ଉପାୟ ନାହିଁ
ଉପାୟ ନାହିଁ
କଣ କରିବେ ରାମବାବୁ କିଛି ବୁଝି ପାରୁ ନ ଥିଲେ । ରାତି ପାହିବା ଠାରୁ ରାତି ହେବା ଯାଏ ଘରେ ପାଟିତୁଣ୍ଡ । ଓହୋଃ, ବଡ଼ ବିରକ୍ତ ଲାଗୁଥିଲା ତାଙ୍କୁ । ପରିବେଶ ସବୁବେଳେ ଅଶାନ୍ତ ଅଶାନ୍ତ ।
ଗତ ୨୦୨୦ ମାର୍ଚ୍ଚ ମାସରୁ ବାର୍ଷିକ ପରୀକ୍ଷା କିଛି ଦିନ ହୋଇ ସ୍କୁଲ ବନ୍ଦ ହୋଇଗଲା ଆସନ୍ନ ମହାମାରୀ ପାଇଁ ।
ଯାହା ହେଉ ସମସ୍ତେ ଭାବୁଥିଲେ କିଛି ଦିନ ମାନେ ମାସେ ଦୁଇମାସ ଭିତରେ ପରିସ୍ଥିତି ଉପରେ ନିୟନ୍ତ୍ରଣ ଆସିଯିବ । କିନ୍ତୁ ସବୁ ବୃଥା । ଏମିତି ଗୋଟିଏ ଭୂତାଣୁ ଆସିଲା ଯେ ଯିବା ନାଁ ନେଲାନାହିଁ ତ, ଯେଉଁ କାରଣ ପାଇଁ ମଣିଷର ବି କର୍ତ୍ତୃତ୍ଵ ରହିଲା ନାହିଁ । କେବଳ ସଚେତନତା ଯୋଗୁଁ କିଛି ମାତ୍ରାରେ ନିୟନ୍ତ୍ରଣ ରହିଲା । ଶିକ୍ଷା, ବାଣିଜ୍ୟ ଅର୍ଥନୀତି ସବୁ ବାଧାପ୍ରାପ୍ତ ।
ପିଲାମାନଙ୍କ ପାଇଁ ତ ସୁବର୍ଣ୍ଣ ସୁଯୋଗ । ତହିଁରେ ପୁଣି ବେସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ବଡ଼ବଡ଼ ମୋବାଇଲରେ ମାନେ ଆଣ୍ଡ୍ରଏଡ ମୋବାଇଲରେ ପାଠପଢ଼ା ଆରମ୍ଭ ହୋଇଗଲା । ପିଲାମାନଙ୍କ ପାଠପଢ଼ା ଭବିଷ୍ୟତକୁ ଆଖି ଆଗରେ ରଖି ବାପା ମାଆ ମାନେ ଧାରକରଜ କରି ମୋବାଇଲ ଆଣି ପିଲାମାନଙ୍କୁ ଦେଲେ । ଯାହା ତ ପାଠ ପଢିଲେ ଛାଡ଼,ନ କହିବା ଭଲ । ଦିନରେ ଗୋଟିଏ ଦୁଇଟି କ୍ଲାସ । ସେଥିରେ ପୁଣି ପିଲା କହୁଥିବେ - ସାର୍/ ଗୁରୁଜୀ/ଗୁରୁମା ଦେଖାଯାଉନାହିଁ, ଶୁଭୁନାହିଁ ଇତ୍ୟାଦି ।
ଗୁରୁଜୀ ଗୁରୁମାଆମାନେ କହୁଥିବେ - ସମସ୍ତେ ଭିଡିଓ ଅନ୍ କର । ଏମିତି ଏମିତିରେ ଦଶ ମିନିଟ ଯିବ । ତା ପରେ ପାଠ ପଢା, ପରେ ପରେ ୫/୬ ପାଖ ଫଟୋ ଉଠେଇ ପଠେଇବେ । ପାଠପଢ଼ା ଶେଷ । ସାର୍ କହିଦେବେ, ମୁଁ ଆମ ଗ୍ରୁପରେ ପାଠ ପଠେଇ ଦେଇଛି । ସବୁ ଖାତାରେ ଲେଖିଦେବ । କହି ପାଠ ପଢା ଶେଷ କରିବେ ।
ଏଣେ ପିଲାମାନେ ତାଙ୍କର କିଏ ଶୋଇଥିବ ତ କିଏ ବସି ନଟିଆ ଦେଖୁଥିବ ଇତ୍ୟାଦି ।
ସେଥିରେ ପୁଣି ଯାହା ଘରେ ଦୁଇ ତିନୋଟି ପିଲା ଏପାଖେ ସେପାଖ କରି ଗୋଟିଏ ମୋବାଇଲରେ କାମ ଚଳାନ୍ତି । ପାଠପଢ଼ା ପରେ ଆରମ୍ଭ ହୋଇଯାଏ ମୋବାଇଲ ଟଣାଟଣି ।
ରାମବାବୁଙ୍କ ଘରେ ତିନି ପିଲାଙ୍କ ପାଇଁ ଗୋଟିଏ ମୋବାଇଲ ଆସିଥିଲା । ମଧ୍ୟବିତ୍ତ ପରିବାର । ଘର ଚଳେଇବା ପାଇଁ ରାମବାବୁ ଏକା । କେଉ ଗୋଟାଏ ବେସରକାରୀ କମ୍ପାନୀରେ କାମ କରନ୍ତି । ତା ପୁଣି ବନ୍ଦ ହୋଇଥିଲା ସେ ବେଳରେ । ତେଣୁ ସବୁ କଥାକୁ ଚିନ୍ତା କରି ରାମବାବୁ ଗୋଟିଏ ମୋବାଇଲ ଆଣିଥିଲେ । ଓଃ,ସେଥିପାଇଁ ସବୁବେଳେ ଘରେ ପିଲାମାନଙ୍କର ଠିଆପାଲା ।
ଏବେ ତ ସ୍କୁଲ କିଛି କିଛି ଖୋଲିଲାଣି । ହେଲେ ବିଦ୍ୟାଳୟରେ ଯାଇ ପଢିବାକୁ ଆଉ ପିଲାମାନେ ରାଜି ନୁହଁନ୍ତି । ଆମେ ଘରେ ପଢିବୁ କହି ସମସ୍ତେ ଏବେ ଘରେ । ଆଉ ମୋବାଇଲ ପାଇଁ ସକାଳୁ ଯେ ରାତି ଯାଏ ପାଟି ତୁଣ୍ଡ,ଟଣାଟଣି ।
ଏଥିରୁ ନିସ୍ତାର ଖୋଜୁଛନ୍ତି ରାମବାବୁ ।
ରାମବାବୁ ସିନା ନିସ୍ତାର ପାଇଁ ସାଙ୍ଗସାଥୀ ଘରକୁ ଚାଲି ଯାଆନ୍ତି କି କେଉଁ ଦୋକାନ ବଜାରରେ ସମୟ ବିତେଇ ଦିଅନ୍ତି, ହେଲେ ପତ୍ନୀ କମଳିନୀ ଏସବୁ ଦେଖି ଦେଖି ଯେମିତି ମୁକ ପାଲଟି ଗଲେଣି ।
କେତେ କଳିଝଗଡାର ସମାଧାନ କରିବେ ମୋବାଇଲ ପାଇଁ । ପାଠପଢ଼ା ବାହାନାରେ କିଏ ଗେମ୍ ଖେଳୁଛି ତ କିଏ ହ୍ଵାଟ୍ସଆପରେ ଚାଟିଂ ତ ପୁଣି ଆଉ କିଏ କମେଡି ଭିଡିଓ ଦେଖୁଛି ।
ସ୍କୁଲ ଖୋଲିବା ପରେ ବି ବଡ଼ଠୁ ସାନ ଯାଏ ସମସ୍ତେ ଘରେ ।
କି ଉପାୟ ଏଥିକୁ ।
