ରକ୍ତ ସମ୍ପର୍କ
ରକ୍ତ ସମ୍ପର୍କ
“ ଗାଁ ” ! ଗାଁ ଏମିତି ଏକ ଆବେଗ, ଯେଉଁଠି ପିଲାଦିନର କଥା ସବୁ ମନେ ପଡ଼ିବା ମାତ୍ରେ ହୃଦୟରେ ଅନେକ ସ୍ପନ୍ଦନ ଆପେ ଆପେ ସୃଷ୍ଟି ହୁଏ । ସତେଜ ସକାଳର ବାୟୁ, ଆମ୍ବ ତୋଟାର ପସରା, ପୋଖରୀର ପରିଧି, ଜମିର ହିଡ଼, ଗଛଲତାର ଛାଇ, କ୍ଷେତରେ ଚାଲୁଥିବା ପାଦ, ଗାଁ ମନ୍ଦିରର ଘଣ୍ଟ ଶବ୍ଦ, ସାଙ୍ଗମାନଙ୍କ ସହିତ ଖେଳିବାରେ ଅତିବାହିତ ହେଉଥିବାର ସମୟ, ସବୁକିଛି ଆଖି ଆଗରେ ନାଚି ଉଠେ, ଏକ ଚଳଚ୍ଚିତ୍ରର ରିଲ ପରି । ଗାଁର ସବୁ ପିଲାମାନେ ହସିଖେଳି ଦାଣ୍ଡରେ ଖାଲି ପାଦରେ ଏକାଠି ଦୌଡୁଥିଲୁ, ବେଳେବେଳେ ଆମେ ଖେଳରେ ହାରି ଯାଉଥିଲୁ ଏବଂ ବେଳେବେଳେ ଜିତିଥିଲୁ, କିନ୍ତୁ ପ୍ରତ୍ୟେକ ମୁହୂର୍ତ୍ତରେ ଏକ ମୂଲ୍ୟବାନ ସୁଖ ଲୁଚି ରହୁଥିଲା । ଗାଁର ପ୍ରତ୍ୟେକ ଗଛଲତା, ପ୍ରତ୍ୟେକ ଗଳି ଆମକୁ ଜାଣିଥିଲେ, ଚିହ୍ନିଥିଲେ ଏବଂ ଆମେ ମଧ୍ୟ ସେମାନଙ୍କ ସହ ଏକାଠି ଅନୁଭବ କରୁଥିଲୁ ।
କିନ୍ତୁ ମୁଁ ଏଥର ଗାଁକୁ ଫେରିବା ପରେ ବହୁତ କିଛି ବଦଳି ଯାଇଥିଲା । ଯେଉଁଠାରେ ପୂର୍ବରୁ କାଦୁଅ ରାସ୍ତା ଏବଂ ଚାଳ ଘର ଥିଲା । ବର୍ତ୍ତମାନ ପକ୍କା ରାସ୍ତା ଏବଂ ବଡ ଘର ନିର୍ମାଣ କରାଯାଇଥିଲା । ଚାରିଆଡ଼ କଂକ୍ରିଟ ଜଙ୍ଗଲ । ବିଦ୍ୟୁତ୍, ଜଳ ଏବଂ ଅନ୍ୟାନ୍ୟ ସୁବିଧା ଯାହା ଏକଦା ଦୂରରୁ ଦେଖାଯାଉଥିଲା, ତାହା ବର୍ତ୍ତମାନ ଗାଁର ଏକ ଅଂଶ ହୋଇଯାଇଥିଲା ।
ବୋଧେ ହୁଏ, ଗାଁରେ ସ୍ନେହୀଲୋକଙ୍କ ସଂଖ୍ୟା କମି ଯାଇଛି I ଗାଁର ପୁରୁଣା ନୀରିହତା ଏବଂ ସରଳତା ବୋଧେ ହୁଏ, କୌଣସି ସ୍ଥାନରେ ହଜିଯାଇଛି । ବର୍ତ୍ତମାନ ଏହା ଏକ ଔପଚାରିକତା ଭଳି ଅନୁଭବ ହେଉଛି । ଲୋକଙ୍କ ବ୍ୟବହାର ଓ ଚାଲିଚଳଣ ମଧ୍ୟ ବଦଳି ଯାଇଛି । ସମସ୍ତେ ନିଜ କାମରେ ବ୍ୟସ୍ତ । ବିକାଶ ଗାଁକୁ ନୂତନ ସୁବିଧା ଦେଇଦେଲା, କିନ୍ତୁ ସେହି ସମୟର ସେହି ପୁରୁଣା ଗାଁର ସରଳତା ଏବଂ ପରିଚୟ ମଧ୍ୟ ନଷ୍ଟ ହୋଇଗଲା ।
ଗାଁ ବର୍ତ୍ତମାନ ଧୀରେ ଧୀରେ ଏକ ସହରର ରୂପ ନେଉଛି । ନୂଆ ନୂଆ ଦୋକାନ ଖୋଲିଛି । ଗାଁ ବଜାରରେ ଭିଡ଼ ବୃଦ୍ଧି ପାଇଛି ଏବଂ ଆଧୁନିକତାର ଛାପ ସବୁଆଡେ ଦୃଶ୍ୟମାନ ହେଉଛି । ଯେଉଁଠାରେ ପୂର୍ବରୁ ଶଗଡ଼ ଏବଂ ସାଇକେଲ ଦେଖାଯାଉଥିଲା, ବର୍ତ୍ତମାନ ସେଠାରେ ମୋଟରସାଇକେଲ ଏବଂ କାର ଚାଲୁଥିବାର ଦେଖାଯାଉଛି । ପିଲାମାନଙ୍କର ଖେଳ ପଡିଆ ବର୍ତ୍ତମାନ ସୀମିତ ହୋଇଯାଇଛି ଏବଂ ମୋବାଇଲରେ ସେମାନେ ଅଧିକ ହଜିଯାଇଛନ୍ତି । ଯଦିଓ ଏହି ବିକାଶ ଗାଁର ଜୀବନରେ ଅନେକ ସୁବିଧା ଆଣିଛି, ସେହି ସମୟରେ ଗାଁର ପୁରୁଣା ପରିଚୟ, ଏହାର ସଂସ୍କୃତି ଏବଂ ପାରମ୍ପାରିକ ଜୀବନଶୈଳୀ ମଧ୍ୟ ପରିବର୍ତ୍ତନ ହୋଇଛି ।
ଭୁବନେଶ୍ଵରରୁ ଆସିକି ଆଗ ଘରକୁ ନ ଯାଇ ମୁଁ ଗାଁର କ୍ଷେତ, ଆମ୍ବ ତୋଟା, ପୋଖରୀ ଆଡ଼େ ବୁଲି ବୁଲି ଅତୀତର ସେହି ପୁରୁଣା ପୃଷ୍ଠା ସବୁକୁ ଖୋଲି ଚାଲିଥିଲି । କ’ଣ ପାଇଁ କେଜାଣି ମନ ଭିତରେ କେମିତି ଗୋଟେ ଅଭାବର ଅନୁଭବ ହେଉଥିଲା । ଏମିତି ଚାଲି ଚାଲି ମୁଁ ଗାଁ ଭିତରକୁ ପଶିଲି ।
ଛାୟା ନାନୀ ପ୍ରଧାନ ଘର କୋଠାଘର ପିଣ୍ଡାରେ ବସି ରାହା ଧରି କାନ୍ଦୁଥାନ୍ତି I ସବୁ ସରିଗଲାରେ, ସବୁ ସରିଗଲା I ମା' ପେଟର ଭଉଣୀମାନେ ଆଜି ତା' ଗୋଟିଏ ବୋଲି ଭାଇକୁ ମାରିଦେଲେ I ଏଇ ଭଉଣୀମାନେ ଗୋଟେ ଗୋଟେ ଖୁନୀ, ଗୋଟେ ଗୋଟେ ଆସାମୀ I ଛାୟା ନାନୀ ବହୁତ ଜୋରରେ ରାହା ଧରି କାନ୍ଦୁଥାନ୍ତି I ଗାଁରେ କେମିତି ଗୋଟେ ଦୁଃଖଦ ବାତାବରଣଟିଏ ସୃଷ୍ଟି ହୋଇଯାଇଥିଲା I
ଏ କଥା ଶୁଣି ମୋତେ ବହୁତ ଅଜବ ଲାଗିଲା I ସତରେ କ'ଣ ଭଉଣୀମାନେ ତା' ଭାଇକୁ ମାରିଦେଲେ ? ଗୋଟେ ମା' ପେଟରୁ ଜନ୍ମ ନେଇ ରକ୍ତ ସମ୍ପର୍କରେ ବାନ୍ଧି ହୋଇ ଏମିତି କେମିତି କରି ପାରିଲେ ?
ଆମ ଘରର ଅବସ୍ଥା ଭଲ ନଥିବାରୁ ମୁଁ ମୋ ମାମୁଁ ଘରେ ରହି ପାଠ ପଢ଼ିଲି I ଏବେ ଗୋଟେ କମ୍ପାନୀରେ ଚାକିରୀ କରୁଛି I ଛୁଟି ଥିବାରୁ ଗାଁକୁ ଆସିଥିଲି I ଏ କଥା ଶୁଣି ମୋତେ କେମିତି ଅଜବ ଲାଗିଲା I ମୋ ବୋଉ ଓ ମାମୁଁଙ୍କ ଭିତରେ ତ ବହୁତ ଭଲ ସମ୍ପର୍କ I ଅଭାବ ଅନାଟନ ଭିତରେ ବି ଭାଇ ଭଉଣୀ ଭିତରେ ଭଲ ପାଇବା ଅଛି I କିନ୍ତୁ ମୁଁ ତ ଶୁଣିଛି, ଏମାନେ ଗାଁର ବହୁତ ବଡ଼ ଲୋକ I ଗାଁର ପ୍ରଧାନ ଘର I ପ୍ରଧାନମାନେ ଗାଁର ମୁଖ୍ୟ, ଗାଁ କ'ଣ ଏହି ଆଖପାଖ ଅଞ୍ଚଳରେ ବହୁତ ନାଁ ଡାକ ଅଛି, ଏହି ପରିବାରର I ସାଙ୍ଗିଆ ପ୍ରଧାନ ନୁହେଁ I ନାଁ ତାଙ୍କର ମାନଗୋବିନ୍ଦ ପାଣିଗ୍ରାହୀ I ତାଙ୍କ ବାପାଙ୍କ ନାଁ ନରସିଂହ ପାଣିଗ୍ରାହୀ I ଆମ ଅଞ୍ଚଳର ବହୁତ ବଡ଼ ଜମିଦାର ଘର, ତାଙ୍କର I
କାହାକୁ ଏ ବିଷୟରେ ପଚାରିବି ? କ'ଣ କରିବି ? କେମିତି ଜାଣିବି ? ହଁ, ଆମ ଗାଁର ଦାମ ଅଜାକୁ ପଚାରିଲେ, ସେ ସବୁ କଥା ମୋତେ ଠିକ ସେ କହିବେ I ଠିକ କଥା, ମୁଁ ଏବେ ଦାମ ଅଜାଙ୍କ ପାଖକୁ ଯିବି I
ଦାମ ଅଜା ଆମ ଗାଁର ଜଣେ ବୟସ୍କ ଲୋକ I ଜମି ମପାମପି କରିବା, ଛୋଟ ମୋଟ ଝଡା ଫୁଙ୍କା କରିବା, ଖଜଣା ଦେବା ଏହି ସବୁ କାମରେ ସେ ଧୁରନ୍ଧର I ଇତିହାସ ଉପରେ ତାଙ୍କର ଅଗାଧ ଜ୍ଞାନ I ଗାଁ ମନ୍ଦିର ଇତିହାସଠୁ ଆରମ୍ଭ କରି ଗଜପତି ମହାରାଜା, ଆମ ଅଞ୍ଚଳର ଇତିହାସ, ଜଗନ୍ନାଥ ମହାପ୍ରଭୁ ଓ ଅନ୍ୟାନ୍ୟ ଇତିହାସ ବିଷୟରେ ତାଙ୍କର ଅଗାଧ ଜ୍ଞାନ I
ତରତର ହୋଇ ଦାମ ଅଜାଙ୍କ ଘରକୁ ମୁଁ ଗଲି I ତାଙ୍କ ଘରେ ଯାଇ ପହଁଚିଲା, ବେଳକୁ ତାଙ୍କ ଘରେ କହିଲେ, ସେ ଗାଁ ମଶାଣିକୁ ଯାଇଛନ୍ତି, ଆଜି ମାନବାବୁ ଚାଲିଗଲେ, ତ !
ହଉ ଠିକ ଅଛି, ଆସନ୍ତୁ ସବୁ କଥା ତାଙ୍କ ଠାରୁ ବୁଝିବି I ସେ ତାଙ୍କ ଘରେ ଚଳନ୍ତି, ସବୁ କଥା ଜାଣିଥିବେ I କାରଣ ଅନେକ ଲୋକ ଅନେକ କଥା କହୁଛନ୍ତି I କିନ୍ତୁ ପ୍ରକୃତ ସତ୍ୟଟା ମୁଁ କେବଳ ଦାମ ଅଜାଙ୍କଠୁ ହିଁ ଜାଣିପାରିବି I
ସେଦିନ ରାତିରେ ମୋତେ ଠିକ ସେ ନିଦ ହେଲାନି I ଲୋକେ କହୁଛନ୍ତି, ମାନବାବୁଙ୍କ ଭଉଣୀମାନେ ତାଙ୍କ ବାପା ନରସିଂହ ପାଣିଗ୍ରାହୀଙ୍କ ସମ୍ପତ୍ତିରୁ ଭାଗ ନେଲେ I ଏ କଥା ମାନବାବୁଙ୍କୁ ବହୁତ ଆଘାତ ଦେଲା I ତାଙ୍କ ଭଉଣୀମାନେ କଣ ପାଇଁ ତାଙ୍କ ସହ ଏମିତି କଲେ ? ମୋ ବୋଉ ଆଉ ମାମୁଁ କେତେ ଭଲରେ ଚଳନ୍ତି I ଭାଇ ଭାଗ କଥା ମୋ ବୋଉ କେବେ ବି ସ୍ୱପ୍ନରେ ଭାବି ନଥିବ I
ତା' ପରଦିନ ଦାମ ଅଜାଙ୍କ ପାଖକୁ ଯାଇ ଏ କଥା ତାଙ୍କୁ ପଚାରିଲି I ମୋ କଥା ଶୁଣି ଦାମ ଅଜା କଣ ପାଇଁ କେଜାଣି ଭାବୁକ ହୋଇ ପଡିଲେ I ଆଖିରେ ଆଖିଏ ଲୁହ ଆଉ ଛାତିରେ ଛାତିଏ କୋହ ଧରି କହିଚାଲିଲେ I ମାନଗୋବିନ୍ଦ ପାଣିଗ୍ରାହୀ ମାନେ ଆମ ମାନବାବୁ I କଅଁରପୁର ଗାଁର ନରସିଂହ ପାଣିଗ୍ରାହୀଙ୍କ ପୁଅ I ସେ ଥିଲେ, ଏକ ଆଭିଜାତ୍ୟ ପୂର୍ଣ୍ଣ ଜମିଦାରୀ ଘରର ସନ୍ତାନ I ତାଙ୍କର ଥିଲା, ସେତେବେଳେ ୪୦ ବାଟି ସମ୍ପତ୍ତି I ଲୋକେ କହନ୍ତି, ନରସିଂହ ପାଣିଗ୍ରାହୀଙ୍କ ନାଁ ଶୁଣିଲେ ଗର୍ଭିଣୀ ଗାଈ ବି ବାଟ ଛାଡିଦିଏ I ମାନ ବାବୁ ଏତେ ବଡ ଜମିଦାରୀ ଘରେ ଜନ୍ମ ହୋଇଥିଲେ, ବି ଭଲ ପାଠ ପଢୁଥିଲେ I ସେତେବେଳେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ଵର୍ଣ୍ଣ ପଦକ ଲାଭ କରି କୃତିତ୍ଵର ସହ ଏମ. ଏ. ପାସ କରିଥିଲେ I କିନ୍ତୁ ନନାଙ୍କ ଆଦେଶରେ ସରକାରୀ ଚାକିରୀରେ ଯୋଗ ଦେଇନଥିଲେ I
ଆମେ ସବୁ ଦେଖିଛୁ, କେତେ ସମ୍ମାନ ମିଳୁଥିଲା, ତାଙ୍କୁ ଆଉ ତାଙ୍କ ପରିବାରକୁ I ତାଙ୍କ ଘରେ ସବୁ କାମ କରିବାକୁ ଲୋକବାକ ଥିଲେ I ପ୍ରଧାନ ଘର ସବୁବେଳେ ଗହଳି ରହୁଥିଲା I ହଳିଆ, ମୁଲିଆ, ଗଉଡ ସବୁବେଳେ ଘରକୁ ଯିବା ଆସିବା କରୁଥିଲେ I ଗାଈ, ବଳଦ, ପଣ୍ଡା, ମଇଁଷି, ଛେଳି ସବୁ ତାଙ୍କ ଘରେ ଥିଲେ I ପାଞ୍ଚ ଜଣ ପିଉସୀ, ଚାରି ଜଣ ଭଉଣୀ, ତାଙ୍କ ପିଲାମାନେ, ମାମୁଁ ଘର ଲୋକ ଆଉ ଅନ୍ୟାନ୍ୟ ସ୍ନେହ ସମ୍ପର୍କ ବଂଧୁବାନ୍ଧବମାନେ ବି ଘରକୁ ସେତେବେଳେ ଆସୁଥିଲେ I
ଯୌଥ ପରିବାରର ଚଳଣି, ପିଲାଛୁଆଙ୍କ ଗହଳି, ଓଷା, ବାହାଘର, ବ୍ରତଘର, ବିଭିନ୍ନ ପର୍ବପର୍ବାଣୀ ଯେମିତିକି ରଜ, ଦଶହରା, କୁମାର ପୂର୍ଣ୍ଣିମା, ଦୋଳ ଆଉ ଝୁଲଣରେ ସମସ୍ତେ ଏକାଠି ହେଉଥିଲେ I ଆମେ କେବେ ବି ଦେଖିନୁ ପ୍ରଧାନ ଆଜ୍ଞାଙ୍କ ଘରେ ଚୁଲି କେବେ ଲିଭିବାର ! ତାଙ୍କ ଚୁଲିରୁ ଆମ ଭଳି ଲୋକମାନଙ୍କର ପେଟର ନିଆଁ ବି ଶାନ୍ତ ହେଉଥିଲା I ବହୁତ ଲୋକ ଏଇ ଘରୁ ତ ମଣିଷ ହୋଇଛନ୍ତି I ଏ ଦୁନିଆରେ ସମସ୍ତେ ସବୁ ଭୁଲିଗଲେ ବି ମୁଁ କିଛି ବି ଭୁଲିନି I ରାଜା ଘର ଦୁଆର ଇୟେ, ପୁଅ I
ତାଙ୍କ ଘର ଦୁଆରେ ଆମ ଅଞ୍ଚଳର ଯାହାର ଯାହା ସୁବିଧା ଅସୁବିଧାର ଶୁଣାଣି ହେଉଥିଲା I ନ୍ୟାୟ, ନିଶାପ ବି ତାଙ୍କ ଦୁଆରେ ହେଉଥିଲା I ତାଙ୍କ ପରିବାର ସବୁ ଲୋକଙ୍କର ପ୍ରବଳ ସମ୍ମାନ ଥିଲା I ସେ ଅଞ୍ଚଳର ମୁଖ୍ୟ ହିସାବରେ ତାଙ୍କ ପରିବାରକୁ ଅଗ୍ରାଧିକାର ଦିଆଯାଉଥିଲା I ସେତେବେଳେ ତାଙ୍କ ଘର ଆଗରେ ଜମି ଧରିବାକୁ ଆଉ ଗୁହାରି କରିବାକୁ ବହୁତ ଲୋକ ରୁଣ୍ଡ ହେଉଥିଲେ I
ଏବେ ବି ମୋର ମନେ ଅଛି, ନରସିଂହ ପାଣିଗ୍ରାହୀ ପ୍ରଥମ ବ୍ୟକ୍ତି ଥିଲେ, ଯିଏ ଆମ ଅଞ୍ଚଳକୁ ଆଗ ସାଇକେଲ ଆଣିଥିଲେ I ସାଇକେଲ ବା ଶୂନଗାଡିକୁ ସେତେବେଳେ ଦେଖିବାକୁ ପ୍ରବଳ ଜନ ସମାଗମ ହୋଇଥିଲା I ଆଉ ଯେତେବେଳେ ପ୍ରଥମେ ସେ ରାଜଦୂତ ଗାଡି ଆଣିଥିଲେ I ଆଉ ଘରକୁ ଆଣିବା ପୂର୍ବରୁ ଆମ ଗାଁ ମଙ୍ଗଳା ମନ୍ଦିରରେ ଗାଡି ପୂଜା ପାଇଁ ଅଟକିଥିଲେ I ଆମ ଅଞ୍ଚଳର ବହୁତ ଲୋକ ସେଠାରେ ଯାଇ ଜମା ହୋଇଥିଲେ, ଯେମିତି ରଥଯାତ୍ରା ଚାଲିଛି I
ନରସିଂହ ପାଣିଗ୍ରାହୀଙ୍କର ଚାରି ଝିଅ ଆଉ ଗୋଟେ ପୁଅ I ବହୁତ ବଡ଼ ବଡ଼ ଘରେ ସେ ତାଙ୍କର ସବୁ ଝିଅଙ୍କୁ ବାହା ଦେଇଥିଲେ I ସମୟ ଆଗେଇ ଚାଲିଲା, ଆଗକୁ ଆହୁରି ଆଗକୁ I ବୁଢାବାବୁ ନରସିଂହ ପାଣିଗ୍ରାହୀ ଚାଲିଗଲେ I ମାନ ବାବୁଙ୍କର ତିନି ଝିଅ I
ଧୀରେ ଧୀରେ ଜମିଦାରୀ ପ୍ରଥା ଲୋପ ପାଇବାକୁ ଲାଗିଲା I ଆଉ ସମୟ ମଧ୍ୟ ବଦଳି ଚାଲିଲା, ପୂର୍ବର ସେ ଖାତିର ବି କମିବାକୁ ଲାଗିଲା I ଭାଗ ଚାଷ ବଦଳରେ କୁତ ବ୍ୟବସ୍ଥା ଆସିଲା I କୁତମାନେ ମାଣକୁ ଗୋଟେ ବସ୍ତା I ଯିଏ ଜମି ଧରିବ, ସେ ଯେତିକି ଅମଳ କରିବ, ସବୁ ତାର I ସେ କେବଳ ଗୋଟେ ବସ୍ତା ମାଲିକଙ୍କୁ ଦେବ I
ମାନ ବାବୁ କେବଳ ତାଙ୍କ ପରିବାରର ସାଙ୍ଗିଆକୁ ଧରି ବଂଚିଥିଲେ I ହେଲେ ତା’ ପଛରେ ଥିବା ଓଜନ ଆଉ ନ ଥିଲା I ଉଡି ଯାଇଥିଲା, କର୍ପୁର, ଆଉ କେବଳ ପଡିରହିଥିଲା, କନା I
ତାଙ୍କ ନନା ଆଉ ବୁଢାବାପାଙ୍କ ସେତେବେଳର ପ୍ରତିପ୍ରତ୍ତି ଧୀରେ ଧୀରେ ତାଙ୍କ ଅମଳରେ କମିବାକୁ ଲାଗିଥିଲା I ଜମିଦାର ଭାବେ ଯେଉଁ ସମ୍ମାନ ତାଙ୍କ ନନା, ବୁଢାବାପାଙ୍କର ଆମ ଅଞ୍ଚଳରେ ଥିଲା, ତାହା ତାଙ୍କର ନଥିଲା I ମାନବାବୁ ବହୁତ ପାଠ ପଢିଥିଲେ, ଆଉ ଅନେକ ସରକାରୀ ଚାକିରୀଗୁଡିକୁ ସେତେବେଳେ ଛାଡ଼ିଦେଇଥିଲେ, ନନାଙ୍କ ଆଦେଶରେ I
ଆଉ କିଛି ରୋଜଗାରର ବାଟ ନଥିବାରୁ ତିନିଝିଅଙ୍କର ବିବାହ କରିବା ପାଇଁ ଜମିବାଡ଼ି ବିକିବାକୁ ଚାହିଁଲେ, କିନ୍ତୁ ଚାରି ଭଉଣୀଙ୍କର ଦସ୍ତଖତ ନହେଲେ, କୌଣସି ଜମି ସେ ବିକିପାରିବେନି I ଛାୟା ନାନୀ ମାନେ ଛାୟାରାଣୀ ତ୍ରିପାଠୀଙ୍କୁ ଛାଡ଼ିଦେଲେ, ଆଉ କୋଉ ଭଉଣୀ ଦସ୍ତଖତ ଦେବାକୁ ରାଜି ହେଲେନି I ଖାଲି ଲୋଭ I କୌଣସି ଭଉଣୀଙ୍କର କିଛି ବି ଅଭାବ ଅନାଟନ ନଥିଲା I ସମସ୍ତେ ବହୁତ ବଡ ବଡ ଘରେ ବାହା ହୋଇଥିଲେ I
ଯୋଉ ଭାଇ ସବୁ ପର୍ବପର୍ବାଣୀରେ ଭଉଣୀ ଘରକୁ ଯାଉଥିଲେ I କୋଉଥିରେ କିଛି ବି ଅବହେଳା କରି ନଥିଲେ I ତାଙ୍କ ପ୍ରତି ଭଉଣୀମାନେ ଏମିତି କରିବେ ବୋଲି କେହି କେବେ ଭାବି ନ ଥିଲେ I ବାହାଘର ବେଳେ ବହୁତ ସୁନା, ଟଙ୍କା, ସମ୍ପତ୍ତି ଓ ଯୌତୁକ ଦିଆଯାଇଥିଲା I କିନ୍ତୁ ଭାଇର ଏ ଅବସ୍ଥାରେ ଭଉଣୀମାନେ ଏମିତି କରିବାଟା କ'ଣ ଠିକ ? ଲୋଭ ସବୁ ଲୋଭ I ବଡ଼ ଘରେ ତମମାନଙ୍କୁ ବୁଢ଼ାବାବୁ ଆମର ବାହା ଦେଲେ, କୋଉଥିରେ କିଛି ଅଭାବ କରିନାହାନ୍ତି I ତଥାପି ଭାଇର ଏ ଅବସ୍ଥାରେ ଟିକେ ବି ମନ ଦୁଃଖ ହେଲାନି କେମିତି ? ସମସ୍ତଙ୍କର ଧନ ଥାଇକି ବି ଆହୁରି ଲୋଭ କେବଳ ଆମର ଛାୟା ମା'ଙ୍କୁ ଛାଡିଦେଲେ I ସମସ୍ତେ ଗୋଟେ ଗୋଟେ ଅପରାଧୀ I
ଧୀରେ ଧୀରେ ଜମିଦାର ମାନବାବୁ ଜମିଦାରରୁ ଜଣେ ସାଧାରଣ ମଣିଷରେ ପରିବର୍ତ୍ତନ ହେଉଥିଲେ I ତାଙ୍କର ସମ୍ମାନ ଗାଁରେ କମିବାକୁ ଲାଗୁଥିଲା I ପାଖରେ ଟଙ୍କା, ପଇସା ନ ଥିଲେ, ସମ୍ମାନ ଦେବ କିଏ ? ମାନବାବୁ ଆମର କିନ୍ତୁ ବହୁତ ଶାନ୍ତ ଆଉ ସରଳ ସ୍ୱଭାବର ଲୋକ ଥିଲେ I ଅତି ଭଦ୍ର ଆଉ ଚୁପଚାପ ଲୋକ I ଆରମ୍ଭରୁ ତାଙ୍କ ମନରେ ଗର୍ବ କି ଅହଙ୍କାର ନ ଥିଲା I ନା ପାଠ ପଢ଼ାର ନା ବଂଶର I
ଅଭାବ, ଅନାଟନ ଭିତରେ ଚାଲୁଥିବା ସମୟରେ ଏଇ ଭଉଣୀମାନଙ୍କ କଥା ଭାବି ଭାବି ମାନସିକ ଭାବରେ ମାନବାବୁ ଦୁର୍ବଳ ହେବାକୁ ଲାଗିଲେ I କେମିତି ଝିଅମାନଙ୍କର ବାହାଘର କରିବେ I ଘରେ ତିନି ତିନିଟା ବଢ଼ିଲା ଝିଅ I ପରିବାର ଚଳିବ କେମିତି ? ପ୍ରଧାନ ଘର ପୁଅ ହୋଇ କେମିତି କାହା ପାଖରେ ଯାଇ କାମ କରିବେ ? ବଂଶ, ପରମ୍ପରା, ଆଭିଜାତ୍ୟର ଖୋଳପାକୁ କାଢ଼ି କେମିତି କ'ଣ କରିବେ ? ଏପଟେ ଭଉଣୀମାନେ ଦସ୍ତଖତ ଦେବାକୁ ନାରାଜ I ଭଉଣୀମାନେ କହୁଛନ୍ତି, କୋର୍ଟରେ କେସ କରି ଓକିଲ ଧରି ସବୁ ସମ୍ପତ୍ତିକୁ ଚାରି ଭାଗ କରିବାକୁ I ପ୍ରଧାନ ଘରେ ନିଜ ଭାଇ ଭଉଣୀଙ୍କ ଭିତରେ ପୁଣି କୋର୍ଟ, କେସ ଆଉ ଥାନା I ଯେଉଁଠି ଆଖ ପାଖ ଅଂଚଳର ଭାଇ ଭାଗ ବଣ୍ଟା ସବୁ ତାଙ୍କ ଘର ଦୁଆରେ ହେଉଥିଲା I ସେ ଘରର ଅବସ୍ଥା ଆଜି ଏମିତି I ଏଇସବୁ କଥା ଭାବି ଭାବି ସେ ଶାରୀରିକ ଓ ମାନସିକ ଭାବରେ ଦୁର୍ବଳ ହେବାକୁ ଲାଗିଲେ I
ଦାମ ଅଜା ପୁଣି କହିଲେ, ଆରେ ପୁଅ ମୁଁ ବହୁତ ଥର ବୁଢ଼ାବାବୁଙ୍କୁ ଆଗରୁ କହିଛି I ବାବୁ, ମାନବାବୁଙ୍କର ତ ତିନି ତିନୋଟି ଝିଅ I ଆପଣ ଭାଗ ବଣ୍ଟା କରିଦିଅନ୍ତୁ I କାଳେ ଭବିଷ୍ୟତରେ ମାନବାବୁ ହଇରାଣ ହେବେ ! କିନ୍ତୁ ବଂଶ, ପରମ୍ପରା ଆଉ ଆଭିଜାତ୍ୟର ମୋହରେ ବୁଢାବାବୁ ମନା କରିଦେଇଥିଲେ I ମୋ ଝିଅମାନେ କେବେ ସେମିତି ହେବେନି I
ଜଣେ ଅଜ୍ଞାକାରୀ ପୁଅ ହିସାବରେ କ'ଣ ପାଇଲେ ଆମ ମାନ ବାବୁ I ନା, ତାଙ୍କ ଜୀବନରେ ସୁଖ ପାଇଲେ ନା ଶାନ୍ତି I ଚାକିରୀ ଛାଡିଲେ, ଆଉ ସେମାନଙ୍କ ନାଁରେ କେସ ବି କଲେନି I
ଏମିତି ମାନସିକ ଚାପରେ ରହି ରହି ତାଙ୍କର ଦେହ ଆହୁରି ଅଧିକା ଖରାପ ହେବାକୁ ଲାଗିଲା I ଆଉ ତାଙ୍କର ଦେହାନ୍ତ ହୋଇଗଲା I
ଏ ସବୁ କଥା ଶୁଣି ମୋ ଆଖିରେ ବି ଆଖିଏ ଲୁହ ଆସିଗଲା I ଦାମ ଅଜାଙ୍କୁ ପଚାରିଲି, ଆଉ ତାଙ୍କ ସ୍ତ୍ରୀ ଓ ଝିଅମାନେ I
"ଅରକ୍ଷିତକୁ ଦଇବ ସାହା" ପୁଅ I ମୁଁ ଶୁଣିଛି, ଦଶ, ଏଗାର ଆଦି କାମ ସରିଲା ପରେ ମା' ସାହୁଆଣୀଙ୍କ ଭାଇ ତାଙ୍କୁ ନେଇଯିବେ, ତାଙ୍କ ବାପ ଘରକୁ I ସେମାନେ ସେଠି ରହିବେ I ବାବୁ ଆମର ତ ନାହାନ୍ତି, ଆଉ ଏ ଧନ ସମ୍ପତ୍ତି ତାଙ୍କର ଦରକାର ନାହିଁ, ବୋଲି ମା' ଆମର ସଫା ସଫା ସମସ୍ତଙ୍କୁ କହିଦେଇଛନ୍ତି I ମା' ସାହୁଆଣୀ ଆମର ବି ବହୁତ ଭଲ ଲୋକ ପୁଅ I ବହୁତ ସ୍ୱାଭିମାନୀ ଆଉ ସଂସ୍କାରୀ ସେ I
ଦାମ ଅଜାଙ୍କ ଠାରୁ ଏ ସବୁ କଥା ଶୁଣି ମୋତେ ବହୁତ ଦୁଃଖ ଲାଗିଲା I ଭଉଣୀମାନଙ୍କର ବେଇମାନ ରକ୍ତ ସମ୍ପର୍କକୁ ନେଇ ବହୁତ ରାଗ ଲାଗିଲା I ସେଇଦିନ ହିଁ ମୁଁ ଶପଥ ନେଲି, ମୁଁ ଚାକିରୀ କରିବା ସହିତ ଓକିଲାତି ପାଠ ପଢିବି ଆଉ ମାନବାବୁଙ୍କ ପରି ସମାଜରେ ଏମିତିକା ନିରୀହ, ସରଳ ଲୋକଙ୍କୁ ସାହାଯ୍ୟ କରିବି I
