STORYMIRROR

pranati Mahapatra

Action Inspirational

4  

pranati Mahapatra

Action Inspirational

ସଫଳତା

ସଫଳତା

2 mins
212

ଜୀବନରେ ସଫଳତା ପାଇଁ ସମସ୍ତଙ୍କ ମନରେ ଆଶା ବସା ବାନ୍ଧି ରହିଥାଏ।କିଏ ବା ସଫଳ ହୁଏ ଅବା କେହି କେହି ବିଫଳ ହୁଅନ୍ତି। ଶିକ୍ଷାରେ ଶିକ୍ଷାର୍ଥୀ ଟିଏ, ପ୍ରେମରେ ପ୍ରେମିକ ପ୍ରେମିକା କିମ୍ବା ଯେକୌଣସି ପ୍ରତିଯୋଗିତାରେ ପ୍ରତିଯୋଗୀ। ହେଲେ କେବେ ଆମେ ଶୁଣି ନାହାଁନ୍ତି କି ପିଲାମାନଙ୍କୁ ସୁଖ ଶାନ୍ତିରେ ରଖିବା ପାଇଁ କେହି ପ୍ରତିଯୋଗିତା କରନ୍ତି ନାହିଁ କି ସଫଳତା ବିଫଳତାର କଥା କେଉଁଠି କେବେ ଶୁଣି ନ ଥାନ୍ତି। ମୁଁ କିନ୍ତୁ ଏମିତି ଗୋଟିଏ କଥାର ଅବତାରଣା କରିବି, କେହି ଭାବି ବି ନ ଥିବେ।


ନରଣପୁର ଗାଁରେ ଯଶୋଦା ନାନୀ କୁ କିଏ ବା ନ ଜାଣନ୍ତି।ସୁଧାକର ଜମିଦାରଙ୍କୁ ବିଭାହୋଇ ବେଶ୍ ହସଖୁସିରେ ଦିନ ଚାଲି ଯାଉଥିଲା, ହେଲେ ଯେଉଁ ଦିନ ସାନଭଉଣୀ ଯିଏ କି ବୟସରେ ଯଶୋଦା ନାନୀଠାରୁ ବାର କି ପନ୍ଦର ବର୍ଷ ସାନ ହେବ, ତାକୁ ଜମିଦାର ମନ୍ଦିରରେ ବାହାହୋଇ ଘରେ ଧରି ହାଜର ହୋଇଗଲେ ନାନୀର ସବୁ ସୁଖ ଯେମିତି ଚାଲିଗଲା।


     ବାହାଘର ଆଠବର୍ଷ ହେଲା ପିଲା ଝିଲା ମୁହଁ ଦେଖିଲା ନାହିଁ, କେତେ ଦିଅଁ ଦେବତା, ପୂଜା, ଓଷାବ୍ରତ ନ କରିଛି।କେଉଁ ସାଧୁ ସନ୍ୟାସୀ ପାଦ ନ ଧରିଛି ନାନୀ।କେହି କେହି କହନ୍ତି ଏ ଜମିଦାର ଙ୍କ ପୂର୍ବ ପୁରୁଷ ମାନେ ଅଭିଶପ୍ତ।ନାନା କୁକର୍ମ ରେ ଲିପ୍ତ।କେଉଁ ଜଣେ ଗର୍ଭବତୀ ନାରୀ ଅଭିଶାପ ତାଙ୍କ ପରିବାର ଉପରେ ଅଛି।


      ଯାହା ହେଉ ଭଉଣୀ ତ ସଉତୁଣୀ ହେଲା।କହିବ ଦୁଃଖ କାହାକୁ । ସ୍ଵାମୀଙ୍କୁ ଭଉଣୀ ପାଖରେ ଦିନରାତି ହସଖୁସିରେ ଦେଖି ଭିତରେ ଭିତରେ ଜଳି ଗଲେ ବି ଚୁପ ଥାଏ ବଂଶ ରକ୍ଷା ପାଇଁ ଯଶୋଦା ନାନୀ। କିନ୍ତୁ ଦେବାଦେବୀ ପୂଜାର୍ଚ୍ଚନା ରୁ କମୁ ନ ଥାଏ ମନ । ଜମିଦାର ଜଣେଇ ଦେଲେ ସେ ବାପା ହେବେ ଦ୍ଵିତୀୟ ପକ୍ଷରୁ। ଏ ଖବର ଗାଁ ସାରା ରାଷ୍ଟ୍ର ହୋଇଗଲା ।ଏଣେ ଯଶୋଦା ନାନୀ ଦେଖିଲା ଯେ ସେ ବି ଗର୍ଭବତୀ ।ଦୁଇ ଚାରି ଦିନ ଅନ୍ତରରେ ଦୁହେଁ ଦୁଇଟି ପୁତ୍ର ସନ୍ତାନ ଜନ୍ମଦେଲେ।ଜମିଦାର ଙ୍କର ଖୁସି କହିଲେ ନ ସରେ।କିନ୍ତୁ ଜମିଦାର ସାନ ସ୍ତ୍ରୀକୁ ବହୁତ ଭଲ ପାଆନ୍ତି।ବଡ଼ ଯଶୋଦା ନାନୀକୁ ଆଡ ଆଖିରେ ଦେଖନ୍ତି ନାହିଁ।ଏଭଳି ସ୍ଥିତିରେ ସାନ ସ୍ତ୍ରୀ ତା ନିଜ ପିଲାର ବି ଏତେ ଯତ୍ନ ନିଏ ନାହିଁ।


ସବୁବେଳେ ଜମିଦାର ଙ୍କ ସହିତ ବଜାର ହାଟ ବୁଲିଲା।ଦୁଇଟି ଯାକ ପିଲା ଯଶୋଦା ନାନୀଠାରୁ କ୍ଷୀର ଖାଇ ରହନ୍ତି। ପିଲା ଦୁଇଟି ଲବକୁଶ ଭଳି ବଢିଲେ।ବଡ଼ହେଲେ,ପାଠ ପଢିଲେ। ଯଶୋଦା ନାନୀକୁ ଦୁହେଁ ଯାକ ମାଆ ବୋଲି ଡାକ ପକାନ୍ତି। ସାନ ଯେତେ ତା ପୁଅକୁ ପାଖକୁ ଡାକେ ସେ ପିଲାଟି ଆଦୌ ତା ମାଆ ପାଖକୁ ନ ଯାଇ ବଡ଼ମା ପାଖରେ ରହେ।

ବଡ଼ମା ବି ଏତେ ସ୍ନେହ, ମମତା ଦେଇଥାଏ ଯେ ପିଲା ଦୁଇଟି ଯଶୋଦା ନାନୀ ବ୍ୟତିତ ଆଉ ଯେମିତି କାହାକୁ ଚିହ୍ନନ୍ତି ନାହିଁ।ଏମିତି ସମୟରେ ଦିନେ ଯଶୋଦା ନାନୀ ବେମାର ପଡିଲା। ପିଲା ଦୁହେଁ ମାଆର ସେବା ଶୁଶ୍ରୁଷା କରି ଭଲ କରିଦେଲେ। ଯଶୋଦା ନାନୀ ସୁସ୍ଥ ହେଲା ପରେ ଲୋକେ କୁହାକୁହି ହେଲେ କି ଯଶୋଦା ନାନୀ ଭଗବାନଙ୍କୁ ପୂଜା ଆରାଧନା କରି ସଫଳତାର ଶୀର୍ଷରେ ପହଞ୍ଚି ଗଲେ। ଯିଏ ଯେତେ ବାଦ ବିବାଦ କରୁ ପଛେ ସତରେ ଥିଲେ ସଫଳତା ହାସଲ କରିବା କିଛି ବଡ଼ ନୁହେଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action