Lalita Mohan Mishra

Drama Romance Action

4.2  

Lalita Mohan Mishra

Drama Romance Action

ଅପୂର୍ଣ୍ଣତା

ଅପୂର୍ଣ୍ଣତା

13 mins
749



ରଙ୍ଗ ବେରଙ୍ଗର ଫୁଲ ! ବଗିଚାକୁ ଛାଡି ଅପେକ୍ଷା କରେ.... କବିତାରେ ଫୁଟିବାକୁ । ଝର୍କା ସେପଟର ନଈ ! ସମୁଦ୍ରକୁ ଛାଡି ଇଚ୍ଛାକରେ..... କବିତାରେ ବହିବାକୁ । ଜୀବନର ଯେତେ ଯାହା କାମନା ସେସବୁ ସପନରେ ଆସେନାହିଁ । ଏ ମନର ଯେତେ ସବୁ ଭାବନା ସବୁକିଛି ମୁହଁଖୋଲି କହି ହୁଏ ନାହିଁ । କଳ୍ପନାର ଛନ୍ଦମୟୀ ପାଦରେ ନାଚିବାକୁ ହେଲେ କେହି ଘୁଙ୍ଗୁର ବାନ୍ଧି ପାରେନା । କଳ୍ପନାକୁ ଶବ୍ଦରେ ଛନ୍ଦିଦେଲେ ଶବ୍ଦ ପରେ ଶବ୍ଦ ସିନା ଯୋଡି ହୋଇଯାଏ ହେଲେ, କବିତାର ରୂପ ନେଇ ପାରେନା ।


ଅମା ରାତ୍ରୀର ଘନକଳା କୁନ୍ତଳରେ ସ୍ୱପ୍ନ କେତେ ବାଟବଣା ହୋଇଯାଏ । ଚକ୍ରବ୍ୟୁହ ଭେଦିପାରେ ନାହିଁ ବୀର ଅଭିମନ୍ୟୁକୁ । ନିସ୍ତରୀ ପାରେନା ... ଅକାଳରେ ସ୍ୱପ୍ନ ...ଯେତେ ନିସ୍ତବ୍ଧ ଶବ ପାଲଟି ଯାଏ । କେତେ ଭାବ ହୃଦୟରେ ଅଂକୁରୀତ ହୁଏ। ଶୁଷ୍କ ହୃଦୟରେ ଅଂକୁର ଝାଉଳି ଯାଏ । ଦରଜଳା ମନ, ଭାବନା ପାଇଁ ଶବ୍ଦ ଖୋଜି ବୁଲେ । କଥା ସବୁ ଅଟିକି ଯାଏ ସେତା ଓଠ ଆରପାରେ । ଭାବର ଅଭାବେ କଥା ସବୁ କୂଳ ଲଙ୍ଘେ ନାହିଁ । ହୃଦୟର ଯେତେସବୁ ଭାବନା ଜୁଆର, ରସନାର ରସର ଉଜାଣି ସୁଅରେ ନିରନ୍ତର ବୋହି ଯାଏ ଅନ୍ତରର କବରରେ ଚିରନିଦ୍ରା ଶୋଇଯାଏ ।


ନିଷ୍ଫଳ ନାରୀ ଜୀବନର ଗୋପନ କଥା । ନାରୀ ସବୁବେଳେ ପୂଜନୀୟା l ନାରୀ ହେଉଛି ସର୍ବ ଶକ୍ତିର ତନ୍ମୟ। ନାରୀ ହେଉଛି ସୃଷ୍ଟି କାରିଣୀ ଓ ଧ୍ୱଂସ କାରିଣୀ । ତାର ଆଖିର ଲୁହରେ ସୃଷ୍ଠି ହୁଏ ଅଗ୍ନିର ଆଗ୍ନେୟ ଉଦ୍ଗିରଣ। ତାର ହସରୁ ସୃଷ୍ଟି ହୁଏ ଏକ ପରିବାର... ଏକ ମନ୍ଦିର। ଯୁଗ ବଦଳିବା ସହିତ ନାରୀ ପୁରୁଷ ଭଳି ସବୁ କାର୍ଯ୍ୟ କରିବାକୁ ଆଗଭର ହେଲା l ପୁରୁଷ ସହିତ କାନ୍ଧରେ କାନ୍ଧ ମିଶେଇ ତାକୁ ସାହାଯ୍ୟ କରିବାକୁ ଚାହିଁଲା।


ନାରୀ ନିଜେ ସଶକ୍ତ ହେବାକୁ ଚେଷ୍ଟା କଲା। ନିଜକୁ ପ୍ରସ୍ତୁତ କଲା ସବୁ ପରିସ୍ଥିତିରେ ମୁକାବିଲା କରିବା ପାଇଁ । ବିଭିନ୍ନ କ୍ଷେତ୍ରରେ ନିଜ ଦକ୍ଷତା ଦେଖେଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହେଲା l ଧୀରେଧୀରେ ମାତାପିତା ଟିକେ ଆଶ୍ୱସ୍ତ ହେଲେ । ଖୁସି ବି ହେଲେ ଯେ.... ନା ଆମ ଝିଅ ବି ପୁଅଠାରୁ କୌଣସି ଗୁଣରେ କମ ନୁହେଁ l


ନାରୀ ତ ସହଜେ ଲତା କିମ୍ବା ନଦୀଟିଏ ପରି... ଖୁବ ସହଜରେ ଏବଂ ଶୀଘ୍ର ମାଡିଯାଏ ଆଗକୁ ଆଗକୁ। ଲଭେ ପୃଥିବୀ ପରି କ୍ଷମତାଶୀଳା । ସମୁଦ୍ର ପରି ଗମ୍ଭୀର । ଗଙ୍ଗା ପରି ପବିତ୍ର ନାରୀ । ଆବଶ୍ୟକତା ପଡ଼ିଲେ ଦୁଷ୍ଟଙ୍କ ପାଇଁ ଅଗ୍ନିଶମ ପ୍ରଜ୍ଜ୍ଵଳିତ ହେବାର ଶକ୍ତି ବି ରଖେ l ଏତେସବୁ ଗୁଣର ଅଧିକାରିଣୀ ନାରୀ, ନିଜକୁ ଅବଳା, ଦୁର୍ବଳା ନ ମଣି ଶକ୍ତିକୁ ସଦୁପଯୋଗ କରୁ l ପରିବାର ତଥା ସମାଜରେ ଶାନ୍ତି ଏବଂ ପ୍ରଗତିର ବାହକ ନାରୀ, ସଶକ୍ତ ହେଉ, ନିଜକୁ ସମ୍ମାନ ଦେଉ ... ତଥାପି ନାରୀ କେତେ କ୍ଷେତ୍ରରେ ଅସଂମଞସ ଅନୁଭବ କରୁଛି। 


ନାରୀ ଅଭିଆଡୀ ଥିଲା ବେଳେ ହୁଏତ ପ୍ରେମିକର ପ୍ରେମ, ପ୍ରୀତିରେ ସନ୍ତୁଷ୍ଟ ହୋଇ ପାରେ । ମାତ୍ର ପରିଣିତା ହେଲା ପରେ ସ୍ୱାମୀର ଏକାନ୍ତ ନିର୍ମଳ ପ୍ରେମର ସମସ୍ତ ନିର୍ଯ୍ୟାସକୁ ଚିପୁଡ଼ି ସନ୍ତାନଟିଏ କାମନା କରିଥାଏ। ସେଥିରେ ନାରୀ ଜୀବନ ସାର୍ଥକ ହୁଏ। ଯେହେତୁ ବିବାହିତ ନାରୀ ଜାୟା ଅପେକ୍ଷା ଜନନୀ ପାଇଁ ବେଶୀ ଲାଲାୟିତା।


କ'ଣ ଆଉ ଅଭାବ ଅଛି ଗଳ୍ପା ର। ସ୍ବାମୀ ସୁଜିତ୍ ବାବୁ ପ୍ରତିଷ୍ଠିତ କ୍ଲାସ୍ ଓ୍ୱାନ୍ ଅଫିସର । ଅଜସ୍ର କଳା ଧନ, ଦାମିକା କାର, ବିରାଟ ଆଲିସାନ୍ ବଙ୍ଗଳା, ଆଖିଦୃଷ୍ଟିଆ ବ୍ୟାଙ୍କ୍ ବାଲାନ୍ସ । ସବୁକିଛିର ଅଧିକାରିଣୀ ହୋଇ ପାରିଛି ଗଳ୍ପା । ଅଥଚ ରହି ରହି ତା' ମନ ଭିତରେ ଏମିତି ଏକ ଐଶ୍ୱର୍ଯ୍ୟମୟ ନିର୍ଜନ ଦୁଃଖ ଗୁମୁରି ଉଠୁଛି କାହିଁକି ? ସେ ଅନୁଭବ କରୁଛି ଜଣେ ପାରିଣିତା ନାରୀ ସ୍ୱାମୀର ସ୍ନେହ - ପ୍ରେମ ବ୍ୟତିରେକ ଅନ୍ୟ କଣ ଆଶା କରେ ବୋଲି ।


ଗଳ୍ପା ଭଲ ସ୍ବାମୀ ପାଇଛି। ସୁଖ, ସମ୍ଭୋଗ ଓ ପ୍ରଚୂର୍ଯ୍ୟ ଭିତରେ ବୁଡି ରହିଛି। ତଥାପି ବୈବାହିକ ଜୀବନର ଦୀର୍ଘ ସାତ ବର୍ଷ ଅତିକ୍ରାନ୍ତ ପରେ ମଧ୍ୟ ଗଳ୍ପା କୁଳଟା ସେମିତି ଶୂନ୍ୟ ହୋଇ ପଡ଼ି ରହିଛି। ନାରୀ ଜାୟା ହେଲେ ତୃପ୍ତି ମିଳେ ସତ କିନ୍ତୁ ଜନନୀ ହେବାରେ ପୂର୍ଣ୍ଣତା ପ୍ରାପ୍ତ ହୁଏ। ଦୀର୍ଘ ସାତ ବର୍ଷ ବିତି ଯାଇ ଥିଲେ ମଧ୍ୟ ଆଜି ସେ ଅପୂର୍ଣ୍ଣ, ଅବିଭାଜ୍ୟ ଭଗ୍ନାଂଶଟିଏ ହୋଇ ରହି ଯାଇଛି। ସକଳ ପୂର୍ଣ୍ଣତା ଭିତରେ ମଧ୍ୟ ଅପୂର୍ଣ୍ଣତାର ଶାହାନାଇ ବାଜି ଉଠୁଛି ଗଳ୍ପା' ହୃଦୟ ଭିତରେ।


ବାଲ୍ୟ ବନ୍ଧୁ ଅଙ୍କିତକୁ ସେଦିନ ହଠାତ୍ ଆଇ. ଜି ପାର୍କରେ ଦେଖିଲା ଗଳ୍ପା । ବହୁଦିନ ପରେ ଦେଖା ହେବାରୁ ଦୁହେଁ ଭାରି ଖୁସି ହେଲେ । ଗଳ୍ପା ନିଜ ଘରକୁ ଡାକିବାକୁ ଭୁଲି ନ ଥିଲା ଅଙ୍କିତକୁ । ଆକାଶରେ ତୋଫା ଜହ୍ନ, ଜ୍ୟୋତ୍ସ୍ନା ଝରା ରାତ୍ରି । ଅଙ୍କିତର ସ୍ମୃତି ପଟରେ, ସାଗରର ଶାନ୍ତ ସଲୀଳ- ମୁକୁରରେ ଆଶାର ହସ ହସ ବିସ୍ମୃତ ଚିତ୍ରପଟ । ଆକାଶର ସଫେଦ ମାର୍ବଲ... ଜହ୍ନ ଭଳି ଖିଲି ଖିଲି ହସୁଛି।


ଅନେକ ଦିନ ପରେ ଗଳ୍ପା ଆମନ୍ତ୍ରଣ କରିଛି ତା ଘରକୁ। କେମିତି ଏକ ଅଭିନବ ପୁଲକରେ ସ୍ଵତଃ ଆନ୍ଦୋଳିତ ହୋଇଉଠିଛି ମନ । ଅତୀତର ସୁରଭିତ ସ୍ମୃତି ପୁଲକିତ ସୁଗନ୍ଧର ଲୋଧ୍ରରେଣୁ ଭଳି ଖେଳି ବୁଲୁଛି ମାନସପଟ୍ଟରେ। ଏକଦା ଗଳ୍ପା ପ୍ରେମିକା ଥିଲା । ଏବେ କିନ୍ତୁ ଅନ୍ୟର ବାଗଦତ୍ତା। ତଥାପି ମନ ଭିତରେ ମହଳଣ ପଡି ଆସୁଥିବା ଗଳ୍ପାର ସ୍ମୃତି ପୁଣି ଥରେ ଆଜି ଆହୁରି ସ୍ୱଚ୍ଛ,ନିର୍ମଳ ହୋଇ ଝଲସି ଉଠୁଛି।


ରାଜଧାନୀରେ ସ୍ବାମୀ ସୁଜିତ୍ ବାବୁଙ୍କ ସହ ରହୁଛି ଗଳ୍ପା । ସୁଜିତ୍ ବାବୁ ରାଜଧାନୀର ସେକ୍ରେଟାରିୟେଟରେ କ୍ଲାସ୍ ଓ୍ୱାନ୍ ଅଫିସର। ଥରେ ତାଙ୍କ ସହ ପରିଚୟ କରାଇ ଦେଇଥିଲା ଗଳ୍ପା । ସ୍ବାମୀ ତାର ଖୁବ୍ ଭଦ୍ର, ମେଳାପୀ, ଆମୟିକ ବ୍ୟକ୍ତିତ୍ବ । କଥା କଥାକେ ହସିବା ତାଙ୍କ ବ୍ୟକିତ୍ୱର ଅନ୍ୟ ଏକ ଦିଗନ୍ତ।


ଅଙ୍କିତର ମନେ ପଡୁଛି ଦୀର୍ଘ ସାତ ବର୍ଷା ତଳର କଥା... ଝାପସା ହୋଇଗଲାଣି। ତଥାପି ମନରୁ ପୁରାପୁରି ପୋଛି ଦେଇ ପାରିନି। ବିଗତ ସାତ ବର୍ଷରେ ଗଳ୍ପା ଗାଁକୁ ବହୁତ କମ୍ ସମୟ ଆସିଛି। ଥରେ ଦୁଇ ଥର ବାଦ୍ ଦେଲେ ତା' ସହିତ ଜମା ଦେଖା ହୋଇନି କେବେ । ଗଳ୍ପା ମ୍ୟାଟ୍ରିକ ପାସ୍ କଲା..... +2 ପରେ ବାହା ହୋଇ ଚାଲିଗଲା ।


ମୋତେ କେବଳ ସ୍ମୃତିର ଫୁଲତୋଡ଼ା ଟିଏ ଉପହାର ଦେଇ। ତାପରେ ମୁଁ ଉଚ୍ଚ ଶିକ୍ଷା ପାଇଁ ଚାଲିଗଲି । ଏହା ଭିତରେ ଅନେକ ଦିନ, ମାସ, ବର୍ଷ ବିତି ଯାଇଛି। ଅନେକ ଋତୁର ପରିବର୍ତ୍ତନ ହୋଇଛି। ଗଳ୍ପା ମୋ' ପାଖକୁ କେବେ ଚିଠି ଦେଇନି କି ମୁଁ ମଧ୍ୟ କେବେ ତା ପାଖକୁ ଚିଠି ଦେଇନି । ବା ସିଏ କେବେ ମୋତେ ଫୋନ୍ କରିନି କି ମୁଁ ମଧ୍ଯ ଫୋନ୍ କରିନାହିଁ । ତାର ସୁନାର ସଂସାରରେ ଅଗ୍ନି ସଂଯୋଗ କରିବାକୁ ଚାହିଁନି । ଗଳ୍ପା ସିନା ମୋ’ ନିଜର ହୋଇ ପାରିଲା ନାହିଁ । ତଥାପି ସେ ଯେଉଁଠି ଥିଲେ ମଧ୍ୟ ସର୍ବାନ୍ତଃକରଣେ ଖୁସୀ ରହୁ ଏହା ମୋର ଇଚ୍ଛା।


ଏହା ଭିତରେ ଦୀର୍ଘ ସାତ ବର୍ଷ ବିତି ଯାଇଛି। ୟୁନିଭରସିଟି ଡ଼ିଗ୍ରୀ ପାଇ ମୁଁ ଫେରି ଆସିଛି ସତ କିନ୍ତୁ ଦୀର୍ଘ ଦୁଇ ବର୍ଷ ହେଲା ଚାକିରୀ ନ ପାଇ ବେକାର। ଅନେକ ଇଣ୍ଟରଭ୍ୟୁ ଦେଇଛି । ପ୍ରାଇଭେଟ ଦରମା ଭଲ ନାହିଁ । ସରକାରୀ ଚାକିରୀ ଆମ ପାଇଁ ନାହିଁ। ଏବେ ଅକୃତକାର୍ଯ୍ୟ ହୋଇ ଚାକିରୀ ଅନ୍ବେଷଣରେ ବଞ୍ଚିବା ପାଇଁ ବେକାର ହେବା ଅପେକ୍ଷା ଟିଉସନ୍ କରି ବୁଲୁଛି। ପାଠପଢିଲା ବେଳେ ଗଳ୍ପାର ଯେମିତି ସୁନ୍ଦରତା ଓ ଆକର୍ଷଣ ଏବେ ମଧ୍ୟ ସେମିତି । ଫରକ ଏତିକି ସେତେବେଳେ ହସ ହସ ପ୍ରସନ୍ନ ବଦନ ଏବେ ମନରେ ବିଷର୍ଣ୍ଣତା ।


ମନରେ ପ୍ରଶ୍ନ ଏବଂ ଶଙ୍କା - ଗଳ୍ପା କ’ଣ ତା’ ବୈବାହିକ ଜୀବନରେ ଖୁସୀ ହୋଇ ପାରିନି ! ସତେ ଯେମିତି ଏକ ଅଭାବିତ ଦୁଃଖ - ଗଳ୍ପା ମନରେ ସାପପରି ମଳାବାନ୍ଧି ବସିଥିବାର... ମୁଁ ଅନୁଭବ କରି ପାରିଲି। ତା' ଘରକୁ ଯିବି ବୋଲି ପ୍ରସ୍ତୁତ ହୋଇ ବଜାରରୁ କିଛି ଭଲ ମିଠା ନେଇ ବାହାରି ପଡିଲି । ଗଳ୍ପାର ବଙ୍ଗଳାର ଫାଟକ ନିକଟରେ ପହଁଞ୍ଚିଗଲି। ସେତେ ବେଳକୁ ଗଳ୍ପା ବିଷର୍ଣ୍ଣ ଭାବେ ପୋର୍ଟିକରେ ଯତ୍ନରେ ଉଠିଥିବା ଦାମୀ ବିଦେଶୀ ଘାସର ଲନ୍ ଉପରେ ପଦଚାଳନା କରୁଛି ନିଃସଙ୍ଗ ଭାବେ।


ମୋତେ ଦେଖି ଗଳ୍ପା ଖୁବ୍ ଖୁସି ହୋଇ ଆଗେଇ ଆସିଲା ଗେଟ୍ ପାଖକୁ । ତାର ଗୋଲାପ ଫୁଲ ପରି କୋମଳ ହାତରେ ମୋ’ ହାତକୁ ଚାପି ଧରି ଆପଣେଇ ନେବାର ଭଙ୍ଗୀରେ କହିଲା - ତୁମେ ଅଙ୍କିତ ! ନିଶ୍ଚୟ ଆସିବ ବୋଲି ମୋର ବିଶ୍ୱାସ ଥିଲା । ତାର ଚମ୍ପା ଫୁଲ ପରି ତୋଫା ଗୋରା ମୁହଁ ଉପରେ ସମ୍ପୁକରା କଳାକୃଷ୍ଣ ଘନ କେଶ ରାଶି ଗୁଡ଼ିକ ମନ୍ଦ ମନ୍ଦ ସାନ୍ଧ୍ୟ ସମୀରଣରେ ଦୋଳି ଖେଳୁଥିଲା। ତା' ମୁହଁରୁ ଚେନାଏ ହସର ଫୁଲ ଝରି ପଡୁଥିଲା ସାରା ଲନ୍ ଉପରେ। ମୁଁ କେବଳ ବିସ୍ମୟରେ ଚାହିଁରହିଥିଲି ତାର ସଦ୍ୟସ୍ନାତ ସଜଳ, ହସ ହସ ମୁହଁକୁ।


କେଉଁ ଏକ ଅସମାହିତ ତୀବ୍ର ଆକର୍ଷଣ ମୋତେ ବିଶ୍ବାସର ଅତଳ ଗହ୍ୱର ଭିତରକୁ ଠେଲି ଦେଉଛି। ମୁଁ ପୁଣି ଫେରି ଯାଉଛି ସେଇ ସାତ ବର୍ଷ ତଳର ହଜିଲା ଅତୀତ ଭିତରକୁ। ମନେ ପଡୁଛି ମୋର ସେଇ କୈଶୋରର ଅତିକ୍ରାନ୍ତ ମଧୁର ମୁହୂର୍ତ୍ତ ଗୁଡ଼ିକ। ଏମିତି ଦିନେ ସେ ଆମ ଗାଁ ନଈକୂଳ ଆମ୍ବ୍ର ବିତାନରେ ଝରି ଆସୁଥିବା ଜହ୍ନରାତି ଆଉ ନିରବ ସଂଜରେ ମୋ' ହାତ ଉପରେ ହାତ ଥାପି କହୁଥିଲା -" ମୋର ହାତକୁ ତୁମେ କଣ ସବୁ ଦିନ ଧରି ରଖି ପାରିବନି ଅଙ୍କିତ " ।


ମୁଁ ପୁଣି ଅତୀତରୁ ବର୍ତ୍ତମାନକୁ ଫେରି ଆସିଲି। ଗଳ୍ପା ଘରେ କେହି ନାହିଁ ବୋଧହୁଏ । ଗଳ୍ପା ମୋର ହାତ ଧରି ତା' ଉଦ୍ଦିଷ୍ଟ ଶୟନ କକ୍ଷର ପଲଙ୍କ ଉପରେ ବସାଇଲା। ମୋ’ କାପାଳରେ ଫୁଟି ଉଠୁଥିବା ସ୍ଵେଦ ବିନ୍ଦୁ ଗୁଡ଼ିକୁ ଧୀରେ ଧୀରେ ତା' ଦାମିକା ପଣତ କାନିରେ ପୋଛିବାକୁ ଲାଗିଲା । ମୋତେ ଅସହଜ ଲାଗୁଥାଏ। ମୁଁ ତା' ବେଡ୍ ରୁମ୍ ଚାରିପଟେ ଥରେ ଆଖି ବୁଲାଇ ଆଣିଲି। ବହୁ ଦାମିକା ଫର୍ଣ୍ଣିଚର୍ ଆଉ ବିଦେଶୀ ଜିନିଷରେ ବେଶ୍ ସଜା ଯାଇଛି କୋଠରୀଟି ।


ପଲଙ୍କର କେଉଁ ନିଭୃତ ବିଛଣା ଚାଦର ତଳୁ ରହିଥିବା ଦାମିକା ପରଫ୍ୟୁମ୍ ହାଲକା ବାସ୍ନା ମନକୁ ଆମୋଦିତ କରାଉଛି। ଖୋଲା ଝର୍କା ଦେଇ ଭାସି ଆସୁଛି ପେନ୍ଥା ପେନ୍ଥା ମଧୁମାଳତିର ବାସ୍ନା। ଫୁଲ କୁଣ୍ଡରେ ସଜ୍ଜିତ ଡ଼ାଫୋଡ଼ିଲ୍, ରଜନୀଗନ୍ଧା ଆଉ ବୋଗାନ ଭିଲ୍ଲାର କୃତିମ ସଜ୍ଜା । ସୃଷ୍ଟି କରୁଛି ଐତିହାସିକ ରାଣୀ ମହଲର ଭ୍ରମ। ତଥାପି ଘରଟା ସାରା କେମିତି ନିଃସଙ୍ଗତା ଆଉ ଖାଁ ଖାଁ ଭାବ ବାରି ହୋଇପଡୁଛି।


ସୁଜିତ୍ ବାବୁଙ୍କ କଥା ପଚାରିଲି। ମନଟାକୁ ଯେମିତି ହାଲକା କରି ଗଳ୍ପା କହିଲା - ଜରୁରୀ ଟୁର୍ ରେ ଆଜି ସେ କୋରାପୁଟ ଚାଲିଗଲେ। ଫେରିଲା ବେଳକୁ ଦୁଇ ଦିନ ହେବ । ମୁଁ କିନ୍ତୁ ତୁମର ଆସିବା କଥାଟା ଆଗରୁ ତାଙ୍କୁ କହିଥିଲି। ତଥାପି ସରକାରୀ ଚାକିରୀ। ଅବମାନନା କରିବାକୁ ସେ ଉଚିତ୍ ମନେ କଲେନି ।


ମନତଳର ଅବଦମିତ ଆକର୍ଷଣ ହିଁ ମୋତେ ଗଳ୍ପା ପାଖକୁ ଟାଣି ଆଣିଥିଲା। ତଥାପି ବେକାର ଜୀବନର କିଛିଟା ଥଇଥାନ ସୁଜିତ୍ ବାବୁଙ୍କ ଦ୍ଵାରା ହୋଇ ପାରିବ ବୋଲି ମୋର ବିଶ୍ୱାସ ଥିଲା। ସୁଜିତ୍ ବାବୁ ସମ୍ପ୍ରତି ଅନୁପସ୍ଥିତ । ସେ କଥା ଚିନ୍ତା କରି କିଛି ଲାଭ ନାହିଁ। ଚା' ପର୍ବ ଶେଷ ହେଲା। ଗଳ୍ପା କେମିତି ଅବୁଝା ଶିଶୁ ପରି ମୋ' ଛାତିରେ ମୁହଁ ଗୁଞ୍ଜି ଦରୋଟି କଣ୍ଠରେ କହିଲା - ସତରେ ଅଙ୍କିତ ସାରା ଜୀବନ ତୁମ ଛାତିରେ ମୁହଁ ଗୁଞ୍ଜି ବଞ୍ଚିବାର ସ୍ୱପ୍ନରେ ମୁଁ ବିଭୋର ହୋଇ ଉଠୁଥିଲି । କିନ୍ତୁ ଆଜି ବାଧ୍ୟ ହୋଇ ଅନ୍ୟ ଜଣକ ଛାତିର ଉତ୍ତାପରେ ମୋତେ ଜଳିବାକୁ ପଡୁଛି।


ମୋ କଥା ତୁମର କେବେ ବି ମନେ ପଡିନି ? ପ୍ରକୃତିସ୍ଥ ହେଲି ମୁଁ..... କହିଲି - ଦିନେ ମୁଁ ତୁମର ପ୍ରେମିକ ଥିଲି । ଆଜି କିନ୍ତୁ ମୁଁ ତୁମ ପାଖରେ ଜଣେ ପର ପୁରୁଷ। ମୋତେ ନେଇ ବର୍ତ୍ତମାନ ତୁମେ ସଚ୍ଚା ଉଦ୍ଭଟ କଳ୍ପନା କରିବା ଉଚିତ୍ ନୁହେଁ।


ମୋ ହୃଦୟର ଶୂନ୍ୟ ସିଲଟରେ ପ୍ରଥମେ ତୁମେ ନିଜର ନାଁ ଲେଖି ଦେଇଛ। ଅତୀତର ସେହି ସ୍ମୃତି ଉଜ୍ଜୀବିତ ହେଲେ ବେଳେବେଳେ ମୋ' ଛାତିରେ ତୁମ ମୁହଁଟା କେମିତି ଦିକ୍ ଦିକ୍ ହୋଇ ଝଲସି ଉଠୁଛି। କ୍ରମଶଃ ଗଳ୍ପା ମନ ତଳର ଦୁଃଖାଭିଭୂତର ସେଇ ଉତ୍ତାଳ ଢେଉ ମୋତେ ଇତସ୍ତତଃ ଆଉ ବ୍ୟତିବ୍ୟସ୍ତ କରାଇ ଦେଉଛି । ମୋତେ ଅଧୀର କରାଇ ଦେଉଛି। କେଉଁ ଏକ ସୂକ୍ଷ୍ମ ଆବେଗରେ ମୁଁ ପୁଣି ଫେରି ଯାଉଛି - ଅତୀତର ସେଇ ଶୈଶବ କୋଳକୁ, କୈଶୋରର ସେଇ ସ୍ବପ୍ନିଳ ମୁହୂର୍ତ୍ତକୁ। ମୁଁ ପୁଣି ଫେରି ଯାଉଛି ଆମ ଗାଁ ସେଇ ଧୂଳି ଧୂସରିତ ସର୍ପୀଳ ଦାଣ୍ଡକୁ। ଅନାମିକା ନଈ କୂଳ, କାଶତଣ୍ଡୀ ଫୁଲ, କୋଇଲିର କୁହୁଝରା ଆମ୍ର ବିତାନ ଯା କୋଳରେ ହସି ଖେଳି ବିତିଛି ଅନେକ ବର୍ଷା ଓ ବସନ୍ତ ଗଳ୍ପାର ସାନିଧ୍ୟ ପାଇ।


ପିଲାଟି ଦିନରୁ ଗଳ୍ପା ଆଉ ମୋ' ଭିତରେ ଅବାଧ ମିଳାମିଶା । ସ୍କୁଲ୍ ଛାତ୍ର ଥିଲାବେଳେ ଗଳ୍ପା ସହ ଵୋହୂଚୋରୀ ଖେଳ ଖେଳିବାକୁ ଭଲ ଲାଗୁଥିଲା। ଧୀରେ ଧୀରେ ଧୂଳି ଖେଳ ବନ୍ଦ ହେଲା। ବାଲି ଘର ଭୁଷୁଡି ପଡ଼ିଲା। ସମୟର କ୍ରମ - ବିବର୍ତ୍ତନ ଫଳରେ ଗଳ୍ପା ସୁପ୍ତ କଳିକାରୁ ଏକ ବିକଶିତ ଢଳ ଢଳ ଶତଦଳ କମଳରେ ପରିଣତ ହୋଇଗଲା। ବୟସ ଧୀରେ ଧୀରେ ବଢିଲା। ଗାଁ ରାସ୍ତାରେ, ଗାଧୁଆ ତୁଠରେ, କି ନଈ କୂଳରେ ଖୋଲା ଖୋଲି ତା' ସଙ୍ଗେ ହସିବାର ବେଳ ହୋଇ ଆଉ ରହିଲା ନାହିଁ।


ଉଭୟଙ୍କ ଜୀବନରେ ନିଃସଂଗତା ଆସିଲା। ତଥାପି ପରସ୍ପରକୁ ଲୁଚି ଛପି ଭେଟିଲୁ ମନ୍ଦିର ବେଢ଼ାରେ କି ନଈ ତୁଠ ନିଶୂନ୍ ବେଳାରେ। ସେତେ ବେଳକୁ ଆମେ ଦୁହେଁ ପ୍ରେମର ପୂର୍ଣ୍ଣ କୋଣାର୍କଟିଏ ଗଢି ସାରିଥିଲୁ ନିଜ ଅଜାଣତରେ। ସେହି ଦିନ ଠାରୁ ମୋ' ହୃଦୟରେ ଗୋଟାଏ ଶୂନ୍ୟ ସ୍ଥାନ ରହି ଆସିଛି ଅପୂରଣୀୟ ହୋଇ।


ଗଳ୍ପା ସେତେବେଳକୁ ହଜି ଯାଇଥିଲା ସ୍ମୃତିର ଆଉ ଏକ ଅଜଣା ଇଲାକାରେ। ଅତୀତକୁ ସାଉଁଟି ସାଉଁଟି ଗଳ୍ପା କହିଲା - ସେଇଦିନୁ ମୋ ହୃଦୟ ଭିତରେ ଗୋଟାଏ ଶୂନ୍ୟସ୍ଥାନ ରହି ଯାଇଛି ତୁମ ପାଇଁ। ସେଇ ଶୂନ୍ୟ କୋଠରୀର ଗବାକ୍ଷକୁ କେବେ ବି ମୁଁ ତାଙ୍କ ପାଖରେ ଖୋଲି ପାରିବି ନାହିଁ। ହୃଦୟର ସେଇ ଶୂନ୍ୟ କୋଠରୀରେ ଚୋରଣୀଙ୍କ ଭଳି ସ୍ନେହ, ପ୍ରେମ, ପ୍ରୀତି - ଅନୁରାଗରୁ କିଛି କିଛି ଲୁଚେଇ ରଖିଛି ମୁଁ ତୁମ ପାଇଁ। ଅବଶ୍ୟ ମୋତେ ସେ ନିବିଡ ଭାବେ ଭଲ ପାଆନ୍ତି। ରାତ୍ରିର ନିସ୍ତବ୍ଧ ପ୍ରହରରେ ମୋ' ଶରୀର ଆଉ ହୃଦୟର ପ୍ରତିଟି ସ୍ଥାନକୁ ତନ୍ନ ତନ୍ନ କରି ଖୋଜନ୍ତି । ତଥାପି ପଶି ପାରନ୍ତି ନାହିଁ ମୋ' ହୃଦୟର ସେଇ ଅଦୃଶ୍ୟ ଇଲାକା ଭିତରକୁ"।


ପୁଣି ନିଜ ଛାତି ଉପରେ ହାତ ରଖି ଗଳ୍ପା କହିଲା - ଦେଖିଲ, ଏ ହୃଦୟଟା ଭିତରେ କେତେ ଦିନ ହେଲା ତୁମେ କେମିତି ଆସ୍ଥାନ ଜମାଇ ଦେଇଛ! "ସତରେ ମୁଁ ଅଭିଭୂତ ହୋଇ ପଡ଼ିଲି, ଆତ୍ମହରା ହୋଇ ଉଠିଲି। ମୋ’ ହୃଦୟଟା ଶୂନ୍ୟେ ଶୂନ୍ୟେ ବିଳପି ଉଠିଲା କେଉଁ ଏକ ଅବ୍ୟକ୍ତ ଦୁଃଖରେ। ଅଜଣା ଭୟରେ ଦୁଲୁକି ଉଠିଲା ମୋ' ଛାତି ଭିତରଟା। ଏକ ସୂକ୍ଷ୍ମ ଦୃଷ୍ଟି ତୋଳି ମୁଁ ଗଳ୍ପାର ହୃଦୟ ଭିତରକୁ ପଶିବାକୁ ଚେଷ୍ଟା କଲି କିନ୍ତୁ ଏକ ସ୍ଥୂଳ ଦୃଷ୍ଟିରେ ଚାହିଁ ରହିଲି ତାର ଉନ୍ନତ ବକ୍ଷ୍ୟୋଜ ଆଡ଼କୁ। ତା' ସ୍ତନ ଯୁଗଳରୁ ଉତଥିତ ଏକ ଅନୈସର୍ଗିକ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ପଡ଼ିଲି ମୁଁ।


ଗଳ୍ପା ଯେତେବେଳେ ବାଳିକାରୁ କିଶୋରୀରେ ରୂପାନ୍ତରିତ ହୋଇ ଆସୁଥିଲା ତାର ଉନ୍ନତ ବକ୍ଷକୁ ତା' ଅଜାଣତରେ ବାରମ୍ବାର ଚାହୁଁ ଚାହୁଁ ଦିନେ ଧରା ପଡ଼ି ଯାଇଥିଲି ଗଳ୍ପାର ଆଖିରେ। ଠିକ୍ କ୍ଲାସରେ ଦୁଷ୍ଟାମି କରୁଥିବା ଛାତ୍ରକୁ ଶିକ୍ଷକ ତାଗିଦ୍ କଲା ଭଳି ସେ କହିଲା - ଏ ଏମିତି ଚାହୁଁଛ କଣ ! ଚାହିଁ ଚାହିଁ ଆଖିକୁ ଜଳକା କରନି ବରଂ ପଢା ପଢିରେ ମନ ଦିଅ। ଆଗରେ ଆମ ପାଇଁ ଏକ ବିରାଟ ଭବିଷ୍ୟ ଅଛି। ସେ ଦିନ ଆସୁ ଦେଖିବ ଏ ଦେହଟାକୁ ଫୁଲ ମାଳା ପରି କିପରି ତୁମ ଗଳାରେ ଲମ୍ବାଇ ଦେବି । 


ଆଜି ସେ ଅତୀତ ସ୍ମୃତି ଟିଏ ହୋଇ ରହି ଯାଇଛି । ଗଳ୍ପାକୁ ନେଇ ଏବେ ସୁନେଲୀ ସ୍ବପ୍ନ ଦେଖିବା ଧୃଷ୍ଟତାର କାମ। ତଥାପି ଗଳ୍ପା ଆଜି କେଉଁ ସୁଦୂର ଅତୀତକୁ ପାଥେୟ କରି ନିଜକୁ ନିଃସଂକୋଚରେ ମୋ ଆଗରେ ବିଞ୍ଚିଦେଉଛି ପ୍ରେମର ସୈାରଭ। ମୁଁ ଆଉ ନିଜକୁ ସଂଯତ କରି ପାରିଲି ନାହିଁ। ଗଳ୍ପାର ଘନକୃଷ୍ଣ କବରୀ ଭିତରେ ଧୀରେ ଧୀରେ ଆଙ୍ଗୁଳି ଚାଳନା କରି କହିଲି - ଆଃ.….. କଣ ହୋଇଛି ଗଳ୍ପା ତୁମର? କେଉଁ ନିଃସଂଗତାକୁ ପାଥେୟକରି ତୁମେ ଏମିତି ପ୍ରଳାପ କରୁଛ। ଗଳ୍ପାର କଣ୍ଠ ବାଷ୍ପାକୁଳ ହୋଇ ଉଠିଲା। ତାର ଓଷ୍ଠାଧାରରେ ଖେଳିଗଲା ମୃଦୁ କମ୍ପନ। ଶର - ବିଦ୍ଧା ଏଣୀ ପରି କାତର କଣ୍ଠରେ କହିଲା - " ତୁମକୁ ସବୁ କିଛି କହିବାକୁ ମୋତେ ସଙ୍କୋଚ ଲାଗୁଛି । 


କେମିତି କହିବି ତୁମକୁ ମୋ ନିଷ୍ଫଳ ନାରୀ ଜୀବନର ଗୋପନ କଥା । ମୋ ସ୍ବାମୀ ପୁରୁଷର ନିର୍ମୋକ ତଳେ ଜଣେ ପୁଋଷତ୍ବାହୀନ, ନପୁଂସକ ମଣିଷ। ତାଙ୍କ ଦେହରେ ଆଉ ଶିହରଣ ନାହିଁ କି ବେପଥୁ ନାହିଁ। ବେଳେବେଳେ ସେ କ୍ଷୁଧିତ ସିଂହ ହୋଇ ପଡିଲେ ମଧ୍ୟ ଶେଷରେ ଦରମଲା ମାଛ ପରି ଖାଲି ଛଟପଟ ହେଉଛନ୍ତି ଅସହାୟ ଭାବେ। ତାଙ୍କର ଶରୀରରେ ପ୍ରବାହିତ ଶୋଣିତରେ ଉତ୍ତାପ ଅଛି ସତ କିନ୍ତୁ କ୍ଷଣିକ ଭିତରେ ଯେମିତି ହିମ - ଶୀତଳ ବରଫ ଖଣ୍ଡଟିଏ ପାଲଟି ଯାଉଛନ୍ତି। ଆଃ... ଅଙ୍କିତ କେମିତି ବୁଝାଇବି ତୁମକୁ। ସତରେ ବିଶ୍ୱାସ କର ଜୈବିକ କ୍ଷୁଧାକୁ ମୁଁ ଘୃଣା କରେ। ମୁଁ ଆଉ ଚାହୁଁନି ନିଜ ଜୀବନକୁ ତିଳ ତିଳ କରି ଉପଭୋଗ କରିବା ପାଇଁ। ତେଣୁ ମୁଁ ତାଙ୍କ ସହିତ ପାର୍ଟି, ପିକନିକ୍ କି କ୍ଲବରେ ଯୋଗ ଦିଏନି। 


ସତରେ କିନ୍ତୁ ସେ ବିଚରାର କିଛି ଦୋଷ ନାହିଁ। ମୋ’ ଉପରେ ତାଙ୍କର ସ୍ନେହ, ପ୍ରୀତି, ସୋହାଗ, ଅନୁରାଗ ସବୁକିଛି ଅକୁଣ୍ଠ ଚିତ୍ତରେ ଅଜାଡ଼ି ଦେଇ ବି ଶେଷରେ ହାରି ଯାଇଛନ୍ତି ସେ। ତେଣୁ ବେଳେବେଳେ ଓଭର ଡ୍ରିଙ୍କ କରି ଲେଟ୍ - ନାଇଟରେ ଘରକୁ ଫେରନ୍ତି। ତାଙ୍କର କରୁଣ ବିଷର୍ଣ୍ଣ ମୁଖମଣ୍ଡଳକୁ ଦେଖିଲେ ମନରେ ଦୁଃଖ ଆସେ। କିନ୍ତୁ ଅଙ୍କିତ ମୁଁ ଚାହୁଁଛି ମୋର ଜଣେ ଭାବି ବଂଶଧର; ଉତ୍ତର ଦାୟଦ । ମୁଁ ଚାହେଁ ମୋ’ ନିଜ ରକ୍ତରେ ମୋ' କୂଳ ରକ୍ଷା ହେଉ ଅଥଚ ଏକ ଶୂନ୍ୟ ହାହାକାର ଆଉ ବ୍ୟର୍ଥତାକୁ ନେଇ ସାରା ଜୀବନ କାନ୍ଦିବା ଛଡ଼ା ମୋ' ପାଖରେ ଆଉ କଣ ଅଛି !


ଏମିତି ଏକ ଅପୂରଣୀୟ, ଅଭାବିତ ପରିସ୍ଥିତିରେ କଣ ଆଉ କରି ପାରିବି ମୁଁ । ତାର ସ୍ବାମୀ ସୁଜିତ୍ ବାବୁ ହିଁ ପ୍ରୀତିର ନୂଆଁ ପଲସ୍ତରାଟିଏ ଦେଇ ଆଶାର ଭଙ୍ଗା ହୃଦୟକୁ ଯୋଡାଇ କରି ପାରନ୍ତେ। ହୁଏତ ଜୀବନ ପ୍ରତି ବୀତସ୍ପୃହ ହୋଇ ପଡିଛନ୍ତି ସୁଜିତ୍ ବାବୁ । ଐଶ୍ୱର୍ଯ୍ୟ ଲାଳସା ଓ ସୁରା ପାତ୍ରର ବୁଦ ବୁଦ ଭିତରେ ହୁଏତ ସେ ଭୁଲି ଯିବାକୁ ଚାହାନ୍ତି ସ୍ୱାମୀର କର୍ତ୍ତବ୍ୟ ଅଥଚ ଗଳ୍ପା ଭଳି ଗୋଟିଏ ସୁନ୍ଦରୀ ନାରୀର ମନକୁ ତୃପ୍ତି କଲା ଭଳି ପୁରୁଷତ୍ଵ ତାଙ୍କର ମେଷ ଶାବକ ଭଳି କାହିଁକି ପଛ ଘୁଂଚା ଦେଉଛି ଆଜି ? ଗଳ୍ପାର ମନରେ ଯେଉଁ ଅଭାବ ମୁଣ୍ଡ ଟେକିଛି ହୁଏତ ସେଇ ଜୈବିକ ଅଭାବ ବୋଧକୁ ପରିପୂରଣ କରିବାରେ ଅକ୍ଷମତା ପ୍ରକାଶ କରିଛନ୍ତି ସୁଜିତ୍ ବାବୁ। ସେଇଥି ପାଇଁ ହୁଏତ ଗଳ୍ପାର ଅଭାବିତ ମନର ଡାଳରେ ବେଦାନାର ପକ୍ଷୀ ବସା ବାନ୍ଧିଛି କେଉଁ କାଳୁ। ଆଉ ବେଳେବେଳେ ସେଇ ଶରବିଦ୍ଧା ପକ୍ଷୀ ତାର ଯନ୍ତ୍ରଣା - ଦଗ୍ଧ ପକ୍ଷକୁ ହଲାଇ ହଲାଇ ଗଳ୍ପାର ମନ ଓ ହୃଦୟକୁ କରୁଛି ବ୍ୟସ୍ତ ବିହ୍ଵଳିତ।


କେଉଁ ଏକ ଅସତ୍ୟ ରୂପେଲୀ ସହର ଭିତରକୁ ସେ ଧୀରେ ଧୀରେ ପାଦ ବଢ଼ାଉଛି। ମୋ' ହାତ ପାପୁଲିକୁ ତା' ଛାତି ଭିତରେ ଖୁବ୍ ଜୋରରେ ଚାପି ଧରି ସେ ଅନୁନୟ କଣ୍ଠରେ କହୁଛି - ତୁମେ ତ ମୋର ପ୍ରେମିକ । ପ୍ରେମିକର ଆସନ ସ୍ଵମୀଠାରୁ ବଳି ଆହୁରି ଉଚ୍ଚରେ। ପ୍ରେମିକ ଯଦି ନାରୀ ହୃଦୟର ଗିରିଶୃଙ୍ଗ ହୁଏ । ସ୍ବାମୀ ସେଇ ପର୍ବତର ପଦବନ୍ଦନା କରୁଥିବା ସ୍ୱଚ୍ଛ ସ୍ଫଟିକ ଜଳଧାରଟିଏ। ମୁଁ ତୁମକୁ କେବେ ବି କିଛି ହାତ ପାତି ମାଗିନି। ଆଞ୍ଜୁଳା ଆଞ୍ଜୁଳା କେବେ ମଧ୍ୟ ତୁମ ହାତ ମୁଠାରେ ଢାଳି ପାରିନି। ବୁନିଆଦର ପାଚେରୀ ସବୁବେଳେ ଆମ ମିଳନ ପଥରେ ସର୍ବଦା ଅନ୍ତରାୟ ହୋଇ ଆସିଛି। ତେଣୁ ସେଇ ଦିନୁ ମୋ ଭିତରେ ଅସୁମାରୀ ଦୁଃଖ ରହି ଆସିଛି। ତୁମକୁ ଥରୁଟିଏ ମୋ' ଭିତରେ ଉପଲବ୍ଧି କରି ପାରିଲେ ଏକ ବିରାଟ ଅବଶୋଷ ମେଣ୍ଟାଇବା ସହ ଜୀବନର ସକଳ ଦୁଃଖ ଦୂରୀଭୂତ ହୋଇଯିବ । ମୁଁ ପାଇବି ଆତ୍ମତୃପ୍ତି ଆଉ, ଚିର ଶାନ୍ତି ।


ଗଳ୍ପା ଆଜି ଅନ୍ୟ ଜଣକର ବାଗଦତ୍ତା । ବିବାହିତା ସ୍ତ୍ରୀ । ତା' ସୀମନ୍ତର ସିନ୍ଦୂର ବିନ୍ଦୁ ହିନ୍ଦୁ ନାରୀର ସକଳ ସୌନ୍ଦର୍ଯ୍ୟ । ସକଳ ସୁଷମା ନେଇ ଉଦ୍ଭାସିତ ହୋଇ ଉଠୁଛି। କିନ୍ତୁ ତା' ମୁହଁର ଭାବଭଙ୍ଗୀ, ତା' କଥନ ଶୈଳୀରୁ ମୋର ମନେ ହେଉଛି.... କେମିତି ସିଏ କୂଳ ଲଂଘନ କରି ଏକ ପ୍ରବାହମାଣା ସ୍ରୋତଟିଏ ହୋଇ ବହି ଯିବାକୁ ଚାହୁଁଛି ମୋ' ଉପରେ । ଆଉ ମୁଁ କୁଟା ଖଣ୍ଡେ ଭଳି ଭାସି ଭାସି ବିଲୀନ ହୋଇଯାଇଛି ଆଜି ସମୁଦ୍ରର ଅତଳ ଗହ୍ୱରରେ ।


ସମ୍ପ୍ରତି ମୁଁ ଗଳ୍ପାର ଅତିଥି, ହୁଏତ ଅଦୂର ଅତୀତରେ ପ୍ରେମିକଟିଏ ହୋଇ ବସା ବନ୍ଧିଥିଲି । କିନ୍ତୁ ଏଇ ସାତ ବର୍ଷର ବେକାର ନିଃସଙ୍ଗ ଜୀବନ ଭିତରେ ମନ ଭିତରୁ କେତେବେଳେ ସେଇ ପ୍ରେମର ନୀଡ଼ଟି ଭାଙ୍ଗି ଗଲାଣି । ଆଜି ପୁଣି ଦୀର୍ଘ ବର୍ଷ ପରେ ଗଳ୍ପା ସେଇ ବିଗତ ସ୍ମୃତିର କାଠିକୁଟାକୁ ଏକାଠି କରି ଭଲ ପାଇବାର ବସାଟିକୁ ସଜାଡିବାକୁ ଅପଚେଷ୍ଟା କରୁଛି । ତା' ସରଳତାରେ ବିଗଳିତ ହୋଇ, ତା' ଦୁଃଖରେ ଦ୍ରଵିଭୂତ ହୋଇ ଯଦି ମୁଁ କିଛି ଭୁଲ କରି ବସେ ତା' ସ୍ଵାମୀଙ୍କ ପ୍ରତି ନିଶ୍ଚୟ ଅନ୍ୟାୟ ହେବ। ସୁଜିତ୍ ବାବୁଙ୍କୁ ନେଇ ଗଳ୍ପା ଖୁସି ହେବା କଥା କିନ୍ତୁ ମୋ’ ଭଳି ଜଣେ ବିସ୍ମୃତ ପ୍ରେମିକ ପାଇଁ ପ୍ରଣୟ - ବିଭୋର ଆଉ ପାଗଳିନୀ ହୋଇ ଉଠୁଛି ଗଳ୍ପା ।


ମୋ' ଚିନ୍ତିତ ମୁଖମଣ୍ଡଳକୁ ଚାହିଁ ଗଳ୍ପା କହିଲା - ତୁମେ ଏମିତି ଚିନ୍ତିତ କାହିଁକି ? ତୁମେ ନିଶ୍ଚିନ୍ତ ରୁହ ଯେ ମୋ' ସ୍ବାମୀଙ୍କ ଅଜାଣତରେ ମୁଁ କିଛି କରୁଛି । ଯାହା ପାଇଁ ସେ ମୋ ପାଖରେ ଅକ୍ଷମ, ଅଥର୍ବ, ଅପାରଗ, ତୁମ ଦ୍ବାରା ସେଇ ସକ୍ଷମତାର ଉପଲବ୍ଧି କରିବାକୁ ଚାହାଁନ୍ତି ସେ । ଦୁନିଆରେ ଏମିତି କେତେ ବିସ୍ମୟ କେତେ ଦୁର୍ଘଟଣା ପ୍ରତିଦିନ ଘଟୁଛି। ତୁମେ ବି ଏହାକୁ ଜୀବନର ଗୋଟିଏ ଦିନର ଦୁର୍ଘଟଣା ଭଳି ଭାବି ନେବ। ହୁଏତ ମନରୁ ବି ପୋଛି ଦେଇପାର ସବୁ ଦିନ ପାଇଁ । 


ଉତ୍ସର୍ଗୀକୃତ ନୈସର୍ଗିକ ପ୍ରେମର ପରିଣତି କଥା ଭୁଲି ଯାଉଛି ଗଳ୍ପା । ସାରା ଦୁନିଆ ଭର୍ତ୍ସନା କରିପାରେ । କୁଳଟା, ନିର୍ଲଜ ନାୟିକା ପାଲଟିଗଲା ସବୁ ଜାଣି ଶୁଣି ଗଳ୍ପା । କୁଳଟା ହେବାକୁ ଇଚ୍ଛା କେମିତି ହେଉଛି ଆଜି ! ପ୍ରେମ ନଶ୍ଵର, ପ୍ରେମ ଅବିନାଶୀ, ପ୍ରେମ ନୈସର୍ଗିକ । ମୁଁ ସେଭଳି ପ୍ରେମ କରେ ଗଳ୍ପା କୁ କିନ୍ତୁ ଗଳ୍ପା ଆଜି ଜୈବିକ ଲାଳସାରେ ଲୋଲଜ୍ୱିହା ଯଦିଓ ତାର ଅନ୍ତର୍ଦୃଷ୍ଟି ଭିନ୍ନ। ଦୀର୍ଘ ଚବିଶ ବର୍ଷ ଭିତରେ ମୋଠାରୁ ସେ ଯାହା ଆଶା କରି ପାରି ନଥିଲା । ତାହା ଆଜି ଅନାୟାସରେ, ବିନା ସଂକୋଚରେ, ଅକୁଣ୍ଠ ଚିତ୍ତରେ ଆଞ୍ଜୁଳା ଆଞ୍ଜୁଳା କରି ମାଗୁଛି ମୋତେ। ମୋ' ରକ୍ତର ଉଷ୍ମତାକୁ ତା' ଶୋଣିତ ଭିତରେ ମିଶାଇଦେଇ ଏକ ଅଭିନବ ସୃଷ୍ଟିର କଳ୍ପନାର ବିଭୋର ହୋଇ ଉଠୁଛି ଗଳ୍ପା ।


ମୋର ମନେ ହେଉଛି ସତେ ଯେମିତି ମୁଁ ପାଲଟି ଯାଇଛି ଏକ ଅଶାନ୍ତ ସମୁଦ୍ର ଆଉ ଗଳ୍ପା ଏକ ମାୟାବିନୀ ତଟିନୀ... ଭଳି ଢଳିଢଳି ମୋ’ ଆଡ଼କୁ ଝରି ଆସୁଛି । କେଉଁ ଏକ ମୋହିନୀ କନ୍ୟାର ଉଦ୍ଦାମ ସଂଗୀତ ଗାଇ ଗାଇ । ସେତେବେଳକୁ ବାହାର ଲନ୍ ରେ ଅଜସ୍ର ଗଙ୍ଗଶିଉଳି ଝରିପଡୁଥିଲା। ଆଉ ତିଳ ତନ୍ଦୁଳିତ ଜହ୍ନର ଜ୍ୟୋତ୍ସ୍ନାରେ ଭିଜି ଭିଜି ପରସ୍ପରକୁ ଦେଖୁଛୁ ଯେମିତି ସୃଷ୍ଟିର ପ୍ରଥମ ପୁରୁଷ ଓ ସ୍ତ୍ରୀର ପ୍ରଥମ ପରିଚୟ, ପ୍ରଥମ ଦୃଷ୍ଟି ବିନିମୟ । ମୋ' ପାଦ ତଳର ମାଟି ଅତଡ଼ା ଖାଇ ଖାଇ ଖସି ପଡୁଛି ତଳକୁ। ମୁଁ ରସାତଳଗାମୀ ହୋଇ ପାପର କେଉଁ ଏକ ଅନ୍ଧାରୀ ଗୁମ୍ଫା ଭିତରକୁ ପଶିଯାଇଛି ଧୀରେ ଧୀରେ।


ନିଷ୍ପ୍ରଭ ଦୀପଶିଖା ଟିଏ ଭଳି ଦପ୍ ଦାପ୍ ହୋଇ ଥରି ଉଠୁଛି ମୁଁ । ଗଳ୍ପା ବ୍ଲାଷ୍ଟ୍ ଫାର୍ଣେଂସରେ ତରଳୁ ଥିବା ଲୁହା ଖଣ୍ଡ ଭଳି ବେଳକୁ ବେଳ ତରଳି ବାକୁ ଲାଗୁଛି । ତା ' ନାସା ରନ୍ଧ୍ର ଦେଇ ଉତ୍ତପ୍ତ ନିଃଶ୍ୱାସ ମୋ' ଦେହରେ ପିଟିହେଉଛି ଅହରହ । ଏଇତ ଗଳ୍ପାର ଥରିଲା ଥରିଲା ହାତ ଦୁଇଟି ମୋ' ଚାରି ପଟେ ଭୌତିକ ଲତାଟି ପରି ଗୁଡେଇ ହୋଇ ପଡୁଛି। ତାର ମରାଳ ଗ୍ରୀବା, ଉନ୍ନତ ଉଲଗ୍ନ ବକ୍ଷ କ୍ରମଶଃ ମୋର ସନ୍ନିକଟ ହେଉଛି । ମୋ' ଓଠରେ ତା' ରକ୍ତାଭ ଓଠର ଉଷ୍ମାତାକୁ ମୁଁ ଅନୁଭବ କରୁଛି ।


ବିଦ୍ୟୁତ ବଲବ୍ ଟି ଛାଏଁ ଛାଏଁ ଲିଭି ଯାଉଛି। ଗଳ୍ପାର ନିଭୃତ କୋଠରୀ ହୋଇ ଯାଉଛି । ଯମୁନା ତଟର କଦମ୍ବ ବଣ। ରୂପା ଜରିଦିଆ ଜହ୍ନର ଜ୍ୟୋତ୍ସ୍ନା ବୁଣି ହୋଇ ଯାଉଛି ତା' ଘର ସାରା। କଦମ୍ବ ମୂଳକୁ ଆଉଜି ବସି ମୁଁ ପାଲଟି ଯାଉଛି ଯୁଗପୁଋଷ । ଆଉ ଏମିତି ଏକ ସ୍ବପ୍ନିଳ ରାତ୍ରିରେ ଜ୍ୟୋତ୍ସ୍ନା ଝରା ଆକାଶ ତଳେ ଗଳ୍ପା ସମ୍ପୂର୍ଣ୍ଣ ରାଧା ପାଲଟିଯାଇ ଏକାକାର ହୋଇଯାଉଛି ମୋ' ଭିତରେ ।


ସେତେ ବେଳକୁ ବାହାରେ ଗଙ୍ଗଶିଉଳି ଝରି ଝରି ଲୋଟି ପଡୁଥିଲା ଲନ୍ ସାରା। ବାହାରର ଝାପ୍ସା ଆଲୋକରେ ଅନୁଭବ କରିପାରୁଥିଲି... ରାତି ପାହିଲା ବେଳକୁ ଗଙ୍ଗଶିଉଳି ବୃକ୍ଷରେ ନ ଥିବ କି ଏ ଦିନ ମୋ ପାଇଁ ନ ଥିବ......


ସମସ୍ତ ଅପୂର୍ଣ୍ଣତା ରୂପାନ୍ତରିତ ହେଉ ସମ୍ପୂର୍ଣ୍ଣତା ରେ..... ଆକାର ଲଭୁ ସାକାର ..


Rate this content
Log in

Similar oriya story from Drama