୋତେ ଶିଖେଇ ଦେଲା l


ଆଜି ମୋ ପାଖରେ ମୋର ସୁନ୍ଦର ରୂପ ନାହିଁ କି ମଜା ମଜଲିସ କରୁଥିବା ସାଙ୍ଗ ସାଥି ବି ନାହାନ୍ତି କି ମୋ ପାଖରେ ଚାକିରୀ ବି ନାହିଁ l 


ହଁ, ଶୁଣ । ଯାହା ହୋଇଛି, ଭଲ ହୋଇଛି l ମୁଁ ଘରେ ରହିବି, ଘରର ସବୁ କାମ କରିବି l ମୋ ପାପର ପ୍ରାୟଶ୍ଚିତ କରିବି l ଆଉ ତୁମର ସେବା କରିବି l  ଆଉ ଏଇ ଜୀବନରେ ତୁମର ଭଲ ସ୍ତ୍ରୀ ହେବା ପାଇଁ ଚେଷ୍ଟା କରିବି l ତାହାଲେ ଯାଇ ମୋ ପାପର ପ୍ରାୟଶ୍ଚିତ ହୋଇପାରିବ l


ନିର୍ବିକାର ଚିତ୍ତରେ ଛଳ ଛଳ ଆଖିରେ ସେ କେବଳ ମୋ ମୁଣ୍ଡକୁ ଆଉଁସି ଚାଲୁଥାନ୍ତି, ଆଉ ବ୍ୟସ୍ତ ହୁଅ ନାହିଁ, ସବୁ ଠିକ ହୋଇଯିବ ବୋଲି ବାରମ୍ବାର କହୁଥାନ୍ତି l ମୋତେ ଲାଗୁଥିଲା, ଜଣେ ଉତ୍ତମ ବନ୍ଧୁ ଭଳି ସେ ମୋତେ ବୁଝୁଥିଲେ, ଆଉ ମୋର ସବୁ ଦୋଷକୁ ସେ କ୍ଷମା କରିଦେଲେ l କିନ୍ତୁ ମୁଁ ଅନୁତାପର ବେଦନାରେ ଭୀଷଣ ଛଟପଟ ହେଉଥିଲି l ସତରେ ନିଜେ କରିଥିବା ଭୁଲର ଅନୁତାପରେ ମୁଁ ପ୍ରବଳ କଷ୍ଟ ପାଉଥିଲି l 


Rate this content
Log in

Similar oriya story from Romance