STORYMIRROR

Dr. Jagatabandhu Mohapatra

Abstract Action Classics

4.9  

Dr. Jagatabandhu Mohapatra

Abstract Action Classics

ଆଲୋକର ପଥେ

ଆଲୋକର ପଥେ

2 mins
311


                          

ସେଦିନ ସକାଳୁ ସକାଳୁ ଦୈନିକ ଓଡିଆ ଖବରକାଗଜ ଦେଖୁ ଦେଖୁ ଆଖିଟା ତାଙ୍କର ସ୍ଥିର ହୋଇଗଲା, ଏକ “ଶୋକ ସମ୍ବାଦ” ଉପରେ; ତାହାଲେ, ଚନ୍ଦ୍ରଭାନୁ ସା˚ସାରିକ ଜୀବନର ସମସ୍ତ ମୋହ ମାୟା ତୁଟାଇ ଆରପାରିକୁ ଚାଲିଗଲା ! ଭାବନାର ବୁଢିଆଣୀ ଜାଲରେ ଛନ୍ଦି ହୋଇ ଶୁଭକାନ୍ତଙ୍କ ମନଟା କାହିଁକି କେଜାଣି ବିଚଳିତ ହୋଇଉଠିଲା I ଭାବିଲେ ଅନେକ ବର୍ଷ ଧରି ଚନ୍ଦ୍ରଭାନୁ ସହିତ ଆଉ ଦେଖା ହୋଇପାରିନି I ଚାକିରୀରୁ ଅବସର ନେଲାପରେ ଚନ୍ଦ୍ରଭାନୁ ଚାଲିଗଲା, ତା’ ଜନ୍ମ ମାଟିକୁ I ସାନପୁଅ, ବୋହୁ, ନାତି, ନାତୁଣୀ ସମସ୍ତଙ୍କ ଗହଣରେ, ତା’ର ଶେଷ ଜୀବନଟା ବଡ ସୁଖରେ କଟିଥିବ ! ସେ ଅତି ଧର୍ମପରାୟଣ ବ୍ୟକ୍ତି ଥିଲା I ମନରେ ଗର୍ବ କି ଅହଙ୍କାରର ଛିଟା ବି ନଥିଲା I କେତେ ସରଳ, ଆମାୟିକ ଥିଲା, ସେ I ତା’ ଅଭିନୟ ସରିଗଲା, ଦୁନିଁଆ ରଙ୍ଗମଞ୍ଚରୁ ସେ ବିଦାୟ ନେଲା I


ମୋତେ ବି ଦିନେ ବିଦାୟ ନେବାକୁ ପଡିବ ! ହେଲେ ସେ ବେଳ ଆଉ କେତେ ଡେରି ? କେତେ ଲମ୍ବା ? ବୟସର ଅପରାହ୍ନରେ ବାର୍ଦ୍ଧକ୍ୟର କଷାଘାତରେ ମୁଁ ଆଜି କ୍ଲାନ୍ତ, ଭୀଷଣ କ୍ଲାନ୍ତ I କାଳର କରାଳ ସ୍ରୋତରେ ମୁଁ ଆଜି ଥୁଣ୍ଟା ବରଗଛଟିଏ ପରି ଠିଆ ହୋଇଛନ୍ତି I ସୁଖଦୁଃଖର ନିବିଡ ସାଥୀଟିଏ ସାଜିବାକୁ ଧର୍ମପତ୍ନୀ ଆଜି ମୋ ପାଖରେ ନାହାନ୍ତି I ଦୁଇ ବର୍ଷ ହେଲା, ସେ ଆରପାରିକୁ ଚାଲିଯାଇଛି I ବାର୍ଦ୍ଧକ୍ୟତାର ଆଶାବାଡି ହୋଇ ପଥରେ ଚଲେଇ ନେବାକୁ ପୁଅ ବି ମୋ ପାଖରେ ଆଜି ନାହିଁ I ସେ ତ ତାର ସଂସାର କରିଛି, ସାତ ଦରିଆ ତେର ନଈ ପାରି ହୋଇ ସୁଦୂର ବିଦେଶରେ I ତାର ସମୟ ନାହିଁ, ବହୁତ ବ୍ୟସ୍ତ ସେ I ପଇସା କମେଇବାର ପ୍ରବଳ ଆଶକ୍ତି I ସକାଳୁ ସଞ୍ଜ ଯାଏ, ହାଡଭଙ୍ଗା ପରିଶ୍ରମ I ଆଉ ଝିଅ, ସେ ବି ଜ୍ଵାଇଁ ସହ ବିଦେଶରେ I


ସେହି ନିଶା ମୋର ବି ଦିନେ ଥିଲା I ହାତରେ ପ୍ରଚୁର କ୍ଷମତା ବି ଥିଲା, କଲମ ମୁନରେ ବିଶ୍ଵର ଆକୃତି ବଦଳେଇ ଦେବାର ଅହଙ୍କାର ବି ଥିଲା I ଅନେକ ପ୍ରଂଶସା, ମାନପତ୍ର , ସମ୍ବର୍ଦ୍ଧନା ରାଷ୍ଟ୍ରମୁଖ୍ୟଙ୍

କ ଠାରୁ ବି ପାଇଛି, ମୁଁ I ପାପ କି ପୂଣ୍ୟ, ତା’ର ହିସାବ ଅବଶ୍ୟ ମୁଁ ରଖିନି, କିନ୍ତୁ କ୍ଷମତାର ସଫଳ ପ୍ରୟୋଗକାରୀ ହିସାବରେ ମୋର ଅନେକ ନାଁ ଅଛି I


ହେଲେ ଆଜି ମୁଁ ଏକା I ନିହାତି ଏକା I ବିରାଟ ବଙ୍ଗଳା, ହେଲେ ବଙ୍ଗଳାର ଅନ୍ତେବାସୀ ମାତ୍ର ଦୁଇଜଣ I ମୁଁ ଆଉ ମୋର ସହଯୋଗୀ ମଦନ - ଚାକର, ପୂଜାରୀ, ଗୁମାସ୍ତା, ସଖା, ସହୋଦର ଯାହା ବି କୁହାଯାଇପାରେ ତାକୁ I


ଜୀବନରେ ମୁଁ ଯାହା ଚାହିଁଛି, ସବୁ ପାଇଛି I ସମସ୍ତ କାମନା ବାସନା ପୂର୍ଣ୍ଣ ହୋଇଛି I ତଥାପି ମୁଁ ସନ୍ତୁଷ୍ଟ ହୋଇପାରୁନି I ସୁଦକ୍ଷ ଅଫିସର, ସ୍ଵାମୀ, ପିତା, ଭାତ୍ରା, ପୁତ୍ର ସବୁ ଭୂମିକାରେ ନିଖୁଣ ଅଭିନୟ କରି ସଫଳ ଅଭିନେତାର ଆଖ୍ୟା ପାଇଛି I କିନ୍ତୁ ଆଉ କ’ଣ ଅପୂରଣ ରହିଛି, ଯେ ମୁଁ ଏତେ ଅଶାନ୍ତି ଭୋଗୁଛି ?


ହଠାତ୍ ତାଙ୍କ ଚିନ୍ତାର ପୂର୍ଣ୍ଣଛେଦ ଘଟିଲା; ବାହାରୁ ଭାସି ଆସୁଥିଲା-

“ରାମ ନାମ ସତ୍ୟ ହେ,

  ହରି ନାମ ସତ୍ୟ ହେ”...


ହଠାତ୍ ଚିତ୍କାର କରି ଉଠିଲେ, ଶୁଭକାନ୍ତ I “ପାଇଗଲି-ପାଇଗଲି; ପାଇଗଲି, ମୁଁ ପାଇଗଲି” I ଶୁଭକାନ୍ତଙ୍କ ଚିତ୍କାର ଶୁଣି ଦଉଡି ଆସିଛି, ମଦନ I ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଛି, ଶୁଭକାନ୍ତଙ୍କୁ I ଶୁଭକାନ୍ତଙ୍କ ମୁହଁରୁ ଭାବ ବିହ୍ଵଳ ସ୍ଵରରେ ବାହାରି ଆସିଛି I


“ବ୍ରହ୍ମ ସତ୍ୟ” “ବ୍ରହ୍ମ ସତ୍ୟ ଜଗତ୍ ମିଥ୍ୟା”

“ଏକଂ ବ୍ରହ୍ମ ଦ୍ଵିତୀୟଂ ନାସ୍ତି”

“ଅହଂ ବ୍ରହ୍ମାସି”

ଅଧିକ ଭାବ ବିହ୍ଵଳିତ ହୋଇ ସେ ଗାଈ ଚାଲିଲେ-

“ତ୍ଵମେବ ମାତା ଚ ପିତା ତ୍ଵମେବ

ତ୍ଵମେବ ବନ୍ଧୁଶ୍ଚ ସଖା ତ୍ଵମେବ

ତ୍ଵମେବ ବିଦ୍ୟା ଦ୍ରବିଣଂ ତ୍ଵମେବ

ତ୍ଵମେବ ସର୍ବଂ ମମ ଦେବ ଦେବ”

ଲୁହ ଧାର ଧାର ନୟନରେ ସେ ନିଜର ସତ୍ତା ହରାଇ କୀର୍ତ୍ତନ କରୁଥାନ୍ତି-

“ହରେ କୃଷ୍ଣ ହରେ କୃଷ୍ଣ

କୃଷ୍ଣ କୃଷ୍ଣ ହରେ ହରେ

ହରେ ରାମ ହରେ ରାମ

ରାମ ରାମ ହରେ ହରେ”

ସେଇ ଆଲୋକର ପଥରେ ଆଗେଇ ଚାଲିଥାନ୍ତି, ଶୁଭକାନ୍ତ ଆଗକୁ, ଆଗକୁ, ଆଗକୁ, ଆହୁରି ଆଗକୁ !

 

 



Rate this content
Log in

Similar oriya story from Abstract