Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Anita Jena

Children Stories Inspirational


3  

Anita Jena

Children Stories Inspirational


ଭୁଲ ଧାରଣା

ଭୁଲ ଧାରଣା

4 mins 155 4 mins 155

ଶିଶିର ମୋହନ ପତି । ଜଣେ ସରକାରୀ କର୍ମଚାରୀ । ପତ୍ନୀ ଆଉ ଦୁଇ ପୁଅକୁ ନେଇ ତାଙ୍କର ଛୋଟ ସଂସାର । ବଡ଼ ପୁଅ ମୁକେଶ ସାନ ପୁଅ ଦିପେଶ୍ । ମୁକେଶ ଦଶମ ଶ୍ରେଣୀରେ ପଢୁଛି ଆଉ ଦିପେଶ୍ ଅଷ୍ଟମ ଶ୍ରେଣୀରେ । ମୁକେଶକୁ ଶିଶିର ବାବୁ ହଷ୍ଟେଲରେ ଛାଡ଼ି ଦେଇଥିଲେ କାହିଁକି ନା ସେତେବେଳେ ତାଙ୍କ ଘରର ପରିସ୍ଥିତି ଟିକେ ଭଲ ନ ଥିଲା ଯୋଉଥି ପାଇଁ ମୁକେଶର ପାଠ ପଢ଼ାରେ ଅନେକ ବାଧା ସୃଷ୍ଟି ହେଉଥିଲା । ମଝିରେ ମଝିରେ ଶିଶିର ହଷ୍ଟେଲକୁ ଯାଇ ମୁକେଶକୁ ଦେଖା କରିବା ସହିତ ବିଭିନ୍ନ ପ୍ରକାରର ଖାଇବା, ମିଠା, ଡ୍ରେସ୍ ଆଦି ନେଇ ମୁକେଶକୁ ଦେଇ ଆସନ୍ତି ସେ । ଏ ସବୁକୁ ଦେଖି ଦିପେଶ୍ ଧିରେ ଧିରେ ମନ ଦୁଃଖ କରିବା ଆରମ୍ଭ କଲା । ତାକୁ ଲାଗିଲା ଘରେ ତା ପ୍ରତି ଅନ୍ୟାୟ ହଉଛି । 

 ମୁକେଶର ଦଶମ ଶ୍ରେଣୀ ହେଇ ଥିବାରୁ ତା ଉପରେ ଟିକେ ବେଶୀ ଧ୍ୟାନ ଦିଅନ୍ତି ଶିଶିର । ତାର ଭଲ ମନ୍ଦ ବୁଝିବା, ତାକୁ ଉପଦେଶ ଦେବା ତା ପାଠ ପଢାକୁ ତଦାରଖ କରିବା ସବୁ କିଛି ଅତି ସତର୍କତାର ସହିତ କରନ୍ତି ଶିଶିର । ଥରେ କିଛି ଦିନର ଛୁଟିରେ ମୁକେଶ ଘରକୁ ଆସି ଥାଏ । ସେଦିନ ଘରେ ମୁକେଶର ସବୁ ପସନ୍ଦ ଅନୁଯାୟୀ ଖାଇବା ତିଆରି କଲେ ତାର ମାଆ । 

 ସମସ୍ତେ ବସି ଖାଉଥାନ୍ତି, ଶିଶିର ନିଜ କଂସାରୁ ଦୁଇ ଖଣ୍ଡ ମାଂସ ଆଣି ମୁକେଶକୁ ଦେଇ ଦେଲେ ଆଉ କହିଲେ ପେଟ ଫୁଲ୍ କରି ଖାଆରେ ବାବା । ଏ ସବୁ ଦେଖି ଦିପେଶ୍ ଆଉ ଚୁପ୍ ହେଇ ବସି ପାରିଲା ନାହିଁ ସଙ୍ଗେ ସଙ୍ଗେ ଖାଇବା ଜାଗାରୁ ଉଠି ଯାଇ ରୁମକୁ ଯାଇ ଚୁପ୍ ଚାପ୍ ବସି ରହିଲା । 

 ଦିପେଶର ଏମିତି ବ୍ୟବହାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ମୁକେଶ ତା ପଛେ ପଛେ ଯାଇ କହିଲା - ଆରେ ସାନ ତୋର କଣ ହେଲା ? ତୁ ଏମିତି ହଠାତ୍ ଖାଇବା ଥାଳିରୁ ଉଠି ଚାଲି ଆସିବାଟା କଣ ଠିକ୍ ହେଲା ? ଚାଲେ ଖାଇବୁ ଚାଲେ । ବାପା ମାଆ ଅପେକ୍ଷା କରିଛନ୍ତି । 

 ଦିପେଶ୍ ମୁକେଶର ହାତକୁ ଛାଟି ଦେଇ କହିଲା - ତୁ ଯାଆ ଖାଇବୁ ତତେ ସେମାନେ ଅପେକ୍ଷା କରିଛନ୍ତି, ମୋତେ ନୁହେଁ । ଆଜି ଯାଏଁ ତୋ ପ୍ରତି ସବୁ ସ୍ନେହ ଭଲ ପାଇବା ଓଜାଡ଼ି ଦେଉଛନ୍ତି । ତୁ ବଡ଼ ଆଉ ମୁଁ ଛୋଟ ବୋଲି ଏତେ ପାତର ଅନ୍ତର । ଯଦି ତତେ ଏତେ ଭଲ ପାଇବା ଦେବାର ଥିଲା ତାହେଲେ ମୋତେ ଜନ୍ମ ହିଁ କଣ ପାଇଁ କରୁଥିଲେ? ତତେ ନେଇ ହଷ୍ଟେଲରେ ଛାଡ଼ିଲେ, ମାସକୁ ମାସ ଭଲ ଖାଇବା ପିଇବା ପିନ୍ଧିବା ଆଣି। ଯୋଗେଇ ଦେଲେ । ହେଲେ ମୁଁ ଏଠି ପଡି ରହିଲି ଗାଁ ସ୍କୁଲରେ ପଢିଲି, ମୋତେ ଖାଲି ଘରର କାମ କରିବାକୁ କହିବେ ଆଉ କିଛି ନୁହେଁ । 

 ହଁ ଫରକ ଏତିକି ତୁ ଭଲ ପଢୁ ଆଉ ମୁଁ ଟିକେ ପାଠ ପଢାରେ ଦୁର୍ବଳ । ହେଲେ ତା ବୋଲି କଣ ମୋ ପ୍ରତି ଏତେ ପକ୍ଷପାତ କରିବେ ? 

 ଦିପେଶର ସବୁ କଥା ଶୁଣୁ ଥାନ୍ତି ବାହାରେ ରହି ଶିଶିର ବାବୁ । ସେ କିଛି ନ କହି ଦିପେଶକୁ ପାଖକୁ ଡାକିଲେ ଆଉ ତାକୁ କହିଲେ - ଦେଖେ ବାପା ତୋର ସବୁ କଥା ମୁଁ ଶୁଣିଲି । ତୁ ଏ ଯେଉଁ ବଡ଼ ଆଉ ଛୋଟ କଥା କହିଲୁ ସେ ସବୁ କିଛି ବି ନୁହେଁ । ସେ ସବୁ ହେଉଛି ତୋ ମନର ଭୁଲ ଧାରଣା । ଦେଖେ ତୋ ବଡ ଭାଇ ଭଲ ପାଠ ପଢ଼େ, ସେତେବେଳେ ଘରର ପରିସ୍ଥିତି ଭଲ ନ ଥିଲା, ବଡ଼ ବାପାଙ୍କ ସହିତ ଆମର ପ୍ରାୟ ଝଗଡ଼ା ହୁଏ ସେଥିପାଇଁ ସେ ପରିସ୍ଥିତିରେ ମୁକେଶ କହିଲା ମୋତେ ଏଠି ରହି ପାଠ ପଢ଼ିବାରେ ଅସୁବିଧା ହେଉଛି । ତୋ ଭାଇର ପାଠ ପ୍ରତି ଏତେ ଆଗ୍ରହ ଦେଖି ମୁଁ ତାକୁ ହଷ୍ଟେଲରେ ଛାଡି ଦେଲି ।  

  ତମ ଦି ଜଣ ହଉଛ ଆମରି ପିଲା । ଆମେ ତୁମ ଦି ଜଣଙ୍କୁ ହିଁ ସମାନ ପରିମାଣର ଭଲ ପାଉ । ତୋ ଭାଇ ବାହାରେ ରହୁଛି ସେଥିପାଇଁ ସେ ଆସିଲେ ତାକୁ ଟିକେ ବେଶୀ ସମୟ ଦେଇ ଦେଉ । ତୁ ସେ ସବୁକୁ ନେଇ ଏମିତି ଭାବନା ଆଣିଲେ ତୋର ହିଁ କ୍ଷତି ହେବ । ପ୍ରତ୍ୟେକ ଘରେ ସବୁ ପିଲା ବଡ଼ମାନଙ୍କ ଠାରୁ ହିଁ ସାନ ମାନେ ଶିଖିଥାଆନ୍ତି। ତୁ ଏ ସବୁ ଭୁଲ ଧାରଣା ମନରୁ କାଢି ତୋ ବଡ଼ ଭାଇ ପାଖରୁ କିଛି ଶିଖିଦେ । ପାଠ ପଢ଼ାରେ ଧ୍ୟାନ ଦେ ଆଉ ଜୀବନରେ କିଛି କରିବାର ଚେଷ୍ଟା କର । 

 ସେ ତୋର ନିଜ ଭାଇ । ତୁ ଯାହା ଭାବୁଛୁ ସେ ସବୁକୁ ନେଇ ଜୀବନରେ କେବେ ବି ଆଗକୁ ବଢ଼ି ପାରିବୁ ନାହିଁ । ଏବେ ତୁ ଛୋଟ ପିଲା ତୁ ଏବେଠୁ ଯାହା ସବୁକୁ ମନରେ ବାନ୍ଧି ଦେବୁ ସେ ସବୁ ହିଁ ସାରା ଜୀବନ ତୋ ସହିତ ରହିବ । 

 ସବୁବେଳେ ମନେ ରଖିବୁ ମୁଁ ଆଉ ତୋ ମାଆ ସବୁବେଳେ ତତେ ଆଉ ତୋ ଭାଇକୁ ସବୁ ପରିସ୍ଥିତିରେ ସମର୍ଥନ କରିବୁ । ଶିଶିର ମୁକେଶକୁ ବି ପାଖକୁ ଡାକିଲେ ଆଉ କହିଲେ ଦିପେଶ୍ ମନରେ ଏ ସବୁ ଧାରଣା ଆସିବା ପଛରେ ହୁଏତ ଆମ ସମସ୍ତଙ୍କର କିଛି ନା କିଛି ଭୁଲ ଅଛି । ତୁ ବଡ଼ ହିସାବରେ ସବୁବେଳେ ଚେଷ୍ଟା କରିବୁ ସାନ ଭାଇକୁ ଭଲ ଉପଦେଶ ଆଉ ପ୍ରେରଣା ଦେଇ ପାରିବୁ । ଆଉ ଦିପେଶ୍ ତୁ ସାନ୍ ହିସାବରେ ସବୁବେଳେ ଚେଷ୍ଟା କରିବୁ ତୋ ବଡ଼ ଭାଇକୁ ଅଗ୍ରାଧିକାର ଦେବୁ । 

  ଶିଶିରଙ୍କ କଥା ଶୁଣି ଦିପେଶ୍ ମୁକେଶକୁ ଜାବୁଡି ଧରି କହିଲା ଭାଇ ମୋର ଭୁଲ ହେଇ ଯାଇଛି । ପୁଣି ଥରେ ଶିଶିରଙ୍କ ପାଖକୁ ଯାଇ କହିଲା ବାପା ମୋର ଭୁଲ ହେଇ ଯାଇଛି । ଚାଲ ଆମେ ଖାଇବା, ଆଜି ଠାରୁ ମୁଁ ଆଉ କେବେ ବି ଏମିତି ଭାବନା ମୋ ମନ ଭିତରେ ଆଣିବି ନାହିଁ । । ।

 ଶିଶିର ଦୁଇ ପିଲାଙ୍କୁ ଧରି ଖୁସିରେ ଘର ଭିତରକୁ ଗଲେ । । । ।


………… ସମାପ୍ତ ……………



Rate this content
Log in