ନୀରବତା
ନୀରବତା


ଇନ୍ଦ୍ରିୟକୁ ନିୟନ୍ତ୍ରଣ କରିବାର ସର୍ବୋତ୍ତମ ଉପାୟ ହେଉଛି 'ନୀରବତା '। ଅନାଦି କାଳରୁ ମୁନିଋଷିମାନେ ନୀରବତାର ମହତ୍ତ୍ୱକୁ ଅନୁଭବ କରୁଥିଲେ । ଗୀତାରେ ଭଗବାନ ଶ୍ରୀକୃଷ୍ଣ ନୀରବତାକୁ ପଞ୍ଚ ତପ ମଧ୍ୟରୁ ଗୋଟିଏ ବୋଲି କହିଛନ୍ତି । ମନର ଶାନ୍ତି ବିନା ବାକ୍ ନୀରବତା ଅସମ୍ଭବ। ମନକୁ ଶାନ୍ତ କରିବା ପରେ ହିଁ ସକାରାତ୍ମକ ଶକ୍ତି ସଞ୍ଚାର ହୋଇଥାଏ ଓ ନୂତନ ଚିନ୍ତା ଧାରା ଆସିଥାଏ । ନୀରବରେ ଆମର ଚିନ୍ତାଧାରା ଚୟନ ସଂଶୋଧିତ ଏବଂ ପରିମାର୍ଜିତ ହୋଇଥାଏ । ପରିଣାମ ସ୍ୱରୂପ ଆମେ ସର୍ବୋତ୍ତମ ବିଚାରକୁ ପାଇପାରିବା । ମୁନିଋଷିମାନେ ନୀରବତା ଦ୍ବାରା ପାଇଥିବା ସକାରାତ୍ମକ ଶକ୍ତିକୁ ସଂରକ୍ଷଣ କରି ପରମାର୍ଥ ସେବାରେ ନିୟୋଜନ କରନ୍ତି । ପ୍ରସିଦ୍ଧ ଆମେରିକୀୟ କବି ହେନରୀ ଲାଙ୍ଗଫେଲୋଙ୍କ ମତରେ ନୀରବତା ଏକାନ୍ତ ଆତ୍ମାର ସବୁଠାରୁ ଭଲ ବନ୍ଧୁ । ମୌନ ଅବସ୍ଥାରେ ଆମେ ସବୁ ସଠିକ୍ ଆତ୍ମସମୀକ୍ଷା କରିପାରିବା । ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଯେମିତି ନିଦ୍ରା ଦରକାର, ଠିକ୍ ସେମିତି ମାନସିକ ଶାନ୍ତି ପାଇଁ ନୀରବତା ଦରକାର । ଜ୍ଞାନର ଶକ୍ତି ହେଉଛି ନୀରବତା । ମହାତ୍ମା ଗାନ୍ଧୀ କହୁଥିଲେ ନିରବତା ଭିତରେ ଆଭ୍ୟନ୍ତରୀଣ ଶକ୍ତିକୁ ଜାଗ୍ରତ କରିବାର ସାମର୍ଥ୍ୟ ରହିଛି। ତାଙ୍କ ମତରେ ଯେଉଁ ବ୍ୟକ୍ତି ନିଜ ଜୀବନରେ ନିରନ୍ତର ସତ୍ୟକୁ ଖୋଜୁଛି, ସେ ନୀରବତା ଅଭ୍ୟାସର ମାର୍ଗ ଆପଣାଇଥାଏ। ବିଶ୍ୱର ସର୍ବବୃହତ ମହାକାବ୍ୟ ମହାଭାରତ ରଚନା ସମୟରେ ଗଣେଶ ମହର୍ଷି ବେଦ ବ୍ୟାସଙ୍କ ମୁଖରୁ ବାହାରିଥିବା ଶବ୍ଦଗୁଡ଼ିକୁ ଲିପିବଦ୍ଧ କରିବା ସମୟରେ ନୀରବ ଅଭ୍ୟାସରେ ଲିପ୍ତ ଥିଲେ । ନୀରବତା ମହତ୍ତ୍ୱର ଏହାଠାରୁ ବଡ଼ ପ୍ରମାଣ ଆଉ କ'ଣ ହୋଇପାରେ ? ଆଜିର ଯୁଗରେ ଯେତେବେଳେ ବାଚାଳତାକୁ ବୁଦ୍ଧିମତା ସହିତ ଯୋଡି ଦିଆଯାଏ, ସେତେବେଳେ ନୀରବତାର ପ୍ରାସଙ୍ଗିକତା ଆହୁରି ବଢିଯାଏ । ଭୋକ ଲାଗିଲେ ଆମେ ଆମର ଆବଶ୍ୟକତା ଅନୁଯାୟୀ ଖାଇଥାଉ, ଶାରୀରିକ ଆବଶ୍ୟକତା ଅନୁଯାୟୀ ଶୋଇଥାଉ, କିନ୍ତୁ ଆମ ବାଣୀକୁ କେତେ ସଂଯମତାରେ ରଖିଛୁ ସେଥିପ୍ରତି ଆମେ ଧ୍ୟାନ ଦେଉନାହୁଁ । ବାଣୀ ହେଉଛି ଶକ୍ତିର ଅଯଥା ଅବକ୍ଷୟ । ସେଥିପାଇଁ ଅଧିକାଂଶ ସାଧୁ ସନ୍ଥ ମହାତ୍ମା ନୀରବତାର ଉପାସକ ।