Anita Jena

Action Inspirational Thriller

4.6  

Anita Jena

Action Inspirational Thriller

ଶିବାନୀ ର ସ୍ଵପ୍ନ

ଶିବାନୀ ର ସ୍ଵପ୍ନ

5 mins
456



ଶିବାନୀକୁ ଆଜି ଅତିଥି ହିସାବରେ ନିମନ୍ତ୍ରଣ କରା ଯାଇଛି ରେଡ଼ିଓ ରେ ସିଧା ପ୍ରସାରଣର ଏକ କାର୍ଯ୍ୟକ୍ରମ ରେ । ଶିବାନୀ ଜଣେ ଏସିଡ ମାଡ଼ ର ଶିକାର ହେଇଥିବା ପୀଡ଼ିତା ଯିଏ କି ବିନା କୌଣସି ଦୋଷ ରେ ନିଜର ସର୍ବସ୍ବ ହରେଇ ଦେଇଥିଲା ଅତୀତ ରେ । ହେଲେ ଏବେ ସେ ସାରା ଦୁନିଆ ପାଇଁ ଏକ ପ୍ରେରଣା । ଏତେ ବଡ଼ ଦୁର୍ଘଟଣା ପରେ ବି ସେ ଭାଙ୍ଗି ନ ଯାଇ ଜୀବନକୁ ନୂଆ କରି ସଜେଇ ଦେଇଛି ଏକ ଭିନ୍ନ ଢ଼ଙ୍ଗରେ । ନିଜର ଲୁକ୍କାୟିତ ପ୍ରତିଭା କୁ ନେଇ ନିଜର ଏକ ପରିଚୟ ଗଠନ କରି ପାରିଛି ଶିବାନୀ । 

   ପ୍ରସାରଣ ଆରମ୍ଭ ହେବା ପାଇଁ ସବୁକିଛି ପ୍ରସ୍ତୁତି ହେଇ ସାରିଥାଏ । ଶିବାନୀ ଠିକ୍ ସମୟରେ ଯାଇ ଷ୍ଟୁଡିଓ ରେ ପହଞ୍ଚି ଅତିଥି ଆସନ ଗ୍ରହଣ କରିନେଲେ । ଶିବାନୀ ନିଜର ପରିଚୟ ଦେଇ କହିଲେ ମୁଁ ହେଉଛି ଶିବାନୀ, ଶିବାନୀ ଷଡ଼ଙ୍ଗୀ, ଜୀବନର ବାଜି ରେ ହାରି ଯାଇ ପୁଣିଥରେ ମୁଣ୍ଡ ଟେକି ଥିବା ଗୋଟିଏ ଛୋଟ ଆଶା ଟିଏ ମୁଁ । ଦିନ ଥିଲା ମୁଁ ଏଇ ଷ୍ଟୁଡିଓ ରେ ଅନ୍ୟ ଅତିଥି ଙ୍କ ର ଇଣ୍ଟରଭିୟୁ ନେଉଥିଲି ହେଲେ ଭାଗ୍ୟ ଆଉ ସମୟ ର ବିଡମ୍ବନା ମୁଁ ଆଜି ଏ ପ୍ରସାରଣ ରେ ଅତିଥି । ଏଇଟା ମୋର ଭାଗ୍ୟ କି ଦୁର୍ଭାଗ୍ୟ ଜାଣେ ନାହିଁ । 

   ଏଥର ଶିବାନୀ ଙ୍କୁ ନିଜ ସହିତ ଘଟିଥିବା ସେ ଲୋମ ଟାଙ୍କୁରା ଦୁର୍ଘଟଣା ବିଷୟରେ ପଚରା ଗଲା । ଶିବାନୀ କହିବା ଆରମ୍ଭ କଲେ , ମୋ ଜୀବନ ରେ ଏତେ ବଡ଼ ଜଟିଳ ଆଉ ଭୟାନକ ପରିସ୍ଥିତି ଆସିବ ବୋଲି ମୁଁ କେବେ ବି ଭାବି ନ ଥିଲି । ଛୋଟ ବେଳୁ ମୁଁ ପାଠ ପଢା ରେ ଖୁବ୍ ଆଗୁଆ ଥିଲି, ସ୍କୁଲ୍ ର ବାର୍ଷିକ ଉତ୍ସବରେ ମୁଁ ଉପସ୍ଥାପିକା ର ଦାୟିତ୍ଵ ନେଉଥିଲି । ମୋର ଉପସ୍ଥାପନା କରିବାର ଷ୍ଟାଇଲ ସମସ୍ତଙ୍କୁ ବେଶ୍ ଆକୃଷ୍ଟ କରେ । ମୋର କଲେଜ୍ ରେ ମଧ୍ୟ ସମାନ ଧରଣର ପ୍ରଶଂସା କଲେ ସମସ୍ତେ ମୋର ଉପସ୍ଥାପନା ଢଙ୍ଗ କୁ । ହେଲେ ହଠାତ୍ ଜୀବନରେ ଗୋଟିଏ ଝଡ଼ ମାଡି ଆସିଲା, ବାପା ଙ୍କ ର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେଲା । ମା ଆଉ ମୁଁ ସମ୍ପୂର୍ଣ୍ଣ ଏକା ହେଇ ଗଲୁ । ମୋର ପାଠ ପଢ଼ିବା କଲେଜ୍ ଯିବା ବନ୍ଦ୍ ହେଇ ଗଲା ।ଜୀବନ ରେ ଏମିତି ପରିସ୍ଥିତି ଆସିବ ମୁଁ କେବେ କଳ୍ପନା ବି କରି ନ ଥିଲି । ବାପା ଙ୍କ ର ମୃତ୍ୟୁ ପରେ ଘର ଚଳେଇବା କଷ୍ଟ ହେଇ ପଡ଼ିଲା । ଦି ଓଳି ଦି ମୁଠା ଖାଇବା ବି ଆମ ମା ଝିଅ ଙ୍କ ପାଇଁ ସ୍ଵପ୍ନ ହେଇଗଲା ମୁଁ ବା ଆଉ ପାଠ କୋଉଠୁ ପଢି ଥାନ୍ତି । ଜଣେ ସମ୍ପର୍କୀୟଙ୍କ ସାହାଯ୍ୟ ରେ ମୋତେ ରେଡ଼ିଓ ର ସିଧା ପ୍ରସାରଣ କାର୍ଯ୍ୟକ୍ରମ କରିବା ପାଇଁ ସୁଯୋଗ ମିଳିଲା । ମୋର ସେଇ ଉପସ୍ଥାପନା କରିବାର ଦକ୍ଷତା ହିଁ ମୋତେ ଖୁବ୍ କମ୍ ଦିନ ର ପ୍ରତିଷ୍ଠିତ କରେଇ ପାରିଲା । ଲୋକ ମାନେ ମୋ କାର୍ଯ୍ୟକ୍ରମ କୁ ବହୁତ୍ ପଶନ୍ଦ କରୁଥିଲେ । 

   ମୋର ଆହୁରି ବି ଗୋଟିଏ ଗୁଣ ଥିଲା ମୁଁ କବିତା ଆଉ ଗଳ୍ପ ଲେଖୁ ଥିଲି । ହେଲେ କେବେ ସେ ସବୁ କୁ ଲୋକ ଲୋଚନ କୁ ଆଣିବା ପାଇଁ ଭାବି ନ ଥିଲି କାହିଁକି ନା ସେଇଟା ମୋ ପାଇଁ କେବଳ ମୋ ଫାଙ୍କା ସମୟର ସଦୁପଯୋଗ ବୋଲି ମୁଁ ଭାବି ନେଇ ଥିଲି । 

   ୟାରି ଭିତରେ ମୋ ଜୀବନ ରେ ପ୍ରେମ ର ବସନ୍ତ ଆସି ସାରି ଥାଏ । ପ୍ରେମ ର ବର୍ଷା ରେ ମନ ର ମଣିଷ ସହିତ ମୁଁ ବଂଚିବା ଆରମ୍ଭ କରି ଦେଇଥାଏ । ହେଲେ କିଛି ଦିନ ପରେ ମୋତେ ଷ୍ଟୁଡିଓ ଯିବା ବାଟ ରେ କେହି ଜଣେ ପିଛା କରୁଥିବାର ମୁଁ ଅନୁମାନ କଲି । କିନ୍ତୁ ପିଲା ଟି କୁ ନେଇ ମୁଁ ବେଶୀ ଗୁରୁତ୍ବ ଦେଇ ନ ଥିଲି ହେଲେ ଦିନେ ପିଲା ଟି ଆସି ମୋତେ ପ୍ରେମ ନିବେଦନ କଲା , ମୁଁ ଖୁବ୍ ଜୋରରେ ରାଗି ଯାଇ ତାକୁ ମନା କରି ଦେଇଥିଲି । ହେଲେ ସେହି ଦିନ ଠୁ ସେ ମୋତେ ବେଶୀ ହଇରାଣ କରିବାକୁ ଲାଗିଲା । ଜୋର୍ କରି ମୋର ଯିବା ରାସ୍ତା ରେ ଠିଆ ହେଇ ଯାଏ, ହଠାତ୍ ମୋ ହାତ ଧରି ନିଏ । ଦିନେ ମୁଁ ଏ ବିଷୟରେ ଥାନା ରେ ଅଭିଯୋଗ କଲି । ପୋଲିସ୍ ତାକୁ ଉଠେଇ ନେଇ ଧୁମ୍ ମାଡ଼ ମାରି ଛାଡ଼ି ଦେଲେ । ଦୁଇ ମାସ ଯାଏଁ ଆଉ ସେ ପିଲା କୁ ମୁଁ ମୋ ଯିବା ରାସ୍ତା ରେ ମୁଁ ଦେଖିଲି ନାହିଁ । ଭାବିଲି ମୋ ନିଷ୍ପତି ବୋଧେ ଠିକ୍ ଥିଲା ପୋଲିସ୍ କୁ ଜଣେଇବା । 

   ସେ ଦି ମାସ ଭିତରେ ମୁଁ ଆଉ ମୋ ପ୍ରେମିକ ଘରେ ଆମ ସମ୍ପର୍କ ବିଷୟରେ ଜଣେଇ ଦେଇଥିଲୁ । ଦୁଇ ଘରୁ ସମ୍ମତି ମିଳିବା ପରେ ଆମର ବିବାହ ସ୍ଥିର ହେଇଥିଲା । ହେଲେ ଦିନେ ଷ୍ଟୁଡିଓ କୁ ଯିବା ବାଟ ରେ ସେ ପିଲା କୁ ମୁଁ ପୁଣିଥରେ ଦେଖିଲି । ପିଲା ଟି ମୋ ସାମ୍ନା ପଟ ରୁ ବାଇକ୍ ରେ ଆସି ହଠାତ୍ ମୋ ମୁହଁ ଉପରକୁ ବୋତଲ ରେ କିଛି ଫୋପାଡି ଦେଇ ଚାଲିଗଲା । ମୁଁ ଖାଲି ଜ୍ଵାଳା ରେ ଛଟପଟ ହେଉଥିଲି । ଅଚେତ ଅବସ୍ଥାରେ ମୋତେ ଲୋକ ମାନେ ଡାକ୍ତରଖାନା ନେଇ ଗଲେ । ମୋର ତିନି ଦିନ ପରେ ଚେତା ଆସିବା ପରେ ମୁଁ ନିଜ ମୁହଁ କୁ ଦେଖି ଖୁବ୍ ଜୋରରେ ଚିତ୍କାର କରିଥିଲି । ଖୁବ୍ ଭୟଙ୍କର ଲାଗିଲା ମୋ ଚେହେରା ମୋତେ । ସମସ୍ତେ ପାଖକୁ ଆସି କେବଳ ଆଶ୍ୱାସନା ଦେଉ ଥାନ୍ତି । କେହି କେହି ତ ମୋ ଉପରକୁ ଆଙ୍ଗୁଠି ଉଠେଇ ଅନେକ କିଛି କହୁ ଥାନ୍ତି । ଲୋକ ମାନଙ୍କର ଟାହି ଟାପୁରା ଶୁଣି ମୁଁ ନିଜକୁ ଖୁବ୍ ଦୁର୍ବଳ ମନେ କରୁଥିଲି । ମୋର ପାଟି ବି ଖନି ବାଜୁ ଥିଲା । କଥା ବି ଠିକ୍ ସେ କହି ପାରୁ ନ ଥିଲି । ଛଅ ମାସ ମୁଁ ଡାକ୍ତରଖାନା ରେ ରହିଲି । ମା ମୋ ପାଖରେ ରହି ମୋର ଯତ୍ନ ନେଉ ଥାଏ । ସରକାରଙ୍କ ପ୍ରୋତ୍ସାହନ ରାଶି ରେ ମୋର ଚିକିତ୍ସା ଚାଲିଥାଏ । 

  ମୁଁ ଘରକୁ ଫେରିଲି , ମୋ ପ୍ରତି ଲୋକ ଙ୍କ ବ୍ୟବହାର ଅନେକ ବଦଳି ଯାଇଥାଏ । ମୁଁ ମୋର ଉପସ୍ଥାପିକା ର ଚାକିରୀ ବି ହରେଇ ସାରିଥାଏ । ଘରେ ବସି ରହିବା ଛଡ଼ା ଆଉ କିଛି କରି ପାରୁ ନ ଥାଏ ମୁଁ । ମୁଁ ଏକୁଟିଆ ଘରେ ରହି କଣ କରିବି କଣ କରିବି ଭାବି ପୁଣି ଥରେ ଗଳ୍ପ ଆଉ କବିତା ଲେଖିବା ଆରମ୍ଭ କଲି । ଧିରେ ଧିରେ ମୋର ଏ ଲେଖା ଲେଖି ମୋର ଗୋଟିଏ ସବୁ ଠୁ ବଡ଼ ଆଉ ଭଲ ଅଭ୍ୟାସ ହେଇଗଲା । ମୋର ଏହି ଅଭ୍ୟାସ ମୋତେ ବଞ୍ଚିବା ପାଇଁ ନୂଆ ଆଶା ଆଉ ଉଦ୍ଦୀପନା ର ରାସ୍ତା ଦେଖେଇଲା । ମୋର ଗଳ୍ପ ଆଉ କବିତା ଗୁଡ଼ିକ ପାଠକ ମାନଙ୍କୁ ପସନ୍ଦ ଆସିଲା, ଆଉ ମୁଁ ଏବେ ଦୁଇ ଦୁଇ ଟି ଆୱାର୍ଡ ର ଅଧିକାରୀ । ଜଣେ ଭଲ ଲେଖିକା ହିସାବ ରେ ମୁଁ ଆଜି ସବୁଆଡେ ପରିଚିତ । ଏସିଡ ମାଡ଼ ପରେ ମୋ ଚେହେରା ର ଆକୃତି ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଥିଲା । ଲୋକଙ୍କର ତିରସ୍କାର ସହି ସହି ମୁଁ ବି ଭାଙ୍ଗି ପଡ଼ିଥିଲି ହେଲେ ଶେଷ ରେ ମୋର କିଛି ବନ୍ଧୁ ଆଉ ମା ଙ୍କ ପାଇଁ ମୁଁ ବଞ୍ଚିବା ଶିଖିଲି । 

   ମୁଁ ସମସ୍ତ ଙ୍କୁ ଗୋଟିଏ କଥା କହିବି ଜୀବନ ରେ ଅନେକ ଦୁଃଖ କଷ୍ଟ ଆସି ପାରେ ହେଲେ  ସେ ସବୁ କୁ ଅଣଦେଖା କରି ଆଗକୁ ବଢ଼ିବାକୁ ହବ । କାହାର ନୀଚ କାମ ପାଇଁ ଆମ ନିଜ ପ୍ରଗତି କୁ ରୋକିବା ଉଚିତ୍ ନୁହେଁ । ଏସିଡ ମାଡ଼ ପରେ ମୋର ବିବାହ ବି ଭାଙ୍ଗି ଗଲା ହେଲେ ତା ପରେ ବି ମୁଁ ନିଜକୁ ବହୁତ୍ ବୁଝେଇଲି । ମୋର ଅନେକ କିଛି ପ୍ରିୟ ଜିନିଷ କୁ ମତେ ହରେଇବାକୁ ପଡ଼ିଲା । ମୁଁ ଅନେକ ଥର ଭାବି ଥିଲି ମୋର ସବୁ କିଛି ସରିଗଲା ହେଲେ ମୁଁ ଏବେ ନୂଆ ସ୍ବପ୍ନ ରାଇଜ ରେ ପହଞ୍ଚି ସାରିଛି । ଅନ୍ୟ ମାନଙ୍କର ଭୁଲ୍ ପାଇଁ ଆମେ ନିଜକୁ କଣ ପାଇଁ କଷ୍ଟ ଦେବା, ନିଜ ସ୍ଵପ୍ନ କୁ କାହିଁ ଅଧୁରା ରଖିବା । ମୁଁ ଏବେ ଘରେଘରେ ପରିଚିତ , ମୁଁ ସମସ୍ତଙ୍କୁ ଧନ୍ୟବାଦ୍ ଜଣେଇବି ମୋତେ ବହୁ ମାତ୍ରା ରେ ସମର୍ଥନ କରି ଥିବାରୁ । ସମସ୍ତେ କହୁଛନ୍ତି ମୁଁ ସମସ୍ତଙ୍କ ପାଇଁ ଉଦାହରଣ ହେଲେ ମୁଁ ତ କହିବି ପ୍ରତ୍ୟେକ ମଣିଷ ନିଜେ ନିଜ ପାଇଁ ଗୋଟିଏ ସୁନ୍ଦର୍ ଉଦାହରଣ । ନିଜ ର ପରିଶ୍ରମ ଆଉ ନିଜର ଇଚ୍ଛା ଶକ୍ତି ହିଁ ସଫଳତାର ମୁଖ୍ୟ ଦ୍ଵାର ।

  ଅନେକ ବର୍ଷ ହେଲା ଛାତି ତଳେ ଥିବା ଦରଦ ଗୁଡ଼ିକୁ କାଢି ଦେଇ ଥିବାରୁ ଟିକେ ହାଲକା ଲାଗୁଥିଲା ଶିବାନୀକୁ ।


Rate this content
Log in

Similar oriya story from Action