ବ୍ୟବହାରିକ ଜ୍ଞାନ
ବ୍ୟବହାରିକ ଜ୍ଞାନ


ପୁରୀ ଜଗନ୍ନାଥଙ୍କ ବିଷୟରେ ପଢିବା ଶୁଣିବା ଅପେକ୍ଷା ସିଧାସଳଖ ଦର୍ଶନ କରିବା ଅଧିକ ଫଳପ୍ରଦ । ସେହିଭଳି ଜୀବନରେ ଲକ୍ଷ୍ୟ ହାସଲ କରିବା ପାଇଁ ଯେ କୌଣସି ଜିନିଷର ପ୍ରତ୍ୟକ୍ଷ ଦର୍ଶନ ଅର୍ଥାତ୍ ବ୍ୟବହାରିକ ଜ୍ଞାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ରାମକୃଷ୍ଣ ପରମହଂସ କହିଛନ୍ତି - ଆଜିକାଲି ବ୍ୟବହାରିକ ଜ୍ଞାନ ପାଇବା ପାଇଁ ଯୁବପିଢ଼ି ମୋଟା ମୋଟା ବହି ପଢୁଛନ୍ତି। ଯଦି ସେମାନେ ଚରମ ଲକ୍ଷ୍ୟ ହାସଲ କରିବାକୁ ଚାହୁଁଛନ୍ତି, ତେବେ ସେମାନଙ୍କୁ ଶିକ୍ଷାର ପ୍ରକୃତ ଉଦ୍ଦେଶ୍ୟ ବୁଝିବାକୁ ପଡ଼ିବ। ଶାସ୍ତ୍ର ବା ଗ୍ରନ୍ଥ କେବଳ ଭଗବାନଙ୍କ ନିକଟରେ ପହଞ୍ଚିବାର ବାଟ ଦେଖାଇଥାଏ । ସଠିକ ମାର୍ଗ ଜାଣିବା ପରେ ଶାସ୍ତ୍ର ଓ ଗ୍ରନ୍ଥର ଆବଶ୍ୟକତା କମ୍ ଥାଏ । ତା'ପରେ ବ୍ୟବହାରିକ ଜ୍ଞାନ କାମରେ ଆସିଥାଏ । କିଛି ଲୋକ ଭାବନ୍ତି ଯେ ପୁସ୍ତକ ନ ପଢିଲେ ଭଗବାନଙ୍କ ବିଷୟରେ ଜ୍ଞାନ ହାସଲ ହୋଇପାରିବ ନାହିଁ । ଗୋଟିଏ କଥା ଜାଣିବା ଜରୁରୀ... ପଢ଼ିବା ଅପେକ୍ଷା ଶୁଣିବା ଭଲ । ଶୁଣିବା ଅପେକ୍ଷା ଦେଖିବା ଭଲ । ଦେଖିବା ହେଉଛି ବ୍ୟବହାରିକ ଜ୍ଞାନ । ନିଜେ ପଢ଼ିବା ଅପେକ୍ଷା ଗୁରୁଙ୍କ ପାଟିରୁ ସତ୍ୟ ଶୁଣିଲେ ଅନୁଭବ ଗଭୀର ହୋଇଥାଏ, କିନ୍ତୁ ପ୍ରତ୍ୟକ୍ଷ ଦର୍ଶନର ପ୍ରଭାବ ସବୁଠାରୁ ଅଧିକ ହୋଇଥାଏ। ଜଗନ୍ନାଥଙ୍କ ବିଷୟରେ ପଢ଼ିବା ପରିବର୍ତ୍ତେ ପୁରୀ ଯାଇଥିବା ବ୍ୟକ୍ତିଙ୍କ ଓଠରୁ ଶୁଣିବା ଭଲ। ଜଗନ୍ନାଥଙ୍କୁ ନିଜ ଆଖିରେ ଦେଖିବା ଭଲ । ଗାଁର ଚାରି ଜଣ ମହିଳା କୂଅରୁ ପାଣି ଭରିବା ସମୟରେ ନିଜ ପୁଅମାନଙ୍କୁ ପ୍ରଶଂସା କରୁଥିଲେ। ଜଣେ ମହିଳା କହିଲେ, ମୋ ପୁଅ ପାଠ ପଢ଼ି ପୁରୀରୁ ଆସିଛି। ସେ ଜଣେ ସଂସ୍କୃତ ପଣ୍ଡିତ ହୋଇପାରିଛି । ସେ ବଡ ବଡ ଗ୍ରନ୍ଥଗୁଡ଼ିକୁ ତୁଣ୍ଡରେ କହି ପକାଉଛି। ଦ୍ୱିତୀୟ ମହିଳା କହିଲେ, ମୋ ପୁଅ ଜ୍ୟୋତିଷ ଶାସ୍ତ୍ର ପଢିଛି, ସେ ଭବିଷ୍ୟବାଣୀ କରୁଛି । ତୃତୀୟ ମହିଳା କହିଲେ, ମୋ ପୁଅ ମଧ୍ୟ ଭଲ ପାଠ ପଢ଼ିଛି। ଚାକିରୀ କରୁଛି । ଅନ୍ୟ ଗାଁ'ର ସ୍କୁଲରେ ଯାଇ ପାଠ ପଢ଼ାଉଅଛି । ଚତୁର୍ଥ ମହିଳା କିନ୍ତୁ ଚୁପ୍ ଚାପ୍ ଥାଆନ୍ତି । ତିନିଜଣ ଯାକ ମହିଳା ପଚାରିଲେ, ଆପଣଙ୍କ ପୁଅ କେତେ ଶିକ୍ଷିତ ? ଚତୁର୍ଥ ମହିଳା କହିଲେ, "ମୋ ପୁଅ ଶିକ୍ଷିତ ନୁହେଁ, ବରଂ ସେ କଠିନ ପରିଶ୍ରମୀ । ସେ ଚାରିଜଣ ପାଣି ଧରି ଆଗକୁ ଚାଲିଲେ । ପ୍ରଥମ ମହିଳାଙ୍କ ପୁଅ ଆସୁଥିବା ଦେଖାଗଲା । ସେ ତାଙ୍କର ମା'ଙ୍କୁ ଅଭିନନ୍ଦନ ଜଣାଇ ଚାଲିଗଲା । ସେହିଭଳି ଦ୍ବିତୀୟ ଓ ତୃତୀୟ ମହିଳାଙ୍କ ପୁଅମାନେ ମଧ୍ୟ ବାଟରେ ସାକ୍ଷାତ କରି ଅଭିବାଦନ ଜଣାଇ ଆଗକୁ ଚାଲିଲେ । ଚତୁର୍ଥ ମହିଳାଙ୍କ ପୁଅ ବାଟରେ ମା'ଙ୍କୁ ଦେଖି ଦୌଡ଼ି ଆସି ମୁଣ୍ଡରୁ ଜଳପାତ୍ର ଧରି କହିଲେ, ତୁମେ କାହିଁକି ଏକୁଟିଆ ଆସିଲ ? ମୋତେ ଡାକିଥାଆନ୍ତ । ଏତିକି କହି ସେ ଜଳପାତ୍ରକୁ ମୁଣ୍ଡରେ ରଖି ଚାଲିଲା । ତିନି ଜଣ ମହିଳା ଏସବୁ ଦେଖୁଥିଲେ। ତେଣୁ ଜୀବନରେ କେବଳ ପୋଥିଗତ ବିଦ୍ୟା ଯଥେଷ୍ଟ ନୁହେଁ, ଆମେ ଆମ ପିଲାମାନଙ୍କୁ ବ୍ୟବହାରିକ ଜ୍ଞାନ ମଧ୍ୟ ଶିଖାଇବା ଉଚିତ୍ ।