PRANATI MAHAPATRA

Action Inspirational

4.5  

PRANATI MAHAPATRA

Action Inspirational

ଆମେ ପରା ଆଜିର ନାରୀ

ଆମେ ପରା ଆଜିର ନାରୀ

3 mins
563



କିଛି ବରିଷ୍ଠ କଳାକାର ମାନଙ୍କୁ ନେଇ ଆମର ଗୋଟିଏ କଳାକାର ଅନୁଷ୍ଠାନ ଅଛି।ପ୍ରତିବର୍ଷ ନିର୍ଦ୍ଦିଷ୍ଟ ସ୍ଥାନରେ ତ କେତେଗୁଡିଏ ବିଦ୍ୟାଳୟର ପିଲାମାନଙ୍କୁ ନେଇ ସପ୍ତାହ ବ୍ୟାପି ଜନଜାଗରଣ ଜନସଚେତନତା ଭଳି ସାମାଜିକ ବାର୍ତ୍ତା ବହନ କରୁଥିବା ନାଟକ ମାନ ମଞ୍ଚସ୍ଥ ହୋଇଥାଏ।ତା ବାଦ୍ ବି ଅନଗ୍ରସର ତଥା ଶିକ୍ଷାର ପ୍ରସାର ହୋଇ ନ ଥିବା ଗ୍ରାମ୍ୟ ପରିବେଶ ମାନଙ୍କରେ ଗାଁ ଗାଁ ବୁଲି , ନାରୀଶିକ୍ଷା ,ସ୍ଵାସ୍ଥ୍ୟ ,ପରିବେଶ ସୁରକ୍ଷା ,ବୃକ୍ଷ ରୋପଣ ,ଅନ୍ଧବିଶ୍ୱାସ, କୁସଂସ୍କାର ଆଦି ବିଷୟରେ ନାଟକ ମାନ ରଚନା କରି ଯେକୌଣସି ଫାଙ୍କା ଜାଗାରେ ଲୋକଙ୍କୁ ଏକତ୍ରିତ କରି "ଗାଁ ଥିଏଟର"ଭଳି କାର୍ଯ୍ୟକ୍ରମ ମାନ କରାଯାଏ।


  ସେହିଭଳି ଏକ ଗ୍ରାମରେ ଆମ କଳାକାର ବନ୍ଧୁ ଯାଇଥିଲୁ ।ଗୋଟିଏ ଗାଁରେ ଆମେ ରହି ପାଖାପାଖି ତିନି ଚାରିଟି ଗାଁରେ କାର୍ଯ୍ୟକ୍ରମ କରି ଆସୁ।ଦିନ ପ୍ରାୟ ୧୦/୧୧ ହେବ।ଗାଁର ପଶ୍ଚିମ ସାହିରେ ବହୁତ ଜୋରରେ ପାଟି ଶୁଭିଲା ଆମେ ବନ୍ଧୁମାନେ ଗଣ୍ଡଗୋଳ ହେଉଥିବା ଜାଗାକୁ ଧାଇଁଲୁ।ସେଠାରେ ପହଞ୍ଚି ଯାହା ଦେଖିଲୁ ,ଅବାକ୍ ଲାଗିଲା।


  ଗୋଟିଏ ଜାଗାରେ ଗୋଟିଏ ଝିଅକୁ ବସେଇ ସମସ୍ତେ ଗାଳି ଦେଉଥାନ୍ତି।

କଥା କଣ ପଚାରିବାରୁ ଝିଅର ବାପା କହିଲା ,ଶୁଣ ହୋ ବାବୁ ଏ ଗାଆଁକୁ କେତେ କେଜାଣି ସହରୀ ବାବୁମାନେ ଆସି ମୋ ଝୁଅ ମୁଣ୍ଡରେ ଯେଉଁ କାଳତୁଣ୍ଡିଆ କଥା ଭର୍ତ୍ତି କରି ଦେଇଛନ୍ତି ,ସେ ସେଥିପାଇଁ ଆଉ ଇନ୍ଦ୍ର ଚନ୍ଦ୍ର ମାନୁ ନାହିଁ।


ସେମାନେ କଣ ଗୁଡାଏ ଦେଇ ଯାଇଛନ୍ତି, ସେଇସବୁ ଧରି ତ ସବୁବେଳେ ବସୁଛି ତ ବସୁଛି, ସାହି ସାହି ବୁଲି ଯେତେ ସବୁ ଝିଅଙ୍କୁ ବି ଆଣି ପୁଣି ପାଖରେ ବସେଇ କଣ ସବୁ କହୁଛି।ସବୁକଥା ଚୁଲିକି ଯାଉ ବାବୁ ,ମୋ ଝିଅ ରେବତୀ ଗାଆଁ ଯାକ ଅଳିଆ ଆବର୍ଜନା କରି ଦେଲାଣି । ଆଉ ପରା ସେ ଝିଅ ଗୁଡା ବିଲବାଡିକୁ ଯାଉ ନାହାଁନ୍ତି, କି ଘରେ ଭାତ ଜାଉ ରାନ୍ଧୁ ନାହାଁନ୍ତି।ପିଠାପଣା, ଘରକାମ ସଣ୍ଠଣାଦି ଶିଖିଲେ ସିନା ଶାଶୁଘରେ ଭଲବୋହୁଟିଏ ବୋଲି ଆଦର ପାଇବ।ଆଉ ତ ବରଷେ କି ଦୁଇବରଷରେ ବାହାଘର ହେବ।ଏହି ଚଣ୍ଡୀ ନୀତିରେ କଣ ଘର ଚଳିବ କି ବାବୁ କହିଲ ? 


ନିଇତି ସକାଳୁ ଗାଁ ଯାକର ଝିଅଙ୍କୁ ଧରି ସଅର ପାଖକୁ କେଉଁଠିକୁ ନେଇ ଯାଉଛି ଯେ ବେଳ ବୁଡିଲା ବେଳକୁ ଆଉଚେନ୍ତି।

ସମିତିଙ୍କ ଘରେ ଏହି ପାଲା,ଝିଅଙ୍କଠୁ ଦେଖି ବୋଉ ଛୁଆମାନେ ବି ରେବତୀକୁ ଡାକି ସବୁ କଣ କରୁଛନ୍ତି।ଘର ଏବେ ସମିତିଙ୍କର ଅସମ୍ଭାଳ।ସହରରୁ ବାବୁମାନେ, ଝିଅମାନେ ଆସି ଗୋଟିଏ ପାଲା ଲଗେଇଛନ୍ତି ଏ ଗାଁରେ।ସେହି ସବୁ କଥା ଏଇଠି ଫଇସଲା ହେବ।

   ମୋର ତ ସେଇ ଅବସ୍ଥା ଏଇ ରେବ ପାଇଁ।ନିଆଁ ଚୁଲି କରୁଚି ,ତାଆରି ପାଇଁ ପା' ମୋ ଘରକୁ ନିଆଁ ପାଣି ବାସନ୍ଦ କରିବେ ବୋଲି ଗାଁ ନୋକ ଯାକ କହିଲେଣି।ତୁମେ ପୁଣି ଆଇଚ ନିଆଁରେ ଘିଅ ପକେଇବା ପାଇଁ କି ବାବୁ।ଯାଅ ଯାଅ ।ଆଜି ଏ ଝିଅକୁ ଆରସାହି ନେତରା ଭାଇ ପୁଅ ସାଙ୍ଗରେ ବାଆସାଆ କରିଦେଇ ଛୁଟି ପାଇବୁ ଆମେ ବୋପା ମାଆ ଦିହେଁ।ଏକାନିଶ୍ଵାସକେ କହି ପକେଇଲା ସ୍ତ୍ରୀ ଲୋକ ଜଣେ ।ବୋଧହୁଏ ଆଲୋଚନା ଚାଲିଥିବା ରେବତୀର ବୋଉ ବୋଧେ।


ଦେଖ ବାବୁ ଆମେ ତ ଗରିବ ,ଖଟିଖିଆ ମଜୁରିଆ।ଓଳିଏ ଖାଇଲେ ଆର ଓଳି ପାଣି ପିଇ ବଞ୍ଚୁ।ଆମର ଏ ବାବୁଆଣୀଆ କଥାରୁ କି ମିଳିବ ଯେ । ସେମାନେ କାଳେ ପାଠ ପଢୁଛନ୍ତି ।ଦେଶର ଉନ୍ନତି କରିବେ।ଦେଶ ବିଦେଶରେ ନାଁ କମେଇବେ।ଦେଶକୁ ଶାସନ କରିବେ ଏମାନେ।

ଶୁଣ ହୋ ବାବୁ ,ଆର ସାହିର ରଘୁଆ ଝିଅ ବି ସେହି ବାବୁ ବାବୁଆଣୀଙ୍କ କଥାରେ ପାଠପଢିବାକୁ ସହର ଯାଇଥେଲା।ସରକାର ସବୁ ଟଙ୍କା ପଇସା ବି ଖରଚ କଲେ।ଜାଇଁଚ ବାବୁ ,ସେ ଦିନେ ସକାଳ ବେଳା ଯାଇଥିଲା ଯେ ଯାଇଛି ।ଏଯାଏଁ ଫେରିନି କି ଆଉ ଫେରିବନି।ତା ପାଇଁ କୁଆଡେ କେତେ କଣ ହୋଇଗଲା ,ଫଇସଲା ବି ସରିନାହିଁ ସହରରେ।ରଘୁଆ ବୋଉ ମୁଣ୍ଡକୋଡି କାନ୍ଦୁଛି ଏ ଯାଏଁ।ରଘୁଆ ବିଚରା ତୁଣ୍ଡ ପଡି ଗଲାଣି।ମିଛ କହୁଛି ଯଦି ସମିତିଙ୍କୁ ପଚାର ବୋଲି ଆଉ ଜଣେ ବୟସ୍କ ମଉସା ବଡ଼ ପାଟିରେ ପାଟି କରି କହିଲେ।


ସମସ୍ତଙ୍କ ଠାରୁ ସବୁ ଶୁଣି ସାରି ଆମେ ଗଲୁ ରେବତୀ ନାମଧାରୀ ଝିଅ ପାଖକୁ।ଦଶବାର ବର୍ଷର କଅଁଳ ବୟସର ଝିଅଟିଏ।ମୁଁ ତା ମୁଣ୍ଡକୁ ଆଉଁସି ଦେଇ ତା ପାଖରେ ବସି ପଡିଲି।କୁଆଡୁ ସାହସ ପାଇଲା ସେ ,ବସିବା ଜାଗାରୁ ଉଠି ଆସି ମୋ ପାଦ ଧରି ପକେଇଲା,ଆଉ ଭୋ ଭୋ ହୋଇ କାନ୍ଦି କାନ୍ଦି କହିଲା କି ମୁଁ ପାଠ ପଢିବି ସାର୍ ।ଦେଶ ବିଦେଶର ସବୁ କଥା ଜାଣିବା ସହ ନନ୍ଦିନୀ ଶତପଥୀ, ପ୍ରତିଭା ପାଟିଲ,ମଦର ଟେରେସା,ପି.ଟି. ଉଷାଙ୍କ ଭଳି ହେବାପାଇଁ ଚାହୁଁଛି।ଆମ ଭଳି ଝିଅ ପିଲାମାନେ ପାଠପଢି ଡାକ୍ତର,ଇଞ୍ଜିନିୟର,ଶିକ୍ଷକ, ବୈଜ୍ଞାନିକ, ପାଇଲଟ ହେଉଛନ୍ତି।ଆମ ଗାଆଁର ଝିଅମାନେ ବି ସେମିତି ହେବୁ ବାବୁ।ଆମେ ପାଠ ପଢିବୁ ,ବଡ଼ ମଣିଷ ହେବୁ ।କାହିଁକି ନା ଉନବିଂଶ ଶତାବ୍ଦୀର ସେ ରେବତୀ ଆଜି ବିଂଶ ଶତାବ୍ଦୀରେ ପହଞ୍ଚି ସବୁ କଥା ବୁଝିଲାଣି।କେବଳ ଆପଣ ମାନଙ୍କ ସହଯୋଗ ଦରକାର ବାବୁ ।


   ଆମେ ପରା ଆଜିର ନାରୀ।


Rate this content
Log in

Similar oriya story from Action